କାଲି ପାଇଁ କଥାଟିଏ: ବିଶ୍ବ ମାଟିର ସନ୍ତାନ

ସୁବ୍ରତ ବାଗ୍‌ଚୀ

ଦିନ ଦିପହରର ଧୁ ଧୁ ଖରା। କଚେରିରୁ ଫେରିବାର ବେଳ ତ ହୋଇ ନାହିଁ। ଆସିଲା କିଏ? ଘର ସାମ୍‌ନାରେ ଘୋଡ଼ା ଗାଡ଼ିଟିଏ ଠିଆ ହୋଇଛି। ଆଉ ତା’ ପାଖରେ ଦୁଇ ତିନି ଜଣ ଲୋକ କିପରି ଅପ୍ରସ୍ତୁତ ଭାବରେ ଠିଆ ହୋଇଛନ୍ତି। କ’ଣ ହୋଇଛି ଜାଣିବା ପାଇଁ କବାଟ ଖୋଲି ବାହାରି ଆସିଲେ ପ୍ରଫୁଲ୍ଲ ଦେବୀ। ପରସ୍ପର ଚାହାଁଚାହିଁ ହେବା ପରେ ତାଙ୍କରି ଭିତରୁ ଜଣେ କହିଲେ, ଆପଣଙ୍କ ସ୍ବାମୀ। ଏଥର ଘୋଡ଼ା ଗାଡ଼ି ଭିତରେ ଆଖି ପଡ଼ିଲା। ଗୋଟିଏ ନିଶ୍ଚଳ ମଣିଷ। ଅଳ୍ପ କେଇଟା ଘଣ୍ଟା ଆଗରୁ, କଳାକୋଟ୍ ପିନ୍ଧି ପାବ୍‌ନା ସହର କଚେରିରେ ମୋଖ୍‌ତିଆର, ଘରର ମୁରବି, ଏକମାତ୍ର ରୋଜଗାର ଆଣୁଥିବା ମଣିଷଟି ନିତି ଦିନ ପରି କାମକୁ ଯାଇଥିଲା। କଚେରି ହତାରେ ହଠାତ୍ ଭୁଶୁଡ଼ି ପଡ଼ିଲେ। ପାଣି ଟୋପେ ଆଣୁଆଣୁ ସବୁ ଶେଷ। ଏ ଘଟଣା ଆଜକୁ ପ୍ରାୟ ଶହେ ବର୍ଷ ତଳର। କମ୍ ବୟସର ମା’ ପ୍ରଫୁଲ୍ଲ ଦେବୀ। ତିନିଟି ପୁଅ, ଦୁଇଟି ଝିଅ। ବିଧବା ହୋଇଯିବାର କେଇଟା ଦିନ ଭିତରେ ନିଜ ଲୋକ ତାଙ୍କ ଠାରୁ ଦୂରେଇ ଗଲେ। ପାଖକୁ ଆସିଲେ ବିପଦ ଯେ! ବୋଝ କିଏ ନେବ? ସେଥିରେ ପୁଣି ଦୁଇଟି ଝିଅ ପିଲା। ସ୍ବାମୀଙ୍କର ଅଳ୍ପ ହେଲେ ବି କିଛିଟା ଜମିଜମା ଥିଲା। ସେଥିରେ ହୁଏତ ସଂସାର ଚଳି ଯାଇଥା’ନ୍ତା। କିନ୍ତୁ ସେ ଜମିର କାଗଜ କାହିଁ? ସମୟ ଓ ସୁବିଧାର ପ୍ରଲୋଭନରେ ଆତ୍ମୀୟମାନେ ଜମିତକ ଛଡ଼ାଇ ନେଲେ। ଅନନ୍ୟୋପାୟ ପ୍ରଫୁଲ୍ଲ ଦେବୀ ପୂର୍ବ ବଙ୍ଗର ପାବ୍‌ନାରୁ, ପାଞ୍ଚଟି ପିଲାଙ୍କୁ ଧରି ପଶ୍ଚିମବଙ୍ଗର ମୁର୍ଶିଦାବାଦ କାହିଁକି ଓ କିପରି ଆସିଲେ, ସେ କଥା ଏବେ ଝାପ୍‌ସା। ସେତେବେଳକୁ ବଡ଼ ପୁଅଟିକୁ ଷୋହଳ ବର୍ଷ, ମାଟ୍ରିକ୍ ପାସ୍ କରିଥାଏ। ଯାହାହେଉ କିରାଣି ଚାକିରିଟିଏ ମିଳିଗଲା। ତା’ରି ଦରମାରେ, ଦୁଇ ବଖରା ଭଡ଼ା ଘରେ ପିଲାମାନେ ମଣିଷ ହେଲେ। ପିଲାମାନଙ୍କ ଭିତରେ ସବା ସାନ ଝିଅ, ଲାବଣ୍ୟପ୍ରଭା। ସେ ଝିଅଟି ମଧ୍ୟ ମାଟ୍ରିକ୍ ପାସ୍ କରିଗଲା। ଆଗକୁ ପାଠ ପଢ଼ାଇବାର ସାଧନ ନ ଥିଲା। ନ ଥିଲା ମଧ୍ୟ ବଡ଼ ଭାଇଙ୍କର ବିଚାର। ଏଥର ଘରେ ରହି ବାହାଘର ପ୍ରସ୍ତାବର ଅପେକ୍ଷା କେବଳ।
ଦିନେ ସୁଦୂର ଢେଙ୍କାନାଳରୁ ପ୍ରସ୍ତାବଟିଏ ଆସି ପହଞ୍ଚିଲା। କେଉଁଠି ମୁର୍ଶିଦାବାଦ ଆଉ କେଉଁଠି ଢେଙ୍କାନାଳ? ତେବେ ଭଦ୍ର ପରିବାରର ପିଲା, ରାଜାଙ୍କ ଦରବାରରେ ଚାକିରି, ଦେଖିବାକୁ ରାଜପୁତ୍ର ପରି ଚେହେରା, ଦାବିଦାବା ‌ନାହିଁ। ବାହାଘର ହୋଇଗଲା। ବାପା ନ ଥିବା ବାପଘର ସଂପର୍କକୁ ପଛରେ ପକାଇ ନବବଧୂ ଲାବଣ୍ୟପ୍ରଭା ଢେଙ୍କାନାଳ ପହଞ୍ଚିଲେ। ଆଉ ସେଇଠାରୁ ଆରମ୍ଭ ହେଲା ବାଗ୍‌ଚୀ ପରିବାର। ପ୍ରଥମ କିଛି ବର୍ଷ ଭିତରେ ତିନିଟି ପୁଅ ହେଲେ। ସବୁକିଛି ଠିକ୍‌ଠାକ୍ ଚାଲିଥିଲା। କିନ୍ତୁ ଦିନେ ହଠାତ୍ ସ୍ବାମୀଙ୍କ ମସ୍ତିଷ୍କ ବିଭ୍ରାଟ ଘଟିଲା। ମାନସିକ ଅସୁସ୍ଥତା। ଚିକିତ୍ସା ପର୍ଯ୍ୟନ୍ତ କଥା ଗଲା। ଲାବଣ୍ୟପ୍ରଭା ଜାଣିଲେ, ଏ ସମସ୍ୟା ଆଗରୁ ଥିଲା। ବାହାଘର ଆଗରୁ ସ୍ବାମୀଙ୍କ ପଟୁ କେହି କିଛି କହି ନ ଥିଲେ। ନିଜକୁ ଜୋର୍ କଲେ ଲାବଣ୍ୟପ୍ରଭା। ନିଜକୁ କହିଲେ, ଏବେ ମଣିଷଟି ତ ତାଙ୍କର। ପିଲା ତିନିଟି ତ ଦିହେଁ ସଂସାରକୁ ଆଣିଛନ୍ତି। ତାଙ୍କୁ ହିଁ ଦାୟିତ୍ବ ନେବାକୁ ହେବ। ସ୍ବାମୀଙ୍କୁ ରାଞ୍ଚି ମେଣ୍ଟାଲ୍ ହସ୍‌ପିଟାଲ ପଠାହେଲା। କେଇ ମାସ ରହି ଫେରିଲେ ଆଗ ପରି ସୁସ୍ଥ ହୋଇ। କିନ୍ତୁ କିଛି ବର୍ଷ ପରେ ମାନସିକ ଅସୁସ୍ଥତା ପୁଣି ହୋଇପାରେ। ସବୁରି ଭିତରେ ସଂସାର ସଜାଡ଼ି ନେଲେ ଲାବଣ୍ୟପ୍ରଭା। ଦେଶ ସ୍ବାଧୀନ ହେଲା, ରାଜାଙ୍କ ଦରବାରର କର୍ମଚାରୀ ଏବେ ଓଡ଼ିଶା ସରକାରଙ୍କର ହେଲେ। ତା’ପରେ କେବଳ ବଦଳି। ଆଠମଲ୍ଲିକରୁ ପାଟଣାଗଡ଼। ସେଠୁ ବଲାଙ୍ଗୀର। ପୁଣି ପାଟଣାଗଡ଼। ଇତିମଧ୍ୟରେ କୋଳରେ ଆଉ ଦୁଇଟି ପୁଅ। ସବା ସାନ, ମା’ଙ୍କର କୋଡ଼ପୋଛା ପୁଅଟି ମୁଁ। ବାପାଙ୍କ ସାମାନ୍ୟ ରୋଜଗାରରେ ଘର ଚାଲେ। ମା’ଙ୍କର ଘର ପିନ୍ଧା ଦୁଇ ଖଣ୍ଡ ସୂତାଶାଢ଼ି ଆଉ ବାହାଘର ବେଳର ବନାରସୀ ଖଣ୍ଡେ। ହାତରେ, ବେକରେ ସୁନା ନାହିଁ। ବାପାଙ୍କର ବାରମ୍ବାର ଚିକିତ୍ସାରେ ସବୁ କିଛି ଚାଲିଯାଇଛି। କିନ୍ତୁ ସେଥିରେ ବିବ୍ରତ ହୋଇ ନାହାନ୍ତି। ଆଖିରେ ପାଞ୍ଚଟି ପିଲାଙ୍କର ଭବିଷ୍ୟତ ଗଠନ ହିଁ ଏକମାତ୍ର ଲକ୍ଷ୍ୟ। ରୋଷେଇ ଶାଳରେ ରାନ୍ଧୁ ରାନ୍ଧୁ ପାଠ ପଢ଼ାନ୍ତି। ବାହାରେ ଏପଟ ସେପଟ ହେଲେ ଶାସନ କରନ୍ତି। ପାଟଣାଗଡ଼ରେ ଜନ୍ମ ପରେ ଆମେ ଗଲୁ ଛତ୍ରପୁର, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ। ବଦଳି ଅର୍ଡର ଆସେ। ଦୁଇଟି ଟ୍ରଙ୍କ, ଦୁଇଟି ହୋଲ୍‌ଡଅଲ୍‌ରେ ସବୁକିଛି ବନ୍ଧା ହୋଇ ଆମେ ନୂଆ ଜାଗାରେ ପହଞ୍ଚିଯାଉ। ପହଞ୍ଚିବା ପରେ ମା’ ମତେ କହନ୍ତି, ଯା’ ତିନିଟା ଇଟା ଖୋଜି ଆଣ। ଆଖି ପିଛୁଳାକେ ମାଟି, ଗୋବର ଲେପି, ତିନିଟି ଇଟାରେ ପୃଥିବୀର ସବୁଠାରୁ ସୁନ୍ଦର ଚୁଲିଟିଏ ରୂପ ନିଏ। କାଠ ଚୁଲିର ଧୂଆଁ, ନିଆଁ, ସନ୍ଧ୍ୟାରେ କିରୋସିନ୍ ଲଣ୍ଠନର ଆଲୁଅ, ଠାକୁର ଘରେ ଶଙ୍ଖ ଧ୍ବନି। ସବୁ ମିଶାମିଶି ହୋଇ ଲାବଣ୍ୟପ୍ରଭା ଜଣାଇ ଦିଅନ୍ତି, ମୁଁ ଅଛି। ହାତରେ ସମୟ ପାଇଲେ ମତେ ଅଙ୍କ, ସାହିତ୍ୟ, ଇତିହାସ ପଢ଼ାନ୍ତି। ଗୁରୁ ରାମଦାସଙ୍କୁ ଛତ୍ରପତି ଶିବାଜୀଙ୍କର ଭିକ୍ଷାଦାନ, ସହିଦ ଭଗତ ସିଂହ ଆଉ ଖୁଦିରାମଙ୍କର ଫାଶୀ, ନେତାଜୀଙ୍କର ଦେଶାତ୍ମବୋଧ କଥା କହନ୍ତି। ପ୍ରତିବେଶୀମାନଙ୍କ ସାଙ୍ଗରେ ସଂପର୍କ ହୁଏ। ସମସ୍ତଙ୍କର ଭଲମନ୍ଦରେ ମାଉସୀଙ୍କୁ ଆଗ ଡକାହୁଏ। ଯେଉଁଠି ଯା’ନ୍ତି, ଅନୁର୍ବର ଟାଙ୍ଗରା ମାଟିରେ ନିଜ ହାତରେ ଗଛପତ୍ର ଲଗାନ୍ତି। ଯେତେବେଳେ କିଏ କହେ, କାହିଁକି ଏତେ ପରିଶ୍ରମ କରୁଛନ୍ତି? କଢ଼ଟିଏ, କଷିଟିଏ ହେଲା ବେଳକୁ ଦେଖିବେ ବଦଳି ଅର୍ଡର ଆସିଯିବ। ଅବିଚଳିତ ଉତ୍ତର, ମରୁଭୂମିରେ ରହିଲେ ମଧ୍ୟ, ମୋ କାମ ବଗିଚାଟିଏ ଠିଆ କରିବା। ଯେଉଁ କ୍ବାଟର୍‌ଟି ମତେ ଅଳ୍ପ ଦିନ ପାଇଁ ଦିଆ ହୋଇଛି, ମୋ ଗଲା ବେଳକୁ ସେଇଟି ଯେମିତି ଆଗ ଅପେକ୍ଷା ସର୍ବଗୁଣରେ ସୁନ୍ଦର ଦିଶୁଥିବ।
୧୯୬୫ ମସିହା କଥା। ସେତେବେଳକୁ କାହିଁକି କେଜାଣି ମା’ଙ୍କ ଆଖିରେ ଅସମୟରେ ପରଳ ପଡ଼ିବା ଆରମ୍ଭ ହେଲା। ଅକ୍ଷର ପଢ଼ିବାକୁ ଅସୁବିଧା ହେଲା। ସିଲେଇ କରି ପାରିଲେନି। ଏଥର ମୋର କାମ ହୋଇଗଲା ସବୁଦିନ ତାଙ୍କୁ ସମାଜ ଖବରକାଗଜଟିକୁ ଆମୂଳଚୂଳ ପଢ଼ି ଶୁଣାଇବା। କିଛି ଦିନ ଭିତରେ ଭାରତ ପାକିସ୍ତାନ ଯୁଦ୍ଧ ଆରମ୍ଭ ହେଲା। ସବୁ ଦିନ ଉତ୍ସୁକ ହୋଇ ଶୁଣିବେ, ଆଜି ଭାରତୀୟ ସୈନ୍ୟ କେତେ ବାଟ ପହଞ୍ଚିଲେଣି, ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଦେଶ ଉଦ୍ଦେଶ୍ୟରେ କ’ଣ କହିଲେ। ଏ ସବୁ ଭିତରେ ସ୍କୁଲରେ ମୋ ନାଁ ଲେଖା ହେଲା। ଭଲ ପାଠ ପଢୁଥିଲି। ଦିନକର କଥା। ପରୀକ୍ଷ‌ା ଦେବାକୁ ଗଲା ବେଳେ ମା’ଙ୍କ ପାଦ ଛୁଇଁ ପ୍ରଣାମ କଲି। କହିଲି, ଆଶୀର୍ବାଦ ଦିଅ, ପରୀକ୍ଷାରେ ‌େଯମିତି ଫାଷ୍ଟ୍ ହୁଏ। କ୍ଷଣିକ ପାଇଁ ଚୁପ୍ ରହି କହିଲେ, ସେ ଆଶୀର୍ବାଦ ତ ମୁଁ ଦେଇପାରିବି ନାହିଁ। ଅଭିମାନରେ ପଚାରିଲି, ଏ କି ପ୍ରକାର କଥା! ଉତ୍ତରରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର କବିତା ‘ଗାନ୍ଧାରୀର ଆଶୀର୍ବାଦ’ରୁ କିଛିଟା ଉଦ୍ଧାର କରି କହିଲେ,
‘‘ବକ୍ଷୁ ନିଗାଡ଼ି ରୁଧିର ଦେଲା ଯେ
ଶତ ପୁତ୍ରରେ ଢାଳି
ସବୁ ଜନନୀର ଅନ୍ତରେ ସେ କି
ନ ପାରେ ହୃଦୟେ ଭାଳି?’’
‘‘ଶତେକ ପୁତ୍ର ନୁହେଁ ଖାଲି ମୋର
ନୁହଁଇ ବତ୍ସ ଜଣେ
ସର୍ବେ ମୋହର ପ୍ରିୟ ସନ୍ତାନ
ଆଜି ଏ ଧର୍ମ ରଣେ।’’
‘‘ଗାନ୍ଧାରୀ ଦେଲା ଜନନୀ ପ୍ରାଣର
ସୁମହତ ପରିଚୟ
ଅକ୍ଷୟ ହେଉ ପୁଣ୍ୟ ଜଗତେ
ଧର୍ମର ହେଉ ଜୟ।’’
କ୍ଲାସ୍‌ରେ ସେଇ ପିଲାଟି ପ୍ରଥମ ହେଉ, ଯିଏ ସବୁଠାରୁ ଅଧିକ ପରିଶ୍ରମ କରିଛି।
ଏହିସବୁ ଭିତରେ କେନ୍ଦୁଝର ବଦଳି ହେଲା। ବଡ଼ ଭାଇ ଭାରତୀୟ ପ୍ରଶାସନିକ ସେବାରେ ସଫଳତା ଅର୍ଜନ କଲେ। ପରିବାରର ଅବସ୍ଥା ଭଲ ହେବାକୁ ଲାଗିଲା। ଅଥଚ ଅଚାନକ ଦିନେ କର୍ନିଆଲ୍ ଅଲ୍‌ସର୍ ହୋଇ ମା’ଙ୍କର ଦୁଇଟି ଯାକ ଆଖି ସଂପୂର୍ଣ୍ଣ ଭାବେ ଚିର ଦିନ ପାଇଁ ନଷ୍ଟ ହୋଇଗଲା। ମା’ ବୁଝିଗଲେ, ବହିର୍ଦୃଷ୍ଟି ଆଉ ଫେରିବ ନାହିଁ। ଦୀକ୍ଷା ନେଲେ, ଯୋଗ, ପ୍ରାଣାୟମ ଅଭ୍ୟାସ କଲେ। ଅନ୍ତର୍ଦୃଷ୍ଟି ପ୍ରତି ଧ୍ୟାନ ଦେଲେ। ନିଜ ଘର ଓଳ‌ାପୋଛା, ନିଜ ଲୁଗାପଟା ସଫା ନିଜେ କରିଲେ। ଏପରିକି ରୋଷେଇ ଘରେ ପଶି ପରିବା କାଟିଲେ। ବନ୍ଧୁ, କୁଣିଆ ଆସିଲେ ହସି ହସି କଥା କୁହନ୍ତି। ଦୁଃଖ ନାହିଁ, ଅଭିଯୋଗ ନାହିଁ। ତାଙ୍କ ଅବସ୍ଥା ପାଇଁ ଦାୟୀ କେହି ନୁହଁନ୍ତି।
ସମୟ ଗଡ଼ିଲା। ମୋର ସ୍କୁଲ, କଲେଜ ପାଠ ସରିଲା। ଚାକିରି କଲି, ସୁସ୍ମିତାଙ୍କ ସଙ୍ଗେ ସଂସାର ବାନ୍ଧିଲା ପ‌େର ମା’ ଆସି ଆମ ପାଖରେ ରହିଲେ। ମୋର କାମ ବଢ଼ିଲା, ଦେଶ ବିଦେଶକୁ ଯିବାକୁ ହୁଏ। କିନ୍ତୁ ଫେରିଲା ପ‌େର, ଗୋଟିଏ କଥା ଅନିବାର୍ଯ୍ୟ। ଅଫିସରୁ ଫେରିବା ପରେ ସବୁ ଦିନ ମା’ପୁଅ ଏକାଠି ଚାହା ପିଉ। ବାହାର ପୃଥିବୀର କଥା ଟିକିନିଖି କରି ପଚାରି ବୁଝନ୍ତି। ମୁଁ ତାଙ୍କୁ ଆତ୍ମଦର୍ଶନ କଥା ପଚାରେ। ଦିନେ ପଚାରିଲି, ତମେ ଯେତେବେଳେ ଆଖି ବନ୍ଦ କରି ଧ୍ୟାନରେ ବସ, ସେତେବେଳେ କ’ଣ ଆଖି ଭିତରେ ଅନ୍ଧାର ଥାଏ? କହିଲେ ନା। ମୁଁ କେବଳ ଆଲୋକ ଦେଖେ। ଆମେ ପରା ସମସ୍ତେ ଆଲୋକ ପଥର ଯାତ୍ରୀ! ୧୯୯୯ ମସିହାରେ ‌ସହଯୋଗୀ ବନ୍ଧୁମାନଙ୍କ ସଙ୍ଗେ ମିଶି ‘ମାଇଣ୍ଡଟ୍ରି’ ପ୍ରତିଷ୍ଠା ହେଲା। ମତେ କିଛି ବର୍ଷ ପାଇଁ ଆମେରିକା ଯିବାକୁ ହେବ। ନୂଆ ନୂଆ କଂପାନି ଆରମ୍ଭ ହୋଇଛି। ବଡ଼ ବଡ଼ ସଂସ୍ଥାମାନଙ୍କୁ ସେଠାରେ ରହି ଭରସା ବିଶ୍ବାସ ଦେବାକୁ ପଡ଼ିବ। ବ୍ୟବସାୟ ଆଣିବାକୁ ପଡ଼ିବ। ମା’ଙ୍କୁ ନେଇ ବଡ଼ ଭାଇଙ୍କ ପାଖରେ ଭୁବନେଶ୍ବର ଛାଡ଼ି ଆସିଲି। ୨୦୦୨ ଫେବ୍ରୁଆରି ମାସ କଥା। ଖବର ଆସିଲା ଷ୍ଟ୍ରୋକ୍ ହୋଇଛି। କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଶୁଣିବା ମାତ୍ରେ ଆସି ପହଞ୍ଚିଲି। ହସ୍‌ପିଟାଲ ବେଡ୍‌ରେ ଅଚଳ ଶରୀରଟି, ପକ୍ଷାଘାତଗ୍ରସ୍ତ। ଅସ୍ପଷ୍ଟ କଥା କହୁଛନ୍ତି। ମୁହଁରେ କିନ୍ତୁ ବିଷାଦ ନାହିଁ। ଡାକ୍ତର କହିଲେ, ଆମର ଆଉ କିଛି କରିବାର ନାହିଁ। ଘରକୁ ନେଇଯା’ନ୍ତୁ। ସେବା ଯତ୍ନରେ ରଖନ୍ତୁ। ସାନ ମଝିଆ ଭାଇ ଅମିତାଭ ଆଉ ଶିପ୍ରା ଭାଉଜ କହିଲେ, ଆମ ପାଖରେ ରହିବେ। ମୋର ତେଣେ କାମ, ବ୍ୟବସାୟ ସବୁ ଛାଡ଼ି ଆସିଛି। ଭାଇମାନେ କହିଲେ, ତୁମେ ଏଥର ଫେରିଯାଅ।
ଯିବା ଦିନ ଏଆର୍‌ପୋର୍ଟ ବାଟେ ହସ୍‌ପିଟାଲ ଗଲି। ସେଇମିତି ନିଶ୍ଚଳ ଶରୀର। ପାଖକୁ ଯାଇ ଲାବଣ୍ୟଭରା ମୁହଁଟିକୁ ଦୁଇ ହାତରେ ଧରି କପାଳରେ ଚୁମାଟିଏ ଦେଲି। ଧୀର ସ୍ବରରେ ପଚାରିଲେ, ମତେ ଚୁମା କାହିଁକି ଦେଉଛୁ? ମୁଁ କହିଲି, ମୁଁ ପରା ତୁମ କୋଡ଼ପୋଛା, ସାନ ପୁଅ। ଯିବା ଆଗରୁ ତୁମକୁ ଚୁମା ଦେବିନି? କଥାଟି ଶୁଣି, ଉତ୍ତର ଦେଲେ, ନା ମତେ ନୁହଁ। ଯାଅ ସାରା ଜଗତକୁ ଚୁମା ଦିଅ। ପାବ୍‌ନା ମାଟିର ଝିଅ। ପଦ୍ମା ନଦୀକୂଳରେ ଶୈଶବ। ସେଠାରୁ ବା‌ସ୍ତୁହରା ଅବସ୍ଥାରେ ମୁର୍ଶିଦାବାଦ, ପୁଣି ଓଡ଼ିଶାର ଗଡ଼ଜାତ, ମାଳ, ଗଳିକନ୍ଦି। ଜୀବନର ନଦୀ ଆଉ ଅଳ୍ପ ଦିନରେ ସାଗରରେ ମିଶିଯିବ। ସେଇ ସ୍ରୋତରେ ଭାସି ଯାଉଥିବା ଜୀର୍ଣ୍ଣ ପତ୍ରଟି କହୁଛି, ତୁମକୁ ତ ପଣତ କାନିରେ ବାନ୍ଧି ରଖିବି ବୋଲି ମଣିଷ କରି ନ ଥିଲି। ଯାଅ, ସାରା ବିଶ୍ବର ହୋଇଯାଅ।
ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା

ସମ୍ବନ୍ଧିତ ଖବର