ଭକ୍ତର ପ୍ରଶ୍ନ ଓ ଭଗବାନଙ୍କ ଉତ୍ତର

ଆମରି କଥା - ନାରାୟଣ ମିଶ୍ର

ଉଦ୍ଧବ ଶ୍ରୀକୃଷ୍ଣଙ୍କ ସାରଥି ଥିଲେ ଆଉ ସଖା ବି। ପିଲାଦିନ ଠାରୁ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ଜାଣିଥିଲେ। ତାଙ୍କ ପରି ବେଶ ହେଉଥିଲେ। ପ୍ରକୃତରେ ଶ୍ରୀକୃଷ୍ଣ ବ୍ୟବହାର କରିଥିବା ପୋଷାକ ପତ୍ର ଓ ଅଳଙ୍କାର ଆଣି ଉଦ୍ଧବ ପିନ୍ଧୁଥିଲେ। ଉଦ୍ଧବଙ୍କୁ ଶ୍ରୀକୃଷ୍ଣ ଓ ଶ୍ରୀକୃଷ୍ଣଙ୍କୁ ଉଦ୍ଧବ ପ୍ରାଣଭରି ଭଲ ପାଉଥିଲେ। ଦିନେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଲେ- ‘‘ଉଦ୍ଧବ, ତୁମେ ଆଜିଯାଏ ମୋ କଥାନୁସାରେ ମୋର ବହୁତ କାମ କରିଛ; କିନ୍ତୁ ଦିନେ ବି କିଛି ମାଗିନାହଁ, ଆଜି ମାଗ, ଯାହା ଇଚ୍ଛା ମାଗିନିଅ, ମୁଁ ତୁମ ନିକଟରେ ଋଣୀ ରହିବାକୁ ଚାହୁଁନି।’’ ଉଦ୍ଧବ କହିଲେ- ‘‘ହେ ସଖା, ମୋର କିଛି ଦରକାର ନାହିଁ। ତୁମେ ମୋ ପାଖେ ପାଖେ ଅଛ ବୋଲି ମୁଁ ସର୍ବଦା ଅନୁଭବ କରୁଛି। ଏ ମାୟା ସ˚ସାରରେ ମୋର ଆଉ କିଛି ‘‘ମୋର’’ ହେବା ଦରକାର ନାହିଁ। ଯଦି ତୁମ ତରଫରୁ କିଛି ଦେବା କଥା ତୁମ ଆଡୁ ଆରମ୍ଭ ହୋଇଛି, ତେବେ ଦୟା କରି କେବଳ ମୋ ପ୍ରଶ୍ନର ଉତ୍ତର ଦେଇଦିଅ। ମୋ ମନ ଭିତରେ ଅନେକ ସ˚ଶୟ ଅଛି; ସେତକ ଦୂର କରିଦିଅ; ମୋର ଆଉ କିଛି ଦରକାର ନାହିଁ। ମୁଁ ତୁମ ଲୀଳାର କେତେକ ଅ˚ଶ ବୁଝିପାରିନି; ମୋତେ ବୁଝାଇ ଦେଇ ସନ୍ତୁଷ୍ଟ କରିଦିଅ ପ୍ରଭୁ।’’ ଭଗବାନ ଶ୍ରୀକୃଷ୍ଣ କହିଲେ- ‘‘ପଚାର ଉଦ୍ଧବ, ଯାହା ସ˚ଶୟ ମନ ଭିତରେ ଅଛି ପଚାର, ମୁଁ ଉତ୍ତର ଦେବି। ଦ୍ବିଧା ନ ରଖି ସବୁ ପ୍ରଶ୍ନ ପଚାରିଚାଲ; ମୁଁ ଉତ୍ତର ଦେଇ ତୁମକୁ ନିଶ୍ଚୟ ସନ୍ତୁଷ୍ଟ କରିବି।’’

ଉଦ୍ଧବ କହିଲେ- ‘‘ପ୍ରଭୁ, ପ୍ରକୃତ ବନ୍ଧୁ କିଏ?’’ ଶ୍ରୀକୃଷ୍ଣ କହିଲେ- ‘‘ପ୍ରକୃତ ବନ୍ଧୁ ସେଇ, ଯିଏ ଆବଶ୍ୟକତା ପଡ଼ିବା ମାତ୍ରେ ସାହାଯ୍ୟ ମାଗିବା ପୂର୍ବରୁ ବନ୍ଧୁଙ୍କୁ ସାହାଯ୍ୟ କରେ।’’ ଉଦ୍ଧବ କହିଲେ- ‘‘ହେ ସଖା, ଆପଣ ପାଣ୍ତବମାନଙ୍କ ଆତ୍ମୀୟ ଏବ˚ ପ୍ରିୟ ମିତ୍ର ଥିଲେ। କିନ୍ତୁ ଆପଣଙ୍କୁ ଲାଗୁ ନାହିଁ କି ଆପଣ ପ୍ରକୃତ ବନ୍ଧୁର ଯେଉଁ ଅର୍ଥ ମୋତେ ବୁଝାଇଲେ, ତାହା ନିଜେ କରିନାହଁ! ଯଦି ପ୍ରକୃତ ବନ୍ଧୁ ହୋଇଥାନ୍ତ, ତେବେ ଯୁଧିଷ୍ଠିରଙ୍କୁ ଦ୍ୟୁତକ୍ରୀଡ଼ାରୁ ଅଟକାଇଥାନ୍ତ। ଯଦି ନ ଅଟକାଇଲ ତେବେ ତାଙ୍କୁ ଜିତାଇ ପାରିଥା’ନ୍ତ। ଭାଗ୍ୟକୁ ପାଣ୍ତବଙ୍କ ପକ୍ଷେ ନେଇ ଯାଇ ପାରିଥା’ନ୍ତ। ଯେତେବେଳେ ନିଜର ସବୁ କିଛି ଯୁଧିଷ୍ଠିର ପଶାଖେଳରେ ବାଜି ଲଗାଉଥିଲେ, ତାହା ତୁମେ ବନ୍ଦ କରାଇପାରିଥା’ନ୍ତ। ଯୁଧିଷ୍ଠିରଙ୍କୁ ନିଜ ଭାଇ ଏପରିକି ନିଜ ସ୍ତ୍ରୀଙ୍କୁ ପଶାଖେଳରେ ବାଜି ଲଗାଇବାରୁ ରୋକିପାରିଥା’ନ୍ତ। ତା’ ନକରି ଆପଣ ସେମାନଙ୍କୁ ସେତିକିବେଳେ ସାହାଯ୍ୟ କରିବାକୁ ଆସିଲେ ଯେତେବେଳେ ଦ୍ରୌପଦୀ ନିଜର ଲଜ୍ଜା ସ˚କୋଚ ହରାଇ ସାରିଥିଲେ। ସେତେବେଳେ ଲୁଗା ଦେଇ ତାଙ୍କୁ ଲଜ୍ଜାରୁ ରକ୍ଷା କଲ। ଦୁଃଶାସନ ଦ୍ରୌପଦୀଙ୍କୁ ଘୋଷାରି ଘୋଷାରି ପୂର୍ଣ୍ଣ ରାଜସଭାକୁ ଆଣି ସେଠାରେ ଉଲଗ୍ନ କରିବାକୁ ଚେଷ୍ଟା ଚଳାଇଲା, ଆପଣ ଚୁପ୍‌ ରହି କିଛି କଲେ ନାହିଁ। କିଏ ଆପଣଙ୍କୁ ବିପଦର ବନ୍ଧୁ ବୋଲି କହିବ ଓ କିପରି? ଏଇଆ କ’ଣ ଧର୍ମ’’- ଏ ପ୍ରଶ୍ନ ସବୁ ପଚାରୁ ପଚାରୁ ଉଦ୍ଧବଙ୍କ ଚକ୍ଷୁଦ୍ବୟ ଲୋତକରେ ଭରିଗଲା।

ଶ୍ରୀକୃଷ୍ଣ ମୁରୁକି ହସି କହିଲେ- ‘‘ଉଦ୍ଧବ; ସୃଷ୍ଟିର ଏକ ସ୍ଥାୟୀ ନିୟମ ହେଉଛି ଏହି ଯେ ବିବେକବାନ ହିଁ ସର୍ବଦା ଜିତେ। ସେ ସମୟରେ ଦୁର୍ଯ୍ୟୋଧନ ପାଖରେ ବିବେକ ଥିଲା, ଯୁଧିଷ୍ଠିରଙ୍କ ପାଖେ ନୁହେଁ। ଏଇ କାରଣ ପାଇଁ ଯୁଧିଷ୍ଠିର ହାରିଲେ।’’ ଏଭଳି ଉତ୍ତର ଶୁଣି ଉଦ୍ଧବ ଆଶ୍ଚର୍ଯ୍ୟ ହୋଇଗଲେ। ଶ୍ରୀକୃଷ୍ଣ କହି ଚାଲିଲେ-‘‘ଉଦ୍ଧବ, ଦୁର୍ଯ୍ୟୋଧନ ପାଖରେ ଧନ ତ ବହୁତ ଥିଲା; କିନ୍ତୁ ସେ ପଶାଖେଳ ଜାଣି ନ ଥିଲା। ସେଥିପାଇଁ ନିଜ ମାମୁଁ ଶକୁନିଙ୍କୁ ତା’ ତରଫରୁ ଖେଳିବା ପାଇଁ କହିଲା। ଯୁଧିଷ୍ଠିର ବି ସେଇଆ କରିପାରିଥା’ନ୍ତେ ଏବ˚ ତାଙ୍କ ତରଫରୁ ମୋତେ ଖେଳିବାକୁ କହିପାରିଥା’ନ୍ତେ। ଏବେ ବିଚାର କରି କୁହ ଉଦ୍ଧବ, ଯଦି ଶକୁନି ଆଉ ମୁଁ ଖେଳିଥାନ୍ତୁ, କିଏ ଜିତିଥାନ୍ତା! ପଶାର ଡାକ ଶକୁନି ଅନୁସାରେ ପଡ଼ିଥା’ନ୍ତା ନା ମୋ ଅନୁସାରେ ପଡ଼ିଥାନ୍ତା। ହଉ, ସେକଥା ଛାଡ଼। ଏଥିପାଇଁ ଯୁଧିଷ୍ଠିରଙ୍କୁ କ୍ଷମା କରାଯାଇପାରେ। କିନ୍ତୁ ବିବେକଶୂନ୍ୟତା କାରଣରୁ ଯୁଧିଷ୍ଠିର ମୋତେ ପ୍ରାର୍ଥନା (ଅନୁରୋଧ) କରିଥିଲେ ଯେ ମୁଁ ପଶାଖେଳ ଗୃହକୁ ସେପର୍ଯ୍ୟନ୍ତ ଯିବିନି, ଯେପର୍ଯ୍ୟନ୍ତ ସେ ଡାକିନାହାନ୍ତି, କାରଣ ବୋଧହୁଏ ଯୁଧିଷ୍ଠିର ଚାହୁଁନଥିଲେ ଯେ ସେ ପଶାଖେଳିବା କଥା ମୁଁ ଜାଣେ। ମୁଁ ତଥାପି ପଶାଖେଳ ଗୃହ ବାହାରେ ଠିଆ ହୋଇ ଅପେକ୍ଷା କରିଥିଲି, କିନ୍ତୁ ମୋତେ କେହି ବି ଡାକିଲେ ନାହିଁ, ସ୍ମରଣ ବି କଲେ ନାହିଁ। ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ସମସ୍ତେ ଦୁର୍ଯ୍ୟୋଧନ ଉପରେ ହିଁ ରାଗୁଥିଲେ, ମୋ କଥା କାହାରି ମନ ଭିତରକୁ ଆସିଲା ନାହିଁ। ଯେତେବେଳେ ଦ୍ରୌପଦୀଙ୍କୁ ଘୋଷାରି ଘୋଷାରି ଦୁଃଶାସନ ରାଜସଭାକୁ ଆଣିଲା, ସେତେବେଳେ ଦ୍ରୌପଦୀ ବି ମୋତେ ସ୍ମରଣ କଲେ ନାହିଁ। ପ୍ରଥମେ ନିଜ ବଳ ଉପରେ ନିର୍ଭର କଲେ ଏବ˚ ତା’ପରେ ଉପସ୍ଥିତ ଗୁରୁଜନମାନଙ୍କ ନୀତି ଓ କରୁଣା ଉପରେ ନିର୍ଭର କଲେ। ଯେତେବେଳେ ବିବସ୍ତ୍ର ହେବା ନିଶ୍ଚିତ ହୋଇଗଲେ ସେତେବେଳେ ତାଙ୍କର ମୋ କଥା ସ୍ମରଣ ହେଲା ଓ ସେ ‘‘ହରି, ହରି, ଅଭୟ˚ କୃଷ୍ଣ’’ ବୋଲି ଉପରକୁ ହାତ ଟେକି ଦେଲେ। ମୁଁ ତ ତତ୍‌କ୍ଷଣାତ୍‌ ପହଞ୍ଚି ତାଙ୍କୁ ବସ୍ତ୍ର ଯୋଗାଇ ନିବସ୍ତ୍ର ହେବାରୁ ରକ୍ଷା କଲି- ଏଥିରେ ମୋର ଭୁଲ୍‌ କେଉଁଠି କୁହ।’’

ଉଦ୍ଧବ କହିଲେ- ‘‘ଆପଣଙ୍କ ଯୁକ୍ତି ଓ ଉତ୍ତର ପ୍ରଭାବଶାଳୀ ଅବଶ୍ୟ, କିନ୍ତୁ ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ, ‘‘ପ୍ରକୃତ ବନ୍ଧୁ’’ର ଯେଉଁ ସ˚ଜ୍ଞା ଆପଣ ଦେଲେ, ପ୍ରକୃତରେ ତ ଆପଣ ସେଇଆ କଲେନି। ଆପଣ କ’ଣ ସେତିକିବେଳେ ବିପଦରେ ପଡ଼ିଥିବା ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯିବେ ଯେତେବେଳେ ସେ ଆତୁର ହୋଇ ଆପଣଙ୍କୁ ଡାକିବ? ଆପଣ ତ କହିଲେ ପ୍ରକୃତ ବନ୍ଧୁ ସିଏ ଯେ ବିନା ଡାକିବାରେ ବିପଦରେ ପଡ଼ିଥିବା ବନ୍ଧୁଙ୍କ ନିକଟରେ ପହଞ୍ଚି ସାହାଯ୍ୟ କରେ। ସ˚କଟରେ ଥିବା ବନ୍ଧୁକୁ ସାହାଯ୍ୟ କରିବା ପାଇଁ ବନ୍ଧୁଙ୍କର ଆପଣଙ୍କୁ ଡାକିବା କ’ଣ ନିହାତି ଦରକାର?’’ ଶ୍ରୀକୃଷ୍ଣ ପୁଣି ଥରେ ମୁରୁକି ହସି କହିଲେ- ‘‘ଉଦ୍ଧବ, ଏ ସ˚ସାରରେ ପ୍ରତ୍ୟେକ ଜୀବ ନିଜ କର୍ମଫଳ ଆଧାରରେ ହିଁ ସଞ୍ଚାଳିତ ହୁଏ। ମୁଁ କାହାକୁ ନିର୍ଦ୍ଦିଷ୍ଟ କର୍ମ କରିବାକୁ ପ୍ରବର୍ତ୍ତାଏନି କି କାହାରି କର୍ମରେ ହସ୍ତକ୍ଷେପ କରେନି। ମୁଁ କେବଳ ସାକ୍ଷୀ ରୂପେ ସର୍ବଦା ତୁମ ନିକଟରେ ରହି ତୁମେ ଯାହା କର ସବୁ ଦେଖୁଥାଏ। ଏହା ହିଁ ଈଶ୍ବରଙ୍କ ଧର୍ମ।’’ ଉଦ୍ଧବ କହିଲେ- ‘‘ବାଃ, ତୁମେ ତା’ହେଲେ ଆମ ନିକଟରେ ରହି ଆମ ଦୁଷ୍କର୍ମ ସବୁ ନିରୀକ୍ଷଣ କରୁଥିବ। ଆମେ ପାପ ପରେ ପାପ କରି ଚାଲୁଥିବୁ ଏବ˚ ତୁମେ ସାକ୍ଷୀ ରହି ଆମ ପାପର ଗଣ୍ଠିଲି ଦେଖି ସେ ଅନୁସାରେ ଦୁର୍ଭାଗ୍ୟ ଖଞ୍ଜି ଚାଲିଥିବ!’’ ଭଗବାନ କହିଲେ- ‘‘ଉଦ୍ଧବ, ତୁମେ ମୋ ଶବ୍ଦଗୁଡ଼ିକର ଗଭୀର ଅର୍ଥ ବୁଝି ପାରିଲନି। ଯଦି ତୁମେ ବୁଝିଯାଅ ଏବ˚ ଅନୁଭବ କରିପାର ଯେ ମୁଁ ସାକ୍ଷୀ ରୂପେ ତୁମ ସଙ୍ଗେ ସଦାବେଳେ ଅଛି, ତେବେ ତୁମେ କୌଣସି ଅନୀତିକର କାର୍ଯ୍ୟ କରିବ କି? ଯେତେବେଳେ ତୁମେ ଭୁଲିଯାଅ ଯେ ତୁମେ ସମସ୍ତଙ୍କ ଅଜାଣତରେ କୌଣସି କର୍ମ କରିପାରିବ ସେତେବେଳେ ତୁମେ ଦୁଷ୍କର୍ମ କର। ଯଦି ମଣିଷ ବୁଝିଯାଏ ଯେ ଭଗବାନ ପ୍ରତ୍ୟେକ ଜୀବ ସହ ସାକ୍ଷୀ ରୂପେ ରହିଛନ୍ତି, ତେବେ ସେ କଦାପି କିଛି ଭୁଲ୍‌ କରିବନି- ଏହାହିଁ ସତ୍ୟ ଏବ˚ ଏତିକି ବୁଝିବା ଓ ଅନୁଭବ କରିବା ବ୍ୟକ୍ତି ମୋର ପ୍ରିୟ; ଠିକ୍‌ ଯେମିତି ତୁମେ, ଅକ୍ରୁର, ଅର୍ଜୁନ, ହନୁମାନ, ଜନକ ଏବ˚ ଆହୁରି ଅନେକ!’’

ଗୁରୁକୃପା, ୪୯/୬୦୦, ଲକ୍ଷ୍ମୀବିହାର
ଭୁବନେଶ୍ବର-୭୫୧୦୦୫

ସମ୍ବନ୍ଧିତ ଖବର