ଦୃଷ୍ଟିପାତ, ସାଇକେଲ୍ ଜିନ୍ଦାବାଦ

କରୋନା ପାନ୍‌ଡେମିକ ଜନିତ ଲକ୍‍ଡାଉନ୍ ବିଶ୍ବ ସାରା ସମସ୍ତଙ୍କୁ ଗୃହବନ୍ଦୀ କରି ରଖିଥିବା ବେଳେ ଦେଖିବାକୁ ମିଳିଥିଲା ଯେ ବିଭିନ୍ନ ଦେଶରେ ବାଇ-ସାଇକେଲର ଆଦୃତି ଅସମ୍ଭବ ଭାବେ ବୃଦ୍ଧି ପାଇଛି। ଗାଡ଼ି ମଟର ଚଳାଚଳ ବନ୍ଦ ରହିଥିବାରୁ ଲୋକେ ବଜାରହାଟ କରିବା ଲାଗି ହୁଏ’ତ ସାଇକେଲ ଲୋଡ଼ିଲେ। ତା ସହିତ ଏହା ଦ୍ବାରା ସେମାନେ ଶାରୀରିକ ବ୍ୟାୟାମ ଓ ମାନସିକ ସ୍ଫୂର୍ତ୍ତିର ଉପକାର ବି ଲାଭ କଲେ। ସୁତରାଂ, ଊନବିଂଶ ଶତାବ୍ଦୀରେ ଅନ୍ୟତମ ସର୍ବଶ୍ରେଷ୍ଠ ଉଦ୍ଭାବନ ସାଇକେଲ୍ ସଂପ୍ରତି ପୁଣି ତାର ହଜିଲା ଚମକ ଫେରି ପାଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଚାହିଦା ଏତେ ବଢ଼ିଯାଇଛି ଯେ ଲୋକେ ସାଇକେଲ୍ କିଣିବା ପାଇଁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଗଲା ଦୁଇ ମାସରେ ଆମେରିକାରେ ସାଇକେଲ୍‍ର ବିକ୍ରି ୧୯୭୦ ପର ଠାରୁ ସର୍ବାଧିକ ହୋଇଛି। ସେମିତି ଫିଲିପାଇନ୍‌ସର ମାନିଲା, ଇଟାଲିର ରୋମ୍ ଭଳି ସହରର ରାସ୍ତାମାନଙ୍କରେ ସାଇକେଲ୍ ଆରୋହୀଙ୍କୁ ସ୍ଥାନ ଦେବା ପାଇଁ ସ୍ବତନ୍ତ୍ର ଲେନ୍‌ର ବ୍ୟବସ୍ଥା କରାଯାଉଛି। ଇଟାଲିରେ ତ ସାଇକେଲ୍ ବ୍ୟବହାର ଅଭ୍ୟାସକୁ ବଢ଼ାଇବା ନିମନ୍ତେ ସରକାର ସାଇକେଲ କିଣିବା ବେଳେ ୬୦% ସବସିଡି ‌େଦଉଛନ୍ତି। ଲଣ୍ଡନରେ କେତେକ ରାସ୍ତାକୁ ସାଇକେଲ୍ ଆରୋହୀଙ୍କ ଲାଗି ସମର୍ପିତ ରଖାଯାଇ ସେହି ରାସ୍ତାରେ ଚାରି ଚକିଆର ଚଳାଚଳକୁ ସମ୍ପୂର୍ଣ୍ଣ ନିିଷେଧ କରାଯାଇଛି।

ଭାରତରେ ମଧ୍ୟ ସାଇକେଲ ବିକ୍ରିରେ ବୃଦ୍ଧି ଦେଖା ଦେଇଛି। ଅନେକ ସହରରେ ଏହା ଦୁଇ ଗୁଣ ହୋଇଛି। ସଂକ୍ରମଣ ଭୟରେ ଜନସାଧାରଣ ସାର୍ବଜନୀନ ପରିବହନ ବ୍ୟବସ୍ଥା ଠାରୁ ଦୂରେଇ ରହୁଛନ୍ତି। ଏଭଳି ସ୍ଥିତିରେ ନିଜର ବିଭିନ୍ନ କାର୍ଯ୍ୟ କରିବା ସହିତ ଏକ ସ୍ବାସ୍ଥ୍ୟପ୍ରଦ ଅଭ୍ୟାସ ଭାବେ ସାଇକେଲ ଚଳାଇବା ଆମ ଦେଶରେ ମଧ୍ୟ ଆଦୃତି ଲାଭ କରିଛି। ତେବେ ଏହା ମଧ୍ୟ ଭୁଲିଗଲେ ହେବ ନାହିଁ ଯେ ଆମ ଦେଶରେ ଲକ୍‍ଡାଉନ୍ ଜନିତ ଏକ କରୁଣ ବାସ୍ତବତାରେ ଅନେକ ସାଇକେଲ ଆରୋହୀ ପ୍ରବାସୀ ଶ୍ରମିକ ହଜାର ହଜାର ମାଇଲ ଏହି ନିଃଶବ୍ଦ ଯାନରେ ଅତିକ୍ରମ କରି ଘରେ ପହଞ୍ଚିଛନ୍ତି। ସାଇକେଲ ଜିନ୍ଦାବାଦ ବୋଲି ସର୍ବତ୍ର ଶୁୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର