ସାଂପ୍ରତିକୀ: ପୃଥିବୀ ଓ ପ୍ରକୃତି ସଂରକ୍ଷଣରେ ସ୍ଥାନୀୟ ଉଦ୍ୟମ

ରାମଚନ୍ଦ୍ର ଗୁହା

ଗତ ଚାରି ଦଶନ୍ଧିରେ ମୁଁ ଅସଂଖ୍ୟ ସେମିନାର ଓ ସାହିତ୍ୟ ଉତ୍ସବରେ ଭାଗ ନେଇଛି। ଶେଷ ଥରଟି ଗତ ମାସରେ ଅନୁଷ୍ଠିତ ହୋଇଥିଲା ଦକ୍ଷିଣ ଭାରତର ପାର୍ବତ୍ୟ ସହର ଉଧଗମଣ୍ଡଳମ୍‌ରେ, ଯାହା ଉଟି ନାମରେ ଲୋକପ୍ରିୟ। ‘ନୀଳଗିରିରେ ନୀଳଗିରି ଲାଗି ସମ୍ମିଳନୀ’ ନାମରେ ଆୟୋଜିତ କାର୍ଯ୍ୟକ୍ରମଟିର ଉଦ୍ଦେଶ୍ୟ ଥିଲା ତାମିଲନାଡୁର ଏହି ମନୋରମ ଅଥଚ ବିପନ୍ନ ପାର୍ବତ୍ୟ ଜିଲ୍ଲାର ଏକ ‘ଜୈବ ସାଂସ୍କୃତିକ ଧାରଣକ୍ଷମ ଭବିଷ୍ୟତ’ର ପରିକଳ୍ପନା କରିବା। ବକ୍ତାମାନଙ୍କ ମଧ୍ୟରେ ଥିଲେ ଅଗ୍ରଣୀ ସମାଜ ବିଜ୍ଞାନୀ ଓ ପ୍ରକୃତି ବିଜ୍ଞାନୀଗଣ ଯେଉଁମାନେ ଏହି ଅଞ୍ଚଳରେ କାମ କରିଛନ୍ତି। ସେମାନଙ୍କ ସହିତ ଥିଲେ ନାଗରିକ କର୍ମୀ, ଉଦ୍ୟୋଗୀ, ଶିକ୍ଷକ ଓ ବରିଷ୍ଠ ଆଦିବାସୀ ନାଗରିକ ବୃନ୍ଦ। ଅଂଶଗ୍ରହଣକାରୀଙ୍କ ବିବିଧତା ଓ ସେମାନଙ୍କ ଦ୍ବାରା କରାଯାଇଥିବା ବିଷୟ ଉପସ୍ଥାପନାର ମାନ ଦୃଷ୍ଟିରୁ ଏହା ଥିଲା ମୁଁ ଭାଗ ନେଇଥିବା ସବୁଠାରୁ ଅଧିକ ଉପଭୋଗ୍ୟ ଓ ଶିକ୍ଷଣୀୟ ସେମିନାର ମଧ୍ୟରୁ ଗୋଟିଏ।
ନୀଳଗିରି ଜିଲ୍ଲା ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ରହିଛି। ମୋ ବାପା ଉଟିରେ ଜନ୍ମ ହୋଇଥିଲେ ଏବଂ ବଡ଼ ହେବା ପରେ ମୋ ପିତାମାତା ସେହି ସହରରେ ପରସ୍ପରଙ୍କୁ ଭେଟି ପ୍ରେମରେ ପଡ଼ିଥିଲେ। କିନ୍ତୁ ମୁଁ ଏହି ସ୍ଥାନର ଅପର ପାର୍ଶ୍ବରେ ଅବସ୍ଥିତ ଗଡ଼ଵାଲ ହିମାଳୟର ପାଦଦେଶରେ ଜନ୍ମ ହୋଇ ବଡ଼ ହୋଇଥିଲି। ଗଡ଼ଵାଲର ଆଭ୍ୟନ୍ତରୀଣ ପର୍ବତମାଳାରେ ହିଁ ମୁଁ ମୋର ପ୍ରଥମ ଦୀର୍ଘ କାଳୀନ ଗବେଷଣା କରିଥିଲି। ଚାଳିଶ ବର୍ଷ ବୟସ ପରେ ଯାଇ ମୁଁ ପ୍ରଥମ ଥର ନୀଳଗିରି ଗଲି। ଏହା ସତ୍ତ୍ବେ ଗଲା ୨୫ ବର୍ଷର ଭିତରେ ମୁଁ ସେଠାରେ ଅନେକ ସମୟ କାଟିଛି, କେବେ ପରିବାର ସହିତ ସଂକ୍ଷିପ୍ତ ଛୁଟିରେ ତ ଆଉ କେବେ କୋଭିଡ୍ ମହାମାରୀ ସମୟର ଦୀର୍ଘକାଳୀନ ଏକାନ୍ତ ବାସରେ।
ନୀଳଗିରି ହେଉଛି ପଶ୍ଚିମ ଘାଟ ନାମକ ଏକ ବିଶାଳ ପର୍ବତମାଳାର ଅଂଶ; ଗଡ଼ଵାଲ ହେଉଛି ହିମାଳୟ ନାମକ ଆଉ ଏକ ଅଧିକ ଅତିକାୟ ପର୍ବତମାଳାର ଅଂଶ। ଉକ୍ତ ‘ନୀଳଗିରିସ୍କେପ୍‌ସ’ ସେମିନାରରେ ଭାଷଣ ଓ ଆଲୋଚନା ଶୁଣି ମୁଁ ଭାବିଲି ଯେ ମୁଁ ମୋ ଯୁବାବସ୍ଥାରେ ଜାଣିଥିବା ପର୍ବତମାଳା ଏବଂ ବୃଦ୍ଧାବସ୍ଥାରେ ଭଲ ଭାବେ ପରିଚିତ ହୋଇଥିବା ପର୍ବତମାଳାଗୁଡ଼ିକ ମଧ୍ୟରେ କେତେକ ଐତିହାସିକ ସମାନତା ଖୋଜିବାକୁ ଚେଷ୍ଟା କରିପାରିବି। ଏହି ସମାନତାଗୁଡ଼ିକ ଉପନିବେଶ ଶାସନ ପୂର୍ବବର୍ତ୍ତୀ, ସମକାଳୀନ ଓ ପରବର୍ତ୍ତୀ ସମୟ ଖଣ୍ଡ ମଧ୍ୟରେ ବିସ୍ତାରିତ।
ମୁଁ ନିଃସନ୍ଦେହ ଭାବେ ଏହି ଦୁଇ ଅଞ୍ଚଳର ବ୍ୟାପକ ଜୈବ-ସାଂସ୍କୃତିକ ପ୍ରଭେଦକୁ ସ୍ବୀକାର କରୁଛି। ନୀଳଗିରି ଓ ଗଡ଼ଵାଲ୍‌ର ଅଧିବାସୀମାନେ ଅତୀତରେ ଥିବା ଭଳି ବର୍ତ୍ତମାନ ମଧ୍ୟ ଭାଷା, ଆସ୍ଥା, ସଂସ୍କୃତି ଓ ଖାଦ୍ୟପେୟ ଦୃଷ୍ଟିରୁ ଭିନ୍ନ। ପୁଣି ସେ ଦୁଇ ଅଞ୍ଚଳର ଗଛଲତା, ଜୀବଜନ୍ତୁ, ମୃତ୍ତିକା ପ୍ରକାର ଭେଦ ଓ ଭୂ-ସଂରଚନା ବହୁତ ଅଲଗା। ତଥାପି, ସେମାନଙ୍କ ଆଧୁନିକ ଜୈବିକ ଇତିହାସରେ ଅନେକ ସମାନତା ରହିଛି, ଯେଉଁଗୁଡ଼ିକ ବିଷୟରେ ମୁଁ ବ୍ୟାଖ୍ୟା କରିବାକୁ ଯାଉଛି।
ଊନବିଂଶ ଶତାବ୍ଦୀର ଆଦ୍ୟ କାଳରେ ବ୍ରିଟିସ୍ ଉପନିବେଶବାଦୀମାନେ ପ୍ରଥମେ ଗଡ଼ଵାଲ ଓ ନୀଳଗିରିରେ ସେମାନଙ୍କ ଉପସ୍ଥିତିକୁ ଅନୁଭୂତ କରାଇଥିଲେ। ଉଭୟ ଅଞ୍ଚଳକୁ ଯେତେବେଳେ ବିଦେଶୀମାନେ ଆସିଲେ, ସେମାନେ ଦେଖିଲେ ଯେ ପାହାଡ଼ିଆ ସଂପ୍ରଦାୟର ମୁଖ୍ୟ ଜୀବିକା ହେଉଛି- ଶିକାର, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ମେଷ ପାଳନ, କୃଷି ଓ ହସ୍ତଶିଳ୍ପ। ଦୁଇଟି ଯାକ ଅଞ୍ଚଳ ଅର୍ଥନୈତିକ ଦୃଷ୍ଟିରୁ ସ୍ବୟଂସଂପୂର୍ଣ୍ଣ ଥିଲେ, ଯଦିଓ ତାହା ପୂର୍ଣ୍ଣ ରୂପରେ ସତ ନୁହେଁ: ନୀଳଗିରିର ଲୋକମାନେ ପାହାଡ଼ ତଳେ ଥିବା କଙ୍ଗୁ ନାଡୁ ସମତଳ ଭୂମିକୁ ଯାଇ ବ୍ୟବସାୟ କରୁଥିଲେ, ଗଡ଼ଵାଲର ଲୋକମାନେ ସିନ୍ଧୁ-ଗଙ୍ଗା ସମତଳ ଭୂମି ଓ ହିମାଳୟ ସେପାରି ତିବ୍ବତ ସହ ବ୍ୟବସାୟ କରୁଥିଲେ।
ଉଭୟ ନୀଳଗିରି ଓ ଗଡ଼ଵାଲ୍‌ରେ ସ୍ଥାନୀୟ ସଂପ୍ରଦାୟଗୁଡ଼ିକର ପ୍ରାକୃତିକ ଜଗତ୍‌ ସହିତ ଗଭୀର ଓ ଜୈବିକ ସମ୍ପର୍କ ଥିଲା। ପ୍ରକୃତି ଦ୍ବାରା ନିର୍ଦ୍ଧାରିତ ସୀମା ଭିତରେ ବଞ୍ଚି ରହିବା ଓ ବଂଶ ବିସ୍ତାର କରିବା ସେମାନେ ଶିଖିଥିଲେ। ଗଛଲତା, ମୃତ୍ତିକା ଓ ଜଳବାୟୁ ସମ୍ପର୍କରେ ସେମାନଙ୍କ ସ୍ବଦେଶୀ ଜ୍ଞାନ ଖୁବ୍ ବିକଶିତ ଥିଲା ଏବଂ ତାହା ସେମାନଙ୍କ ଜୀବିକା ନିର୍ବାହରେ ଅନ୍ତର୍ନିହିତ ହୋଇ ଥିଲା। ଏହା ସହିତ ନିର୍ଦ୍ଦିଷ୍ଟ ଗଛ, ପଥର ଓ ଜଳାଶୟର ପୂଜା, ଏବଂ ଜଙ୍ଗଲର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ପବିତ୍ର ତୋଟା ଭାବେ ସଂରକ୍ଷଣ, ଏହି ପ୍ରାକ୍‌-ଆଧୁନିକ ସଂପ୍ରଦାୟମାନେ ପ୍ରକୃତି ପ୍ରତି ପ୍ରଦର୍ଶନ କରୁଥିବା କୃତଜ୍ଞତାକୁ ପ୍ରତିଫଳିତ କରୁଥିଲା।
ବ୍ରିଟିସ୍ ଶାସନର ଆଗମନ ଉଭୟ ଅଞ୍ଚଳରେ ଉଗ୍ର ପ୍ରତିବନ୍ଧକ ସୃଷ୍ଟି କଲା। ପରିସଂସ୍ଥାଗତ ସ୍ତରରେ ବିଚାର କଲେ, ଭୂ-ଭାଗରେ ପ୍ରଗାଢ଼ ରୂପାନ୍ତରଣ ପରିଲକ୍ଷିତ ହୋଇଥିଲା- ଯାହା ନୀଳଗିରିରେ ଚା’ ବଗିଚାର ରୂପ ନେଲା ତ ହିମାଳୟରେ ବ୍ୟାବସାୟିକ ବନୀକରଣ ରୂପେ ଉଭା ହେଲା। ଗୋଟିଏ ସ୍ଥାନରେ ଚା’ ରୋପଣ ଓ ଅମଳ ଏବଂ ଅନ୍ୟଟିରେ ପାଇନ୍ ରୋପଣ ଓ ଅମଳ ଜୈବ ବିବିଧତା ଓ ପରିବେଶ ସନ୍ତୁଳନର ବିପୁୁଳ କ୍ଷତି ସାଧନ କଲା। ସାମାଜିକ ସ୍ତରରେ, ଉଭୟ ଅଞ୍ଚଳ ବହିରାଗତଙ୍କ ଆଗମନର ପ୍ରତ୍ୟକ୍ଷ କଲା – ଶ୍ରମିକ, ଅଧିକାରୀ, ଶିକ୍ଷକ, ସୈନିକ, ଆନନ୍ଦ ଅନ୍ବେଷୀ ଓ ଅନ୍ୟମାନେ – ଯାହା ସହିତ ଜଙ୍ଗଲବାସୀଙ୍କ ପ୍ରବାସ ଗମନର ଧାରା ବଢ଼ି ଚାଲିଲା, କାରଣ ସେମାେନ କାରଖାନା, ଘରବାଡ଼ି ଓ ଅଫିସରେ ନିଯୁକ୍ତି ଅନ୍ବେଷଣରେ ସମତଳ ଅଞ୍ଚଳକୁ ଯିବାକୁ ଲାଗିଲେ। ବ୍ରିଟିସ୍ ଶାସନର ଆଗମନ ସହିତ ଉଟି ଓ ମସୌରି ଭଳି ସହରୀ କେନ୍ଦ୍ର ଓ ‘ହିଲ୍ ଷ୍ଟେସନ୍’ ବା ଶୈଳ ନିବାସର ସୃଷ୍ଟି ହେଲା।
୧୯୪୭ରେ ସ୍ବାଧୀନତା ହାସଲ ପରେ ଏହି ଅଞ୍ଚଳମାନଙ୍କର ସାମାଜିକ ଓ ପରିସଂସ୍ଥାଗତ ପୁନଃନିର୍ମାଣର ବେଗ ଅଧିକ ଗତିଶୀଳ ହେଲା। ବିଜୁଳି ଶକ୍ତି ପାଇଁ ପାହାଡ଼ର ନଦୀଗୁଡ଼ିକରେ ବନ୍ଧ ନିର୍ମାଣ କରାଗଲା, ଯାହା ଜଙ୍ଗଲ ଓ ଘାସ ବଣଗୁଡ଼ିକୁ ବୁଡ଼ାଇ ଦେଲା। ସଡ଼କ ପଥର ଜାଲ ସଘନ ହେବା ସହିତ ଉଭୟ ପାହାଡ଼ିଆ ଅଞ୍ଚଳରେ ଲୋକ ଓ ପଣ୍ୟଦ୍ରବ୍ୟର ପ୍ରବାହ ଖୁବ୍ ତୀବ୍ର ହେବାକୁ ଲାଗିଲା। ଉପନିବେଶ ପରବର୍ତ୍ତୀ ସରକାରଙ୍କ ‘ବିକାଶ’ ଯୋଜନାଗୁଡ଼ିକ ହଜାର ହଜାର ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାରର ଆଗମନ କରାଇଲା। ଭାରତୀୟ ମଧ୍ୟବିତ୍ତ ଶ୍ରେଣୀର ପ୍ରସାରଣ ଫଳରେ ସମତଳ ଭୂମିରୁ ଏହି ପାହାଡ଼ିଆ ଅଞ୍ଚଳକୁ ପର୍ଯ୍ୟଟକଙ୍କ ବନ୍ୟା ମାଡ଼ିଆସିଲା। ପର୍ଯ୍ୟଟକମାନେ ନିଜ ସାଙ୍ଗରେ ଧରି ଆସିଲେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ଓ ରୋଜଗାର। ଏଥି ସହିତ ଆସିଲା ମଦ, ଝଗଡ଼ା, ଟ୍ରାଫିକ୍ ଜାମ୍ ଓ ଟନ୍ ଟନ୍ ଅବିଘଟନକ୍ଷମ ଆବର୍ଜନା ଯାହାକୁ ସେମାନେ ରାସ୍ତା କଡ଼ରେ ଓ ତା’ ସହିତ ନଦୀ ଓ ଜଙ୍ଗଲ ଭିତରେ ଇତସ୍ତତଃ ଫିଙ୍ଗିବାକୁ ଲାଗିଲେ।
୧୯୭୦ ଦଶନ୍ଧି ସୁଦ୍ଧା, ଗଡ଼ଵାଲରେ ଜଙ୍ଗଲ କ୍ଷୟ ଯେଉଁ ପାରିବେଶିକ ଓ ସାମାଜିକ ସଙ୍କଟ ସୃଷ୍ଟି କଲା, ତାହା ଏତେ ଉତ୍କଟ ଥିଲା ଯେ ସେଥିରୁ ଚିପ୍‌କୋ ଆନ୍ଦୋଳନ ଜନ୍ମ ନେଲା। ୧୯୮୦ ଦଶନ୍ଧି ସୁଦ୍ଧା ନୀଳଗିରିରେ ଜଙ୍ଗଲ ରକ୍ଷା କ୍ରିୟାନୁଷ୍ଠାନ ଲାଗି ପ୍ରଥମ ନାଗରିକ ଗୋଷ୍ଠୀ ଗଠିତ ହୋଇସାରିଥିଲା। ଉଭୟ ଗଡ଼ଵାଲ ଓ ନୀଳଗିରି ପରିସଂସ୍ଥା ଜଙ୍ଗଲ କ୍ଷୟ, ମୃତ୍ତିକା କ୍ଷୟ, ବିଷାକ୍ତ ଆବର୍ଜନା, ବିଦେଶାଗତ ଅନାବନା ଘାସର ଅନୁପ୍ରବେଶ ଓ ଅନେକ ସଂଖ୍ୟକ ପର୍ଯ୍ୟଟକଙ୍କ ଚାପ ଆଦି ନାନା ଦିଗରୁ ବିପଦର ସମ୍ମୁଖୀନ ହେଉଥିବା ବେଳେ ହିଁ ଏହିସବୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ବର୍ଷମାନଙ୍କରୁ ନିଜ ପାହାଡ଼ମାନଙ୍କର ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ କାମ କରୁଥିବା ଏବଂ ତାହାକୁ ଅମାନ୍ୟ କରିବାକୁ ଚାହୁଁଥିବା ଲୋକଙ୍କ ଭିତରେ ଏକ ଏକପାଖିଆ ଲଢ଼େଇ ଚାଲିଆସିଛି।
ଜଳବାୟୁ ପରିବର୍ତ୍ତନର ଆହ୍ବାନ ନିଶ୍ଚିତ ଭାବେ ଏହି ପ୍ରଶ୍ନଗୁଡ଼ିକୁ ଅଧିକ ଗୁରୁତ୍ବପୂର୍ଣ୍ଣ କରିଦେଇଛି। ତିନିଟି କାରଣରୁ ମୋ ବୃଦ୍ଧାବସ୍ଥାର ଦାକ୍ଷିଣାତ୍ୟ ପାହାଡ଼ଗୁଡ଼ିକ, ଉତ୍ତରରେ ଅବସ୍ଥିତ ଯୌବନ କାଳର ପାହାଡ଼ଗୁଡ଼ିକ ଠାରୁ ଅଧିକ ଭାଗ୍ୟବାନ। ପ୍ରଥମ କାରଣଟି ପରିସଂସ୍ଥା ସହ ଜଡ଼ିତ; ଗଡ଼ଵାଲ ହିମାଳୟର ନଦୀଗୁଡ଼ିକ ବରଫରୁ ସୃଷ୍ଟ ଏବଂ ଖୁବ୍ ଉଚ୍ଚରୁ ବହୁଥିବାରୁ ସେଗୁଡ଼ିକ ବ୍ୟୟବହୁଳ ଓ ଧ୍ବଂସକାରୀ ଜଳବିଦ୍ୟୁତ୍‌ ପ୍ରକଳ୍ପ ଆକର୍ଷିତ କରିବାର ସମ୍ଭାବନା ଅଧିକ। ବାସ୍ତବରେ ନୀଳଗିରିରେ ମଧ୍ୟ କେତେକ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି, କିନ୍ତୁ ସେଗୁଡ଼ିକ ସେଭଳି ଧ୍ବଂସ ସାଧନ କରିନାହାନ୍ତି, ଯେମିତି ହିମାଳୟର ବିଶାଳ ଓ କ୍ରମବର୍ଦ୍ଧିଷ୍ଣୁ ବନ୍ଧର ନେଟ୍‌ଵର୍କ ଭିଆଇଛି।
ନୀଳଗିରି ଲାଗି ଦ୍ବିତୀୟ ସୌଭାଗ୍ୟର କାରଣ ହେଲା ଭୂ-ରଣନୈତିକ ଅବସ୍ଥିତି। ଦକ୍ଷିଣର ଏହି ପାହାଡ଼ଗୁଡ଼ିକର ପ୍ରବେଶ ପଥ କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ରାଜ୍ୟରେ ରହିଛି, ଯେଉଁଗୁଡ଼ିକ ହେଉଛନ୍ତି ଭାରତର ଅଧୀନ। ଅପରପକ୍ଷେ ଗଡ଼ଵାଲ୍‌ ସହିତ ତିବ୍ବତର ସୀମା ଲାଗିଛି ଏବଂ ଭାରତ ଓ ଚୀନ ମଧ୍ୟରେ ଭଙ୍ଗୁର ସମ୍ପର୍କ ଯୋଗୁଁ ସେଠାରେ ଓସାରିଆ ରାସ୍ତା ନିର୍ମାଣ କରି ବିଶାଳ ସଂଖ୍ୟକ ସୈନିକଙ୍କୁ ପରିବହନ କରିବା ଜରୁରି ହୋଇପଡ଼ିଛି, ଯାହା ପ୍ରକୃତି ଓ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।
ତୃତୀୟ ସୌଭାଗ୍ୟର ଉତ୍ସ ହେଉଛି ଧର୍ମ। ନୀଳଗିରି ପର୍ବତମାଳାରେ ଅନେକ ଛୋଟ ଓ ସ୍ଥାନୀୟ ଭାବେ ପୂଜିତ ମନ୍ଦିର, ପୀଠ, ମସଜିଦ ଓ ଚର୍ଚ୍ଚ ଅଛି, ଯେଉଁଗୁଡ଼ିକ ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରନ୍ତି ନାହିଁ। ଅପର ପକ୍ଷେ ଗଡ଼ଵାଲରେ ଭାରତର ଚାରିଟି ସବୁଠାରୁ ପବିତ୍ର ତଥା ସର୍ବାଧିକ ପର୍ଯ୍ୟଟକ ଆସୁଥିବା ମନ୍ଦିର ରହିଛି- ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଜମୁନୋତ୍ରୀ ଯାହା ଏକତ୍ର ‘ଚାର ଧାମ’ ନାମରେ ଜଣାଶୁଣା। ଯେ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ପାଦରେ ଚାଲିଚାଲି ଅଥବା ଘୋଡ଼ାରେ ବସି ଏ ଅଞ୍ଚଳ ଭ୍ରମଣ କରୁଥିଲେ ସେ ପର୍ଯ୍ୟନ୍ତ କୌଣସି ସମସ୍ୟା ନ ଥିଲା। ହେଲେ ବର୍ତ୍ତମାନ ଧାର୍ମିକ ପର୍ଯ୍ୟଟନ ବ୍ୟାପକ ବିସ୍ତାର ଲାଭ କରିବା ଯୋଗୁଁ ପର୍ଯ୍ୟଟକଙ୍କ ଯାତାୟାତ ଲାଗି ଚାରି-ଲେନ୍ ବିଶିଷ୍ଟ ରାଜରାସ୍ତା ନିର୍ମାଣ କରିବା ଦରକାର ପଡୁଛି, ଯାହା ପରିସଂସ୍ଥା ଓ ସ୍ଥାନୀୟ ସମାଜ ଉପରେ ବିପଦର ପାହାଡ଼ ଛିଡ଼ା କରାଇଛି।
ଗଡ଼ଵାଲ୍‌ ଓ ନୀଳଗିରି ପ୍ରତି ମୋର ଗଭୀର ବ୍ୟକ୍ତିଗତ ଅନୁରକ୍ତି ରହିଛି। ତେଣୁ ଉଭୟ ପାର୍ବତ୍ୟାଞ୍ଚଳର ‘ଜୈବ ସାଂସ୍କୃତିକ ଧାରଣକ୍ଷମ ଭବିଷ୍ୟତ’ ମୁଁ ଆଶା କରେ। ହେଲେ ଆଖି ଆଗରେ ଥିବା ପ୍ରମାଣରୁ ମନେ ହେଉଛି ଯେ ଗଡ଼ଵାଲର ସେଭଳି ଭବିଷ୍ୟତର କୌଣସି ସମ୍ଭାବନା ନାହିଁ। ନୀଳଗିରିରେ ମଧ୍ୟ ସମାଜ-ପରିସଂସ୍ଥାଗତ ଅଖଣ୍ଡତାକୁ ସୁରକ୍ଷା ଦେବା ଓ ତାହାର ନବୀକରଣ କରିବା ଏକ କଷ୍ଟସାଧ୍ୟ ସଂଘର୍ଷ ହେବ। ତେବେ, ଅନ୍ତତଃ ପକ୍ଷେ ଏଥି ସହିତ କିଛିଟା ଆଶା ଓ ସମ୍ଭାବନାର ଭାବନା ପ୍ରବେଶ କରାଇବା ସମ୍ଭବ। ନାଗରିକ, ବୈଜ୍ଞାନିକ, ସମାଜ ସଚେତନ ଉଦ୍ୟୋଗୀ ଓ ଜନମଙ୍ଗଳକାରୀ ସରକାରୀ ଅଧିକାରୀଙ୍କ ସହଯୋଗ ଦ୍ବାରା ଜଙ୍ଗଲର ପୁରରୁଦ୍ଧାର, କୃଷି କାର୍ଯ୍ୟରେ ରସାୟନର ପ୍ରୟୋଗ ବନ୍ଦ, ପର୍ଯ୍ୟଟନକୁ ସାମାଜିକ ସ୍ତରରେ ଅଧିକ ଅନ୍ତର୍ଭୁକ୍ତୀ ଓ କମ୍ ସମ୍ବଳ-ସାପେକ୍ଷ କରିବା ଏବଂ ଜଳାଶୟର ସଫେଇ ଓ ପୁନରୁଦ୍ଧାର ପାଇଁ ରଣନୀତି ପ୍ରସ୍ତୁତ କରାଯାଇପାରିବ।
ଦିଲ୍ଲୀରେ ଆୟୋଜିତ ବର୍ଣ୍ଣାଢ଼୍ୟ ଜି-୨୦ ସମ୍ମିଳନୀ ସମାପ୍ତ ହେବା ପରେ ଏହି ସ୍ତମ୍ଭଟି ପ୍ରକାଶ ପାଉଛି। ଏହି ସମ୍ମିଳନୀରେ ସବୁଠାରୁ ଜନବହୁଳ, ବିକଶିତ ଓ ଶକ୍ତିଶାଳୀ ଦେଶମାନେ ଏକତ୍ର ହୋଇ ପୃଥିବୀର ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ସମ୍ମିଳନୀ ଶେଷରେ ଉଚ୍ଚାକାଂକ୍ଷୀ ଓ ନୀତିନିଷ୍ଠ ଘୋଷଣାନାମା ଜାରି କରାଯାଇଛି, ଯାହା ସ୍ବାଭାବିକ। କିନ୍ତୁ ଏହି ଜି-୨୦ ସମ୍ମିଳନୀ ପୃଥିବୀରେ ଜୀବନର ସ୍ଥିତିରେ କୌଣସି ବାସ୍ତବ ଉନ୍ନତି ସାଧାନ କରିବାର ସମ୍ଭାବନା ଖୁବ୍ କମ୍। ବିଶ୍ବ ସ୍ତରରେ ଚିନ୍ତା କରିବା ଖୁବ୍ ଭଲ କଥା, ହେଲେ ସ୍ଥାନୀୟ ସ୍ତରରେ କାର୍ଯ୍ୟ କରିବା – ଗତ ମାସ ଉଟିରେ ଆୟୋଜିତ ‘ନୀଳଗିରିସ୍କେପ୍’ ସମ୍ମିଳନୀ ପରି – ଉଭୟ ମଣିଷ ଓ ପ୍ରକୃତିର ଭବିଷ୍ୟତ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇପାରିବ।
[email protected]

ସମ୍ବନ୍ଧିତ ଖବର