ଏକ ସର୍ବଧର୍ମ ପ୍ରାର୍ଥନା ଓ ଗିରଫଦାରି

ଆନଂଦ ପଟୱର୍ଧନ

ଗତ ନଭେଂବର ଦୁଇ ତାରିଖ ଦିନ ଉତ୍ତର ପ୍ରଦେଶ ପୁଲିସ ଫୈଜଲ୍ ଖାଁକୁ ଗିରଫ କଲେ। ଜଣେ ମାନବ ଅଧିକାର କାର୍ଯକର୍ତା ଭାବରେ ତାଂକୁ ଓ ତାଂକ ସାଥି ସଂଦୀପ ପାଂଡେ, ଯାହାଂକୁ ୨୦୧୧ ମସିହାରେ ତାଂକ ସାମାଜିକ କାମପାଇଁ ମାଗସେସେ ପୁରସ୍କାର ମିଳିଥିଲା (ଯାହାର ପୁରସ୍କାର ଅର୍ଥ ସେ ଗ୍ରହଣ କରିନଥିଲେ)। ତାଂକୁ ମୁଁ ଜାଣେ। ଫୈଜଲ୍ ଓ ସଂଦୀପ ଦିହେଁ କଠୋର ଗାଂଧୀବାଦୀ, ମାତ୍ର ଆଜିର ଭାରତରେ ଏକ ବଡ ପାର୍ଥକ୍ୟ ହେଲା ଯେ ତାଂକ ଭିତରୁ ଜଣେ ମୁସଲମାନ।

କିଛି ବର୍ଷ ତଳେ ଫୈଜଲ୍ ଖୁଦାଇ ଖିଦ୍‌ମତ୍‌ଗାର ସଂଗଠନକୁ ଭାରତରେ ପୁନର୍ଜୀବିତ କଲେ। ଏ ଅନୁଷ୍ଠାନ ତାଂକ ସ୍ମୃତିରେ ହେଲା, ଯେଉଁ ଅନୁଷ୍ଠାନର କର୍ମୀମାନେ ସ୍ବାଧୀନତା ପୂର୍ବ ଭାରତର ଉତ୍ତର-ପଶ୍ଚିମ ସୀମାଂତରେ ଖାଁ ଅବ୍‌ଦୁଲ୍ ଗଫର୍ ଖାଁ- ଯାହାଂକୁ ଆମେ ଆଦରରେ ବାଦଶାହ ଖାଁ ବୋଲି ସଂବୋଧନ କରୁଥିଲେ- ତାଂକ ନେତୃତ୍ବରେ ଭାରତୀୟ ସ୍ବାଧୀନତା ସଂଗ୍ରାମର ଅଭୂତପୂର୍ବ ସଂଗ୍ରାମୀ ଥିଲେ। ଖାଁ ଅବ୍‌ଦୁଲ୍ ଗଫର୍ ଖାଁ ଥିଲେ ମହାତ୍ମା ଗାଂଧୀଂକ ନେତୃତ୍ବରେ ଆରଂଭ ହୋଇଥିବା ଅହିଂସକ ଆଂଦୋଳନର ଏକ ଉତ୍ତୁଂଗ ନେତା- ବାସ୍ତବରେ ଓ ନୈତିକ ଦୃଷ୍ଟିରୁ ବି।

ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଅଭୂତପୂର୍ବ ସାହସିକ ଅଧ୍ୟାୟ ଲେଖାଗଲା ପେଶାୱାର ସହରର କିସ୍‌ସା ଖ୍ବାମୀ ବଜାରରେ ୧୯୩୦ ମସିହାରେ। ଖୁଦାଇ ଖିଦ୍‌ମତ୍‌ଗାର ନେତାଂକ ଧରପକଡ ଫଳରେ ପ୍ରଚଂଡ ଜନ ସମୁଦାୟ ସେଠାରେ ଜମା ହୋଇଥିଲେ। ଇଂରେଜ ସରକାରଂକ କମାଣଧାରୀ ବାହନ ସେମାନଂକ ଭିତରକୁ ପଶିବା ଫଳରେ ଅନେକ ମୃତ୍ୟୁ ମୁଖରେ ପଡିଲେ। ତଥାପି ଲୋକେ ସେଠାରୁ ହଟିଲେ ନାହିଁ। ଇଂରେଜ ସୈନିକ ମେସିନ୍‌ ଗନ୍‌ରୁ ଗୁଳି ବର୍ଷାଇଲେ। ମାତ୍ର ଲୋକେ ପଳେଇଲେନି କି ହିଂସକ ପ୍ରତ୍ୟୁତ୍ତର ଦେଲେନାହିଁ। ସରକାରୀ ହିସାବରେ କୋଡିଏ ଲୋକଂକ ପ୍ରାଣ ଗଲା; ମାତ୍ର ବେସରକାରୀ ହିସାବ ଅନୁସାରେ ତିନି ଶହରୁ ଅଧିକ ଲୋକ ପ୍ରାଣ ହରାଇଲେ। ଇଂରେଜ ସୈନ୍ୟ ଦଳ ଗଠିତ ଗଢୱାଲ୍ ରେଜିମେଂଟର ଦୁଇଟି ପ୍ଲାଟୁନ୍ ଗୁଳି ଚଳାଇବାକୁ ରାଜି ହେଲେ ନାହିଁ। ପ୍ଲାଟୁନ୍‌ର ସେନାଧିକାରୀଂକୁ ଦଶ ବର୍ଷର ଜେଲଦଂଡ ହେଲା।

ଆମେରିକାନ୍ ରାଜ୍ୟଶାସ୍ତ୍ର ଅଧ୍ୟାପକ ଜିନ୍ ସାର୍ପ ଅହିଂସକ ବିରୋଧ ବିଷୟରେ ତାଂକ ପୁସ୍ତକରେ ଏ ପରିସ୍ଥିତିର ବର୍ଣନା କରିଚଂତି : ‘ଆଗରେ ଥିବା ଲୋକେ ଯେତେବେଳେ ଗୁଳି ଲାଗି ଟଳି ପଡିଲେ, ପଛରେ ଥିବା ଲୋକେ ତାଂକ ଛାତି ଖୋଲା କରି ଆଗକୁ ଆସି ଗୁଳିର ସାମନା କଲେ, ଏପରିକି ଜଣ ଜଣଂକ ଦେହରେ କୋଡିଏ ଗୁଳି ଲାଗିଥିଲା, ମାତ୍ର ଲୋକେ ତାଂକ ସ୍ଥାନ ଛାଡି ହଟିଲେ ନାହିଁ’।

ଆଜି ଏ କଥା ବିଲକ୍ଷଣ ମନେ ହେଉଚି। କାରଣ, ଠିକ୍ ଏଇ ଅଂଚଳରୁ ମହାଶକ୍ତିମାନଂକ ଦ୍ବାରା ପ୍ରୋତ୍ସାହିତ ତାଲିବାନ୍ ଓ ଅଲ୍ କାୟଦା ଲୋକଂକୁ ମାରଣ ଯଂତ୍ରରେ ପରିଣତ କରିଛି। ବାଦଶାହ ଖାଁ ଓ ତାଂକ ପସ୍ତୁନ୍‌ ସୈନିକମାନେ ନିଜେ ହିଁସା ପ୍ରଣୋଦିତ ନ ହୋଇ ଅସଂଖ୍ୟ ସଂହାରର ସାମନା କରିଥିଲେ। ସେମାନେ ଦସ୍ତଖତ କରିଥିବା ପ୍ରତିଜ୍ଞା ପତ୍ରରୁ ତାଂକ ମନୋଭାବର ସଂକେତ ମିଳେ: (୧) ବିଦ୍ୟମାନ ଓ ସଂଭୂତ ଈଶ୍ବରଂକ ସାକ୍ଷୀରେ ମୁଁ ହେଲି ଖୁଦାଇ ଖିଦ୍‌ମତ୍‌ଗାର୍। (୨) ମୁଁ କୌଣସି ସ୍ବାର୍ଥ ଭାବନା ବିନା ଦେଶର ସେବା କରିବି। (୩) ମୁଁ କେଭେଁ ପ୍ରତିହିଁସା ପରାୟଣ ହେବିନାହିଁ ଓ କାହା ଉପରେ ବୋଝ ହେବିନାହିଁ। (୪) ମୋର ସମସ୍ତ କାମ ଅହିଂସକ ହେବ। (୫) ମୁଁ ମୋ ପଥରୁ ବିଚ୍ୟୁତ ନ ହେବାଲାଗି ସବୁ ପ୍ରକାରର ତ୍ୟାଗ କରିବାକୁ ପ୍ରସ୍ତୁତ। (୬) ମୁଁ କୌଣସି ଜାତି, ପଂଥ ବା ଧର୍ମ ନିରପେକ୍ଷ ଲୋକସେବା କରିବି। (୭) ମୁଁ ନିଜ ଦେଶରେ ନିର୍ମିତ ପଦାର୍ଥ ହିଁ ବ୍ୟବହାର କରିବି। (୮) ମୁଁ କୌଣସି ପଦ-ପଦବିର ପ୍ରଲୋଭନକୁ ବଳି ପଡିବିନାହିଁ।

ବାଦଶାହ ଖାଁ ମୋଟ ଚଉଦ ବର୍ଷ ଇଂରେଜଂକ ବଂଦୀଶାଳାରେ କଟାଇଥିଲେ। ସେ ଦେଶ ବିଭାଜନର ଓ ପାକିସ୍ତାନର ତୀବ୍ର ବିରୋଧ କରିଥିଲେ। ତାଂକ ଦଳ ନିର୍ବାଚନର ବିରୋଧ କରିଥିଲା ଓ ଅଚିରେ ତାଂକୁ ପାକିସ୍ତାନର ଜେଲରେ ଦିନ ଗଣିବାକୁ ପଡିଲା। ୯୮ ବର୍ଷ ବୟସରେ ତାଂକର ମୃତ୍ୟୁ ହେଲା; ତା’ଭିତରୁ ମୋଟ ୩୭ ବର୍ଷ ସେ ଜେଲ୍‌ରେ କଟାଇ ଥିଲେ ଓ ତହିଁ ଭିତରୁ ଅନେକ ବର୍ଷ ନିଭୃତ କୋଠରିରେ।

ଫୈଜଲ୍ ଖାଁ ଭାରତରେ ଖୁଦାଇ ଖିଦ୍‌ମତ୍‌ଗାର୍‌ର ଏକବିଂଶ ଶତାବ୍ଦୀର ସଂସ୍କରଣ ୨୦୧୧ ମସିହାରେ ଗାଂଧୀଜୀଂକ ନିର୍ବାଣ ଦିନ ସ୍ଥାପନ କଲେ। ମୂଳ ସଂସ୍ଥାର ପ୍ରତିଜ୍ଞା ପତ୍ରରେ ଆଉ ଏକ ପ୍ରତିଜ୍ଞା ରଖିଲେ- ସଂସ୍ଥାରେ ଅଂତତଃ ୩୫ ଶତାଂଶ ଅଣ-ମୁସଲମାନ ସଭ୍ୟ ରହିବେ। ବିଭିନ୍ନ ସଂପ୍ରଦାୟ ଭିତରେ ଆଦାନ-ପ୍ରଦାନରୁ ଆରଂଭ କରି ଖୁଦାଇମାନେ ଦେଶର ବିଭିନ୍ନ ଅଂଚଳରେ ଲୋକଂକ ହୃଦୟକୁ ସ୍ପର୍ଶ କଲା ଭଳି କାମ କଲେ; ଫଳରେ ଏହାର ସଭ୍ୟ ସଂଖ୍ୟା ପଚାଶ ହଜାରରେ ପହଁଚିଲାଣି। ସଂସ୍ଥାରେ ଏବେ ଅନେକ ହିଂଦୁ ଅଛଂତି- କେତେକ ପୂର୍ବାଶ୍ରମୀର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର କର୍ମୀଂକ ସମେତ।

ଦଂଗାଗ୍ରସ୍ତ ଅଂଚଳରେ ଶାଂତି ମୋର୍ଚା ଓ ଦଂଗଲ ଗ୍ରସ୍ତଂକୁ ସାହାଯ୍ୟ ସାଂଗକୁ ଖୁଦାଇ ଖିଦ୍‌ମତ୍‌ଗାରମାନେ କରୁଥିବା ଗଠନମୂଳକ କାର୍ଯର, ସ୍ଥାନ ଅଭାବରୁ, ଅଳ୍ପ କେତୋଟି ଉଦାହରଣ ମୁଁ ଏଠାରେ ଦେଉଚି। ୨୦୧୪ ମସିହାରେ ସେମାନେ ହରିୟାଣାରେ କ୍ରମେ କମିଯାଉଥିବା ଝିଅପିଲାଂକ ସଂଖ୍ୟା ଦୃଷ୍ଟିରୁ ଏକ ‘ବେଟୀ ବଚାଓ’ ଆଂଦୋଳନ ଆରଂଭ କଲେ। ୨୦୧୭ ମସିହାରେ ଦିଲ୍ଲୀର ଜାମିଆ ବିଶ୍ବବିଦ୍ୟାଳୟ ନିକଟରେ ଗଫର ମଂଜିଲ୍‌ରେ ସବ୍‌କା ଘର ବୋଲି ଏକ ନିବାସ କଲେ ଯେଉଁଠି ଜାତି-ଧର୍ମ ନିର୍ବିଶେଷରେ କେହି ଆସି ଆନଂଦରେ ମାସେ ପର୍ଯଂତ ରହିପାରିବ। ସେ ସଂସ୍ଥା ‘ବାଦଶାହ ଖାଁ ଘର କାମ କଲାଂକ ଫଂଡ୍’ ନାଆଁରେ ଏକ ପଂଡ୍ ଆରଂଭ କଲେ ଯହିଁରୁ ଗରଜୁଂକୁ ବିନା ସୁଧରେ ଋଣ ଦିଆଯାଏ। ୨୦୧୮ ମସିହାରେ ମୁରାରୀ ବାପୁ ଗୁଜରାଟରେ ତାଂକ ଆଶ୍ରମରେ ଫୈଜଲଂକ ସଂବର୍ଧନା କଲେ। ରାମ ଚରିତ ମାନସରୁ ଅନର୍ଗଳ ଗାଇପାରୁଥିବା ଫୈଜଲଂକୁ ଶୁଣି ବାପୁ ବିଭୋର ହୋଇଯାଇଥିଲେ। ଫୈଜଲ୍ ଅବଶ୍ୟ କୁରାନରୁ ସେହିପରି ସହଜରେ ଅନର୍ଗଳ ଗାଇପାରଂତି।

ଏମିତି ଏକ ଲୋକକୁ ଜେଲରେ କାହିଁକି ପୂରାଯାଇଛି? ଏଇ ବର୍ଷ ଅକ୍ଟୋବର ମାସରେ ଚାରି ଜଣ ଖୁଦାଇ- ଫୈଜଲ, ଚାଁଦ ମହମ୍ମଦ, ଆଲୋକ ରତନ ଓ ନିଲେଶ ଗୁପ୍ତ- କୃଷ୍ଣ ଜନ୍ମଭୂମି ମଥୁରା ନିକଟରେ ପାରଂପରିକ ୮୪ କୋଶ (୧୫୦ କିଲୋମିଟର) ବ୍ରଜ ପରିକ୍ରମା ଆରଂଭ କଲେ। ସବୁଥର ଭଳି ପରିକ୍ରମା ସମୟରେ ସେମାନେ ସ୍ଥାନୀୟ ପୂଜକ-ପଂଡିତଂକ ସହିତ ବାର୍ତାଳାପ ଓ ଚର୍ଚା କରଂତି, ଅନେକ ସମୟରେ ତାଂକ ସହିତ ଭୋଜନ କରଂତି ଓ ସବୁଜାଗାରେ ନୂଆ ସାଂଗସାଥି ମିଳଂତି। ଅ‌େକ୍ଟାବର ୨୯ ତାରିଖ ଦିନ ସେମାନେ ନଂଦବାବା ମଂଦିର ଠାରେ ପହଁଚିଲେ। ମଂଦିରର ପୂଜାରୀ ତାଂକୁ ଆନଂଦରେ ଭିତରକୁ ନେଇ ପ୍ରସାଦ ଦେଲେ। ଫୈଜଲ, ତାଂକ ଖାସ୍ ମୁସଲମାନୀ ଟୋପି ପିଂଧି, ରାମ ଚରିତମାନସରୁ ଗାଇଲେ। ପୂଜାରୀଂକ ସହିତ ପରସ୍ପରର ଧର୍ମରେ ଥିବା ମୂଲ୍ୟ ବିଷୟରେ ଆଲୋଚନା ହେଲା। ଏ ସବୁର କେତେକାଂଶ ଏକ ଫୋନ୍ କ୍ୟାମେରାରେ ଟିପା ଯାଇଛି। ନମାଜ ବେଳ ହେଲାରୁ ଫୈଜଲ୍ ପଚାରିଲେ, ପାଖରେ କେଉଁଠି ମସଜିଦ୍ ଅଛି କି? ମାତ୍ର ମଂଦିର ପୂଜାରୀ କହିଲେ, ଆପଣ ମଂଦିର ହତା ଭିତରେ ନମାଜ ପଢିପାରଂତି। ସାଂଗରେ ଥିବା ହିଂଦୁ ଖୁଦାଇଂକ ଭିତରୁ ଜଣେ ଏ ଘଟଣା କ୍ୟାମେରାରେ ଟିପି ପରେ ଫେସ୍ ବୁକ୍‌ରେ ପକାଇଲେ। ଫଟ ସବୁଆଡେ ଗଲାରୁ ଘୋର ବିବାଦ ଆରଂଭ ହେଲା। ମଂଦିର ପୂଜାରୀଂକୁ ଜୋର କରି ପୁଲିସ ଥାନାରେ ଫୈଜଲଂକ ବିରୋଧରେ କେସ୍‌ ଦାଖଲ କରାଗଲା। ଫୈଜଲଂକୁ ଗିରଫ କରି ମଥୁରା ଜେଲକୁ ଅଣାଗଲା। ତାଂକ ଉପରେ ଦୋଷାରୋପ ଭିତରେ ରହିଛି ସାଂପ୍ରଦାୟିକ ଭେଦଭାବ ସୃଷ୍ଟି କରିବାର ଆରୋପ। ଉତ୍ତର ପ୍ରଦେଶ ପୁଲିସ ଚାଂଦ ମହମ୍ମଦକୁ ପାଇଲେନି, ବିହାରରେ ତାଂକ ଗାଁ ଘରକୁ ଯାଇ, ସେଠାରେ ତାଂକ ବାପ, ମାଂକୁ ପିଟି ଥିବାର ଓ ଘର ଭଂଗାଭଂଗି କରିଥିବାର ଅଭିଯୋଗ। ସେଠାରେ ସେମାନେ ଚାଂଦଂକ ଭାଇ ନୂର୍ଂକୁ ଧରି ମଥୁରାକୁ ଆଣିଲେ। ଭାଗ୍ୟକୁ କୋର୍ଟରେ ନୂର୍ଂକୁ ଛାଡି ଦିଆଗଲା। ମଥୁରାର ବିଚାର ଅଦାଲତ, ଅସଂଖ୍ୟ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମୀଂକ ଓ ବହୁ ସରକାରୀ ଓକିଲଂକ ଉପସ୍ଥିତିରେ ଫୈଜଲ୍ଂକ ଜାମିନ ଦରଖାସ୍ତ ଖାରଜ କଲେ। ତାଂକ କେସ୍ ଏବେ ଏଲାହାବାଦ ହାୟକୋର୍ଟକୁ ଯିବ।

ହିଂଦୁତ୍ବବାଦୀଂକର ଫୈଜଲ ଓ ତାଂକ ଖୁଦାଇ ଖିଦ୍‌ମତ୍‌ଗାରଂକ ଉପରେ ରାଗର କାରଣ କଣ? ସେଥିପାଇଁ ପଛକୁ, ମାନେ ଇତିହାସକୁ ଯିବାକୁ ପଡିବ। ମୂଳ ଖୁଦାଇ ଖିଦ୍‌ମତ୍‌ଗାର୍‌ ସ୍ବାଧୀନତା ସଂଗ୍ରାମରେ ପ୍ରଚଂଡ ସଂହାର ଓ ଜେଲଦଂଡ ଭୋଗିଥିଲେ। ବାଦଶାହ ଖାଁ ପରେ ଲେଖିଥିଲେ, ଇଂରେଜ ସରକାର ଭାବିଥିଲେ ଯେ ଅହିଂସକ ପସ୍ତୁନ ହିଂସା ପ୍ରଣୋଦିତ ପସ୍ତୁନଂକ ଅପେକ୍ଷା ଅଧିକ ବିପଦଜନକ। ତେଣୁ ସେ ସରକାର ପସ୍ତୁନଂକୁ ହିଂସକ କରିବା ପାଇଁ ବହୁ ଚେଷ୍ଟା କଲେ, ମାତ୍ର ଅସଫଳ ହେଲେ। ଆଜିର ଖୁଦାଇ ଖିଦ୍‌ମତ୍‌ଗାରଂକୁ ମଧ୍ୟ ସେପରି ଉସକେଇ ହେବନାହିଁ।
(ଆନଂଦ ପଟୱର୍ଧନ ଜଣେ ଘଟଣାତ୍ମକ ସିନେମା ନିର୍ଦ୍ଦେଶକ ଓ ନିର୍ମାତା। ଇଂଡିଅନ୍ ଏକ୍ସପ୍ରେସ୍‌ରେ ପ୍ରକାଶିତ ତାଂକ ଲେଖାର ଓଡିଆ ଅନୁବାଦ)

ଅନୁବାଦ- ନୀଳକଂଠ ରଥ

ସମ୍ବନ୍ଧିତ ଖବର