ଗୁମାନୀ ମାମୁ

ବାସ୍ତବରେ ଏହି ଉତ୍ସବଟି ଏକ ହିନ୍ଦୁ ମହାପର୍ବ ହେବାକୁ ବସିଲାଣି; ଯେଉଁ ପରିପ୍ରେକ୍ଷୀରେ କଂଗ୍ରେସର ରସଭଙ୍ଗକାରୀ ଆଚରଣ ହିନ୍ଦୁ ବିରୋଧୀ ଭାବେ ଅଭିହିତ ହେବା ସଙ୍ଗେସଙ୍ଗେ ଗୁମାନ କରି ରୁଷି ବସୁଥିବା ସେହି ମାମୁ ବା ପିଉସା ବା ମଉସାମାନଙ୍କ ଭଳି ହୋଇଥାଏ, ଯେଉଁମାନଙ୍କୁ ପ୍ରତ୍ୟେକ ଭାରତୀୟ ପରିବାର ସେମାନଙ୍କ ବିବାହ ଉତ୍ସବରେ ଦେଖିବାକୁ ପାଆନ୍ତି। କହିବା ବାହୁଲ୍ୟ ଉତ୍ସବର ଉଚ୍ଚାଟରେ କୋଣିକିଆ ହୋଇ ବସିଥିବା ଏହି ଗୁମାନୀ ମାମୁମାନେ ପ୍ରକାରାନ୍ତରେ ଅପଚରା ହୋଇ ଯାଆନ୍ତି।

ଆସନ୍ତା ୨୨ ତାରିଖ ଦିନ ଅଯୋଧ୍ୟାରେ ‘ଶ୍ରୀରାମ ଲଲା’ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସାରା ପୃଥିବୀର ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଥିବା ବେଳେ ଏକ ଅସଂପୂର୍ଣ୍ଣ ମନ୍ଦିରରେ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠାର ଆଧ୍ୟାତ୍ମିକ ଔଚିତ୍ୟକୁ ନେଇ କେତେକ ଶଙ୍କରାଚାର୍ଯ୍ୟଙ୍କ ପ୍ରଶ୍ନ ଏକ ବିବାଦକୁ ଜନ୍ମ ଦେଲାଣି; ସୁତରାଂ, ଏହାକୁ ଆୟୋଜନ କରିବାରେ ଶାସକ ବିଜେପି ପକ୍ଷରୁ ପ୍ରଦର୍ଶିତ ଧୈର୍ଯ୍ୟହୀନ ତରବରିଆ ଭାବ ସମାଲୋଚିତ ହେଉଛି ଏବଂ ରାଷ୍ଟ୍ରର ଦ୍ବାର‌ଦେଶରେ ଉପନୀତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହା ଦ୍ବାରା ବିଜେପି ରାଜନୈତିକ ଲାଭ ଅମଳ କରିବାର ଉଦ୍ୟମରତ ବୋଲି ସ୍ପଷ୍ଟ ହୋଇଛି। ତେଣୁ ଏହି ଉତ୍ସବକୁ କଂଗ୍ରେସ (ବାମପନ୍ଥୀ ଦଳ ଏବଂ ଟିଏମ୍‌ସି ମଧ୍ୟ) ପକ୍ଷରୁ ବର୍ଜନ କରାଯିବାର ନିଷ୍ପତ୍ତିରେ ବିସ୍ମୟର ବିଶେଷ କାରଣ ନ ଥିଲା। କିନ୍ତୁ କଥା ହେଲା ଏହି ଉତ୍ସବ ସମଗ୍ର ଦେଶରେ ଯେଉଁଭଳି ଉଦ୍ଦୀପନା ଓ ଉଚ୍ଚାଟ ସୃଷ୍ଟି କଲାଣି ଏବଂ ଏଥିରେ ଧର୍ମ, ରାଜନୀତି ଓ ଜାତୀୟତାବାଦର ଯେଉଁଭଳି ସଘନ ସଂଗମ ଘଟିଛି, ତହିଁ‌େର କଂଗ୍ରେସର ଏଭଳି ନିଷ୍ପତ୍ତିର ପ୍ରଭାବ ଦଳ ଉପରେ କିଭଳି ପଡ଼ିପାରେ, ସେ ନେଇ ଏକ କ୍ଷୁଦ୍ର ଅନୁମାନମୂଳକ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ଶ୍ରୀରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମୋଟାମୋଟି ଭାବେ ସମସ୍ତ ଭାରତୀୟ ହିନ୍ଦୁଙ୍କୁ ରୋମାଂଚିତ ଏବଂ ଉଲ୍ଲସିତ କରୁଥିବା ବେଳେ କଂଗ୍ରେସ ପକ୍ଷରୁ ଏହାର ବର୍ଜନ ନିଷ୍ପତ୍ତିକୁ ବିରୋଧୀମାନଙ୍କ ଦ୍ବାରା ‘ହିନ୍ଦୁ ବିରୋଧୀ ମନୋଭାବ’ ରୂପେ ଆଖ୍ୟାୟିତ କରାଯାଉଛି, ଯାହା ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ହୁଏ’ତ କଂଗ୍ରେସର ଦୃଢ଼ ସମର୍ଥକ ଭାବେ ଏ ଯାବତ୍‌ ରହିଆସିଥିବା ଅନେକ ହିନ୍ଦୁଙ୍କୁ ଅସନ୍ତୁଷ୍ଟ କରିପାରେ; ଯାହାର ଫଳ ଆଗାମୀ ନିର୍ବାଚନରେ ହୁଏତ କଂଗ୍ରେସକୁ ଭୋଗିବାକୁ ପଡ଼ିପ‌ାରେ! କିନ୍ତୁ ଅନ୍ୟ ଗୋଟିଏ ପକ୍ଷଙ୍କ ମତରେ ୨୦୧୪ ମସିହା ପର ଠାରୁ କ୍ରମାଗତ ପତନର ଶିକାର ହୋଇ ବର୍ତ୍ତମାନ ପ୍ରାୟ ଭୂଲୁଣ୍ଠିତ ହୋଇ ପଡ଼ିଥିବା କଂଗ୍ରେସର ଯେଉଁ ସମର୍ଥକଗଣ ତଥାପି ଏ ଯାବତ୍‌ ତିଷ୍ଠି ରହିଛନ୍ତି, ସେମାନେ ଏହି ନିଷ୍ପତ୍ତି ଦ୍ବାରା ଆକ୍ରାନ୍ତ ହେବାର କୌଣସି ସମ୍ଭାବନା ନାହିଁ; କାରଣ ସେମାନେ କଂଗ୍ରେସର ଦୃଷ୍ଟିରେ ହିଁ ଏହି ସମଗ୍ର ପ୍ରକରଣକୁ ଦେଖି ସ୍ଥିତି ଆକଳନ କରିବାର ସାମର୍ଥ୍ୟ ରଖନ୍ତି; ସେମାନେ ହୃଦୟଙ୍ଗମ କରନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ଲାଗି ଆୟୋଜିତ ଏହି ଉତ୍ସବଟି ସଂପୂର୍ଣ୍ଣ ଭାବେ ‘ନରେନ୍ଦ୍ର ମୋଦୀ-କୈନ୍ଦ୍ରିକ’ ହେବ ଏବଂ ଏଥିରେ କଂଗ୍ରେସର ଉପସ୍ଥିତି ହେୟ ମନ୍ୟ ହୋଇ କେବଳ ଆପଣା ‘ଗୌଣତ୍ବ’କୁ ସ୍ବୀକାର କରିବା ସହିତ ସମାନ ହେବ; କେବଳ ସେତିକି ନୁହେଁ କଂଗ୍ରେସର ଜନାଧାରର ଏକ ବିଶେଷ ଅଂଶ ରୂପେ ରହିଥିବା ସଂଖ୍ୟାଲଘୁ ସଂପ୍ରଦାୟର ଆସ୍ଥା ମଧ୍ୟ ଏହା ଦ୍ବାରା ଦୋଦୁଲ୍ୟମାନ ହୋଇ ଉଠିବ। ସୁତରାଂ, ସେମାନଙ୍କ ମତରେ କଂଗ୍ରେସର ନିଷ୍ପତ୍ତି ଯୁକ୍ତିଯୁକ୍ତ।
ତେବେ, ଏହି ମତକୁ ଗ୍ରହଣ କରୁ ନ ଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ଭାରତର ନାଡ଼ି ଚିପି ସ୍ଥିତି ପରଖିବାରେ କଂଗ୍ରେସର ବିଫଳତା ହେତୁ ଦଳଟି ସଂପ୍ରତି ଏକ ‘ହିନ୍ଦୁ ବିରୋଧୀ’ ଏବଂ ଅହେତୁକ ଭାବେ ‘ଇସଲାମ ପ୍ରେମୀ’ ଦଳ ରୂ‌େପ ପରିଚିତି ଲାଭ କରିଛି। ସୁତରାଂ, କଂଗ୍ରେସର ଏହି ସଦ୍ୟତମ ନିଷ୍ପତ୍ତି ଦ୍ବାରା ଉପରୋକ୍ତ ଧାରଣା ଅଧିକ ସୁଦୃଢ଼ ହେବ। କହିବା ଅନାବଶ୍ୟକ ଯେ ଦକ୍ଷିଣପନ୍ଥୀ ସାମାଜିକ ଗଣମାଧ୍ୟମ ଏବଂ ଭାରତର ଟେଲିଭିଜନ ନ୍ୟୁଜ ଚ୍ୟାନେଲଗୁଡ଼ିକ ଏହି ଧାରଣା ଦୃଢ଼ୀଭୂତ କରିବାରେ ବ୍ୟାପୃତ ହୋଇ ସାରିଲେଣି। ଏହା ଏକ ବାସ୍ତବତା ଯେ ହିନ୍ଦୁତ୍ବବାଦୀ ରାଜନୀତିର ଉତ୍‌ଥାନ ସହିତ ‘ଧର୍ମ ନିରପେକ୍ଷତା’କୁ ନେଇ ଯେଉଁ ନୂତନ ବ୍ୟାଖ୍ୟାନମାନ ସୃଷ୍ଟି ହୋଇଛି, ତହିଁରେ କଂଗ୍ରେସର ମତାଦର୍ଶ ଦ୍ବନ୍ଦ୍ବ-ସଂକୁଳ ହୋଇ ଉଠିଛି; ତେଣୁ ଦେଖିବାକୁ ମିଳିଛି ଯେ କେତେବେଳେ ରାହୁଳ ଗାନ୍ଧୀ ବିଭିନ୍ନ ମନ୍ଦିର ଦର୍ଶନ କରିବା ସହିତ ନିଜକୁ ଜଣେ ଉପବୀତଧାରୀ ଶିବ ଭକ୍ତ ରୂପେ ଅଭିହିତ କରିବାର ଚେଷ୍ଟା କରିଛନ୍ତି ତ କେତେବେଳେ ବୀର ସାବରକର ଏବଂ ‘ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ’କୁ କଟୁ ଭର୍ତ୍ସନା କରିଛନ୍ତି। ଏହା ଅସଂଖ୍ୟ କଂଗ୍ରେସ ସମର୍ଥକ ହିନ୍ଦୁଙ୍କୁ ସଂଶୟଗ୍ରସ୍ତ ଏପରିକି ବ୍ୟଥିତ ମଧ୍ୟ କରିଛି, ଯାହା ପ୍ରକାରାନ୍ତ‌େର ବିଜେପିର ଜନାଧାରକୁ ହିଁ ଦୃଢ଼ କରିବାରେ ଲାଗିଛି। ସୁତରାଂ, ବିଜେପିର ଚମତ୍କାର ରଣନୀତି ଏବଂ ଏହି ଦଳ ଦ୍ବାରା ସୃଷ୍ଟ ବ୍ୟାଖ୍ୟାନମାନ ଯେତେବେଳେ ଅତ୍ୟନ୍ତ ସଫଳତାର ସହିତ ରାଜନୀତିକୁ ଧର୍ମାଚାର ଏବଂ ଜାତୀୟତାବାଦ ଭିତାରେ ସଂପୂର୍ଣ୍ଣ ମଗ୍ନ କରି ସାରିଲାଣି, ସେତେବେଳେ କଂଗ୍ରେସର ‘ଉତ୍ସବ ବର୍ଜନ’ ନିଷ୍ପତ୍ତି ହୁଏତ ଅ‌େନକଙ୍କ ଚକ୍ଷୁରେ ରସଭଙ୍ଗ ଭଳି ପ୍ରତୀତ ହୋଇଥିବ। ପ୍ରକାଶ ଥାଉ କି ଶଙ୍କରାଚାର୍ଯ୍ୟମାନଙ୍କ ମତ ହିନ୍ଦୁ ଶାସ୍ତ୍ରବେତ୍ତା ପଣ୍ଡିତଙ୍କ ମତ ରୂପେ ବିବେଚିତ ‌େହାଇ ହିନ୍ଦୁ ବିରୋଧୀ ବୋଲି ପରିଭାଷିତ ହୋଇ ନ ପାରେ! ବା ବାମପନ୍ଥୀମାନଙ୍କ ଦ୍ବାରା ଉତ୍ସବ ବର୍ଜନ ସେମାନଙ୍କ ‘ନାସ୍ତିକ ରାଜନୈତିକ ମତାଦର୍ଶ’ ସହିତ ମେଳ ଖାଇ ସମାଲୋଚନାର ଶରବ୍ୟ ହୋଇ ନ ଥାଏ ବା ତୃଣମୂଳ କଂଗ୍ରେସ ଏ ଯାବତ୍‌ ଏକ ଆଞ୍ଚଳିକ ଦଳ ହୋଇ ରହିଥିବାରୁ ତାହାର ବର୍ଜନ ନିଷ୍ପତ୍ତିର ପ୍ରଭାବ ପରିସର ସୀମିତ ହୋଇପାରେ; କିନ୍ତୁ ଅଖିଳ ଭାରତୀୟ ଆବେଦନ ବହନ କରିଥିବା କଂଗ୍ରେସର ଏଭଳି ରସଭଙ୍ଗକାରୀ ନିଷ୍ପତ୍ତିକୁ ଅନେକ କଂଗ୍ରେସୀ ହିନ୍ଦୁ ମଧ୍ୟ ହୁଏତ ଗ୍ରହଣ କରି ନ ପାରନ୍ତି।
ଏହା ସୁବିଦିତ ଯେ ବିଜେପି ତା’ର ଆବିର୍ଭାବ ସମୟରେ ଏକ ବ୍ରାହ୍ମଣ ପ୍ରଧାନ ହିନ୍ଦୁତ୍ବବା‌ଦୀ ଦଳର ପରିଚୟ ବହନ କରିଥିଲା। କିନ୍ତୁ ରାଜନୈତିକ ବିଚକ୍ଷଣତା ପ୍ରଦର୍ଶନ କରି ଏହି ଦଳ କ୍ରମେ ଦଳିତ ଏବଂ ପଛୁଆ ଜାତିଙ୍କ ମଧ୍ୟରେ ଆସ୍ଥାନ ଦୃଢ଼ କଲାଣି; ଯହିଁରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ବା ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ମଧ୍ୟ ତା’ର ଜାତିଭିତ୍ତିକ ଜନାଧାରରୁ କିଛି ଅଂଶ ବିଜେପି ପକ୍ଷକୁ ହରାଇବା ଆରମ୍ଭ କଲାଣି। ସେହି ଭଳି ପସମାନ୍ଦା ମୁସଲମାନ ଗୋଷ୍ଠୀଙ୍କୁ ଆପଣାର କରିବାର ଉଦ୍ୟମ ସହିତ ବିଜେପି ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜନାଧାର ମଧ୍ୟରେ ମଧ୍ୟ ପଦଚିହ୍ନ ସୃଷ୍ଟି କଲାଣି। କେବଳ ସେତିକି ନୁହେଁ, ହିନ୍ଦୁତ୍ବ ଆଜେଣ୍ଡାକୁ ‘ଭାରତୀୟତା’ର ରୂପ ଦେଇ ଏହି ଦଳ ଜାତୀୟତାବାଦର ନୂତନ ପରିଭାଷା ସୃଷ୍ଟି କରିଛି। ଏହି ବିଚକ୍ଷଣ ରଣନୀତି ବଳରେ କଂଗ୍ରେସମୁକ୍ତ ଭାରତ ସୃଷ୍ଟି ଦିଗରେ ବିଜେପି ଦୃଢ଼ ପଦପାତ ସହିତ ଅଗ୍ରସର ହେଉଥିବା ବେଳେ କଂଗ୍ରେସ ନିକଟରେ ତାକୁ ପ୍ରତିହତ କଲା ଭଳି କୌଣସି ‘ରାମବାଣ’ ଅଦ୍ୟାପି ଦୃଷ୍ଟିଗୋଚର ହୋଇ ନ ଥାଏ। ଏହି ପରିପ୍ରେକ୍ଷୀରେ ‘ଦ ପ୍ରିଣ୍ଟ’ର ମୁଖ୍ୟ ସଂପାଦକ ଶେଖର ଗୁପ୍ତା କହିଥାଆନ୍ତି ଯେ ଶଙ୍କରାଚାର୍ଯ୍ୟମାନଙ୍କ ମତକୁ ଦର୍ଶାଇ କଂଗ୍ରେସ ଏହି ଉତ୍ସବର ସମାଲୋଚନା କରିବା ସହିତ ସେଥିରେ ଅଂଶ ଗ୍ରହଣ କରିବା ଉଚିତ ହୋଇଥାଆନ୍ତା। କାରଣ ବାସ୍ତବରେ ଏହି ଉତ୍ସବଟି ଏକ ହିନ୍ଦୁ ମହାପର୍ବ ହେବାକୁ ବସିଲାଣି; ଯେଉଁ ପରିପ୍ରେକ୍ଷୀରେ କଂଗ୍ରେସର ରସଭଙ୍ଗକାରୀ ଆଚରଣ ହିନ୍ଦୁ ବିରୋଧୀ ଭାବେ ଅଭିହିତ ହେବା ସଙ୍ଗେସଙ୍ଗେ ଗୁମାନ କରି ରୁଷି ବସୁଥିବା ସେହି ମାମୁ ବା ପିଉସା ବା ମଉସାମାନଙ୍କ ଭଳି ହୋଇଥାଏ, ଯେଉଁମାନଙ୍କୁ ପ୍ରତ୍ୟେକ ଭାରତୀୟ ପରିବାର ସେମାନଙ୍କ ବିବାହ ଉତ୍ସବରେ ଦେଖିବାକୁ ପାଆନ୍ତି। କହିବା ବାହୁଲ୍ୟ ଉତ୍ସବର ଉଚ୍ଚାଟରେ କୋଣିକିଆ ହୋଇ ବସିଥିବା ଏହି ଗୁମାନୀ ମାମୁମାନେ ପ୍ରକାରାନ୍ତରେ ଅପଚରା ହୋଇ ଯାଆନ୍ତି।

ସମ୍ବନ୍ଧିତ ଖବର