ଘରଣୀ ଆମର ଭାରି ଚତୁରୀ

ଓଁ ଅଭିଜ୍ଞାନ ସାହୁ

ଏଇ ଗତକାଲିର କଥା। ୟୁଟ୍ୟୁବ୍‌ ବିଶ୍ବବିଦ୍ୟାଳୟରୁ ରୋଷେଇ ଶାସ୍ତ୍ରରେ ପିଏଚ୍‌ଡି କରିଥିବା ଆମ୍ଭ ବୁଦ୍ଧିମତୀଙ୍କ ଯାବତୀୟ ଗବେଷଣାରେ ଉତ୍ପୀଡ଼ିତ ପୂରା ପରିବାର। ବୁଦ୍ଧିମତୀ ଯେତେବେଳେ ତାଙ୍କ ଗବେଷଣାଗାର (ରୋଷଶାଳ)ରେ ଗବେଷଣାରତ ଥାଆନ୍ତି, ସେତେବେଳେ ସବୁଠୁ ବେଶି ଆତଙ୍କିତ ମୁଁ ଥାଏ। ଗବେଷଣାଗାରର ପଞ୍ଜୁରି ଭିତରେ ଥିବା ମୂଷାଙ୍କ ଅବସ୍ଥା ଯାହା, ଆମ ଘରେ ମୋ ଅବସ୍ଥା ସେଇୟା। ସବୁ ସନ୍ଦର୍ଭର ପରୀକ୍ଷା-ନିରୀକ୍ଷା ପ୍ରଥମେ ମୋ ଉପରେ ହୁଏ। ଏଥିରେ ପ୍ରେମ ଫ୍ରେମ କିଛି ନଥାଏ, ଥାଏ କେବଳ ନିଛକ ଅତ୍ୟାଚାର। ଗୃହର ବୃହତ୍ତମ ଶାନ୍ତି ପାଇଁ ସବୁ ସହିବାକୁ ପଡେ଼। ହସି ହସି ସବୁ ନିରବରେ ସହିଯାଏ ବୋଲି ମୁଁ କାଳେ ପୃଥିବୀର ଶ୍ରେଷ୍ଠ ପତି। ଗଲା ରିବବାର ଦିନ ରଜ ପାଇଁ ପ୍ରାୟ ବେଶ କିଛି ଘଣ୍ଟାର କସରତ ପରେ ଦରପୋଡ଼ା ପୋଡ଼ ପିଠା ତିଆରି ସରିଲା। ଗିଲାସେ ପାଣିର ସାହାଯ୍ୟରେ ପ୍ରଥମ ଖଣ୍ତଟି ଉଦରସ୍ଥ କଲା ପରେ ବୁଦ୍ଧିମତୀ ପଚାରିଲେ, ‘କେମିତି ଲାଗୁଛି?’ ପ୍ରତିକୂଳ ମନ୍ତବ୍ୟ ଦେବା କେବେ ଠୁ ଭୁଲିଗଲିଣି। କାରଣ ତଦ୍ଦ୍ବାରା କିଛି ତ ପରିବର୍ତ୍ତନ ହୋଇନି; କିନ୍ତୁ ଘରେ ଅଯଥା ଅଶାନ୍ତି ସୃଷ୍ଟି ହୋଇଛି। ମୋର ଅନୁକୂଳ ମନ୍ତବ୍ୟରେ ଉତ୍‌ଫୁଲ୍ଲିତ ବୁଦ୍ଧିମତୀ କହିଲେ – ‘ଅପେକ୍ଷା କର, ଆହୁରି ଆଣ ବଳିଛି, ନେକ୍‌ସ୍‌ଟ ପୋଡ଼ରେ କାଜୁ କିିସ୍‌ମିସ୍‌ର ଟପିଙ୍ଗ ରହିବ।’ ମନରେ କରୁଣ ପ୍ରାର୍ଥନା ବାଜି ଉଠିଲା- ହେ ଭଗବାନ, ତା’ମାନେ ଏ ପରୀକ୍ଷା ଆହୁରି ବାକି ଅଛି? ଉଠେଇ ନେ ପ୍ରଭୁ ଆଉ ଏ ଅତ୍ୟାଚାର ସହି ହେଉନି। ଭଗବାନଙ୍କ ଦୟାରୁ ମୋ ପିଲାମାନେ କିନ୍ତୁ ଭାରି ସ୍ପଷ୍ଟବାଦୀ। ରୋକଠୋକ ଭାବେ ମାମାଙ୍କୁ ଜଣେଇଦେଲେ ଗରିଷ୍ଠ ଜିନିଷ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ତେଣୁ ମାତ୍ର ଗୋଟିଏ ଛୋଟ ଖଣ୍ତଟିଏ ଖାଇବେ।

ଏବେ ଚତୁରୀ ବୁଦ୍ଧିମତୀ ନିରାଶ ଦିଶିଲେ। ବୋଧହୁଏ, ସେ ବୁଝିପାରିଲେ ଯେ ଶାଶୂ ମା’ଙ୍କ ବର୍ଷ ବର୍ଷର ଅଭିଜ୍ଞତାରୁ ଜାଣି ଶିଖିବା ଆଗରେ ୟୁଟ୍ୟୁବ୍‌ ବିଶ୍ବବିଦ୍ୟାଳୟର ଶିକ୍ଷା ଫେଲ୍‌ ମାରିଛି। କିନ୍ତୁ ଏତେ କଷ୍ଟରେ ତିଆରି ହୋଇଥିବା ପୋଡ଼ ପିଠା କ’ଣ ଫୋପଡ଼ା ହୁଏ? ଟିଫିନ ଡବାରେ ଭର୍ତ୍ତି କରି ସବୁ ପଡେ଼ାଶୀଙ୍କ ଘରେ ବଣ୍ଟା ହେଲା। ଓଡ଼ିଆ ଘରେ ସବୁ ଯାନିଯାତ୍ରା ପିଠାପଣା ପଡେ଼ାଶୀମାନଙ୍କ ଭିତରେ ବଣ୍ଟା ହେବାର ବିଧି ଅଛି। ତେଣୁ ରଜ ପର୍ବ ପାଇଁ ଆମ ଘରର ଦରପୋଡ଼ା ପୋଡ଼ ପିଠା ବି ବଣ୍ଟା ହେଲା। ପୋଡ଼ ପିଠା ତୁଲ୍ୟ ଚେହେରା ଓ ଟିଫିନ ଡବାର ଆକାର ଦେଖି କିଛି ପଡେ଼ାଶୀ ମନେ ମନେ ବିରକ୍ତ ହେଲେ ବି ସୌଜନ୍ୟ ଦୃଷ୍ଟିରୁ ହସି ହସି ଗ୍ରହଣ କଲେ। କିଛି କିଛି ବୁଦ୍ଧିମତୀଙ୍କ ରୋଷେଇ ଶାସ୍ତ୍ରରେ ଥିବା ଗଭୀର ଜ୍ଞାନକୁ ତାରିଫ ବି କଲେ। ‘କେମିତି କଲ? ପ୍ରେସର କୁକରରେ ନା କଡେ଼ଇରେ? ବଢ଼ିଆ ଲାଗୁଛି। ଆମ ଘରେ ତ ଭାଇନା ମାଗି ମାଗି କେବଳ ତୁମ ଘର ପୋଡ଼ ପିଠା ଖାଇଲେ’ ଇତ୍ୟାଦି ଇତ୍ୟାଦି ।

ବୁଦ୍ଧିମତୀ ବଡ଼ ଦାର୍ଶନିକଙ୍କ ଭଳି ପଡେ଼ାଶୀଙ୍କୁ ପୋଡ଼ ପିଠାର ନିର୍ମାଣ ଶୈଳୀ ବିଷୟରେ ବୁଝାଉଥିବାର ଦେଖି ମୋର ପଡ଼ିଶା ଭାଇନାଙ୍କ ପ୍ରତି ଦୟା ଆସିଲା। ଏବେ ତାଙ୍କ ପାଳି। ଆମ ଘର ପୋଡ଼ ପିଠା ଖଣ୍ତେ ଗିଳିବା ପାଇଁ ତାଙ୍କୁ କେତେ ଗିଲାସ ପାଣିର ସାହାଯ୍ୟ ନେବାକୁ ପଡ଼ିଥିବ କେଜାଣି? ଯାହା ହେଉ ଆମ ଘରର ସବୁ ପୋଡ଼ ପିଠା ବଣ୍ଟାବଣ୍ଟିରେ ସରିଗଲା। ଗୋଟେ ବଡ଼ ଚିନ୍ତା ଟଳିଲା। ଆମ ଘର ଚିନ୍ତା ଏବେ ପଡ଼ିଶାମାନଙ୍କୁ ବଣ୍ଟା ସରିଛି। ଓଡ଼ିଆ ଘରର ଚଳଣି କଥା। ଏଠି ଖାଲି ବାସନ ଫେରା ଯାଏନି। ତେଣୁ, ଅଗତ୍ୟା ଆମ ଘରୁ ଯାଇଥିବା ଟିଫିନ ଡବା ଏବେ ପଡ଼ିଶାମାନଙ୍କ ଘରେ ତିଆରି ବିଭିନ୍ନ ପିଠା, ପୋଡ଼ ପିଠାରେ ଭର୍ତ୍ତି ହୋଇ ଫେରିଲା। ସନ୍ଧ୍ୟା ନଇଁବା ପୂର୍ବରୁ ଆମ ଘରେ ଏକ୍‌ସଚେଞ୍ଜ୍‌ ସ୍କିମ୍‌ରେ ଭଳିକି ଭଳି ସୁସ୍ବାଦୁ ପିଠାର ସମ୍ଭାର। ଯାହା କୁହ ନିଜ ଦରପୋଡ଼ା ପୋଡ଼ ପିଠାର ଏପରି ସଦୁପଯୋଗ କରି ବୁଦ୍ଧିମତୀ ତାଙ୍କର ଯେଉଁ ସୂକ୍ଷ୍ମ ବୁଦ୍ଧିର ପରିଚୟ ଦେଲେ, ଖାସ୍‌ ସେଇଥିପାଇଁ କହୁଛି ଘରଣୀ ଆମର ଭାରି ଚତୁରୀ।
ଖାନନଗର, କଟକ
ମୋ: ୯୪୩୭୦୧୦୭୫୮

ସମ୍ବନ୍ଧିତ ଖବର