ସମସ୍ତେ ଠିକ୍‌

କଥାଟିଏ - ଯାଯାବର

ଥରେ ରାଜା ମୁଲ୍ଲା ନସିରୁଦ୍ଦିନଙ୍କୁ ବିଚାରକ ଭାବେ ନିଯୁକ୍ତ କଲେ। ପର ଦିନ ରାଜା ନିଜେ ଅଦାଲତକୁ ଯାଇ ନସିରୁଦ୍ଦିନ କେମିତି ବିଚାର କରୁଛନ୍ତି ତାହା ଦେଖିବା ଲାଗି ବସିଲେ।

ବିଚାର ଆରମ୍ଭ ହେଲା। ପ୍ରଥମେ ଗୋଟିଏ ପକ୍ଷର ଓକିଲ ଅନ୍ୟ ପକ୍ଷ ବିରୋଧରେ ବହୁତ କିଛି ଯୁକ୍ତି ଦେଲେ। ସେ କହି ସାରିବା ମାତ୍ରକେ ମୁଲ୍ଲା ତାଙ୍କର ବିଚାର ଶୁଣାଇ ଦେଲେ। ରାଜା ଏହା ଦେଖି ହତଭମ୍ବ ହୋଇଗଲେ। ସେ ବଡ଼ ପାଟିରେ କହିଲେ- ମୁଲ୍ଲା, ଏ କ’ଣ? ତୁମେ ଆର ପକ୍ଷକୁ ନ ଶୁଣି କେମିତି ରାୟ ଦେଇ ଦେଲ।

ମୁଲ୍ଲା କହିଲେ- ଜାହାଁପନା, ମୋତେ ଆଉ ସେମିତି ଦୁର୍ବୁଦ୍ଧି ଦିଅନ୍ତୁ ନାହିଁ। ଆର ପକ୍ଷର ଓକିଲଙ୍କୁ କିଛି କହିବାର ସୁଯୋଗ ଦେଲେ ସେ ମଧୢ ଏମିତି ଯୁକ୍ତି ରଖିବେ ଯେ ମୋତେ ସେସବୁ ବି ସତ ଭଳି ଲାଗିବ। ତା’ ପରେ କିଏ ଦୋଷୀ ବିଚାର କଲା ବେଳକୁ ମୋର ମୁଣ୍ତ ଖରାପ ହୋଇଯିବ। ତେଣୁ ଭଲ ହେଉଛି, ଗୋଟିଏ ପକ୍ଷକୁ ଶୁଣି ଚଟାପଟ ରାୟ ଦେବା।

ରାଜା କହିଲେ- ଚଳିବ ନାହିଁ। ତୁମେ ଆର ପକ୍ଷକୁ ବି ଶୁଣ।

ବାଧୢ ହୋଇ ମୁଲ୍ଲା ଆର ପକ୍ଷକୁ ଶୁଣିଲେ। ଦୁଇ ପକ୍ଷକୁ ଶୁଣି ସାରିବା ପରେ ସେ ରାୟ ଦେଲେ ଦୁଇ ପକ୍ଷ ଯାକ ଠିକ୍‌। କାହାର ଭୁଲ୍‌ ନାହିଁ।

ରାଜା ଏହା ଶୁଣି ଆଉ ସମ୍ଭାଳି ନ ପାରି ଚିତ୍କାର କଲେ- କିହୋ, ମୁଲ୍ଲା, ଦୁଇ ଜଣ ଯାକ କେମିତି ଠିକ୍‌ ହେବେ? ୟେ କି ବିଚାର?

ବିଚାରକ ଚଉକି ଛାଡ଼ି ଓହ୍ଲାଇ ଆସିବା ପୂର୍ବରୁ ମୁଲ୍ଲା କହି ପକାଇଲେ- ଜାହାଁପନା, ଆପଣ ଯାହା କହୁଛନ୍ତି, ତାହା ବି ଠିକ୍‌। ମୋତେ ଲାଗୁଛି ଯିଏ ଯାହା କହୁଛି, ସେ ଠିକ୍‌ କଥା କହୁଛି।

ସମ୍ବନ୍ଧିତ ଖବର