ଢୋଲ ବାଦକ ବାପା, ପୁଅ

କଥାଟିଏ - ଯାଯାବର

ଗୋଟିଏ ଗାଁରେ ବାପ ଓ ପୁଅ ‌େଯାଡ଼ି ଢୋଲ ବାଦ୍ୟ ବଜାଇବାରେ ଧୁରନ୍ଧର ଥିଲେ। ଥରେ ସେମାନେ ଦୂର ସହରରେ ଆ‌ୟୋଜିତ ମେଳାକୁ ଢୋଲ ପରିବେଷଣ କରିବାକୁ ଗଲେ। ସେଠାରେ ତାଙ୍କ କଳା ଲାଗି ବହୁତ ପ୍ରଶଂସା ଏବଂ ଅର୍ଥ ମିଳିଲା। ମେଳା ଶେଷରେ ଦୁହେଁ ଗାଁକୁ ଫେରିଲେ।

ବାଟରେ ପଡ଼ିଲା ଏକ ଘଞ୍ଚ ଜଙ୍ଗଲ, ଯାହା ଭିତରେ ଦଳେ ଡାକୁ ଉତ୍ପାତ କରୁଥିଲେ। ଡାକୁମାନଙ୍କ ମନରେ ଭୟ ସଂଚାର କରିବାକୁ ପୁଅ ବଡ଼ ଜୋରରେ ଢୋଲ ବଜାଇବାକୁ ଲାଗିଲା। କିନ୍ତୁ ତା’ ବାପା କହିଲେ- ସେମିତି ନୁହେଁ। ଗୋଟିଏ ନିର୍ଦ୍ଦିଷ୍ଟ ତାଳରେ ରହି ରହି ଢୋଲ ବଜାଇବାକୁ ହେବ। କାରଣ କୌଣସି ରାଜକୀୟ ପଟୁଆର ଗଲା ବେଳେ ସେହିଭଳି ହିଁ ବାଦ୍ୟ ବାଜେ। ସେମିତି ବାଜିଲେ ଏକ ପଟୁଆର ଯାଉଛି ବୋଲି ଭାବି ଡାକୁମାନେ ଭରସି ଆସିବେ ନାହିଁ।

କିନ୍ତୁ ତରୁଣ ପୁଅ ନିଜକୁ ସବ୍‌ଜାନ୍‌ତା ବୋଲି ଭାବି ବାପାଙ୍କୁ କହିଲା- ସେମିତି ଧୀରେ ଧୀରେ ବଜାଇଲେ ଚୋରମାନଙ୍କ ସାହସ ବଢ଼ିଯିବ। ତେଣୁ, ଯେତେ ଜୋରରେ ବଜାଇବା ସେତେ ଭଲ।
ଏହା କହି ସେ ଉନ୍ମତ୍ତ ଭଳି ଢୋଲ ପିଟିବାରେ ଲାଗିଲା।

ଚୋରମାନେ ଅନୁମାନ କଲେ ଏହା ସମ୍ଭବତଃ କୌଣସି ରାଜକୀୟ ପଟୁଅାର ନୁହେଁ। ସେମାନେ ସନ୍ତର୍ପଣରେ ଦେଖନ୍ତି ତ କେବଳ ଦୁଇ ଜଣ ଯାଉଥିବାର ଦେଖିଲେ।
ତେଣୁ, ସେମାନେ ବାପା-ପୁଅ ଦୁହିଁଙ୍କ ଠାରୁ ସବୁ ଟଙ୍କା ଲୁଟି ନେଲେ।
ସେମାନେ ଗଲା ପରେ ବାପା କହିଲେ- ପୁଅ, ମୋର ଅଭିଜ୍ଞତା ଅଛି ବୋଲି ମୁଁ ଜାଣିଥିଲି ଏବଂ ଚୋରମାନଙ୍କ ଅଭିଜ୍ଞତା ଅଛି ବୋଲି ସେମାନେ ବି ଠଉରାଇ ପାରିଲେ। ତୁମର ଅଭିଜ୍ଞତା ନ ଥାଇ କେବଳ ଯୁବ ସୁଲଭ ଉଦ୍ଦାମତା ଥିବାରୁ ଆମକୁ ଭୋଗିବାକୁ ହେଲା।

ସମ୍ବନ୍ଧିତ ଖବର