ଋଣ ପରିଶୋଧ ପାଇଁ ସୁବର୍ଣ୍ଣ ସୁଯୋଗ

ଆମ ଘରର ହାଲଚାଲ - ସୌମ୍ୟର˚ଜନ ପଟ୍ଟନାୟକ

ଆମ ସମ୍ବିଧାନର ସଂସଦୀୟ ବ୍ୟବସ୍ଥାରେ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଓ ପ୍ରଧାନ କାର୍ଯ୍ୟ ହେଲା ନିଜର ମନ୍ତ୍ରିମଣ୍ଡଳ ଗଠନ କରିବା। ସେ କେଉଁମାନଙ୍କୁ ମନ୍ତ୍ରୀ କରିବେ ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ ବ୍ୟାପାର। ତେବେ ଦେଖାଯାଉଛି ଯେ ଦଳୀୟ ସ୍ବାର୍ଥ, ଆଞ୍ଚଳିକ ପ୍ରତିନିଧିତ୍ବ ଓ ଦକ୍ଷତା ଆଦି କଥାକୁ ବିଚାର କରି ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳ ଗଢ଼ିଥାନ୍ତି। ତେଣୁ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବାର ଦୁଇବର୍ଷ ପରେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ଆଣିବାରେ ସେଭଳି କିଛି ଅସ୍ବାଭାବିକତା ନାହିଁ। କିନ୍ତୁ ଏ ନେଇ ବିରୋଧୀ ରାଜନୈତିକ ଦଳ, ଗଣମାଧ୍ୟମ ଏବଂ ସାଧାରଣରେ ଅନେକ ଟୀକାଟିପ୍ପଣୀ କରୁଛନ୍ତି। ଏମାନଙ୍କ ମଧ୍ୟରେ କିନ୍ତୁ କୌଣସି ତାଳମେଳ ରହୁନାହିଁ। କୁହାଯାଉଛି ଯେ କରୋନା ମହାମାରୀର ଦ୍ବିତୀୟ ଲହର ପରେ ଯେଉଁ ପ୍ରକାର ଅବହେଳା କେନ୍ଦ୍ର ସରକାର କଲେ; ସେଥିରୁ ଦୃଷ୍ଟି ହଟାଇବା ପାଇଁ ଏଭଳି ବଡ଼ଧରଣର ଅଦଳବଦଳ କରାଗଲା। ପୁଣି ୧୨ ଜଣ ମନ୍ତ୍ରୀଙ୍କୁ ବାଦ ଦେଇ ଆହୁରି କୁହାଯାଉଛି ଯେ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷାରେ ଯେଉଁମାନଙ୍କର ପ୍ରଦର୍ଶନ ଠିକ୍‌ ରହିଲା ନାହିଁ, ସେମାନଙ୍କୁ ହଟାଇ ଦେଇ ମୋଦୀ ଏକ ଭିନ୍ନ ବାର୍ତ୍ତା ଦେବାକୁ ଚାହିଲେ। ଏହା ସେତେଟା ଗ୍ରହଣୀୟ ହେଉନାହିଁ। କାରଣ ଯେଉଁମାନଙ୍କୁ ପଦୋନ୍ନତି ଦିଆଯାଇଛି ସେମାନଙ୍କ ପ୍ରଦର୍ଶନ ସେଭଳି ଉଲ୍ଲେଖନୀୟ ହୋଇନାହିଁ। ତାହା ହୋଇଥିଲେ ସାଂପ୍ରତିକ ଅର୍ଥନୈତିକ ଅବସ୍ଥା ଦୃଷ୍ଟିରୁ ଅର୍ଥ ମନ୍ତ୍ରଣାଳୟର ଦୁଇ ମନ୍ତ୍ରୀ ବାଦ୍‌ ପଡ଼ିଥାନ୍ତେ।

ଆମ ବିଚାରରେ ମୋଦୀଙ୍କର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଗୋଟିଏ ଦୃଷ୍ଟିରୁ ରାଜନୈତିକ ବାଧ୍ୟବାଧକତା ଥିଲା। କିନ୍ତୁ ମୋଦୀ ତାଙ୍କର ସ୍ବଭାବ ସୁଲଭ ଢଙ୍ଗରେ ଏହାକୁ ଏକ ପର୍ବରେ ପରିଣତ କରିଦେଲେ। ଅଡ଼ୁଆ ପରିସ୍ଥିତିରୁ ନିଜକୁ ମୁକୁଳାଇବା ପାଇଁ ଏକ ସୁଯୋଗର ଭରପୂର ବିନିଯୋଗ କଲେ। ଭିନ୍ନଭିନ୍ନ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଗଲା। ସାଧାରଣ ଓ ଛୋଟଛୋଟ କଥାଗୁଡ଼ିକୁ ମୋଦୀଙ୍କର କୌଶଳ ହିସାବରେ ବର୍ଣ୍ଣନା କରାଗଲା। ପଛୁଆବର୍ଗର ପ୍ରତିନିଧିତ୍ବ, ମହିଳା ସଶକ୍ତୀକରଣ, ଡାକ୍ତର, ଇଞ୍ଜିନିୟର, ଓକିଲ ଆଦି ବହୁ ପ୍ରତିଭାବାନ ବ୍ୟକ୍ତିମାନଙ୍କ ଦ୍ବାରା ସମୃଦ୍ଧ ମୋଦୀ ଟିମ୍‌ ତାଙ୍କ ଶାସନର ଦ୍ବିତୀୟ ପର୍ବରେ ନୂଆ କଥା କରିବ ବୋଲି ବାର୍ତ୍ତା ଦିଆଗଲା। ଏହା କେତେଦୂର ଗ୍ରହଣୀୟ ତାହା ଆଗାମୀ ଦିନରେ ରାଜ୍ୟମାନଙ୍କ‌େର ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳ କହିବ। ବର୍ତ୍ତମାନ ପାଇଁ ଏତିକି କହିଲେ ଯଥେଷ୍ଟ ହେବ ଯେ ନରେନ୍ଦ୍ର ମୋଦୀ କରୋନା ମହାମାରୀର ଦ୍ବିତୀୟ ଲହରକୁ ସଫଳ ଭାବରେ ମୁକାବିଲା କରି ପାରିନାହାନ୍ତି ବୋଲି ପରୋକ୍ଷରେ ସ୍ବୀକାର କରିଛନ୍ତି। ରାଜ୍ୟଗୁଡ଼ିକରେ ହେବାକୁ ଥିବା ନିର୍ବାଚନଗୁଡ଼ିକର ବାଧ୍ୟବାଧକତା ତାଙ୍କ ପରିବର୍ତ୍ତନରେ ସ୍ପଷ୍ଟ ବାରି ହେଉଛି। ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ଯେ କେହି ବୁଝି ପାରିବ ଯେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରୀ ପରିଷଦରେ ୫୪ ଜଣ ଥିଲେ, ବର୍ତ୍ତମାନ ୭୮ ଜଣ ହେଲେ। ୧୨ ଜଣ ବାଦ୍‌ ପଡ଼ିଥିବା ଓ ପଦୋନ୍ନତି ପାଇଥିବା ମନ୍ତ୍ରୀଙ୍କ କଥାକୁ ବିଚାରକୁ ନେଲେ ପ୍ରାୟ ୪୩ ଜଣଙ୍କୁ ନୂଆକରି ନିଆଯାଇଛି ବୋଲି କୁହାଯାଇପାରେ। ବର୍ତ୍ତମାନର ମନ୍ତ୍ରିମଣ୍ଡଳର ଅଧାରୁ ଅଧିକଙ୍କ ଅବର୍ତ୍ତମାନରେ ସରକାର ଚାଲିଥିଲା କିପରି? ଯଦି ଭଲ ଚାଲିଥିଲା, ତେବେ ସଂପ୍ରସାରଣର ଆବଶ୍ୟକତା ବା ପଡ଼ିଲା କାହିଁକି?

ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳ ଆମ ଓଡ଼ିଶା ପାଇଁ ଭିନ୍ନ ଏକ ବାର୍ତ୍ତା ଦେଉଛି। ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବାଦ୍‌ ଦେଇ ଆଉ ଜଣେ ରାଷ୍ଟ୍ରମନ୍ତ୍ରୀ ଓ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ଫଳରେ ଓଡ଼ିଶାର ପ୍ରତିନିଧିତ୍ବ ସଂଖ୍ୟା ଦୃଷ୍ଟିରୁ କେବଳ ବଢ଼ି ନାହିଁ, ସେମାନଙ୍କର ଓଜନିଆ ବିଭାଗଗୁଡ଼ିକ ଓଡ଼ିଶା ପାଇଁ ଲାଭଦାୟକ ହେବ ବୋଲି ଆମେ ଆଶା କରୁ। ପ୍ରତାପ ନନା ବିଭାଗର ପ୍ରଦର୍ଶନ ପାଇଁ ଯେତିକି ନୁହେଁ, ବାଲେଶ୍ବର ଉପନିର୍ବାଚନ ଜିତି ନ ପାରିଥିବାରୁ ଦଣ୍ଡ ପାଇଲେ ବୋଲି ବୁଝିବାକୁ ହେବ। ଆଦିବାସୀ ବହୁଳ ଓଡ଼ିଶା ବାଜପେୟୀଙ୍କ ଅମଳରୁ ଜୁଏଲ୍‌ ଓରାମଙ୍କ ମାଧ୍ୟମରେ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇ ଆସୁଥିଲା। ଉଚ୍ଚଶିକ୍ଷିତ ବିଶ୍ବେଶ୍ବର ଟୁଡ଼ୁ ଓଡ଼ିଶାର ନୂଆ ଆଦିବାସୀ ମୁହଁ ହେଲେ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନ ଅମଳରୁ ହାସଲ ହୋଇଥିବା ବିଜେପିର ଜନାଧାରକୁ ସେ ସୁରକ୍ଷିତ ରଖିପାରିବେ ବୋଲି ବିଶ୍ବାସ କରାଯାଏ। ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ପରିବର୍ତ୍ତନକୁ ଭିନ୍ନଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଯାଉଛି। ଗତ କିଛି ମାସ ହେବ ପେଟ୍ରୋଲ, ଡିଜେଲ୍‌ ଦର ବୃଦ୍ଧିକୁ ନେଇ ସେ କଟୁ ସମାଲୋଚନାର ଶିକାର ହେଉଥିଲେ। ସତେ ଯେପରି ପେଟ୍ରୋଲ୍‌, ଡିଜେଲ୍‌ ଦରର ନିଷ୍ପତ୍ତି ମନ୍ତ୍ରୀ ମହୋଦୟ ବ୍ୟକ୍ତିଗତ ଭାବେ କରୁଥିଲେ। ଧର୍ମେନ୍ଦ୍ରବାବୁ ଏବେ ଏଥିରୁ ନିସ୍ତାର ପାଇବେ। ଏହା ବଦଳରେ ଶିକ୍ଷା, ଉଦ୍ୟମିତା ଓ ଦକ୍ଷତା ବିକାଶ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇ ନିଜର ପ୍ରଶାସନିକ ଦକ୍ଷତା ଦେଖାଇବାର ସୁଯୋଗ ପାଇବେ। ରେଭେନ୍ସା ଭଳି ଦେଢ଼ଶହ ବର୍ଷର ପୁରୁଣା ଅନୁଷ୍ଠାନ ଏବଂ ନିଜର ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଉଦ୍ୟମ କରିପାରିବେ। ଦକ୍ଷତା ବିକାଶ ବିଭାଗରେ ନୂତନ ରୋଜଗାର ସୃଷ୍ଟି ପାଇଁ ଅନେକ ସମ୍ଭାବନା ରହିଛି। ତାଙ୍କରି ମାଧ୍ୟମରେ ଓଡ଼ିଶା ଏ କ୍ଷେତ୍ରରେ ଅଧିକ ସୁଯୋଗ ହାସଲ କରିବ ବୋଲି ଆଶା କରାଯାଉଛି। ଜଣେ ଯୁବ ମନ୍ତ୍ରୀଙ୍କ ପାଇଁ ଗୋଟିଏ ବିଭାଗରେ ୭ ବର୍ଷ ରହିବା ଅପେକ୍ଷା ବିଭିନ୍ନ ବିଭାଗର ଦାୟିତ୍ବରେ ରହିଲେ ମନ୍ତ୍ରୀଙ୍କର ମଧ୍ୟ ଦକ୍ଷତା ବିକାଶ ହେବ।

ଓଡ଼ିଶା ପାଇଁ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଲା ଅଶ୍ବିନୀ ବୈଷ୍ଣବଙ୍କର ମନ୍ତ୍ରିମଣ୍ଡଳରେ ଯୋଗଦାନ। ବ୍ୟକ୍ତିଗତ ଭାବେ ଅଶ୍ବିନୀ ବୈଷ୍ଣବଙ୍କ କେନ୍ଦ୍ର କ୍ୟାବିନେଟ୍‌ରେ ଯୋଗଦାନ ମୋତେ ବହୁ ଅସୁବିଧାରେ ପକାଇଛି। ଗତ ତିନିଦିନ ଧରି ମୋ ପାଖକୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୁଁ ସ୍ଥାନ ପାଇଲି ବୋଲି ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। ଆମ ସଂସ୍କାରରେ ବିଶ୍ବାସ ଅଛି ଯେ ସତ୍‌ ପାତ୍ରରେ ଦାନ କଲେ ପୁଣ୍ୟ ମିଳେ। ଅପାତ୍ରରେ ଦାନ ନେଲେ ପାପ ମୁଣ୍ଡାଇବା ସାର ହେବ। ସେଥିପାଇଁ ଅଶ୍ବିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଆସିଥିବା ଶୁଭେଚ୍ଛା ଓ ଆଗ୍ରହକୁ ମୁଁ ଏହି ସ୍ତମ୍ଭ ମାଧ୍ୟମରେ ତାଙ୍କୁ ଜଣାଉଛି। ମୋ ପାଖକୁ ଆସୁଥିବା ଶୁଭେଚ୍ଛା ବାର୍ତ୍ତାମାନଙ୍କର ରହସ୍ୟକୁ ଅନୁସନ୍ଧାନ କରି ମୁଁ ଜାଣିବାକୁ ପାଇଲି ଯେ ସରକାର ପ୍ରତିବର୍ଷ ଯେଉଁ ଡାଏରୀ ଛପାଉଛନ୍ତି, ସେଥିରେ ଲୋକପ୍ରତିନିଧିଙ୍କର ନାମ, ଠିକଣା ଉଲ୍ଲେଖ ରହୁଛି। ୨୦୧୯ ମସିହା ପର୍ଯ୍ୟନ୍ତ ମୁଁ ରାଜ୍ୟସଭାର ସଭ୍ୟ ଥିଲି। ବିଧାନସଭାକୁ ନିର୍ବାଚିତ ହୋଇ ଆସିବା ପରେ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହେଲେ। ଆମ ସରକାରୀ ବ୍ୟବସ୍ଥା ଏପରି ଅଳସୁଆ ଓ କାମଚଳା ଯେ ଡାଏରୀରେ ମୋ ନାମ ବଦଳରେ ଅଶ୍ବିନୀ ବୈଷ୍ଣବଙ୍କ ନାମକୁ ଛାପିଦେଲେ ସିନା; ମୋ ଠିକଣା ଓ ଟେଲିଫୋନ୍‌ ନମ୍ବରକୁ ପରିବର୍ତ୍ତନ କଲେ ନାହିଁ। ଫଳରେ ଶୁଭେଚ୍ଛାର ବାର୍ତ୍ତା ମୋ ଟେଲିଫୋନ୍‌ ନମ୍ବରକୁ ଛୁଟିଲା। ବାର୍ତ୍ତାପ୍ରଦାନକାରୀଙ୍କର ଅଳସୁଆମୀ ଓ ସୁବିଧାବାଦୀ ମାନସିକତା ମଧ୍ୟ ଧରାପଡ଼ିଲା। ଆଜି ଅଶ୍ବିନୀ ବାବୁଙ୍କୁ ତାଙ୍କ ରାଜ୍ୟସଭା ନିର୍ବାଚନ କଥାକୁ ମନେପକାଇଦେବାକୁ ଚାହେ।

ସେତେବେଳେ ସେ କେଉଁ ଦଳର ପ୍ରାର୍ଥୀ ବୋଲି ଗୋଟିଏ ଛୋଟିଆ ବିଭ୍ରାଟ ସୃଷ୍ଟି ହୋଇଥିଲା। ଶେଷରେ ସେ ବିଜେପିର ପ୍ରାର୍ଥୀ ହେଲେ। ବିଜେଡି ତାଙ୍କୁ ସମର୍ଥନ ଜଣାଇଲା। ସଂଖ୍ୟା ଦୃଷ୍ଟିରୁ ବିଚାର କଲେ ବିଜେଡି ସମର୍ଥନ ଜଣାଇ ନଥିଲେ ସେ ରାଜ୍ୟସଭାର ସଦସ୍ୟ ହୋଇପାରି ନଥାନ୍ତେ। ସେଥିପାଇଁ ସେ ଚିରକାଳ ଓଡ଼ିଶା ଓ ବିଜେଡି ପ୍ରତି କୃତଜ୍ଞ ରହିବେ ବୋଲି ଆମେ ଆଶା କରୁ। ଏ ଆଶା ଗୋଟିଏ କଥାରୁ ଆଜି ଆମର ବିଶ୍ବାସରେ ପରିଣତ ହେଉଛି। ତାଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟା କଲାବେଳେ କିଛି ନୂଆ କଥା ଜାଣିବାକୁ ପାଇଲୁ। ରାଜସ୍ଥାନରେ ଜନ୍ମିତ ମେଧାବୀ ଛାତ୍ର ଅଶ୍ବିନୀ ବୈଷ୍ଣବଙ୍କ ଉପରେ ଈଶ୍ବର ସବୁବେଳେ ଆଶୀର୍ବାଦ ଢାଳି ଆସିଛନ୍ତି। ତାଙ୍କ ସମୟର ମେଧାବୀ ଛାତ୍ରଟି ଯାହା ସ୍ବପ୍ନ ଦେଖେ, ସେ ସବୁଥିରେ ସଫଳ ହୋଇଛନ୍ତି। ଆଇଆଇଟି, କାନପୁରରେ ପଢ଼ିବାର ସୁଯୋଗ ପାଇ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଛନ୍ତି। ପ‌ରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଓଡ଼ିଶାକୁ ତାଙ୍କର କର୍ମଭୂମି ଭାବେ ବାଛି ନେଇଛନ୍ତି। ବାଲେଶ୍ବର ଓ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ ସେ ଓଡ଼ିଶାରେ ବେଶ୍‌ ଜଣାଶୁଣା। ପରେ ୨୦୦୮ ମସିହାରେ ଉଚ୍ଚଶିକ୍ଷାର ଅଭିଳାଷ ରଖି ସେ ଋଣ କରି ଆମେରିକା ଯାଇଛନ୍ତି। ଖ୍ୟାତିସମ୍ପନ୍ନ ଅନୁଷ୍ଠାନରେ ଏମ୍‌ବିଏ ଡିଗ୍ରୀ ହାସଲ କରି ଭାରତକୁ ଫେରି ଆସିଛନ୍ତି। ଫେରିଆସି ଅନୁଭବ କରିଛନ୍ତି ଯେ ସରକାରୀ ଦରମାରେ ସେ ତାଙ୍କର ଋଣ ପରିଶୋଧ କରିପାରିବେ ନାହିଁ। ତେଣୁ ଆଇଏଏସ୍‌ ଚାକିରି ଛାଡ଼ି ଋଣ ପରିଶୋଧ କରିବା ପାଇଁ ବେସରକାରୀ ପ୍ରତିଷ୍ଠାନମାନଙ୍କରେ ମୋଟା ଦରମାର ଚାକିରି କରିଛନ୍ତି। ଋଣ ପରିଶୋଧ କରିବାର ଏପରି ପ୍ରତିବଦ୍ଧତା ମାଲ୍ୟା, ଚୋକ୍‌ସି ଓ ମୋଦୀମାନଙ୍କ ଭିତରେ କାହିଁକି ତିଆରି ହୋଇପାରୁ ନାହିଁ କେଜାଣି?

ଅଶ୍ବିନୀବାବୁଙ୍କୁ ତାଙ୍କ ଋଣ ପ୍ରରିଶୋଧ କରିବାର ସଂକଳ୍ପ ଓ ମୂଲ୍ୟବୋଧ ପାଇଁ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ଆଉ ଏକ ଋଣ ପରିଶୋଧ କରିବାର ସୁଯୋଗକୁ ହାତଛଡ଼ା କରିବେ ନାହିଁ ବୋଲି ବିଶ୍ବାସ ରଖୁଛୁ। ଓଡ଼ିଶା ପ୍ରତି ସେ ଋଣୀ କି ନୁହେଁ, ସେ ନିଜେ ବିଚାର କରିବେ। ଆମ ବିଚାରରେ ଈଶ୍ବର ତାଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି। ଅତୀତରେ ଓଡ଼ିଶାରୁ ଅନେକ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି କିନ୍ତୁ ତାଙ୍କଭଳି ଓଜନିଆ ବିଭାଗ ଆଉ କେହି ପାଇ ନାହାନ୍ତି। ନିକଟ ଅତୀତରେ ଦୁଇ ଦୁଇ ଜଣଙ୍କୁ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ପାଇଥିଲେ ମଧ୍ୟ କ୍ୟାବିନେଟ୍‌ ପାହ୍ୟାର ମନ୍ତ୍ରୀ କେବେ ପାଇନଥିଲୁ। ତାଙ୍କଭଳି ଜଣେ ବିଜ୍ଞ ଲୋକଙ୍କୁ ଓଡ଼ିଶାର ବିକାଶରେ ରେଳବାଇର ଭୂମିକା ସମ୍ପର୍କରେ ବୁଝାଇ କହିବାର ଆବଶ୍ୟକତା ଅଛି ବୋଲି ମନେକରୁ ନାହୁଁ। ଇଂଗ୍ରେଜ୍‌ମାନଙ୍କର ହାୱଡ଼ାରୁ ମାଡ୍ରାସ୍‌ ଯିବାକୁ ଆବଶ୍ୟକତା ପଡ଼ିନଥିଲେ ଦକ୍ଷିଣ-ପୂର୍ବ ରେଳପଥ ଆରମ୍ଭ ହୋଇ ନଥାନ୍ତା କି ପଣ୍ଡିତ ଗୋପବନ୍ଧୁ ଦାସ ରେଳ ଉପରୁ ଚିଲିକା ଦର୍ଶନ କରିନଥାନ୍ତେ। ଓଡ଼ିଶାର ଭାବଗତ ଏକତା ପାଇଁ ରେଳବାଇର ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଓଡ଼ିଶା ମାଟିତଳେ ଥିବା ଖଣିଜ ସମ୍ପଦକୁ ଉତ୍ତୋଳନ କରି ରପ୍ତାନି ପାଇଁ ପୋର୍ଟ ନିକଟକୁ ନେବାକୁ ହେଲେ ରେଳପଥ ସବୁଠାରୁ ସହଜ ମାଧ୍ୟମ। ଏବେ ମଧ୍ୟ ଭାରତୀୟ ରେଳବାଇର ଓଡ଼ିଶାରୁ ରୋଜଗାର ଅନ୍ୟମାନଙ୍କ ଅପେକ୍ଷା ଯଥେଷ୍ଟ ଅଧିକ। ରେଳଲାଇନ୍‌ର ଘନତାକୁ ବିଚାରକୁ ନେଲେ ଜାତୀୟ ହାର ୧୦୦୦ ବର୍ଗ କିଲୋମିଟରରେ ୨୨ କିଲୋମିଟର ହୋଇଥିବା ବେଳେ ଓଡ଼ିଶାରେ ତାହା ମାତ୍ର ୧୬ କିଲୋମିଟର। ୨୦୦୦ ମସିହାରେ ଜାତୀୟ ହାର ୧୯ କିଲୋମିଟର ଥିଲା ବେଳେ ଓଡ଼ିଶାର ଥିଲା ମାତ୍ର ୧୩ କିଲୋମିଟର।

ରେଳବାଇର ଓଡ଼ିଶା ପ୍ରତି କ୍ରମାଗତ ଅବହେଳାକୁ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ବାରମ୍ବାର କରାଯାଇଛି। କିନ୍ତୁ ସେଭଳି କୌଣସି ସୁଫଳ ମିଳିନାହିଁ। ବର୍ଷବର୍ଷ ଧରି ଅବହେଳାର ପ୍ରତିକାର ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ତା’ ନହେଲେ ଜାତୀୟ ହାରର ନିକଟତର ହେବା ପାଇଁ ଆଉ କେତେ ବର୍ଷ ଲାଗିବ କେଜାଣି? ଓଡ଼ିଶାର ବହୁ ରେଳବାଇ ଯୋଜନା ନାମକୁ ମାତ୍ର ବଜେଟ୍‌ରେ ସ୍ଥାନ ପାଉଛି ସିନା କିନ୍ତୁ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରୁ ନାହିଁ। ଅଶ୍ବିନୀବାବୁ ଓଡ଼ିଶାକୁ ଚିହ୍ନିଛନ୍ତି। ସମସ୍ୟାକୁ ବୁଝିଛନ୍ତି। ସମାଧାନର ବାଟ ମଧ୍ୟ ତାଙ୍କୁ ଅଜଣା ନୁହେଁ। ଶପଥ ନେଲା ପରେ ସେ ଯେଉଁ କଥାଟି ଗଣମାଧ୍ୟମରେ କହିଥିଲେ, ତାହା ଆମକୁ ଅଧିକ ଉତ୍ସାହିତ କରୁଛି। ପ୍ରଧାନମନ୍ତ୍ରୀ କାଳେ ତାଙ୍କୁ କହିଛନ୍ତି ଯେ ସବୁଠାରୁ ତଳସ୍ତରରେ ଥିବା ବ୍ୟକ୍ତି ଓ ଅଞ୍ଚଳ କଥା ଆଗେ ବୁଝିବାକୁ ହେବ। ଓଡ଼ିଶାରେ ରେଳବାଇ କେଉଁ ସ୍ତରରେ ଅଛି ସେ ନିଜେ ବିଚାର କରନ୍ତୁ। ଈଶ୍ବର ଦେଇଥିବା ଋଣ ପରିଶୋଧର ଏଇ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର