ଶେଷ ମାନ୍ତ୍ରିକ ମନୋଜ ଦାସ

ଗୌରହରି ଦାସ

ମନୋଜ ଦାସ କାହିଁକି ଏତେ ଲୋକପ୍ରିୟ? ଏ ପ୍ରଶ୍ନଟି ମନକୁ ବେଳେ ବେଳେ ଆସିବା ସ୍ବାଭାବିକ। କାରଣ ତାଙ୍କୁ ସ‌ମସ୍ତେ, କିଶୋରଠାରୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସଭିଏଁ ଭଲପାଉଥିଲେ, ତାଙ୍କ ସାହିତ୍ୟ ପଢୁଥିଲେ, ବକ୍ତୃତା ଶୁଣିବାକୁ ଧାଇଁ ଆସୁଥିଲେ। ସେ ଚାଲିଯିବାର ଏଗାର ଦିନ ବିତିଗଲାଣି। ଶୋକର ସେ ପରିବେଶ ସ୍ବାଭାବିକ ହୋଇନାହିଁ। ପ୍ରତିଦିନ ଶହ ଶହ ଶୋକବାର୍ତ୍ତା ଆସି ପହଞ୍ଚୁଛି।

ମନୋଜ ଦାସଙ୍କୁ ପ୍ରତ୍ୟେ‌େକ ନିଜର ବୋଲି ଦାବି କରିବାକୁ ଆଗ୍ରହୀ। ଏଥିରେ ସେମାନଙ୍କର ଆନନ୍ଦ। ଆକାଶରେ ଜହ୍ନ ଉଇଁଲାବେଳେ ତାର ପ୍ରତିବିମ୍ବ ଧରଣୀର ସମୁଦ୍ର, ନଦୀ, ପୁଷ୍କରିଣୀ ଏପରିକି ଅଗଣାର ଜଳପାତ୍ରରେ ପ୍ରତିଫଳିତ ହୋଇଥାଏ। ମାତ୍ର ଜହ୍ନ ନା ସମୁଦ୍ରର, ନା ନଦୀର, ନା ପୁଷ୍କରିଣୀର ନା ସେ ଜଳପାତ୍ରର। ସେ ଏସବୁରୁ ଊର୍ଦ୍ଧ୍ବରେ ନିଖିଳ ବିଶ୍ବର। ବିଶ୍ବଚେତନାର ଔଜ୍ଜ୍ବଲ୍ୟ ପାଇଁ ଜହ୍ନ ଜ୍ୟୋତ୍ସ୍ନା ସୃଷ୍ଟି ପରି ମଣିଷ ଚେତନାର ବିକାଶ ପାଇଁ ମନୋଜ ଦାସଙ୍କ ସୃଷ୍ଟି ସଦା ଉନ୍ମୁଖ।

ବହୁବର୍ଷ ଧରି ମନୋଜ ଦାସ ଗପ ଲେଖୁ ନ ଥିଲେ। ଥରେ ଏକଥା ଉଲ୍ଲେଖ କରି ଚିଠି ଖଣ୍ଡିଏ ଲେଖିଥିଲି। ସିଏ ସବୁ ଚିଠିର ଉତ୍ତର ଫେରାନ୍ତି। ଲେଖିଥିଲେ, ‘ସମୟ ଆସେ, ଅର୍ଜୁନଙ୍କୁ ମଧ୍ୟ ଗାଣ୍ଡୀବ ଥୋଇଦେବାକୁ ପଡ଼େ।’ ସେଦିନ ଅନୁଭବ କରିଥିଲି ନିଜର ସୃଜନ-ସମୟ ସଂପର୍କରେ ସେ କେତେ ସଚେତନ। ତାଙ୍କର ସାହିତ୍ୟ ଶୈଶବ, ସମୁଦ୍ର ଏବଂ ସନ୍ନ୍ୟାସ ଏଇ ତିନି ବିନ୍ଦୁରେ କେନ୍ଦ୍ରୀଭୂତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଈଶ୍ବର ତାଙ୍କୁ ଏକ ଅତ୍ୟନ୍ତ ଐଶ୍ବର୍ଯ୍ୟଶାଳୀ ପଲ୍ଲୀ ପରିବେଶ ଏବଂ କୋମଳ-ମଧୁର ଶୈଶବ ଦେଇଥିଲେ। କ୍ବଚିତ୍‌ କୌଣସି ଲେଖକଙ୍କ ଭାଗ୍ୟରେ ଏପରି ମଣିକାଞ୍ଚନ ସଂଯୋଗ ଦେଖିବାକୁ ମିଳିଥାଏ। ଗୋଟିଏ ମାତ୍ର ଉଦାହରଣ ଦେଲେ ଯଥେଷ୍ଟ। ଆମ ଭିତରୁ କେହି କେହି ପିଲାଦିନେ ବିଲେଇ କି କୁକୁର ଛୁଆ ପାଳିବାର ଅଭିଜ୍ଞତା ରଖିଥିବା; ମାତ୍ର ପିଲାଦିନେ ମନୋଜ ଦାସଙ୍କୁ ତାଙ୍କ ବଡ଼ ଭଉଣୀ ବାଘଛୁଆଟେ ପାଳିବା ଲାଗି ଦେଇଥିଲେ। ତାକୁ କିଶୋର ମନୋଜ ସାଙ୍ଗରେ ନେଇ ସ୍କୁଲ୍‌ ଯାଉଥିଲେ। ପିଲାଦିନେ, ବିଶ୍ବଯୁଦ୍ଧ ସମୟରେ ଭାସି ଆସିଥିବା ଏକ ଜାହାଜର କାଠପଟାରେ ନିର୍ମିତ ଖଟ ଉପରେ ସେ‌ ଶୋଉଥିଲେ। ସେତେବେଳେ ସେ ନିଜକୁ ସମୁଦ୍ର ବକ୍ଷରେ ଜଳତରୀ ମେଲେଇଥିବା ସିନ୍ଦବାଦ ବୋଲି ଭାବୁଥିଲେ। ଏମିତି ଅନେକ ଉଦାହରଣ ରହିଛି। ସେମିତି ସମୁଦ୍ର। ଜନ୍ମ ହୋଇଥିଲେ ବଙ୍ଗୋପସାଗର କୂଳ ଶଂଖାରିରେ, ଶେଷ ନିଃଶ୍ବାସ ନେଲେ ସେଇ ସମୁଦ୍ର କୂଳ ପଣ୍ଡିଚେରୀରେ। ଅଧିକାଂଶ ସମୟ ସେ ସମୁଦ୍ର କୂଳରେ ଠିଆହୋଇ ଆକାଶକୁ ଚାହୁଁଥିଲେ। ସମୁଦ୍ର ତାଙ୍କୁ ଦେଇଥିଲା ଗଭୀରତା, ଆକାଶ ଦେଇଥିଲା ବ୍ୟାପ୍ତି, ଅଧ୍ୟୟନ ଦେଇଥିଲା ଗଭୀର ପ୍ରଶାନ୍ତି। ଜୀବନସାରା ସେ ସଭିଙ୍କୁ ସବୁକିଛି ଦେଇ ଯାଇଛନ୍ତି ସନ୍ନ୍ୟାସୀ ପରି। କିଛି ନିଜ ପାଖରେ ରଖି ନାହାନ୍ତି। ତାଙ୍କ ପରି ସାରସ୍ବତ ସନ୍ନ୍ୟାସୀ ବିରଳ।

ମନୋଜ ଦାସ ଥିଲେ ଚେତନାର ଚୈତାଳି। ତାଙ୍କ ଲେଖା ପଢ଼ିଲେ ମଡ଼ା ମୁହଁରେ ହସ ଫୁଟେ, ଦୁର୍ବଳ ପାଏ ଛିଡ଼ାହେବାର ସାମର୍ଥ୍ୟ, ଅବୁଝା ଅବୋଲକରା ବୁଝିଯାଏ ଜୀବନ ରହସ୍ୟ, ଜିଜ୍ଞାସୁମାନେ ପଲ୍ଲବିତ ହୋଇଯାଆନ୍ତି ସେ ମଳୟ ସ୍ପର୍ଶରେ। ସେ ଥିଲେ ଭାରତୀୟ ସାହିତ୍ୟର ଶେଷ ମାନ୍ତ୍ରିକ, ଯାହାଙ୍କର ପ୍ରତ୍ୟେକ ଶବ୍ଦ ମନ୍ତ୍ର ପାଲଟି ଯାଉଥିଲା, ସାହିତ୍ୟ ହୋଇଯାଇଥିଲା ସଂଜୀବନୀ।

ଆଇନଷ୍ଟାଇନ ଗାନ୍ଧୀଙ୍କ ସଂପର୍କରେ କହିଥିବା ପରି, ବାସ୍ତବିକ ମନୋଜ ଦାସଙ୍କ ପରି ଜଣେ ଲେଖକ ଦିନେ ଏ ମାଟିରେ ଜନ୍ମ ହୋଇଥିଲେ, ଏ କଥାଟି ଆମର ଉତ୍ତର ପିଢ଼ି ବିଶ୍ବାସ କରିପାରିବେ ନାହିଁ। ସେହି ବିସ୍ମୟ ହିଁ ମନୋଜ ଦାସଙ୍କ ବିଶେଷତ୍ବ।

ମୋ: ୯୪୩୭୦୭୭୨୮୮
[email protected]

ସମ୍ବନ୍ଧିତ ଖବର