ପ୍ରକୃତ ନାରୀ ଭାବ

ପ୍ରୀତୀଶ ଆଚାର୍ଯ୍ୟ

ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପ୍ରଥମ ଥର ଲାଗି ପାଳିତ ହେଲା ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କରେ, ୧୯୧୧ ମସିହାରେ। ପରବର୍ତ୍ତୀ ସମୟରେ ଏହା ବିଶ୍ବ ମାନ୍ୟତା ଲାଭ କଲା। ତା’ର ତିନିବର୍ଷ ପୂର୍ବରୁ ୧୯୦୮ରେ ଫେବ୍ରୁଆରି ୨୮ ତାରିଖରେ ପନ୍ଦର ହଜାର ସରିକି କର୍ମଜୀବୀ ମହିଳା ସେଠାରେ ଶିଳ୍ପ କାରଖାନାରେ ପୁରୁଷମାନଙ୍କ ସହ ସମାନ ବେତନ ଏବ˚ ଭୋଟ ଅଧିକାର ଦାବି କରି ହରତାଳ କରିଥିଲେ। ସେବେଠାରୁ ମହିଳା ଦିବସ ପାଳନ ପଛର ଉଦ୍ଦେଶ୍ୟ ହେଲା, ମହିଳାମାନଙ୍କର ସାମାଜିକ ମହତ୍ତ୍ବକୁ ତଥା ସମାଜ ଗଠନରେ ସେମାନଙ୍କ ଭୂମିକାକୁ ସ୍ବୀକାର କରିବାର ମାନସିକତା ସୃଷ୍ଟି କରିବା। ସ˚ଭବତଃ ଆରମ୍ଭରୁ ସମଗ୍ର ବିଶ୍ବ ସମାଜ ହେଲା ପୁରୁଷ ତାନ୍ତ୍ରିକ। ଯେଉଁ କେତେକ ସ୍ଥାନରେ ଏହା ମାତୃକୈନ୍ଦ୍ରିକ ସେଠାରେ ମଧୢ ପୁରୁଷ ତାନ୍ତ୍ରିକତା ଊଣା ନୁହେଁ। ମହିଳା ଉପରେ ସେଠାରେ ବୋଝ ଅଧିକ, କାରଣ ପରିବାର ଚଳାଇବା ସହିତ ତାକୁ ପରିବାରର ଆର୍ଥିକ ଦାୟିତ୍ବ ମଧୢ ନେବାକୁ ପଡ଼ିଥାଏ। ଏହି ସବୁ ଦିଗ ପ୍ରତି ସଚେତନ ହେବା ସକାଶେ ‘ମହିଳା ଦିବସ’ର ପାଳନ ସମାଜକୁ ଆହ୍ବାନ କରେ। ଏକଥା ସତ ଯେ, ପ୍ରତିବର୍ଷ ମହିଳା ଦିବସ ପାଳନ ସତ୍ତ୍ବେ ଲୈ˚ଗିକ ସାମ୍ୟ ହାସଲ ହୋଇନାହିଁ, ଯାହା ସଚେତନତା ସୃଷ୍ଟି କରିବାର ବିଭିନ୍ନ ପ୍ରୟାସକୁ ଅନାବଶ୍ୟକ ସିଦ୍ଧ କରିବା ପରିବର୍ତ୍ତେ ଅଧିକ ପ୍ରାସଙ୍ଗିକ କରାଏ- ଏଥିରେ ଦ୍ବିରୁକ୍ତି ନାହିଁ।

ବିଭିନ୍ନ ସମୟରେ ମହିଳାମାନଙ୍କର ବ୍ୟକ୍ତିଗତ ଏବ˚ ସାମୁଦାୟିକ ସଫଳତା ଚର୍ଚ୍ଚା କରିବା ହେବ ମହିଳା ଦିବସ ପାଳନର ଅନ୍ୟତମ ମାର୍ଗ। ଏହି ସଫଳତାକୁ ଅନୁଧୢାନ କଲେ ଜଣାଯାଏ ଯେ, ସ୍ବାଭାବିକ ଭାବେ ମହିଳା ସର୍ବଦା ପୁରୁଷ ତାନ୍ତ୍ରିକତାକୁ ପ୍ରତିରୋଧ କରେ, ମାତ୍ର ପୁରୁଷକୁ ଶତ୍ରୁ ବୋଲି ଜାଣେ ନାହିଁ। ଏପରିକି ନାରୀବାଦକୁ ମଧୢ ସାମାନ୍ୟ ତଳେଇ କରି ଦେଖିଲେ ଏହା ଅନୁଭୂତ ହୁଏ। ଯେଉଁ ମହିଳା ନାରୀବାଦୀ ବୋଲାଇବାର ଆଳରେ ପୁରୁଷକୁ ସମାଜ ଗଠନରେ ଶତ୍ରୁ ମଣନ୍ତି, ସେମାନେ ପୁରୁଷ ତାନ୍ତ୍ରିକତାର ବିକଳ୍ପ ଭାବରେ କଳ୍ପିତ ‘ନାରୀତାନ୍ତ୍ରିକତା’କୁ ଖୋଜନ୍ତି, ଯାହା କଦାପି ଏକ ଆଦର୍ଶ ସମାଜ ନୁହେଁ; ଏହା ପ୍ରକୃତ ନାରୀବାଦ ମଧୢ ନୁହେଁ। ପୁରୁଷ ଓ ନାରୀ ଯେ କୌଣସି ସମାଜର ଦୁଇଟି ଅଭିନ୍ନ ଅଙ୍ଗ ଏବ˚ ଉଭୟ ଅଙ୍ଗର ମୋଟ ଭୂମିକା ଅପର ତୁଳନାରେ କସ୍ମିନ କାଳେ କମ ବା ଅଧିକ ନୁହେଁ। ଗୋଟାଏକୁ ଅଧିକ ମହତ୍ତ୍ବପୂର୍ଣ୍ଣ ମନେ କରିବା ଅର୍ଥ ଅଜାଣତରେ ହେଉ ପଛେ ଅନ୍ୟକୁ ନ୍ୟୂନ ମନେ କରିବା। ପୁରୁଷତାନ୍ତ୍ରିକତା ଭଳି ଏହା ଏକା ମାତ୍ରାରେ ବିପଦପୂର୍ଣ୍ଣ ଏବ˚ ପରୋକ୍ଷରେ ପୁରୁଷତାନ୍ତ୍ରିକତାକୁ ହିଁ ଅଧିକ କର୍ତ୍ତୃତ୍ବ ଯୋଗାଇଥାଏ। ଏହି କର୍ତ୍ତୃତ୍ବ କଦାପି ‘‘ବଳ’’ ପଦବାଚ୍ୟ ନୁହେଁ, ବର˚ ‘‘ପଶୁବଳ’’ ସଦୃଶ- ଏଥିରେ ଦ୍ବିରୁକ୍ତି ନାହିଁ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜଣେ ମହିଳା ରମାଦେବୀଙ୍କର ବିଚାର ଏବ˚ ଜୀବନର ଚର୍ଚ୍ଚା ଖୁବ ଅଧିକ ପ୍ରାସଙ୍ଗିକ ମନେହୁଏ। ରମାଦେବୀଙ୍କର ଜନ୍ମ ୧୮୯୯ ମସିହାରେ; ଦେହାନ୍ତ ହେଲା ଛୟାଅଶୀ ବର୍ଷ ବୟସରେ ୧୯୮୫ ମସିହାରେ। ତାଙ୍କ ଜୀବନ-ସାରଣୀକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ବାପା ଗୋପାଳବଲ୍ଲଭ ଏବ˚ ବଡ଼ବାପା ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ଉଚ୍ଚ ଶିକ୍ଷିତ ହେବା ସତ୍ତ୍ବେ, ପରିବାରରେ କନ୍ୟାମାନଙ୍କର, ଯେମିତି ରମାଦେବୀଙ୍କର, କୌଣସି ଔପଚାରିକ ଶିକ୍ଷା ନ ଥିଲା। ଆଦ୍ୟ କିଶୋରାବସ୍ଥାରେ ମାତ୍ର ୧୫ ବର୍ଷ ବୟସରେ ତାଙ୍କର ବାହାଘର ସରିଥିଲା। ୧୯୨୦ରେ ଯେତେବେଳେ ତାଙ୍କୁ ମାତ୍ର ୨୧ ବର୍ଷ ବୟସ, ସେତେବେଳକୁ ସେ ତିନିଟି ଛୁଆର ମା’ ହୋଇ ସାରିଥିଲେ। ୧୯୧୫ରେ ବିବାହର ମାତ୍ର ଏକ ବର୍ଷ ମଧୢରେ ପରିବାରର ଏକମାତ୍ର ରୋଜଗାରିଆ ଶ୍ବଶୁର ଗୋକୁଳାନନ୍ଦ ଚୌଧୁରୀଙ୍କ ମୃତ୍ୟୁ ହେଲା ଏବ˚ ତଦୁତ୍ତାରୁ ପରିବାର ନାନା ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲା। ଏହାର କିଛି ବର୍ଷ ପରେ ସ୍ବାମୀ ଗୋପବନ୍ଧୁ ଚୌଧୁରୀ ସରକାରୀ ଚାକିରିରେ ଅବସ୍ଥାପିତ ହେଲେ, ମାତ୍ର ୧୯୨୦ରେ ଚାକିରି ଜୀବନ ପ୍ରତି ବୀତସ୍ପୃହ ହୋଇ ସେ ଜାତୀୟତା ଆନ୍ଦୋଳନରେ ଝାସ ଦେବାକୁ ନିଷ୍ପତ୍ତି ନେଲେ ଏବ˚ ତାଙ୍କ ନିଷ୍ପତ୍ତିକୁ ପତ୍ନୀ ଭାବରେ ରମାଦେବୀ ଉପସ୍ଥିତ ସ୍ଥିତିରେ ସୁଦ୍ଧା ଆନ୍ତରିକତାର ସହିତ ଅନୁମୋଦନ କଲେ, କାରଣ ରମାଦେବୀଙ୍କ ବିଚାରରେ ଇଚ୍ଛା ଥିବା ସତ୍ତ୍ବେ ପତିଙ୍କର ଜାତୀୟ କାମରେ ଯୋଗ ନ ଦେବା ଏବ˚ ଇଚ୍ଛା ନ ଥିବା ସତ୍ତ୍ବେ ଇ˚ରେଜ ସରକାରର ଅଧୀନସ୍ଥ ହୋଇ ଚାକିରି କରିବା ଏକରକମର ଆତ୍ମଘାତ ସଦୃଶ! ୧୯୨୧ରେ ଅସହଯୋଗ ଆନ୍ଦୋଳନ ବେଳେ ଦିଅର ନବକୃଷ୍ଣ ଚୌଧୁରୀ କଲେଜ ପାଠ ଛାଡ଼ି ବଡ଼ ଭାଇଙ୍କ ମାର୍ଗରେ। ରମାଦେବୀଙ୍କ ପାଇଁ ସବୁଠାରୁ ଅଧିକ ପ୍ରତିବନ୍ଧ ସିଦ୍ଧ ହେଲା ବିଧବା ଶାଶୂ ପଦ୍ମାବତୀ ଦେବୀଙ୍କ ରକ୍ଷଣଶୀଳ ଏବ˚ ସାମନ୍ତୀ ସ୍ବଭାବ। ଅସ୍ପୃଶ୍ୟତା, ଜାତିପ୍ରଥା ଏବ˚ ପର୍ଦ୍ଦା ପ୍ରଥାର ବିରୋଧରେ ଅନୁଭୂତ ହେଉଥିବା ଜାତୀୟବାଦୀ ବିଚାରକୁ ସେ ଅସହ୍ୟ ମନେ କରନ୍ତି। ରୋଜଗାର ପନ୍ଥା ଛାଡ଼ି ଦୁଇ ଶିକ୍ଷିତ ପୁଅଙ୍କ ସମାଜ କାମରେ ମାତିବା ନିଷ୍ପତ୍ତିକୁ ସେ ବିରୋଧ କରନ୍ତି! ଏପରିକି ପୁଅ ବାହାଘରର ବର୍ଷକ ମଧୢରେ ଗୋକୁଳାନନ୍ଦ ଚୌଧୁରୀଙ୍କ ମୃତ୍ୟୁ ପାଇଁ ମଧୢ ସେ ପରୋକ୍ଷରେ ‘ଅଲକ୍ଷଣୀ’ ବୋହୂକୁ ଦାୟୀ କରନ୍ତି। ପଦ୍ମାବତୀଙ୍କ ବିଚାରରେ, ରମାଦେବୀ ବାରଣ କରିଥିଲେ ନିଶ୍ଚିତ ରୂପେ ଗୋପବନ୍ଧୁ ଏବ˚ ନବକୃଷ୍ଣ ‘ଘରବୁଡ଼ା’ ଜାତୀୟ କାମରୁ ନିବୃତ୍ତ ରହିଥାନ୍ତେ; ରୋଜଗାର ପନ୍ଥା ଧରିଥାନ୍ତେ। ଅର୍ଥାତ୍‌ ଶାଶୂଙ୍କ ବିଚାରରେ ବୋହୂ ରମାଦେବୀ ସମସ୍ତ ଦୁଃସ୍ଥିତିର ମୂଳ କାରଣ। ଶାଶୂଙ୍କ ବିଚାରକୁ ଭ୍ରମାତ୍ମକ ବୋଲି ସାହସ କରି ରମାଦେବୀ କହିପାରନ୍ତି ନାହିଁ।

ଏଭଳି ପ୍ରତିକୂଳତାର ସମ୍ମୁଖୀନ ହେଲେ ବ୍ୟକ୍ତି, ବିଶେଷ କରି ଗୃହିଣୀ ଜଣେ ମନ ଊଣା କରେ; ମନ ମାରି ଭାଗ୍ୟବାଦୀ ହୋଇଯାଏ; ନିଜ ସାମର୍ଥ୍ୟକୁ ଚିହ୍ନିବା ଛାଡ଼ି ଦିଏ। ଆତ୍ମବିଶ୍ବାସ ଶୂନ୍ୟ ହୋଇପଡ଼େ। ଅନେକ କ୍ଷେତ୍ରରେ ସେ ବିଦ୍ରୋହୀ ଭାବ ନେଇ ପ୍ରତିଶୋଧ ପରାୟଣ ହୁଏ। ପୁଣି, ଅନ୍ୟ କେତେକ କ୍ଷେତ୍ରରେ ସେ ସ୍ବାମୀ, ପାରିବାରିକ ପ୍ରତିପତ୍ତି, ଗହଣା-ଗାଣ୍ଠିର ମିଥ୍ୟା ଆବରଣକୁ ଉପଶମ ମନେ କରେ ଏବ˚ ନିଜର ସ୍ବତନ୍ତ୍ର ସତ୍ତାକୁ ଅଭିବ୍ୟକ୍ତ ହେବାକୁ ଅବସର ଦିଏ ନାହିଁ। ରମାଦେବୀଙ୍କ କ୍ଷେତ୍ରରେ ଏହାର ବିପରୀତ ଦେଖିବାକୁ ମିଳିଥିଲା। ୧୯୧୪ରେ ବାହାଘର ପରେ ପରେ ସେ କେବଳ ଘର କାମରେ ଏବ˚ ପରିବାର ସମ୍ଭାଳିବାରେ ସୀମତି ରହିବେ ନାହିଁ ଏବ˚ ସମାଜ କାମରେ ମଧୢ ମନଯୋଗ କରିବେ ବୋଲି ପତିଙ୍କ ଆଗରେ ନିଜ ମନକଥା ରଖିଥିଲେ ଏବ˚ ତା’ପାଇଁ ପତିଙ୍କ ପାଖରୁ ସହଯୋଗ ମାଗିଥିଲେ। ଏଥିପାଇଁ ତାଙ୍କୁ ପ୍ରେରଣା ମିଳିଥିଲା ତାଙ୍କର ପୈତୃକ ପରିବେଶରୁ। ଔପଚାରିକ ଶିକ୍ଷା ନ ଥିବା ସତ୍ତ୍ବେ ସେ ବାପାଙ୍କ ସାଙ୍ଗରେ ପୁରୀ, ମୁଜାଫରପୁର ଓ ଗୟା ଆଦି ସହରରେ ବାଲ୍ୟକାଳ କାଟିଥିଲେ ଏବ˚ ଗ୍ରାମୀଣ ସ˚କୀର୍ଣ୍ଣତାରୁ ବାହାରିବାର ଅବସର ପାଇଥିଲେ। ବଡ଼ବାପା ମଧୁବାବୁଙ୍କ କଟକ ବାସଭବନରେ ସାମୟିକ ଅବସ୍ଥାନ କାଳରେ ରକ୍ଷଣଶୀଳ ପର୍ଦ୍ଦା ପ୍ରଥା, ଜାତିପ୍ରଥା ଏବ˚ ଅସ୍ପୃଶ୍ୟତା ଆଦି ସାମାଜିକ ପର˚ପରାର ଅମାନ୍ୟତାକୁ ଅତି ନିକଟରୁ ସେ ଅନୁଭବ କରିଥିଲେ। ଉଦାହରଣ ସ୍ବରୂପ, ଦେଢ଼ଶୁର ହେବା ସତ୍ତ୍ବେ ମଧୁବାବୁ ରମାଦେବୀଙ୍କ ମା’ଙ୍କ ସହିତ କଥାଭାଷା କରନ୍ତି ଏବ˚ ବାପା ଗୋପାଳବଲ୍ଲଭ ଏହାକୁ ନାପସନ୍ଦ କରନ୍ତି ନାହିଁ। ଅସ୍ପୃଶ୍ୟତାକୁ ସେଠାରେ ପାଳନ କରାଯାଏ ନାହିଁ। ସ୍ବଦେଶୀକୁ ସମ୍ମାନ ମିଳେ। ଏଭଳି ସ୍ବାଚ୍ଛନ୍ଦ୍ୟତାର ପରିବେଶ ଠାରୁ ସ˚ପୂର୍ଣ୍ଣ ଭିନ୍ନ ଥିଲା ଶାଶୂଘର ପରିବେଶ। ରମାଦେବୀଙ୍କ ଜେଜେ ଶ୍ବଶୁରଙ୍କର ଜଣେ ରକ୍ଷିତା ଥିଲେ, ଯିଏ ଦିନ ରାତି ଘରର ଯାବତୀୟ କାମରେ ଲାଗିଥାନ୍ତି, ମାତ୍ର ଜଣେ ବ୍ୟକ୍ତି ଭାବରେ ସେ ସର୍ବଦା ଉପେକ୍ଷଣୀୟ। ‘ଧାଈ’ ବ୍ୟତୀତ ତାଙ୍କର ଅନ୍ୟ ନାମ ନାହିଁ; ଅଯାଚିତ ପୁତ୍ର ସନ୍ତାନ ତାଙ୍କର ଚୌଧୁରୀ ପରିବାରରେ ଚିର ଉପହସିତ! ନାରୀର ଏଭଳି ଏକ କରୁଣ ସ୍ଥିତି ରମାଦେବୀଙ୍କୁ ସମାଜ କାମ ପାଇଁ ଅଭିପ୍ରେରିତ କରିଥିଲା। ସମାଜରେ ଅବହେଳାର ଶିକାର ହେଉଥିବା ନାରୀକୁ ଅସ୍ମିତା ପ୍ରଦାନ କରିବା ଥିଲା ତାଙ୍କ ପାଇଁ ସମାଜ କାମ; କୌଣସି ପଦପଦବି ଏହି ଲକ୍ଷ୍ୟ ଆଗରେ ଥିଲା ସର୍ବଦା ଗୌଣ! ରକ୍ଷଣଶୀଳତା ଏବ˚ କୁସ˚ସ୍କାର ପାଇଁ ସେ କୌଣସି ବ୍ୟକ୍ତି ବଦଳରେ ମୋଟ ସାମାଜିକ ବ୍ୟବସ୍ଥାକୁ ଦାୟୀ କରିଥିଲେ ଏବ˚ ସାମାଜିକ କାର୍ଯ୍ୟକୁ ଜାତୀୟତାର ସମାର୍ଥବୋଧକ ମନେ କଲେ। ଏହି କାରଣରୁ ରମାଦେବୀଙ୍କ ଦୃଷ୍ଟିରେ ଜାତୀୟତା ଆନ୍ଦୋଳନ କେବଳ ବ୍ରିଟିସ ଶାସନର ବିରୋଧ ନ ଥିଲା, ସାଙ୍ଗରେ ଏହା ଲୈ˚ଗିକ ସାମ୍ୟ, ଜାତି ଆଧାରିତ ସମତାର ମାର୍ଗ ତଥା ବର୍ଣ୍ଣ ଓ ବର୍ଗ ଭେଦରୁ ନିବୃତ୍ତି ନିମନ୍ତେ ଏକ ଚିନ୍ତାକଳ୍ପ ସଦୃଶ ଥିଲା।

୧୯୨୧ରେ ଯେତେବେଳେ ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଲେ ଏବ˚ ବିଭିନ୍ନ ସ୍ଥାନରେ ଜନସଭା କଲେ ତାଙ୍କରି ଆକର୍ଷଣରେ ରମାଦେବୀ ବାହାର କାମ ଆଡ଼େ ଢଳିଲେ, ଯଦିଓ ଏହାର ସାତ ବର୍ଷ ଆଗରୁ ପତିଙ୍କ ପାଖରୁ ତା’ପାଇଁ ସ୍ବୀକୃତି ଆଣି ଆସିଥିଲେ। ପୁଣି, ୧୯୨୮ରେ ସେ ସାମାଜିକ ଏବ˚ ରାଜନୈତିକ କାମରେ ପ୍ରତ୍ୟକ୍ଷ ଭାବେ ସ˚ପୃକ୍ତ ହେଲେ ଯେତେବେଳେ ସେ ବରି ଆଶ୍ରମରେ ଯାଇ ରହିଲେ। ଅବଶ୍ୟ ତା’ପୂର୍ବରୁ ୧୯୨୧ରେ ସେ କଟକରେ ଗାନ୍ଧୀଙ୍କ ସଭାରେ ଏବ˚ ୧୯୨୨ରେ ଗୟା କ˚ଗ୍ରେସରେ ଯାଇ ଯୋଗ ଦେଇସାରିଥିଲେ, ଯାହାକୁ ପ୍ରତ୍ୟକ୍ଷ ସ˚ପୃକ୍ତି ପୂର୍ବର ପ୍ରସ୍ତୁତି ପର୍ବ ବୋଲି କୁହାଯିବ। ଅର୍ଥାତ୍‌, ୧୯୧୪ରୁ ୧୯୨୮ର ଦୀର୍ଘ ଅବଧିରେ ସେ ନିଜର ଶିଶୁ ସନ୍ତାନମାନଙ୍କର ଲାଳନ ପାଳନ, ପରିବାର କାମ ଏବ˚ ସର୍ବୋପରି ରକ୍ଷଣଶୀଳ ଶାଶୂଙ୍କର ମାନସିକ ସ୍ତରରେ ରାଜନୀତିକରଣ ପାଇଁ ସମସ୍ତ ସମୟ ଦେଲେ। ଫଳ ସ୍ବରୂପ, ସନ୍ତାନମାନେ (ମନମୋହନ ଏବ˚ ଅନ୍ନପୂର୍ଣ୍ଣା) ଏବ˚ ଶାଶୂ ମଧୢ ସମାଜ କାମ ନିମନ୍ତେ ପ୍ରସ୍ତୁତ ହେଲେ। ୧୯୨୭ ମସିହାରେ ନବକୃଷ୍ଣଙ୍କର ମାଳତୀ ସେନ୍‌ଙ୍କ ସହ ବିବାହ ହେଲା। ମାଳତୀ ଥିଲେ ଭିନ୍ନ ଜାତିର, ପୁଣି ବ˚ଗୀୟ। ସେଥିପାଇଁ ସେମାନଙ୍କ ବିବାହକୁ ଶାଶୂ ପଦ୍ମାବତୀ ତୀବ୍ର ବିରୋଧ କଲେ। ଏହି ସମୟରେ ରମାଦେବୀ ଯେଉଁ ଧୈର୍ଯ୍ୟର ସହିତ ଶାଶୂଙ୍କର ସର୍ତ୍ତ ମାନି ଶାଶୂଙ୍କୁ ଗୃହତ୍ୟାଗୀ ହେବାରୁ ନିବୃତ୍ତ ରଖିଲେ ଏବ˚ ଅନ୍ୟ ପକ୍ଷରେ ବିଜାତୀୟ ବିବାହକୁ ମଧୢ ପାରିବାରିକ ସ୍ବୀକୃତି ଦିଆଇଲେ ତାହା ଜଣେ ମହିଳାର ମହନୀୟତାକୁ ଦର୍ଶାଏ। ଏହା ସିଦ୍ଧ କରେ ଯେ ସମସ୍ତଙ୍କୁ ନେଇ ଚଳିବାର ଭାବ ରମାଦେବୀଙ୍କୁ ପରିବାରରୁ ମିଳିଥିଲା ଏବ˚ ତାକୁ ଆଶ୍ରମର ଏବ˚ ଜାତୀୟତା ଆନ୍ଦୋଳନର ବ୍ୟାପକ ପରିବେଶରେ ସେ କେବଳ ମାତ୍ର ଅଧିକ ଆୟତ୍ତ କରିଥିଲେ; ଓଡ଼ିଶା ସ୍ତରରେ ‘ମା’ର ସର୍ବନାମ ଲାଭ କରିବା ପାଇଁ ସମର୍ଥ ହୋଇଥିଲେ। ଯେଉଁ ସମାବେଷ୍ଟୀ ଭାବ ଗାନ୍ଧୀ ରାଜନୀତିରେ ଏବ˚ ଯେଉଁ ଭାବ ଲାଗି ଗାନ୍ଧୀ ‘ବାପୁ’ ବୋଲାଇବାର ସାମର୍ଥ୍ୟ ରଖନ୍ତି, ଆଞ୍ଚଳିକ ସ୍ତରରେ ସେହି ସମାବେଷ୍ଟୀ ଭାବ ରମାଦେବୀଙ୍କ ଠାରେ ମଧୢ ପରିଲକ୍ଷିତ ହୁଏ। ଗାନ୍ଧୀ ରାଜନୀତି କିମ୍ବା ରମାଦେବୀଙ୍କ ସାମାଜିକତା ସେଥିପାଇଁ କସ୍ମିନକାଳେ ତା’ର ପ୍ରାସ˚ଗିକତା ହରାଏ ନାହିଁ।

ରମାଦେବୀ ଜଣେ ସ୍ବାଧୀନତା ସ˚ଗ୍ରାମୀ ଭାବରେ ୧୯୩୦, ୧୯୩୨ ଏବ˚ ୧୯୪୨ରେ ତିନି ତିନି ଥର କାରାବରଣ କରିଥିଲେ; ୧୯୩୪ରେ ମହାତ୍ମା ଗାନ୍ଧୀଙ୍କ ସାଙ୍ଗରେ କୋଡ଼ିଏ ଦିନ ପ୍ରାୟ ଓଡ଼ିଶାରେ ହରିଜନ ପଦଯାତ୍ରା କରିଥିଲେ; ୧୯୫୦ ଦଶକରେ ବିନୋବା ଭାବେଙ୍କ ସାଙ୍ଗରେ ମିଶି ଭୂଦାନ ଯାତ୍ରା କରିଥିଲେ; ୧୯୬୨ରେ ଚୀନ୍‌ ଆକ୍ରମଣ ବେଳେ ଉତ୍ତର-ପୂର୍ବା˚ଚଳରେ ଗାଁ ଗାଁ ବୁଲିଥିଲେ; ୧୯୬୪ରେ ରାଉରକେଲାରେ ସା˚ପ୍ରଦାୟିକ ଦଙ୍ଗା ବେଳେ ଘର ଘର ବୁଲି ଶାନ୍ତି ଏବ˚ ଧର୍ମ ନିରପେକ୍ଷତାର ମହତ୍ତ୍ବକୁ ଦର୍ଶାଇଥିଲେ; ପୁଣି, ୧୯୭୫ରେ ବିନୋବା ଭାବେଙ୍କୁ ବିରୋଧ କରି ଜରୁରୀ ପରିସ୍ଥିତିର ପ୍ରତିରୋଧ କରିଥିଲେ ଏବ˚ ଦୀର୍ଘ ଅବଧି ପାଇଁ ସେ କାରାବରଣ କରିଥିଲେ। କେବଳ ଏତିକି ନୁହେଁ, ଏଭଳି ସାର୍ବଜନୀନ କାମରେ ନିଜର ପୁତ୍ର, କନ୍ୟା, ପତି, ଦିଅର, ଭାଉଜ; ସମସ୍ତକୁ ସେ ସାଙ୍ଗରେ ନେଇ ଚାଲିଥିଲେ। ଏହି ସମାବେଷ୍ଟୀ ଭାବ ହେଲା ତାଙ୍କ ଅନ୍ତର୍ନିହିତ ନାରୀ ଭାବର ପ୍ରକୃତ ପ୍ରତିଫଳନ! ଏହା ପୁରୁଷ ତୁଲ୍ୟ ହେବାକୁ ନାରୀର ଆଦର୍ଶ ରୂପେ ଦେଖେ ନାହିଁ କି ପୁରୁଷ ସମାଜକୁ ଶତ୍ରୁ ରୂପେ ଦେଖେନାହିଁ। ଔପଚାରିକ ଶିକ୍ଷା ଏବ˚ ତାତ୍ତ୍ବିକ ଜ୍ଞାନରୁ ଦୂରରେ ରହିଥିବା ରମାଦେବୀଙ୍କର ଏହି ଉପଲବ୍‌ଧି ଜଣେ ସାଧାରଣ ମହିଳାର ଅସୀମିତ ସାମର୍ଥ୍ୟକୁ ଚିହ୍ନିତ କରେ। ଏହାକୁ ହୃଦୟଙ୍ଗମ କରିପାରିଲେ ହୁଏତ ମୋଟ ସମାଜର ପୁରୁଷତାନ୍ତ୍ରିକତାର କର୍ତ୍ତୃତ୍ବରୁ ବିମୁକ୍ତ ହେବାର ବାଟ ଫିଟିବ। ଏଠାରେ ରମାଦେବୀ ଏକ ପ୍ରତୀକ ମାତ୍ର। ପୁରୁଷ ସମାଜ ତା’ର ଆଖପାଖରେ ଦେଖିଥିବା ଅନେକ ମା’, ଭଉଣୀ, ପତ୍ନୀ ଏବ˚ କନ୍ୟାଠାରେ ସେହି ଏକା ଧରଣର ମହନୀୟତା, ଅସୀମିତ ସାମର୍ଥ୍ୟ ଏବ˚ ସମାବେଷ୍ଟୀ ଭାବକୁ ମଧୢ ଚାହିଁଲେ ଦେଖିପାରିବ! ତା’ର ସେହି ଉଦାର ଦୃଷ୍ଟି ମହିଳା ଦିବସର ତାତ୍ପର୍ଯ୍ୟକୁ ଅନୁଭବ କରିବାରେ ମଧୢ ସାହାଯ୍ୟ କରିବ।

[email protected]

ସମ୍ବନ୍ଧିତ ଖବର