ଦୋଳ, ହୋଲି ଓ ସଶକ୍ତ ମହିଳା
ତାପସୀ ପ୍ରହରାଜ
୨୦୨୦ର ମହିଳା ଦିବସ, ଦୋଳଯାତ୍ରା ଓ ହୋଲି ପ୍ରାୟ ଏକା ସମୟରେ ପାଳନ କରାଯାଉଛି। ଦୋଳଯାତ୍ରା ଓ ହୋଲି ଏକ ଧର୍ମୀୟ ତଥା ସା˚ସ୍କୃତିକ ଉତ୍ସବ। ସେହିଭଳି ମହିଳା ଦିବସର ପାଳନକୁ ଏକ ବିଶେଷ ଅବକାଶ ରୂପେ ଗ୍ରହଣ କରାଯାଇପାରେ, କାରଣ ଏହି ଦିନଟି ମହିଳାମାନଙ୍କର ସମାନତା ପାଇଁ ଅଙ୍ଗୀକାରବଦ୍ଧତାକୁ ସ୍ମରଣ କରେଇ ଦିଏ। ଆଜିକାଲି ବିଶ୍ବ ସାରା ଏହା ଏକ ଉତ୍ସବର ରୂପ ଧାରଣ କଲାଣି। ମହିଳା ଦିବସ ମହିଳାମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥିଲେ ମଧୢ ପୁରୁଷମାନଙ୍କର ସହଯୋଗ ଓ ସକାରାତ୍ମକ ଇଚ୍ଛା ବିନା ସମାନତା ଅର୍ଜନ କରାଯିବା ସମ୍ଭବ ନୁହେଁ।
Sambad is now on WhatsApp
Join and get latest news updates delivered to you via WhatsApp
ଦୋଳଯାତ୍ରା ଓ ହୋଲି ଉତ୍ସବରେ ମହିଳାମାନଙ୍କର ଏକ ପ୍ରମୁଖ ଭୂମିକା ଦେଖିବାକୁ ମିଳେ। କିନ୍ତୁ ଦୋଳରେ ମହିଳାମାନେ ଯେଉଁଭଳି ମର୍ଯ୍ୟାଦାର ସହ ଉତ୍ସବରେ ସାମିଲ ହୁଅନ୍ତି, ହୋଲିରେ ସେମାନେ ତାର ବିପରୀତ ପରିସ୍ଥିତିର ସାମନା କରିବା ବିଡ଼ମ୍ବନା।
କୁହାଯାଏ, ଭଗବାନ କୃଷ୍ଣ ତାଙ୍କର ପ୍ରିୟତମ ପ୍ରେମିକା ରାଧାଙ୍କୁ ପ୍ରେମ ନିବେଦନ କରିବାର କାଳ ହେଉଛି ଦୋଳ ଉତ୍ସବ ପାଳନର ସମୟ। ପରମ୍ପରା ଅନୁଯାୟୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଏହି ଦିନ ମନ୍ଦିରରୁ ବାହାରି ଦୋଳିରେ ସବାର ହୋଇ ଗାଁ ଗାଁ ଓ ଘର ଘର ବୁଲନ୍ତି, ଭୋଗ ଖାଆନ୍ତି, ଫଗୁ ଲଗାନ୍ତି ଓ ମେଳି କରନ୍ତି। ଦୋଳଯାତ୍ରାର ଆନନ୍ଦ ଏଥିରେ ନିହିତ। ଆମ ରାଜ୍ୟରେ କେଉଁଠି ପାଞ୍ଚ ଦିନ ତ କେଉଁଠି ଦଶ ଦିନ ଧରି ଦୋଳ ଉତ୍ସବ ପାଳନ କରାଯାଏ; ଯାହା ପଞ୍ଚୁଦୋଳ ବା ଦଶଦୋଳ ଭଳି ନାମରେ ଖ୍ୟାତ। ଦୋଳଯାତ୍ରାର ଆନନ୍ଦ ମୁଖର ଉତ୍ସବରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଭାଗ ନିଅନ୍ତି। ତେବେ, କାଳକ୍ରମେ ବୈଷ୍ଣବୀୟମାନଙ୍କ ପ୍ରଭାବରେ ଏଥିରେ କିଛି ପରିବର୍ତ୍ତନ ଆସିଲାଣି। ଇତିହାସ କହେ ଯେ ଚୈତନ୍ୟ ଦେବ ଏହି ଦିନ ଜନ୍ମଗ୍ରହଣ କରିଥିଲେ। ସେ ବିଶ୍ବାସ କରୁଥିଲେ ଯେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଈଶ୍ବର ସମସ୍ତଙ୍କର। ଏହି ବିଶ୍ବାସ ଯୋଗୁଁ ହିଁ ନାମ ସ˚କୀର୍ତ୍ତନ ଦୋଳଯାତ୍ରାରେ ପ୍ରବେଶ କରି ଏହାର ଏକ ଅଭିନ୍ନ ଅ˚ଶରେ ପରିଣତ ହୋଇଛି। ବସନ୍ତର ଆଗମନରେ ମୃଦୁ ମଳୟର ହିଲ୍ଲୋଳ ମଧୢରେ ଦୋଳଯାତ୍ରା ହେଉଛି ପ୍ରେମ, ବିଶ୍ବାସ, ଭ୍ରାତୃତ୍ବ ଭାବ ଏବ˚ ସଦ୍ଭାବନାର ଏକ ମହାପର୍ବ।
କିନ୍ତୁ ଏହା ପର ଦିନ ସର୍ବତ୍ର ପାଳନ କରାଯାଉଥିବା ହୋଲି ପର୍ବରେ ଯାହା ଏବେ ଦେଖିବାକୁ ମିଳୁଛି, ତାହା ଉନ୍ମାଦନା, ଆନନ୍ଦ ନୁହେଁ। କି˚ବଦନ୍ତି କହେ ଯେ ଅସୁର ରାଜା ହିରଣାକ୍ଷ ଓ ହିରଣ୍ୟକଶ୍ୟପର ଭଉଣୀ ଥିଲେ ହୋଲିକା। ହିରଣ୍ୟକଶ୍ୟପଙ୍କ ପୁତ୍ର ପ୍ରହ୍ଲାଦ ହରି ବା ବିଷ୍ଣୁ ଭକ୍ତିରେ ତଲ୍ଲୀନ। ହିରଣ୍ୟକଶ୍ୟପ ଶତ ଚେଷ୍ଟା କରି ମଧୢ ପ୍ରହ୍ଲାଦଙ୍କୁ ତହିଁରୁ ନିବୃତ୍ତ କରିପାରନ୍ତି ନାହିଁ। ଶେଷରେ ଅତ୍ୟନ୍ତ କ୍ରୋଧାନ୍ବିତ ହିରଣ୍ୟକଶ୍ୟପ ଭଉଣୀ ହୋଲିକାଙ୍କୁ ଆଦେଶ ଦିଅନ୍ତି ଯେ ସେ ପ୍ରହ୍ଲାଦକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରନ୍ତୁ। କାହାଣୀ ଅନୁଯାୟୀ ହୋଲିକା କୁଆଡ଼େ ଅଗ୍ନି ଦେବତାଙ୍କଠାରୁ ବର ପ୍ରାପ୍ତ ହୋଇଥିଲେ ଯେ ସେ କେବେ ଅଗ୍ନିରେ ଦଗ୍ଧୀଭୂତ ହେବେ ନାହିଁ। କିନ୍ତୁ ଭଗବାନ ବିଷ୍ଣୁଙ୍କର ସମ୍ମାନ ରଖି ଅଗ୍ନି ଦେବତା ପ୍ରହ୍ଲାଦକୁ ବଞ୍ଚାନ୍ତି, କିନ୍ତୁୁ ହୋଲିକାଙ୍କୁ ଦହନ କରିଦିଅନ୍ତି। ସେହି ସମୟରେ ହୋଲିକାର ମୃତ୍ୟୁକୁ ଅନ୍ୟାୟ ବିରୋଧରେ ନ୍ୟାୟର ବିଜୟ କହି ଉତ୍ସବ ପାଳନ କରାଗଲା, ଯାହା ଏବେ ବି ପ୍ରଚଳିତ ଅଛି।
ହୋଲିକା ଉପାଖ୍ୟାନରେ ହୋଲିକାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ। ଅନେକଙ୍କ ମତରେ ଏହା ହେଉଛି ପ୍ରକୃତରେ ନାରୀ ନିର୍ଯାତନାର ଏକ ଦୃଷ୍ଟାନ୍ତ। ଏକ କି˚ବଦନ୍ତି ହୋଇଥିଲେ ମଧୢ ସେଥିରେ ଯାହା ଦେଖିବାକୁ ମିଳେ ତାହା ହେଲା ଏକ ପୁରୁଷତାନ୍ତ୍ରିକ ମନୋଭାବ କିଭଳି ଜଣେ ନାରୀକୁ ବିନା କୌଣସି ବିବେକଦ˚ଶନରେ ଅଗ୍ନିରେ ପ୍ରବେଶ କରିବାକୁ ଆଦେଶ ଦେଇପାରେ ଏବ˚ ନାରୀ ଜଣକ ତାହା ବିନା ବାକ୍ୟ ବ୍ୟୟରେ ଗ୍ରହଣ କରିବାକୁ ବାଧୢ ହୋଇପାରେ।
ପୂର୍ବରୁ କୁହାଯାଇଥିବା ଭଳି ହୋଲି ଆଜି ଏକ ଉନ୍ମାଦନାର ମହୋତ୍ସବରେ ପରିଣତ ହୋଇଛି। ଜଗତ୍କରଣ, ବଜାରୀକରଣ ପ୍ରଭାବ ଦ୍ବାରା ମଧ୍ୟ ହୋଲି ସ˚କ୍ରମିତ। ମଦ୍ୟ ପାନ କରିବା ଏବ˚ ହୋଲିରେ ରଙ୍ଗ ବୋଳିବା ଅବସରରେ ମହିଳାମାନଙ୍କ ପ୍ରତି ଅସୌଜନ୍ୟ ଏବ˚ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିବା ଏବେ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏବ˚ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଏଥିରେ ଯାହା ଦେଖିବାକୁ ମିଳୁଛି ତାହା ହେଲା ଏକ ଉତ୍ସବର ଆନନ୍ଦରେ ଭଟ୍ଟା ପକାଇବାର ଗ୍ଳାନି ବା ଉଦାରବାଦୀ ନୁହେଁ ବୋଲି ଆରୋପିତ ହେବାର ଭୟ ହେତୁ ଅନେକ ମହିଳା ଗଭୀର ଅସ୍ବସ୍ତି ସତ୍ତ୍ବେ ଏହାର ପ୍ରତିବାଦ କରିପାରନ୍ତି ନାହିଁ। ଏକ ମହୋତ୍ସବ ନାମରେ ମହିଳା ନିର୍ଯାତନା ଚାଲେ।
ଏହାର ପ୍ରତିବାଦ କରାଯିବା ଜରୁରୀ। ଆନ୍ତର୍ଜାତିକ ମହିଳା ଦିବସ ପାଳନର ଠିକ ପରେ ପରେ ପାଳିତ ହେଉଥିବା ହୋଲି ମଉଚ୍ଛବରେ ମହିଳାମାନେ ଯଦି ସେମାନଙ୍କ ପ୍ରତି ହେଉଥିବା ଅସଦାଚରଣ ବିରୋଧରେ ପ୍ରତିବାଦ କରିବେ, ତେବେ ମହିଳା ଦିବସ ପାଳନକୁ ଏହା ଅଧିକ ଅର୍ଥପୂର୍ଣ୍ଣ କରିବ।
ସମାଜସେବୀ