ଖାଦ୍ୟ ସୁରକ୍ଷା ଓ ‘ୟୁଟ୍ୟୁବ୍‌ର’ ଇଶାକ

ତରଙ୍ଗିଣୀ ମିଶ୍ର

ସ୍ବାଧୀନତା ପ୍ରାପ୍ତି ପର ଠାରୁ ଭାରତବର୍ଷରେ ବିଧିବଦ୍ଧ ଭାବରେ ବେକାରି ଓ ବୁଭୁକ୍ଷା ବିରୋଧରେ ଲଢ଼େଇ ଚାଲିଛି। ପରିଶେଷରେ ଆମେ ପହଞ୍ଚିଛୁ ଖାଦ୍ୟ ସୁରକ୍ଷା ଆଇନ ପାଖରେ। ଏହି ଆଇନ ୨୦୧୩ରେ କାର୍ଯ୍ୟକ୍ଷମ ହୋଇଥିଲା, ଯହିଁରେ ୮୧.୩୪ କୋଟି ଲୋକଙ୍କୁ ରିହାତି ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ଏଥିରେ ଗ୍ରାମାଞ୍ଚଳର ୨୫ ପ୍ରତିଶତ ଓ ସହରାଞ୍ଚଳର ୫୦ ପ୍ରତିଶତ ଲୋକ ଅନ୍ତର୍ଭୁକ୍ତ ହେବାର ଯୋଜନା ଥିଲା। ଆମ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ନିୟାମକ ବା ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଅଧିନିୟମ ୨୦୧୭ରେ ପାରିତ ହେଲା।

ବୁଭୁକ୍ଷା ଉପରେ ବିଜୟ ହାସଲ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବଂ କରୋନା ପାନ୍‌ଡେମିକ୍‌ ସମୟରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ଜୀବିକା ଓ ଆୟ ହରାଇଥିବା ନିମ୍ନ ଆୟକାରୀ ବର୍ଗଙ୍କ ସକାଶେ ଏହି ଆଇନ ପ୍ରାଣରକ୍ଷାକାରୀ ବୋଲି ସାବ୍ୟସ୍ତ ହୋଇଛି। ‘ଖାଦ୍ୟ ଓ କୃଷି ସଂଗଠନ’ ବା ‘ଏଫ୍.ଏ.ଓ.’ର ‘ଖାଦ୍ୟ ସୁରକ୍ଷା ଓ ପୁଷ୍ଟି-୨୦୨୧’ ରିପୋର୍ଟ ଅନୁଯାୟୀ କରୋନା ମହାମାରୀ କାରଣରୁ ୨୦୨୦ ମସିହାରେ ପ୍ରତି ତିନି ଜଣରେ ଦୁଇ ଜଣ ଲୋକ ଖାଦ୍ୟ ପାଇଛନ୍ତି। ସୁତରାଂ, ସ୍ବାଭାବିକ ଭାବେ ସେମାନେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅର୍ଥ ଉପାର୍ଜନ ସକାଶେ ବିଭିନ୍ନ ବିକଳ୍ପ ମାର୍ଗ ଅନ୍ବେଷଣ କରିବାର ଉଦ୍ୟମ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କରୋନା କାଳରେ ଯେତେବେଳେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ କାରଣରୁ ଦରିଦ୍ର ଲୋକେ ନିର୍ଭର କରୁଥିବା ଭଳି ପାରଂପରିକ ପେସାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଗଲା; କଳକାରଖାନା ବନ୍ଦ ହୋଇଗଲା, ମଜଦୁରି ମିଳିଲା ନାହିଁ; ସେତିକି ବେଳେ ଦରିଦ୍ରମାନଙ୍କ ପାଇଁ ଅର୍ଥ ଉପାର୍ଜନ କରିବା ଏକ ଚ୍ୟାଲେଂଜ୍‌ ସୃଷ୍ଟି କଲା। କିନ୍ତୁ, ଏଭଳି ସ୍ଥିତିରେ ସେମାନଙ୍କ ମଧ୍ୟରୁ ଅନେକ ହାର ନ ମାନି ଓ ‘ଢୋକେ ପିଇ ଦଣ୍ଡେ ଜିଇ’ ଭଳି ଜୀବନକୁ ସ୍ବୀକାର ନ କରି ନିଜ ଠାରେ ଅନ୍ତର୍ନିହିତ ଅକଳନ୍ତି ସମ୍ଭାବନାର ଦ୍ବାରକୁ ଉନ୍ମୁକ୍ତ କରିପାରିଛନ୍ତି। ସେହିଭଳି ସ୍ଥିତିରେ ଆମ ସମ୍ମୁଖରେ ଏକ ପ୍ରେରଣାର ସ୍ରୋତ ଭାବେ ଛିଡ଼ା ହେଲେ ଇଶାକ ମୁଣ୍ଡା।

ଇଶାକ ମୁଣ୍ଡା କିଏ? କରୋନା ପାନ୍‌ଡେମିକ୍‌ ପୂର୍ବରୁ ସେ ଥିଲେ ଜଣେ ଅନାମଧେୟ ଅତି ସାଧାରଣ ଦିନ ମଜୁରିଆ। କିନ୍ତୁ ଆଜି ସେ ଜଣେ ଛୋଟକାଟର ସେଲିବ୍ରିଟି। ୟୁଟ୍ୟୁବ୍‌ରେ ତାଙ୍କୁ ଅନୁସରଣ କରୁଛନ୍ତି ଦେଶ ଓ ବିଦେଶର ଲକ୍ଷ ଲକ୍ଷ ଲୋକ। କରୋନା ମହାମାରୀ ବେଳେ ଜୀବିକା ହରାଇଥିବା ଇଶାକ ଅର୍ଥ ଉପାର୍ଜନ ଲାଗି ଯେଉଁ ମାର୍ଗ ଅବଲମ୍ବନ କଲେ, ତହିଁରେ ହୁଏ’ତ କେହି ଜଣେ ହେଲେ ବି ଏକ ଉଜ୍ଜ୍ବଳ ଭବିଷ୍ୟତ୍‌ ଦେଖି ନ ଥିବେ; କିନ୍ତୁ ତାହା ସଫଳ ହେଲା। ଦାରିଦ୍ର୍ୟ ପ୍ରପୀଡ଼ିତ ଇଶାକ ଓ ତାଙ୍କ ପରିବାର କରୁଥିବା ଭୋଜନ ବେଳର ଦୃଶ୍ୟକୁ ଭିଡିଓ କରି ସେ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କଲେ, ଯାହା କେବଳ ତାଙ୍କର ଯେ ଭାଗ୍ୟ ବଦଳାଇ ଦେଲା, ତାହା ନୁହେଁ; ଅନେକଙ୍କ ଲାଗି ଏକ ନୂଆ ବାଟ ଧରିବା ପାଇଁ ଉତ୍ସାହ ମଧ୍ୟ ସୃଷ୍ଟି କଲା। ଇଶାକ ଓ ତାଙ୍କ ପରିବାର ଖାଉଥିଲେ ବାସି ପଖାଳ ଓ ପିଆଜ; ବେଳେ ବେଳେ ଟମାଟୋ ପୋଡ଼ା ଓ କଞ୍ଚା ଲଙ୍କା। କିନ୍ତୁ ସେହି ଭୋଜନ ପ୍ରସ୍ତୁତି ଓ ତାକୁ ପୂରା ପରିବାର ଅତ୍ୟନ୍ତ ସନ୍ତୋଷର ସହିତ ଖାଉଥିବାର ଦୃଶ୍ୟ କିମିଆ କଲା କେଜାଣି, ତାକୁ ଦେଖୁଥିବା ଅସଂଖ୍ୟ ଲୋକ ତଦ୍ଦ୍ବାରା ପ୍ରଭାବିତ ହୋ‌ଇ ତାକୁ ପସନ୍ଦ କ‌େଲ। ଇଶାକ ମୁଣ୍ଡା ତାଙ୍କ ଶସ୍ତା ମୋବାଇଲରେ ଏଭଳି ଦୃଶ୍ୟର ଭିଡିଓ ଉତ୍ତୋଳନ କରି ନିୟମିତ ଭାବେ ଅପ୍‌ଲୋଡ୍‌ କରି ଚାଲିଲେ। ଏହିଭଳି ଭାବେ ସେ ଏକ ଇତିହାସ ସୃଷ୍ଟି କଲେ। ଏବେ ସେ ଜଣେ ସଫଳ ‘ଭ୍ଲଗର୍‌’ ଯିଏ ଏହା ଦ୍ବାରା ନିଜ ଦାରିଦ୍ର୍ୟକୁ ପରାହତ କରିବାରେ ସଫଳ ହୋ‌ଇଛନ୍ତି; ଉଭୟ ସଂପନ୍ନତା ଓ ପ୍ରସିଦ୍ଧି ଅର୍ଜନ କରିପାରିଛନ୍ତି।

ସ୍କୁଲ ଶିକ୍ଷା ସମାପ୍ତ କରି ନ ଥିବା ଏହି ଉତ୍ସାହୀ ବ୍ୟକ୍ତି ଯେଉଁ କ୍ଷେତ୍ରରେ ନିଜ ଭାଗ୍ୟ ନିର୍ମାଣ କରିଛନ୍ତି, ତାହା ଶିକ୍ଷିତ ଓ ପ୍ରଯୁକ୍ତି-ପ୍ରବୀଣ ବ୍ୟକ୍ତିଙ୍କ କ୍ରୀଡ଼ାଙ୍ଗନ ଭାବେ ପରିଚିତ ହୋଇ ଆସିଥିଲା। ଏହା ଦ୍ବାରା ସେ ଆଉ ଯେଉଁ ବାର୍ତ୍ତାଟି ଦେଇଛନ୍ତି, ତାହା ହେଲା ଯଦି ଖାଦ୍ୟ ସୁରକ୍ଷାର ଆଶ୍ବାସନା ରହିଛି, ତେବେ ନିଜର ବୁଦ୍ଧିର ବ୍ୟବହାର କରି ସତ୍‌ ମାର୍ଗରେ ଅର୍ଥାଗମର ଉପାୟ ଜଣେ ସୃଷ୍ଟି କରିପାରେ। ଅନେକ ଅଭିଯୋଗ କରିଥାନ୍ତି ଯେ ଖାଦ୍ୟ ସୁରକ୍ଷା ଯୋଜନା ଅନେକଙ୍କୁ ଶ୍ରମକୁଣ୍ଠ କରି ପକାଇଛି। ବଞ୍ଚିବା ଲାଗି ଖାଦ୍ୟ ଉପଲବ୍‌ଧ ହୋଇ ପାରୁଥିବାରୁ ଅନେକ ବ୍ୟକ୍ତି କାର୍ଯ୍ୟ ନ କରି ଆଳସ୍ୟରେ କାଳ ଅତିବାହିତ କରୁଛନ୍ତି। କିନ୍ତୁ ଇଶାକ ଏହାକୁ ଭୁଲ୍‌ ବୋଲି ସାବ୍ୟସ୍ତ କରିବାରେ ସମର୍ଥ ହେବା ସହିତ ଅନ୍ୟମା‌ନଙ୍କ ଲାଗି ଦିଗ୍‌ଦର୍ଶକରେ ପରିଣତ ହୋଇ ପାରିଛନ୍ତି।

ଭି-ଏ-୨୭/୩, ୟୁନିଟ୍‌-୨
ଭୁବନେଶ୍ବର
ମୋ: ୯୪୩୯୮୧୯୩୨୩

ସମ୍ବନ୍ଧିତ ଖବର