‘ମାନବର ହସ୍ତେ ବହି ରୂପ, ଭାଗ୍ୟେ ତାର କରୁଛ ବିଦ୍ରୂପ। ଅନ୍ତର ଗୁହାରି, ଶୁଣ କି ତାହାରି? ଶୂନ୍ୟ ପ୍ରାଣ, ହେ ପାଷାଣ!’
ଏ କଥା ମୁଁ ଏକା କହୁନି! କବି ସଚ୍ଚି ରାଉତରାୟ ତୁମ ଉଦ୍ଦେଶ୍ୟରେ କହିଛନ୍ତି। ତମେ ସେଇଆ ନୁହଁ କି? ଏବେ ବୁଲିବାକୁ ବାହାରିଛ ତ, ଦେଖିବ ତୁମ ସୃଷ୍ଟିର ଅବସ୍ଥା କ’ଣ ହେଲାଣି! ତୁମେ ପରା ସୃଷ୍ଟିକର୍ତ୍ତା? ତା’ ହେଲେ ଏ ଦୁନିଆରେ ଏତେ ଦୁଃଖ, କ୍ଳେଶ ଭରି ଦେଇଛ କ’ଣ ପାଇଁ? କ’ଣ ପାଇଁ ସମଗ୍ର ବିଶ୍ବକୁ ଏ ମହାମାରୀ ପଠେଇ ହନ୍ତସନ୍ତ କଲ? ବୁଢା ବାପ-ମା’, ବିଧବା ପତ୍ନୀ, ଛେଉଣ୍ଡ ପିଲାଙ୍କୁ ଭରସା ଦେବ କିଏ? ଏଇଟା କ’ଣ ତୁମ ପରି ଜନ୍ମଦାତା କରିବା ଉଚିତ ହେଲା? ଓହୋ! ତୁମେ ପରା ଥରେ କହିଥିଲ, ‘କାଳୋଅସ୍ମି ଲୋକକ୍ଷୟକୃତ୍ ପ୍ରବୃଦ୍ଧୋ ଲୋକାନ୍ ସମାହର୍ତ୍ତୁମିହ ପ୍ରବୃତ୍ତଃ।’ ମୁଁ ମହାକାଳ। ପ୍ରାଣୀର ବିନାଶ ପାଇଁ ପ୍ରବୃତ୍ତ ହୋଇଛି। ଏବେ କ’ଣ ସେଇକଥା କରୁଛ କି?
ମୁଁ ମୂଳରୁ ଜାଣିଛି ତୁମେ ସ୍ବାର୍ଥପର। କାହାରି ସୁଖ ଦୁଃଖରେ ତୁମର କିଛି ଯାଏ ଆସେ ନାହିଁ। ତମେ ତ ତୁମ ନିଜ କାମ ପାଇଁ କାହାରି ପାଖରେ ଉତ୍ତରଦାୟୀ ନୁହଁ; ତୁମକୁ ଆହ୍ବାନ ଦେବାକୁ ପ୍ରତିଦ୍ବନ୍ଦ୍ବୀ କି ବିରୋଧୀ କେହି ନାହାନ୍ତି। ତୁମେ ନିଜେ ନିଜର ହିଁ ବିକଳ୍ପ। ତା’ ସତ୍ତ୍ବେ ଏତେ ମିଛସତ କହି ଭଣ୍ଡଉଛ କ’ଣ ପାଇଁ? ଭଲମନ୍ଦ ଟିକିଏ ଶୁଣୁନ କାହିଁକି?
ସେଦିନ କହିଲ, ‘ମୋର କିଛି ଲୋଡ଼ା ନାହିଁ। ମତେ ଫଳ, ଫୁଲ, ପତ୍ର, ଜଳ; ଯାହା ଦେଇଦେଲେ ମୋ ପେଟ ପୂରିଯିବ। କହିନ? ପ୍ରମାଣ ଦେବି? “ପତ୍ରଂ ପୁଷ୍ପଂ, ଫଳଂ, ତୋୟଂ ଯୋମେଭକ୍ତ୍ୟା ପ୍ରଯଚ୍ଛତି”- ଏ କଥା କିଏ କହିଥିଲା ଶୁଣେ? ତା’ ହେଲେ ତମ ଘରେ ଏତେ ପିଠାପଣା କ’ଣ ପାଇଁ ପ୍ରତିଦିନ ରନ୍ଧା ହେଉଛି? ଛପନ ପ୍ରକାରର ରନ୍ଧାବଢ଼ା ଖାଉଛି କିଏ? ତମେ କହିଲ ତମେ ସମସ୍ତଙ୍କୁ ଭଲ ପାଅ। ସ୍ନେହରେ ବାନ୍ଧି ରଖିଛ।
ତା’ହେଲେ ଗୋଟେ ନରକ ନାମରେ କଳାପାଣି ରଖିଛ କାହିଁକି? ଆଚ୍ଛା, କହିଲ ଦେଖି, ତମେ ତ ଘୋଷଣା କଲ ଯେ, ସମସ୍ତ ଜଗତ୍ ତମ ପେଟ ଭିତରେ ସମାହିତ। ମନୁଷ୍ୟ ତୁମ ମାୟାରେ ବଞ୍ଚିଛି। ତା’ହେଲେ ମନୁଷ୍ୟ ତା’ର ଭୁଲ ପାଇଁ, ତାର ପାପ କର୍ମ ପାଇଁ ନିଜେ ଦାୟୀ ହେବ କେମିତି? ତାହା ବି ତ ତୁମର ମାୟା ଯୋଗୁଁ ସେ କରି ବସିଲା ନା! ମୁକ୍ତ ଚିନ୍ତନ ପାଇଁ ତାକୁ ତୁମେ ସୁଯୋଗ ଦେଲ କେଉଁଠି? ତା’ହେଲେ ସେ ନରକ ଯିବ କାହିଁକି! କହୁଛ, ମୋତେ ପ୍ରାର୍ଥନା କର, ମାୟାରୁ ମୁକ୍ତି ମିଳିବ। ତା’ହେଲେ ମାୟା କରୁଛ କ’ଣ ପାଇଁ?
ତମର ଏ ଗୋଳମାଳିଆ କଥାଗୁଡ଼ାକ ଶୁଣି ଶୁଣି ମୁଣ୍ଡ ବିଗିଡ଼ି ଗଲାଣି। କହିଲ କ’ଣ ନା, ଧର୍ମର ରକ୍ଷା କରିବାକୁ ଆସିଥିଲ! ତା’ହେଲେ ସେ ଦୁଇ ଭାଇଙ୍କ ଜମିବାଡ଼ିକୁ ନେଇ ପାରିବାରିକ ଝଗଡ଼ା ଭିତରେ ପଶିଲ କାହିଁକି? ଏବେ କ’ଣ ଏ କଥା ହେଉନି? ତମେ ତା’ ଭିତରେ ନାକ ଗଳେଇବା କ’ଣ ଆବଶ୍ୟକ ଥିଲା? କେଉଁ ନାଗରିକ କେବେ ତୁମକୁ କହିଛି ଦୁର୍ଯ୍ୟୋଧନର ଶାସନରେ ଆମେ ଅତ୍ୟାଚାରିତ, ଆମକୁ ତ୍ରାଣ କର! ନିଜର ପକ୍ଷ ରଖିବାକୁ କହିଦେଲ, ‘ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେଯୁଗେ।’ କହିଲ ତ କହିଲ, ପୁଣି କାହିଁକି କହୁଛ, ‘ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂବ୍ରଜ?’ ସବୁ ଧର୍ମ ତ୍ୟାଗ କରି ମୋର ଶରଣ ନିଅ? ତମେ ଯଦି ଧର୍ମର ପୁନଃ ସଂସ୍ଥାପନ କଲ, ତା’ ହେଲେ ଆମେ ସେ ଧର୍ମାଚାର ଗ୍ରହଣ ନ କରି, ତାକୁ ପୁଣି ତ୍ୟାଗ କରିବୁ କାହିଁକି?
ଆଉ ଗୋଟେ ତମର ଦି’ ଆଡୁଆ କଥା ଶୁଣ। ସେଦିନ କ’ଣ କହିଥିଲ? “କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ।‘ କାମ କରିଯାଅ, ଫଳକୁ ଆଶା ରଖନି। ଫଳ ମୁଁ ଦେବି। ବାଃରେ ବାଃ! ଖଳନାୟକ! ଶ୍ରମିକ ଖଟିବେ, ମଜୁରି ନେଲା ବେଳକୁ ତମେ ଝାମ୍ପି ନେଇ ପାଞ୍ଚ ଦଶ ଧରେଇ ଦେଇ ବାକି ତକ ପକେଟ୍ରେ। ଏଇଥି ପାଇଁ ଆମ କବିସୂର୍ଯ୍ୟ ତୁମକୁ ‘ନାଗସାପ’ କହିଥିଲେ, ମନେ ଅଛି? କେତେ ଯେ ଗୋଳମାଳିଆ କଥା ତୁମର। ଏଣେ କହୁଛ କର୍ମ ହିଁ ଶ୍ରେଷ୍ଠ। କର୍ମ କରିବାକୁ ସମସ୍ତେ ଲାଗି ପଡ଼ିଲା ବେଳେ ପୁଣି କହୁଛ କର୍ମ କଲେ କିଛି ହେବନି, ଜ୍ଞାନ ହିଁ ସବୁକିଛି। ଏପଟେ କହୁଛ, ମୋର କେହି ପ୍ରିୟ ନୁହନ୍ତି କି ମୁଁ କାହାକୁ ଶ୍ରଦ୍ଧା କରେନି, ତା’ ପରେ ପରେ ଯୋଗ୍ୟତାର ଗୋଟେ ଲମ୍ବା ତାଲିକା ଦେଖାଇ କହୁଛ, ଏଇ ଏଇ ଯୋଗ୍ୟତା ଥିବା ବ୍ୟକ୍ତି ମୋର ଅତ୍ୟନ୍ତ ପ୍ରିୟ। ହେଲା ନା କଥାଟା ଦି’ଆଡୁଆ!
ଆଚ୍ଛା, ଆଉ ଗୋଟେ କଥା ପଚାରୁଛି। ଏ ଜାତି ପ୍ରଥାକୁ ତମେ ପ୍ରଶ୍ରୟ ଦେଇନ? ଥରେ ତମେ କହିଥିଲନା, “ଚାତୁର୍ବର୍ଣ୍ଣ୍ୟଂ ମୟାସୃଷ୍ଟ ଗୁଣ କର୍ମ ବିଭାଗଶଃ”। ଗୁଣ ଓ କର୍ମ ଆଧାରରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଜାତି ତମେ ସୃଷ୍ଟି କରିଛ। ତା’ ପରେ ପରେ ପୁଣି କହିଦେଲ, “ମାଂହି ପାର୍ଥ ବ୍ୟପାଶ୍ରିତ୍ୟ ଯେଅପିସ୍ୟୁଃ ପାପ ଯୋନୟଃ, ସ୍ତ୍ରୀୟୋ ବୈଶ୍ୟା ସ୍ତଥା ଶୂଦ୍ରାସ୍ତେଅପି ଯାନ୍ତି ପରାଂଗତିମ୍”। ବୈଶ୍ୟ, ଶୂଦ୍ର ତଥା ନୀଚ ଜାତିର ଯେ କେହି ବି ହୁଅନ୍ତୁ, ସେମାନେ ମୋର ଶରଣ ନେଲେ ପରମ ଗତିକୁ ପ୍ରାପ୍ତ ହେବେ। ଜାତି ସୃଷ୍ଟି କଲ କାହିଁକି ପୁଣି ବିଶେଷ ବ୍ୟବସ୍ଥା ଖଞ୍ଜିଲ କାହିଁକି! ତମେ ଯଦି ସର୍ବେସର୍ବା, ସବୁ ଯଜ୍ଞର ଭୋକ୍ତା ଏବଂ ତୁମ ଛଡ଼ା ଅନ୍ୟ କାହାରିକୁ ପୂଜା କରିବା ଅନୁଚିତ; ତା’ହେଲେ ଚାରିଆଡ଼େ ଏତେ ଦେବଦେବୀଙ୍କ ମନ୍ଦିର ଓ ପୂଜାର୍ଚ୍ଚନା କ’ଣ ପାଇଁ ଚାଲିଛି? ମୁହଁ ଖୋଲି ଆଉ ଥରେ କହି ଦେଉନ, ‘ଅହଂହି ସର୍ବଯଜ୍ଞାନାଂ ଭୋକ୍ତାଚ ପ୍ରଭୁରେବଚ’। ସମସ୍ତେ ଚେତି ଯାଆନ୍ତେ!
ଏବେ ମୁଁ ସ୍ଥିର କରିଛି, ତମ ଘର ଖାଲି କରିଦେବି। ଏମିତି ଗୋଟେ ଘରମାଲିକ ସାଙ୍ଗରେ କିଏ ରହିବ! ସବୁବେଳେ ଘୁଙ୍ଗା ମୁହଁ। କେତେବେଳେ କଥା ଟିକିଏ ହେବାର ନାହିଁ କି ଭଲମନ୍ଦ ଟିକିଏ ପଚାରି ଦେବା ନାହିଁ। ହାଏ, ହ୍ୟାଲୋ ଟିକିଏ ବି ନାହିଁ। ନୂଆ ଘରଟେ ଦେଖିଛି। ପଳେଇବି। ଆର ସନ ତମେ ବୁଲିବାକୁ ଯିବା ବେଳକୁ ହୁଏ’ତ ଚାଲି ଯାଇଥାଇପାରେ ବା ତା’ ପରେ କେବେ ଗୋଟେ। ସ୍ଥିର କରିସାରିଛି ମାନେ ତମର ଏ ଘର ଛାଡ଼ିବି ହିଁ ଛାଡ଼ିବି। ମୋ ନୂଆ ଘର ଚାରିପଟେ ବଡ଼ ବଗିଚା, ପାଖରେ ନଈ। ସେଠି ଅବଶ୍ୟ ମୁଁ ନ ଥିବି, ମୋ ଛାଇ ଥିବ। ତମେ ବି ଥିବ। କେବଳ ଆମେ ଦୁଇ ଜଣ। ଏଠିକା ପରି ଘୁଙ୍ଗା ମୁହଁ ନ କରି ତୁମେ ହସକୁରା, ଚୁଲୁବୁଲିଆ ହୋଇଥିବ। ମୁଁ ଯାହା ଯାହା ଏଠି ପଚାରିଲି, ସେ ସବୁର ଉତ୍ତର ସେଇଠି ତୁମଠୁ ଆଦାୟ କରିବି। ଦୁହେଁ ଖୁବ୍ ମଜା କରିବା। ତମେ ଗଛ ଡ଼ାଳରେ ବସି ବଂଶୀ ବଜେଇ ପୁରୁଣା ଗୀତ ସବୁର ଧୁନ୍ ଶୁଣେଇବ। ହଁ, ଆଜିଠୁ କହିଦେଉଛି, ମୋ ଘରକୁ ଆସି ମୋ ଦହିଗିନା କି ମୁଢ଼ି ଡବା ଉପରେ କେବେ ଆଖି ପକେଇବନି। ମୁଁ ଜାଣେ, ତମେ ଏ ସବୁ ପାଇଁ ବଡ ଟକରା।
ମୋ: ୯୩୩୭୬୪୮୬୩୮