ଗୋଲାପି କର

‘ଅକ୍‌ସଫୋର୍ଡ ଇକନମିକ୍‌ସ’ର ରିପୋର୍ଟରୁ ଯାତାୟାତର ଏହି ଲିଙ୍ଗଗତ ଗୁରୁତ୍ବ ଲୋକଲୋଚନକୁ ଆସିବା ପରେ ରାଷ୍ଟ୍ର ଅର୍ଥାତ୍ ସରକାରଙ୍କର ଦାୟିତ୍ବ ହେଉଛି ନିର୍ଦ୍ଦିଷ୍ଟ ଭାବ‌େର ମହିଳାମାନଙ୍କ ପାଇଁ ସୁବିଧାଜନକ, ସୁରକ୍ଷିତ ଓ ଦ୍ରୁତ ଗଣପରିବହନ ସେବା ଉପଲବ୍‌ଧ କରାଇବା, ଯାହା ନିମ୍ନ ଆୟବର୍ଗର ମହିଳା କର୍ମଜୀବୀମାନଙ୍କର ପହୁଞ୍ଚ ମଧ୍ୟରେ ହୋଇଥିବ। ଏଭଳି ସେବାର ଅଭାବରୁ ମହିଳାମାନେ ଯେତେବେଳେ ନିଯୁକ୍ତି ଓ ତଜ୍ଜନିତ ଆୟ ତ୍ୟାଗ କରି ଘରେ ରହିଯିବାକୁ ନିଷ୍ପତ୍ତି ନିଅନ୍ତି, ତାହା ହେଉଛି ମହିଳାମାନଙ୍କ ଠାରୁ ରାଷ୍ଟ୍ର ଆଦାୟ କରୁଥିବା ଏକ ଟିକସ ବୋଲି ବିଶ୍ବବ୍ୟାଙ୍କ୍ ୨୦୨୨ରେ ପ୍ରକାଶିତ ତା’ର ଅନ୍ୟ ଏକ ରିପୋର୍ଟ (‘ଟୁଲ୍‌କିଟ୍ ଫର୍‌ ଏନେବ୍ଲିଙ୍ଗ୍ ଜେଣ୍ଡର୍ ରେସ୍‌ପନ୍‌ସିଭ୍ ଅର୍ବାନ୍ ମୋବିଲିଟି ଆଣ୍ଡ୍ ପବ୍ଲିକ୍ ସ୍ପେସେସ୍’)ରେ କହିଛି। ନାରୀମାନଙ୍କ ସହିତ ସଂଯୁକ୍ତ ରଙ୍ଗକୁ ବ୍ୟବହାର କରି ବିଶ୍ବବ୍ୟାଙ୍କ୍ ଏହି ଟିକସର ନାମକରଣ କରିଛି: ‘ପିଙ୍କ୍ ଟ୍ୟାକ୍‌ସ’ ବା ‘ଗୋଲାପି କର’।

ଗତ ମାସରେ ଗାଡ଼ି-ଡାକରା କଂପାନି ‘ଉବର୍’ ଦ୍ବାରା ଏକ ଅନୁଶୀଳନ କରିବା ପାଇଁ ନିଯୁକ୍ତ ହୋଇ ‘ଅକ୍‌ସଫୋର୍ଡ ଇକନମିକ୍‌ସ’ ନାମକ ସଂସ୍ଥା ପ୍ରସ୍ତୁତ କରିଥିବା ଯେଉଁ ଏକ ରିପୋର୍ଟ ପ୍ରକାଶ ପାଇଛି ତାହା ଭାରତର ସହରୀ ଶ୍ରମ ବଜାରରେ ନାରୀମାନଙ୍କର ନିଯୁକ୍ତି ଚିତ୍ରର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ନୂତନ ଦିଗ ଉନ୍ମୋଚିତ ‌କରିଥାଏ।
ଶ୍ରମ ବଜାରରେ ପୁରୁଷମାନଙ୍କ ସହିତ ମହିଳାମାନେ ସମାନ ଭାବରେ ଅଂଶଗ୍ରହଣ ନ କଲେ ଯେ ସଂପୃକ୍ତ ଦେଶ ସର୍ବାଧିକ ସମ୍ଭବ ଅର୍ଥନୈତିକ ବିକାଶ ହାସଲ କରିପାରିବ ନାହିଁ, ତାହା ଆଉ ନାରୀବାଦୀ ମହଲରେ ଏକ ବିତର୍କରେ ସୀମିତ ହୋଇ ନ ରହି କେବେଠାରୁ ଏକ ସର୍ବସମ୍ମତ ସତ୍ୟର ମର୍ଯ୍ୟାଦା ଲାଭ କରି ସାରିଛି। ବାସ୍ତବରେ ପୃଥିବୀ ସାରା ଯେତେବେଳେ ପ୍ରତ୍ୟେକ ସମାଜରେ ନାରୀମାନଙ୍କୁ ଗୃହବନ୍ଦୀ କରି ରଖିବା ଏକ ସଂପୂର୍ଣ୍ଣ ସ୍ବାଭାବିକ ବ୍ୟବସ୍ଥା ରୂପେ ବିବେଚିତ ହେଉଥିଲା, ସେଇ ସୁଦୂର ଅତୀତରେ ପ୍ରଥମ ଲହରୀ-ନାରୀବାଦର ଆବାହିକା ରୂପେ ବିବେଚିତ ଅଷ୍ଟାଦଶ ଶତାବ୍ଦୀର ଇଂରେଜ ଦାର୍ଶନିକା ମେରୀ ଓଲ୍‌ଷ୍ଟୋନ୍‌କ୍ରାଫ୍‌ଟ ଏହି ଗୁରୁତ୍ବପୂର୍ଣ୍ଣ ସତ୍ୟ ପ୍ରତି ପ୍ରଥମେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହୁଥିଲେ, ତୁମକୁ ଯଦି ଏକ ଦୌଡ଼ ପ୍ରତିଯୋଗିତା ଜିତିବାକୁ ଥାଏ, ତୁମେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ତାହା ହାସଲ କରିପାରିବ ନାହିଁ। ନାରୀ ଓ ପୁରୁଷ ହେଉଛନ୍ତି ସମାଜର ବା ଅର୍ଥନୀତିର ଦୁଇ ଗୋଡ଼ ଭଳି। ଓଲ୍‌ଷ୍ଟୋନ୍‌କ୍ରାଫ୍‌ଟ ଯୁକ୍ତି କରୁଥିଲେ ଯେ ଯଦି ନାରୀମାନଙ୍କର ଅର୍ଥାତ୍ ସମଗ୍ର ଗୋଟିଏ ଲିଙ୍ଗର ମେଧା, ଜ୍ଞାନ, ଦକ୍ଷତା ଆଦିକୁ ଉପଯୁକ୍ତ କାର୍ଯ୍ୟରେ ନିୟୋଜିତ ନ କରି ଅକାମି କରି ଦିଆଯାଏ, ତାହା ଯୋଗୁଁ ସମାଜକୁ ଏକ ବିଶାଳ କ୍ଷତି ସହିବାକୁ ପଡ଼ିଥାଏ।
ତାଙ୍କର ଏହି ଯୁକ୍ତିକୁ ସତ୍ୟ ପ୍ରତିପାଦିତ କରି ଆଧୁନିକ ଗବେଷଣାରୁ ମଧ୍ୟ ସାବ୍ୟସ୍ତ ହୋଇଥାଏ ଯେ ଅଧିକ ଲିଙ୍ଗ-ସାମ୍ୟ ଉପସ୍ଥିତ ଥିବା ଦେଶମାନଙ୍କର ଅର୍ଥନୀତି ଲିଙ୍ଗ-ବୈଷମ୍ୟ ଥିବା ଦେଶମାନଙ୍କର ଅର୍ଥନୀତି ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ। ଉଦାହରଣ ସ୍ବରୂପ, ବିଶ୍ବବ୍ୟାଙ୍କ୍ ଦ୍ବାରା କରାଯାଇଥିବା ଏକ ଅନୁଶୀଳନରୁ ଜଣା ପଡ଼ିଥାଏ ଯେ ପୃଥିବୀରେ ସର୍ବାଧିକ ଲିଙ୍ଗ-ବୈଷମ୍ୟ ଉପସ୍ଥିତ ଥିବା ଦେଶର ବାର୍ଷିକ ‘ଜିଡିପି’ରେ ଯେଉଁ ହାରାହାରି ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଥାଏ, ସର୍ବାଧିକ ଲିଙ୍ଗ-ସାମ୍ୟ ଉପସ୍ଥିତ ଥିବା ଦେଶ ହାସଲ କରୁଥିବା ‘ଜିଡିପି’ରେ ହାରାହାରି ଅଭିବୃଦ୍ଧି ହାର ତା’ଠାରୁ ୦.୮ ଶତାଂଶ ଅଧିକ ହୋଇଥାଏ। ଯଦି ଅଭିବୃଦ୍ଧିରେ ଏହି ତଫାତ୍ କାହାକୁ ନଗଣ୍ୟ ମନେ ହେଉଥାଏ, ତେବେ ମନେ ରଖିବା ଉଚିତ ହେବ ଯେ ୧୫ ବର୍ଷରେ ଏହି ତଫାତ୍ ‘ଜିଡିପି’ର ୨୦ ଶତାଂଶ ସହିତ ସମାନ ହେବ।
ବିଭିନ୍ନ କାରଣରୁ ଲିଙ୍ଗ-ସାମ୍ୟ ଅର୍ଥନୈତିକ ଅଭିବୃଦ୍ଧିକୁ ସାହାଯ୍ୟ କରିଥାଏ। ପ୍ରଥମ, ପୂର୍ବରୁ ଉଲ୍ଲେଖ କରାଯାଇଥିବା ଭଳି ଦେଶର ଶ୍ରମ ଶକ୍ତିରେ ନାରୀମାନେ ସମାନ ଭାବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଲେ, ସେମାନଙ୍କର ଶ୍ରମ ସହିତ ସେମାନଙ୍କର ଜ୍ଞାନ, ବୁଦ୍ଧି, ଉଦ୍‌ଯୋଗ ଆଦିର ପୂର୍ଣ୍ଣ ଉପଯୋଗ ଘଟିଥାଏ, ଯାହା ଅଭିବୃଦ୍ଧିକୁ ତ୍ବରାନ୍ବିତ କରିଥାଏ। ଦ୍ବିତୀୟ, ଶ୍ରମ ବଜାରରେ ପ୍ରବେଶ ଯୋଗୁଁ ନାରୀମାନଙ୍କର ଅାର୍ଥିକ ସ୍ଥିତିରେ ଉନ୍ନତି ଘଟିଲେ ତାହା ଯୋଗୁଁ ପରିବାରର ଅର୍ଥ‌େନୖତିକ ସ୍ଥିତିରେ ଉନ୍ନତି ଘଟିଥାଏ ଓ ସନ୍ତାନ ସନ୍ତତିମାନଙ୍କର ଶିକ୍ଷା ଓ ସ୍ବାସ୍ଥ୍ୟରେ ଉନ୍ନତି ଘଟିଥାଏ। ଏଥିଯୋଗୁଁ ଦେଶର ଭବିଷ୍ୟତ ଶ୍ରମ ଶକ୍ତିର ଦକ୍ଷତା ଓ ଉତ୍ପାଦନଶୀଳତାରେ ବୃଦ୍ଧି ଘଟିଥାଏ। ତୃତୀୟ, ଶ୍ରମ ଶକ୍ତିରେ ଅଂଶଗ୍ରହଣ ଯୋଗୁଁ ନାରୀମାନଙ୍କର ଅର୍ଥନୈତିକ ସଶକ୍ତୀକରଣ ଘଟିଲେ, ତାହା ଯୋଗୁଁ ସାମାଜିକ ସ୍ଥିରତା ସୃଷ୍ଟି ହୋଇଥାଏ, ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅନୁକୂଳ ହୋଇଥାଏ। ଚତୁର୍ଥ, ଶ୍ରମ ବଜାରରୁ ମହିଳାମାନେ ଉପାର୍ଜନ କରୁଥିବା ଆୟ ଚାହିଦା ପାର୍ଶ୍ବରେ ପ୍ରବେଶ କରି ଅର୍ଥନ‌ୀତିର ସାମଗ୍ରିକ ଚାହିଦାକୁ ପରିପୁଷ୍ଟ କରି ଯୋଗାଣ ପାର୍ଶ୍ବରେ ଅଧିକ ପୁଞ୍ଜି ନିବେଶ, ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟିକୁ ଉତ୍ସାହିତ କରିଥାଏ।
ନାରୀମାନଙ୍କର ଶ୍ରମ ଶକ୍ତିରେ ପ୍ରବେଶର ଏ ସମସ୍ତ ଅବଦାନକୁ ସମସ୍ତେ ସ୍ବୀକାର କରୁଥିଲେ ହେଁ ବିଭିନ୍ନ କାରଣରୁ ନାରୀମାନେ ସହଜରେ ନିଯୁକ୍ତି କ୍ଷେତ୍ରରେ ପ୍ରବେଶ କରିପାରି ନଥାନ୍ତି। ଏ ସମସ୍ତ କାରଣମାନଙ୍କ ମଧ୍ୟରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ବାସସ୍ଥଳୀରୁ ନିଯୁକ୍ତିସ୍ଥଳୀକୁ ଯିବା ଆସିବାରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାମାନ। ବିଭିନ୍ନ ଅନୁଶୀଳନରୁ ଜଣାଯାଏ ଯେ ଯାତାୟାତ ସମସ୍ୟା ଯୋଗୁଁ ଭାରତରେ ଅନେକ ମହିଳା କୌଣସି ବିଧିବଦ୍ଧ ନିଯୁକ୍ତି ଗ୍ରହଣ କରିବାକୁ ପଛଘୁଞ୍ଚା ଦେଇଥାନ୍ତି।
ଏହି ପରିପ୍ରେକ୍ଷୀରେ ‘ଅକ୍‌ସଫୋର୍ଡ ଇକନମିକ୍‌ସ’ ଦ୍ବାରା ପ୍ରକାଶିତ ରିପୋର୍ଟ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ଏହା ଅନୁସାରେ ଦେଶର ବୃହତ୍ ନଗରୀମାନଙ୍କରେ ଉଲ୍ଲେଖନୀୟ ଅନୁପାତରେ କର୍ମଜୀବୀ ମହିଳାମାନେ ପ୍ରକାଶ କରିଛନ୍ତି ଯେ ‘ଉବର୍’ ଭଳି ଗାଡ଼ି-ଡାକରା ସେବା ଉପଲବ୍‌ଧ ହେବା ଯୋଗୁଁ ସେମାନେ ଶ୍ରମ ଶକ୍ତିରେ ଯୋଗ ଦେବା ବା ପୂରାସମୟ ନିଯୁକ୍ତି ଗ୍ରହଣ କରିବା ସମ୍ଭବ ହୋଇପାରିଛି। ଉଦାହରଣ ସ୍ବରୂପ ମୁମ୍ବାଇରେ ଏହି ଅନୁପାତ ୨୯ ଶତାଂଶ ହୋଇଥିବା ବେଳେ ଚେନ୍ନାଇରେ ତାହା ହେଉଛି ୫୨ ଶତାଂଶ। ଗୁରୁତ୍ବପୂର୍ଣ୍ଣ ଭାବେ, ଏହି କର୍ମଜୀବୀ ମହିଳାମାନଙ୍କ ମଧ୍ୟରେ ଯେଉଁ ଗୋଷ୍ଠୀ ସର୍ବବୃହତ୍‌ ହୋଇଥିବା ଦେଖାଯାଇଛି, ସେମାନେ ହେଉଛନ୍ତି ଅଳ୍ପ ବୟସର ସନ୍ତାନ ସନ୍ତତି ଥିବା ମା’ମାନେ। ଅର୍ଥାତ୍, ଯାତାୟାତର ଅନିଶ୍ଚିତ ଓ ସମୟସାପେକ୍ଷ ଚରିତ୍ର ଯୋଗୁଁ ସନ୍ତାନ ସନ୍ତତିଙ୍କ ଠାରୁ ଅଧିକ ସମୟ ଅଲଗା ହୋଇ ରହିବାକୁ ପଡୁଥିବାରୁ ଯେଉଁ ଜନନୀମାନେ କୌଣସି ବିଧିବଦ୍ଧ ନିଯୁକ୍ତି ଗ୍ରହଣ କରିବାକୁ କୁଣ୍ଠିତ ଥିଲେ, ଗାଡ଼ି-ଡାକରା ସେବା ଉପଲବ୍‌ଧ ହେବା ପରେ ସେମାନଙ୍କ ପକ୍ଷରେ ତାହା କରିବା ସମ୍ଭବ ହୋଇଛି। ଅନୁଶୀଳନକୁ ଆଧାର କରି ‌ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ ୨୦୨୮ ସୁଦ୍ଧା ଦେଶର ପାଞ୍ଚଟି ମହାନଗରୀରେ ଗାଡ଼ି-ଡାକରା ସେବା ଯୋଗୁଁ ଅଧିକ ୩.୨ ଲକ୍ଷରୁ ୫.୬ ଲକ୍ଷ ମହିଳା ଶ୍ରମ ଶକ୍ତିରେ ପ୍ରବେଶ କରିବାକୁ ଯାଉଛନ୍ତି, ଯାହା ସେ ମହାନଗରୀମାନଙ୍କର ମହିଳା ଶ୍ରମ ଶକ୍ତିରେ ୪ ଶତାଂଶରୁ ୬.୯ ଶତାଂଶ ବୃଦ୍ଧି ସହିତ ସମାନ।
ନୂତନ ଡିଜିଟାଲ୍ ଟେକ୍‌ନୋଲୋଜିରୁ ଜନ୍ମିତ ଗାଡ଼ି-ଡାକରା ସେବାର କର୍ମକ୍ଷେତ୍ରରେ ଲିଙ୍ଗ-ବୈଷମ୍ୟ ଦୂରୀକରଣ ପ୍ରତି ଏହି ଅବଦାନ ପ୍ରଶଂସନୀୟ ହୋଇଥିଲେ ହେଁ ଏକ ବୃହତ୍ତର ଦୃଷ୍ଟିକୋଣରୁ ଏହି ଅବଦାନକୁ ପ୍ରତୀକାତ୍ମକ ମାତ୍ର ବୋଲି କହିଲେ ଭୁଲ୍ ହେବ ନାହିଁ। ଏହାର ପ୍ରଭାବ ସାବ୍ୟସ୍ତ କରିଛି ‌େଯ ମହିଳାମାନଙ୍କ ଯାତାୟାତକୁ ଯଦି ସୁଗମ ଓ ନିରାପଦ କରି ଦିଆଯାଏ, ତେବେ ସେମାନେ ବହୁ ଅଧିକ ସଂଖ୍ୟାରେ ଶ୍ରମ ଶକ୍ତିରେ ପ୍ରବେଶ କରିବା ପାଇଁ ପ୍ରବୃତ୍ତ ହେବେ। କିନ୍ତୁ ଗାଡ଼ି-ଡାକରା ସେବା ଯୋଗାଣ ଏହାର ଉପାୟ ନୁହେଁ। କାରଣ କେବଳ ଉଚ୍ଚ ଶିକ୍ଷିତ ଓ ଉଚ୍ଚ ଆୟ ଅର୍ଜନକାରିଣୀ ନାରୀମାନେ ହିଁ ଏହି ସେବା ବ୍ୟବହାର କରିବା ପାଇଁ ସକ୍ଷମ ହୋଇଥାନ୍ତି। ‘ଅକ୍‌ସଫୋର୍ଡ ଇକନମିକ୍‌ସ’ର ରିପୋର୍ଟରୁ ଯାତାୟାତର ଏହି ଲିଙ୍ଗଗତ ଗୁରୁତ୍ବ ଲୋକଲୋଚନକୁ ଆସିବା ପରେ ରାଷ୍ଟ୍ର ଅର୍ଥାତ୍ ସରକାରଙ୍କର ଦାୟିତ୍ବ ହେଉଛି ନିର୍ଦ୍ଦିଷ୍ଟ ଭାବ‌େର ମହିଳାମାନଙ୍କ ପାଇଁ ସୁବିଧାଜନକ, ସୁରକ୍ଷିତ ଓ ଦ୍ରୁତ ଗଣପରିବହନ ସେବା ଉପଲବ୍‌ଧ କରାଇବା, ଯାହା ନିମ୍ନ ଆୟବର୍ଗର ମହିଳା କର୍ମଜୀବୀମାନଙ୍କର ପହୁଞ୍ଚ ମଧ୍ୟରେ ହୋଇଥିବ। ଏଭଳି ସେବାର ଅଭାବରୁ ମହିଳାମାନେ ଯେତେବେଳେ ନିଯୁକ୍ତି ଓ ତଜ୍ଜନିତ ଆୟ ତ୍ୟାଗ କରି ଘରେ ରହିଯିବାକୁ ନିଷ୍ପତ୍ତି ନିଅନ୍ତି, ତାହା ହେଉଛି ମହିଳାମାନଙ୍କ ଠାରୁ ରାଷ୍ଟ୍ର ଆଦାୟ କରୁଥିବା ଏକ ଟିକସ ବୋଲି ବିଶ୍ବବ୍ୟାଙ୍କ୍ ୨୦୨୨ରେ ପ୍ରକାଶିତ ତା’ର ଅନ୍ୟ ଏକ ରିପୋର୍ଟ (‘ଟୁଲ୍‌କିଟ୍ ଫର୍‌ ଏନେବ୍ଲିଙ୍ଗ୍ ଜେଣ୍ଡର୍ ରେସ୍‌ପନ୍‌ସିଭ୍ ଅର୍ବାନ୍ ମୋବିଲିଟି ଆଣ୍ଡ୍ ପବ୍ଲିକ୍ ସ୍ପେସେସ୍’)ରେ କହିଛି। ନାରୀମାନଙ୍କ ସହିତ ସଂଯୁକ୍ତ ରଙ୍ଗକୁ ବ୍ୟବହାର କରି ବିଶ୍ବବ୍ୟାଙ୍କ୍ ଏହି ଟିକସର ନାମକରଣ କରିଛି: ‘ପିଙ୍କ୍ ଟ୍ୟାକ୍‌ସ’ ବା ‘ଗୋଲାପି କର’। ଭାରତରେ ଶ୍ରମ ଶକ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଦୁର୍ବଳ ହୋଇଥିବା ଦୃଷ୍ଟିରୁ (ବିଶ୍ବ ହାରାହାରି ୪୭ ଶତାଂଶ ହୋଇଥିବା ବେଳେ ଭାରତ ପାଇଁ ଏହା ହେଉଛି ପ୍ରାୟ ୩୦ ଶତାଂଶ), ସେଥିରେ ଉନ୍ନତି ଘଟାଇବା ପାଇଁ ‘ଅକ୍‌ସଫୋର୍ଡ ଇକନମିକ୍‌ସ’ ରିପୋର୍ଟରୁ ଶିକ୍ଷା ଲାଭ କରି ସରକାର ଦେଶରୁ ଗୋଲାପି ଟିକସର ସଂପୂର୍ଣ୍ଣ ଉଚ୍ଛେଦ ଘଟାଇବା ଜରୁରୀ।

ସମ୍ବନ୍ଧିତ ଖବର