କ˚ଗ୍ରେସ ଭବନ, କ˚ଗ୍ରେସ ଓ ନେହରୁ

କହିବାର ଅଛି - ଦାଶ ବେନହୁର

ପଣ୍ତିତ ଜବାହରଲାଲ ନେହରୁଙ୍କର ଜନ୍ମତାରିଖ ନଭେମ୍ବର ୧୪। ମାତ୍ର ଏ ବର୍ଷ ଦୀପାବଳି ପଡ଼ିଲା ସେଇ ୧୪ରେ। ଅତଏବ ସର୍ବଭାରତୀୟ କ˚ଗ୍ରେସ କମିଟି ସୁପାରିସ କଲେ ଯେ ରାଜ୍ୟମାନେ ନେହରୁ ଜୟନ୍ତୀ ୧୩ ତାରିଖରେ ପାଳନ କରନ୍ତୁ। ସେଇ ଅନୁସାରେ ଓଡ଼ିଶାର କ˚ଗ୍ରେସ ଭବନରେ ଉତ୍ସବଟି ପାଳିତ ହେଲା। କରୋନା ମହାମାରୀର ଅଦଉତି ଯୋଗୁଁ ଯେଉଁ ଶାରୀରିକ ଦୂରତାର ଆବଶ୍ୟକତା ଅବଶ୍ୟମ୍ଭାବୀ ହୋଇପଡ଼ିଛି ତଦନୁଯାୟୀ ସଭାଘରଟିରେ ଯଥେଷ୍ଟ ବ୍ୟକ୍ତି ରହି ନ ପାରିବା ସ୍ବାଭାବିକ କଥା। ହେଲେ କ˚ଗ୍ରେସ ନାଆଁରେ ଖବରକାଗଜ, ଟିଭି, ଟ୍ବିଟର‌୍‌ ଆଦିରେ ବର୍ଷସାରା ଯେଉଁମାନେ ମୁହଁ ହଲାନ୍ତି ସେମାନଙ୍କ ଭିତରୁ ଅଧିକା˚ଶ ନ ଥିଲେ ସେଠି। ଛାତ୍ର କ˚ଗ୍ରେସ, ଯୁବ କ˚ଗ୍ରେସ ପୂରାପୂରି ଉଭାନ୍‌।

ଏହା କେଉଁ କଥାର ସୂଚନା ଦେଉଛି? କ˚ଗ୍ରେସ ପ୍ରତି ସେମାନଙ୍କର ଅନାସ୍ଥାଭାବ ନା ନେହରୁଙ୍କ ପ୍ରତି ଶିଥିଳତା? ନା ନେହରୁଙ୍କ ସମ୍ପର୍କରେ ଏମାନେ ଏତେ ଆଗ୍ରହୀ ନୁହନ୍ତି? କ˚ଗ୍ରେସର କାର୍ଯ୍ୟକ୍ରମ, ଆଦର୍ଶ, ଅତୀତ ସମ୍ପର୍କରେ ଆଜିର କ˚ଗ୍ରେସ ସଭ୍ୟମାନେ ଯଥେଷ୍ଟ ଜାଣନ୍ତି ତ? କ˚ଗ୍ରେସ ରାଜନୈତିକ ଦଳର ମୂଳ ଭିତ୍ତି ଓ ସେଥିପ୍ରତି ଜବାହରଲାଲଙ୍କର ଯେଉଁ ଅତୁଳ ଅବଦାନ ତାହା ଦଳୀୟ କର୍ମୀମାନେ ପ୍ରାୟ ଆଉ ଆଲୋଚନା କରନ୍ତି ନାହିଁ। ଇଦାନି˚ ପ୍ରତିନିୟତ ଯେ ନେହରୁ-ବିଦ୍ବେଷୀ କଥାମାନ ଗଣମାଧୢମରେ ବହୁଳ ପ୍ରଚାରିତ ହେଉଛି ସେ କଥାକୁ ମଧୢ ଦଳୀୟ ସଭ୍ୟମାନେ ବିରୋଧ କରିବାର କେଉଁଠି ଦେଖାଯାଉ ନାହିଁ।

ଯଥେଷ୍ଟ ଜାଣିଥିଲେ ତ!

ନେହରୁ ଜୟନ୍ତୀ ସଭା ଏବେ ଅଲଣା। ଅଥଚ ନିର୍ବାଚନ ବେଳ ଆସିଲେ କି ଓଡ଼ିଶାର ପ୍ରଭାରୀ କି ଆଉ କେଉଁ ଉପର ସ୍ତରୀୟ ଦିଲ୍ଲୀ-ନିଯୁକ୍ତ କ˚ଗ୍ରେସୀ ନେତା ଆସିଗଲେ ସେଥିପାଇଁ ଡକାଯାଇଥିବା ସଭାଗୁଡ଼ିକ ପାଟିକୁ ମିଠା ଲାଗୁଛି। ସତ କହିବାକୁ ଗଲେ ଅନ୍ୟ ରାଜନୈତିକ ଦଳ ତରଫରୁ କ˚ଗ୍ରେସକୁ ଆକ୍ରମଣ ବା ଦଳର ଉତ୍ତୁଙ୍ଗ ଅତୀତ ନେତା ଜବାହରଙ୍କ କୁତ୍ସା କ˚ଗ୍ରେସକୁ ଆଜି ଶ୍ରୀହୀନ କରିନାହିଁ, କରିଛି ଏହାର କର୍ମୀମାନଙ୍କ ଭିତରେ ନିଜର ଅତୀତ ଓ ଆଇକନ୍‌କୁ ଜାଣିବାର ଓ ସେ ପ୍ରତି ସଚେତନ ହେବାର ଅପାରଗତା। ଗୋଟାଏ ରାଜନୈତିକ ଦଳର ମୂଳ ବା ପ୍ରେରଣାର ଉତ୍ସ ହେଉଛି ତା’ର ବିଚାର-ଆଦର୍ଶ ଓ ତା’ସହିତ ଜଡ଼ିତ ହୋଇଥିବା କୀର୍ତ୍ତି-ପ୍ରତୀକ ବା ଆଇକନ୍‌ ସମ୍ପର୍କରେ ପ୍ରତିବଦ୍ଧ ଅବଧାରଣା। ଆଜିର କ˚ଗ୍ରେସ ନା ଜାଣିଛି ତା’ର ଅତୀତକୁ ନା ତା’ର ଆଇକନ୍‌କୁ ଘଷିମାଜି ଯତ୍ନ କରି ଉଜ୍ଜ୍ବଳ ରଖିପାରିଛି। କ˚ଗ୍ରେସୀ, କ˚ଗ୍ରେସ ପାଠ ପଢ଼ିନାହିଁ କହିଲେ ଚଳେ।

ଗୋଟାଏ ସମର୍ଥ ଲୋକ ଅସମର୍ଥ ହୋଇଗଲେ ତା’ର ଚେହେରା, ପରିବେଶ ଓ ଚରିତ୍ର ଯେମିତି ମଳିନ ପଡ଼ିଯାଏ ଆଜି ସେମିତି କ˚ଗ୍ରେସ ଅସମର୍ଥ ଓ ମଳିନ। କିଏ ତା’ ଦେହରୁ ବର୍ଷ ବର୍ଷ ଧରି ବସିଯାଇଥିବା ମଳି ଛଡ଼ାଇବ ବା ଅନ୍ୟମାନେ ଫୋପାଡ଼ିଥିବା ପଙ୍କ କାଦୁଅକୁ ସଫା କରିବ? ବିରୋଧୀମାନେ ତ ଫୋପାଡ଼ିବେ, ନ ହେଲେ ସେମାନେ ନିଆରା ଦିଶିବେ କେମିତି? ଏ ଆଡ଼କୁ ଦୀର୍ଘକାଳ ମୁହଁ ବୁଲାଇଥିବା ଜନତାଙ୍କୁ ତାଙ୍କ ଆଡ଼କୁ ବୁଲାଇବେ କେମିତି? ଆଉ କାହାକୁ ଦୋଷ ଦେବା ପୂର୍ବରୁ ଭାରତ ବର୍ଷର ସର୍ବପୁରାତନ ଓ ଦୀର୍ଘକାଳର ସର୍ବ ବୃହତ୍‌ ଦଳ ଆଜି ପ୍ରଥମେ ନିଜର ଇତିହାସକୁ ପଢ଼ିବାର ଅଛି ଓ ନେହରୁଙ୍କୁ ପୁଣିଥରେ ଆବିଷ୍କାର କରିବାର ଅଛି। ବାମ ପନ୍ଥୀମାନଙ୍କୁ ପଚାରନ୍ତୁ, ତାଙ୍କର ସବୁଠାରୁ କୁନି ସଦସ୍ୟଟିଏ ବି ଆପଣଙ୍କୁ ମାର୍କସ୍‌ଙ୍କ ନାଁ କହିବ, କମ୍ୟୁନିଷ୍ଟ ମାନିଫେଷ୍ଟୋ କଥା କହିବ। ଦକ୍ଷିଣ ପନ୍ଥୀଙ୍କୁ ପଚାରନ୍ତୁ, ସେ ମଧୢ ଭାରତ ମାତା କି ଜୟ କହି ଆପଣଙ୍କ ଆଡ଼କୁ ମାଡ଼ି ଆସିବ। ବୁଝୁ ନ ବୁଝୁ ରାଷ୍ଟ୍ର ରାଷ୍ଟ୍ର, ଧର୍ମ ଧର୍ମ କହି ପାଟି କରିବ। ସେମିତି ଆଜି ସଚଳ ଥିବା ପ୍ରତିଟି ରାଜନୈତିକ ଦଳ। ମାତ୍ର କ˚ଗ୍ରେସ କର୍ମୀଙ୍କୁ ପଚାରନ୍ତୁ, କିଏ ତୁମର ପ୍ରତିଷ୍ଠାତା? କ’ଣ ତୁମର ଆଦର୍ଶ? ତୁମେ କେମିତି ଅନ୍ୟ ଦଳଙ୍କ ଠାରୁ ଅଲଗା? ତୁମ ଦଳ ସରକାରକୁ ଆସିଲେ କ’ଣ କରିବ? ଦେଖିବେ ଉତ୍ତର ମିଳିବ ନାହିଁ। ଅଥଚ ସମସ୍ତଙ୍କର ଇଚ୍ଛା ଏମ୍‌.ଏଲ୍‌.ଏ ହେବେ, ମନ୍ତ୍ରୀ ହେବେ, ଏମ୍‌.ପି ହେବେ। ରାଜନୀତିକୁ ନିର୍ବାଚନ-ସର୍ବସ୍ବ ମନେ କରିବା ହିଁ ଦଳଗତ ଅଜ୍ଞତାର ପ୍ରଥମ କାରଣ।

ଏଇଠି ମନେ ରଖିବା ଆବଶ୍ୟକ ଯେ କୌଣସି ରାଜନୈତିକ ଦଳ କେବଳ ଏହାର ସଭ୍ୟସଭ୍ୟା ବା କର୍ମୀମାନଙ୍କର ନୁହନ୍ତି। ଏଗୁଡ଼ିକ ସାରା ଦେଶର ବୈଭବ। ଦଳ ନାହିଁ ତ ରାଜନୀତି ନାହିଁ, ରାଜନୀତି ନାହିଁ ତ ଗଣତନ୍ତ୍ର ନାହିଁ। ରାଜନୀତି, ନିର୍ବାଚନ ଜିଣି କ୍ଷମତା ହାସଲ କରିବା ନୁହେଁ। ତାହା ହେଲେ ତ କେବଳ ନିର୍ବାଚିତ ପ୍ରତିନିଧିମାନେ ହିଁ ରାଜନୀତି କରୁଛନ୍ତି ବୋଲି ବୁଝିବାକୁ ହେବ! ଗଣତନ୍ତ୍ର, ପ୍ରତିନିଧି-ଶାସନ ହୋଇପାରେ ମାତ୍ର ପ୍ରତିନିଧିମାନେ ଯେ ଲୋକ-ଶାସିତ ସେ କଥା ଭୁଲିଗଲେ ଚଳିବ ନାହିଁ। ରାଷ୍ଟ୍ରର ପ୍ରତିଟି ସମସ୍ୟା ସହିତ ସମ୍ପୃକ୍ତ ହେବା ଓ ନିଜ ମାଟିର ଭଲମନ୍ଦ ଜାଣିବା ତଥା ସେ ସମ୍ପର୍କରେ ଭାବିବା ହିଁ ଅସଲ ରାଜନୀତି। ସେ ଦିଗରୁ ବିଚାର କଲେ ଗଣତନ୍ତ୍ରରେ ପ୍ରତ୍ୟେକ ସାବାଳକ ରାଜନୀତି-ସମ୍ପୃକ୍ତ ହେବା ଆବଶ୍ୟକ। ପ୍ରତ୍ୟେକ ସାବାଳକ ଗଣତନ୍ତ୍ରରେ ମତ ରଖେ। ଯେ ନ ରଖେ ସେ ଗଣତନ୍ତ୍ରରେ ରହିବାକୁ ଅଯୋଗ୍ୟ। ତେଣେ ମତ ରଖିବାର ଅର୍ଥ ଦଳଗୁଡ଼ିକୁ ଜାଣିବା। ଦଳଗୁଡ଼ିକୁ ଜାଣିବା ମାନେ ସେମାନଙ୍କର ଆଦର୍ଶ ଓ ଲକ୍ଷ୍ୟ ସମ୍ପର୍କରେ ଅବଗତ ହେବା। ତେବେ ଯାଇ ମତ ଦାନର ପ୍ରକ୍ରିୟା ଠିକ୍‌ ପ୍ରତିନିଧିକୁ ବାଛିବାରେ ସମର୍ଥ ହେବ। ଉଚିତ ପ୍ରତିନିଧି-ସମୂହ ହିଁ ଗୋଟାଏ ସଫଳ ଗଣତନ୍ତ୍ରର ହୃତ୍‌ପିଣ୍ତ ସଦୃଶ। ହୃତ୍‌ପିଣ୍ତ, ଫେଲ୍‌ ମାରିଲେ ଗଣତନ୍ତ୍ର ଅକାମି।

ସେଥିପାଇଁ ରାଜନୈତିକ ଦଳଗୁଡ଼ିକୁ ସୁସ୍ଥ ଓ ସମର୍ଥ କରି ରଖିବା ଜନସାଧାରଣଙ୍କର ପରମ କର୍ତ୍ତବ୍ୟ। ନ ଚେତ୍‌ ଏକଦଳୀୟ ଓ ଏକଛତ୍ର ଶାସନ ବ୍ୟାପିଯିବ। ଫାସିବାଦ ମୁଣ୍ତ ଟେକିବ। ବହୁ ମତର ବର୍ଣ୍ଣବିଭା ଦୂରେଇ ଯାଇ ବ୍ୟକ୍ତି ସ୍ବାଧୀନତା ହ୍ରାସ କରିବ। ବ୍ୟକ୍ତି ସ୍ବାଧୀନତା ହ୍ରାସର ଅର୍ଥ ଶାସକୀୟ ଅତ୍ୟାଚାର। ଶାସକ ଦଳ- ମଟର ଗାଡ଼ିର ଇ˚ଜିନ୍‌ ହେଲେ, ବିରୋଧୀ ଦଳ ଏଥିରେ ବ୍ରେକ୍‌ର ଭୂମିକା ନିର୍ବାହ କରେ। ବ୍ରେକ୍‌ ନ ଥିବା ଗାଡ଼ି ସହଜରେ ଦୁର୍ଘଟଣା ଘଟାଇଲା ଭଳି ବିରୋଧୀ ଦଳ ନ ଥିବା ଗଣତନ୍ତ୍ର ସ୍ବେଚ୍ଛାଚାରୀ ହେବା ସ୍ବାଭାବିକ। ଅତଏବ କ˚ଗ୍ରେସ ଭଳି ଗୋଟାଏ ବିଶାଳ ଜାତୀୟ ଦଳ ଆଜି ମଳିନ ହୋଇଯିବା ଦେଶ ପାଇଁ ହିଁ କ୍ଷତିକାରକ। ଭାରତୀୟ ଗଣତନ୍ତ୍ର ପାଇଁ ସତର୍କ ଘଣ୍ଟି।

ରାଜନୈତିକ ଦଳ କେମିତି ସମର୍ଥ ରହେ? ନିର୍ବାଚନରେ ହାରିବା ଜିତିବା ତ ସାଧାରଣ ପ୍ରକ୍ରିୟା। ଚାଳିଶ ବର୍ଷ ତଳେ ସ୍ବରୂପ ହରାଇ ନୂଆ ନାଁଟିଏ ଆପଣାଇଥିବା ବର୍ତ୍ତମାନିକ ଶାସକ ଦଳର ମାତ୍ର ଦୁଇଜଣ ନିର୍ବାଚିତ ସା˚ସଦ ଥିଲେ ଭାରତର ସର୍ବୋଚ୍ଚ ସ˚ସଦରେ। ହେଲେ ଆଜି? କ˚ଗ୍ରେସ ଯେ ସ˚ସଦରେ ସ˚ଖ୍ୟା ହରାଉଛି ତାହା ଯେତେ ବିପଜ୍ଜନକ ନୁହେଁ ତା’ଠାରୁ ଅଧିକ ବିପଜ୍ଜନକ ହେଉଛି ନିଜ ଉପରୁ ଆସ୍ଥା ହରାଇବା।

କେତେବେଳେ ଜଣେ ନିଜ ଉପରୁ ଆସ୍ଥା ହରାଏ? ଯେତେବେଳେ ସେ ନିଜକୁ ଜାଣିବାରେ ଅସମର୍ଥ ରହେ। ଯେତେବେଳେ ଅତୀତର ଅନୁପ୍ରେରଣା ତା’କୁ ଆଉ ପ୍ରଚୋଦିତ କରେ ନାହିଁ। ଦଳଗତ ଆଦର୍ଶର ମେରୁଦଣ୍ତରେ ଘୁଣ ଲାଗିଯାଏ। କର୍ମୀମାନେ ନିର୍ବଳ ଓ ଅଜ୍ଞ ହୋଇଯାଆନ୍ତି।

୧୮୮୫ରେ ଗଢ଼ା ହୋଇଥିବା କ˚ଗ୍ରେସ ଭାରତର ସର୍ବ ପୁରାତନ ରାଜନୈତିକ ଦଳ। ମାତ୍ର ସେତେବେଳର କ˚ଗ୍ରେସକୁ ଆଜିର ମାପକାଠିରେ ରାଜନୈତିକ ଦଳ କହିବା ମଧୢ ଭ୍ରମାତ୍ମକ ହେବ। ସେମିତି ଦେଖିଲେ ଏ ଦଳର ତିନି ତିନି ଥର କାୟା ପରିବର୍ତ୍ତନ ଘଟିଛି। ୧୮୮୫ରେ ଏହା ସ୍ବରୂପ ପାଇଥିଲା ଏକ ସର୍ବଭାରତୀୟ ଦେଶ-ସଚେତନ ଅଭିଯୋଗ- ଆବେଦନକାରୀ ଦଳ ଭାବରେ। ୧୯୦୭ ବେଳକୁ ଆବେଦନ ଓ ଆକ୍ରମଣ ଦୁଇ ଧାରାରେ ବିଭାଜିତ ଏ ଦଳ ସ୍ବାଧୀନତା ଓ ସ୍ବରାଜକାମୀ ହୋଇ ଆନ୍ଦୋଳନ ପନ୍ଥା ଭିତରକୁ ଆସି ଯାଇଥିଲା। ଅତଏବ କ˚ଗ୍ରେସ ପାଲଟିଥିଲା ଅଧାଅଧି ସ୍ବାଧୀନତା ସ˚ଗ୍ରାମୀ ଦଳ। ମାତ୍ର ଏହା କ’ଣ ତତ୍‌କାଳୀନ ଭାରତର କୋଣ ଅନୁକୋଣକୁ ଛୁଇଁ ପାରିଥିଲା? ତାହା ସମ୍ଭବ ହେଲା ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କର କ˚ଗ୍ରେସ-ପ୍ରବେଶ ପରେ। ୧୯୧୭ର ଚମ୍ପାରଣ ସତ୍ୟାଗ୍ରହ, ୧୯୧୮-୧୯ର ରାଓଲାଟ୍‌ କଳା ଆଇନ ପରେ ୧୯୧୯ରେ ଜାଲିଆନାଵାଲା ବାଗ୍‌ରେ ବ୍ରିଟିସ୍‌ ଶାସନ ଯେଉଁ ଗଣ ସ˚ହାର କଲା ତାହା ଗଢ଼ି ଦେଲା ଗୋଟାଏ ନୂଆ ଗାନ୍ଧୀଙ୍କୁ। ୧୯୨୦ରୁ ଆରମ୍ଭ ହୋଇଗଲା ଅସହଯୋଗ ଆନ୍ଦୋଳନ। ଅସହଯୋଗ ଛୁଇଁଲା ସାରା ଭାରତକୁ। ଗାନ୍ଧୀଙ୍କର ଭାରତ-ପ୍ରବେଶ ସଙ୍ଗେ ସଙ୍ଗେ ସେତେବେଳେ କ˚ଗ୍ରେସର ବି ନିଖିଳ ଭାରତ କ˚ଗ୍ରେସ ପରିଚୟ ସୃଷ୍ଟି ହୋଇଗଲା। କ˚ଗ୍ରେସ ପାଲଟିଗଲା ଗାନ୍ଧୀ ଦଳ। ଗାନ୍ଧୀ ହିଁ କ˚ଗ୍ରେସକୁ ଅସଲ ସ୍ବାଧୀନତା ସ˚ଗ୍ରାମୀ ଦଳରେ ପରିଣତ କରିଦେଲେ।

ଏ ପ୍ରକ୍ରିୟା ଚାଲିଲା ୧୯୪୭ ଯାଏ। ମଝିରେ ଏକାଧାରରେ ରାଜନେତା ଓ ଅଧୢାତ୍ମବାଦୀ ଗାନ୍ଧୀ ତାଙ୍କର ଦୁଇ ଉତ୍ତରାଧିକାରୀଙ୍କୁ ବାଛି ସାରିଥିଲେ। ଗାନ୍ଧୀଙ୍କୁ ରାଜନେତା କହିଲେ ଗାନ୍ଧୀବାଦୀମାନେ ମନ ଊଣା କରିପାରନ୍ତି ମାତ୍ର ଆଜି ସାରା ବିଶ୍ବରେ ସେ ସର୍ବଶ୍ରେଷ୍ଠ ଅହି˚ସା-ସପକ୍ଷବାଦୀ ରାଜନେତା ଭାବରେ ପ୍ରତିଷ୍ଠିତ। ରାଜନୀତି ତ ରାଷ୍ଟ୍ରନୀତି! ସ୍ବାଧୀନ-ଭାରତ-ରାଷ୍ଟ୍ରଗଠନରେ ସ˚ପୃକ୍ତି ଗାନ୍ଧୀଙ୍କ ଠାରୁ ଆଉ କାହାର ଅବା ଅଧିକ ଥିଲା? ନେହରୁଙ୍କୁ ରାଜନୈତିକ ଉତ୍ତରାଧିକାରୀ ଓ ବିନୋବାଙ୍କୁ ନିଜର ଆଧୢାତ୍ମିକ ଉତ୍ତରାଧିକାରୀ ଭାବରେ ମୃତ୍ୟୁର ଅନେକ ଆଗରୁ ସେ ଘୋଷଣା କରି ସାରିଥିଲେ।

ଗାନ୍ଧୀଜୀ ଗଲେ ୧୯୪୮ରେ, ମାତ୍ର ସ୍ବାଧୀନତା ଲାଭ ପରେ ତାଙ୍କର ଭୂମିକା ଆପେ ଗୌଣ ହୋଇ ଆସିଥିଲା। ଅତଏବ ୧୮୮୫ରୁ ୧୯୨୦ ଯାଏ ସର୍ବଭାରତୀୟ ନେତା ନ ଥିବା କ˚ଗ୍ରେସ ଗଡ଼ି ଗଡ଼ି ଆସି ଗାନ୍ଧୀଙ୍କ ପାଖରେ ଲାଗିଥିଲା। ଗାନ୍ଧୀ ତାହାକୁ ଏକକ ନେତୃତ୍ବ ଦେଇ ଚଳାଇ ଆଣିଲେ ୧୯୪୭ ଯାଏ। ସେଇଠି ସରିଗଲା ପୁରୁଣା ସ୍ବାଧୀନତା-ସ˚ଗ୍ରାମୀ କ˚ଗ୍ରେସର କାର୍ଯ୍ୟକାଳ। ଗାନ୍ଧୀ ଗଲେ, ନେହରୁ ପାଲଟିଲେ ସ୍ବାଧୀନ ଭାରତର ଶାସନ ଦାୟିତ୍ବରେ ଥିବା କ˚ଗ୍ରେସ ରାଜନୈତିକ ଦଳର ସର୍ବୋଚ୍ଚ କୀର୍ତ୍ତି-ପ୍ରତୀକ। ଅତଏବ ଜବାହରଲାଲ ନେହରୁ ଯେ ପୁରୁଣା ସ୍ବାଧୀନତା-ସ˚ଗ୍ରାମୀ-କ˚ଗ୍ରେସ ଓ ରାଜନୈତିକ ଦଳ ପାଲଟି ଥିବା ନୂଆ କ˚ଗ୍ରେସ ଭିତରେ ସୁବର୍ଣ୍ଣ ସେତୁ ଭଳି କାର୍ଯ୍ୟ କରିଥିଲେ ସେ କଥା ଭୁଲିଗଲେ ଚଳିବ ନାହିଁ। ଗାନ୍ଧୀଙ୍କ ପରେ ସ୍ବାଧୀନ ଭାରତରେ କ˚ଗ୍ରେସ ଦଳ ଆଉ ଗାନ୍ଧୀ ଦଳ ହୋଇ ନ ଥିଲା। ଏହା ଯଥାର୍ଥରେ ପାଲଟିଥିଲା ନେହରୁ ଦଳ।

୧୯୪୭ରୁ ୧୯୬୪ ଦୀର୍ଘ ୧୭ ବର୍ଷର ନିରବଚ୍ଛିନ୍ନ କ˚ଗ୍ରେସ ଶାସନ। କ˚ଗ୍ରେସର ସର୍ବୋଚ୍ଚ ସର୍ବମାନ୍ୟ ନେତା ପଣ୍ତିତ ଜବାହରଲାଲ ନେହରୁ। ଆଉ ଆଉମାନେ ଯେ ଟାଣୁଆ କ˚ଗ୍ରେସ ନେତା ସ˚ଗଠନ ଭିତରେ ନ ଥିଲେ ସେ କଥା ନୁହେଁ, ମାତ୍ର କ˚ଗ୍ରେସ ଚାଲୁଥିଲା ନେହରୁଙ୍କୁ ନେଇ। ଭଲ ବା ମନ୍ଦ ସବୁ ଥିଲା ନେହରୁ ପ୍ରଯୋଜିତ।

ଏଠାରେ ପ୍ରଶ୍ନ ହୋଇପାରେ ଯେ ସାରା ଭାରତରେ କେତେ କେତେ ପ୍ରବୀଣ ନେତା ଥାଉ ଥାଉ ଗାନ୍ଧୀଜୀ କେଉଁ ବିଚାରରେ ନେହରୁଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ଶାସନ ଭାର ସମ୍ଭାଳିବା ପାଇଁ ବାଛିଲେ? ସର୍ଦ୍ଦାର ପଟେଲ ତ କ˚ଗ୍ରେସ ସ˚ଗଠନ ଭିତରେ ଥିଲେ ସବୁଠାରୁ ଅଧିକ ଗ୍ରହଣୀୟ ବ୍ୟକ୍ତିତ୍ବ। ଆଚାର୍ଯ୍ୟ କୃପାଳିନୀ, ରାଜେନ୍ଦ୍ର ପ୍ରସାଦ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ମୌଲାନା ଆବୁଲ୍‌ କଲାମ୍‌ ଆଜାଦ୍‌ଙ୍କ ଭଳି ସର୍ବଭାରତୀୟ ପ୍ରସିଦ୍ଧି ଅର୍ଜନ କରିଥିବା ନେତାମାନେ ବି ଥିଲେ। ହେଲେ ନେହରୁ କାହିଁକି? ଜିଭହଲା ବିରୋଧୀମାନେ ପଟେଲଙ୍କ କଥା ଉଠାଇ ନେହରୁଙ୍କୁ ଓ ଗାନ୍ଧୀଙ୍କୁ ଗାଳି କରନ୍ତି। ମାତ୍ର ଭୁଲିଯାଆନ୍ତି ଯେ ଗାନ୍ଧୀ କେତେ ବିନିଦ୍ର ରଜନୀ କଟାଇଛନ୍ତି ଆଗାମୀ ଭାରତର ଭବିଷ୍ୟତ କଥା ଭାବି। ନେହରୁ କେମିତି ପାଖାପାଖି ନଅବର୍ଷ କଟାଇଛନ୍ତି ଜେଲଖାନା ଭିତରେ।

ପଟେଲ ଥିଲେ କଠୋରବାଦୀ, ଲୁହା ହାତୁଡ଼ି। ନେହରୁ ଥିଲେ ଉଦାରବାଦୀ କାଠ ହାତୁଡ଼ି। ସମ୍ବଳହୀନ ଲୁତୁପୁତୁ କଞ୍ଚା ମାଟି ହାଣ୍ତିର ଭାରତ ପାଇଁ ନରମ କାଠ ହାତୁଡ଼ି ଯେ ଅତ୍ୟନ୍ତ ଜରୁରି ସେ କଥା ଜଣାଥିଲା ଗାନ୍ଧୀଙ୍କୁ। ଦ୍ବିତୀୟରେ କ˚ଗ୍ରେସ ସ˚ଗଠନ ଭିତରେ ନେହରୁ ଥିଲେ ଏକମାତ୍ର ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଯାହାର ବିଶ୍ବ ପରିଚୟ ଥିଲା। ବିଶ୍ବ ସମୁଦାୟର ନେତୃବର୍ଗଙ୍କ ଭିତରେ ବିଶେଷ କରି ନୂଆ ନୂଆ ସ୍ବାଧୀନତା ପାଇଥିବା ଓ ପାଇବାକୁ ଥିବା ଦେଶର ନେତାମାନଙ୍କ ସହ ସେ ଅଧିକ ପରିଚିତ ଥିଲେ। ଆଧୁନିକ ପରିଯୋଜନା ଓ କଳକୌଶଳ ସମ୍ପର୍କରେ ନେହରୁ ଥିଲେ ଅଭିଜ୍ଞ। ଧର୍ମ, ଜାତି ଓ ବର୍ଣ୍ଣକୁ ନେଇ ସେ ଥିଲେ ତା’ର ଊର୍ଦ୍ଧ୍ବରେ। ତାଙ୍କର ‘‘ଭାରତ ଆବିଷ୍କାର’’ (ଡିସ୍‌କଭରି ଅଫ୍‌ ଇଣ୍ତିଆ) ଓ ‘‘ବିଶ୍ବ ଇତିହାସର ବିହଙ୍ଗାବଲୋକନ (ଗ୍ଲିମ୍ପ୍‌ସେସ୍‌ ଅଫ୍‌ ଵାର୍ଲଡ୍‌ ହିଷ୍ଟ୍ରି) ବହି- ଦୁଇଟି ପଢ଼ିଲେ ଯେ କେହି ତାହା ସହଜରେ ଅନୁମାନ କରିପାରିବ। କ˚ଗ୍ରେସ ସ˚ଗଠନ ଭିତରେ ସେ ଥିଲେ ପୁରୁଣା ଭାରତର ତତ୍ତ୍ବ ଓ ନୂଆ ଭାରତର ଭବିଷ୍ୟତ୍‌କୁ ଯୋଡ଼ିଲା ଭଳି ଦକ୍ଷତା ରଖିଥିବା ଏକମାତ୍ର ବ୍ୟକ୍ତି। ସବୁଠାରୁ ବଡ଼ କଥା ହେଲା ନେହରୁଙ୍କ ସପକ୍ଷରେ ଥିଲା ବୟସ। ପଟେଲ ଥିଲେ ନେହରୁଙ୍କ ଠାରୁ ୧୪ ବର୍ଷ ବଡ଼। ସ୍ବାଧୀନତା ବେଳକୁ ସର୍ଦ୍ଦାର ପଟେଲଙ୍କୁ ୭୨ ବର୍ଷ ତ ନେହରୁଙ୍କୁ ୫୮। ଜବାହର ଥିଲେ ଉଦାରପନ୍ଥୀ, ଆଧୁନିକ, ବିଶ୍ବପରିଚିତ, ଧର୍ମ ତଥା ଗୋଷ୍ଠୀ ନିରପେକ୍ଷ, ଦୂରଦ୍ରଷ୍ଟା, ବିଦ୍ବାନ, ଅଭିଳାଷୀ ପୁଣି ମଧୢବୟସ୍କ। ଆଉ କିଏ ତାଙ୍କ ଭଳି ସମକକ୍ଷ ଥିଲା ତତ୍‌କାଳୀନ ଭାରତ ବର୍ଷର କ˚ଗ୍ରେସ ସ˚ଗଠନରେ? ପଟେଲଙ୍କର ଦେହାନ୍ତ ହୋଇଥିଲା ୧୯୫୦ରେ, ସ୍ବାଧୀନତା ଲାଭର ମାତ୍ର ୩ ବର୍ଷ ୪ ମାସ ପରେ। ସ୍ବାଧୀନତା ଆଣିଥିଲେ ଗାନ୍ଧୀଜୀ, ଭାରତକୁ ଯୋଡ଼ିଥିଲେ ପଟେଲ ମାତ୍ର ନେହରୁ ଗଢ଼ିଥିଲେ ଭାରତକୁ।

ନୂଆ କ˚ଗ୍ରେସ, ପୁରୁଣା କ˚ଗ୍ରେସ ଓ ପୁରୁଣା ଭାରତ, ନୂଆ ଭାରତକୁ ଏକାଠି କରି ଗଢ଼ିବାରେ ନେହରୁ ଥିଲେ ସେ ସମୟର ସର୍ବଶ୍ରେଷ୍ଠ କାରିଗର।

ବିରୋଧୀମାନେ ସମ୍ପ୍ରତି କ˚ଗ୍ରେସ ଶିବିରରୁ ଗାନ୍ଧୀଙ୍କୁ ହରଣଚାଳ କରି ନେଲେଣି। ପଟେଲ ଏବେ ସେମାନଙ୍କ ଘରବାଡ଼ି ପ୍ଲଟ୍‌ରେ। କେଉଁଦିନ ସେ ଥିଲେ ଅଣକଂଗ୍ରେସୀମାନଙ୍କର? ଗାନ୍ଧୀ ଜାଣିଥିଲେ ପଟେଲ ହିଁ କ˚ଗ୍ରେସର ସର୍ବଶ୍ରେଷ୍ଠ ସ˚ଗଠକ। ସେଇଥିପାଇଁ ତ ଆତତାୟୀର ଗୁଳି ଚୋଟରେ ମରିବା ଦିନ ବି ସେ ତାଙ୍କୁ ଡାକି କ˚ଗ୍ରେସ ଦଳର ପରିଚୟକୁ ବଦଳାଇ ସେବାଦଳରେ ପରିଣତ କରିବାର ମସୁଧା କରୁଥିଲେ! ମରିବା ଯାଏ ପଟେଲ କ˚ଗ୍ରେସକୁ ଛାଡ଼ି ନ ଥିଲେ କି କ˚ଗ୍ରେସ ପଟେଲଙ୍କୁ ଛାଡ଼ି ନ ଥିଲା। ଅଥଚ ଆଜି ସର୍ଦ୍ଦାର ପଟେଲଙ୍କୁ କ˚ଗ୍ରେସ ବିରୋଧୀମାନେ ବିଭୀଷଣ କରି ଛିଡ଼ା କରାଇ ସାରିଲେଣି। କ୍ରିକେଟ୍‌ ଖେଳରେ ସ୍ଲେଜି˚ ବା ଅପଶବ୍ଦର ପ୍ରୟୋଗ ଚଳେ। ଏହାଦ୍ବାରା ଟାଣୁଆ ଖେଳାଳିର ବି ଏକାଗ୍ରତା ଭାଙ୍ଗିଯାଏ। କ˚ଗ୍ରେସ ବିରୋଧୀମାନେ ଗାନ୍ଧୀ ଓ ପଟେଲଙ୍କୁ ନେଇଯାଇ ଏବଂ ନେହରୁଙ୍କ କୁତ୍ସାକରି ଏବେ ପଲିଟିକାଲ୍‌ ସ୍ଲେଜି˚ରେ ସଫଳ ହେଉଛନ୍ତି। କ˚ଗ୍ରେସୀ ନେତାମାନେ ଏ କଥା ବୁଝୁଛନ୍ତି ତ?

କହିବାର ଅଛି ଯେ କ˚ଗ୍ରେସ ଭବନକୁ କ˚ଗ୍ରେସ ମହାବିଦ୍ୟାଳୟରେ ପରିଣତ କରି କ˚ଗ୍ରେସ ନେହରୁ-ପାଠ ପଢ଼ିବା ଓ ପଢ଼ାଇବା ସମ୍ପ୍ରତି କ˚ଗ୍ରେସ ନେତାଙ୍କର ମୂଳ କାମ ହେବା ଆବଶ୍ୟକ।

[email protected]

ସମ୍ବନ୍ଧିତ ଖବର