ଗରୁଡ଼ ଖମ୍ବ ଓ ରୁପାର ଅହମିକା

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

“ଅଞ୍ଜଳିବଦ୍ଧ ହୋଇ ମୋର ହାତଯୋଡ଼ିକ ଯଦି କଟାଳ କରନ୍ତି, ଯେ ସେମାନଙ୍କର ଚରମ ଅଭିଳାଷ ଚରିତାର୍ଥ କରିବାକୁ ସେମାନେ ପ୍ରଭୁର ଗରୁଡ଼ଖମ୍ବକୁ ଥରେ କୁଣ୍ଢାଇବେ; ଗୋଡ଼ଯୋଡ଼ିକ ଥାଇ କହନ୍ତି, ଯେ ଶରଧାବାଲିରେ ଘଡ଼ିଏ ମାତ୍ର ଠିଆ ହେବେ; ଏବଂ ଆଖି ଯୋଡ଼ିକ ଅପଲକ ଶୂନ୍ୟକୁ ଚାହିଁ ଯାଚନା କରନ୍ତି, ଯେ ପ୍ରଭୁର ଚକାନୟନରେ ଥରେ ପଖାଳି ହେବେ- ତେଣିକି ମୋର ଆଉ କ’ଣ ଆୟତ୍ତ ଥାଇପାରେ? ମୋ’ ବଚନ ସତ୍ୟ ସୁଧୀଜନେ! ମୋ’ ଅଙ୍ଗେ ଅଙ୍ଗେ ଉତ୍କଣ୍ଠା, ରୋମେ ରୋମେ ଉନ୍ମୁଖତା, ମୋର ଶାଖାରେ ଶାଖାରେ ଗୋଟିଏ ମାତ୍ର ଶ୍ୟାମଳ ସତ୍ୟ ପଲ୍ଲବିତ! -ମୁଁ କ୍ଷେତ୍ର ଯିବି ସୁଧୀଜନେ, ମୋତେ ବାଟ କାଢ଼ି ନେଇଯାଅ!”
ଆଜିଠୁଁ ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବେ, ଏହା ଥିଲା ଶ୍ରୀଜଗନ୍ନାଥ ଓ ତାଙ୍କର ରଥଯାତ୍ରାକୁ ନେଇ ଚନ୍ଦ୍ରଶେଖର ରଥଙ୍କ ସାତଟି ଲେଖାର ଏକ ଶୃଙ୍ଖଳାର ପ୍ରଥମ ଲେଖାର ପ୍ରଥମ ଅନୁଚ୍ଛେଦ। ସେଇ ଲେଖାର ଶୀର୍ଷକ ଥିଲା ‘ମୁଁ କ୍ଷେତ୍ର ଯିବି’। ୧୯୭୨ରୁ ଆରମ୍ଭ କରି ପ୍ରତିବର୍ଷ ଯେଉଁ ଗୋଟିଏ ଲେଖାଏଁ ଲେଖା ସେ ଲେଖିଥିଲେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ, ତାହାକୁ ନେଇ ପ୍ରକାଶ ପାଇଥିଲା ‘ରଥ ସପ୍ତକ’ ପୁସ୍ତକ। ପରେ ଆଉ ଛଅଟି ଲେଖା ମିଶି ତାହା ପରିବର୍ଦ୍ଧିତ ହୋଇଛି। ମାତ୍ର ନାଆଁ ସେଇ ‘ରଥ ସପ୍ତକ’ ରହିଛି।

ଯେଉଁ ପାରମ୍ପରିକ ଗୀତି ରଚନାଟି ଏହାର ପ୍ରଥମ ଲେଖା ‘ମୁଁ କ୍ଷେତ୍ର ଯିବି’ର ପ୍ରେରଣା, ସେ ଗୀତଟିକୁ ସୁଖ୍ୟାତ ସଙ୍ଗୀତଶିଳ୍ପୀ ପ୍ରଫୁଲ୍ଲ କର ତାଙ୍କର ସ୍ୱରରେ ଅମର କରିଦେଇଛନ୍ତି। ତାହାର ପ୍ରଥମ ପଦ ହେଉଛି-
“ଗୋଡ଼ ଯୋଡ଼ିକ ଥାଇ ବୋଇଲେ
ସତ ମୋ ବଚନ ରାମା ସତ ମୋ ବଚନ,
ଜଗନ୍ନାଥଙ୍କ ଶରଧାବାଲି ଚାଲିବାକୁ ମୋ ମନ
ମୁଁ ତ କ୍ଷେତ୍ର ଯିବି।”

ଏହିପରି ଭାବରେ, ହାତ, ତୁଣ୍ଡ, ନାକ, ଆଖି ଓ କାନ- ସମ‌େସ୍ତ ନିଜ ନିଜର ଅଭୀପ୍‌ସାର କଥା କହିଛନ୍ତି। ତୁଣ୍ଡ କହିଛି- ଜଗନ୍ନାଥଙ୍କ ବଗଡ଼ା ଅନ୍ନ ଖାଇବାକୁ ତା’ର ମନ; ନାକ କହିଛିି- ଜଗନ୍ନାଥଙ୍କ ବାସନା ଭୋଗ ଶୁଙ୍ଘିବାକୁ ତା’ର ମନ; ଆଖି କହିଛି- ଜଗନ୍ନାଥଙ୍କ ଚକାଡ଼ୋଳା ଦେଖିବାକୁ ତା’ର ମନ; ଏବଂ କାନ କହିଛି- ଜଗନ୍ନାଥଙ୍କ ଘଣ୍ଟ ମାଦଳ ଶୁଣିବାକୁ ତା’ର ମନ। କିନ୍ତୁ ହାତ କ’ଣ ଚାହିଁଛି?
“ହାତ ଯୋଡ଼ିକ ଥାଇ ବୋଇଲେ
ସତ ମୋ’ ବଚନ ରାମା ସତ ମୋ ବଚନ।
ଜଗନ୍ନାଥଙ୍କର ଗରୁଡ଼ ଖମ୍ବ କୁଣ୍ଢାଇବାରେ ମୋ ମନ
ମୁଁ ତ କ୍ଷେତ୍ର ଯିବି।
ଜଗନ୍ନାଥଙ୍କର ଗରୁଡ଼ ଖମ୍ବ ନିତି କୁଣ୍ଢାଉଥିବି।”

ଏହା କହେ, ଯେ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ଗରୁଡ଼ ଖମ୍ବ କୁଣ୍ଢାଇବା ଭକ୍ତର ଏକ ବହୁବାଞ୍ଛିତ ଅଭିଳାଷ। ଷୋଡ଼ଶ ଶତାବ୍ଦୀରୁ ଆରମ୍ଭ କରି ଊନବିଂଶ, ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ, ଆମର ବହୁ ଭକ୍ତକବିଙ୍କ ଗୀତିରେ ସେହି ଅଭିଳାଷ ଆବେଗପୂର୍ଣ୍ଣ ଭାବରେ ଉଚ୍ଚାରିତ ହୋଇଛି। ସପ୍ତଦଶ ଶତାବ୍ଦୀର ଭିକାରି ତାଙ୍କ ଭକ୍ତିଗୀତିରେ କହିଛନ୍ତି-
“ଜଗମୋହନରେ ପଶିଯାଅ ଥରେ
ଆଲିଙ୍ଗନ କର ପକ୍ଷୀରାଜକୁ
ରତ୍ନବେଦି ପରେ ଚାହିଁଦିଅ ଥରେ
ଦେଖ କଳା ଧଳା ମୁଖଶୋଭାକୁ।”

‘ପକ୍ଷୀରାଜ’ କହିଲେ ଗରୁଡ଼କୁ ବୁଝାଏ। କିନ୍ତୁ ଏଠାରେ ବୁଝାଉଛି ‘ଗରୁଡ଼ ଖମ୍ବ’କୁ।
ଗରୁଡ଼ଖମ୍ବକୁ କୁଣ୍ଢାଇବା ବ୍ୟତୀତ, ଆଉ ଗୋଟିଏ ବିଧି ଅଛି, ଗରୁଡ଼ ପଛରେ ରହି, ରତ୍ନସିଂହାସନରେ ବିରାଜିତ ବିଗ୍ରହମାନଙ୍କୁ ଦର୍ଶନ କରିବା। ଷୋଡ଼ଶ-ସପ୍ତଦଶ ଶତାବ୍ଦୀର ସାଲବେଗଙ୍କ ଠାରୁ ଆରମ୍ଭ କରି, ଊନବିଂଶ ଶତାବ୍ଦୀର ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ)ଙ୍କ ପର୍ଯ୍ୟନ୍ତ ବହୁ ଭଜନ ଓ ଜଣାଣରେ ସେହି ବିଧି ଭାସ୍ୱର। ଭକ୍ତ ସାଲବେଗ ତାଙ୍କର ଭଜନ ‘ଆହେ ନୀଳଗିରି…’ରେ କେବଳ ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜର କେରି କେରି ଦୟଣାର କଥା କହିନାହାନ୍ତି; ସେ ଏହା ବି କହିଛନ୍ତି-
“ଗରୁଡ଼ ପାଖରେ ରହି ଦେଖ
କି ଶୋଭା ପାଉଛି ପଦ୍ମମୁଖ
ହୀରା ନୀଳା ମୋତି ମାଣିକ୍ୟ ଜଳନ୍ତି
ହୃଦେ ଲମ୍ବିଅଛି ବ୍ୟାଘ୍ରନଖ।”

ମୁସଲମାନ ପିତା ଓ ବ୍ରାହ୍ମଣୀ ମାତାର ସନ୍ତାନ ସାଲବେଗ କିନ୍ତୁ କେବେ ବି ଶ୍ରୀମନ୍ଦିରର ନାଟମଣ୍ଡପରେ ବିରାଜମାନ ଗରୁଡ଼ଙ୍କ ପାଖ ମାଡ଼ିବାର ସୁଯୋଗ ପାଇ ନଥିଲେ। କାରଣ, ସେ ଥିଲେ ଯବନ। କିନ୍ତୁ ତାଙ୍କ ଗୀତିରେ ସେଇ ବହୁ ବାଞ୍ଛିତ ଅଭିଳାଷଟି ହିଁ ପ୍ରକଟିତ ହୋଇଛି।
ମାତ୍ର ଗୋଟିଏ ଭକ୍ତିଗୀତି ଲେଖି ପ୍ରସିଦ୍ଧ ହୋଇଥିବା ସାରିଆ ଭିକ, ତାଙ୍କ ‘ଥକାମନ ଚାଲଯିବା…’ରେ କେବଳ ‘ଚକାନୟନ ଦେଖିବା’ର ଅଭିଳାଷ ପୋଷଣ କରିନାହାନ୍ତି; ଗରୁଡ଼ ପଛରୁ ଚକାନୟନଙ୍କୁ ଦେଖିଛନ୍ତି ଓ ଦେଖାଇ ଦେଇଛନ୍ତି। ତାଙ୍କର ସେହି ସୁପ୍ରସିଦ୍ଧ ପଦଟି ହେଉଛି-
“ଗରୁଡ଼ ପଛରେ ଦେଖ, ଦିଶୁଛି କଳା ଶ୍ରୀମୁଖ।”

ଆଉ ଜଣେ, ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀର କବି ଦୀନ କୃଷ୍ଣଦାସ।
ଜଣାଯାଏ, ଯେ ସେ ଏକଦା କୁଷ୍ଠରୋଗାକ୍ରାନ୍ତ ହୋଇପଡ଼ିଥିଲେ। ରୋଗମୁକ୍ତିପାଇଁ ତାଙ୍କର ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ଗରୁଡ଼ଖମ୍ବ ପାଖରେ ଠିଆ ହୋଇ ଆବେଗପୂର୍ଣ୍ଣ କଣ୍ଠରେ ସ୍ୱରଚିତ ‘ଆର୍ତ୍ତତ୍ରାଣ ଚଉତିଶା’ ଗାନ କରୁଥିଲେ। ତାହାର ‘କ’ ଚଉତିଶାରେ ସେ ନିଜର ଆର୍ତ୍ତି ନିବେଦନ କରି କହିଛନ୍ତି-
“କୃପାସିନ୍ଧୁ ବଦନ କରି ଅବଲୋକନ
କେଉଁ କରମହୀନ ଜନ
କାକୁସ୍ତଭର ହୋଇ କରଯୋଡ଼ି ଜଣାଇ
ଗରୁଡ଼ସ୍ତମ୍ଭ ସନ୍ନିଧାନ ହେ ମହାପ୍ରଭୁ…।”

ଊନବିଂଶ ଶତାବ୍ଦୀର ଚନ୍ଦନ ହଜୁରୀ ‘ଚାଖି ଖୁଣ୍ଟିଆ’ ନାମରେ ସାରା ଓଡ଼ିଶାରେ ଖ୍ୟାତ। ପୈତୃକ ସୂତ୍ରରେ ସେ ଥିଲେ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ସେବକ। ତାଙ୍କର ପ୍ରସିଦ୍ଧ ଭଜନ ‘ଚକାନୟନକୁ ପତିତ କେହି…’ରେ ଗରୁଡ଼ସ୍ତମ୍ଭ ପଛରୁ ଶ୍ରୀଜଗନ୍ନାଥ ଦର୍ଶନ ବିଧିର ଉଲ୍ଲେଖ ଅଛି। ପଦଟି ହେଉଛି-
“ଚକାନୟନକୁ ପତିତ କେହି
ତକାଇ ଖର ନିଶ୍ୱାସ ପକାଇ
ଡକା ପକାଇ ଗରୁଡ଼ ପଛରେ
ବକାରି! ମୋ’ ଆର୍ତ୍ତ ଶୁଣ ସତ୍ୱରେ ହେ…।”

ଏହିପରି ଭାବରେ, ଓଡ଼ିଶାର ସମୃଦ୍ଧ ଭକ୍ତିଗୀତିର ପ୍ରମାଣ ଅନୁସାରେ, ଗରୁଡ଼ଙ୍କ ପଛରୁ, ଗରୁଡ଼ଙ୍କ ପାର୍ଶ୍ବରୁ ବା ଗରୁଡ଼ଙ୍କ ସନ୍ନିଧାନ (ନିକଟ)ରୁ, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ବିଧି ଶ୍ରୀମନ୍ଦିରରେ ପ୍ରଚଳିତ। ତାହା ମଧ୍ୟ ଗରୁଡ଼ସ୍ତମ୍ଭକୁ ଆଲିଙ୍ଗନ କରିବା ବା କୁଣ୍ଢାଇବାର ଏକ ପରମ୍ପରାରେ ପରିଣତ ହୋଇଛି।

କିନ୍ତୁ, ନିକଟରେ ଅନୁଷ୍ଠିତ ଶ୍ରୀମନ୍ଦିର ପ୍ରଶାସନର ଏକ ବୈଠକରେ, ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଶ୍ରୀମନ୍ଦିରର ନାଟମଣ୍ଡପରେ ଅବସ୍ଥିତ ଏହି ଗରୁଡ଼ସ୍ତମ୍ଭର ଚତୁର୍ପାର୍ଶ୍ବକୁ ଇସ୍ପାତ ଛାଞ୍ଚରେ ଆବଦ୍ଧ କରାଯାଇ ରୁପାରେ ଛାଉଣି କରାଯିବାପାଇଁ ଏକ ପ୍ରସ୍ତାବ ଦେଇଛନ୍ତି। ଉନ୍ନୟନ ପ୍ରଶାସକଙ୍କର ୧୪ ନଭେମ୍ବରର ଏହି ପ୍ରସ୍ତାବରେ ଉଲ୍ଲେଖ ଅଛି, “ଶ୍ରୀଜଗନ୍ନାଥ ମନ୍ଦିରର ନାଟମଣ୍ଡପସ୍ଥିତ ଗରୁଡ଼ସ୍ତମ୍ଭଟି ଦିନକୁଦିନ କ୍ଷୟ ହେବାରେ ଲାଗିଛି। ଏହି ସ୍ତମ୍ଭଟିକୁ ଭକ୍ତମାନେ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟେଇ ପତଳା ହେଉଅଛି ଏବଂ ସ୍ତମ୍ଭର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଦେଇଛି। xxxଏହି ଗରୁଡ଼ସ୍ତମ୍ଭକୁ ଭକ୍ତମାନଙ୍କ ଠାରୁ, ପ୍ରତ୍ୟକ୍ଷ ସ୍ପର୍ଶରୁ ନିବୃତ୍ତ ରଖିବା ଆବଶ୍ୟକ ଅଟେ। ଏଣୁ ଗରୁଡ଼ସ୍ତମ୍ଭର ଚାରିପଟେ ଏକ ବୃତ୍ତାକାର ଏସ.ଏସ. (ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌) ଫ୍ରେମ୍ ଉପରେ ରୁପା ଚାଦର ଆଚ୍ଛାଦନ କରି ଏହି ସ୍ତମ୍ଭକୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରସ୍ତାବ ରଖାଗଲା।”

ଏହି ପ୍ରସ୍ତାବ ଉତ୍ତମ ହୋଇଥିଲେ ମଧ୍ୟ, ସୂଚନା ଅନୁସାରେ, ଶ୍ରୀମନ୍ଦିର ସେବକ ପ୍ରତିନିଧିମାନଙ୍କର ଏକ ବୈଠକରେ, ଗରୁଡ଼ସ୍ତମ୍ଭକୁ ମଧ୍ୟ ରୁପା ଛାଉଣି କରାଯିବାର ପ୍ରସ୍ତାବ ଉନ୍ନୟନ ପ୍ରଶାସକ ରଖିଥିଲେ। ମାତ୍ର ତାହା ସେବକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲା। ତାହାରି ଆଧାରରେ, ଗଣମାଧ୍ୟମଗୁଡ଼ିକରେ ଖବର ପ୍ରସାରିତ ହୋଇଛି, ଯେ ଗରୁଡ଼ସ୍ତମ୍ଭକୁ ରୁପାରେ ଛାଉଣି କରାଯିବ। ତାହା ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ସୃଷ୍ଟି କରିଛି।
ଏହି ପ୍ରତିକ୍ରିୟା ଯଥାର୍ଥ। କାରଣ, ସବୁ ବିଷ୍ଣୁ ମନ୍ଦିରରେ ଗରୁଡ଼ ଅଛନ୍ତି ବା ଗରୁଡ଼ଖମ୍ବ ଅଛି; କିନ୍ତୁ ଶ୍ରୀମନ୍ଦିରର ନାଟମଣ୍ଡପରେ ଅବସ୍ଥିତ ଗରୁଡ଼ଖମ୍ବ, ଭାରତବର୍ଷର ବା ବିଶ୍ୱର ଅନ୍ୟ ବିଷ୍ଣୁମନ୍ଦିରଠାରୁ ଭିନ୍ନ। କାରଣ, ବର୍ତ୍ତମାନର ଶ୍ରୀମନ୍ଦିରର ପ୍ରତିଷ୍ଠା କାଳରୁ ଏହି ଗରୁଡ଼ଖମ୍ବ ରହିଥିଲେ ମଧ୍ୟ, ଏହାର ରହସ୍ୟ ତଥାପି ଅନୁଦ୍‌ଘାଟିତ ହୋଇ ରହିଛି। ଶ୍ରୀଜଗନ୍ନାଥଙ୍କ ପରି, ଏହା ମଧ୍ୟ ରହିଛି ରହସ୍ୟାଚ୍ଛନ୍ନ ହୋଇ।

ଏହି ଗରୁଡ଼ଖମ୍ବ ସଂପର୍କରେ ସବିଶେଷ ଆଲୋଚନା ମିଳେନାହିଁ। ୧୯୮୩ ମସିହା ଜୁଲାଇ ୧୭ ତାରିଖରେ, କଲିକତାରୁ ପ୍ରକାଶିତ ଇଂରାଜୀ ଦୈନିକ ‘ଦି ଟେଲିଗ୍ରାଫ’ରେ ଏହାକୁ ନେଇ ଚନ୍ଦ୍ରଶେଖର ରଥ ଗୋଟିଏ ଲେଖା ଲେଖିଥିଲେ। ତାହାର ଶୀର୍ଷକ ଥିଲା ‘ଦି ମିଷ୍ଟ୍ରୀ ଅଫ୍ ଗରୁଡ଼ ସ୍ତମ୍ଭ’। ତାହାର ମର୍ମାନୁବାଦ ସେତେବେଳେ ଏହି ଲେଖକ ଦ୍ୱାରା ପ୍ରସ୍ତୁତ ହୋଇ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ‘ଶ୍ରୀମନ୍ଦିର’ ପତ୍ରିକାର ୧୯୮୩ କାର୍ତ୍ତିକ ସଂଖ୍ୟାରେ ପ୍ରକାଶ ପାଇଥିଲା। ସେଥିରେ ଶ୍ରୀ ରଥ ଲେଖିଛନ୍ତି-

“ମନ୍ଦିରର ଆଉ ଗୋଟିଏ ରହସ୍ୟ ପ୍ରତି ପଣ୍ଡିତ ବ୍ୟକ୍ତିଙ୍କର ଦୃଷ୍ଟି ଆକର୍ଷଣ କରାଯାଇପାରେ। ଏହା ବିଷୟରେ ସେପରି କିଛି ଚର୍ଚ୍ଚା ହେବାର ମଧ୍ୟ ଶୁଣାଯାଏ ନାହିଁ। ବହୁଧର୍ମର ସମନ୍ୱୟ କ୍ଷେତ୍ର ରୂପେ ଶ୍ରୀମନ୍ଦିରରେ ବିଭିନ୍ନ ପୂଜାବିଧି ଗୃହୀତ ହୋଇଥିବା ସତ୍ତ୍ୱେ, ଏହା ମୁଖ୍ୟତଃ ବିଷ୍ଣୁ ମନ୍ଦିର। ଏହି କାରଣରୁ, ମନ୍ଦିରର ମଧ୍ୟରେଖା ଉପରେ, ଜଗମୋହନର ପୂର୍ବସୀମା ନିର୍ଦ୍ଦେଶ କରି ଗରୁଡ଼ଖମ୍ବ ବିଦ୍ୟମାନ। ଉପସ୍ଥିତ ଆଲୋଚନାରେ ଗରୁଡ଼ଖମ୍ବର ତାତ୍ତ୍ୱିକ କିମ୍ବା ଧର୍ମଶାସ୍ତ୍ର ଆଧାରିତ ବ୍ୟାଖ୍ୟା କୌଣସି ଗୁରୁତ୍ୱ ବହନ କରୁନାହିଁ। କାରଣ, ଆଲୋଚନାର ଲକ୍ଷ୍ୟ କେବଳ ଏଇ ଖମ୍ବର ଭୌତିକ ଉପାଦାନ- ତାର ଗଠନ ଏବଂ ସେଥିରୁ ସୂଚିତ ହେଉଥିବା ତାର ସମ୍ଭାବ୍ୟ ଅର୍ଥ।”
ସେହି ଲେଖାରେ ଥିବା ତଥ୍ୟର ଆଧାରରେ, ଗବେଷକ ଭାସ୍କର ମିଶ୍ର ତାଙ୍କ ‘ଶ୍ରୀଜଗନ୍ନାଥ ଜ୍ଞାନକୋଷ’ର ପ୍ରଥମଭାଗରେ କହିଛନ୍ତି- ଗରୁଡ଼ଖମ୍ବଟିର ଉଚ୍ଚତା ପ୍ରାୟ ୧୦ ଫୁଟ। ନାଟମଣ୍ଡପର ପାଦପୀଠ ଉପରେ ୫ ଫୁଟରେ ୫ ଫୁଟ ବିଶିଷ୍ଟ ଗୋଟିଏ ପୀଢ଼ି। ତହିଁରେ ୩ ଫୁଟ ଗୋଲେଇ (ମୋଟେଇ) ଆକାରରେ ଗରୁଡ଼ସ୍ତମ୍ଭ। ରତ୍ନସିଂହାସନଠାରୁ ଏହାର ଦୂରତା ପ୍ରାୟ ୧୭୫ ଫୁଟ। ସ୍ତମ୍ଭର ଉପରି ଭାଗରେ ଗରୁଡ଼ ବିଗ୍ରହ ବିଦ୍ୟମାନ।

ଶ୍ରୀ ରଥ ତାଙ୍କ ଲେଖାରେ ଏ ସଂପର୍କରେ କହିଛନ୍ତି- “ଭୂମିସଂଲଗ୍ନ ପୀଢ଼ି ଏବଂ ଉପରର ବଇଠି ମଝିରେ ଯେଉଁ (ପ୍ରାୟ ସାତଫୁଟ) ଖମ୍ବକୁ ପ୍ରତ୍ୟେକ ଭକ୍ତ ପ୍ରତି ଦର୍ଶନ ପୂର୍ବରୁ କୁଣ୍ଢାଇଥାଏ, ତାକୁ ଭଲକରି ଦେଖିଲେ ଜଣାଯାଏ, ଯେ ତା’ ସହିତ ଉପରେ ବସିଥିବା ମୂର୍ତ୍ତି, ମୂର୍ତ୍ତିର ବଇଠି, କିମ୍ବା ତଳ ପୀଢ଼ର କୌଣସି ସଂପର୍କ ନାହିଁ। ଏ ଖମ୍ବଟିକୁ ମଝିରେ ରଖି ଏସବୁ ତା’ସହିତ କେବଳ ଯୋଡ଼ି ଦିଆଯାଇଛି। ପ୍ରକୃତରେ ସେ ଖମ୍ବଟି ଭୂଇଁ ଭିତରକୁ କେତେ ପୋତି ହୋଇଛି କହିବା କଠିନ। xxxବୈଜ୍ଞାନିକ ଗବେଷଣାରେ ଆଦୌ ତାଲିମ ପାଇନଥିବା ଯେକୌଣସି ବ୍ୟକ୍ତି ଜାଣିପାରିବ, ଯେ ଖମ୍ବଟି ନିଶ୍ଚିତ ଭାବରେ ଏକ କାଠଗଣ୍ଡି- ପଳଖା ଛାଡ଼ିଯାଇଥିବା ମଧ୍ୟମ ଆକାରର ଗୋଟିଏ ଗଛର ହୁଏତ ଚେର ଉପରୁ ଶାଖମୂଳ ପର୍ଯ୍ୟନ୍ତ ସମଗ୍ର ଗଣ୍ଡି। ଗଛରେ ଫାଟ, ଗଣ୍ଠି ଏବଂ ଗିରା ଯେମିତି ରହେ, ସେ ସମସ୍ତ ଏଥିରେ ବିଦ୍ୟମାନ। କିନ୍ତୁ ଖମ୍ବଟି ନିଦା ଏବଂ ଟାଣ ଈଷତ୍ ଶ୍ୱେତବର୍ଣ୍ଣର ପଥର।”
ଏ ସଂପର୍କରେ ଶ୍ରୀ ରଥ କେତୋଟି ଅନୁମାନ କରିଛନ୍ତି ଏବଂ ତାହାକୁ ପ୍ରଶ୍ନ ରୂପେ ତାଙ୍କ ଲେଖାରେ ଉପସ୍ଥାପନ କରିଛନ୍ତି। ସେଥିରୁ ପ୍ରଥମ ତିନିଟି ଏହିପରି-

୧. ଏ ଖମ୍ବଟି କ’ଣ କୋଟିକୋଟି ବର୍ଷ ପୂର୍ବେ ପଥର ପାଲଟି ଯାଇଥିବା କୌଣସି ବୃକ୍ଷର ଜୀବାଶ୍ମ- ଯାହାକୁ ଇଂରାଜୀରେ ‘ଫସିଲ୍‌’ କହନ୍ତି? ୨. ଏହା କ’ଣ ସେହି ଆଦିଦାରୁ, ଯାହାଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇଥିଲା- ଯଦ୍ଦାରୁ ପ୍ଳବତେ ସିନ୍ଧୋଽପାରେ? ୩. ଏହା କ’ଣ ସେହି ଆଦିମତମ ଆରାଧ୍ୟ ବୃକ୍ଷଦେବତା- ଯାହାଙ୍କର ଅନ୍ୟ ରୂପ ଖମ୍ବେଶ୍ୱରୀ?

ଏହିସବୁ ଜିଜ୍ଞାସା ସହିତ ଶେଷରେ ସେ କହିଛନ୍ତି, “ଯେକୌଣସି ରହସ୍ୟ ଦୁର୍ବୋଧ୍ୟ- କିନ୍ତୁ ନୂତନ ସତ୍ୟର ପ୍ରତିଷ୍ଠା କରିବା ଦିଗରେ ଏହା ଏକ ଆହ୍ୱାନ।”

ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ତାଙ୍କର ପ୍ରସ୍ତାବରେ ଦେଇଥିବା ସୂଚନା ଅନୁସାରେ- ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଏ. କେ. ପଟେଲ କହିଛନ୍ତି- “ଗରୁଡ଼ସ୍ତମ୍ଭଟି ଚନ୍ଦନ କାଠର ଏକ ଜୀବାଶ୍ମ ବା ଫସିଲ୍।” ଏହା ସତ୍ତ୍ୱେ, ତାହାର ରହସ୍ୟ ଉଦ୍‌ଘାଟନର ପ୍ରଚେଷ୍ଟା ନକରାଯାଇ, ତାହାକୁ ଯେ ରୁପାର ଚାଦରରେ ଆଚ୍ଛାଦିତ କରିଦିଆଯାଇ, ସେହି ରହସ୍ୟକୁ ସବୁଦିନପାଇଁ ଗୋପନ କରିଦେବା କଥା ଚିନ୍ତା କରାଯାଉଛି- ଏହା ଘୋର ଅବିଚାରିତା ଏବଂ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରୁପାର ଏ ଅହମିକାରୁ ମନ୍ଦିର ପ୍ରଶାସନ, ରାଜ୍ୟ ପ୍ରଶାସନ ଓ ଭାରତସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ବିରତ ରହନ୍ତୁ।
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର