‘ଗୁଗ୍‌ଲି’ ଓ ଛକା

ଗଲା ୧ ତାରିଖରେ ଏହି ସ୍ତମ୍ଭରେ ପ୍ରକାଶିତ ‘ଇମରାନଙ୍କ କ୍ରିକେଟ୍‌’ ଶୀର୍ଷକ ଲେଖାଟିରେ ଇମରାନ ଖାଁଙ୍କୁ ଘୋଟି ରହିଥିବା ଉତ୍କଟ ରାଜନୈତିକ ସ˚କଟ ପରିପ୍ରେକ୍ଷୀରେ କୁହାଯାଇଥିଲା ଯେ ଏହି ସ˚କଟର ମୁକାବିଲା ପ୍ରୟାସରେ ଅନ୍ତିମ ବଲ୍‌ ପର୍ଯ୍ୟନ୍ତ ଖେଳିବାକୁ ଦୃଢ଼ୋକ୍ତି କରିଥିବା ଇମରାନ ନିଜ ପଦ ବଜାୟ ରଖିବା ସକାଶେ ଯେ କୌଣସି ଉପାୟ ଅବଲମ୍ବନ କରିପାରନ୍ତି। କାରଣ, ବିରୋଧୀ ପକ୍ଷ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବରେ ତାଙ୍କ ଆସନ୍ନ ପରାଜୟ ସ˚ପର୍କରେ ଅନୁମାନ କରି ସେତେବେଳକୁ ସେ ତାଙ୍କ ସମର୍ଥକମାନଙ୍କୁ ଡାକରା ଦେଇ ସାରିଥିଲେ ଯେ ସେମାନେ ସଡ଼କକୁ ଓହ୍ଲାଇ ବିରୋଧ ପ୍ରକଟ କରନ୍ତୁ; ଯହିଁରେ ହି˚ସା ସୃଷ୍ଟି ହେବାର ଯଥେଷ୍ଟ କାରଣ ଏବ˚ ଆଶଙ୍କା ରହିଛି। ସୁତରାଂ, ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଜଣେ ଶାସନ ମୁଖ୍ୟଙ୍କ ପକ୍ଷରେ ଏହା ସ˚ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା ବୋଲି କହିଲେ ଦ୍ବିରୁକ୍ତି ହେବ ନାହିଁ। ସେହିଭଳି ପରିଶେଷରେ ଯାହା ଦେଖିବାକୁ ମିଳିଲା ତାହା ହେଲା ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହେବା ପୂର୍ବରୁ ଗଲା ୩ ତାରିଖ ଦିନ ତାଙ୍କ ଦ୍ବାରା ସହସା ‘ନେସନାଲ ଆସେମ୍ଲି’ର ଭଙ୍ଗ ଏବ˚ ତାହା କରିବା ଲାଗି ପାକିସ୍ତାନ ସ˚ବିଧାନରେ କଦାପି ବ୍ୟବହୃତ ହୋଇ ନ ଥିବା ଧାରା ‘୫’ର ଏକ ଅଯୌକ୍ତିକ ପ୍ରୟୋଗ। ଉଲ୍ଲେଖଯୋଗ୍ୟ ଯେ ସେହି ସମୟରେ ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ଏହାକୁ ଇମରାନ ଖାଁଙ୍କ ତଥାକଥିତ ଅନ୍ତିମ ବଲ୍‌ର ‘ଗୁଗ୍‌ଲି’ ବୋଲି ଅଭିହିତ କରିଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ପାକିସ୍ତାନର ସୁପ୍ରିମ୍‌ କୋର୍ଟଙ୍କ ହସ୍ତକ୍ଷେପ ବଳରେ ପୁଣି ସ˚ସଦର ଅଧିବେଶନ ବସି ଅନାସ୍ଥା ଭୋଟ ମାଧୢମରେ ବିଧିବଦ୍ଧ ଭାବେ ଇମରାନ ଖାଁଙ୍କୁ ଗଲା ଶନିବାର ଦିନ ପଦଚ୍ୟୁତ କରାଯାଇପାରିଛି ଏବ˚ କ୍ରିକେଟୀୟ ଉପମାଗୁଡ଼ିକର ଝଡ଼ ମଧୢରେ ଇମରାନଙ୍କ ଏହି ରାଜନୈତିକ ଇନି˚ସର ସମାପ୍ତି ଘଟିଛି।

ଏହି ପରିପ୍ରେକ୍ଷୀରେ ପାକିସ୍ତାନର ଅନ୍ୟତମ ସର୍ବପ୍ରସିଦ୍ଧ ସାମ୍ବାଦିକ ହମିଦ ମୀର ଯାହା କହିଥାଆନ୍ତି, ତାହା ହେଲା ଇମରାନ ଖାଁ ଜଣେ ‘ଲେଗ୍‌ ସ୍ପିନର‌୍‌’ ନ ହୋଇ ଦ୍ରୁତ ଗତିର ବୋଲର‌୍‌ ହୋଇଥିବାରୁ ଏକ ନିଖୁଣ ‘ଗୁଗ୍‌ଲି’ ଫୋପାଡ଼ିବାକୁ ସେ ସ୍ବାଭାବିକ ଭାବେ ଅସମର୍ଥ। ସୁତରା˚, ବସ୍ତୁତଃ ତାଙ୍କ କାର୍ଯ୍ୟଟି ଅନ୍ତିମ ବଲ୍‌ ଖେଳାଯିବା ପୂର୍ବରୁ ପଡ଼ିଆରୁ ପଳାୟନ କରିବା ସଦୃଶ ହୋଇଛି; ଯହିଁରେ ସୁପ୍ରିମ୍‌ କୋର୍ଟ ଅ˚ପାୟାର ତୁଲ୍ୟ ଆବିର୍ଭୂତ ହୋଇ ପୁନର୍ବାର ଖେଳର ଆରମ୍ଭ କଲେ ଏବ˚ ଇମରାନ ଖାଁ ଅନ୍ତିମ ବଲ୍‌ରେ ଖେଳିବା ଲାଗି ବାଧୢ ହୋଇ ହାରିଲେ। ତେବେ ସେ ଯାହା ହେଉ, ଏହି ସ˚ଦର୍ଭରେ ଆହୁରି ଯାହା ସ୍ପଷ୍ଟ ହୋଇଛି, ତାହା ହେଲା ଇମରାନ ଖାଁଙ୍କ ଅତ୍ୟନ୍ତ ଦୟନୀୟ ରାଜନୈତିକ ଅପରିପକ୍ବତା। କାରଣ ଏହି ରାଜନୈତିକ ସ˚କଟ ସମୟରେ ଯେଉଁ ଦୁଇଟି କାରଣରୁ ତାହା ସ୍ପଷ୍ଟ ହୋଇିଛି, ତହିଁରୁ ଗୋଟିଏ ହେଲା ପାକିସ୍ତାନ ଆର୍ମି ଏହି ପରିସ୍ଥିତିରେ ନିରପେକ୍ଷ ରହିବା ଲାଗି ନେଇଥିବା ନିଷ୍ପତ୍ତିକୁ ତାଙ୍କର ନିନ୍ଦା ଏବ˚ ତାଙ୍କ ବିସ୍ଥାପନ ପଛରେ ଯୁକ୍ତରାଷ୍ଟ୍ର ଆମେରିକାର ଷଡ୍‌ଯନ୍ତ୍ର ରହିଥିବା ବିଷୟରେ ସିଧାସଳଖ ଆରୋପ। କହିବା ଅନାବଶ୍ୟକ ଯେ ପାକିସ୍ତାନର ଗଣତନ୍ତ୍ର ଯଦି ସର୍ବତ୍ର ସନ୍ଦେହାସ୍ପଦ ହୋଇ ରହି ଆସିଛି ଅଥବା ପାକିସ୍ତାନର ନେତୃତ୍ବ ସର୍ବଦା ଏକ ରାଜନୈତିକ ତାରଲ୍ୟ ମଧୢ ଦେଇ ଗତି କରି ଆସୁଛି, ତେବେ ତହିଁରେ ନିହିତ ଥିବା ସର୍ବାଧିକ ପ୍ରମୁଖ କାରଣଟି ହେଲା ଦେଶର ରାଜନୀତିରେ ପାକିସ୍ତାନ ସୈନ୍ୟବାହିନୀ ଦ୍ବାରା କରାଯାଇ ଆସୁଥିବା ଅବା˚ଛିତ ହସ୍ତକ୍ଷେପ। ତେଣୁ ସ୍ବାଭାବିକ ଭାବେ ପାକିସ୍ତାନ ଭିତରେ ଏବ˚ ବାହାରେ ଗଣତନ୍ତ୍ରକାମୀ ରାଜନେତା ହୁଅନ୍ତୁ ବା ସୁଶୀଳ ସମାଜର ସଦସ୍ୟ ଅଥବା ବୁଦ୍ଧିଜୀବୀ; ସମସ୍ତେ ସେନାର ଏଭଳି କାର୍ଯ୍ୟ ଧାରାର ସମାଲୋଚନାରେ ମୁଖର ହୋଇ ଉଠିଥାଆନ୍ତି। ତେଣୁ ସା˚ପ୍ରତିକ ରାଜନୈତିକ ସ˚କଟରେ ପାକିସ୍ତାନ ସେନାବାହିନୀ ଅବଲମ୍ବନ କରିଥିବା ଦୂରତ୍ବ ପ୍ରଶ˚ସନୀୟ ହୋଇଥିବା ବେଳେ ଜଣେ ଗଣତାନ୍ତ୍ରିକ ରୂପେ ନିର୍ବାଚିତ ନେତା ଓ କ୍ଷମତାସୀନ ପ୍ରଧାନମନ୍ତ୍ରୀ ଏହି ନିଷ୍ପକ୍ଷତା କାରଣରୁ ସେନାକୁ ସମାଲୋଚନା କରିବା ଏକ ଚରମ ଅପରିଣାମଦର୍ଶୀ ଅପରିପକ୍ବତା ନୁହେଁ କି? ଏଠାରେ ପାଶୋରି ଗଲେ ହେବ ନାହିଁ ଯେ ୨୦୧୮ ମସିହାରେ ସରକାର ଗଢ଼ିବା ଲାଗି ଆସନ ସ˚ଖ୍ୟାରେ ନିଅଣ୍ଟ ଥିବାରୁ ଇମରାନ ଖାଁ ପାକିସ୍ତାନ ସେନାର ସହାୟତା ବଳରେ ଆବଶ୍ୟକ ସ˚ଖ୍ୟକ ଆସନ କରାୟତ୍ତ କରିବାରେ ସଫଳ ହୋଇଥିଲେ। ସମ୍ଭବତଃ ଏଥି ଲାଗି କୃତଜ୍ଞତା ପ୍ରକାଶ ସହିତ ଭବିଷ୍ୟତ୍‌ରେ ନିଜ ଶାସନକୁ ନିରଙ୍କୁଶ କରି ରଖିବା ଉଦ୍ଦେଶ୍ୟରେ ଇମରାନ ତତ୍କାଳୀନ ସେନାମୁଖ୍ୟ ପରଭେଜ ବାଜଵାଙ୍କ କାର୍ଯ୍ୟକାଳକୁ ଅବସର ପରେ ବୃଦ୍ଧି କରାଇଥିଲେ। ମନେ ହୁଏ, ଏହାର ପ୍ରତିବଦଳରେ ତାଙ୍କର ଏହି ବିପଦ କାଳରେ ସେ ପାକିସ୍ତାନ ସେନାର ସହଯୋଗ ନେଇ ଆଶା ପୋଷଣ କରିଥିବେ, ଯାହା ପ୍ରକୃତରେ ସମ୍ଭବ ହୋଇ ପାରିଲା ନାହିଁ।

ସେହିଭଳି ତାଙ୍କୁ ବିତାଡ଼ିତ କରିବା ଲାଗି ଆମେରିକୀୟ ଷଡ୍‌ଯନ୍ତ୍ରର ଆରୋପ ମଧୢ ଏକ ପିଲାଳିଆମି ଭଳି ଲାଗିଥାଏ। କାରଣ, ୨୦୨୦, ସେପ୍ଟେମ୍ବର ମାସରେ ପାକିସ୍ତାନ ପିପୁଲ୍‌ସ ପାର୍ଟି (ପିପିପି)ର ଅଧୢକ୍ଷ ଆସିଫ ଅଲ୍ଲୀ ଜରଦାରୀଙ୍କ ନେତୃତ୍ବରେ କିଛି ବିରୋଧୀ ଦଳ ଦ୍ବାରା ଯେତେବେଳେ ଏକ ବିଶାଳ ସତ୍ତା ବିରୋଧୀ ଆନ୍ଦୋଳନର ସୂତ୍ରପାତ ଘଟି ସାନି ନିର୍ବାଚନ ଲାଗି ଦାବି ଉଠିଥିଲା, ସେତିକି ବେଳେ ଇମରାନ ଖାଁଙ୍କ ଆସ୍ଫାଳନଭରା ଉକ୍ତି ଥିଲା- ନିର୍ବାଚନ କାହିଁକି? ଯଦି ଦମ୍‌ ଅଛି ସ˚ସଦରେ ଅନାସ୍ଥା ପ୍ରସ୍ତାବ ଆଣି ମୋତେ ପରାଜିତ କର। ଏଠାରେ ଉଲ୍ଲେଖ ଥାଉ ଯେ ସେହି ସମୟରେ ପାକିସ୍ତାନର ଦୁଇ ପ୍ରମୁଖ ବିରୋଧୀ ଦଳ ‘ପିପିପି’ ଏବ˚ ‘ପିଏମ୍‌ଏଲ୍‌(ଏନ୍‌)’ ମଧୢରେ ମତଭେଦ ତୀବ୍ର ଥିବାରୁ ଇମରାନ ଖାଁ ଏଭଳି ଏକ ଅନାସ୍ଥା ଭୋଟ ସମ୍ଭବ ହୋଇ ନ ପାରିବା ନେଇ ନିଶ୍ଚିତ ଥିଲେ। କିନ୍ତୁ ତା’ ପରବର୍ତ୍ତୀ କାଳରେ ଅତ୍ୟନ୍ତ ସନ୍ତର୍ପଣରେ ଉପରୋକ୍ତ ଦୁଇ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ହୋଇଯିବା ଏବ˚ ତାହାର ପ୍ରଭାବରେ ଇମରାନ ସରକାରକୁ ସମର୍ଥନ ପ୍ରଦାନ କରିଥିବା କ୍ଷୁଦ୍ର ଦଳଗୁଡ଼ିକ ମଧୢରେ ଫାଟ ସୃଷ୍ଟି ହୋଇଥିବା ବିଷୟ ଇମରାନ ଖାଁଙ୍କ ଦୃଷ୍ଟି ଆଢ଼ୁଆଳରେ ହିଁ ରହିଯାଇଥିଲା। ତେଣୁ ୨୦୨୦ ମସିହାରେ ଇମରାନ ଖାଁ ଚାହିଥିବା ଭଳି ସ˚ସଦରେ ଏକ ଅନାସ୍ଥା ପ୍ରସ୍ତାବର ସମ୍ଭାବନା ଏବେ ସୃଷ୍ଟି ହୋଇଥିବାରୁ ସେ ଓଲଟି ଯାଇ ୨୦୨୦ରେ ବିରୋଧୀ ଦଳ ଦାବି କରିଥିବା ଭଳି ଏକ ସାନି ନିର୍ବାଚନ ସକାଶେ ସ˚ସଦ ଭଙ୍ଗ କରିଦେବା ଭଳି ପିଲାଳିଆ ନିଷ୍ପତ୍ତି ନେଇଥିଲେ; ଯହିଁରେ ସାମୟିକ ଭାବେ ବିପଦକୁ ଟାଳିବାର ଏକ ଉଦ୍ୟମ ଦିଶିଥାଏ।

ଏହି ପରିପ୍ରେକ୍ଷୀରେ ‘ରିଇମାଇନିଂ ପାକିସ୍ତାନ’(Reimagining pakistan) ନାମକ ଏକ ଚମତ୍କାର ପୁସ୍ତକ ବିଶେଷ ପ୍ରଣିଧାନଯୋଗ୍ୟ, ଯାହାର ଲେଖକ ପ୍ରବୀଣ ସାମ୍ବାଦିକ ଓ ସ୍ତମ୍ଭକାର ହୁସେନ ହକ୍କାନି କହିଥାଆନ୍ତି ଯେ ମୌଳବାଦୀ ଆଦର୍ଶ ଦ୍ବାରା ପରିଚାଳିତ ହୋଇ ରାଷ୍ଟ୍ର ଗଠନର ଆଭିମୁଖ୍ୟ ହିଁ ପ୍ରଥମରୁ ପାକିସ୍ତାନକୁ ଅବାଟରେ ନେଇଯାଇଛି। ବିଭିନ୍ନ ପ୍ରକାର ସଂକୀର୍ଣ୍ଣତା ପରିହାର କରିଥିବା ବାସ୍ତବବାଦୀ ରାଷ୍ଟ୍ରଗୁଡ଼ିକ ଏକବି˚ଶ ଶତାବ୍ଦୀରେ ଅଧିକ ସାଫଲ୍ୟର ଅଧିକାରୀ ହୋଇଥିବାର ଅନେକ ଉଜ୍ଜ୍ବଳ ପ୍ରମାଣ ସମସ୍ତଙ୍କ ସମକ୍ଷରେ ଥିବା ବେଳେ ପାକିସ୍ତାନର ରାଜନୈତିକ ରାଷ୍ଟ୍ରାଦର୍ଶ ତାକୁ ପଶ୍ଚାତ୍‌ଗାମୀ କରି ଚାଲିଛି। ତାହା ହୋଇ ନ ଥିଲେ ପାଶ୍ଚାତ୍ୟ ପ୍ରଭାବରେ ବଢ଼ିଥିବା ତଥା ଅକ୍‌ସଫୋର୍ଡରେ ଶିକ୍ଷା ଲାଭ କରିଥିବା ଏବ˚ ଜଣେ ‘ପ୍ଲେ ବୟ’ କ୍ରିକେଟର‌୍‌ ରୂପେ ଦିନେ ଅଗଣନ ଯୁବତୀଙ୍କ ଆଖିର ତାରକାରେ ପରିଣତ ହୋଇ ତାକୁ ମନଭରି ଉପଭୋଗ କରୁଥିବା ଇମରାନ ଖାଁ ରାଜନୀତିରେ ପ୍ରବେଶ କରିବା ପରେ କ୍ରମେ ଜଣେ ଧର୍ମାନ୍ଧ ମୌଳବାଦୀ ନେତାରେ ପରିଣତ ହେବା ଦିଗରେ ଅଗ୍ରସର ହୋଇ ନ ଥାଆନ୍ତେ!
ତେବେ ସୁଖର ବିଷୟ ପାକିସ୍ତାନରେ ଏବେ ସୁଦ୍ଧା ବାସ୍ତବବାଦର ପବନ କ୍ଷୀଣ ଭାବରେ ହେଲେ ମଧୢ ପ୍ରବାହିତ ହେଉଛି; ଯାହାର ନିଦର୍ଶନ ସ୍ବରୂପ ‘ନେସନାଲ ଆସେମ୍ଲି’ର ପୁନଃ ବୈଠକ ସମ୍ଭବ ହୋଇ ଇମରାନ ଖାଁଙ୍କୁ ବିଧିବଦ୍ଧ ରୂପେ ବହିଷ୍କାର କରାଯାଇପାରିଲା। ସେହି ଦୃଷ୍ଟିରୁ ଇମରାନ ଖାଁଙ୍କ ‘ଆସେମ୍ଲି ଭଙ୍ଗ’ ନିଷ୍ପତ୍ତିକୁ ସେହି ସମୟରେ ଯେଉଁମାନେ ଏକ ‘ଗୁଗ୍‌ଲି’ ବୋଲି ଅଭିହିତ କରିଥିଲେ, ସେମାନେ ଏବେ ତା’ ସହିତ ଏହା ଯୋଡ଼ି ଦେଇ ପାରନ୍ତି ଯେ ସେହି ଅନ୍ତିମ ‘ଗୁଗ୍‌ଲି’କୁ ବିରୋଧୀ ପକ୍ଷ ଏକ ଛକାରେ ପରିଣତ କରି ଶେଷ ବଲ୍‌ରେ ହିଁ ବିଜୟ ଲାଭ କରି ପାରିଲେ!

ସମ୍ବନ୍ଧିତ ଖବର