କୁହାଯାଏ ଯେ ଆଲୋକରେ ଏକା ଚାଲିବା ଅପେକ୍ଷା ବନ୍ଧୁ ବା ସହଯାତ୍ରୀଙ୍କ ସହ ବରଂ ଅନ୍ଧାରରେ ଚାଲିବା ଭଲ। ଏହି ଉକ୍ତିଟି ଏଠାରେ ଏଥି ଲାଗି କୁହାଯାଉଛି, କାରଣ ଏବେ କରୋନା ମହାମାରୀ ପୃଥିବୀ ସାରା ଲୋକଙ୍କୁ ଏକାନ୍ତ ବାସ ଓ ସଙ୍ଗରୋଧରେ ରହିବାକୁ ବାଧ୍ୟ କରି ନିଃସଙ୍ଗତା ଓ ଏକଲାପଣର ଏକ ସଘନ ପରିବେଶ ସୃଷ୍ଟି କରିଛି। ଅବଶ୍ୟ, କରୋନା ମହାମାରୀ ସମୟରେ ଏହା ଏକ ବାଧ୍ୟବାଧକତା। କିନ୍ତୁ, ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଏହି ମହାମାରୀ ପୂର୍ବରୁ ଯେତେବେଳେ ପୃଥିବୀ ଅତ୍ୟନ୍ତ କୋଳାହଳମୟ ଥିଲା, ସେତିକି ବେଳେ ମଧ୍ୟ ମଣିଷର ଏକଲା ପଣ ବଢ଼ି ବଢ଼ି ଚାଲିଥିଲା। ଏହାର କାରଣ ଆଧୁନିକ ମାନବର ଅହମିକା ଓ ତା’ର ପ୍ରତିଦ୍ବନ୍ଦ୍ବିତାମୂଳକ ମନୋବୃତ୍ତି। ଏଭଳି ମାନସିକତାରେ ସଫଳତା ହିଁ ଏକମାତ୍ର ଧ୍ୟେୟ ହୋଇଯାଏ। ସୁତରାଂ, ଏକ ତଣ୍ଟିକଟା ପ୍ରତିଦ୍ବନ୍ଦ୍ବିତା ଅବଶ୍ୟମ୍ଭାବୀ ହୋଇପଡ଼େ, ଯାହା ମନୁଷ୍ୟକୁ ଏକୁଟିଆ କରିପକାଏ। କହିବା ବାହୁଲ୍ୟ ଯେ ପ୍ରତିଦ୍ବନ୍ଦ୍ବିତାରେ ବିଫଳତା ମଣିଷକୁ ଆହୁରି ଘନୀଭୂତ ଅବସାଦ ମଧ୍ୟକୁ ନିକ୍ଷେପିତ କରିପକାଏ। କିନ୍ତୁ ଏହା ସତ ନୁହେଁ କି ଯେ ଶିଖରରେ ପହଞ୍ଚିଲେ ଆନନ୍ଦ ସହିତ ଆସେ କରୁଣ ଏକଲାପଣ! ପାହାଡ଼ର ଶୀର୍ଷରେ ଥିବା ବ୍ୟକ୍ତି ତଳକୁ ଓହ୍ଲାଇ ଆସି ସମସ୍ତଙ୍କ ସହିତ ମିଶି ତାଙ୍କର ଅନୁଭୂତି, ସୁଖ-ଦୁଃଖ ନ ବାଣ୍ଟିଲା ପର୍ଯ୍ୟନ୍ତ ଶାନ୍ତି ପାଆନ୍ତି ନାହିଁ। କିନ୍ତୁ ଏବର ବିଡ଼ମ୍ବନା ହେଉଛି ସଫଳ ବ୍ୟକ୍ତି ଏହା ବୁଝିଥିଲେ ମଧ୍ୟ ପାହାଡ଼ରୁ ଅବରୋହଣ କରିବାକୁ ଚାହାନ୍ତି ନାହିଁ। ବରଂ ସେମାନଙ୍କ ନିବୁଜ ଏକାକୀପଣ ମଧ୍ୟରେ ବନ୍ଦୀ ହୋଇ ରହନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ କୋଭିଡ୍ ମହାମାରୀ ଯେଉଁ ନିଃସଙ୍ଗତା ଓ ଅସହାୟତାକୁ ଜନ୍ମ ଦେଇଛି, ତାହାର କୌଣସି ତୁଳନା ନାହିଁ। ଏହି ସମୟରେ ସବୁ ବର୍ଗର ଲୋକେ ଲିଙ୍ଗ ଓ ବୟସ ନିର୍ବିଶେଷରେ ଏକଲାପଣର ଶିକାର ହୋଇଛନ୍ତି। ଏବେ ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମାନେ ଘରେ ଏକଲା ରହୁଛନ୍ତି। ସାଧାରଣତଃ ପିଲାମାନେ ଶକ୍ତିର ଅଫୁରନ୍ତ ଭଣ୍ଡାର। ଖେଳାବୁଲାର ଅଭାବରୁ ସେମାନେ ସେହି ଶକ୍ତିର ବ୍ୟୟ କରି ପାରୁ ନ ଥିବାରୁ ଖୁବ୍ ଚାପଗ୍ରସ୍ତ ହେଉଛନ୍ତି। କେବଳ ସେତିକି ନୁହେଁ, ସେମାନେ ପରିବାରର ଆୟ ହାନି ଓ ତଜ୍ଜନିତ ସୃଷ୍ଟ ଅଶାନ୍ତିକୁ ଅଙ୍ଗେ ନିଭାଉଛନ୍ତି। ପୁଣି ସେମାନଙ୍କ ଭିତରୁ ଅନେକ ହତଭାଗ୍ୟ ସେମାନଙ୍କ ପିତା, ମାତା ବା ବଡ଼ ଭାଇ ଭଉଣୀମାନଙ୍କୁ କରୋନାରେ କଲବଲ ହେବାର ଦେଖୁଛନ୍ତି ଏବଂ ଅନେକ ସମୟରେ ସେମାନଙ୍କୁ ଚିର ଦିନ ଲାଗି ହରାଉଛନ୍ତି। ଏହା ସେମାନଙ୍କୁ ଯେଉଁ ମାନସିକ ଧକ୍କା ଦେଉଛି, ତା’ର କୌଣସି ତୁଳନା ନାହିଁ। ସେମାନେ ତହିଁରୁ ମୁକ୍ତ ହୋଇ ସାଧାରଣ ଭାବେ ବଡ଼ ହେବାର ସମ୍ଭାବନା ଖୁବ୍ କମ୍। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଷାଦଗ୍ରସ୍ତ ହୋଇ ବଡ଼ ହେବା ନିଶ୍ଚିତ।
କେବଳ ପିଲାମାନେ ଅନାଥ ହେଉ ନାହାନ୍ତି, ଅନେକ ଦଂପତି ସେମାନଙ୍କ ଜୀବନ ସାଥୀଙ୍କୁ ହରାଉଛନ୍ତି; ଅନେକ ବୃଦ୍ଧ ପିତାମାତା ସେମାନଙ୍କ ସନ୍ତାନମାନଙ୍କୁ ହରାଉଛନ୍ତି ବା ଦୁର୍ଦଶାଗ୍ରସ୍ତ ହେଉଥିବା ଦେଖୁଛନ୍ତି। ଏହା ସେମାନଙ୍କ ଜୀବନକୁ ଏଭଳି ବଦଳାଇ ଦେଇଛି, ଯହିଁରେ ସୁଧାର ଆସିବାର କୌଣସି ଆଶା ଦିଶି ନ ଥାଏ। କରୋନା ସଂକ୍ରମଣ କାଳରେ ପରିଣତ ବୟସ୍କମାନେ ଖୁବ୍ ଅଧିକ ଭୟ ଓ ବିଷାଦର ଶିକାର ହେଉଛନ୍ତି। ସେମାନେ ଘର ଭିତରେ ରହି ତୁଳନାତ୍ମକ ଭାବେ ଏକ ସୁରକ୍ଷିତ ଜୀବନ କାଟୁଛନ୍ତି ସତ, କିନ୍ତୁ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ସେମାନଙ୍କ ସନ୍ତାନମାନେ ବା ପରିବାରର କନିଷ୍ଠମାନେ ଗୁରୁତର ଅସୁସ୍ଥ ହେବା ବା ପ୍ରାଣ ହରାଇବା ସେମାନଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଦେବା ସହିତ ସେମାନଙ୍କୁ ଅତ୍ୟନ୍ତ ଅସହାୟ ଓ ହତାଶା ଜର୍ଜର କରି ପକାଉଛି।
୨୦୧୯ ମସିହାରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଥେରେସା ମେ ନିଃସଙ୍ଗତା ମନ୍ତ୍ରଣାଳୟ ସୃଷ୍ଟି କରିଛନ୍ତି। ବ୍ରିଟେନ୍ରେ ୬୫ ନିୟୁତ ଜନସଂଖ୍ୟା ମଧ୍ୟରୁ ୯ ନିୟୁତ ଏକଲାପଣର ଶିକାର। ଜାପାନରେ ବୟସ୍କଙ୍କ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହାର ଏକ ପ୍ରମୁଖ କାରଣ ହେଉଛି ଏକଲାପଣର ବିଷଣ୍ଣତା। ଲୋକମାନଙ୍କ ନିଃସଙ୍ଗତାଜନିତ ଦୁର୍ଦଶାର ମୁକାବିଲା କରିବା ପାଇଁ ଜାପାନ ସରକାର ମଧ୍ୟ ଏକ ସ୍ବତନ୍ତ୍ର ମନ୍ତ୍ରାଳୟ ଖୋଲିଛନ୍ତି। ଏହି ବିଭାଗରେ ଥିବା କର୍ମଚାରୀମାେନେ ଘର ଘର ବୁଲି ଏକଲାପଣର ଶିକାର ହୋଇଥିବା ବୟସ୍କଙ୍କୁ ଭେଟନ୍ତି, ସେମାନଙ୍କ ସହ କଥାବାର୍ତ୍ତା ହୁଅନ୍ତି ଏବଂ ସେମାନଙ୍କୁ ଏକାଠି କରିବାର ଉଦ୍ୟମ କରନ୍ତି। କୋଭିଡ୍ ସମୟରେ ସୃଷ୍ଟ ନିଃସଙ୍ଗତା ଓ ଅସହାୟତାର ମୁକାବିଲା କରିବା ଲାଗି ଏହି ମନ୍ତ୍ରଣାଳୟ ବିଶେଷ ଉପଯୋଗୀ ହୋଇ ପାରିଥିବା ଦେଖା ଯାଇଥାଏ।
ଭାରତରେ ମଧ୍ୟ ଦିନକୁ ଦିନ ଅଧିକରୁ ଅଧିକ ବ୍ୟକ୍ତି ନିଃସଙ୍ଗତା ମଧ୍ୟ ଦେଇ ଗତି କରୁଛନ୍ତି। ଭାରତରେ ମଧ୍ୟ ବୃଦ୍ଧ ବୃଦ୍ଧାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନୁମାନ କରାଯାଏ ଯେ ୨୦୫୦ ମସିହା ବେଳକୁ ଭାରତରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୫୮ ନିୟୁତ ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୨୪ ନିୟୁତ ହୋଇଥିବ। ତେଣୁ ଭାରତୀୟମାନଙ୍କୁ ନିଃସଙ୍ଗତାରୁ ମୁକ୍ତ କରିବା ଲାଗି ସରକାର ଏକ ବ୍ୟବସ୍ଥିତ ଉପାୟରେ ଉଦ୍ୟମ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ବ୍ରିେଟନ ବା ଜାପାନ ଭଳି ଏକ ସ୍ବତନ୍ତ୍ର ବିଭାଗ ଖୋଲିବା କଥା ସରକାର ଚିନ୍ତା କରି ପାରନ୍ତି।
ଗବେଷଣାରୁ ଜଣାପଡ଼ିଛି ଯେ ନିଃସଙ୍ଗତା ଦ୍ବାରା ହେଉଥିବା ଅବସାଦ ଦ୍ବାରା ମନୁଷ୍ୟର ଶରୀରକୁ ଯେଉଁ କ୍ଷତି ପହଞ୍ଚେ, ତାହା ଦିନକୁ ୧୫ଟି ସିଗାରେଟ୍ ଟାଣିବାର କ୍ଷତି ସହିତ ସମାନ। କରୋନା ଆମକୁ ଯେଉଁ ଏକାକୀତ୍ବ ବା ନିଃସଙ୍ଗତା ଦେଇଛି, ତାହା ବାଧ୍ୟବାଧକତା କାରଣରୁ ଏବଂ ରୋଗରୁ ରକ୍ଷା ପାଇବା ଲାଗି ଏହା ଏକ ବଳିଷ୍ଠ ଉପାୟ ଭାବେ ଗୃହୀତ। କିନ୍ତୁ କରୋନାର ଅବସାନ ପରେ ମଧ୍ୟ ଯଦି ଆମେମାନେ ନିଜ ଅହଂକାର, ନିଜ ସ୍ବାର୍ଥ ଆଦି କାରଣରୁ ପରସ୍ପର ଠାରୁ ଅସଂଲଗ୍ନ ରହି ଏକାକୀତ୍ବ ଭିତରକୁ ଠେଲି ହୋଇଯିବା, ତେବେ ତା’ ଠାରୁ ଅଧିକ ଦୁର୍ଭାଗ୍ୟର ବିଷୟ ଆଉ କିଛି ହେବ ନାହିଁ। ସୁତରାଂ, ପରସ୍ପର ସହିତ ସୌହାର୍ଦ୍ଦ୍ୟ ରକ୍ଷା କରି ନିଜ ନିଜ ଭିତରେ ସଂପର୍କର ରଜ୍ଜୁକୁ ଦୃଢ଼ କରିବା ଆମର ଲକ୍ଷ୍ୟ ହେବା ଉଚିତ।
ମିସନ ଆଶ୍ରା ଓ ଆଶାଲୋକ, ଭୁବନେଶ୍ବର
ମୋ: ୮୨୮୦୩୩୬୩୦୦