ତେଲ ତେଲର କଥା

ସତ୍ୟନାରାୟଣ ଗନ୍ତାୟତ

ଆପଣ ପଚାରିଲେଟି ‘ଆଜିକାଲି କ’ଣ ଚାଲିଚି?

ହେଲେ ଆଜ୍ଞା, ଆପଣ ତ ସବୁ ଦେଖୁଚନ୍ତି, ସବୁ ଜାଣୁଚନ୍ତି ଓ ସବୁ ବୁଝୁଚନ୍ତି! ପୁଣି ପଚାରୁଚନ୍ତି? କ’ଣ କହିଲେ? ଆମେ କାଳେ ତା’ ଠଉଁ କିଛି ନା କିଛି ଅଧିକ ଜାଣି ପକାଇଥିବୁ? ଓଃ ଏମନ୍ତ ଠଉରାଇ ନେଇଛନ୍ତି ତେବେ! ସୁତରାଂ ଏମିତି ପ୍ରଶ୍ନଟିଏ ପଚାରି ପକାଇଲେ ଆପଣ?
ତେବେ, ଏହାର ଉତ୍ତରଟିଏ ଦେବା ପାଇଁ ଆମେ ସଜବାଜ ହେଉଛୁ, ଏତିକି ବେଳେ ଅଚାନକ ଶୁଭିଲା- ‘ଆଜ୍ଞା, ଆଜିକାଲି ସବୁଠି ତେଲ ହିଁ ଚାଲିଚି!’

କିଏ ଏମନ୍ତ କହିଲେ? ପହିଲେ ତ ଆମେ ଏମିତି କଥାଟିଏ ଶୁଣି ଚମକି ଗଲୁ। କିନ୍ତୁ ଦେଖିଲୁ ମନ୍ଦିରରେ ରୋଷେଇ କରୁଥିବା ଜଣେ ପରିଚିତ ପୂଝାରୀ ନନା କାହୁଁ ଆସି ସେଠାରେ ହାବୁଡ଼ି ଯାଇଚନ୍ତି ଓ ମୁଁ ଯେଉଁ ଉତ୍ତର ଦେବା ଲାଗି ଭାବି ହେଉଥିଲି, ସେ ଉତ୍ତରଟି ଦେଇ ପକାଇଛନ୍ତି।
ତହୁଁ ହେଜକୁ ଆସିଗଲା ଆମ ଠେଇଁ ଥିବା ଆଳୁ ଦୋଷଟି କଥା। କଥା ହେଲା, କୌଣସି ବିଷୟରେ ଭାବିବା ସୁରୁ କଲା ବେଳେ ଆମ ମନ ଗହନର କଥା ଆମ ଅଜାଣତରେ ଆପଣା ଛାଏଁ ଆମ ମୁଖରୁ ନିର୍ଗତ ହୋଇଥାଏ। ସୁତରାଂ ମୋର ମୁହଁରୁ ବାହାରୁଥିବା ବିଡ଼ିବିଡ଼ି କଥା ନନାଙ୍କୁ ଶୁଭି ଯାଇଛି। ଆଉ ତାହା ଶୁଣିବା ମାତ୍ରେ ତାଙ୍କ ମୁହଁରୁ ତତ୍କାଳ ଉତ୍ତରଟିଏ ନିର୍ଗତ ହୋଇ ଆମରି ଆଡ଼କୁ ଚାଲି ଆସିଛି।

ଆମେ ବି ଭାବିଲୁ: ଆରେ ହେ, ନନା କିଛି ନାକରା କଥାଟେ କହି ନାହାଁନ୍ତି ତ’! ଆମେ ବୁଝି ପାରିଲୁ ଯେ ମନ୍ଦିର ରୋଷେଇରେ ଘିଅ ବଦଳରେ ତେଲର ବ୍ୟବହାର ବଢ଼ିଥିବାରୁ ନନା ସେଇ କଥା ବୋଧହୁଏ କହୁଛନ୍ତି! କାରଣ ରୋଷେଇ ବାସରେ ଘିଅ ବ୍ୟବହାର ଆଉ କରୁଚି କିଏ?
ତାଙ୍କ କଥାର ଜବାବରେ ଆମେ କହିଲୁ: ନନା, ଆପଣ ଠିକ୍ କହିଛନ୍ତି। ଆଜିକାଲି ପେଟ ବେମାରି ସଭିଙ୍କୁ ବେହାଲ କରୁଚି। ତେଣୁ ରନ୍ଧାରନ୍ଧିରେ ଘିଅ ବଦଳରେ ତେଲ ଚାଲିଲେ ଭଲ।

ନନା ଏହା ଶୁଣି ସହାସ୍ୟ ମୁଣ୍ଡ ଟୁଙ୍ଗାରିଲେ। କିନ୍ତୁ ତା’ ପରେ ସେ ହଠାତ୍‌ ଆପଣା ବୁଦ୍ଧି ପ୍ରସୂତ କଥାଟିଏ କହି ଉଠିଲେ: ‘ଖାଲି ରନ୍ଧାରନ୍ଧି କାହିଁକି, ତେଲ କୋଉଠି ଦରକାର ନାହିଁ ଯେ? ତେଲ ସବୁଠି ଲୋଡ଼ା।’

ଏଥର କଥାଟା ଆମ ମଗଜରେ ବି ପଶି ଯାଇ ନୂଆ ରୂପ ପାଇଗଲା ଓ ଆମକୁ ଆହୁରି ଆଗକୁ ଭାବିବାକୁ ତଡ଼ି ନେଲା। ସତ କଥା ଏବେ ଭଲା ତେଲ କେଉଁଠି ଲୋଡ଼ା ନ ପଡୁଛି ସତେ?

ଆଃ, କେଡ଼େ ନିରୀହ ଏ ତେଲ! ‘ଏହା ବିନା କୋଉଠି ବାପ ମୁଣ୍ଡ ନୁଖୁରା ହୋଇ ରହିଛି; ଆଉ ଦେଖିଲା ବେଳକୁ ପୁଅ ଗୁଣମଣିର ଚୂଳ ଚହଟ ଚିକ୍କଣ!’

ଏ ପ୍ରସଙ୍ଗରୁ ମନେ ପଡ଼ିଗଲା ବହୁ ଦିନ ତଳର କଥା। ପିଲାଦିନେ ଆମ ଚାକିରି ହେଉ ହେଉ ଉଚ୍ଚ ପଦରେ ଆସୀନ ହୋଇ ପାରିଥିବା ଜଣେ ଅଗ୍ରଜପ୍ରପମଙ୍କୁ କଥାଟିଏ ପଚାରି ଥିଲୁ। ସୁତରାଂ, ସେ ଆମକୁ ଏଇଆ କହିଥିଲେ ଯେ ଉତ୍ତମ ଛାତ୍ର ହେଲେ ହୁଏ’ତ ଚାକିରିଟେ ପାଇଯିବ। କେବଳ ସେତିକିରେ ଚଳିବ ନାହିଁରେ ବାପ ଧନ, ଉତ୍ତମ ରୂପେ ତୈଳ ମର୍ଦ୍ଦନ ପୂର୍ବକ କିଭଳି ଆପଣା ସ୍ୱାର୍ଥ ସାଧନ କରି ପାରିବ ସେ ନେଇ କଠିନ ଅଭ୍ୟାସ ମଧ୍ୟ କରିବାକୁ ହେବ।

ଆମେ ଏ ଦିଗରେ କିନ୍ତୁ ଜାଣିଶୁଣି ନ ଆଗେଇଲେ ହେଁ ଏକ ହୀନିମାନିଆ ଜାତୀୟ ଚାକିରି ଜୀବନଟେ ଶଗଡ଼ ସୁଲଭ ଗତିରେ ଯାହିତାହି ଚଳାଇ ନେବା ବେଳେ ବିନା କାରଣରେ ବି ତଥାକଥିତ ବଡ଼ବଡ଼ିଆଦିଙ୍କୁ ନିଜ ଇଚ୍ଛା ବିରୋଧରେ ଯାଇ ଯେମନ୍ତ ସାକୁଲା ସାକୁଲି ପାକଳା ପାକଳି କରିଥାଉ, ତାହା ତେଲ ଘଷା ଛଡ଼ା ଆଉ କ’ଣ କି?

ହଁ। ସତ କଥା। ତେଲ ଏବେ କୋଉଠି ମରା ହେଉନି ଯେ? ବାହାରେ ତ ସର୍ବବ୍ୟାପୀ। ଘରେ ବି କୋଉ କମ୍ କି? ଘରଣୀଙ୍କ ପାଇଁ ତ ଏହା ଅତ୍ୟନ୍ତ ଜରୁରୀ। ନୋହିଲେ ଘର ସଂସାର ଇଞ୍ଚେ ବି ଘୁଞ୍ଚିବନି। ପିଲାଙ୍କୁ ବି ସେମାନଙ୍କ ମଙ୍ଗଳ ପାଇଁ ଦି ପଦ କହିବା ବେଳେ ଆଜିକାଲି ତେଲ ବୋଳି କଥା କହିବାକୁ ହେଉଛି। ଆଉ ବାପାମା’ଙ୍କୁ ଯଦି କୋମଳ ଭଙ୍ଗୀରେ ତେଲେଇ ନ କହିଲ ତ ଶୁଣିବ: ଯାଃ ସୁନାମୁଣ୍ଡା ପୁଅଟା ସୁଦ୍ଦୁ ମାଇପ ବୋଲା ହୋଇଗଲା!

ତା’ ମାନେ ତେଲ ଗୋଟେ ଦୃଷ୍ଟିରୁ ଦେଖିଲେ ଆଜିକାଲି ଶସ୍ତା। ଯେତେ ବୋଳୁଚ ବୋଳ। ସାଲିସ ନ କରି ବରଂ ମାଲିସ କର ଓ ସିଦ୍ଧି ପାଅ। ତେବେ ଭାଇ ମନେ ରଖ, ଦେଖି ଚାହିଁ ତେଲ ଢାଳ। କାରଣ ତାହା ବେଶୀ ଇଡ଼ି ଗଲେ ଆଉ ତେଲିଆ ହୋଇଗଲେ ନିଜେ ଇ କଚଡ଼‌ା ଖାଇ ପଡ଼ିବ।

ପୂଝାରୀ ମହାଶୟଙ୍କ ମୁହଁରୁ ଛିଟିକି ପଡ଼ିଥିବା କଥାକୁ ନେଇ ଆମେ ଏମନ୍ତ ଭାବି ଚାଲିଥିବା ବେଳେ ଅଚାନକ ଶୁଭିଲା ଏକ ଘନଘୋର ଗର୍ଜନ!
‘ତେଲ ଦର ବଢ଼ିବା ଚଳିବ ନାହିଁ’ ବୋଲି ଅତ୍ୟୁଚ୍ଚ ସ୍ୱରରେ କଳ ଗାଉଣାରେ ଗର୍ଜନ କରି ଗଗନ ପବନ କମ୍ପାଇ ଦେବା ଭଳି ଭୟାନକ ଦୃଶ୍ୟ ସୃଷ୍ଟି କରି ଏକ ଜନ ପଟୁଆର ଚାଲୁଥିବା ଦେଖାଗଲା। ଓଃ ଏହାରି ମୂଳରେ ବି ତେବେ ତେଲ?

ଏ ତେଲ ଏମନ୍ତ ଜାତୀୟ ଯେ ଲାଗୁଚି ସବୁ କିଛି ଅସଲରେ ଇଏ ହିଁ ଚଳାଉ ଥାଇଁ!! ଆଉ ଏହା ଦର ଏମିତି ଆକାଶ ଛୁଆଁ ହେବାର ନିଶାରେ ଚୁର୍ ହୋଇଗଲେ ତ କଥା ସଇଲା। ଯୋଉଠି ଥିବା ମାମଲା ସେଇଠି ଇ ଥିବ, ଇଞ୍ଚେ ବି ଘୁଞ୍ଚିବନି!

ହଁ ପୃଥିବୀଟା ଯଦି ଠାଏ ପୁରାଣରେ ବର୍ଣ୍ଣିତ ପୃଥିବୀ ବାଗିଆ ତିନି ପାଦର ପୃଥିବୀଟେ ପାଲଟି ଯାଆନ୍ତା, ତେବେ ପାଦ ପରେ ପାଦ ଥାପି କହି ହୁଅନ୍ତା ଯେ ତେଲ ଦର ବଢ଼ିଛି ତ! ଗାଡ଼ି ନ ଚାଲୁ! ପାଦ ଜିନ୍ଦାବାଦ।

ତେବେ ସେଡ଼େ ଭାଗ୍ୟ ଆମ ହେବ କି? ତେଲ ପାଇଁ ଯେ‌େତଯେତେ ଧରାପରା ହେଉଚି, ସିଏ ସେତେସେତେ ‘ମୋତେ ଛୁଁ, ମୋତେ ଛୁଁ’ ବୋଲି କହି ଖେଳି ଚାଲିଚି।

ଆଉ କ’ଣ , ଏତେ ବେଳକୁ ଆପଣ ବି ଠିକେ ଠିକେ ଜରୁର୍ ଜାଣି ସାରି ଯିବେଣି ଯେ ଆଜିକାଲି ଏମିତିଆ ବାଗରେ ଜୀବନ ଚାଲିଛି!

ସୁହାସିତମ୍, କସ୍ତୁରୀ ନଗର
ରାୟଗଡା: ୭୬୫୦୦୧
ମୋ- ୯୪୩୭୯୦୯୬୭୫

ସମ୍ବନ୍ଧିତ ଖବର