ଟ୍ରମ୍ପ ବେମାର ପଡ଼ିବା ପରେ

ଆମେରିକାରୁ ପତ୍ର - ଅନାଦି ନାୟକ

କୌଣସି ଦେଶରେ ରାଷ୍ଟ୍ରପତି ହଠାତ୍‌ ବେମାର ପଡ଼ିଲେ ସେଠାର ଲୋକମାନେ ଦୁଃଖ ପ୍ରକାଶ କରିବା ସ୍ୱାଭାବିକ। ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଓ ତାଙ୍କ ସ୍ତ୍ରୀ ମେଲାନିଆ ଉଭୟେ କରୋନା ରୋଗରେ ଆକ୍ରାନ୍ତ। ଦେଶ ସାରା ଏଥିପାଇଁ ଉଦ୍‌ବେଗ ପ୍ରକାଶ ପାଇଛି। ରାଷ୍ଟ୍ରପତି ବେମାର ପଡ଼ିଲେ ତାର ପରିଣାମ ସବୁ କ୍ଷେତ୍ରରେ, ବିଶେଷ କରି ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଖୁବ୍ ବୋଧ ହୁଏ। ପୁଣି ଏଠି ରାଷ୍ଟ୍ରପତି ନିର୍ବାଚନ ହେବ ଆସନ୍ତା ନଭେମ୍ବର ୩ ତାରିଖରେ। ଟ୍ରମ୍ପ୍‌ ଏଥିପାଇଁ ପ୍ରାର୍ଥୀ ଅଛନ୍ତି। ନିର୍ବାଚନର ଅବସ୍ଥା କଅଣ ହେବ ସେଥିପାଇଁ ଚିନ୍ତା ପଡ଼ିଛି। ଟ୍ରମ୍ପ୍‌ଙ୍କର ବେମାରି ପାଇଁ ସମୁଦାୟ ଆମେରିକା ସମ୍ବେଦନଶୀଳ। ମାତ୍ର ତାଙ୍କ ପାଇଁ ଦୁଃଖିତ ହେବା ଲୋକଙ୍କ ସଂଖ୍ୟା କେତେ କହିହେବ ନାହିଁ। ଟ୍ରମ୍ପ୍‌ ବିଶେଷଜ୍ଞମାନଙ୍କ କଥା ନ ମାନି ମୁହଁରେ ତୁଣ୍ଡି ଲଗାଇଲେ ନାହିଁ କି ଅନ୍ୟମାନଙ୍କଠାରୁ ଦୂରତା ରକ୍ଷା କଲେ ନାହିଁ। ତାଙ୍କ ସଭାକୁ ଆସିବା ଲାଗି ସେ ଶହ ଶହ ଲୋକଙ୍କୁ ଆହ୍ୱାନ କଲେ। ଟ୍ରମ୍ପ୍‌ଙ୍କୁ ଅନୁକରଣ କରି ସଭାକୁ ଆସିଥିବା ଲୋକମାନେ ମଧ୍ୟ ମୁହଁରେ ତୁଣ୍ଡି ଲଗାଇଲେ ନାହିଁ କି ପରସ୍ପରଠାରୁ ଦୂରରେ ବସିଲେ ନା‌ହିଁ। ପରିଣାମ ସ୍ୱରୂପ ଯେଉଁ ଅଞ୍ଚଳରେ ପ୍ରଥମେ ପ୍ରଥମେ କରୋନା ଭାଇରସ୍‌ ନଥିଲା, ଟ୍ରମ୍ପ୍‌ଙ୍କ ସଭା ପରେ ସେ ସବୁ ଅଞ୍ଚଳରେ ଏ ରୋଗ ଖୁବ୍ ବ୍ୟାପିଛି। ହିସାବ କରି ବିଶେଷଜ୍ଞମାନେ କହୁଛନ୍ତି ଯେ ପ୍ରଥମରୁ କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ବ୍ୟବସ୍ଥା ନକରିବା ଫଳରେ ରୋଗଟି ବିଭିନ୍ନ ଅଞ୍ଚଳରେ ବ୍ୟାପିବାରେ ଲାଗିଲା। ମୁହଁରେ ତୁଣ୍ଡି ନଲଗାଇବା ଫଳରେ ଅନ୍ତତଃ ୧ ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ଘଟିଛି। ଏ ଯାବତ୍ ଆମେରିକାରେ ୨ ଲକ୍ଷ ୯ ହଜାର ଲୋକ କରୋନା ରୋଗରେ ମରିଛନ୍ତି। ସେମାନଙ୍କ ଭିତରୁ ପ୍ରାୟ ଅଧେ ଲୋକଙ୍କ ମୃତ୍ୟୁ ପାଇଁ ଅନେକେ ଟ୍ରମ୍ପ୍‌ଙ୍କୁ ତାଙ୍କର ନିର୍ବୋଧତା ପାଇଁ ଦାୟୀ କରୁଛନ୍ତି। ନିଜ ଅହମିକାରେ ଆବଦ୍ଧ ରହି ସେ ମୁହଁରେ ତୁଣ୍ଡି ଲଗାଇବାଟାକୁ ଏକ ଦୁର୍ବଳତା ବୋଲି କହୁଥିଲେ। ଡିମୋକ୍ରାଟିକ୍‌ ଦଳ ତରଫରୁ ରାଷ୍ଟ୍ରପତି ପଦ ପାଇଁ ଠିଆ ହୋଇଥିବା ତାଙ୍କର ପ୍ରତିଦ୍ୱନ୍ଦ୍ବୀ ଜୋ ବାଇଡେନ୍ ମୁହଁରେ ତୁଣ୍ଡି ଲଗାଉ ଥିବାରୁ ଟ୍ରମ୍ପ୍‌ ତାଙ୍କୁ ସମାଲୋଚନା ଓ ପରିହାସ କରୁଥିଲେ। ଏବେ ସେ ନିଜେ ନିଜର ନିର୍ବୋଧତା ଯୋଗୁ ଅକଳରେ ପଡ଼ିଛନ୍ତି। ସେ ରୋଗରେ ପଡ଼ିବା ଯୋଗୁ ଅନେକେ ସମବେଦନା ପ୍ରକାଶ କରୁଥିଲେ ବି ତାଙ୍କ ପାଇଁ ଦୁଃଖିତ ହୋଇ ପାରୁନାହାନ୍ତି। କା‌ରଣ ମୂଳରୁ ନିଜେ ସତର୍କ ରହିଥିଲେ ଓ ଅନ୍ୟମାନଙ୍କୁ ସତର୍କ ହେବାକୁ କହିଥିଲେ ଆଜି ଆମେରିକା ମୃତ୍ୟୁର ଏଭଳି ବିଭୀଷିକାରେ ହନ୍ତସନ୍ତ ହେଉ ନଥାନ୍ତା।

ଶୁକ୍ରବାର ସନ୍ଧ୍ୟାରେ ଟ୍ରମ୍ପ୍‌ଙ୍କୁ ପ୍ରସିଦ୍ଧ ୱାଲ୍‌ଟର ରିଡ୍‌ ହସ୍‌ପିଟାଲକୁ ନିଆଗଲା। ସେଠାରେ ଡାକ୍ତରମାନେ ବିଭିନ୍ନ ଭାବରେ ତାଙ୍କ ପାଇଁ ଚିକିତ୍ସା ଆଦିର ବ୍ୟବସ୍ଥା କରିବେ। ହସ୍‌ପିଟାଲକୁ ଯିବା ପୁର୍ବରୁ ତାଙ୍କୁ ଏକ ପ୍ରୟୋଗ ମୂଳକ ଚିକିତ୍ସା ଭାବରେ ଆଣ୍ଟି ବଡିର ଇଞ୍ଜେକ୍‌ସନ ଦିଆଯାଇଛି ବୋଲି ସମ୍ବାଦ ପ୍ରକାଶ ପାଇଛି। ଏ ପ୍ରକାର ଚିକିତ୍ସାର ଗୁଣ ଅବିଗୁଣ ପୂରାପୂରି ପ୍ରତିପାଦିତ ହୋଇନାହିଁ। ସେଥିପାଇଁ ବିଶେଷଜ୍ଞମାନେ ଏହାକୁ ସର୍ବସାଧାରଣରେ ବ୍ୟବହାର କରିବାକୁ ବତାଉ ନାହାନ୍ତି। ମାତ୍ର ଟ୍ରମ୍ପ୍‌ ହେଲେ ଦେଶର ରାଷ୍ଟ୍ରପତି। ତାଙ୍କ ପାଇଁ ଯଦି ଏ ଚିକିତ୍ସାଟି କାମ କଲା, ତେବେ ସେ ଚଞ୍ଚଳ ସୁସ୍ଥ ହୋଇଯିବେ ବୋଲି ଚିକିତ୍ସକମାନେ ଭାବୁଛନ୍ତି। ହସ୍‌ପିଟାଲକୁ ଯିବାର ତିନି ଦିନ ଆଗରୁ ଟ୍ରମ୍ପ୍‌ଙ୍କୁ ଜଣାଇ ଦିଆ ଯାଇଥିଲା ଯେ ସେ କରୋନା ଭାଇରସ୍‌ର ପରିବାହକ। ତାହା ସତ୍ତ୍ୱେ ସେ କଥାଟିକୁ ଲୁଚାଇ ରଖି ବିଭିନ୍ନ ଜାଗାରେ ସଭା କଲେ; ବିଭିନ୍ନ ଲୋକଙ୍କ ସମ୍ପର୍କରେ ଆସିଲେ; ଏପରିକି ତାଙ୍କର ଜଣେ ବନ୍ଧୁ କରୋନାରେ ଅଳ୍ପ ଦିନ ତଳେ ମରିଥିଲେ ବି ତାଙ୍କ ପୁଅକୁ ଆଣି ନିଜ ମଣ୍ଡଳ ଭିତରେ ବସିବାକୁ ଦେଲେ। ବନ୍ଧୁ ମିଳନ ମାଧ୍ୟମରେ ଚାନ୍ଦା ସଂଗ୍ରହ କରିବା ଥିଲା ଏହି ସମାବେଶର ଲକ୍ଷ୍ୟ। ସେଦିନର ବନ୍ଧୁମାନଙ୍କ ଭିତରୁ ଅନେକେ ଏବେ କରୋନାରେ ଆକ୍ରାନ୍ତ।

ଆଗାମୀ ନିର୍ବାଚନ ପାଇଁ ପରିସ୍ଥିତି ବଡ଼ ଗୋଳମାଳିଆ ହୋଇଯାଇଛି। ଟ୍ରମ୍ପ୍‌ଙ୍କର ସବୁ ଉଦ୍ୟମ ଚାଲିଥିଲା ଦ୍ୱିତୀୟ ଥର ପାଇଁ ନିର୍ବାଚନରେ ଜିତି ପୁଣି ଥରେ ରାଷ୍ଟ୍ରପତି ହେବା ପାଇଁ। ମାତ୍ର ହଠାତ୍ ବେମାରିରେ ପଡ଼ିବା ଫଳରେ ଧାରଣା ହେଲା ଯେ ଆଗାମୀ କିଛି ଦିନ ପାଇଁ ଅନ୍ତତଃ ସେ କୌଣସି ଆଡ଼େ ଯାଇପାରିବେ ନାହିଁ କି କାହାରିକୁ ଭେଟି ପାରିବେ ନାହିଁ। କିନ୍ତୁ ସେ ଏବେ ପୁଣି ପ୍ରଚାରରେ ଲାଗି ଯାଇଛନ୍ତି। ୱିସକନସିନରେ ସେ ଭାଷଣ ସଭାରେ ଏହା ମଧ୍ୟ କହି ସାରିଲେଣି ଯେ ସେ ନିର୍ବାଚନରେ ଜିଣିଲେ ସବୁ ଆମେରିକୀୟଙ୍କୁ ଆଣ୍ଟିବଡ଼ି ଚିକିତ୍ସା ମାଗଣାରେ ମିଳିବ। ଟ୍ରମ୍ପ୍‌ ଯେତେବେଳେ ବେମାରରେ ପଡ଼ିଲେ ରିପବ୍ଲିକାନମାନେ ଆଶଙ୍କା କଲେ ଯେ ତାଙ୍କର ହାରିଯିବାର ସମ୍ଭାବନା ହୁଏ’ତ ଆହୁରି ବଢ଼ିଯିବ। ତେବେ, ଟ୍ରମ୍ପ୍‌ ନିଜେ ଯଦି ହାରି ଯାଆନ୍ତି ଅବସ୍ଥା ଖରାପ ହେବ, କାରଣ ତାଙ୍କ ସାଙ୍ଗରେ ଅନ୍ୟମାନେ ମଧ୍ୟ ହାରିଯିବେ ବୋଲି ରିପବ୍ଲିକାନ୍‌ମାନେ ଭୟ କରୁଛନ୍ତି। ଏବେ ଆମେରିକାର ନିମ୍ନ କକ୍ଷ ବା ପ୍ରତିନିଧି ସଭା ଡିମୋକ୍ରାଟ୍‌ମାନଙ୍କ ହାତରେ ଅଛି। ମାତ୍ର ସିନେଟର ରିପବ୍ଲିକାନମାନେ ୫୩ ସଭ୍ୟ ରଖି ସଂଖ୍ୟାଧିକ। ମୋଟ ଶହେ ଜଣକ ଭିତରୁ ୫୧ ଜଣ ସଭ୍ୟ ରଖିବାକୁ ହେଲେ ଡିମୋକ୍ରାଟମାନଙ୍କୁ ନିଜର ସବୁ ସଭ୍ୟଙ୍କୁ ଜିତେଇ ଆହୁରି ୪ ଜଣଙ୍କୁ ସିନେଟକୁ ଆଣିବାକୁ ପଡ଼ିବ। ପ୍ରତି ଦୁଇ ବର୍ଷରେ, ଛଅ ବର୍ଷ ପୂରଣ କରି, ସିନେଟର ସଭ୍ୟମାନେ ଭୋଟରେ ଠିଆ ହୁଅନ୍ତି। ଏ ବର୍ଷ ଅଧିକ ସଂଖ୍ୟକ ରିପବ୍ଲିକାନ ଠିଆ ହେଉଥିବାରୁ ବର୍ତ୍ତମାନର ଚଳନ୍ତି ବାତାବରଣରେ ସେମାନଙ୍କ ଭିତରୁ ଅନେକେ ହାରିଯାଇ ପାରନ୍ତି ବୋଲି କୁହାଯାଉଛି। ତାହା ହେଲେ କଂଗ୍ରେସର ଦୁଇଟିଯାକ କକ୍ଷ ସାଙ୍ଗକୁ ରାଷ୍ଟ୍ରପତି ଭବନ, ହ୍ୱାଇଟ୍ ହାଉସ୍‌କୁ ବାଇଡେନ ଆସିଲେ ଶାସନ କଳର ସବୁ କ୍ଷେତ୍ରରେ ଡିମୋକ୍ରାଟମାନେ ନିଜର ଛାପା ଲଗାଇବେ। ନିର୍ବାଚନ ପୂର୍ବରୁ ସିନେଟର ରିପବ୍ଲିକାନମାନେ ଆଗକୁ ବହୁ ବର୍ଷ ପାଇଁ ଦେଶର ଚିନ୍ତାଧାରାକୁ କାବୁ କରି ରଖିବା ଲାଗି ଉଦ୍ୟମ କରୁଛନ୍ତି। ଡିମୋକ୍ରାଟିକ ଦଳ ତରଫରୁ ତିନିଟି କଥା ଉପରେ ବହୁ ଦିନରୁ ଜୋର ଦିଆ ହୋଇ ଆସୁଛି। ସେ ସବୁକୁ କରେଇ ନଦେବା ସେମାନଙ୍କର ଲକ୍ଷ୍ୟ।

ପ୍ରଥମ କଥାଟି ହେଲା: ଆମେରିକାର ନିୟମ କାନୁନ ଗୁଡ଼ାକ ଆମେରିକା ନିବାସୀ ସବୁ ଲୋକଙ୍କ ପାଇଁ ସମାନ ଭାବରେ ପ୍ରୟୋଗ କରାଯିବ। ସେଥିପାଇଁ ପୁଲିସ୍‌ର ବ୍ୟବହାର ଉପରେ ଅଙ୍କୁଶ ରହିବା ଦରକାର। ଖାସ୍ କରି ଅଣଗୋରା ଲୋକଙ୍କ ପ୍ରତି ପୁଲିସ୍‌ର ବ୍ୟବହାର କେମିତି ସୁଧୁରିବ, ପୁଲିସ୍‌ମାନଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯିବା ଦରକାର ବୋଲି ଡିମୋକ୍ରାଟମାନେ କହୁଛନ୍ତି। ସେମାନଙ୍କର ଦ୍ୱିତୀୟ କଥା ହେଲା- ମାରାତ୍ମକ ମା‌ରଣାସ୍ତ୍ର ସାଧାରଣ ଲୋକଙ୍କ ହାତରୁ ବାହାରି ଯିବା ଉଚିତ। ଶିକାର ପାଇଁ ଓ ନିଜର ଲକ୍ଷ୍ୟ ସିଦ୍ଧ କରିବା ପାଇଁ ଯେଉଁମାନେ ବନ୍ଧୁକ ରଖିବେ ସେମାନେ ନିଜ ନିଜର ଅସ୍ତ୍ରକୁ ଘର ଭିତରେ ବାକ୍‌ସରେ ରଖିବେ। ମାତ୍ର ଆମେରିକାରେ ଅନେକ ଅଞ୍ଚଳରେ ପିସ୍ତଲକୁ ଅଣ୍ଟାରେ ଝୁଲେଇ ବା ବନ୍ଧୁକକୁ କାନ୍ଧରେ ପକାଇ ବଜାରରେ ବୁଲିବାର ଆଇନଗତ ଅନୁମତି ରହିଛି। ଅଘରଦୁଆରି ମାରଣାସ୍ତ୍ର ଲୋକଙ୍କ ହାତରେ ରହି ଥିବାରୁ ଓ ସେ ସବୁ ବିକ୍ରିପାଇଁ ବଜାରରେ ମହଜୁଦ ଥିବାରୁ ଅନେକ ସମୟରେ ମୁଣ୍ଡପାଗଳା, ଦସ୍ୟୁ ଓ ଅପରାଧୀମାନେ ମାରଣାସ୍ତ୍ର ବ୍ୟବହାର କରି ଅନେକ ଜାଗାରେ ବିନା କାରଣରେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ଏପରିକି ଶ୍ରେଣୀ ଗୃହରେ ବସିଥିବା ଛୋଟ ପିଲାମାନେ ବି ସେମାନଙ୍କର ଦୁରାଚାରରୁ ବାଦ୍ ଯାଉ ନାହାନ୍ତି। ବନ୍ଧୁକ ରଖିବା ପାଇଁ କଟକଣା କରିବାକୁ ଡିମୋକ୍ରାଟମାନେ ବାରମ୍ବାର ଉଦ୍ୟମ କରୁଥିଲେ ବି ଏହାକୁ ଆଇନରେ ପରିଣତ କରି ପାରୁ ନାହାନ୍ତି କାରଣ ରିପବ୍ଲିକାନ ପାର୍ଟି ତରଫରୁ ଏହାର ଖୁବ୍ ବିରୋଧ ହୋଇ ଚାଲିଛି। ତୃତୀୟ କଥାଟି ହେଲା ଯେ ସ୍ତ୍ରୀଲୋକମାନେ ଗର୍ଭବତୀ ହେବାର ତିନିମାସ ଭିତରେ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜର ସ୍ୱାସ୍ଥ୍ୟରକ୍ଷା ପାଇଁ ହେଉ କି ଭ୍ରୂଣର ଅପ୍ରାକୃତିକ ବୃଦ୍ଧି ପାଇଁ ହେଉ ଗର୍ଭପାତ କରି ପାରିବେ। ମାତ୍ର ଆମେରିକାର ବହୁ ଉଗ୍ରପନ୍ଥୀ ଖ୍ରୀଷ୍ଟିୟାନ କୌଣସି ପରିସ୍ଥିତିରେ, ଏପରିକି ଗର୍ଭବତୀର ମୃତ୍ୟୁ ଅନିବାର୍ଯ୍ୟ ହେଲେ ମଧ୍ୟ, ଗର୍ଭପାତ ପାଇଁ ଅନୁମତି ଦେବାକୁ ନାରାଜ। ସେମାନଙ୍କ ଭିତରୁ ବହୁ ସଂଖ୍ୟକ ଲୋକ ରିପବ୍ଲିକାନମାନଙ୍କର ସମର୍ଥକ। ଏଣୁ ୧. ଗୋରାମାନଙ୍କ ପକ୍ଷ ସମର୍ଥନ କରୁଥିବା, ୨. ବନ୍ଧୁକ ଉପରେ କଟକଣା ରଖିବାର ବିରୋଧ କରୁଥିବା, ୩. କୌଣସି ପରିସ୍ଥିତିରେ ଗର୍ଭପାତକୁ ସମର୍ଥନ ନ କରୁଥିବା ବିଚାରପତିମାନଙ୍କୁ ଦେଶର ସର୍ବୋଚ୍ଚ ଅଦାଲତରେ ବସାଇବା ପାଇଁ ଏବେକାର ସିନେଟର ରିପବ୍ଲିକାନମାନେ ଚେଷ୍ଟା କରୁଛନ୍ତି।

ବିଲେଇ କପାଳକୁ ଶିକା ଛିଡ଼ିଲା ପରି ଗତ ମାସରେ ସର୍ବୋଚ୍ଚ ବିଚାରାଳୟର ୮୭ ବର୍ଷ ବୟସ୍କ ବିଚାରପତି ରୁଥ ବାର୍ଡାର ଗ୍ରିନ୍‌ସବର୍ଗଙ୍କର ମୃତ୍ୟୁ ଘଟିଲା। ସେ ଡିମୋକ୍ରାଟମାନଙ୍କ ଉଦ୍ୟମର ସମର୍ଥକ ଥିଲେ। ତାଙ୍କ ଜାଗାରେ ଆଉ ଜଣେ ବିଚାରପତିଙ୍କୁ ନିଯୁକ୍ତ କରିବା ପାଇଁ ଟ୍ରମ୍ପ୍‌ ଚଟାପଟ ଜଣେ ଭଦ୍ର ମହିଳା ଆମି କନି ବ୍ୟାରେଟ୍ଟଙ୍କୁ ମନୋନୀତ କଲେ। ଆମି ବ୍ୟାରେଟ୍ଟ ଥିଲେ ତଳ କୋର୍ଟର ଜଣେ ବିଚାରପତି। ମାତ୍ର ସେ ଦେଇଥିବା ପୂର୍ବତନ ରାୟମାନଙ୍କରୁ ଜଣାପଡୁଛି ଯେ ସେ ରିପବ୍ଲିକାନମାନଙ୍କର ବିଚାରଧାରାର ପୂରାପୂରି ସମର୍ଥକ। ଆମେରିକାରେ ସୁପ୍ରିମ କୋର୍ଟର ବିଚାରପତିମାନେ ନିଯୁକ୍ତି ପାଆନ୍ତି ସାରା ଜୀବନପାଇଁ। ବ୍ୟାରେଟ୍ଟଙ୍କୁ ବର୍ତ୍ତମାନ ୪୨ ବର୍ଷ ବୟସ। ଆଗାମୀ ୪୫ ବର୍ଷ ପର୍ଯ୍ୟନ୍ତ ସେ ଆମେରିକାର ସର୍ବୋଚ୍ଚ ବିଚାରାଳୟକୁ ପ୍ରଭାବିତ କରି ପାରିବେ। ନିର୍ବାଚନ ଘଟିବାର ଦିନ କେଇଟା ଆଗରୁ ରିପବ୍ଲିକାନମାନେ ତନାଘନା ହୋଇ ଏଭଳି ଚଞ୍ଚକତା କରୁଥିବାରୁ ଏଥିପାଇଁ ଡିମୋକ୍ରାଟମାନଙ୍କ ତରଫରୁ ପାଟିତୁଣ୍ଡ ହେଉଛି। ମାତ୍ର ରିପବ୍ଲିକାନମାନଙ୍କୁ ବନ୍ଦ କରିବା ଭଳି ଶକ୍ତି ସେମାନଙ୍କର ନାହିଁ। ଆଗାମୀ ନିର୍ବାଚନରେ ସେମାନେ କଂଗ୍ରେସର ଦୁଇଟି ଯାକ କକ୍ଷ ସାଙ୍ଗକୁ ହ୍ୱାଇଟ୍ ହାଉସ୍‌ ଦଖଲ କଲେ ମଧ୍ୟ ବିଚାରାଳୟ ତରଫରୁ ସେମାନଙ୍କୁ ବହୁତ ପ୍ରତିରୋଧ ମିଳିଚାଲିବ। ରିପବ୍ଲିକାନମାନେ କ୍ଷମତାଚ୍ୟୁତ ହେଲେ ବି ବିଚାରାଳୟରେ ସେମାନଙ୍କର ବିଜୟ ଲାଭ ଆହୁରି ଅନେକ ବର୍ଷ ଯାଏ ଚାଲିଥିବ।

[email protected]

ସମ୍ବନ୍ଧିତ ଖବର