‘ସ୍ୱ’ର ସ୍ୱାକ୍ଷର

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ଆଉ ଅଳ୍ପଦିନ ପରେ ଝିଅଟିର ବାହାଘର ହୋଇଥାନ୍ତା। ବାହାଘରର ପ୍ରସ୍ତୁତି ସମୟରେ ଗୋଟିଏ ପାରିବାରିକ ପିକ୍‌ନିକ୍‌ର ବ୍ୟବସ୍ଥା କରାଯାଇଥିଲା ସହରର ଅନତିଦୂରରେ ବୋହି ଯାଉଥିବା ନଈଟିର ପଥୁରିଆ ଶଯ୍ୟା ଉପରେ। ଅନ୍ୟମାନଙ୍କ ଭଳି ସେହି ପ୍ରକୃତି ଘେରା ମନୋରମ ପୃଷ୍ଠଭୂମିରେ ଝିଅଟି ନିଜର ସେଲ୍‌ଫି ନେଉଥିଲା ବେଳେ ଗୋଡ଼ ଖସିଯିବାରୁ ନଈର ସ୍ରୋତରେ ପଡ଼ି ଯାଇ ନିମିଷକେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା ଓ ସେହି ଆନନ୍ଦର ମୁହୂର୍ତ୍ତ ସବୁଦିନ ପାଇଁ ହୋଇ ଉଠିଲା ଶୋକାର୍ତ୍ତ।

ନିକଟରେ ଆମ ଓଡ଼ିଶାରେ ଘଟିଥିବା ଏହି ଦୁଃଖଦ ଘଟଣାଟିକୁ ଏଠି ଅବତାରଣା କରି ସେ ହତଭାଗ୍ୟ ଝିଅଟିର ଭୁଲ ଠିକ ବିଚାର କରିବା କିମ୍ବା ଶୋକସନ୍ତପ୍ତ ପରିବାରର ଦୁଃଖକୁ ସତେଜ କରିବାର ଉଦ୍ଦେଶ୍ୟ ମୋର ନାହିଁ। ହେଲେ ଏହି ଅଘଟଣ ବିଷୟରେ ଅବଗତ ହୋଇ ଭବିଷ୍ୟତରେ କେହି ଯଦି ନିଜକୁ ବିପଦ ଆବୋରିନେବାରୁ ନିବୃତ୍ତ କରିପାରିଲା ତେବେ ଝିଅଟିର ମୃତ୍ୟୁ ବ୍ୟର୍ଥ ଯିବ ନାହିଁ।

ସେଲ୍‌ଫି ଆଜିର ସମୟରେ ଚାରିଆଡ଼େ ଘାତକ ସିଦ୍ଧ ହେଲାଣି। ‘ସେଲ୍‌ଫି’ର ଅର୍ଥ ହେଲା ନିଜ ଫୋନ୍‌ ବା କ୍ୟାମେରାରେ ଉଠାଯାଉଥିବା ନିଜର ଚିତ୍ର କିମ୍ବା ଭିଡିଓ, ଯାହା ଅଧିକାଂଶ ସମୟରେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯାଇଥାଏ। ସାଧାରଣ ପରିବେଶରେ ଏମିତି ଫଟୋ ଉଠାଇବା ତ ନିରାପଦ, ହେଲେ ଆଜିର ଦିନରେ ଅନେକେ ଚିତ୍ରକୁ ଦୃଷ୍ଟି ଆକର୍ଷକ କରିବା ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ବା ବିପଜ୍ଜନକ ଅଙ୍ଗଭଙ୍ଗୀ ପ୍ରଦର୍ଶନ ମାଧ୍ୟମରେ ଫଟୋ ବା ଭିଡିଓ ଉଠାଇ ନିଜ ଜୀବନକୁ ବିପନ୍ନ କରୁଛନ୍ତି। ଦେଖିବାକୁ ଗଲେ ସେଲ୍‌ଫି ଜନିତ ମୃତ୍ୟୁର ସଂଖ୍ୟା ସେମିତି ବିଶାଳ ନୁହେଁ, ହେଲେ ଏ ସଂଖ୍ୟା ବର୍ଷକୁ ବର୍ଷ ବଢୁଛି। ଗୋଟିଏ ଆକଳନ ଅନୁସାରେ ସେଲ୍‌ଫି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ସାରା ବିଶ୍ବରେ ଆଜି ପର୍ଯ୍ୟନ୍ତ ହଜାରେରୁ ବି କମ୍‌, କିନ୍ତୁ ଚିନ୍ତା କରିବାର ବିଷୟ ଏହା ଯେ, ଏ ସବୁ ମୃତ୍ୟୁର ଅଧା ଭାଗ ଘଟିଛି ଆମ ଭାରତରେ। ସବୁଠୁ ବଡ଼ କଥା ହେଲା ଆନନ୍ଦ ମନାଉଥିବା ସମୟରେ ଘଟୁଥିବାରୁ ଏହି ଦୁର୍ଘଟଣା ଅନେକ ଭାବାବେଗ ସହିତ ଜଡ଼ିତ ହୋଇଯାଉଛି ଓ ଏକ ‘ଅକାରଣ ମୃତ୍ୟୁ’ ହିସାବରେ ସମାଜକୁ ବିଷଣ୍ଣ କରୁଛି। କ’ଣ ଆକର୍ଷଣ ଅଛି ଆଖିକୁ ସାଧାରଣ ମନେ ହେଉଥିବା ଏହି କ୍ରିୟାଟି ପଛରେ, କେଉଁ ମାନସିକତା ଏହାର ଅନୁଗାମୀଙ୍କୁ ପ୍ରବର୍ତ୍ତାଉଛି ମୃତ୍ୟର ଭୟକୁ ଅଣଦେଖା କରିବାକୁ?

ସେଲ୍‌ଫିର ସ୍ବତନ୍ତ୍ର ଆକର୍ଷଣ ବୁଝିବାକୁ ହେଲେ ଆମକୁ ଆଜିର ସାମାଜିକ ଗଣମାଧ୍ୟମ ପଛର ମାନସିକତା ବିଷୟରେ ଅନୁଧ୍ୟାନ କରିବାକୁ ପଡ଼ିବ। ଆଜି ଊଣା ଅଧିକେ ସମସ୍ତେ କୌଣସି ନା କୌଣସି ଜନପ୍ରିୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଦ୍ବାରା ପ୍ରଭାବିତ। ଆଉ ଏହି ମଞ୍ଚଗୁଡ଼ିକ ‘ସାମାଜିକ’ ବୋଲାଉଥିଲେ ସୁଦ୍ଧା ଅସଲରେ ଦେଖିବାକୁ ଗଲେ ସେମାନେ ପ୍ରତ୍ୟେକ ମଣିଷକୁ ନିଜର ସାମାଜିକ ପରିଚୟ ଅପେକ୍ଷା ବ୍ୟକ୍ତିଗତ ପରିଚୟ ଜାହିର କରିବା ପାଇଁ ଉତ୍ସାହିତ କରିଥାନ୍ତି। ‘ଅନ୍ୟମାନଙ୍କ ଭଳି ତୁମ ଚେହେରା ମଧ୍ୟ ଆକର୍ଷଣୀୟ, ତୁମେ ବି ଦୁଃସାହସୀ କାମ କରିପାର, ଭଲ ଗୀତ ଗାଇ ପାର, ସୁନ୍ଦର କବିତା ଲେଖି ପାର ଓ ଏମିତି ବହୁତ କିଛି କରିପାର ଯାହା କରି ତୁମ ସାଙ୍ଗମାନେ ଅନ୍ୟମାନଙ୍କର ହୃଦୟ ଜିଣି ସାରିଲେଣି’-ଏମିତି ଇଙ୍ଗିତ ସାମାଜିକ ଗଣମାଧ୍ୟମ ଗୁଡ଼ିକ ପ୍ରତିକ୍ଷଣରେ ଯୋଗାଇ ଚାଲିଛନ୍ତି। ତେଣୁ ସବୁକିଛି କରିବା ପାଇଁ ଓ ଅନ୍ୟର ଦୃଷ୍ଟି ଆକର୍ଷଣ କରି ପ୍ରିୟଭାଜନ ହେବା ପାଇଁ ଅନବରତ ପ୍ରତିଯୋଗିତା ଚାଲିଛି ସୋସିଆଲ ମିଡିଆ ବ୍ୟବହାରକାରୀମାନଙ୍କ ଭିତରେ। ହେଲେ ସମସ୍ତେ ଗାୟକ ହେଲେ ଶ୍ରୋତା କୋଉଠୁ ଆସିବେ, ସମସ୍ତେ ଗଣ୍ଡା ଗଣ୍ଡା ସେଲ୍‌ଫି ପୋଷ୍ଟ କଲେ ସେଗୁଡ଼ିକୁ ଉପଭୋଗ କରିବ କିଏ? ଏମିତି ଅବସ୍ଥାରେ ସୋସିଆଲ ମିଡିଆ ମଞ୍ଚ ଗୁଡ଼ିକରେ ଆଜି ଅଧିକାଂଶ ‘ଲାଇକ’ ଉପର ଠାଉରିଆ, ଅଧିକାଂଶ ସ୍ତୁତିଗାନ କୃତ୍ରିମ।

ତଥାପି ଅନ୍ୟର ଦୃଷ୍ଟି ଆକର୍ଷଣ କରିବାର ଦୁର୍ବାର ଇଚ୍ଛା ମଣିଷକୁ ସେଲ୍‌ଫିର ବିପଦସଙ୍କୁଳ ପୃଷ୍ଠଭୂମିକୁ ନେଇ ଲୋମହର୍ଷଣକାରୀ ରୋମାଞ୍ଚ ସୃଷ୍ଟି କରିବାକୁ ପ୍ରବର୍ତ୍ତାଉଛି। ସେଇଥିପାଇଁ କିଏ ଚଳନ୍ତା ଟ୍ରେନ୍‌ର ସାମ୍ନାରେ ଛିଡ଼ା ହୋଇ ସେଲ୍‌ଫି ଦେଖାଇଲାଣି ତ କିଏ ପୁଣି ନଭଶ୍ଚୁମ୍ବୀ ଅଟ୍ଟାଳିକା ଉପରେ କସରତର ଦୃଶ୍ୟ ପ୍ରକାଶ କଲାଣି। ଅଭିନବ ଉପାୟମାନ ପ୍ରୟୋଗ କରି ରୋମାଞ୍ଚ ଓ ଦୁଃସାହସର ପରିସର ବଢ଼ାଇବାରେ ଲାଗିଛନ୍ତି କିଛି ଯୁବକ ଓ ଯୁବତୀ। ସେଲ୍‌ଫିର ଦୃଶ୍ୟ ଯେତେ ଭୀତିପ୍ରଦ ହେବ, ଚିତ୍ର ବା ଭିଡିଓଟି ସେତିକି ଆଦୃତ ହେବାର ସମ୍ଭାବନା ଥାଏ। ମୁଁ ନିଜକୁ କେତେ ସାହସୀ, ସୁନ୍ଦର, ପାରଙ୍ଗମ ଓ ଅଭିନବ କରି ଦର୍ଶାଇ ପାରୁଛି ତାହା ହିଁ ମୋର ଲୋକପ୍ରିୟତାର ପରିମାପକ ହେବ।

ସେଲ୍‌ଫି ସଂସ୍କୃତି ‘ମୁଁ, ମୋର ଓ ମୋତେ’ ର ବଳୟ ଭିତରେ ସୀମିତ। ଆଗରୁ ଫଟୋ ଉଠାଇବା ଏକ ସାମାଜିକ ପ୍ରକ୍ରିୟା ଥିଲା, କିନ୍ତୁ ଆଜିର ଜ୍ଞାନ କୌଶଳ ଏହାକୁ ଏକ ବ୍ୟକ୍ତିଗତ କ୍ରିୟାରେ ପରିଣତ କରିଦେଇଛି। ମୋର ମନେ ଅଛି ପିଲାଦିନେ ପରିବାରର ଗ୍ରୁପ୍‌ ଫଟୋ ଉଠେଇବା ପାଇଁ ଆମକୁ ଆମର ସବୁଠୁ ଭଲ ପୋଷାକ ପିନ୍ଧି ଷ୍ଟୁଡିଓକୁ ଚାଲି ଚାଲି ଯିବାକୁ ପଡୁଥିଲା। କେତେ କଳ୍ପନା ଜଳ୍ପନା, କେତେ ଉତ୍କଣ୍ଠା ଭିତରେ କଟୁଥିଲା ସେହି ସମୟ, ଗୋଟିଏ ଛୋଟ ଉତ୍ସବ ଭଳି। ଦୁଇ, ତିନି ଦିନ ପରେ ଷ୍ଟୁଡିଓରୁ ସେହି ଫଟୋ ପାଇବା ପର୍ଯ୍ୟନ୍ତ ମନ ଥୟ ଧରୁ ନଥିଲା। ଫଟୋ ପାଇବା ପରେ ତାକୁ ଆଲବମରେ ସଜେଇ ରଖାଯାଉଥିଲା ସବୁ ଦିନ ପାଇଁ।

ହେଲେ ‘ମୋ ଫଟୋ ମୁଁ ଉଠାଇବି’ ର ମାନସିକତା ଭିତରେ ଆଜି ଅଗଣିତ ଫଟୋ ଉଠାଯାଉଛି ସତ, ହେଲେ ଅଳ୍ପ ସମୟ ପରେ ସେଗୁଡ଼ିକ ବିସ୍ମୃତିର ଗର୍ଭରେ ବିଲୀନ ହୋଇ ଯାଉଛି। ବିଡ଼ମ୍ବନା ଏହି ଯେ, ଯେଉଁ ସ୍ରଷ୍ଟା ସେଲ୍‌ଫି ଉଠେଇବାର କ୍ଷଣକ ପରେ ନିଜେ ତାକୁ ପାସୋରି ପକାଉଛି, ସେ କିନ୍ତୁ ସୋସିଆଲ ମିଡିଆରେ ଏହାକୁ ପ୍ରକାଶିତ କରି ଚାହିଁ ବସୁଛି କେତେଜଣ ଚିତ୍ରଟିକୁ ସମ୍ମତି ଜଣାଇଲେ ବୋଲି। ହେଲେ ସମସ୍ତେ ସେଲ୍‌ଫି ନେବାରେ ବ୍ୟସ୍ତ ଥିବା ବେଳେ ଅନ୍ୟର ସେଲ୍‌ଫିକୁ ନିରେଖି ଦେଖିବ କିଏ? ମୁଁ ପର୍ଯ୍ୟଟନ ସ୍ଥଳରେ ଦେଖିଚି ସ୍ବାମୀ, ସ୍ତ୍ରୀ ଉଭୟେ ଏକ ସମୟରେ ଅଲଗା ଅଲଗା ସେଲ୍‌ଫି ଷ୍ଟିକ୍‌ ବା ବାଡ଼ି ଧରି ନିଜର ଫଟୋ ନେଉଥିବାର। ଦିନେ ଏହି ସେଲ୍‌ଫିର ବହୁଳତା ଏହି ନିଶାର ବିଲୋପ ସାଧନ କରିବ, ଏଥିରେ ସନ୍ଦେହ ନାହିଁ।

‘ସ୍ବ’ର ସ୍ବାକ୍ଷର ବହନ କରୁଥିବା ସେଲ୍‌ଫି ଏମିତି ଏକ ଚିନ୍ତାଧାରାରୁ ସୃଷ୍ଟ ଯାହା ‘ସ୍ବ’ ବା ‘ଆତ୍ମ’କୁ ସବୁଠୁ ଆଗରେ ରଖିବାକୁ ଓ ଅଲଗା ଭାବରେ ପେସ୍‌ କରିବାକୁ ଗୁରୁତ୍ବ ଦେଇଥାଏ। ଏହା ମଣିଷର ମନକୁ ସଙ୍କୁଚିତ କରେ ଓ ଅହଂ ସର୍ବସ୍ବ କରି ତୋଳେ। ହୁଏ’ତ ନିଜ ଭିତରେ ମଜ୍ଜି ରହିଥିବା ମଣିଷଟି ଅଜାଣତରେ କେତେବେଳେ ମୃତ୍ୟୁର ଦ୍ବାର ଦେଶକୁ ଚାଲିଯାଇଥାଏ, ତାହା ସେ କିମ୍ବା ଅନ୍ୟମାନେ ଜାଣିଲା ବେଳକୁ ପରିସ୍ଥିତି ନିୟନ୍ତ୍ରଣରୁ ବାହାରି ଯାଇଥାଏ।

ସୌଭାଗ୍ୟ ନଗର, ଭୁବନେଶ୍ବର
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର