କୋରଡ଼ା ମାଡ଼

ଦେଶରେ ଖାଉଟି ମୁଦ୍ରାସ୍ଫୀତି ବାର୍ଷିକ ହାର ୬ ଶତା˚ଶ ଉପରେ ରହିଲେ ଏଭଳି ହୈଚୈ ସୃଷ୍ଟି ହେଉଛି ଯେ ଏଥିପାଇଁ ରିଜର୍ଭ ବ୍ୟାଙ୍କ୍‌କୁ ସରକାରଙ୍କ ନିକଟରେ ଲିଖିତ କୈଫିୟତ ଦାଖଲ କରିବାକୁ ପଡୁଛି। ଖାଉଟିମାନେ ବ୍ୟବହାର କରୁଥିବା ଜିନିଷପତ୍ରର ଦରଦାମ୍‌ରେ ବୃଦ୍ଧି ଘଟିଲେ ତାହା ଜୀବନଧାରଣକୁ ବ୍ୟୟବହୁଳ କରି ଦେଉଥିବାରୁ ଏଭଳି ପ୍ରତିକ୍ରିୟା ଦେଖା ଦେବା ସ୍ବାଭାବିକ। ଖାଉଟି ଦ୍ରବ୍ୟ ଭଳି ଯଦି ଔଷଧପତ୍ର ଓ ଅନ୍ୟାନ୍ୟ ଚିକିତ୍ସା ସେବାର ଦରଦାମ୍‌ରେ ବୃଦ୍ଧି ଘଟେ ତାହା ଜନସ˚ଖ୍ୟାର ଏକ ନିର୍ଦ୍ଦିଷ୍ଟ ଅ˚ଶ ପାଇଁ ଆହୁରି କଷ୍ଟଦାୟକ ହୋଇଥାଏ। ଏମାନେ ହେଉଛନ୍ତି ଅସୁସ୍ଥ ବା ରୁଗ୍‌ଣ। ଖାଉଟି ମୁଦ୍ରାସ୍ଫୀତିର ଆଘାତ ତୁଳନାରେ କେତେକଙ୍କ ପାଇଁ ‘ମେଡିକାଲ୍‌ ମୁଦ୍ରାସ୍ଫୀତି’ ରୂପେ ଅଭିହିତ ଏହି ମୁଦ୍ରାସ୍ଫୀତି ଏକ ଅଧିକ ଅସହନୀୟ ଆଘାତ ଧରି ଉପସ୍ଥିତ ହୋଇଥାଏ। କାରଣ ଅର୍ଥନୈତିକ ଦୁର୍ବଳ ବର୍ଗର ଯେଉଁ ସଦସ୍ୟମାନେ ଦୈନନ୍ଦିନ ଭିତ୍ତିରେ ନିଜର ଶ୍ରମଦାନ କରି ରୋଜଗାର କରିଥାନ୍ତି, ଅସୁସ୍ଥତା ଯୋଗୁଁ ସେମାନଙ୍କର ରୋଜଗାର ବନ୍ଦ ହୋଇଯାଇଥିବା ବେଳେ ଚିକିତ୍ସା ଖର୍ଚ୍ଚରେ ବୃଦ୍ଧି ସେମାନଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଥାଏ।

ଏକ ଆକଳନ ଅନୁସାରେ ଭାରତରେ ଏବେ ଦେଖା ଦେଇଥିବା ମେଡିକାଲ୍‌ ମୁଦ୍ରାସ୍ଫୀତି ହାର ଖାଉଟି ମୁଦ୍ରାସ୍ଫୀତିର ଉପରୋକ୍ତ ସର୍ବୋଚ୍ଚ ସହନ ହାରର ଦୁଇଗୁଣରୁ ଅଧିକ, ୧୪ ଶତା˚ଶ ହୋଇ ଏସିଆ ମହାଦେଶର ଦେଶମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ତର ଛୁଇଁଛି। କିନ୍ତୁ କେଜାଣି କାହିଁକି ଏହି ଅତ୍ୟନ୍ତ ବେଦନାଦାୟକ ମୁଦ୍ରାସ୍ଫୀତି ସେଇଭଳି ଦୃଷ୍ଟି ଆକର୍ଷଣ କରି ନାହିଁ, ଯେଉଁଭଳି ଖାଉଟି ମୁଦ୍ରାସ୍ଫୀତି କରିଛି। ଏଣୁ ସଦ୍ୟ ସମାପ୍ତ ରାଜ୍ୟସଭା ଅଧିବେଶନରେ ‘ସିପିଆଇ’ର ସା˚ସଦ ପି ସନ୍ତୋଷ କୁମାର ଦେଶରେ ମେଡିକାଲ୍‌ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନିମିତ୍ତ ଉପସ୍ଥାପନ କରିଥିବା ଏକ ଘରୋଇ ବିଲ୍‌ ହେଉଛି ଯେଉଁଭଳି ପ୍ରାସଙ୍ଗିକ, ସେଇଭଳି ସମୟୋପଯୋଗୀ। ଏହି ବିଲ୍‌ରେ ଔଷଧପତ୍ରର ମୂଲ୍ୟ, ଅନୁସନ୍ଧାନ ବ୍ୟୟ ଓ ରୋଗ ନିରୂପଣ ବ୍ୟୟ ଆଦିରେ ଦେଖାଯାଉଥିବା ଅତିରିକ୍ତ ତାରତମ୍ୟ ଦୂର କରି ସେଥିରେ ଘଟି ଚାଲିଥିବା ଦ୍ରୁତ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଏକ ଜାତୀୟ କମିସନ୍‌ ସ୍ଥାପନ ନିମିତ୍ତ ପ୍ରସ୍ତାବ ଦିଆଯାଇଛି।

ଉପଲବ୍‌ଧ ତଥ୍ୟ ଅନୁସାରେ ଦେଶରେ ହସ୍‌ପିଟାଲ୍‌ରେ ଭର୍ତ୍ତି ହେଉଥିବା ରୋଗୀମାନଙ୍କ ମଧ୍ୟରୁ ପ୍ରାୟ ୬୦ ଶତା˚ଶ ଘରୋଇ ହସ୍‌ପିଟାଲ୍‌ମାନଙ୍କରେ ଭର୍ତ୍ତି ହେଉଥିବା ବେଳେ, ବାହ୍ୟ ଚିକିତ୍ସା ଲାଭ କରୁଥିବା ରୋଗୀ ବା ଆଉଟ୍‌ ପେସେଣ୍ଟ୍‌ମାନଙ୍କ ମଧ୍ୟରୁ ୭୦ ଶତା˚ଶ ଏଥିପାଇଁ ଘରୋଇ ହସ୍‌ପିଟାଲ୍‌କୁ ଯାଇଥାନ୍ତି। କହିବା ବାହୁଲ୍ୟ, ଘରୋଇ ହସ୍‌ପିଟାଲ୍‌ରେ ଏସବୁ ବାବଦରେ ହେଉଥିବା ସମସ୍ତ ଖର୍ଚ୍ଚ ରୋଗୀକୁ ହିଁ ବହନ କରିବାକୁ ପଡ଼ିଥାଏ। ଏମାନଙ୍କ ମଧ୍ୟରୁ ପ୍ରାୟ ୬୩ ଶତା˚ଶଙ୍କର କୌଣସି ବୀମା ସୁରକ୍ଷା ନ ଥିବାରୁ ସେମାନଙ୍କୁ ସମୁଦାୟ ଖର୍ଚ୍ଚ ନିଜ ସମ୍ବଳରୁ ହିଁ ବହନ କରିବାକୁ ପଡ଼ିଥାଏ; ଅନେକ ଏଥିପାଇଁ ସର୍ବସ୍ବାନ୍ତ ହୋଇଯାଆନ୍ତି। ଇତିମଧ୍ୟରେ ସାର୍ବଜନୀନ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇବା ପାଇଁ ସରକାର ଉଲ୍ଲେଖନୀୟ ପଦକ୍ଷେପମାନ ନେଇଥିଲେ ହେଁ ତାହା ପ୍ରତ୍ୟେକ ନାଗରିକ ନିକଟରେ ତଥାପି ପହଞ୍ଚି ପାରି ନାହିଁ। ତା’ ଛଡ଼ା ଯେଉଁମାନେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି, ସେମାନେ ମଧ୍ୟ ଜରୁରୀ ସ୍ବାସ୍ଥ୍ୟ ସ˚କଟର ସମ୍ମୁଖୀନ ହୋଇ ପାରନ୍ତି, ଯାହାର ଖର୍ଚ୍ଚ ଯୋଜନା ଅନ୍ତର୍ଗତ ବୀମା ଦ୍ବାରା ଭରଣା ନହୋଇ ପାରେ। ଅବଶ୍ୟ କେତେକ ଘରୋଇ ହସ୍‌ପିଟାଲ୍‌ରେ ସୀମିତ ସ˚ଖ୍ୟକ ଗରିବ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି; ତାହା କିନ୍ତୁ ସମୁଦ୍ରକୁ ଶଙ୍ଖେ ଭଳି।

ଅଧିକା˚ଶ ହସ୍‌ପିଟାଲ୍‌ ବଜାର ଭିତ୍ତିକ ମୂଲ୍ୟ ନିର୍ଦ୍ଧାରଣ କରି ସେବା ପ୍ରଦାନ କରିଥାନ୍ତି। ରୋଗୀ ପକ୍ଷ ସେଇ ଅନୁସାରେ ଦେୟ ପୈଠ କରିବାକୁ ବାଧ୍ୟ ହୋଇଥାନ୍ତି। ମେଡିକାଲ୍‌ ମୁଦ୍ରାସ୍ଫୀତି ତେଣୁ ରୋଗୀର ଏହି ବ୍ୟୟ ବୋଝକୁ ଆହୁରି ଅସହନୀୟ କରି ତୋଳିଥାଏ। ୨୦୨୧ରେ ଏସିଆର କେତେକ ଦେଶରେ, ମେଡିକାଲ୍‌ ମୁଦ୍ରାସ୍ଫୀତି ଚିତ୍ର ଥିଲା ଏହିପରି: ଫିଲିପିନ୍‌ସ- ୯%, ଭିଏତ୍‌ନାମ୍‌- ୧୦%, ଇଣ୍ତୋନେସିଆ- ୧୦%, ଚୀନ୍‌- ୧୨%, ଭାରତ- ୧୪%। ଭାରତୀୟ ରୋଗୀମାନଙ୍କୁ ତେଣୁ ତୁଳନାତ୍ମକ ଭାବରେ ଅନ୍ୟ ଏସୀୟ ଦେଶମାନଙ୍କର ରୋଗୀମାନଙ୍କ ଅପେକ୍ଷା ଅଧିକ ମୁଦ୍ରାସ୍ଫୀତିଜନିତ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ବୋଝ ବହନ କରିବାକୁ ପଡୁଛି।
ନିମ୍ନଲିଖିତ କେତେକ କାରଣ ଯୋଗୁଁ ମେଡିକାଲ୍‌ ମୁଦ୍ରାସ୍ଫୀତିର ଆବିର୍ଭାବ ଘଟିଥାଏ ବୋଲି ବିଶ୍ବାସ କରାଯାଏ। ଗୋଟିଏ କାରଣ ହେଉଛି ଚିକିତ୍ସା କ୍ଷେତ୍ରରେ ଘଟି ଚାଲିଥିବା ପ୍ରାବିଧିକ ପ୍ରଗତି। ରୋଗୀର ଜୀବନ ରକ୍ଷା କରିବା ପାଇଁ ନୂତନ ଚିକିତ୍ସା ପଦ୍ଧତିର ଆବିଷ୍କାର ଓ ପ୍ରୟୋଗରେ ନିବେଶ କରାଯାଉଥିବା ବିପୁଳ ପରିମାଣର ସମ୍ବଳ ଶେଷରେ ଅନିବାର୍ଯ୍ୟ ଭାବରେ ଚିକିତ୍ସା ଖର୍ଚ୍ଚ ବୃଦ୍ଧିରେ ପ୍ରତିଫଳିତ ହୋଇଥାଏ। ଅନେକ ସମୟରେ ଏଥିପାଇଁ ବ୍ୟବହୃତ ଯନ୍ତ୍ରପାତି ଓ ଉପକରଣ ଆଦି ବିଦେଶରୁ ଆମଦାନି ହୋଇଥିବାରୁ ଉଚ୍ଚ ମୂଲ୍ୟଯୁକ୍ତ ହୋଇଥାଏ।

ଦ୍ବିତୀୟରେ ଏହା ହେଉଛି ଏକ ଅପ୍ରିୟ ସତ୍ୟ ଯେ ଦୁର୍ମୂଲ୍ୟ କିନ୍ତୁ ଉଚ୍ଚମାନର ଚିକିତ୍ସା ପାଇଁ ରହିଥିବା ବଳିଷ୍ଠ ଚାହିଦା ମେଡିକାଲ୍‌ ମୁଦ୍ରାସ୍ଫୀତିକୁ ପରିପୁଷ୍ଟ କରିଥାଏ। ଯେହେତୁ ଏହା ହେଉଛି ଏକ ଜୀବନ ରକ୍ଷାକାରୀ ସେବା, ଗ୍ରାହକମାନେ ଯେକୌଣସି ଉପାୟରେ ସମ୍ବଳ ସ˚ଗ୍ରହ କରି ଏହି ସେବା କ୍ରୟ କରିବାକୁ ଆଗେଇ ଆସିଥାନ୍ତି। ତୃତୀୟରେ, ନିକଟ ଅତୀତରେ ଭାରତ ଅଧିକରୁ ଅଧିକ ଏକ ସ୍ବାସ୍ଥ୍ୟ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳୀରେ ପରିଣତ ହେବାକୁ ଆରମ୍ଭ କରିଛି। ଭାରତୀୟମାନଙ୍କ କ୍ରୟଶକ୍ତି ଅନୁସାରେ ଏଠାରେ ଉତ୍ତମମାନର ଚିକିତ୍ସା ସେବା ଦୁର୍ମୂଲ୍ୟ ହୋଇଥିଲେ ହେଁ ଅନେକ ବିଦେଶୀ ନାଗରିକମାନଙ୍କ ପାଇଁ ଏହା ସୁଲଭ ବିବେଚିତ ହୋଇଥାଏ। ସେମାନେ ତେଣୁ ଅଧିକରୁ ଅଧିକ ସ˚ଖ୍ୟାରେ ଚିକିତ୍ସା ପାଇଁ ଭାରତ ଆଡ଼େ ମୁହାଁଇବା ଫଳରେ ମେଡିକାଲ୍‌ ମୁଦ୍ରାସ୍ଫୀତି ଉପରମୁହାଁ ହେଉଛି। ପରିବହନ ଖର୍ଚ୍ଚ, ଆମଦାନି ଶୁଳ୍କ, ଗୋଦାମ ଭଡ଼ା ଆଦିରେ ବୃଦ୍ଧି ସହିତ କଞ୍ଚାମାଲ୍‌ ଦରରେ ଘଟିଥିବା ବୃଦ୍ଧି ମିଶି ମେଡିକାଲ୍‌ ମୁଦ୍ରାସ୍ଫୀତିକୁ ଶକ୍ତି ଯୋଗାଇଛନ୍ତି। ଅର୍ଥନୀତିଜ୍ଞ ସ୍ବର୍ଗୀୟ ଵିଲିଅମ୍‌ ବମଲ୍‌ ଆବିଷ୍କାର କରିଥିବା ଭଳି ଅନ୍ୟ କ୍ଷେତ୍ରମାନଙ୍କରେ ଘଟୁଥିବା ଉତ୍ପାଦନଶୀଳତାରେ ଉନ୍ନତିଜନିତ ଆୟ ବୃଦ୍ଧି ସହିତ ତାଳ ଦେଇ ଡାକ୍ତର ଓ ସହାୟକମାନେ ନିଜର ପାରିଶ୍ରମିକରେ ଘଟାଉଥିବା ତୀକ୍ଷ୍‌ଣ ବୃଦ୍ଧି ଯୋଗୁଁ ସ୍ବାସ୍ଥ୍ୟସେବା ମଧ୍ୟ ମହର୍ଗ ହେଉଛି।

ଏ ସମସ୍ତ କାରଣମାନ ଓ ଅନ୍ୟାନ୍ୟ କେତେକ କାରଣ ଯୋଗୁଁ ବଜାରରେ ସ୍ବାସ୍ଥ୍ୟସେବା ମୁଦ୍ରାସ୍ଫୀତି ଦ୍ବାରା କବଳିତ ହୋଇଥିଲେ ହେଁ ଏହା ଅନସ୍ବୀକାର୍ଯ୍ୟ ଯେ ଏହା ହେଉଛି ବଜାରରେ ବିକ୍ରି ହେଉଥିବା ଅନ୍ୟାନ୍ୟ ଦ୍ରବ୍ୟ ବା ସେବାମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯାହାକୁ ଅର୍ଥନୀତିର ଭାଷାରେ ‘ସାର୍ବଜନୀନ ଦ୍ରବ୍ୟ’ (‘ପବ୍ଲିକ୍‌ ଗୁଡ୍‌’) ରୂପେ ଅଭିହିତ କରାଯାଇଥାଏ। ନାଗରିକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ହେଉଛି ରାଷ୍ଟ୍ରର ଏକ ମୌଳିକ ଦାୟିତ୍ବ। ବଜାରର ଦ୍ବାହି ଦେଇ ରାଷ୍ଟ୍ର ଏ ଦାୟିତ୍ବ ଖସାଇ ଦେଇପାରିବ ନାହିଁ। ସା˚ସଦ ସନ୍ତୋଷ କୁମାର ଉପସ୍ଥାପନ କରିଥିବା ବିଲ୍‌ ଏହି ଚିନ୍ତାଧାରାକୁ ଅନୁସରଣ କରି ପ୍ରତ୍ୟେକ ଚିକିତ୍ସା ପ୍ରକ୍ରିୟା ପାଇଁ ଆଦାୟ କରାଯାଉଥିବା ମୂଲ୍ୟ ଉପରେ ଏକ ସର୍ବୋଚ୍ଚ ସୀମା ଲାଗୁ କରାଯିବା ପାଇଁ ପ୍ରସ୍ତାବ ଦେବା ସହିତ ଚିକିତ୍ସାର ଗୁଣାତ୍ମକ ମାନରେ ଯେପରି ଆଞ୍ଚ ନ ଆସେ, ତାହା ନିଶ୍ଚିତ କରିବା ପାଇଁ ପ୍ରସ୍ତାବ ବହନ କରିଛି। ବିଲ୍‌ଟି ବହନ କରୁଥିବା ପ୍ରସ୍ତାବ ଆଇନରେ ପରିଣତ ହେଲେ ଔଷଧ କମ୍ପାନିରୁ ହସ୍‌ପିଟାଲ୍‌ମାନଙ୍କ ପର୍ଯ୍ୟନ୍ତ ଅର୍ଜନ କରୁଥିବା ବିପୁଳ ଲାଭରେ ହ୍ରାସ ଘଟିବ। ଏହା ଗବେଷଣା ଓ ବିକାଶ ପଥରେ ଅନ୍ତରାୟ ହୋଇ ପାରେ। କିନ୍ତୁ ଯେହେତୁ ଅଗଣିତ ଦେଶବାସୀଙ୍କର ଜୀବନ ରକ୍ଷା ଏଥି ସହିତ ଜଡ଼ିତ, ସ˚ସଦରେ ବିଲ୍‌ଟିର ବିଶଦ ଆଲୋଚନା ହୋଇ ଏଥିରେ ଉତ୍‌ଥାପିତ ସମସ୍ୟାର ଏକ ସନ୍ତୋଷଜନକ ସମାଧାନର ବାଟ ବାହାର କରାଯିବା ଜରୁରୀ।

ସମ୍ବନ୍ଧିତ ଖବର