ଗାନ୍ଧୀଙ୍କ ଜନ୍ମଦିନ

ଗାନ୍ଧୀ ଦୃଷ୍ଟି - ଗୌରାଙ୍ଗ ଚରଣ ପରିଡ଼ା

ସକାଳେ ଦିନେ ଗାନ୍ଧୀଜୀ ସାବରମତୀ ଆଶ୍ରମରେ ବଡ଼ ଏକ ଘିଅ ଦୀପ ଜଳୁଥିବାର ଦେଖିଲେ। ପାଖରେ ବି କିଛି ବଳକା ଘିଅ ରଖା ଯାଇଥିଲା। ସକାଳ ପ୍ରାର୍ଥନା ସଭାରେ ଗାନ୍ଧୀ ପ୍ରଶ୍ନ କଲେ, ‘ଏ ଦୀପ ଜାଳିଛି କିଏ, କାହିଁକି ଜଳା ଯାଉଛି?’ କସ୍ତୁରବା ଉତ୍ତର ଦେଲେ, ‘ମୁଁ ଜାଳିଛି, ଆଜି ଆପଣଙ୍କର ଜନ୍ମଦିନ, ଅକ୍ଟୋବର ଦୁଇ।’ ଗାନ୍ଧୀ ଟିକିଏ ଗମ୍ଭୀର ସ୍ୱରରେ କହିଲେ, ‘ତୁମେ ଜାଣିଛ, ମୋ ଜନ୍ମଦିନ ପାଳନରେ ମୋର କେବେ ରୁଚି ନ ଥାଏ। ଏବେ ବି ତ ଭାରତ ସାରା ଅକାଳ ପଡ଼ିଛି। ଗରିବ ସାଧାରଣ ଲୋକଟିଏ ତେଲ ଦେଇ ରୁଟି ସେକିବାକୁ ଟୋପାଏ ତେଲ ପାଉନାହିଁ। ତୁମେ ଏଠି ମୋ ଜନ୍ମଦିନରେ ଘିଅ ଜାଳୁଛ? ଏହା ଏକ ପାପ କାର୍ଯ୍ୟ। ଜନ୍ମଦିନରେ ପୁଣ୍ୟ କରାଯାଏ; ପାପ ନୁହେଁ।’

୧୯୪୪ ମସିହା ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ଗାନ୍ଧୀଜୀ ତାଙ୍କର ଜନ୍ମଦିନ ପାଳନ କରିନଥିଲେ କିମ୍ବା ପାଳିତ ହୋଇଥିବା ତାଙ୍କ ଜନ୍ମଦିନ ଉତ୍ସବରେ କେବେ ଭାଗ ନେଇ ନଥିଲେ। ଗାନ୍ଧୀ କହୁଥିଲେ, ଜନ୍ମଦିନରେ ସଂକଳ୍ପ କରି ନୂଆ କିଛି କାମ କରିବାକୁ ଥିଲେ ଜନ୍ମଦିନ ପାଳନ କରିବା ଦରକାର।

ଗାନ୍ଧୀଙ୍କ ଜନ୍ମଦିନ ପାଳନ ନିମନ୍ତେ ଟିକିଏ ଦ୍ୱନ୍ଦ୍ୱ ଥାଏ। ତାରିଖ ଅନୁସାରେ ତିଥି ଏକା ଦିନରେ ପଡ଼େ ନାହିଁ। ଗାନ୍ଧୀଙ୍କ ଜନ୍ମ ହୋଇଥିଲା ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ। ସେଦିନ ତିଥି ଥିଲା ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ, ଶନିବାର। ଗୁଜୁରାଟର ପୋରବନ୍ଦର ଥିଲା ଗାନ୍ଧୀଙ୍କର ଜନ୍ମ ସ୍ଥାନ।

ପ୍ରଥମ କରି ବେଶ୍ ଉତ୍ସାହ ସହ ଗାନ୍ଧୀ ତାଙ୍କର ଜନ୍ମଦିନ ଉତ୍ସବ ପାଳନ କରିଥିଲେ ୧୯୪୪ ମସିହା ଅକ୍ଟୋବର ୨ ତାରିଖରେ, ସେବାଗ୍ରାମରେ। କସ୍ତୁରବାଙ୍କ ଅନୁପସ୍ଥିତିରେ ଗାନ୍ଧୀଙ୍କ ଜନ୍ମଦିନ ପାଳିତ ହୋଇଥିଲା। ଏପରି ଏକ ଉତ୍ସବ ପାଳନ କରିବାରେ ଦୁଇଟି ବିଶେଷତ୍ବ ଥିଲା। ପ୍ରଥମଟି ହେଲା, ୧୯୪୪ ମସିହା ଅକ୍ଟୋବର ୨ ତାରିଖ ଥିଲା ଗାନ୍ଧୀଙ୍କର ୭୫ ତମ ଜନ୍ମଦିନ ଏବଂ ଅନ୍ୟଟି ହେଲା ସେଦିନ କସ୍ତୁରବାଙ୍କ ସ୍ମୃତିରେ ପଞ୍ଚସ୍ତରି ଲକ୍ଷ ଟଙ୍କା ଚାନ୍ଦାରେ ଏକ ଜାତୀୟ ଟ୍ରଷ୍ଟ ଗଠିତ ହେଉଥିଲା। ୧୯୪୪ ମସିହା ଫେବ୍ରୁଆରି ୨୨ ତାରିଖରେ ଆଗା ଖାଁ ପାଲେସରେ ବନ୍ଦୀ ଥିବା ବେଳେ କସ୍ତୁରବାଙ୍କ ଦେହାନ୍ତ ହୋଇଥିଲା। ଜେଲ୍‌ରେ ଥାଇ କସ୍ତୁରବା ମେମୋରିଆଲ ଟ୍ରଷ୍ଟ ନାଁରେ ଏକ ସେବାସଂସ୍ଥା ଗଠନ କରିବାର ଉଦ୍ୟମ ଗାନ୍ଧୀ ଆରମ୍ଭ କରି ଦେଇଥିଲେ। ଏଥିପାଇଁ ଦେଶ ସାରା ଚାନ୍ଦା ଆଦାୟ ବି ହୋଇଥିଲା। ଗ୍ରାମାଞ୍ଚଳର ଦଳିତ, ମହିଳା ଓ ଶିଶୁଙ୍କ ସେବା କରିବା ଥିଲା ଏ ଟ୍ରଷ୍ଟର ଉଦ୍ଦେଶ୍ୟ।

ଗାନ୍ଧୀଙ୍କ ପଞ୍ଚସ୍ତରିତମ ଜନ୍ମଦିନରେ ଆଶ୍ରମରେ ଥିବା କସ୍ତୁରବାଙ୍କ କୁଟୀରକୁ ସଜେଇ ଦିଆଯାଇଥିଲା। ଜମନାଲାଲ ବାଜାଜଙ୍କ ଝିଅ ‘ମଦାଳସା’ କସ୍ତୁରବାଙ୍କ କୁଟୀର ଆଗରେ ମୁରୁଜ ପକାଇ ରଙ୍ଗୋଲି କରିଦେଇଥିଲେ। ପୂର୍ବାହ୍‌ଣରେ ପଞ୍ଚସ୍ତରି ଲକ୍ଷ ଟଙ୍କାରେ ଚାନ୍ଦା ପୁଞ୍ଜିକୁ ନେଇ କସ୍ତୁରବା ଟ୍ରଷ୍ଟ ଉଦ୍‌ଘାଟିତ ହୋଇଥିଲା ଏବଂ ସନ୍ଧ୍ୟାରେ କସ୍ତୁରବାଙ୍କ ଜୀବନାଦର୍ଶ ଉପରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଆଲୋଚନାର ବିଷୟ ଥିଲା, ଜୀବନ ପ୍ରତି କସ୍ତୁରବାଙ୍କ ଦୃଷ୍ଟିଭଙ୍ଗି, ‘କସ୍ତୁରବାସ୍ ଭିୟୁ ପଏଣ୍ଟସ୍ ଅନ୍ ଲାଇଫ୍।’ ଗାନ୍ଧୀଜୀ ତାଙ୍କର ପ୍ରଥମ ଜନ୍ମଦିନ ପାଳନ ସେଦିନ ଦିବଙ୍ଗତା କସ୍ତୁରବାଙ୍କୁ ସମର୍ପିତ କରିଥିଲେ। ଗାନ୍ଧୀ କହିଥିଲେ, ବା’ (କସ୍ତୁରବା) ନଥିଲେ ବାପୁ ମହାତ୍ମା ହୋଇ ପାରିନଥାନ୍ତେ।

ଗାନ୍ଧୀଙ୍କ ପଞ୍ଚସ୍ତରିତମ ଜନ୍ମଦିନ ଉପଲକ୍ଷେ ଅନେକ ଶୁଭେଚ୍ଛା ପତ୍ର ଆସିଥିଲା ସେବାଗ୍ରାମକୁ। ଶୁଭେଚ୍ଛୁଙ୍କ ଭିତରେ ଥିଲେ ବିଶିଷ୍ଠ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍, ଜର୍ଜ ବର୍ନାଡ ଶ’ ଏବଂ ସୁଭାଷ ଚନ୍ଦ୍ର ବୋଷ। ଆଇନ୍‌ଷ୍ଟାଇନ୍ ଲେଖିଥିଲେ, ପଞ୍ଚସ୍ତରି ବର୍ଷ ପୂର୍ତ୍ତି ଉତ୍ସବ ଜଣେ ବ୍ୟକ୍ତିଙ୍କର ଯିଏ କୌଣସି ଶାସକର ସମର୍ଥନ ନ ନେଇ ଲୋକଙ୍କର ପ୍ରଖ୍ୟାତ ନେତା ହୋଇପାରିଛନ୍ତି। ଆଗାମୀ ପିଢ଼ି ଦିନେ ହୁଏତ ବିଶ୍ୱାସ କରି ପାରିବନି, ରକ୍ତ ମାଂସର ଜଣେ ମଣିଷ ଦିନେ ଏ ଧରାପୃଷ୍ଠରେ ଚଳପ୍ରଚଳ କରୁଥିଲେ।’

ସୁଭାଷ ବୋଷଙ୍କ ବାର୍ତ୍ତା ଥିଲା ଖୁବ୍‌ ଆବେଗିକ। ବୋଷ ସେବେ ଆଜାଦ ହିନ୍ଦ୍ ଫୌଜ୍‌ର ନେତୃତ୍ୱ ନେଇ ଇଂରେଜଙ୍କ ବିରୋଧରେ ଯୁଦ୍ଧ ଲଢୁଥିଲେ। ରେଙ୍ଗୁନରୁ ଟେଲିଗ୍ରାମରେ ଗାନ୍ଧୀଜୀଙ୍କ ପାଖକୁ ସୁଭାଷଙ୍କ ଥିଲା ଏ ଶୁଭେଚ୍ଛା ବାର୍ତ୍ତା। ବୋଷ ତାଙ୍କ ବାର୍ତ୍ତାରେ ନିବେଦନ କରିଥିଲେ, ‘ଜାତିର ଜନକ ମହାତ୍ମାଜୀ, ଏ ପବିତ୍ର ଯୁଦ୍ଧରେ ବିଜୟ ନେଇ ମୋତେ ଆଶୀର୍ବାଦ କରନ୍ତୁ।’ ସୁଭାଷଙ୍କ ବାର୍ତ୍ତାପତ୍ର ପଢ଼ି ଗାନ୍ଧୀଜୀ ସ୍ବଗତୋକ୍ତି କରି କହିଦେଲେ, ‘ସୁଭାଷ ବାବୁ ଦେଶପ୍ରେମୀଙ୍କର ଦେଶପ୍ରେମୀ’। ଆଦର୍ଶଗତ ପ୍ରାର୍ଥକ୍ୟ ଥିଲେ ବି ପାରସ୍ପରିକ ଶ୍ରଦ୍ଧା କିନ୍ତୁ କମି ନଥିଲା।

୧୯୪୪ ମସିହା ପର୍ଯ୍ୟନ୍ତ ଗାନ୍ଧୀ ତାଙ୍କର ଜନ୍ମଦିନ ପାଳୁ ନ ଥିଲେ ସତ, ଅଥଚ ଭାରତ ଏବଂ ଭାରତ ବାହାରୁ ଗାନ୍ଧୀଙ୍କ ଜନ୍ମଦିନ ପାଇଁ ପ୍ରତିବର୍ଷ ଅନେକ ଶୁଭେଚ୍ଛା ବାର୍ତ୍ତା ଆସୁଥିଲା। ୧୯୩୯ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ତାଙ୍କ ସତୁରିତମ ଜନ୍ମଦିନରେ ଦକ୍ଷିଣ ଆଫ୍ରିକାର ଶାସକ, ‘ଜେନେରାଲ ସ୍ମଟ୍‌ସଙ୍କ ଠାରୁ ବଡ଼ ପାର୍ସଲଟିଏ ପାଇଲା ବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସ୍ମଟ୍‌ସ ପ୍ୟାକେଟ ଭିତରେ ହଳେ ପୁରୁଣା ଜୋତା ସହ ଚିଠିଟିଏ ଦେଇଥିଲେ। ଚିଠିରେ ଜେନେରାଲ ସ୍ମଟ୍‌ସ ଲେଖିଥିଲେ, ‘ମିଷ୍ଟର ଗାନ୍ଧୀ, ଦକ୍ଷିଣ ଆଫ୍ରିକାର ଜେଲ ଭିତରେ ରହି ମୋତେ ଆପଣ ଯେଉଁ ନିଜ ହାତ ତିଆରି ଜୋତା ଦେଇଥିଲେ, ମୁଁ ତାକୁ ମୋ ଫାର୍ମ ହାଉସରେ ଗ୍ରୀଷ୍ମ ସମୟ ଆସିଲେ ଅନେକ ବର୍ଷ ଧରି ପିନ୍ଧୁଥିଲି। ଜୋତାକୁ ବି ଯତ୍ନରେ ସାଇତି ରଖିଥିଲି। ଆଜି କିନ୍ତୁ ଭାବୁଛି, ଆପଣ ଏବେ ବିଶ୍ୱରେ ଏତେ ମହାନ ଯେ ଆପଣଙ୍କ ହାତ ତିଆରି ଜୋତା ପିନ୍ଧିବାକୁ ମୁଁ ଅଯୋଗ୍ୟ। ଦକ୍ଷିଣ ଆଫ୍ରିକାରେ ଆପଣଙ୍କୁ ଦେଇଥିବା ଯନ୍ତ୍ରଣା ନେଇ ମୁଁ ଅନୁତପ୍ତ।’

୧୯୪୭ ମସିହା ଅକ୍ଟୋବର ଦୁଇର ସ୍ୱାଧୀନ ଭାରତରେ ଗାନ୍ଧୀଙ୍କ ପ୍ରଥମ ଜନ୍ମଦିନ କିନ୍ତୁ ଗାନ୍ଧୀଙ୍କ ପାଇଁ ସେତେ ଆନନ୍ଦଦାୟକ ନଥିଲା। ଭାରତ ବିଭାଜନ, ସାମ୍ପ୍ରଦାୟିକ ହିଂସା ଓ ଘୃଣା ନେଇ ଗାନ୍ଧୀ ମ୍ରିୟମାଣ ଥିଲେ। ଗଦା ଗଦା ଶୁଭେଚ୍ଛା ପତ୍ରର ଶୁଭକାମନା ଭିତରେ ଗାନ୍ଧୀ ଖୁସି ନ ଥିଲେ। ଗାନ୍ଧୀ ସେଦିନ ପ୍ରାର୍ଥନା ସଭାରେ କହିଦେଲେ, ‘ଆଜି ମୋର ଇଏ ଜନ୍ମ ଦିନ ନୁହେଁ, ଏହା ମୋର ଶୋକ ଦିନ। ମୁଁ ଆଜି ସୂତା କାଟିବି, ପ୍ରାର୍ଥନା କରିବି, ଜନ୍ମଦିନ ପାଳିବି ନାହିଁ। ମୋତେ ଯିଏ ଭଲ ପାଉଛ, ମନ ଭିତରେ ଅନ୍ୟ ପ୍ରତି ଥିବା କ୍ରୋଧକୁ ଦୂରୀଭୂତ କରିଦିଅ; ହିଂସାର ପ୍ରତିବାଦ କର।’

ଗାନ୍ଧୀଙ୍କ ମୃତ୍ୟୁ ପରେ କିନ୍ତୁ ଗାନ୍ଧୀଙ୍କ ଜନ୍ମଦିନ ଉତ୍ସବ ପାଳନ ବହୁତ ବ୍ୟାପକ ହୋଇଯାଇଛି। ଜାତିସଂଘ ଏବେ ପ୍ରତିବର୍ଷ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀକୁ ବିଶ୍ୱ ଅହିଂସା ଦିବସ ରୂପେ ପାଳନ କରୁଛି।
ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର