ଆଲୋକର ସନ୍ଧାନେ: ଗୋଟିଏ ପୁସ୍ତକ ଓ ଗୋଟିଏ ସିନେମା

ଅଭୟ ଦ୍ୱିବେଦୀ

‘ଆପଣ ସେହି ମହିୟସୀ ମହିଳା, ଯାହାଙ୍କର ଖଣ୍ଡିଏ ପୁସ୍ତକ ଦେଶରେ ଗୃହଯୁଦ୍ଧର ସୂତ୍ରପାତ କରିଦେଲା।’ ‘ଅଙ୍କଲ୍‌ ଟମ୍‌ସ୍ କାବିନ୍‌’ ଉପନ୍ୟାସର ରଚୟିତା ହାରିଏଟ୍‌ ବିଚର ଷ୍ଟୋଙ୍କୁ ୧୮୬୨ ମସିହାରେ ଆମେରିକା ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନ ଏହି ଉଚ୍ଛ୍ୱସିତ ଶବ୍ଦରେ ହ୍ୱାଇଟ୍‌ ହାଉସ୍‌କୁ ସ୍ୱାଗତ କରିଥିଲେ। ଆବ୍ରାହାମ ଲିଙ୍କନ ୧୮୬୧ ମାର୍ଚ୍ଚ ମାସରେ ରାଷ୍ଟ୍ରପତି ଆସନ ଗ୍ରହଣ କରିବା ପରେ ଏପ୍ରିଲ ମାସରେ ଦେଶରେ ପ୍ରଚଳିତ କ୍ରୀତଦାସ ପ୍ରଥା ବିଲୋପ ନିମନ୍ତେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା। କ୍ରୀତଦାସ ବ୍ୟବସାୟୀମାନେ ଆଫ୍ରିକାରୁ କୃଷ୍ଣକାୟମାନଙ୍କୁ ବଳପୂର୍ବକ ଧରି ଆଣି ଆମେରିକାରେ ବିକ୍ରି କରୁଥିଲେ। କ୍ରୀତଦାସର ଜୀବନ ଥିଲା ଇତର ପ୍ରାଣୀ ଠାରୁ ଆହୁରି ହୀନ। ଆଇନର ପରିଭାଷାରେ ସେ ଥିଲା ସମ୍ପି, ପଣ୍ୟ ବସ୍ତୁ, ଯାହା ମାଲିକର ଇଚ୍ଛା ଓ ଖିଆଲରେ ହାଟର ସଉଦା ପାଲଟି ଯାଉଥିଲା। ସେ ଥିଲା ଶିକ୍ଷାରୁ ବଂଚିତ ଏବଂ ତାହା ଥିଲା ଆଇନସମ୍ମତ। କ୍ରୀତଦାସ ନିମନ୍ତେ ବିବାହ ଥିଲା ଅବୈଧ ଆବେଗ। କେବଳ ସନ୍ତାନ ଜନ୍ମ କରିବା ପାଇଁ ସେମାନଙ୍କୁ ସାଥିରେ ରହିବା ପାଇଁ ପ୍ରଶ୍ରୟ ଦିଆଯାଉଥିଲା। ଜଣେ ମାଲିକ, କ୍ରୀତଦାସ ପରିବାରର ସମସ୍ତଙ୍କୁ ଅଲଗା ବିକ୍ରି କରିପାରିବ, ତାହା ହିଁ ଥିଲା ଦେଶର ଆଇନ। କେହି କ୍ରୀତଦାସ ପଳାୟନ ଉଦ୍ୟମ କଲେ, ସେ ମୃତ୍ୟୁଦଣ୍ଡ ପାଇବ; ତାହା ଥିଲା ଆଇନସମ୍ମତ। ସେଥି ନିମନ୍ତେ ‘ଅଙ୍କଲ୍‌ ଟମ୍‌ସ୍ କାବିନ୍‌’ ଉପନ୍ୟାସର ଉପଶୀର୍ଷକ- “The Man Who was a Thing”।

‘ଅଙ୍କଲ୍‌ ଟମ୍‌ସ୍ କାବିନ୍‌’ (ଯଶସ୍ୱୀ ଉଦୟନାଥ ଷଢ଼ଙ୍ଗୀଙ୍କ ଅନୂଦିତ ଟମ କକାଙ୍କ କୁଟୀର) ଉପନ୍ୟାସ ହେଉଛି ଏହି ଘୃଣିତ, ଜଘନ୍ୟ କ୍ରୀତଦାସ ପ୍ରଥାର ଶବ୍ଦ ରୂପାୟନ। କ୍ରୀତଦାସ ପ୍ରଥା ବିରୋଧରେ ଉପନ୍ୟାସ ଏଭଳି ଜନମତ ସୃଷ୍ଟି କରିଥିଲା, ଯାହାର କଂପନରେ କେବଳ ଆମେରିକା ନୁହେଁ ସାରା ବିଶ୍ୱ ଦୁଲୁକି ଉଠିଥିଲା। ଏହି ଉପନ୍ୟାସ ୧୮୫୨ ମସିହା ମାର୍ଚ୍ଚ ୨୦ ତାରିଖରେ ଦୁଇ ଭାଗରେ ପ୍ରକାଶ ପାଇଲା। ମୁଦ୍ରଣ ସଂଖ୍ୟା ଥିଲା ପାଞ୍ଚ ହଜାର। କି ଭାଗ୍ୟ! ମାତ୍ର ଦଶ ଦିନ ମଧ୍ୟରେ ୫୦୦୦ ପୁସ୍ତକ ବିକ୍ରି ହୋଇଗଲା। ଏପ୍ରିଲ ପ୍ରଥମ ଦୁଇ ସପ୍ତାହରେ ଆହୁରି ପନ୍ଦର ହଜାର, ମଇ ୨୦ ତାରିଖ ସୁଦ୍ଧା ପଚାଶ ହଜାର। ଗୋଟିଏ ବର୍ଷ ମଧ୍ୟରେ ବିକ୍ରି ସଂଖ୍ୟା ଆମେରିକାରେ ତିନି ଲକ୍ଷ ଏବଂ ଇଂଲଣ୍ଡରେ ଦଶ ଲକ୍ଷ ଟପି ଯାଇଥିଲା। କିନ୍ତୁ ଆମେରିକାର ଦକ୍ଷିଣାଞ୍ଚଳ ରାଜ୍ୟସମୂହରେ ଉପନ୍ୟାସ ବିରୋଧରେ ପ୍ରବଳ ଆନ୍ଦୋଳନ ଓ ପ୍ରତିବାଦ ଆରମ୍ଭ ହେଲା। ଅପପ୍ରଚାର କରାଗଲା- ‘ଉପନ୍ୟାସରେ ଯାହା ଲେଖାଯାଇଛି ତାହା ଉର୍ବର ମସ୍ତିଷ୍କର ଉଦ୍ଭଟ ପରିକଳ୍ପନା। ପୁସ୍ତକରେ କ୍ରୀତଦାସ ଜୀବନର ଯେଉଁ ଚିତ୍ର ପ୍ରଦାନ କରାଯାଇଛି, ତାହା ମିଥ୍ୟା, ମିଥ୍ୟା ଏବଂ ସମ୍ପୂର୍ଣ୍ଣ ମିଥ୍ୟା। ଆମେ କ୍ରୀତଦାସମାନଙ୍କୁ ସନ୍ତାନ ଭଳି ସ୍ନେହ କରୁଛୁ। କିନ୍ତୁ ଲେଖିକା କ୍ରୀତଦାସ ମାଲିକମାନଙ୍କୁ ଯେଭଳି ନିଷ୍ଠୁର ରୂପରେ ଚିତ୍ରଣ କରିଛନ୍ତି, ସେଥିନିମନ୍ତେ ତାଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ।’ ଲେଖିକାଙ୍କୁ ହତ୍ୟା ଧମକ ଆସିଲା ଏବଂ ତାଙ୍କ ବିରୋଧରେ ଅଦାଲତରେ ମାନହାନି ମୋକଦ୍ଦମା ଆରମ୍ଭ ହେଲା। ଏଥିରେ ବିବ୍ରତ ନ ହୋଇ ହାରିଏଟ୍‌ ବିଚର ଘୋଷଣା କଲେ- ‘ସାହିତ୍ୟ ପରିଭାଷାରେ ଉପନ୍ୟାସ ହେଉଛି କଳ୍ପନାର ପ୍ରଲେପ। କିନ୍ତୁ ଆଶ୍ଚର୍ଯ୍ୟର କଥା, ମୋ ଉପନ୍ୟାସକୁ ଉଦ୍ଭଟ ପରିକଳ୍ପନା ବୋଲି ଆକ୍ଷେପ କରାଯାଉଛି। ଏହାର ଅର୍ଥ, ଉପନ୍ୟାସରେ ବର୍ଣ୍ଣିତ ଚରିତ୍ର ଓ ଘଟଣାସମୂହର ସତ୍ୟତା ପ୍ରତିପାଦନ କରିବାର ସମୟ ଆସିଛି।” ଏଥି ନିମନ୍ତେ ୧୮୫୪ ମସିହାରେ ସେ ଆଉ ଏକ ପୁସ୍ତକ ରଚନା କଲେ- ‘ଏ କି ଟୁ ଅଙ୍କଲ୍‌ ଟମ୍‌ସ୍‌ କାବିନ୍‌’। ୫୦୪ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ଲେଖିକା ମୂଳ ଉପନ୍ୟାସର ‘ଚରିତ୍ର ଓ ଘଟଣାସମୂହର’ ସତ୍ୟନିଷ୍ଠ ତଥ୍ୟ, ପ୍ରମାଣ ସହ ପରିବେଷଣ କଲେ। ଯେଉଁ ପଳାତକ କ୍ରୀତଦାସ ଯୋଶେୟା ହେନସନଙ୍କ ଜୀବନ ଆଧାରରେ ଉପନ୍ୟାସ ପର୍ଯ୍ୟବସିତ ଥିଲା, ତାଙ୍କୁ ସେ କାନାଡାରେ ଚିହ୍ନଟ କରାଇଦେଲେ, ଇତ୍ୟାଦି ଇତ୍ୟାଦି। ଗୋଟିଏ ଉପନ୍ୟାସର ସତ୍ୟତା ପ୍ରତିପାଦନ ନିମନ୍ତେ ସ୍ରଷ୍ଟାଙ୍କ ପକ୍ଷେ ଆଉ ଏକ ପୁସ୍ତକ ରଚନାର ଆବଶ୍ୟକତା ପଡ଼ିଛି- ବିଶ୍ୱ ସାହିତ୍ୟରେ ଏହା ବିରଳ ଦୃଷ୍ଟାନ୍ତ।

ଏହି କ୍ରମରେ ଗତ ମାସରେ ମୁକ୍ତିଲାଭ କରିଥିବା ‘ଦ କାଶ୍ମୀର ଫାଇଲ୍‌ସ୍‌’ ଚଳଚ୍ଚିତ୍ର ଅନୁଶୀଳନ କରିବା। ଏହି ଦୁଇଟି କଳାକୃତି ମଧ୍ୟରେ ଅସାମାନ୍ୟ ସାମଞ୍ଜସ୍ୟ ରହିଛି। ଉପନ୍ୟାସରେ ଘୃଣିତ କ୍ରୀତଦାସ ଜୀବନର ନଗ୍ନ ଛବି ବର୍ଣ୍ଣନା କରାଯାଇଥିବାବେଳେ, ଚଳଚ୍ଚିତ୍ରରେ କାଶ୍ମୀର ନରସଂହାରର ଅବିକଳ ଚିତ୍ର ପରିବେଷଣ କରାଯାଇଛି। ‘ଅଙ୍କଲ୍‌ ଟମ୍‌ସ୍ କାବିନ୍‌’ ଉପନ୍ୟାସ ଊନ୍ନବିଂଶ ଶତାବ୍ଦୀର ଦ୍ୱିତୀୟ ବହୁଳ ପ୍ରସାରିତ ପୁସ୍ତକ (ପ୍ରଥମ- ବାଇବେଲ) ଏବଂ ‘ଦ କାଶ୍ମୀର ଫାଇଲ୍‌ସ୍‌’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ତିନି ସପ୍ତାହ ମଧ୍ୟରେ ୩୦୦ କୋଟି ଟଙ୍କା ସଂଗ୍ରହ କରି ଆନ୍ଦୋଳନରେ ପରିଣତ ହୋଇଯାଇଛି। ଆମେରିକାର ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନ ଉପନ୍ୟାସର ଲେଖିକା ହାରିଏଟ୍‌ ବିଚରଙ୍କୁ ହ୍ୱାଇଟ୍‌ ହାଉସ୍‌ରେ ସଂବର୍ଦ୍ଧନା ଜଣାଇଥିଲେ ଏବଂ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶକ ଓ ନିର୍ମାତାଙ୍କୁ ସାକ୍ଷାତ୍‌ରେ ଅଭିନନ୍ଦନ ଜଣାଇଛନ୍ତି। ଉପନ୍ୟାସ ନିମନ୍ତେ ହାରିଏଟ୍‌ ବିଚରଙ୍କୁ ଯେପରି ହତ୍ୟା ଧମକ ଆସିଥିଲା, ଚଳଚ୍ଚିତ୍ରର ନିର୍ଦ୍ଦେଶକଙ୍କ ପାଇଁ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି ଏବଂ କିଛି ଗୋଷ୍ଠୀ ଚଳଚ୍ଚିତ୍ରକୁ ‘ସାଂପ୍ରଦାୟିକ’ ଓ ‘ଅର୍ଦ୍ଧସତ୍ୟ’ ଆଖ୍ୟା ଦେଇ ତୀବ୍ର ବିରୋଧ କରୁଛନ୍ତି। ସାମଞ୍ଜସ୍ୟ କେବଳ ବାହ୍ୟ ଆବରଣରେ ସୀମିତ ରହିନାହିଁ, ବୀଭତ୍ସ ବ୍ୟବସ୍ଥା ଓ ନରକୀୟ ଘଟଣାକ୍ରମ ବିରୋଧରେ ଜନ ସମର୍ଥନ ଓ ଉନ୍ମାଦନା ସୃଷ୍ଟି କରିବାରେ ଦୁହେଁ ଅପୂର୍ବ ସଫଳତା ହାସଲ କରିଛନ୍ତି। ସତେଯେମିତି ଇତିହାସର ପୁନରାବୃତ୍ତି। ଉପନ୍ୟାସ ପ୍ରକାଶ ପାଇବାର ଦୁଇ ଶହ ବର୍ଷରୁ ଅଧିକ କାଳ ଆମେରିକାରେ କ୍ରୀତଦାସ ପ୍ରଥାର ପ୍ରଚଳନ ଥିଲା। ଆମେରିକାବାସୀ ଜଘନ୍ୟ କ୍ରୀତଦାସ ବ୍ୟବସ୍ଥାର ବର୍ବରତା ସଂପର୍କରେ ଅବଗତ ଥିଲେ ମଧ୍ୟ ଏହି ଅମାନବୀୟ ପ୍ରଥା କାହାରି ପ୍ରାଣକୁ ସ୍ପର୍ଶ କରି ପାରି ନ ଥିଲା। କାଳ କାଳ ଧରି ସୁପ୍ତ ଚେତନାକୁ ଜାଗ୍ରତ କରିବାରେ ଖଣ୍ଡିଏ ଉପନ୍ୟାସ ସହାୟକ ହୋଇଥିଲା। ଠିକ୍ ସେହିଭଳି, ତିନି ଦଶନ୍ଧି ପୂର୍ବେ କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଓ ସାମୂହିକ ପଳାୟନ ସଂପର୍କରେ ସମସ୍ତେ ଊଣା ଅଧିକେ ଅବଗତ ରହି ମଧ୍ୟ ନିର୍ଲିପ୍ତ ଓ ନିର୍ବିକାର ଥିଲେ। କିନ୍ତୁ ଚଳଚ୍ଚିତ୍ରରେ ପରିବେଷିତ ଆତଙ୍କବାଦୀଙ୍କ ଆକ୍ରମଣରେ ଥରହର କାଶ୍ମୀର ପଣ୍ଡିତଙ୍କ ଆକୁଳ ଆର୍ତ୍ତନାଦ ସଭିଙ୍କ ପ୍ରାଣତନ୍ତ୍ରୀକୁ ଦୋହଲାଇ ଦେଲା।

ଏହି ଚଳଚ୍ଚିତ୍ର କାଶ୍ମୀର ସମସ୍ୟା ଉପରେ ଅନେକ ପ୍ରଶ୍ନ ଉତ୍‌ଥାପନ କରିଛି। କାଶ୍ମୀର ନରସଂହାର ଓ ଗଣଦୁଷ୍କର୍ମ ଆକସ୍ମିକ ଥିଲା ନା ଯୋଜନାବଦ୍ଧ? ସେ ସମସ୍ତ ସ୍ଲୋଗାନ୍‌ ଓ ଇସ୍ତାହାର କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଉଲଗ୍ନ ଉନ୍ମାଦନା ଥିଲା, ନା ସରକାରୀ ପ୍ରୋତ୍ସାହିତ ଆତଙ୍କବାଦୀ କାର୍ଯ୍ୟଧାରା? ୨୦୦୨ ମସିହା ନଭେମ୍ବର ମାସ ବିବିସି ସାକ୍ଷାତ୍‌କାରରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ୟାସିନ୍ ମଲ୍ଲିକ କାଶ୍ମୀର ନରସଂହାରରେ ନିଜର ସଂପୃକ୍ତି ହସି ହସି ସ୍ୱୀକାର କରିବା ପରେ, ୨୦୦୬ ମସିହାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କୁ ନିଜ ସରକାରୀ ବାସଭବନକୁ ଆମନ୍ତ୍ରଣ କରିଥିଲେ କିପରି? ପ୍ରାୟ ପାଞ୍ଚ ଲକ୍ଷ ଭୀତତ୍ରସ୍ତ କାଶ୍ମୀର ପଣ୍ଡିତଙ୍କୁ ନିଜର ଭିଟାମାଟି ଛାଡ଼ିବାକୁ ବାଧ୍ୟ କରାଗଲା କାହିଁକି? ଏହିଭଳି ଆହୁରି ଅନେକ। ‘ଅଙ୍କଲ୍‌ ଟମ୍‌ସ୍ କାବିନ୍‌’ ଉପନ୍ୟାସର ସତ୍ୟତା ପ୍ରତିପାଦନ ନିମନ୍ତେ ଯେପରି ଆଉ ଏକ ସହାୟକ ଗ୍ରନ୍ଥ ରଚନା କରିବାକୁ ପଡ଼ିଥିଲା, ‘ଦ କାଶ୍ମୀର ଫାଇଲ୍‌ସ୍‌’ ଚଳଚ୍ଚିତ୍ରର ପୃଷ୍ଠଭୂମି ପରିବେଷଣ ସକାଶେ ଆଉ ଏକ ନଥି ଖୋଲିବାର ଆବଶ୍ୟକତା ରହିଛି , ଯାହା ଏପର୍ଯ୍ୟନ୍ତ ଛାଇ ଅନ୍ଧାରରେ ରହିଯାଇଛି। ଦୃଷ୍ଟାନ୍ତ ସ୍ୱରୂପ ଏଠାରେ ଦୁଇଟି ଘଟଣାକ୍ରମ ଉପସ୍ଥାପନା କରାଯାଉଛି। ୧୯୮୦ ମସିହାରେ ଶେଖ୍‌ ଅବଦୁଲ୍ଲାଙ୍କ ଶାସନ କାଳରେ ରାଜ୍ୟ ବିଧାନସଭାରେ Jammu and Kashmir Grant of Permit for Resettlement in (or Permanent Return to) the State ନାମକ ବିଲ୍ ଉପସ୍ଥାପନା କରାଗଲା, ଯାହା ୧୯୮୨ ମସିହାରେ ତାଙ୍କ ପୁତ୍ର ଫାରୁକ ଅବଦୁଲ୍ଲାଙ୍କ ଶାସନ କାଳରେ ଆଇନରେ ପରିଣତ ହେଲା। ଆଇନର ଆଭିମୁଖ୍ୟ ଥିଲା- ‘୧୯୪୭ ମସିହାରେ ଯେଉଁମାନେ ଜାମ୍ମୁ କାଶ୍ମୀରର ଅଧିବାସୀ ଥିଲେ, ଅଥଚ ଦେଶ ବିଭାଜନ ପରେ ପାକିସ୍ତାନରେ ବସବାସ କରୁଛନ୍ତି, ସେମାନେ ଚାହିଁଲେ ପୁନଶ୍ଚ ଜାମ୍ମୁ କାଶ୍ମୀରର ନାଗରିକତ୍ୱ ଗ୍ରହଣ କରିପାରିବେ।’ ସ୍ୱାଧୀନତା ପ୍ରାପ୍ତି ପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ସାରା ରାଜ୍ୟରେ ବିଭୀଷିକା ସୃଷ୍ଟି କରୁଥିବାବେଳେ, ଆତଙ୍କବାଦୀଙ୍କୁ ଆମନ୍ତ୍ରଣ କରି ନାଗରିକତ୍ୱ ପ୍ରଦାନ କରିବାର ଅଭିପ୍ରାୟ କ’ଣ ଥିଲା? ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ୧୯୮୯ ଜୁଲାଇ ଏବଂ ଡିସେମ୍ବର ମଧରେ ଆଇଏସ୍‌ଆଇ ତାଲିମପ୍ରାପ୍ତ ୭୦ ଜଣ ଦୁର୍ଦ୍ଧର୍ଷ ଆତଙ୍କବାଦୀଙ୍କୁ କାହା ପ୍ରରୋଚନାରେ ଓ କାହିଁକି ଜେଲ‌୍ରୁ ମୁକ୍ତ କରିଥିଲେ? ପିଢ଼ି ପରେ ପିଢ଼ି ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ରାଜନେତାମାନେ ଏ ସଂପର୍କରେ ଯେତେ ସଫେଇ ଦେଲେ ମଧ୍ୟ ତାହା କାଶ୍ମୀର ପଣ୍ଡିତଙ୍କ କ୍ଷତ ଭରଣା କରିପାରିବ ନାହିଁ।

ପୁନଶ୍ଚ ଆମେରିକାକୁ ଫେରିବା। “ଲକ୍ଷ ଲକ୍ଷ ଆଫ୍ରିକୀୟ ଏବଂ ସେମାନଙ୍କ ବଂଶଧରମାନଙ୍କୁ ଆମେରିକା ଏବଂ ତେରଟି ଉପନିବେଶରେ ୧୬୧୯ରୁ ୧୮୬୫ ମସିହା ପର୍ଯ୍ୟନ୍ତ କ୍ରୀତଦାସ ଭାବେ ନିୟୋଜିତ କରାଯାଇଥିବାରୁ, …..ହାଉସ ଅଫ୍ ରିପ୍ରେଜେନ୍‌ଟେଟିଭ୍‌ସ୍‌ରେ ବର୍ତ୍ତମାନ ଏହି ପ୍ରସ୍ତାବ ଗୃହୀତ ହେଉଅଛି ଯେ ଆମେ କ୍ରୀତଦାସ ପ୍ରଥା ଏବଂ ବର୍ଣ୍ଣବୈଷମ୍ୟ ନୀତିର କଳଙ୍କିତ, ବର୍ବରୋଚିତ ଏବଂ ଅମାନୁଷିକ ଅଧ୍ୟାୟକୁ ସ୍ୱୀକାର କରିବା ସହିତ, ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ତ ବାସିନ୍ଦାଙ୍କ ତରଫରୁ କୃଷ୍ଣକାୟ ଏବଂ ସେମାନଙ୍କ ପୂର୍ବଜଙ୍କ ପ୍ରତି ଅନ୍ୟାୟ ପ୍ରଦର୍ଶନ ନିମନ୍ତେ କ୍ଷମାପ୍ରାର୍ଥନା କରୁଅଛୁ।” ୨୦୦୮ ଜୁଲାଇ ୩୦ ତାରିଖରେ ଆମେରିକା ହାଉସ୍‌ରେ ଏହି ପ୍ରସ୍ତାବ ଏବଂ ୨୦୦୯ ଜୁନ୍‌ ୧୯ ତାରିଖରେ ସିନେଟ୍‌ରେ ଅନୁରୂପ ପ୍ରସ୍ତାବ ଗୃହୀତ ହୋଇଛି। କ୍ରୀତଦାସ ପ୍ରଥା ପ୍ରଚଳନର ପ୍ରାୟ ଚାରି ଶହ ବର୍ଷ ପରେ ଆମେରିକା ପାର୍ଲାମେଣ୍ଟ୍‌ରେ କ୍ଷମା ପ୍ରାର୍ଥନା ପ୍ରସ୍ତାବ ଆଗତ କରାଯାଇଥିଲା। ଜାମ୍ମୁ କାଶ୍ମୀର ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟା ଆସନ୍ତା ମଇ ମାସରେ ସମାପ୍ତ ହେବା ପରେ ନିର୍ବାଚନ ପର୍ବର ପ୍ରସ୍ତୁତି ଚାଲିବ। ଆଗାମୀ ବିଧାନସଭାର ପ୍ରଥମ ଅଧିବେଶନରେ କାଶ୍ମୀର ପଣ୍ଡିତଙ୍କୁ କ୍ଷମା ପ୍ରାର୍ଥନା ସହ ରାଜ୍ୟରେ ସଂଗଠିତ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କଠୋର ଶବ୍ଦରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଗଲେ ନିଜ ଦେଶରେ ଶରଣାର୍ଥୀ ଜୀବନ ବିତାଉଥିବା ପଣ୍ଡିତମାନେ ଅନ୍ତତଃ ଆଶ୍ୱସ୍ତି ଲାଭ କରିବେ।
ମୋ- ୯୪୩୭୧୯୧୩୫୦

ସମ୍ବନ୍ଧିତ ଖବର