ଚୀନ ସମସ୍ତଙ୍କ ମୁଣ୍ଡ ଫଟାଇବାକୁ ଚାହେଁ

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ପ୍ରାଚୀନ ଚୀନ୍‌ରେ ଗୋଟିଏ ଧାରଣା ପ୍ରଚଳିତ ଥିଲା ‘ଟିଆନସିଆ’। ଏହାର ମୋଟାମୋଟି ଅର୍ଥ ହେଲା, ‘ଆକାଶ ତଳର ସବୁ କିଛି’। ସେତେବେଳେ ଲୋକମାନେ କହୁଥିଲେ, ଈଶ୍ୱର, ସମ୍ରାଟ୍‌ଙ୍କ (ଚୀନ) ଉପରେ ସବୁ କିଛି ନ୍ୟସ୍ତ କରିଦେଇଛନ୍ତି। ସମ୍ରାଟ୍‌ ହେଉଛନ୍ତି ‘ଆକାଶର ପୁତ୍ର’। ସେ ବିଶ୍ୱରେ ରାଜତ୍ୱ କରିବେ, ଏ କଥା ଆକାଶ ନିର୍ଣ୍ଣୟ କରିଛି। ତେଣୁ ସମ୍ରାଟ୍‌ ହେଉଛନ୍ତି ବିଶ୍ୱର କେନ୍ଦ୍ର। ଆଉ ବାକୀ ଯେଉଁମାନେ ରହିଲେ ସେମାନେ ହେଲେ କରଦରାଜ୍ୟ ବା ଉପରାଜ୍ୟ। ଚୀନ୍‌ର ଏହି ପ୍ରାଚୀନ ବିଶ୍ୱାସକୁ ଆକଳନ କରିବାକୁ ହେଲେ ଗତ ସପ୍ତାହରେ ସେଠାରେ ଅାୟୋଜିତ ହୋଇଥିବା କମ୍ୟୁନିଷ୍ଟ ପାର୍ଟିର ସମ୍ମେଳନକୁ ବୁଝିବାକୁ ପଡ଼ିବ ଓ ସେଥିରେ ଭାଷଣ ଦେଇଥିବା ସେ ଦେଶର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କର ଭାଷଣ ଶୁଣିବାକୁ ପଡ଼ିବ।

୧୯୨୧ରେ ସୃଷ୍ଟି ହୋଇଥିବା ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ଏହି ମାସରେ ତା’ର ଶତବାର୍ଷିକୀ ପାଳନ କରିଛି। ବେଜିଂର କୁଖ୍ୟାତ ଓ ପ୍ରଖ୍ୟାତ ଟିଆନେନମେନ ଛକରେ ଟିଆନାନମେନ୍ ଫାଟକ ଉପରେ ଥିବା ବାଲକୋନିରୁ ବର୍ତ୍ତମାନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ୭୦,୦୦୦ ସମର୍ଥକମାନଙ୍କୁ ଭାଷଣ ଦେଇଥିଲେ। ଏମାନଙ୍କ ମଧ୍ୟରେ ସ୍କୁଲ ଛାତ୍ର ଓ ଦଳୀୟ କର୍ମୀମାନେ ଥିଲେ। ଏମାନଙ୍କୁ ବାଛି ବାଛି ଅଣାଯାଇଥିଲା। ଗୋଟିଏ ଘଣ୍ଟା ଧରି ସି ଜିନ୍‌ପିଙ୍ଗ୍‌ଙ୍କ ଭାଷଣକୁ ସେମାନେ ବାରମ୍ବାର ତାଳିମାରି ସମର୍ଥନ କରିଥିଲେ। ଗତ ୨ ବର୍ଷ ତଳେ ଚୀନ୍‌ର ସମ୍ବିଧାନ ସଂଶୋଧନ କରି ବ୍ୟବସ୍ଥା କରାଯାଇଛି ଯେ, ସି ଜିନ୍‌ପିଙ୍ଗ୍‌ ସାରା ଜୀବନ ଧରି ଚୀନ୍‌ର ପ୍ରତିଷ୍ଠାତା ମାଓ ସେ ତୁଙ୍ଗଙ୍କ ପରି ଆଜୀବନ ଦେଶର ରାଷ୍ଟ୍ରପତି ରହିବେ। ସି ଜିନ୍‌ପିଙ୍ଗ୍‌ କେବଳ ଦେଶର ରାଷ୍ଟ୍ରପତି ନୁହନ୍ତି, ଚୀନ କମ୍ୟୁନିଷ୍ଟ ପାର୍ଟିର ସେକ୍ରେଟାରି ଜେନେରାଲ ଓ ଚୀନ ସେନାବାହିନୀ ପି.ଏଲ୍‌.ଏ. (ଗଣମୁକ୍ତି ସେନା)ର ମୁଖ୍ୟ କମାଣ୍ଡର ପୂର୍ବରୁ କେହି ଏପରି ତିନି ତିନିଟି ମୁଖ୍ୟ ପଦ ଅଧିକାର କରିନଥିଲେ। ଏପରି କି ଚୀନ୍‌ର ପ୍ରତିଷ୍ଠାତା ମାଓ ସେ ତୁଙ୍ଗ ମଧ୍ୟ ଏହି ତିନିଟି ଯାକ ପଦରେ ଅଧିଷ୍ଠିତ ନ ଥିଲେ।

ଏହି ଉତ୍ସବରେ ଚୀନ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ସେକ୍ରେଟାରି ଜେନେରାଲ (ମହାସଚିବ) ଓ ଚୀନ୍‌ର ରାଷ୍ଟ୍ରପତି ଜିଆଙ୍ଗ ଜେମିନ (୯୪ ବର୍ଷ), ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଂଗଜୀ (୯୨ ବର୍ଷ) ଉପସ୍ଥିତ ନ ଥିଲେ। ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍‌ତାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ୱେନ ଜିଆବାଓ ଇତ୍ୟାଦି ଉପସ୍ଥିତ ଥିଲେ। ସି ଜିନ୍‌ପିଙ୍ଗ୍‌ ତାଙ୍କ ଭାଷଣରେ ପାର୍ଟିର ସ୍ରଷ୍ଟା ମାଓ ସେ ତୁଙ୍ଗ, ପୂର୍ବତନ ପ୍ରଧାନମନ୍ତ୍ରୀ ଝୌ ଏନଲାଇ (ଭାରତ ଆକ୍ରମଣ ବେଳର), ଝୁ ଡେ, ଡେଂଗ୍ ଜିଆଓ ପିଙ୍ଗ୍‌ (ପୂର୍ବତନ ରାଷ୍ଟ୍ରପତି), ଚେନ ୟୁନ ଓ ଲିଉସାଉଚିଙ୍କୁ ସ୍ମରଣ କରିଥିଲେ ଯେଉଁମାନେ ମୃତ୍ୟୁବରଣ କରିସାରିଲେଣି।

ଏହି ଉତ୍ସବରେ ଅତ୍ୟାଧୁନିକ ହେଲିକେପ୍ଟର ଓ ସର୍ବାଧୁନିକ ଯୁଦ୍ଧ ବିମାନମାନେ ଫ୍ଲାଇ ପାଷ୍ଟ (ଉଡ଼ିଯାଇଥିଲେ) କରିଥିଲେ। ଏହି ଫ୍ଲାଇ ପାଷ୍ଟରେ ୭୧ଟି ବିମାନ ଅଂଶଗ୍ରହଣ କରିଥିଲେ। ଏଥିରେ ଚୀନ୍‌ର ସର୍ବାଧୁନିକ ଜେ-୨୦ ନିଶବ୍ଦ ଜେଟ୍ ଯୁଦ୍ଧ ବିମାନ ଫାଇଟର ଟ୍ରେନର୍‌ (ପ୍ରଶିକ୍ଷକ ବିମାନ)ମାନେ ଅଂଶଗ୍ରହଣ କରିଥିଲେ। ସି ଜିନ୍‌ପିଙ୍ଗ୍‌ ଏହି ଉତ୍ସବରେ ମାଓଙ୍କ ପୋଷାକର ରଂଗର ଗଳା ଚିପା ସୁଟ୍ ପିନ୍ଧିଥିଲେ।

ଭାଷଣରେ ମୁଖ୍ୟତଃ ଆମେରିକାକୁ ଇଙ୍ଗିତ କରି ସି ଜିନ୍‌ପିଙ୍ଗ୍‌, ଯେଉଁମାନେ ଚୀନ୍‌ର ବର୍ଦ୍ଧିଷ୍ଣୁ ବାଣିଜ୍ୟ, ଟେକ୍‌ନୋଲୋଜି ନୀତି, ସେନାବାହିନୀର ବିସ୍ତାର ଓ ମାନବିକ ଅଧିକାର କାର୍ଯ୍ୟକୁ ସମାଲୋଚନା କରୁଛନ୍ତି ସେମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଯେତେବେଳେ ସେ କହିଥିଲେ ଯେ, ଊନବିଂଶ ଓ ବିଂଶ ଶତାବ୍ଦୀରେ ଯେତେବେଳେ ପାଶ୍ଚାତ୍ୟ ଶକ୍ତି ଓ ଜାପାନର ଦମନର ଶିକାର ହୋଇ ଚୀନ ରହିଥିଲା, ସେତେବେଳେ ସେ ଏହି ଦେଶର ମର୍ଯ୍ୟାଦା ଫେରାଇ ଆଣିଲେ। ଏହା କହିବା ବେଳେ ସବୁଠୁଁ ବେଶୀ ତାଳିମାଡ଼ ହୋଇଥିଲା। ସେ ଚୀନ୍‌କୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିଛନ୍ତି ବୋଲି ମଧ୍ୟ ଘୋଷଣା କରିଥିଲେ।

ଏହା ପରେ ପରେ ସେ କହିଥିଲେ ଯେ, ଚୀନ୍‌ର ୧୪୦ କୋଟି ଲୋକ କେବେହେଲେ କୌଣସି ବିଦେଶୀ ଶକ୍ତି ତାଙ୍କ ଦେଶକୁ ଧମକାଇବା ସେ କଥା ସେମାନେ ସହ୍ୟ କରିବେ ନାହିଁ। ସେମାନଙ୍କୁ କେହି ଅତ୍ୟାଚାରିତ କରିପାରିବେ ନାହିଁ ବା କ୍ରୀତଦାସ କରିପାରିବେ ନାହିଁ। ଯଦି କିଏ ତାହା କରିବାକୁ ଚାହେଁ ତେବେ ତା’ର ମୁଣ୍ଡ ଫଟାଇ ଦିଆଯିବ ଓ ରକ୍ତପାତ ହେବ।

ସେ ଘୋଷଣା କରିଥିଲେ ଯେ, ହଂକଂରେ ଚୀନ ଶୃଙ୍ଖଳା ବଜାୟ ରଖିଛି। ୨୦୧୯ରେ ସେଠାରେ ସରକାରୀ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେ ଘୋଷଣା କରିଥିଲେ ଯେ, ସ୍ୱୟଂଶାସିତ ତାଇୱାନକୁ ସେ ଚୀନ୍‌ରେ ମିଶାଇବେ। ଚୀନ୍‌ର ସେନାବାହିନୀ ଉପରେ କମ୍ୟୁନିଷ୍ଟ ପାର୍ଟି ତା’ର ସାର୍ବଭୌମତ୍ୱ ବଜାୟ ରଖିବ। ଆମେରିକା ପରେ ଏହି ସେନାବାହିନୀ ପାଇଁ ସର୍ବାଧିକ ବଜେଟ ବ୍ୟବସ୍ଥା ଅଛି।

ଚୀନ୍‌ର ସେନା (ପି.ଏଲ୍‌.ଏ.) ଶାସକ କମ୍ୟୁନିଷ୍ଟ ପାର୍ଟିର ଅଧସ୍ତନ ଅଟେ। ବଡ଼ ବିପଦ କଥା ହେଲା, ଚୀନ କମ୍ୟୁନିଷ୍ଟ ପାର୍ଟି ଏବେ ସେଠାକାର ସବୁଠୁଁ ବଡ଼ ପୁଞ୍ଜି ନିବେଶକ ପାଲଟିଛି। ଚୀନ୍‌ର ବହୁ ବଡ଼ ବଡ଼ କମ୍ପାନିମାନଙ୍କରେ ଚୀନ କମ୍ୟୁନିଷ୍ଟ ପାର୍ଟିର ଅଂଶଧନ (ସେଠାରେ) ରହିଛି। ଉଦାହରଣ ସ୍ୱରୂପ ଚୀନ୍‌ର ବିଖ୍ୟାତ ଶିଳ୍ପପତି ଜ୍ୟାକ ମାଙ୍କ ଆଲିବାବା କମ୍ପାନିର ବଡ଼ ଅଂଶଧାରୀ ହେଲା ଚୀନ କମ୍ୟୁନିଷ୍ଟ ପାର୍ଟି। ଏହି ଦଳ ଚୀନ ସେନା ପି.ଏଲ୍‌.ଏ.ର ସେନାପତିମାନଙ୍କୁ ନିଯୁକ୍ତି ଦେଇଥାଏ। ତେଣୁ ଚୀନ୍‌ରେ ସେନାବାହିନୀ ଆଦୌ ବିଦ୍ରୋହ କରିପାରିବ ନାହିଁ।

ଲୋକମାନେ ଯେତେ ଧନୀ ହେବେ, ଦେଶର ସମୃଦ୍ଧି ହେବ। ସେତେବେଳେ ସେମାନେ ବାକ୍ ସ୍ୱାଧୀନତା ଖୋଜିବେ। ହୁଏ’ତ ୧୯୮୯ରେ ଟିଆନାନମେନ ଛକରେ ଚୀନ ସୈନ୍ୟ ହଜାର ହଜାର ପ୍ରତିବାଦକାରୀଙ୍କୁ ହତ୍ୟା କରିଥିଲେ। ତାହା କିନ୍ତୁ ସର୍ବଦା ଘଟିବ ନାହିଁ। ପୁଣି ବିଶ୍ୱର ସବୁ ସମୃଦ୍ଧ ଦେଶ ପ୍ରାୟତଃ ଚୀନ ବିରୋଧୀ। ତେଣୁ ଚୀନ ବିଶ୍ୱଶକ୍ତି ହେବ କେମିତି? ପରମାଣୁ ଅସ୍ତ୍ର ଓ କ୍ଷେପଣାସ୍ତ୍ରମାନଙ୍କୁ ଲୁଚାଇ ରଖିବା ପାଇଁ ଚୀନ ବର୍ତ୍ତମାନ ପ୍ରାୟ ୧୦୦ଟି ଗୁପ୍ତ ସୁଡ଼ଙ୍ଗ ନିର୍ମାଣ କରୁଛି। ରାଜଧାନୀ ବେଜିଂଠାରୁ ୨,୧୦୦ କିଲୋମିଟର ଦୂରରେ ଥିବା ଗାଂଗସୁ ପ୍ରଦେଶର ମରୁଭୂମି ଅଞ୍ଚଳରେ ଏହି ସୁଡ଼ଙ୍ଗ ତିଆରି ଚାଲିଛି। ଉତ୍ତର ପଶ୍ଚିମ ଚୀନ୍‌ର ୟୁମେନ ସହର ପାଖରେ ଏହିସବୁ ସୁଡ଼ଙ୍ଗ ତିଆରି ହେଉଛି।

ଆମେରିକାର ବିଖ୍ୟାତ ଦୈନିକ ସମ୍ବାଦପତ୍ର ‘ଦି ୱାସିଂଟନ ପୋଷ୍ଟ’ରେ ଏହି ସମ୍ବାଦ ପ୍ରକାଶ ପାଇଛି। ଆମେରିକାର ଉପଗ୍ରହମାନେ ଉଠାଇଥିବା ଚିତ୍ରମାନଙ୍କରୁ ଜଣାପଡ଼ିଛି ୧୧୯ଟି ସମପ୍ରକାରର ସୁଡ଼ଙ୍ଗମାନ ତିଆରି ଚାଲିଛି। ଏଥିରୁ ଯେଉଁ କ୍ଷେପଣାସ୍ତ୍ରମାନ ପ୍ରେରଣ କରାଯିବ ସେମାନେ ଆମେରିକାର ମୁଖ୍ୟ ଭୂମି ପର୍ଯ୍ୟନ୍ତ ଉଡ଼ିଯାଇପାରିବେ। ଏହି କ୍ଷେପଣାସ୍ତ୍ରମାନଙ୍କରେ ଆଣବିକ ଅସ୍ତ୍ରମାନ ମଧ୍ୟ ପ୍ରେରଣ କରାଯାଇପାରିବ। ଶହ ଶହ କିଲୋମିଟର ଧରି ଏହି ଗୁପ୍ତ ସୁଡ଼ଙ୍ଗମାନ ତିଆରି ଚାଲିଛି।

ନିଜ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚୀନ ଉପରେ କେହି ନାଲି ଆଖି ଦେଖାଇ ପାରିବ ନାହିଁ ଓ ତାହା ହେଲେ ଚୀନ ମୁଣ୍ଡ ଫଟାଇଦେବ କୁହାଯାଇଛି। କାରଣ, ଚୀନ ତା’ର ବିସ୍ତାରକୁ ଶକ୍ତି ଓ ହିଂସା ଉପରେ ପ୍ରତିଷ୍ଠିତ କରିଛି। ଚୀନ୍‌ର କୌଣସି ପ୍ରତିବେଶୀ ତା’ ଉପରେ ସନ୍ତୁଷ୍ଟ ନୁହନ୍ତି। ଚୀନ, ଶକ୍ତି ପ୍ରୟୋଗ କରି ତିବ୍ଦତ ଓ ପଶ୍ଚିମର ମୁସଲମାନ ଉଇଘୁର ଅଧ୍ୟୁଷିତ ସିଂଜିଆଙ୍ଗ ପ୍ରଦେଶମାନଙ୍କୁ ଦଖଲ କରିନେଇଛି। ଉତ୍ତରର ମଂଗୋଲିଆ ଓ ଏପରି କି ରୁଷିଆ ସହ ଚୀନ୍‌ର ଆଦୌ ସୁସମ୍ପର୍କ ନାହିଁ। ଜାପାନ ଓ ଭାରତ ପରି ଶକ୍ତିଶାଳୀ ଦେଶମାନଙ୍କର ଅଞ୍ଚଳ ଏହି ଦେଶ ଦଖଲ କରିନେଇଛି ଓ ଆହୁରି ଅଞ୍ଚଳ ଦଖଲ କରିବାକୁ ଚେଷ୍ଟା କରୁଛି। ତେଣୁ ଦକ୍ଷିଣ କୋରିଆ, ଫିଲିପାଇନ୍‌ସ୍‌, ମାଲେସିଆ, ଭିଏତ୍‌ନାମ, ଥାଇଲାଣ୍ଡ ପରି ପଡ଼ୋଶୀମାନଙ୍କ ସହ ଏହର ସମ୍ପର୍କ ତିକ୍ତ। ଦକ୍ଷିଣ ଚୀନ ସାଗରକୁ ଏହି ଦେଶ ତା’ର କ୍ଷେତ୍ର ଓ କେହି ଏଠାରେ ପ୍ରବେଶ କରିପାରିବେନାହିଁ ବୋଲି ଦାବି କରୁଛି। ଚୀନ ସହ କୌଣସି ବିଦେଶୀ ଶକ୍ତି ଯେଉଁ ବ୍ୟବହାର ନ କରନ୍ତୁ ବୋଲି ଏହି ଦେଶ ଧମକ ଦେଉଛି, ପଡ଼ୋଶୀମାନଙ୍କ ସହ ଚୀନ ଠିକ୍ ସେହି ବ୍ୟବହାର କରୁଛି।

ଅବଶ୍ୟ ଏହା ସତ କଥା ଯେ ଅର୍ଥନୀତି, ଭୌଗୋଳିକ ସ୍ଥିତି, ରାଜନୈତିକ ସ୍ଥିତି ଓ ସାମରିକ ଶକ୍ତି ତଥା ନୂଆ ଟେକ୍‌ନୋଲୋଜି, ସାଇବର ପ୍ରକ୍ରିୟା ଆଦି କ୍ଷେତ୍ରରେ ଚୀନ ବହୁତ ଆଗକୁ ଯାଇଛି। ଆମେରିକାର ମୋଟ ଜାତୀୟ ଉତ୍ପାଦ (ଜି.ଡି.ପି.)ର ୬୫% ଚୀନ୍‌ର ଅଟେ। ଆଗାମୀ ୨୦୨୮ ବେଳକୁ ଚୀନ ଆର୍ଥିକ ଶକ୍ତିରେ ଆମେରିକାକୁ ଅତିକ୍ରମ କରିପାରିବ ବୋଲି ପ୍ରଚାର କରୁଛି, ଯେତେବେଳେ ନବେ ଦଶକ ଆରମ୍ଭ ପର୍ଯ୍ୟନ୍ତ ସୋଭିଏତ ୟୁନିୟନ ଆଉ ଏକ ବିଶ୍ୱଶକ୍ତି ହିସାବରେ ଆମେରିକା ସହ ଶୀତଳ ଯୁଦ୍ଧରେ ମାତିଥିଲା, ସେତେବେଳେ ତା’ର ମୋଟ ଜାତୀୟ ଉତ୍ପାଦ, ଆମେରିକାର ୪୦%ରେ ସୀମିତ ଥିଲା। ଏବେ ଆମେରିକା ଓ ଚୀନ୍‌ର ଅର୍ଥ ଶକ୍ତି ମଧ୍ୟରେ ଯେତେ ପାର୍ଥକ୍ୟ ଅଛି, ସୋଭିଏତ ୟୁନିୟନ ସହ ପାର୍ଥକ୍ୟ ସେତେବେଳେ ବହୁ ଅଧିକ ଥିଲା। ବର୍ତ୍ତମାନର ଜଗତ୍‌କରଣ ଯୁଗରେ ଓ ବିଶ୍ୱ ବାଣିଜ୍ୟର ଏକତ୍ରୀକରଣ ହେବା ଫଳରେ ଆମେରିକା, ଜାପାନ ଆଦି ଧନୀ ରାଷ୍ଟ୍ରମାନଙ୍କର ଅଧିକାଂଶ କମ୍ପାନିମାନେ ଚୀନ୍‌ରେ ସେମାନଙ୍କର କାରଖାନା ଓ ବ୍ୟବସାୟ ଖୋଲିବସିଛନ୍ତି। ଜାପାନ ଓ ଆମେରିକା, ଚୀନ ସହ ତିକ୍ତତା ବଢ଼ାନ୍ତୁ , ଏ କଥା ସେହି କମ୍ପାନିମାନେ ଆଦୌ ଚାହାନ୍ତି ନାହିଁ। ଆମେରିକା ମଧ୍ୟ ସେମାନଙ୍କୁ ଚୀନ୍‌ରୁ ଓହରି ଆସିବାକୁ ନିର୍ଦ୍ଦେଶ ଦେଇପାରିବ ନାହିଁ। ଆମେରିକା ମଧ୍ୟ ବିଭିନ୍ନ ପଦାର୍ଥ ପାଇଁ ଚୀନ ଉପରେ ଏତେ ନିର୍ଭରଶୀଳ ଯେ, ସେଥିରୁ ସେ ଦେଶ ହଟିପାରିବ ନାହିଁ। କେବଳ ଅମେରିକା ନୁହେଁ ଜାପାନ ଓ ବିଶ୍ୱର ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ବିଭିନ୍ନ ଯନ୍ତ୍ରାଂଶ ପାଇଁ ଚୀନ ଉପରେ ନିର୍ଭରଶୀଳ। ବିଶେଷ କରି କରୋନା ମହାମାରୀ କାଳରେ ଚୀନ୍‌ର ଅପରିହାର୍ଯ୍ୟତା ପ୍ରମାଣିତ ହୋଇଯାଇଛି।

ଚୀନ ତା’ର ବି.ଆର.ଆଇ. (ବେଲ୍ଟ ଏଣ୍ଡ୍‌ ରୋଡ୍‌) ଯୋଜନା ଅନୁସାରେ ବିଶ୍ୱର ଅନେକ ରାଷ୍ଟ୍ରମାନଙ୍କରେ ରାସ୍ତା, ବନ୍ଦର, ବିମାନ ବନ୍ଦର, ରେଳପଥ, ସମ୍ମେଳନ କେନ୍ଦ୍ର ଆଦି ନିର୍ମାଣ କରି ସେ ଦେଶମାନଙ୍କୁ କବଳରେ ରଖିବାକୁ ଚେଷ୍ଟା କରୁଛି। ବିଶେଷ କରି ଗରିବ ଆଫ୍ରିକା ମହାଦେଶରେ ସେ ଏହି ପ୍ରଚେଷ୍ଟା ଚଳାଇଛି। ଏହାଦ୍ୱାରା ସେମାନେ ଚୀନ ପ୍ରତି ଆନୁଗତ୍ୟ ପ୍ରକାଶ କରିବେ; ଚୀନ୍‌ର ଏହି ଧାରଣା ବଦ୍ଧମୂଳ। ତେବେ ଅପର ପକ୍ଷରେ ଆମେରିକା ଏବେ ହୃଦୟଙ୍ଗମ କରିସାରିଛି ଯେ, ଯେପରି ଭାବରେ ଚୀନ୍‌ର ଅଭ୍ୟୁତ୍‌ଥାନ ହେଉଛି, ସେ ଦେଶ ଏକାକୀ ତାହାକୁ ନିୟନ୍ତ୍ରିତ କରିପାରିବନାହିଁ। ଡୋନାଲ୍‌ଡ ଟ୍ରମ୍ପ୍‌ ଯେପରି ତାଙ୍କର ବନ୍ଧୁ ରାଷ୍ଟ୍ରମାନଙ୍କୁ ଛାଡ଼ିଦେଇ ଏକାକୀ ଚୀନ୍‌ର ବିରୋଧ କରିବା ଆରମ୍ଭ କରିଥିଲେ, ଜୋ ବାଇଡେନ୍‌ ତାହା ନ କରି ଆମେରିକାର ସବୁ ମିତ୍ର, ସହଯୋଗୀ ରାଷ୍ଟ୍ରମାନଙ୍କୁ ଏକଜୁଟ କରି ଚୀନ୍‌ର ମୁକାବିଲା କରିବା ଆରମ୍ଭ କରିଛନ୍ତି। ଜି-୭, ନାଟୋ, କ୍ୱାଡ୍‌ ଆଦି ମେଣ୍ଟ ସେ ଗଢ଼ିବା ଆରମ୍ଭ କରିଛନ୍ତି। ଜି-୭ ପରି ବିଶ୍ୱର ଧନୀ ରାଷ୍ଟ୍ର ଗୋଷ୍ଠୀରେ ସେ ୩ ଲକ୍ଷ କୋଟି ଡଲାର୍‌ର ଏକ ପାଣ୍ଠି ଗଠନ ପାଇଁ ପ୍ରସ୍ତୁତ ହୋଇଛନ୍ତି; ଯେଉଁ ପାଣ୍ଠି ବଳରେ ଠିକ୍ ଚୀନ ପରି ବିଶ୍ୱର ବିଭିନ୍ନ ଗରିବ ଓ ମଧ୍ୟବିତ୍ତ ରାଷ୍ଟ୍ରମାନଙ୍କରେ ରାସ୍ତା, ବନ୍ଦର, ରେଳପଥ ଆଦି ଭିତ୍ତିଭୂମି ନର୍ମାଣ କରିବେ। ଏହାଦ୍ୱାରା ଚୀନ ଆଡ଼କୁ ମୁହାଁଇଥିବା ଗରିବ ଦେଶମାନେ ପୁଣି ଆମେରିକା ମୁହାଁ ହେବେ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ସେଠାକାର କଂଗ୍ରେସ (ସଂସଦ)ର ଗୋଟିଏ କମିଟିକୁ ଉତ୍ତର ଦେଇ କହିଛନ୍ତି, ଚୀନ ସହ ପ୍ରତିଯୋଗିତାରେ ଆମେରିକା ବିଜୟୀ ହେବ, କାରଣ ଆମେରିକାର ବନ୍ଧୁ ଓ ସହଯୋଗୀମାନେ ଅଛନ୍ତି। ଚୀନ୍‌ର ସେମିତି କେହି ବନ୍ଧୁ, ସହଯୋଗୀ ନାହାନ୍ତି। ଏହା ଅତ୍ୟନ୍ତ ସତ୍ୟ ଯେ, ବିଭିନ୍ନ ପ୍ରକାର ଅର୍ଥ ଓ ଅନ୍ୟ ଲୋଭ ଦେଖାଇ ଯେଉଁ ଆଫ୍ରିକୀୟ ଦେଶମାନଙ୍କୁ ଚୀନ ନିଜ ଆଡ଼କୁ ନେବାକୁ ଚେଷ୍ଟା କରୁଛି, ସେମାନଙ୍କର ସେମିତି କିଛି ବିଶ୍ୱ ମାନ୍ୟତା ନାହିଁ। ବିଶ୍ୱର କେତେକ ସାମରିକ ଶାସନ ସହ ଚୀନ୍‌ର ସମ୍ପର୍କ ରହିଛି। ଯେମିତି କି କାମ୍ବୋଡିଆ, ଉତ୍ତର କୋରିଆ, ମିଆଁମାର ଇତ୍ୟାଦି।

ଆମେରିକା ତା’ର ଗଣତନ୍ତ୍ର ଓ ମୁକ୍ତ ଚେତନା ଯୋଗୁଁ ଯେମିତି ବିଶ୍ୱ ଓ ଏହାର ସୁଯୋଗ ଖୋଜୁଥିବା ମଣିଷମାନଙ୍କର ଆକର୍ଷଣର ବିନ୍ଦୁ ହୋଇ ରହିଛି, ଚୀନ ପ୍ରତି ସେମିତି କାହାର ଆକର୍ଷଣ ନାହିଁ। ଏହି ଦୃଷ୍ଟିରୁ ଯେତେ ଧନଶାଳୀ ହୋଇଥିଲେ ମଧ୍ୟ ଆଗାମୀ ସମୟରେ ଚୀନ ଯେ ସମସ୍ତଙ୍କୁ ଅତିକ୍ରମ କରିଯିବ, ଏହା ସମ୍ଭବ ନୁହେଁ। ଜାପାନ, ଅଷ୍ଟ୍ରେଲିଆ, ଭାରତ, ଫ୍ରାନ୍‌ସ, ଇସ୍ରାଏଲ, ୟୁକେ ଆଦି ଦେଶମାନେ ଏକା ଏକା ହୁଏ’ତ ଚୀନ୍‌ର ମୁକାବିଲା କରିନପାରନ୍ତି। କିନ୍ତୁ ମିଳିତ ଭାବରେ ଏମାନେ ଚୀନ୍‌କୁ ଅନାୟାସରେ ପ୍ରତିହତ କରିପାରିବେ। ଏକ ଅନୁଶାସନ ଭିତ୍ତିକ ପୃଥିବୀକୁ ଚୀନ ଅମାନ୍ୟ କରୁଛି। କିନ୍ତୁ ଆଗାମୀ କାଳରେ ଏହି ଦେଶ ସମସ୍ତଙ୍କୁ ଅମାନ୍ୟ କରି ପଦାନତ କରିପାରିବ; ଏହା ଆଦୌ ସମ୍ଭବ ନୁହେଁ।

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର