ଛୋଟ ଘର, ବଡ଼ ଘର, ଶେଷ ଘର

ରାଜେନ୍ଦ୍ର ନାରାୟଣ ଦାସ

‘‘ମନେ ପଡ଼ିଯାଏ ମୋ ପିଲାମାନଙ୍କର ପିଲାଦିନର କଥା। ସ୍ବାମୀଙ୍କର ଦୁଇବଖୁରିଆ ଛୋଟ କ୍ବାର୍ଟର୍ସ। ଗୋଟିଏ ବଖରାରେ ଶାଶୂ, ଶ୍ବଶୁର ଆଉ ବଖରାଟିରେ ସ୍ବାମୀଙ୍କ ସହ ମୁଁ ନିଜେ ଓ ତିନି ପିଲା। ଶାଶୂ ଶ୍ବଶୁର ଅଛନ୍ତି ବୋଲି ଗାଁର ଭାଗଚାଷୀଙ୍କଠାରୁ ନେଇ ନିକଟ ସମ୍ପର୍କୀୟ ଓ ଦୂର ସମ୍ପର୍କୀୟ ସମସ୍ତଙ୍କର ଯିବା ଆସିବା ଲାଗି ରହିଥାଏ। ସେଇ ଭିତରେ ଦୁଇପୁଅଙ୍କ ବ୍ରତଘର ଓ ମାଟ୍ରିକ୍‌ ପରୀକ୍ଷା।’’

ପ୍ରାୟ ଦୁଇବର୍ଷ ତଳେ ଗୋଟିଏ ଅଗ୍ରଣୀ ଓଡ଼ିଆ ଖବରକାଗଜରେ ପ୍ରକାଶିତ ଏକ ପ୍ରବନ୍ଧରେ ଏଇ କେତୋଟି ଧାଡ଼ି ମୋତେ ୭୦ ବର୍ଷ ପଛକୁ ନେଇ ଯାଇଥିଲା। ମୋ ପିଲାଦିନେ ମୁଁ ମଧ୍ୟ ମୋର ଦୁଇ ଭାଇ ଓ ତିନି ଭଉଣୀଙ୍କ ସହ ବାପା ନେଇଥିବା ଏପରି ଏକ ଦୁଇବଖୁରିଆ ଭଡ଼ାଘରେ ୧୯୬୦ରେ ଜର୍ମାନୀ ଆସିବା ପର୍ଯ୍ୟନ୍ତ କଟାଇଥିଲି। ସେ ସମୟରେ ପଡ଼ୋଶୀମାନଙ୍କର ସାହାଯ୍ୟ ଭୁଲିବାର ନୁହେଁ। ସେ ସବୁକଥା ମୋ ଜୀବନର ମଧୁର ସ୍ମୃତି ହୋଇ ରହିଛି। ସେ ସମୟରେ ଲୋକମାନଙ୍କ ଭିତରେ ଥିବା ନିଷ୍କପଟ ଭଲପାଇବା, ଶ୍ରଦ୍ଧା ଓ ଆନ୍ତରିକତା ଆଜି ବିରଳ। ଏବେ ପ୍ରଶ୍ନ ଉଠୁଛି ଘର ବଡ଼ ହେବା ସହ ହୃଦୟଟି କ’ଣ ସଙ୍କୁଚିତ ହୋଇଯାଏ କି?

ଯେତେବେଳେ ଆମ୍ଭେମାନେ ଛୋଟ ଘରେ ରହୁଥିଲୁ ସେତେବେଳେ ଆମେ ଖଟ ଉପରେ ବସି ଗପସପ ହେଉଥିଲୁ। ସମସ୍ତେ ପାଖାପାଖି ରହୁଥିଲୁ। ଦାଣ୍ତଘରେ କୁଣିଆମାନେ ଆସିଲେ ବସୁଥିଲେ। ଘରେ ଫୋନ୍‌ ନ ଥିଲା, ପରିବାର ଭିତରେ ଗୋଟିଏ ସାଇକେଲ ଥିଲା, କିନ୍ତୁ ଯିବା ଆସିବା ଲାଗିଥିଲା। ଘରେ ପଇସା କମ୍‌ ଥିଲା, କିନ୍ତୁ ମନରେ ଦୁଃଖ ନ ଥିଲା। ଘର ଛୋଟ ହେଲେ ବି ସମ୍ପର୍କ ଅନାବିଳ ଥିଲା। ଘର ଛୋଟ ଥିଲା ବେଳେ ବୟସ୍କଙ୍କ ଠାରୁ ପିଲାମାନଙ୍କ ପର୍ଯ୍ୟନ୍ତରେ ଘର ଉପରେ ଅଧିକାର ବହୁତ ଥିଲା। ଘର ଭିତରେ କୌଣସି ଦୋଷ କରି ଧରାପଡ଼ିଯିବାର ଭୟ ସମସ୍ତଙ୍କର ଥିଲା। ତେଣୁ ସମସ୍ତେ ହୁସିଆର ହୋଇ ଚଳୁଥିଲେ। ଏବେ ବଡ଼ ଘରେ କିଛି ପାଇଛୁ ସତ, କିନ୍ତୁ ବହୁତ କିଛି ହଜେଇ ଦେଇଛୁ। ଆମର ସରଳତା ହଜିଯାଇଛି। ପିଲାଦିନର ଅନେକ କଥା ମନେପକାଇ ଲେଖିଲା ବେଳକୁ ଜର୍ମାନୀରେ ମୋ ଆଖି ଜକେଇ ଆସୁଛି।

ଆଗ କାଳରେ ପୃଥିବୀର ବହୁତ ଦେଶମାନଙ୍କରେ ‘ଯୌଥ ପରିବାର’ ଥିଲା। କିନ୍ତୁ ଭାରତ ବର୍ଷରେ ଏପରି ଏକ ବ୍ୟବସ୍ଥାକୁ କେହି କଦାପି ମୁଣ୍ତ ଖର୍ଚ୍ଚ କରି ତିଆରି କରି ନ ଥିବେ। ଏହା ସ୍ବାଭାବିକ ଭାବରେ ଗଢ଼ା ହୋଇ ଯାଇଥିବ ନିଶ୍ଚିତ। ଏକ ଯୌଥ ପରିବାରବୋଧ ଏହାର ସଦସ୍ୟମାନଙ୍କୁ କେବଳ ସାହସ ଓ ସୁରକ୍ଷା ଯୋଗାଉ ନ ଥିଲା, ଏହା ସେମାନଙ୍କୁ ଅଧିକରୁ ଅଧିକ କୋମଳ କରୁଥିଲା; ଅନ୍ୟକୁ ବାଟ ଛାଡ଼ିଦେବାକୁ ଶିଖାଉଥିଲା। ଆଜି ମୋର ଏଇ ପରିଣତ ବୟସରେ ମୁଁ ପଛକୁ ଅନାଇ ସେହି ‘ପରିବାରବୋଧ’କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି।

କୁହାଯାଏ ଯେ ପ୍ରାଚୀନ କାଳରେ ସନ୍ନ୍ୟାସ ନେଉଥିବା ବ୍ୟକ୍ତି ଗୋଟିଏ ଗାତ ଭିତରେ ରହି ଜୀବନ କାଟୁଥିଲା। ସେଠାରେ ତପସ୍ୟା କରୁଥିଲା। ବାହ୍ୟ ଜଗତ୍‌ ସହିତ କୌଣସି ସମ୍ପର୍କ ରଖୁ ନ ଥିଲା। ହେଲେ ଆଜି ସ˚ସାରୀମାନେ ସେହିପରି ଗୋଟିଏ ଗୋଟିଏ ଗାତ ଭିତରେ ନିଜର ପରିବାର ସହିତ ପରମାନନ୍ଦରେ ପଶି ଯାଉଛନ୍ତି ଓ କାଳ କାଟୁଛନ୍ତି। ପରିବର୍ତ୍ତନର ଏଇ ଝଡ଼ରେ ପାରିବାରିକ ବ୍ୟବସ୍ଥା ଓଲଟପାଲଟ ହୋଇ ଯାଇଛି। ଟଙ୍କା ପଇସାରେ ଜୀବନକୁ ମାପୁଥିବା ଏକ ଉଦ୍ଭଟ ସ˚ସ୍କୃତିରେ ଉଦ୍ଭବ ‌ଏହାର କାରଣ।

ଗାନ୍ଧୀଜୀ କହୁଥିଲେ- ‘ମୁଁ ନିଜର ଆବଶ୍ୟକତାକୁ ଶୂନ୍ୟକୁ କମାଇ ଦେବି। କାର୍ଯ୍ୟରେ ସେ ତାହା ପ୍ରାୟ କରି ଦେଖାଇଥିଲେ। କିନ୍ତୁ ଏହାର ବିପରୀତଟି ଆଜି ସର୍ବତ୍ର ବିରାଜମାନ। ନିମ୍ନରେ ଗୋଟିଏ ଉଦାହରଣ ଦେଉଛି ମୋ ବ୍ୟକ୍ତିଗତ ଜୀବନରୁ।

ମୋର ଜଣେ ଆତ୍ମୀୟ ଥରେ ମୋତେ କହୁଥିଲେ- ‘ଏଇ ଘରଟା କରିବାକୁ ମୁଁ ଚାହୁଁ ନ ଥିଲି। ମୋ ସ୍ତ୍ରୀ ମୋ ପଛରେ ପଡ଼ିଗଲା। ପଇସା ନାହିଁ, ପଇସା ନାହିଁ କହିବାରୁ ଡାକ୍ତର ବନ୍ଧୁ କହିଲେ ଘର ଆରମ୍ଭ କରିଦିଅ ପଇସା ଆସିଯିବ। ସେତେବେଳେ ବୋଉ ଥିଲା, ସାନଭାଇ ବି ତା’ର ପିଲାମାନଙ୍କୁ ନେଇ କଟକରୁ ଭୁବନେଶ୍ବରକୁ ଥରେ ଆସୁଥିଲା। ବନ୍ଧୁବାନ୍ଧବ ବି ଆସୁଥିଲେ। ତା’ପରେ ପୁଅ ଝିଅ ବି ତ ଅଛନ୍ତି। ଏସବୁ ବିଚାରକୁ ନେଇ କରୁ କରୁ ଏତେ ବଡ଼ ଘରଟିଏ କରି ପକାଇଲି। ବର୍ତ୍ତମାନ ତାଟିଆ କାମୁଡୁଛି। ମୁଁ ପାଞ୍ଚବର୍ଷ ହେଲା ବିପତ୍ନୀକ। ସାନଭାଇ ବୃଦ୍ଧ, ସେ ଆଉ ଆସୁ ନାହିଁ। ବୋଉ ତ ୨୫ ବର୍ଷ ହେଲା ଗଲାଣି। ପିଲାମାନେ ନିଜ ବାଟରେ। ମୁଁ ଗୋଟିଏ ଟହଲିଆ ଟୋକା ସାଙ୍ଗରେ ସବୁବେଳେ ଏକୁଟିଆ ଦିନ କାଟୁଛି। ଘରସାରା ପ୍ରାୟତଃ ଶୂନ୍ୟ।’

ତାଙ୍କ ଲାଗି ମୋ ପାଖରେ କୌଣସି ଉତ୍ତର ନ ଥିଲା।

ବିଶେଷତଃ, କଟକ ଓ ଭୁବନେଶ୍ବରରେ ଏପରି ଭାବରେ ଭୂତକୋଠି ଭଳି ଘରେ ବସବାସ କରି ନିଃସଙ୍ଗ ଜୀବନ ବିତାଉଥିବା ଉଦାହରଣ ଅନେକ। ଏକଦା ବଡ଼ ଘରେ ବସବାସ କରି ନିଜର ଗଉଁକୁ ପ୍ରଦର୍ଶନ କରୁଥିବା ଏମାନେ ଏବେ ଦୟାର ପାତ୍ର। ଜର୍ମାନୀ ଦେଶରେ ଅବସର ପରେ ଅନେକ ଲୋକ ବଡ଼ଘରକୁ ବିକ୍ରି କରିଦେଇ ବା ନିଜ ପିଲାମାନଙ୍କୁ ସେ ଘରେ ଜୀବନ ବିତାଇବାର ସୁଯୋଗ ଦେଇ ଛୋଟ ଫ୍ଲାଟ୍‌ ବା ଜରାଶ୍ରମରେ ରହିବାକୁ ପସନ୍ଦ କରନ୍ତି। ଆମେରିକାରେ କେତେଜଣ ପ୍ରାକ୍ତନ ରାଷ୍ଟ୍ରପତି ପଦରୁ ଗଲା ପରେ ଛୋଟିଆ ଫ୍ଲାଟ୍‌ରେ ଜୀବନ ବିତାଉଥିବାର ଉଦାହରଣ ଗଣମାଧ୍ୟମରେ ନିକଟରେ ପ୍ରକାଶ ପାଇଛି।

୭୦ ବର୍ଷ ହେଲା ପରେ ବଡ଼ଘର ଓ ଛୋଟଘରର କିଛି ଫରକ୍‌ ନ ଥାଏ। ମଣିଷ ଅବଶ ହୁଏ। ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବଢ଼ିବାରେ ଲାଗେ। ଇନ୍ଦ୍ରିୟମାନେ ଶକ୍ତିହୀନ ହୁଅନ୍ତି। କେବଳ ବଞ୍ଚିବା ପାଇଁ ଛୋଟିଆ ଜାଗା ଖଣ୍ତେ ଦରକାର। ଜୀବନର ଅନ୍ତିମ କ୍ଷଣ, ଯେ କୌଣସି ସମୟରେ ଆସିପାରେ।

ପ୍ରବନ୍ଧର ଶେଷରେ ପ୍ରସଙ୍ଗ ହେଲା ‘ଶେଷ ଘର’। ମଣିଷର ଘରଟିକୁ ଏକ ‘ଦୋକାନ’ ବୋଲି ଆଖ୍ୟା ଦେଇ ହରେକୃଷ୍ଣ ମହତାବ କହିଥିଲେ, ‘‘ତୁ ଯେଉଁ ଦୋକାନଟିକୁ ଖୋଲିଛୁ ସେଇ ଦୋକାନଟିକୁ ତୋତେ ନିଜେ ବନ୍ଦ କରିବାକୁ ହେବ। ତୋ ପାଇଁ କେହି ବନ୍ଦ କରିବେ ନାହିଁ। ତାହା ହେଉଛି ତୋର ମୃତ୍ୟୁ’’। ଏଇ ପ୍ରସଙ୍ଗରେ ଜଣେ ‌ଓଡ଼ିଆ ଲେଖକଙ୍କର ‘ଶେଷଘର’ ଗପଟି ମନେ ପଡ଼ିଯାଏ। କେତେଗୁଡ଼ିଏ ସତ କଥାର ଚମତ୍କାର ଉଦାହରଣ ଦେଇ ଲେଖକ ପରିଣତ ବୟସରେ ଏହି ‘ଶେଷ ଘର’ଗୁଡ଼ିକର କଥା ବର୍ଣ୍ଣନା କରିଛନ୍ତି। ଅନେକ ସ˚ପ୍ରଦାୟରେ ଏଇ ଶେଷ ଘରମାନଙ୍କରେ ଅନେକ ଲୋକ ନିଜ ଲାଗି ସମାଧିର ସ୍ଥାନ ବାଛି ନିଅନ୍ତି।

ଗତବର୍ଷ ଓଡ଼ିଶାରେ ଥିଲାବେଳେ ବୁଢ଼ାବୁଢ଼ୀମାନଙ୍କର ଏପରି ଏକେଲା ପଣିଆ ଦେଖିବି ବୋଲି କେବେହେଲେ କଳ୍ପନା କରି ନ ଥିଲି। ଦୂରରେ ଥାଇ ଓଡ଼ିଶା କଥା ଚିନ୍ତା କଲେ, ଗହଳଚହଳରେ ଫାଟି ପଡୁଥିବା କେତେ କେତେ କଥା ମୋ ଆଖି ଆଗରେ ଆଜି ନାଚେ, ସେ ସବୁ କୁଆଡ଼େ ଗଲା?

ଗିଲ୍‌ବାଖ୍‌ ଷ୍ଟ୍ରାସେ ୯୫ ଏ, ୪୧୪୬୬ ନଏସ୍‌, ଜର୍ମାନୀ
[email protected]

ସମ୍ବନ୍ଧିତ ଖବର