ଭାରତ ନାମକ ଧାରଣା

ପ୍ରଫେସର ଏସ୍‌.ଏନ୍‌. ମିଶ୍ର

୧୯୯୭ ମସିହାରେ ଭାରତ ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ବୌଦ୍ଧିକ ଭିତ୍ତିଭୂମିକୁ ଉପଜୀବ୍ୟ କରି ସୁନୀଲ ଖିଲନାନି ‘ଦ ଆଇଡିଆ ଅଫ୍ ଇଣ୍ଡିଆ’ (ଭାରତ ନାମକ ଏକ ଅବବୋଧ) ନାମରେ ଏକ ଚମତ୍କାର ପୁସ୍ତକ ଲେଖିଥିଲେ ଯେଉଁଥିରେ ଉଦାରବାଦୀ ଗଣତନ୍ତ୍ରର ଧାରଣା କିପରି କ୍ର‌େମ ଅଚଳ ହୋଇପଡୁଛି, ତାହା ବର୍ଣ୍ଣିତ ହୋଇଛି। ୧୯୪୭ରେ ଭାରତକୁ ଉତ୍ତରାଧିକାର ସୂତ୍ରରେ ଏକ ବିଶାଳ, ବିବିଧ ଓ ଦୀନ ସମାଜ ମିଳିଥିଲା ଏବଂ ଗଣତନ୍ତ୍ର, ଧାର୍ମିକ ସହିଷ୍ଣୁତା ଓ ସାଂସ୍କୃତିକ ବିବିଧତା ଭାରତର ମୂଳାଧାର ଥିବା ଧାରଣାକୁ ଦଶନ୍ଧି ଦଶନ୍ଧି ଧରି ଏକ କ୍ଷୁଦ୍ର ଅଭିଜାତବର୍ଗ କାଏମ ରଖି ଆସିଛନ୍ତି। ପ୍ରତ୍ୟେକ ଆଖିକୋଣରୁ ପ୍ରତିଟି ଲୁହବିନ୍ଦୁକୁ ପୋଛି ନେବା ଜାତିର ଜନକଙ୍କର ଅଭିଳାଷ ଥିବା କଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତାଙ୍କର ଅତି ପ୍ରସିଦ୍ଧ ‘ଭାଗ୍ୟ ସହ ସାକ୍ଷାତ’ (ଏ ଟ୍ରାଏଷ୍ଟ ୱିଥ୍‌ ଡେଷ୍ଟିନି) ଭାଷଣରେ ଉଲ୍ଲେଖ କରିଥିଲେ। ଯଦିଓ ଏହାକୁ ସମ୍ଭବ କରିବା ଏକ ଦୁରୂହ ବ୍ୟାପାର ବୋଲି ପଣ୍ଡିତ ନେହରୁ ବେଶ୍‌ ସ୍ପଷ୍ଟ ଭାବେ ସ୍ବୀକାର କରିଥିଲେ, ତେବେ ଏହା ହାସଲ କରିବାକୁ ହେଲେ ପ୍ରତ୍ୟେକ ନିର୍ବାଚିତ ସରକାର ନିରନ୍ତର ପ୍ରୟାସ କରିବା ଉଚିତ ବୋଲି ମଧ୍ୟ ସେ କହିଥିଲେ। ଏହା ସମସ୍ତେ ଜାଣନ୍ତି ଯେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ପ୍ରତିଷ୍ଠିତ ହୋଇଥିବା ବହୁବାଦିତା, ସାଂସ୍କୃତିକ ବିବିଧତା, ଭ୍ରାତୃତ୍ବ, ସାମାଜିକ-ଅର୍ଥନୈତିକ ନ୍ୟାୟ ଆଦି ଉପାଦାନ ଭାରତର ରାଜନୈତିକ ଲକ୍ଷ୍ୟରେ ସଦା ବିଦ୍ୟମାନ ହୋଇ ରହିଛି। ବର୍ତ୍ତମାନର ସରକାର ସମ୍ଭବତଃ ‘ଭାରତର ଅନନ୍ୟତାର ଅବଧାରଣା’ ଉପରେ ଅଧିକ ବିଶ୍ବାସ କରୁଥିବା ଭଳି ବୋଧ ହୋଇଥାଏ ଏବଂ ସେହି କାରଣରୁ ବହୁ ସଂସ୍କୃତିବାଦର ମୂଳ ଧାରଣା ଏବେ ସଂଖ୍ୟାଗରିଷ୍ଠଙ୍କ ସଂସ୍କୃତି ଦ୍ବାରା ଚାପଗ୍ରସ୍ତ ଓ ଭିନ୍ନ ମତ ପ୍ରତି ଅସହିଷ୍ଣୁତାକୁ ତାହା ପ୍ରୋତ୍ସାହନ ଦେଉଛି ବୋଲି ଖିଲନାନି ତାଙ୍କ ପୁସ୍ତକର ସଦ୍ୟତମ ସଂସ୍କରଣରେ କହି ଦୁଃଖ ପ୍ରକଟ କରିଛନ୍ତି।

ସେହିଭଳି ସ୍ବାଧୀନତା ପର ଠାରୁ ଆଜି ଭିତରେ ଭାରତର ଅର୍ଥନୈତିକ ବିଚାରଧାରା ମଧ୍ୟ ବିବର୍ତ୍ତନଗତ ପରିବର୍ତ୍ତନର ମୂକସାକ୍ଷୀ ହୋଇଛି। ୧୯୪୭ରୁ ୧୯୯୦ ପର୍ଯ୍ୟନ୍ତ ଭାରତ ଏକ ମନ୍ଥର ସମାଜବାଦ ଭିତ୍ତିକ ଅର୍ଥନୀତିକୁ ଆପଣାଇ ଥିଲା। ୧୯୯୧ ପର ଠାରୁ ତାହା ବଜାର ପରିଚାଳିତ ପୁଂଜିବାଦୀ ଅର୍ଥନୀତିକୁ ବିବର୍ତ୍ତିତ ହୋଇଛି। ୧୯୬୧ ମସିହାରେ ଭାରତର ମୁଣ୍ଡପିଛା ଆୟ ୩୩୦ ଡଲାର୍‌ ଥିଲା। ତହିଁରେ ବାର୍ଷିକ ମାତ୍ର ୧.୮୬ ପ୍ରତିଶତ ବୃଦ୍ଧି ଘଟି ତାହା ୧୯୯୨ ବେଳକୁ ୫୯୫ ଡଲାର୍‌ରେ ପହଞ୍ଚିଲା। ୧୯୮୯ରୁ ୧୯୯୧ର ଐତିହାସିକ କାଳ ଖଣ୍ଡରେ ବର୍ଲିନ୍‌ ପ୍ରାଚୀର ଧରାଶାୟୀ ହେବା ସହ ସୋଭିଏତ୍‌ ସଂଘର ବିଭାଜନ ଘଟିଲା। ଏହା ଦ୍ବାରା ଏକ ବୈଶ୍ବିକ ରୂପାନ୍ତରଣ ଘଟିବା ଅବଧାରିତ ହୋଇଗଲା, ଯାହାକୁ ଦେଖି ବିଦ୍ବାନ ଫୁକୁୟାମା ‘ଇତିହାସର ସମାପ୍ତି’ ଓ ମୁକ୍ତ ବଜାର ଉଦାରବାଦୀ ଅର୍ଥନୀତିର ଏକତ୍ରୀକରଣ ବୋଲି ଆଖ୍ୟା ଦେଲେ। ଅଶୀ ଦଶକରେ ଚୀନ୍‌ରେ ଆର୍ଥିକ ଉଦାରୀକରଣ ଓ ଦକ୍ଷିଣ ଏସିଆରେ ରପ୍ତାନି ପରିଚାଳିତ ଅର୍ଥନୀତିରେ ବିକାଶ ଯୋଗୁଁ ସଂଘଟିତ ଅଭୂତପୂର୍ବ ଆର୍ଥିକ ଅଭିବୃଦ୍ଧି ଉତ୍‌ପ୍ରେରକ ସାଜି ଡକ୍ଟର ମନମୋହନ ସିଂହଙ୍କୁ ଉଦାରୀକରଣ, ଘରୋଇକରଣ ଓ ରପ୍ତାନି କୈନ୍ଦ୍ରିକ ଅର୍ଥନୀତି ଆପଣେଇବା ପାଇଁ ବାଧ୍ୟ କରିଥିଲା। ତା’ ପରେ ୧୯୯୧ରୁ ୨୦୧୯ ଯାଏ ଭାରତର ମୁଣ୍ଡପିଛା ଆୟ ବାର୍ଷିକ ହାରାହାରି ୫ ପ୍ରତିଶତ ବୃଦ୍ଧି ପାଇ ୨୧୫୨ ଡଲାର୍‌ରେ ପହଞ୍ଚିଛି। ମୁକ୍ତ ବଜାରର ଅର୍ଥନୀତି ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟାକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିଛି। ତେନ୍ଦୁଲକର କମିଟିର ଆକଳନ ଅନୁଯାୟୀ ଯାହା ୧୯୯୦ରେ ୪୮ ପ୍ରତିଶତ ଥିଲା, ତାହା ଏବେ ମାତ୍ର ୨୨ ପ୍ରତିଶତ ରହିଛି।

ତେବେ ଉଚ୍ଚ ଆର୍ଥିକ ଅଭିବୃଦ୍ଧିର ପ୍ରଭାବ ଓ ସୁଫଳ ମାନବ ସମ୍ବଳର ବିକାଶ ଓ ଖାଦ୍ୟ ସୁରକ୍ଷାକୁ ସାର୍ବଜନୀନ କରିପାରିନାହିଁ। ମୌଳିକ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ପରିମଳ ଏବଂ ଶିଶୁ, ପ୍ରାପ୍ତ ବୟସ୍କା ବାଳିକା ଓ ଗର୍ଭବତୀ ତଥା ପ୍ରସୂତିମାନଙ୍କ ପୋଷଣ ଆବଶ୍ୟକତା ପୂରଣ କରିବାରେ ଭାରତର ‌େରକର୍ଡ ଅତି ଦୁର୍ବଳ ହୋଇ ରହିଛି। ବିଶ୍ବ ପୋଷଣ ରିପୋର୍ଟ-୨୦୨୦ ଅନୁଯାୟୀ ବିଶ୍ବର ଏକ ତୃତୀୟାଂଶ ଅପପୁଷ୍ଟ ଶିଶୁ (୧୪୯ ନିୟୁତରୁ ପ୍ରାୟ ୪୬.୬ ନିୟୁତ) ଏବଂ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ଭିତରୁ ଅର୍ଧେକ ଭାରତରେ ବସବାସ କରୁଛନ୍ତି। ପଚାଶ ପ୍ରତିଶତରୁ ଅଧିକ ପ୍ରାପ୍ତ-ବୟସ୍କା ବାଳିକା ରକ୍ତହୀନତାର ଶିକାର; ଏପରି କି କେରଳ ପରି ରାଜ୍ୟରେ ୨୩.୪ ପ୍ରତିଶତ ଶିଶୁ ଅପପୁଷ୍ଟି ଦ୍ବାରା ଆକ୍ରାନ୍ତ ଓ ୩୧.୪ ପ୍ରତିଶତ ମହିଳା ରକ୍ତହୀନତାର ଶରବ୍ୟ ବୋଲି ସଦ୍ୟ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ ରିପୋର୍ଟରୁ ଜଣାଯାଇଛି। ସେହିପରି ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ମଧ୍ୟ ଭାରତର ରେକର୍ଡ ସନ୍ତୋଷଜନକ ନୁହେଁ; କାରଣ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ-୨୦୧୯ ଅନୁଯାୟୀ ସାମଗ୍ରିକ ଭାବେ ୬୦ ପ୍ରତିଶତ ଶିଶୁ ଶିକ୍ଷାର ସୁଫଳ ପାଇବାରୁ ବଞ୍ଚିତ ଓ ମୌଳିକ ଶିକ୍ଷା ବା ଲେଖିବାର ଦକ୍ଷତା ହାସଲରେ ୫୦ ପ୍ରତିଶତ ଶିଶୁ ଅକ୍ଷମ। ସାଂପ୍ରତିକ ମହାମାରୀ ପରିପ୍ରେକ୍ଷୀରେ ଡିଜିଟାଲ୍‌ ସାଧନର ଉପଲବ୍‌ଧତାର ଅଭାବରେ ଅନ୍‌ଲାଇନ୍‌ ଶିକ୍ଷା ଗ୍ରହଣରୁ ବଞ୍ଚିତ ଥିବା ପିଲାମାନେ ଏହି ସୁବିଧା ପାଇଥିବା ଅପେକ୍ଷାକୃତ ସଂପନ୍ନ ପରିବାରର ପିଲାଙ୍କ ଠାରୁ ଢେର ପଛରେ ପଡ଼ିଯାଇଛନ୍ତି। ସ୍ବାସ୍ଥ୍ୟ ସେବା, ଶୈଶବାବସ୍ଥାରେ ଯତ୍ନ ଓ ପୋଷଣର ଆବଶ୍ୟକତା ନେଇ ଅଧିକାରର ବିଚାର ଭାରତୀୟମାନଙ୍କ ମଧ୍ୟରେ ଦୃଢ଼ ହୋଇପାରିନାହିଁ। ଏଥିପାଇଁ ଦରକାର ହେଉଥିବା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ।

ଭାରତୀୟ ସମ୍ବିଧାନର ତୃତୀୟ ଅଧ୍ୟାୟ (ମୌଳିକ ଅଧିକାର) ଓ ଚତୁର୍ଥ ଅଧ୍ୟାୟ (ନିର୍ଦ୍ଦେଶାତ୍ମକ ସିଦ୍ଧାନ୍ତ) ଭିତରେ ଏକ ଅସାମଂଜସ୍ୟ ରହି ଆସିଛି, ଯାହା ସରକାରଙ୍କ ସାମାଜିକ-ଅର୍ଥନୈତିକ ନ୍ୟାୟ ପ୍ରଦାନ ଦ୍ବାରା ସମତୁଲ ହୋଇପାରିବ। ଏହି ଦୁଇ ଚକ ଭିତରେ ସନ୍ତୁଳନ ଆଣିବା ଲାଗି ସୁପ୍ରିମ୍‌ କୋର୍ଟ ତାଙ୍କ ରାୟରେ ବହୁ ବାର ସଂକେତ ଦେଇଥିଲେ ମଧ୍ୟ ତାହା ଫଳବତୀ ହେଉନାହିଁ। ‘ସ୍ବାଧୀନତା’ ସହିତ ତାଳ ଦେଇ ‘ପ୍ରଗତି’ ଆସିପାରୁନାହିଁ। ଆୟରେ ବୈଷମ୍ୟ ବୃଦ୍ଧି ପାଇ ପାଇ ଚାଲିଥିବା ବେଳେ ସମୁଚିତ ନ୍ୟାୟ ଏକ କଳ୍ପନା ମାତ୍ର ହୋଇ ରହିଛି। ଭାରତ ଏହାର ଆର୍ଥିକ ଉଦାରୀକରଣ ନୀତିକୁ କାଏମ ରଖିବା ସହ ତାହାକୁ ଅଧିକ ମଜଭୁତ କରିବା ଜରୁରୀ ବୋଲି ଅନେକ ବିଚାରଶୀଳ ସମୀକ୍ଷକ ବିଶ୍ବାସ କରନ୍ତି। ତେବେ ଉତ୍ପାଦକତାରେ ଉନ୍ନତି ଆଣିବା ସହ ସମସ୍ତଙ୍କ ପାଇଁ ଉଚ୍ଚ ମାନର ଜ୍ଞାନକୌଶଳ ଉପଲବ୍‌ଧ କରିବା ନିମନ୍ତେ ଅଧିକ ବିନିଯୋଗକୁ ପ୍ରାଥମିକତା ଦେଇ ଅଧିକ ସାମ୍ୟ ସୃଷ୍ଟି କରିବା ଦିଗରେ ସରକାର ଯତ୍ନଶୀଳ ହେବା ଦରକାର।

ଓବିସି ବା‌ ପଛୁଆ ବର୍ଗ ସକାଶେ ଆରକ୍ଷଣକୁ ଆହୁରି ବୃଦ୍ଧି କରିବା ଲାଗି ଏବେ ଏକ ଉଦ୍ୟମ ଜାରି ରହିଛି, ଯେଉଁଥିରେ ସମସ୍ତ ରାଜନୈତିକ ଦଳ ସାମିଲ ଅଛନ୍ତି। ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ବେଶ୍‌ ଦୃଢ଼ ମନସ୍କ। ତେବେ ସୁପ୍ରିମ୍‌ କୋର୍ଟ ଏଥିରେ ମୁଖ୍ୟ ପ୍ରତିବନ୍ଧ ସାଜି ଆସିଛନ୍ତି। ୧୯୯୩ର ଇନ୍ଦ୍ରା ସାହାନୀ ମାମଲାରେ ସର୍ବୋଚ୍ଚ ଅଦାଲତ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ୨୩ ପ୍ରତିଶତ ଆରକ୍ଷଣକୁ ମିଶାଇ ଜାତିଭିତ୍ତିକ ସର୍ବାଧିକ ଆରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରଖିବାକୁ କହିଥିଲେ। ତେବେ ସାଧାରଣ କଥା ହେଲା ଜନସଂଖ୍ୟା ତୁଳନାରେ ‘ଓବିସି’ ବର୍ଗଙ୍କ ସଂଖ୍ୟା ସୁପ୍ରିମ୍‌ କୋର୍ଟ ଧାର୍ଯ୍ୟ କରିଥିବା ୨୬ ପ୍ରତିଶତର ଆରକ୍ଷଣକୁ ଢେର୍‌ ଟପି ଗଲାଣି। ଅପର ପକ୍ଷେ, ୨୦୧୧ର ସାମାଜିକ-ଅର୍ଥନୈତିକ ଜାତି ଜନଗଣନା ରିପୋର୍ଟରେ ଜନସାଧାରଣଙ୍କ ଅବଗତି ପାଇଁ ଜାତିଗତ ତଥ୍ୟକୁ ସତର୍କତାର ସହ ଗୋପନ ରଖାଯାଇଛି ଏବଂ ଚଳିତ ସରକାର ‘ଓବିସି’ ବର୍ଗରେ ଆରକ୍ଷଣକୁ ବଢ଼ାଇବା ଲାଗି ଏକ ନୂତନ ଜାତି ଜନଗଣନା ଆଣିବା ଲାଗି ବିଚାର କରୁଛନ୍ତି। ସୁପ୍ରିମ୍‌ କୋର୍ଟରେ ଏ ଦିଗରେ ସରକାରଙ୍କ ଯୁକ୍ତି ହେଲା, ସମାନତା ଓ ସାମାଜିକ ନ୍ୟାୟକୁ ପ୍ରୋତ୍ସାହନ କରିବା ଲାଗି ଯୋଗ୍ୟତା ଓ ଆରକ୍ଷଣ ଭିତରେ ତାଳମେଳ ରହିବା ଜରୁରୀ। ତେବେ ଏଭଳି ପଦକ୍ଷେପ ଭାରତକୁ ଜାତି ଭିତ୍ତିରେ ଅଧିକ ଆରକ୍ଷଣ ଆଡ଼କୁ ଠେଲି ନେଉଛି ନା ଆମକୁ ଅଧିକ ଯୋଗ୍ୟତା ପରିଚାଳିତ ସମାଜ ଆଡ଼କୁ ଆଗେଇ ନେଉଛି, ତାହା ଦେଖିବାକୁ ବାକି ରହିଲା। ସ୍ପଷ୍ଟ ଭାବରେ ଏଭଳି ଉଦ୍ଦେଶ୍ୟ, ପ୍ରତିଯୋଗିତା, ଯୋଗ୍ୟତା ଓ ସ୍ବଚ୍ଛତା ବଜାର ପରିଚାଳିତ ସମାଜ ଧାରଣାର ପରିପନ୍ଥୀ। ଏଭଳି ଜାତି ତଥା ‘ଓବିସି’ ଆରକ୍ଷଣରୁ ରାଜନୈତିକ ଫାଇଦା ଉଠାଇବା ଯୋଗୁଁ ଭାରତର ଅର୍ଥନୀତି ବିପନ୍ନ ହୋଇପଡ଼ିଛି। ସାଂସ୍କୃତିକ ବହୁଳତାବାଦ, ଧାର୍ମିକ ବିବିଧତା, ମାନବ ଦକ୍ଷତା ବିକାଶ ସହ ସମାଜର ସବୁଠୁ ଅବହେଳିତ ବର୍ଗଙ୍କର ଖାଦ୍ୟ ସୁରକ୍ଷା ଓ ସାମାଜିକ ନ୍ୟାୟ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଖିଲନାନିଙ୍କ ଆହ୍ବାନକୁ ସମର୍ଥନ କରିବା ଲାଗି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଦେଶ ପାଇଁ ଏକ ଅବସର ସୃଷ୍ଟି କରିଛି।

ଉଚିତ ନିୟାମକ ଏବଂ ନିୟନ୍ତ୍ରଣ ବିନା ବଜାର ଶକ୍ତି ଅଳ୍ପ କେଇ ଜଣଙ୍କ ସମୃଦ୍ଧି ମଧ୍ୟରେ ସୀମିତ ରହି ଗରିବମାନଙ୍କର ଦଦରା ନାଆକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେବ।

ମୋ: ୭୩୮୧୧୦୯୮୯୯

ସମ୍ବନ୍ଧିତ ଖବର