କାହିଁକି ସ୍କୁଲ ପୂରା ଖୋଲିବା ଦରକାର?

ପ୍ରୀତୀଶ ଆଚାର୍ଯ୍ୟ

କୋଭିଡ୍‌ ମହାମାରୀ କାରଣରୁ ଗତ ଦେଢ଼ ବର୍ଷ ହେଲା ସ୍କୁଲଗୁଡ଼ିକ ବନ୍ଦ ରହିଛି। ମଝିରେ ଅଳ୍ପ ଅବଧି ପାଇଁ ଉପର ଶ୍ରେଣୀଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇଛି; ପୁଣି, କୋଭିଡ୍‌ର ଦ୍ବିତୀୟ ଲହରରେ ତା’ ବି ବନ୍ଦ ହେଲା ଏବ˚ ଅଗଷ୍ଟ (୨୦୨୧) ମାସରୁ ତାକୁ ଖୋଲାଗଲା। ବର୍ତ୍ତମାନ ଦଶମ, ଦ୍ବାଦଶ ଏବ˚ ନବମ ଶ୍ରେଣୀ ପିଲା ସ୍କୁଲ ଆସିବାକୁ ଅନୁମତି ପାଇଛନ୍ତି। ମାତ୍ର ସ୍କୁଲ ବ୍ୟବସ୍ଥାର ପ୍ରାକ୍‌-ପ୍ରାଥମିକ ଏବ˚ ପ୍ରାଥମିକ ଶ୍ରେଣୀଗୁଡ଼ିକ ଏ ପର୍ଯ୍ୟନ୍ତ ଖୋଲି ନାହିଁ। ଏହା ଦ୍ବାରା ପିଲାଙ୍କ ପାଠପଢ଼ା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଅତି ଶୀଘ୍ର ଯଦି ସ୍କୁଲ୍‌ର ସମସ୍ତ ଶ୍ରେଣୀରେ ସ୍ବାଭାବିକ ପାଠପଢ଼ା ଆରମ୍ଭ ନ ହୁଏ, କ୍ଷତିର ଭରଣା ହେବା କଷ୍ଟକର ହୋଇପଡ଼ିବ। ତେଣୁ, ସ୍କୁଲ ଖୋଲିବାରେ ଆଉ ଅଧିକ ବିଳମ୍ବ ହେବା କଥା ନୁହେଁ।
ସ୍କୁଲ ବନ୍ଦ କରିବା ପାଇଁ ସବୁଠାରୁ ବଡ଼ ଯୁକ୍ତି ହେଲା- କୋଭିଡ୍‌ ସ˚କ୍ରମଣର ଭୟ। ବର୍ତ୍ତମାନ ସମଗ୍ର ଦେଶରେ ସ˚କ୍ରମଣ ଯଥେଷ୍ଟ ଊଣା ହୋଇଛି। ତାକୁ ଦୃଷ୍ଟିରେ ରଖି ଦୋକାନ-ବଜାର, ହୋଟେଲ ଏବ˚ ବସ୍‌ଗୁଡ଼ିକୁ ଚାଲିବା ପାଇଁ ଅନୁମତି ମିଳିଲାଣି। କେବଳ ସ୍କୁଲକୁ ଏଥିରୁ ବାଦ୍‌ ଦିଆଯାଇଛି, ଯାହା ଯୁକ୍ତିଯୁକ୍ତ ମନେ ହେଉନାହିଁ। ବନ୍ଦକୁ ଅବ୍ୟାହତ ରଖିବା ପଛରେ ଅନ୍ୟ ଏକ ଯୁକ୍ତି ହେଲା ଯେ କାଳେ ମହାମାରୀର ତୃତୀୟ ସ˚କ୍ରମଣ ଆରମ୍ଭ ହେବ ଏବ˚ ତାହା ସାନ ପିଲାଙ୍କ ପାଇଁ ଅଧିକ ଭୟାନକ ହେବ। ଯଦିଓ ତୃତୀୟ ଲହରର ଆଶଙ୍କା ଅମୂଳକ ନୁହେଁ, ତାହା ସାନ ପିଲାଙ୍କୁ ବିଶେଷ ଆକ୍ରାନ୍ତ କରିବାର ଆଶଙ୍କା ପ୍ରମାଣସିଦ୍ଧ ହୋଇ ପାରିନାହିଁ। ଦ୍ବିତୀୟତଃ, ତୃତୀୟ ଲହରର ସ୍ଥିତିରେ ଆବଶ୍ୟକ ପଦକ୍ଷେପ କଥା ଏ‌େବ ଠାରୁ ନିର୍ଣ୍ଣୟ କରାଯାଇ ନ ପାରେ ଏବ˚ ଅନାଗତ ଆଶଙ୍କାକୁ ଆଧାର କରି ସ୍କୁଲକୁ ଏବେ ଠାରୁ ବନ୍ଦ କରା ଯାଇ ନପାରେ। ଯଦି ସେଭଳି ସ୍ଥିତି ଉପୁଜେ, ସେତେବେଳକୁ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରାଯାଇପାରିବ।

କିଛି ଦିନ ତଳେ ‘ଇଣ୍ତିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ’ ବା ‘ଆଇସିଏମ୍‌ଆର‌୍‌’ର ମୁଖ୍ୟ ଡକ୍ଟର ବଳରାମ ଭାର୍ଗବ ସ୍ପଷ୍ଟ ଭାବରେ କହିଥିଲେ ଯେ ବିଶ୍ବବିଦ୍ୟାଳୟ କି ମହାବିଦ୍ୟାଳୟ ନୁହେଁ, ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲୁ। ଏହା ପଛରେ ଯୁକ୍ତି ହେଲା ସାନ ପିଲାଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ; ପିଲାଦିନରୁ ସେମାନଙ୍କୁ ଏକାଧିକ ପ୍ରତିଷେଧକ ଟିକା ଦିଆଯାଇଥାଏ। ମହାମାରୀର ଉଭୟ ଲହରରେ ଶିଶୁ ଏବ˚ କିଶୋରମାନେ ହିଁ ସବୁଠାରୁ କମ୍‌ ସ˚କ୍ରମଣର ଶିକାର ହୋଇଛନ୍ତି। ଯେଉଁଠି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି, ସେଠାରେ ପିଲାଙ୍କ କ୍ଷେତ୍ରରେ ଏହା ଲକ୍ଷଣ-ବିହୀନ (Asymptomatic) ରହିଛି ଏବ˚ ସ˚କ୍ରମିତ ପିଲା କେବଳ ସାଧାରଣ ଚିକିତ୍ସାରେ ରୋଗମୁକ୍ତ ହୋଇଛନ୍ତି। କେହି କେହି କହନ୍ତି ଯେ ସ୍କୁଲ ବନ୍ଦ ହେବା ଯୋଗୁଁ ସ˚କ୍ରମଣକୁ ଅବରୁଦ୍ଧ କରାଯାଇ ପାରିଛି। ମାତ୍ର ବାସ୍ତବତା ହେଲା, ସ୍କୁଲ ବନ୍ଦ ହେବା ସତ୍ତ୍ବେ ପିଲାଙ୍କ ପରିବାର ଏବ˚ ସ୍ଥାନୀୟ ସ୍ତରରେ ମିଳାମିଶା ବନ୍ଦ ରହିନାହିଁ। ବର˚ ବଡ଼ମାନଙ୍କ ସହିତ ମିଶିବା ସ୍ଥିତିରେ ମଧୢ ସେମାନେ ସ˚କ୍ରମଣରୁ ରକ୍ଷା ପାଇଛନ୍ତି। ଏଭଳି ସ୍ଥିତିରେ ପିଲାଙ୍କୁ ସ୍କୁଲ(କେବଳ) ଯିବାକୁ ନ ଦେଇ ସେମାନଙ୍କ ପାଠପଢ଼ାକୁ ଆମେ ନଷ୍ଟ କରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

‘ଆଇସିଏମ୍‌ଆର’ ମୁଖ୍ୟଙ୍କୁ ବାଦ୍‌ ଦେଲେ ୟୁନିସେଫ୍‌ ଏବ˚ ୟୁନେସ୍କୋ ମଧୢ ପିଲାଙ୍କ ସ୍କୁଲ ଖୋଲିବା ସପକ୍ଷରେ। ଏହାର ଅର୍ଥ ହେବ, ସ୍କୁଲ ବନ୍ଦ କରିବାରେ ମହାମାରୀ ସ˚କ୍ରମଣ ଉପରେ ଲଗାମ ଲଗାଇବାର ଲାଭ ତୁଳନାରେ ପାଠପଢ଼ା କ୍ଷତିଗ୍ରସ୍ତ ହେବାର ପରିଣାମ ଅଧିକ ଭୟାବହ ହେବ।
ଶୀଘ୍ରାତିଶୀଘ୍ର ସ୍କୁଲ ଖୋଲିବା ସପକ୍ଷରେ ଯୁକ୍ତି କରିବାର ଅର୍ଥ ନୁହେଁ ଯେ ଆମେ ସ୍କୁଲକୁ ପିଲାଙ୍କୁ ବିନା ମାସ୍କରେ ପଠାଇବା କିମ୍ବା ସାବୁନ୍‌ରେ ନିୟମିତ ହାତ ଧୋଇବାକୁ ମନା କରିବା। ଦ୍ବିତୀୟତଃ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବ˚ ସ୍କୁଲ କର୍ମଚାରୀଙ୍କ ଟିକାକରଣକୁ ମଧୢ ପ୍ରାଥମିକତା ଦିଆଯିବ। ସ୍କୁଲ ଖୋଲିବାର ନିଷ୍ପତ୍ତି ନେଲା ପରେ, ବର୍ତ୍ତମାନ ଭଳି, ସମସ୍ତ ଶ୍ରେଣୀକୁ ଅଧା ଦିନ ଖୋଲିବା କିମ୍ବା ଦିନେ ଛାଡ଼ି ଦିନେ ଖୋଲିବା କଥା ବି ଚିନ୍ତା କରାଯାଇପାରେ। ଯେଉଁ ଅଭିଭାବକ ନିଜ ପିଲାଙ୍କୁ ସ୍କ୍‌ୁଲକୁ ପଠାଇବାକୁ ସହମତ ନୁହନ୍ତି, ସେମାନଙ୍କୁ ମଧୢ ସେଥି ଲାଗି ଅନୁମତି ଦିଆଯିବା କଥା। ସମୟକ୍ରମେ ସେହି ଅଭିଭାବକ ନିଜ ନିଷ୍ପତ୍ତିକୁ ପରିବର୍ତ୍ତନ କରିବେ ବୋଲି ଆଶା କରିବା କଥା। ଏବେ ଦେଖାଯାଉଛି ଯେ, କିଛି ସ˚ପନ୍ନ ଅଭିଭାବକ ମୁଖର ହୋଇ କରୋନା ଆଳରେ ସ୍କୁଲ ବନ୍ଦ ରହିବାର ସମର୍ଥନ କରୁଛନ୍ତି। ନିଜ ତତ୍ତ୍ବାବଧାନରେ ପିଲାର ପାଠପଢ଼ାକୁ ଘର ପରିବେଶରେ ସେମାନେ ଅବ୍ୟାହତ ରଖିଛନ୍ତି। ଏଥିରେ କୌଣସି ଅସ୍ବାଭାବିକତା ନାହିଁ। ଅନଲାଇନ ପାଠର ସୁବିଧାରୁ ମଧୢ ସେମାନଙ୍କ ପିଲା ବଞ୍ଚିତ ନୁହନ୍ତି। କିନ୍ତୁ ଅଧିକା˚ଶ ଅଭିଭାବକ ଘରେ ନା ପିଲାଙ୍କୁ ପାଠପଢ଼ାର ପରିବେଶ ଦେଇପାରନ୍ତି, ନା ଅନ୍‌ଲାଇନ୍‌ ପାଠ ପାଇଁ ଆବଶ୍ୟକ ସାମଗ୍ରୀ କିମ୍ବା ଅର୍ଥ ଖର୍ଚ୍ଚ କରିବାରେ ସମର୍ଥ! ନିକଟରେ ବେଙ୍ଗାଲୁରୁସ୍ଥିତ ‘ଅଜିମ ପ୍ରେମଜୀ ସ˚ସ୍ଥା’ର ଏକ ଆକଳନ ପ୍ରକାଶିତ ହୋଇଛି। ତା’ ଅନୁସାରେ ଦେଶରେ ମୋଟ ୨୪ କୋଟି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ କୋଟିରୁ ଅଧିକ ସ˚ଖ୍ୟକ ଏହି ‘ବ˚ଚିତ’ ଗୋଷ୍ଠୀରେ। ସ୍ବାଭାବିକ ପାଠପଢ଼ା ବନ୍ଦ ହେବା ଅର୍ଥ ସେମାନଙ୍କ ସ୍କୁଲ ଯିବାର ପ୍ରକ୍ରିୟାକୁ ପ୍ରତିବନ୍ଧିତ କରିବା। ହୁଏ’ତ ଏହି ସମସ୍ତ ‘ବ˚ଚିତ’ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଭବିଷ୍ୟତ୍‌ରେ ବନ୍ଦ ହୋଇନପାରେ; କିଛି ଛାତ୍ରଛାତ୍ରୀ ତଥାପି ସ୍କୁଲ ବ୍ୟବସ୍ଥାରେ ରହିବେ; କିନ୍ତୁ କରୋନା କାଳରେ ନଷ୍ଟ ହୋଇଥିବା ପାଠ ଭରଣା ହୋଇପାରିବ ନାହିଁ। ଫଳରେ, ସେମାନଙ୍କ ଭବିଷ୍ୟତ୍‌ ଶିକ୍ଷା ଏହା ଦ୍ବାରା ଗଭୀର ଭାବେ ଆକ୍ରାନ୍ତ ହେବ।

ସ୍କୁଲ ଖୋଲିବା ବିପକ୍ଷରେ ଯୁକ୍ତି ଦେଲା ବେଳେ କୁହାଯାଏ, ଜୀବନ ବଡ଼ ନା ଜୀବିକା? ସତ କଥା। ଜୀବିକା ତୁଳନାରେ ଜୀବନ ସର୍ବଦା ଅଧିକ ଗୁରୁତ୍ବପୂର୍ଣ୍ଣ; ସୁତରାଂ, ଅଧିକ ସୁରକ୍ଷାର ହକ୍‌ ରଖେ। ମାତ୍ର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜୀବନ ପାଇଁ ଯଦି ବିପଦ ନାହିଁ ଏବ˚ ସ୍ବାଭାବିକ ପାଠପଢ଼ାରେ ବ୍ୟକ୍ତିର ଜୀବିକା ସାଙ୍ଗରେ ଜୀବନକୁ ଯଦି ଅଧିକ ପରିମାର୍ଜିତ କରିବାର ସମ୍ଭାବନା ରହିଛି, ତେବେ ତାକୁ ଏଡ଼ାଇ ଦିଆଯିବା ଅପରିଣାମଦର୍ଶିତା ହେବ। କାରଣ ଏହା ହେଲେ ସମାଜରେ ନିରକ୍ଷରତା ଏବ˚ ଅଶିକ୍ଷାର ହିଁ କର୍ତ୍ତୃତ୍ବ ବଢ଼ିବ। ସମାଜର ତଳ ସ୍ତର ଏବ˚ ଉପର ସ୍ତର ମଧୢରେ ଖାଇ ବଢ଼ିଯିବ। ତେଣୁ, ମହାମାରୀର ଆଳରେ ଆମେ ଶିକ୍ଷାର ବିସ୍ତାରରେ ବାଧକ ସୃଷ୍ଟି କରିବା କଥା ନୁହେଁ।

କରୋନା କାଳରେ, ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ହେବା ସ୍ଥିତିରେ ଅନ୍‌ଲାଇନ୍‌ ପାଠର ବ୍ୟବସ୍ଥା କରାଗଲା। ଏହା ଏକ କାମଚଳା ବ୍ୟବସ୍ଥା; ସ୍ବାଭାବିକ ପାଠପଢ଼ାର କଦାପି ଆଦର୍ଶ ବିକଳ୍ପ ନୁହେଁ। ଏ ନେଇ ଅନେକ ଆଲୋଚନା ହୋଇଛି ଏବ˚ ଅନୁଭବ ଆଧାରରେ କେହି ତାକୁ ‘ଆଦର୍ଶ ସ୍ଥିତି’ ବୋଲି କହୁ ନାହାନ୍ତି। ଅନ୍‌ଲାଇନ୍‌ ପାଠରୁ ବ˚ଚିତ ଛାତ୍ରଛାତ୍ରୀଙ୍କ ମଧୢରେ ଅସ˚ପନ୍ନ, ଗ୍ରାମୀଣ, ସହରୀ ଦରିଦ୍ର, ଦୁର୍ଗମ ଅ˚ଚଳର ପିଲାଙ୍କ ଦୁର୍ଦଶାକୁ ସ୍ବତଃ ଦେଖିହୁଏ। ଏହା ବାହାରେ ଲିଂଗଗତ ଦୃଷ୍ଟିରୁ ଝିଅ ପିଲା ବି ‘ଅନ୍‌ଲାଇନ୍‌’ ଯୋଗୁଁ ଅଧିକ ପକ୍ଷପାତର ଶିକାର ହୋଇଛନ୍ତି। କିନ୍ତୁ ବୟସ ଆଧାରରେ ଯଦି ଦେଖାଯାଏ ତେବେ ଆର୍ଥିକ ବର୍ଗ, ସାମାଜିକ ସ୍ଥିତି, ଭୌଗୋଳିକ ଅବସ୍ଥିତି ଏବ˚ ଲିଙ୍ଗ ନିର୍ବିଶେଷରେ, ସାନ ପିଲାମାନେ ଅନ୍‌ଲାଇନ୍‌ ବ୍ୟବସ୍ଥା ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ। ଉଦାହରଣ ସ୍ବରୂପ, ପ୍ରଥମ ଏବ˚ ପ୍ରାକ୍‌-ପ୍ରଥମ ଶ୍ରେଣୀ ପିଲା କେବଳ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅକ୍ଷର ଶିକ୍ଷା କରିଥାଏ। ଅନ୍‌ଲାଇନ୍‌ରେ ତାହା ସ˚ଭବ ହୁଏ ନାହିଁ। ଦ୍ବିତୀୟତଃ, ପିଲା ପଢ଼ିବା ସାଙ୍ଗରେ ସାଙ୍ଗସାଥୀଙ୍କୁ ଭେଟିବା ପାଇଁ, ବନ୍ଧୁତା ପାଇଁ ତଥା ସ୍କୁଲର ବିଭିନ୍ନ ଗତିବିଧିରେ ସାମିଲ ହେବା ପାଇଁ ସ୍କୁଲ ଯାଏ। ତାହା ପିଲାଙ୍କୁ ସ୍କୁଲ ପ୍ରତି ଅଧିକ ଆକୃଷ୍ଟ କରେ। ବଡ଼ ପିଲା ଯେଉଁ ପାଠ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ବୁଝିପାରନ୍ତି, ସାନ ପିଲା ପାଇଁ ତାହା କଠିନ ଏପରିକି ଅସାଧୢ ମଧ୍ୟ ସାବ୍ୟସ୍ତ ହୁଏ। ତୃତୀୟତଃ, ଆମେ ଦଶମ ଏବ˚ ଦ୍ବାଦଶର ‘ପବ୍ଳିକ’ (ସାଧାରଣ ଭାଷାରେ ‘ବୋର୍ଡ’) ପରୀକ୍ଷାର ପରୀକ୍ଷାର୍ଥୀଙ୍କ ପାଠପଢ଼ାକୁ ଏଥିରେ ଏ ପର୍ଯ୍ୟନ୍ତ ଗୁରୁତ୍ବ ଦେଇ ଆସିଛନ୍ତି। ଫଳରେ, କରୋନା ଲହର ଊଣା ଥିବା ଅବଧିରେ କେବଳ ଦଶମ ଏବ˚ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିଛି। ପ୍ରାଥମିକ ଏବ˚ ସାନ ଶ୍ରେଣୀର ପିଲାଙ୍କ ପାଠକୁ ଆମେ ଆବଶ୍ୟକ ମହତ୍ତ୍ବ ଦେଇନାହାନ୍ତି। ଏହି କାରଣରୁ ପ୍ରଥମ ଶ୍ରେଣୀକୁ ଆଦୌ ଯାଇନଥିବା ଏବ˚ ଅନ୍‌ଲାଇନ୍‌ ପାଠ ପଢ଼ାରେ ଆଦୌ ସାମିଲ ହୋଇନଥିବା ସାନ ପିଲା, ଏବେ ଦ୍ବିତୀୟ ଶ୍ରେଣୀକୁ ଯିବ। ତା’ ବି ଯଦି ନିକଟ ଭବିଷ୍ୟତ୍‌ରେ ସ୍କୁଲ ଖୋଲେ! କିନ୍ତୁ ସପ୍ତମ ଶ୍ରେଣୀରେ ଅଧାରୁ ସ୍କୁଲ ଯାଇ ନ ଥିବା ପିଲା ଏକାଥରକେ ନବମ ଶ୍ରେଣୀରେ ଯାଇ ପାଠ ପଢ଼ିବ! ତା’ ଜୀବନରେ ଅଷ୍ଟମ ଶ୍ରେଣୀ ଫାଙ୍କା ପଡ଼ିବ। ପାଠର ପରିବେଶ ଥିବା ପରିବାରର ପିଲା ହୁଏ’ତ କ୍ଷତି ହୋଇଥିବା ଅପୂର୍ଣ୍ଣ ପାଠକୁ କିଛି କିଛି ଭରଣା କରି ନେବେ। ମାତ୍ର ଅନ୍ୟ ସାଧାରଣ ପିଲାର ପାଂ ପଢ଼ାରେ କ୍ଷତ ପୂରଣ ହେବା କାଠିକର। ଯେତେ ଶୀଘ୍ର ସ୍କୁଲ ଖୋଲି କେବଳ ଆମେ ବର୍ଦ୍ଧିଷ୍ଣୁ କ୍ଷତିରୁ ନିସ୍ତାର ପାଇପାରିବା!

କେହି କେହି କହନ୍ତି, କରୋନା କାଳରେ ସ୍କୁଲର ଭିତ୍ତିଭୂମି ବିଗିଡ଼ିଛି ଏବ˚ ଶିକ୍ଷକ ସ˚ଖ୍ୟା କ୍ରମାଗତ ଭାବେ ଊଣା ହୋଇଛି। ତେଣୁ ପ୍ରଥମେ ସେହି ଦିଗ ପ୍ରତି ଧୢାନ ଦିଆଯିବା କଥା। ସ୍ଥିତି ସୁଧୁରିଲେ, ସ୍କୁଲ ଖୋଲା ଯିବା କଥା। ଏହି ଯୁକ୍ତି ଆଦୌ ଅବାନ୍ତର ନୁହେଁ। ମାତ୍ର, ଭିତ୍ତିଭୂମି ଏବ˚ ଶିକ୍ଷକ ନିଯୁକ୍ତିର ଦାବିକୁ ଅବ୍ୟାହତ ରଖି ଯଥାଶୀଘ୍ର ସ୍କୁଲ ଖୋଲାଯିବା କଥା। ସ୍କୁଲକୁ ବନ୍ଦ ରଖି କଦାପି ଉକ୍ତ ସ୍ଥିତିରେ ସୁଧାର ଆଣି ହେବ ନାହିଁ।
ଉପସ˚ହାରରେ ଅଳ୍ପଦିନ ତଳେ ରାୟଗଡ଼ା ଜିଲ୍ଲାର ପଦମପୁର ଅଞ୍ଚଳର ଏକ ଦୁଃଖଦ ଘଟଣାର ଅବତାରଣା କରାଯାଇପାରେ। ପିଲାଟିଏ ଅନ୍‌ଲାଇନ୍‌ ପାଠ ପାଇଁ ନେଟଵାର୍କର ସ˚ଧାନରେ ଗାଁ ଠାରୁ ଦୂର ଏକ ଛୋଟ ପାହାଡ଼କୁ ଗଲା ଏବ˚ ସେଠାରେ ତା’ଉପରେ ପଥର ଖସି ପଡ଼ିବାରୁ ସେ ମୃତ୍ୟୁର ଶିକାର ହେଲା। ଅନ୍‌ଲାଇନ୍‌ ପାଠର ଅନ୍ବେଷଣରେ ଗ୍ରାମୀଣ କିଶୋରଟିର ଶେଷରେ ଜୀବନ ଗଲା। ଅନ୍‌ଲାଇନ୍‌ ପାଠ ପାଇଁ ଅତ୍ୟାବଶ୍ୟକ ମହଙ୍ଗା ମୋବାଇଲ ଫୋନ୍‌ କିଣିବା ଆଶାରେ ଅନେକ ପିଲା ଦାଦନ ଖଟିବାକୁ ଯିବା ମଧୢ ଅନେକ ସମୟରେ ସ˚ବାଦପତ୍ରର ଖବର ହେଉଛି। ପାଠପଢ଼ା ସ୍ବାଭାବିକ ହେଲେ ସମ୍ଭବତଃ ଏଭଳି ଅଘଟଣର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ! ତେଣୁ, ‘ଜୀବନ ବଡ଼ ନା ଜୀବିକା?’ର ଯୁକ୍ତି ଦେଇ ଆମେ ବୋଧହୁଏ ଅଧିକ ଅବଧି ଧରି ସ୍କୁଲକୁ ବନ୍ଦ ରଖିପାରିବା ନାହିଁ। ପ୍ରତ୍ୟେକ ସମାଜର ସ˚ପତ୍ତି ହେଲେ ପିଲା ଏବ˚ ଶିକ୍ଷା ହେଲା ପିଲାଙ୍କ ମୌଳିକ ଉପାର୍ଜନ; ସ୍ବାଭାବିକ ପାଠପଢ଼ାରେ ପିଲା ଉକ୍ତ ଉପାର୍ଜନ ନିମନ୍ତେ ସମର୍ଥ ହୋଇଥା’ନ୍ତି। ଏହି ପ୍ରକ୍ରିୟାକୁ କୌଣସି ମତେ ଅବ୍ୟାହତ ରଖାଯିବା କଥା।

[email protected]

ସମ୍ବନ୍ଧିତ ଖବର