ନ୍ୟାୟପାଳିକା ନାଗରିକମାନଙ୍କ ଅଧିକାରକୁ ବଜାୟ ରଖିବା ଉଚିତ

ଆର.ସି ଲାହୋଟି

ଭାରତୀୟ ନିର୍ବାଚନ କମିସନଙ୍କ ମାମଲାରେ ସୁପ୍ରିମକୋର୍ଟ ନିକଟରେ ପ୍ରଦାନ କରିଥିବା ରାୟ ଏକ ନ୍ୟାୟିକ ରାଷ୍ଟ୍ରନୀତି-ପ୍ରବୀଣତାର ଉଦାହରଣ। ଏକ ମାମଲାର ଶୁଣାଣିବେଳେ ମାଡ୍ରାସ ଉଚ୍ଚନ୍ୟାୟାଳୟ କହିଥିଲେ, ନିର୍ବାଚନ କମିସନ କେତେକ ରାଜ୍ୟରେ ହେଉଥିବା ନିର୍ବାଚନ ସମୟରେ କୋଭିଡ୍‌ ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ। ଯାହାଫଳରେ, ମହାମାରୀ ଅଧିକ ବ୍ୟାପିଥିଲା। ଆହୁରି ମଧ୍ୟ କହିଥିଲେ, କୋଭିଡ୍‌-୧୯ ଦ୍ବିତୀୟ ଲହର ପାଇଁ ନିର୍ବାଚନ କମିସନ ହିଁ ଏକମାତ୍ର ଦାୟୀ ଏବଂ ଏଥିପାଇଁ କମିସନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଉଚିତ୍। ଉଚ୍ଚ ନ୍ୟାୟାଳୟର ଏହି ମନ୍ତବ୍ୟ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଏହାପରେ, ନିର୍ବାଚନ କମିସନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

ଏହି ପ୍ରସଙ୍ଗରେ କୌଣସି ସକାରାତ୍ମକ ରାୟ ନଦେଇ ସୁପ୍ରିମକୋର୍ଟ ଅତି ସୁନ୍ଦର ଭାବେ ହାଇକୋର୍ଟ ଓ ନିର୍ବାଚନ କମିସନଙ୍କ ମଧ୍ୟରେ ବିବାଦର ସମାଧାନ କରିଥିଲେ। ରାୟରେ ସୁପ୍ରିମକୋର୍ଟ ଅଦାଲତି କାର୍ଯ୍ୟର ରିପୋର୍ଟିଂ କରିବାରେ ଗଣମାଧ୍ୟମର ଅଧିକାର ସୁରକ୍ଷିତ ରହିବା ଆବଶ୍ୟକ ବୋଲି କହିଥିଲେ, ଯଦିଓ ଏହାକୁ ରେକର୍ଡଭୁକ୍ତ କରାଯାଇନାହିଁ। ଅନ୍ୟପଟେ, ନିର୍ବାଚନ କମିସନଙ୍କ ପ୍ରଦର୍ଶନର ପ୍ରଶଂସା କରିଥିଲେ, ଯାହାକୁ ରେକର୍ଡଭୁକ୍ତ କରାଯାଇଛି। ଏତଦ୍‌ବ୍ୟତୀତ ଶୁଣାଣି ଚାଲିଥିବା ସମୟରେ କୌଣସି ମନ୍ତବ୍ୟକୁ ଏକ ରାୟ କିମ୍ବା ନିଷ୍ପତ୍ତି ଭାବେ ବିଚାର କରାଯିବନାହିଁ ବୋଲି ମତ ରଖିବା ସହି ବାଚନିକ ମନ୍ତବ୍ୟର ପ୍ରଭାବକୁ ଖାରଜ କରିଦେଇଥିଲେ।

ସୁପ୍ରିମକୋର୍ଟ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସମୟରେ କୌଣସି ଶବ୍ଦର ବ୍ୟବହାରରେ କାର୍ପଣ୍ୟ ଦେଖାଇ ନ ଥିଲେ.. ‘ଉଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟ କଟୁକର ଥିଲା। ଶବ୍ଦାଳଙ୍କାର ଅନୁପଯୁକ୍ତ ଥିଲା। ଖୋଲା ଅଦାଲତରେ ଖାମଖିଆଲି ମନ୍ତବ୍ୟ ଦେବାବେଳେ ବିଚାରପତିମାନେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଉପରେ ଆମକୁ ଗୁରୁତ୍ବ ଦେବାକୁ ପଡିବ। ନଚେତ୍ ଅକ୍ଳେଶରେ ଏହାର ଭୁଲ ଅର୍ଥ ବାହାରିଯିବ। ଉଭୟେ ଖଣ୍ଡପୀଠ ଏବଂ ରାୟର ଭାଷା ନ୍ୟାୟିକ ଶିଷ୍ଟାଚାର ଉପରେ ପର୍ଯ୍ୟବେସିତ ହେବା ଆବଶ୍ୟକ।’

ଏକ ଉଚ୍ଚ ନ୍ୟାୟାଳୟ କେଉଁ ସ୍ତରର ସାବଧାନତା ଓ ସତର୍କତା ଅବଲମ୍ବନ କରିବେ, ନ୍ୟାୟିକ ସମୀକ୍ଷା କ୍ଷମତାର ସ୍ଵଭାବ ଓ ଦିଗଗୁଡିକ ସହିତ ସେସବୁର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଏହି କ୍ଷମତା ସମ୍ବିଧାନ ଦ୍ବାରା ନ୍ୟସ୍ତ କରାଯାଇଛି, ଯାହାର ସ୍ଥାନ ସବୁବେଳେ ଊର୍ଦ୍ଧ୍ବରେ। ଏହି ବାର୍ତ୍ତା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯେଉଁମାନେ ନ୍ୟାୟିକ ଆସନ ଅଳଙ୍କୃତ କରିଛନ୍ତି, ସରକାରଙ୍କ ପଦକ୍ଷେପ ଏବଂ ଅବହେଳା ଉପରେ ପ୍ରତିକ୍ରିୟା ରଖୁଛନ୍ତି ଏବଂ ଯେଉଁମାନଙ୍କ ସମ୍ମୁଖରେ ସରକାର ଏକପକ୍ଷ ଭାବେ ଛିଡ଼‌ା ହେଉଛନ୍ତି। ସେହି ଆସନରେ ବସିଥିବା ବ୍ୟକ୍ତିମାନେ ସଂଯମ ପ୍ରଦର୍ଶନରେ ବିଫଳ ହୋଇଛନ୍ତି। ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ଯେ, ‘ବିଚାରପତିମାନେ ଅସଂଯତ ମନ୍ତବ୍ୟ, ଅଶୋଭନୀୟ ଟିକାଟିପ୍ପଣୀ କିମ୍ବା କଠୋର ସମାଲୋଚନା ଦ୍ୱାରା ସେମାନଙ୍କ କ୍ଷମତାର ଅପବ୍ୟବହାର କରିପାରିବ ନାହିଁ। ଜଷ୍ଟିସ କେ. ଜଗନ୍ନାଥ ସେଟ୍ଟୀଙ୍କ ଏକ ମନ୍ତବ୍ୟକୁ ଉଦ୍ଧୃତ କରି କୋର୍ଟ କହିଛନ୍ତି, ବିଚାରପତିମାନଙ୍କ ଖଣ୍ଡପୀଠ କ୍ଷମତାର ଏକ ଆସନ। ସେନା ପାଇଁ କାର୍ଯ୍ୟଦକ୍ଷତା ଯେତିକି ଆବଶ୍ୟକ, ସାଧାରଣ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପାଇଁ ସଂଯମ ଏବଂ ଶୃଙ୍ଖଳା ମଧ୍ୟ ସେତିକି ଜରୁରୀ। ସଂଯମ ଏବଂ ନମ୍ରତା ବିଚାରପତିମାନଙ୍କ କ୍ଷମତାର ଏକ ଚିରନ୍ତନ ବିଷୟବସ୍ତୁ , ଯାହା ସେମାନଙ୍କୁ ସମ୍ମାନର ଅଧିକାରୀ କରାଇବା ସହିତ ନ୍ୟାୟପାଳିକାର ସ୍ଵାଧୀନତାକୁ ସୁରକ୍ଷା ପ୍ରଦାନ କରିଥାଏ। ‘ତମେ ଅନ୍ଧ ହୋଇପାର, କିନ୍ତୁ ଆମେ ନୁହଁ” ଏବଂ ଭିକ ମାଗ, କରଜ କର, ଚୋରି କର। କିନ୍ତୁ ଅକ୍ସିଜେନ ଆଣ’, ଭଳି ବାଚନିକ ମନ୍ତବ୍ୟ ନିଜ ଓକିଲଙ୍କ ଜରିଆରେ ପ୍ରଦାନ କରି ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ଏହା ଗଣମାଧ୍ୟମର ମୁଖ୍ୟ ପୃଷ୍ଠା ମଣ୍ଡନ କରିଛି।

ନିଜର ନାଗରିକମାନଙ୍କ ଜୀବନକୁ ସୁରକ୍ଷା ପ୍ରଦାନ କରିବା ତଥା ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ନିମନ୍ତେ ଆବଶ୍ୟକ ସମସ୍ତ ଉପକରଣ, ମାନବସମ୍ବଳ ଓ ସହାୟତା ଯୋଗାଇ ଦେବା ଏକ ରାଷ୍ଟ୍ରର କର୍ତବ୍ୟ। ତଥାପି ଅଦାଲତ ଏକଥା ମନେରଖିବା ଉଚିତ ଯେ, ଏହା ଏକ ଅଦ୍ଭୂତପୂର୍ବ ପରିସ୍ଥିତି। କୌଣସି ପ୍ରାଶାସନିକ କାର୍ଯ୍ୟର ନ୍ୟାୟିକ ସମୀକ୍ଷା କରିବା କ୍ଷମତାର ମୌଳିକ ନୀତିଗୁଡିକ ହେଉଛି, ଅଦାଲତ କେବଳ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ସମୀକ୍ଷା କରିପାରିବେ। ହେଲେ, ନିଷ୍ପତ୍ତିର ସମୀକ୍ଷା କରିପାରିବେ ନାହିଁ, ଯେପର୍ଯ୍ୟନ୍ତ ସେହି ନିଷ୍ପତ୍ତି ଅସାମ୍ବିଧାନିକ, ବେଆଇନ କିମ୍ବା ବିକୃତ ମନେ ନହୋଇଛି।

‘ଯଦି ତୁମ ସ୍ଥାନରେ ମୁଁ ଥାଆନ୍ତି, ତା’ ହେଲେ ଆହୁରି ଅଧିକ ଭଲ ନିଷ୍ପତ୍ତି ନିଆଯାଇପାରିଥାନ୍ତା’ର ଭାବନା ଦ୍ଵାରା ବଶୀଭୂତ ହୋଇ ଅଦାଲତ କାର୍ଯ୍ୟପାଳିକା ଉପରେ ଏହାର ନିଷ୍ପତ୍ତି ଥାପି ଦେଇପାରିବେ ନାହିଁ। ଅଦାଲତଗୁଡିକ ନିଜକୁ ପ୍ରଶ୍ନ କରିବା ଉଚିତ, ଯେ ପରିସ୍ଥିତି ସମ୍ପର୍କରେ ସେମାନେ ସରକାରଙ୍କଠାରୁ ଅଧିକ ଅବଗତ କି ? ଆବଶ୍ୟକୀୟ ବାସ୍ତବ ଘଟଣା ସମ୍ପର୍କରେ ସୂଚନା ହାସଲ ପାଇଁ ସେମାନଙ୍କ ନିକଟରେ ଉପାୟ ମହଜୁଦ୍ ଅଛି କି ? କୂଟନୀତି ଓ ରଣନୀତି ପ୍ରସ୍ତୁତି ବ୍ୟତୀତ ପରିସ୍ଥିତିର ଆବଶକ୍ୟତା ଅନୁଯାୟୀ ଦିନରାତି କାର୍ଯ୍ୟକରିବା ତଥା ରାତାରାତି ଓ ପ୍ରତି ମୁହୂର୍ତ୍ତରେ ନିଷ୍ପତ୍ତି ନେବା ଭଳି କାର୍ଯ୍ୟ ସମ୍ପର୍କରେ ଅଦାଲତର ପ୍ରକୋଷ୍ଠ (୧୧ରୁ ୧୫) ମଧ୍ୟରେ ବସି ରହି ସେମାନେ ନିର୍ଦ୍ଦେଶ ଜାରି କରିପାରିବେ କିମ୍ବା ନିର୍ଦ୍ଦେଶ ପ୍ରଦାନ ପ୍ରକ୍ରିୟା ଜାରି ରଖିପାରିବେ କି ?

ନ୍ୟାୟିକ ସକ୍ରିୟତାବାଦର ଯେତେ ଉଦାର ବ୍ୟାଖ୍ୟାକରଣ କରାଗଲେ ମଧ୍ୟ ଏହାର ଫଳାଫଳ ନକାରାତ୍ମକ ରହିବ ଏବଂ ଯଦି ଏହା ନ୍ୟାୟିକ ଶାସନର ଭୂମିକା ଗ୍ରହଣ କରେ, ତେବେ ଯେଉଁ ପ୍ରଶଂସନୀୟ ଉଦ୍ଦେଶ୍ୟ ନେଇ ଏହା ପ୍ରତିଷ୍ଠିତ ହୋଇଛି ସେହି ଲକ୍ଷ୍ୟ ହାସଲ କରିବାରେ ନିଶ୍ଚିତ ବିଫଳ ହେବ। କାର୍ଯ୍ୟ ସମ୍ପାଦାନ ପାଇଁ କାର୍ଯ୍ୟପାଳିକାକୁ ନିର୍ଦ୍ଦେଶ ଦେବା ଗୋଟିଏ କଥା , କିନ୍ତୁ ଯଦି ତମେ ନ କର ତା’ହେଲେ ଆମେ ଏହା କରିବୁ ବୋଲି ମନ୍ତବ୍ୟ ଦେବା ଠିକ୍ ନୁହେଁ।

ଶାସନର ତିନୋଟି ଅଙ୍ଗ; ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା- ପରସ୍ପର ମଧ୍ୟରେ ବିଶ୍ବାସ ରଖିବା ଉଚିତ। ଗୋଟିଏ ଅଙ୍ଗ ଅନ୍ୟଟିର କାର୍ଯ୍ୟ ସମ୍ପାଦାନ ପ୍ରକ୍ରିୟା କିମ୍ବା ଅବହେଳାର ସମୀକ୍ଷା, ଅପରପକ୍ଷର ପ୍ରମାଣିକତା ଅଭାବର ଆଳ ଦେଖାଇ ଆରମ୍ଭ କରିପାରିବନାହିଁ। ଏକ କାର୍ଯ୍ୟପାଳିକାର ତ୍ରୁଟି ସୁଧାରିବା ଏବଂ କାର୍ଯ୍ୟକରିବାର ଆବଶ୍ୟକତା ଥିବାବେଳେ ଯଦି ଏହା ଅବହେଳା ପ୍ରଦର୍ଶନ କରିଥାଏ, ତା’ହେଲେ ତାକୁ କାର୍ଯ୍ୟ ସମ୍ପାଦାନ ପାଇଁ ନିର୍ଦ୍ଦେଶ ଦେବାର କ୍ଷମତା ନ୍ୟାୟପାଳିକାର ରହିଛି। ଏହାଛଡ଼ା କାର୍ଯ୍ୟ ସମ୍ପାଦାନ ପାଇଁ ଦାୟିତ୍ବରେ ବନ୍ଧା ହୋଇଥିବା ରାଜ୍ୟଗୁଡିକର କାର୍ଯ୍ୟ ସମ୍ପାଦାନରେ ଜାଣି ଜାଣି ହେଉ ବା ଅଜାଣତରେ ବାଧକ ସାଜିବା ବିଷୟକୁ ନେଇ ଅଦାଲତଗୁଡିକ ସଚେତନ ହେବା ଆବଶ୍ୟକ। ଯାହାର ଲକ୍ଷଣ ଉପରେ ବିଜ୍ଞାନର ସମ୍ପୂର୍ଣ୍ଣ ଧାରଣା ନାହିଁ, ସେହିଭଳି ଏକ ଦାନବ ବିରୁଦ୍ଧରେ ଅହରହ ସଂଗ୍ରାମ କରୁଥିବା ସଚ୍ଚୋଟ ଏବଂ କର୍ତ୍ତବ୍ୟପରାୟଣ ଅଧିକାରୀମାନଙ୍କ ଏଭଳି କ୍ରୂର ମନ୍ତବ୍ୟ ହତୋତ୍ସାହିତ କରିବ। ଆମ୍ଭେମାନେ ଏକ ସଂଘୀୟ ବ୍ୟବସ୍ଥା ମଧ୍ୟରେ ରହିଛୁ, ଯେଉଁଠାରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟଗୁଡିକର ଆବଶ୍ୟକତା ପୂରଣ କରିବା ଦିଗରେ ଆଗଭର ହୋଇ କାର୍ଯ୍ୟ କରିବା ଉଚିତ। ସେହିଭଳି ଯଦି ସମ୍ବଳର ଉପଲବ୍ଧତା ସୀମିତ ଅଛି, ସେତେବେଳେ କେନ୍ଦ୍ରକୁ ରାଜ୍ୟଗୁଡିକର ପରସ୍ପର ବିରୋଧୀ ଦାବିଗୁଡିକୁ ସମଭାବାପନ୍ନ ଏବଂ ସୂକ୍ଷ୍ମ ସନ୍ତୁଳନ ଆଧାରରେ ପୂରଣ କରିବା ଆବଶ୍ୟକ।

ସଂଯମର ଅବଲମ୍ବନ ପୂର୍ବକ ଜନସାଧାରଣଙ୍କ ସାମ୍ବିଧାନିକ ଅଧକାରକୁ ଅକ୍ଷୁଣ୍ଣ ରଖାଗଲେ, ନିରପେକ୍ଷ ନ୍ୟାୟ ପ୍ରଦାନ ଉପରେ ସାଧାରଣରେ ବିଶ୍ବାସ ବୃଦ୍ଧି ପାଇବ। ଏକ ଗଣତନ୍ତ୍ରରେ ତିନୋଟି ଅଙ୍ଗ ମଧ୍ୟରେ କିଛିଟା ଉତ୍ତେଜନା ରହିଥାଏ, କିନ୍ତୁ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ଦାନବକୁ ପରାସ୍ତ କରିବା ସକାଶେ ତିନୋଟି ଯାକ ଅଙ୍ଗ ଏକଜୁଟ୍ ହୋଇ କାର୍ଯ୍ୟ କରିବା ଉଚିତ। ବିଚାରପତିମାନେ ମଧ୍ୟ ସାମାଜିକ ନେତୃତ୍ବର ଗୁଣ ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ଆଇନ ଶାସନର ରକ୍ଷାକାରୀ। ସେମାନଙ୍କ ମଧ୍ୟରେ ଉତ୍ସାହୀ ଗୁଣ ରହିବା ଆବଶ୍ୟକ, କିନ୍ତୁ ମ୍ୟାଟ୍ରିକ ଡେଭଲିଙ୍କ କହିବାନୁଯାୟୀ ପଥଭ୍ରଷ୍ଟ ଉତ୍ସାହ କ୍ବଚିତ୍ ନିରପେକ୍ଷ ହୋଇଥାଏ ଏବଂ ଏହାର ପରିଦୃଷ୍ଟତା ସହ କେବେ ବି ସାମଞ୍ଜସ୍ୟ ନ ଥାଏ।

‘ଦି ଜଜ୍ ଇନ ଏ ଡେମୋକ୍ରାସି’ ପୁସ୍ତକରେ ଆହରନ୍ ବାରାକ୍ ଲେଖୁଛନ୍ତି ଯେ, ସବୁଠାରୁ କଠିନ ସମୟରେ ନ୍ୟାୟପାଳିକା। ମାର୍ଗଦର୍ଶକ ହୋଇଥିବାରୁ ନ୍ୟାୟିକ ନୀତି ଏବଂ ବୈଚାରିକ ଦର୍ଶନ ନ୍ୟାୟପାଳିକାର ମୌଳିକ ଆଧାର। ନିଜର ସୀମିତତାକୁ ହୃଦୟଙ୍ଗମ କରିବାରେ ହିଁ ବିଚାରପତିମାନଙ୍କର ସାମର୍ଥ୍ୟ ପର୍ଯ୍ୟବେସିତ। କେଉଁ ପଥ ଚୟନ କରିବା ଉଚିତ, ସେ ସମ୍ପର୍କରେ ସେମାନଙ୍କ ନିକଟରେ। ଯେତିକି ପ୍ରଶ୍ନ ରହିଛି, କଠିନ ଆଇନଗତ ସମସ୍ୟାଗୁଡିକର ସମାଧାନକୁ ନେଇ ତା’ଠାରୁ ଅଧିକ ଉତ୍ତର ସେମାନଙ୍କ ନିକଟରେ ରହିଛି। ପ୍ରତ୍ୟେକ ମଣିଷ ଭୁଲ୍‌ କରିଥା’ନ୍ତି ଏବଂ ଉତ୍ତମ ନ୍ୟାୟିକ ଦର୍ଶନ ବ୍ୟତୀତ ବିଚାରପତିମାନଙ୍କ ପାଇଁ ଅନ୍ୟ କିଛି ବି ଯଥାର୍ଥ ବା ବ୍ୟାବହାରିକ ନୁହେଁ।

(ଲେଖକ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି)

ସମ୍ବନ୍ଧିତ ଖବର