କରୋନା ସ˚କ୍ରମିତ ଅର୍ଥନୀତି ଓ ଗାନ୍ଧୀବାଦୀ ଉପଚାର

ଗାନ୍ଧୀ ଅର୍ଥନୀତି - ପ୍ରହଲାଦ କୁମାର ସିଂହ

କରୋନା ଧକ୍କାରେ କେବଳ ଓଡ଼ିଶା କି ଭାରତ କାହିଁକି ସମଗ୍ର ବିଶ୍ବର ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଏବେ ଆମ ଦେଶର କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏଥିରୁ ନିସ୍ତାର ପାଇବା ପାଇଁ ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ଗ୍ରାମସ୍ବରାଜ ଅର୍ଥନୀତି ସଫଳ ଉପଚାର ବୋଲି ସ୍ବୀକାର କରୁଛନ୍ତି। ଏଥିପାଇଁ ବିପୁଳ ଆର୍ଥିକ ପ୍ୟାକେଜ ଘୋଷଣା ହେଉଥିବା ବେଳେ ସରକାରୀ କଳ ଓ ସରକାର ଚଳାଉଥିବା ବ୍ୟକ୍ତିବିଶେଷଙ୍କ କଥା ଓ କାମରେ ଫରକ ରହୁଥିବାରୁ ବାସ୍ତବ ସୁଫଳ ଘେନି ସନ୍ଦେହ ଉପୁଜିବା ସ୍ବାଭାବିକ। ଏହି ପରିପ୍ରେକ୍ଷୀରେ ପ୍ରାୟ ୧୧୦ ବର୍ଷ ତଳେ ଗାନ୍ଧୀଜୀ ୧୯୦୯ ମସିହାରେ ଲେଖିଥିବା ‘ହିନ୍ଦ ସ୍ୱରାଜ’ ପୁସ୍ତକ ନଜରକୁ ଆସେ।

‘ହିନ୍ଦ ସ୍ୱରାଜ’ରେ ଗାନ୍ଧୀଜୀ ଲେଖିଛନ୍ତି ଯେ ଇ˚ରେଜମାନେ ଭାରତବର୍ଷକୁ ଅଧିକାର କରି ନ ଥିଲେ, ବର˚ କିଛି ଭାରତୀୟ ସେମାନଙ୍କ ହାତରେ ଆମ ଦେଶକୁ ଟେକି ଦେଇଥିଲେ। ସେମାନେ ନିଜ ବଳରେ ଭାରତରେ ତିଷ୍ଠି ନ ଥିଲେ, ଆମେ ସେମାନଙ୍କୁ ଏଠାରେ ରଖିଥିଲୁ। ଇ˚ରେଜମାନେ ବେପାର କରିବାକୁ ଭାରତ ଆସିଥିଲେ, ତାଙ୍କୁ ଆମେ ସହଯୋଗ ଦେଲୁ ଓ ତାଙ୍କ ପଣ୍ୟଦ୍ରବ୍ୟ କିଣିଲୁ। ଚଞ୍ଚଳ ବଡ଼ଲୋକ ହୋଇଯିବା ଆଶାରେ ଆମେ ସେମାନଙ୍କୁ ସ୍ବାଗତ କରି ଆଣିଲୁ। ଆମ ଦେଶର ରାଜାମାନେ ଯେତେବେଳେ ନିଜ ନିଜ ଭିତରେ କଳିଗୋଳ କଲେ ସେତେବେଳେ ସେମାନେ କମ୍ପାନି ବାହାଦୁରଙ୍କ ସାହାଯ୍ୟ ନେଲେ ଏବ˚ ବିଲେଇଙ୍କ ପିଠା କଳିରୁ ମାଙ୍କଡ଼ ଲାଭବାନ ହେବା ଭଳି ବ୍ରିଟିସ ଆମ ଦେଶକୁ ଶାସନ କଲା। ସେତେବେଳେ ହିନ୍ଦୁ ଓ ମୁସଲମାନଙ୍କ ମଧୢରେ ସମ୍ପର୍କ ତିକ୍ତ ଥିଲା। କମ୍ପାନି ଏହାର ସୁଯୋଗ ନେଇ ଉଭୟ ପକ୍ଷକୁ ଉସକାଇଲା। ଫଳରେ ଆମ ଦେଶକୁ ଆମେ ହରାଇଲୁ ଏବ˚ ବସ୍ତୁତଃ ଇ˚ରେଜମାନଙ୍କ ହାତରେ ଭାରତବର୍ଷକୁ ଟେକିଦେଲୁ।

ଅର୍ଥ ହିଁ ଇ˚ରେଜ ସରକାରଙ୍କ ଇଷ୍ଟ ଦେବତା ବୋଲି ଉଲ୍ଲେଖ କରି ଗାନ୍ଧୀଜୀ କହୁଥିଲେ ଯେ ସ୍ବଦେଶୀ ବ୍ରତକୁ ଭାରତୀୟମାନେ ଆପଣାଇ ନେଲେ ଏଠାରେ ଇ˚ରେଜଙ୍କ ବେପାର ବୁଡ଼ିଯିବ ଓ ବିଦେଶୀ ଶକ୍ତି ଦେଶ ଛାଡ଼ି ପଳାଇବେ। କିନ୍ତୁ ଆମ ଭିତରୁ କିଛି ଲୋକ ନିଜର ହୀନ ସ୍ବାର୍ଥ ଦୃଷ୍ଟିରୁ ସେମାନଙ୍କ ବେପାର, ଆଚାର ଓ ଶାସନକୁ ପସନ୍ଦ କରିବା ଫଳରେ ସେମାନେ ତିଷ୍ଠି ରହିବା ସମ୍ଭବପର ହେଲା। ଏହା ପରେ ଗାନ୍ଧୀଜୀ ‘ହିନ୍ଦ ସ୍ବରାଜ’ରେ ଭାରତବର୍ଷର ଅବସ୍ଥା ଅତି ଦୟନୀୟ ବୋଲି ବର୍ଣ୍ଣନା କରି କହିଥିଲେ ଯେ ଏ କଥା ଉଲ୍ଲେଖ କରିବା ବେଳକୁ ତାଙ୍କୁ କାନ୍ଦ ମାଡ଼ୁଛି ଓ ତଣ୍ଟି ଶୁଖି ଯାଉଛି। ଇ˚ରେଜମାନଙ୍କ ଦ୍ବାରା ଭାରତର ଏଭଳି ଦଶା ହୋଇ ନାହିଁ, ଆଧୁନିକ ସଭ୍ୟତାର ଚକ ତଳେ ଆମ ଦେଶ ପେଷି ହୋଇ ଯାଉଛି। ଏହି ସଭ୍ୟତା ରୂପକ ରାକ୍ଷସର ଦୌରାତ୍ମ୍ୟରେ ଭାରତର ଆତ୍ମା ଆର୍ତ୍ତନାଦ କରୁଛି ଓ ତାହା ସହିତ ଦେଶ ଧର୍ମଭ୍ରଷ୍ଟ ହେବାରେ ଲାଗିଛି। ସବୁ ଧର୍ମରେ କିଛି ଭଣ୍ତ ପ୍ରତାରକ ଅଛନ୍ତି। ଏହି ଭଣ୍ତମାନଙ୍କ କବଳରୁ ମୁକ୍ତି ପାଇଲେ ବହୁ ସମସ୍ୟାର ସମାଧାନ ଛାଏଁ ଛାଏଁ ହୋଇଯିବ, କାରଣ ସବୁ ଧର୍ମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଗୋଟିଏ। ସା˚ସାରିକ ବ୍ୟାପାରରେ ଯେଉଁମାନେ ଠକ ସେମାନେ ବି ଧାର୍ମିକ ଠକଙ୍କ ଅପେକ୍ଷା ଅଧିକ ଅନିଷ୍ଟକାରୀ। ନିଆଁରେ ପତଙ୍ଗ ଝାସ ଦେଲା ଭଳି ଆଧୁନିକ ସଭ୍ୟତାର ନିଆଁରେ ଆମେ ଝାସ ଦେଇ ମରୁଥିବା ବେଳେ ଧର୍ମ ସମ୍ବନ୍ଧୀୟ ଅନ୍ଧ କୁସ˚ସ୍କାରଗୁଡ଼ିକ ଆମକୁ ନଷ୍ଟ କରିବାରେ ଲାଗିଛି। ଏ ପରିପ୍ରେକ୍ଷୀରେ ଅନ୍ୟ କେହି ଆସି ଆମକୁ ଅତ୍ୟାଚାରରୁ ରକ୍ଷା କରିବେ ବୋଲି ଭାବିବା କାପୁରୁଷତାର ପରିଚୟ ବୋଲି ଉଲ୍ଲେଖ କରି ଗାନ୍ଧୀଜୀ କହିଛନ୍ତି ଯେ ଦୁର୍ବଳ ଓ ଡରୁଆ ହୋଇ ଅନ୍ୟର ଆଶ୍ରୟରେ ରହିବା ଅପେକ୍ଷା ବର˚ ଲଢ଼େଇ କରି ମରିବାକୁ ସେ ଅଧିକ ପସନ୍ଦ କରନ୍ତି, କାରଣ ନିର୍ଭୟତାରେ ହିଁ ପ୍ରକୃତ ବଳ ନିହିତ।

‘ହିନ୍ଦ ସ୍ୱରାଜ’ରେ ଗାନ୍ଧୀଜୀ ପୁଣି ଉଲ୍ଲେଖ କରିଛନ୍ତି ଯେ ସଭ୍ୟତାର ବ୍ୟାବହାରିକ ଲକ୍ଷଣ ହେଉଛି ମଣିଷକୁ ନିଜ କର୍ତ୍ତବ୍ୟ ପାଳନର ବାଟ ଦେଖାଇବା। କର୍ତ୍ତବ୍ୟ ପାଳନର ଅର୍ଥ ହେଲା ନୈତିକତାର ଆଚରଣ ଓ ନୈତିକତା ପାଳନର ଅର୍ଥ ହେଉଛି ନିଜ ମନ ଓ ଇନ୍ଦ୍ରିୟ ଭୋଗ ଲାଳସାକୁ ଆୟତ୍ତରେ ରଖିବା। ଏହି ଅଭ୍ୟାସ କଲେ ଜଣେ ନିଜକୁ ଠିକଣା ଭାବେ ଚିହ୍ନିପାରିବ ଓ ନିଜ ଶରୀର ଉପରେ ତାହାର ଆତ୍ମା ସ୍ବରାଜ ପ୍ରତିଷ୍ଠା କରିପାରିବ। ଏହା ହିଁ ସଦାଚାର, ସଭ୍ୟତା ଓ ସ˚ସ୍କୃତି। ସବୁ ଧନୀ ସୁଖୀ ନୁହନ୍ତି, କି ସବୁ ଗରିବ ଦୁଃଖୀ ନୁହନ୍ତି। ଅନେକ ସମୟରେ ଧନ କୁବେର ବି ଦୁଃଖ ଭୋଗେ ଏବ˚ ବେଳେ ବେଳେ ଗରିବ ଲୋକ ଅନ୍ତର୍ନିହିତ ଶାନ୍ତି ଯୋଗୁ ସୁଖରେ ଥାଏ। ଏହି ସୁଖ ହାସଲ ପାଇଁ ଶରୀର ଶ୍ରମ ହେଉଛି ଶ୍ରେଷ୍ଠ ମାଧ୍ୟମ। ବ୍ୟକ୍ତି ଜୀବନ ସୁଖମୟ ହେଲେ ପରିବାରରେ ସୁଖ ରହିବ ଏବ˚ ପରିବାର ତଥା ସମାଜର ସୁଖରେ ରାଷ୍ଟ୍ର ସମୃଦ୍ଧ ହେବ। ଏଥିଲାଗି ଭାରତର ୭ ଲକ୍ଷ ଗାଁରେ ୭ ଲକ୍ଷ ରିପବ୍ଲିକ୍‌ ପ୍ରତିଷ୍ଠା କରିବାକୁ ଗାନ୍ଧୀଜୀ ଚାହୁଁଥିଲେ। ଗାଁକୁ ଶୋଷଣ କରି ସହର ବଢ଼ାଇବାର ସେ ଘୋର ବିରୋଧୀ ଥିଲେ। ସହର ବଢ଼ିଲେ ଗାଁ ଦୁର୍ବଳ ହେବ ଏବ˚ ସହରୀ ସଭ୍ୟତା ଓ ଅର୍ଥନୀତି ଯୋଗୁ ଅସମାନତା ଓ ଅପରାଧ ମଧ୍ୟ ବଢ଼ିବ ବୋଲି ସେତେବେଳୁ ଗାନ୍ଧୀଜୀ ଚେତାଇ ଦେଇଥିଲେ। ତେସ୍ତରି ବର୍ଷର ସ୍ବାଧୀନତାରେ ନିଜ ଗାଁରେ ଗୁଜୁରାଣ ମେଣ୍ଟାଇ ନପାରି ପେଟ ଚାଖଣ୍ତକ ପାଇଁ ଅନ୍ୟତ୍ର ଯାଇଥିବା ଶ୍ରମିକମାନେ କରୋନା ସମୟରେ କାମଧନ୍ଦା ହରାଇ ଭୋକ ଉପାସରେ ମାଡ଼ଗାଳି ଖାଇ ଶହଶହ କିଲୋମିଟର ଚାଲିଚାଲି ଆସିବାର କରୁଣ ଦୃଶ୍ୟ ଦେଖାଇ ଦେଉଛି ଆମ ଅର୍ଥନୀତିର ବାଲାନ୍‌ସ ସିଟ୍‌କୁ। ଗାଡ଼ି ମଟର, ରାସ୍ତାଘାଟ, କୋଠାବାଡ଼ି, କଳକାରାଖାନା, ପୁଞ୍ଜିପତିଙ୍କ ବ୍ୟାଙ୍କ୍‌ ବାଲାନ୍‌ସ ଆଦି ଆମ ବିକାଶର ଚିତ୍ର ହୋଇଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ଦର୍ଶାଉଛି ବାସ୍ତବତାକୁ।

ଗୋଟିଏ ସମୟରେ ଇ˚ରେଜ ସରକାର ଗାନ୍ଧୀଜୀଙ୍କ ‘ହିନ୍ଦ ସ୍ୱରାଜ’ ବହିକୁ ନିଷିଦ୍ଧ କରିଥିଲେ। ଏହି ବହିରେ ଗାନ୍ଧୀଜୀ ଇ˚ରେଜ ଶାସନ ବ୍ୟବସ୍ଥାକୁ କଟୁ ସମାଲୋଚନା କରି ଲେଖିଛନ୍ତି ଯେ ଯାହାକୁ ଲୋକେ ପାର୍ଲାମେଣ୍ଟର ଜନନୀ ବୋଲି କହନ୍ତି ସେହି ବ୍ରିଟିସ ପାର୍ଲାମେଣ୍ଟ ବନ୍ଧ୍ୟା ଓ ବାରବନିତା ସଦୃଶ। ଏ ଦୁଇ ଶବ୍ଦ ବଡ଼ କର୍କଶ କିନ୍ତୁ ଏହା ହିଁ ବ୍ରିଟିସ ପାର୍ଲାମେଣ୍ଟ ପାଇଁ ପ୍ରଯୁଜ୍ୟ ବୋଲି ଗାନ୍ଧୀଜୀ ଯୁକ୍ତି ଓ ଉଦାହରଣ ସହ ଉଲ୍ଲେଖ କରିଛନ୍ତି। ବ୍ରିଟିସ ପାର୍ଲାମେଣ୍ଟକୁ ଆଉ କେତେକ ମନୀଷୀ ବିଶ୍ବର ଭାଷଣର ହାଟ ବୋଲି ଯେଉଁ ସମାଲୋଚନା କରନ୍ତି ତାହାକୁ ସମର୍ଥନ କରି ଗାନ୍ଧୀଜୀ ‘ହିନ୍ଦ ସ୍ୱରାଜ’ରେ ଲେଖିଛନ୍ତି ଯେ ସେଠା ପାର୍ଲାମେଣ୍ଟ ସଦସ୍ୟମାନେ ନିଜ ଦଳ ସପକ୍ଷରେ ହିଁ ମତ ଦିଅନ୍ତି। ଭାବିଚିନ୍ତି ନିରପେକ୍ଷ ଭାବେ କୌଣସି କଥା କୁହନ୍ତି ନାହିଁ। ସେମାନେ ତଥାକଥିତ ଦଳୀୟ ଶୃଙ୍ଖଳାରେ ବନ୍ଦୀ। ଯଦି କେହି ସଦସ୍ୟ ଏଥିରେ ବ୍ୟତିକ୍ରମ ଘଟାଇ ସ୍ବାଧୀନ ମତ ଦିଅନ୍ତି ତେବେ ସେ ବିଧର୍ମୀ, ବିଶ୍ବାସଘାତକ ବା ଗୋଠ ଖଣ୍ତିଆ ଭାବେ ଗଣାଯାଆନ୍ତି। ବ୍ରିଟିସ ପାର୍ଲାମେଣ୍ଟକୁ ଗୋଟିଏ ଦାମିକା ଖେଳଣା ବୋଲି ଉଲ୍ଲେଖ କରି ଗାନ୍ଧୀଜୀ ପୁଣି ଲେଖିଛନ୍ତି ଯେ ଏହି ପାର୍ଲାମେଣ୍ଟ ପାଇଁ ଯେତେ ସମୟ ଓ ସମ୍ବଳ ଖର୍ଚ୍ଚ ହେଉଛି ତାହା ଯଦି ଠିକଣା ଭାବେ ଉପଯୋଗ କରାଯାଆନ୍ତା, ତେବେ ଢେର ଉନ୍ନତି ଆସିପାରନ୍ତା। ବ୍ରିଟିସ ପାର୍ଲାମେଣ୍ଟର ନେତା ସେଠାକାର ପ୍ରଧାନମନ୍ତ୍ରୀ ତାଙ୍କର ପ୍ରମୁଖ କାମ ପରବର୍ତ୍ତୀ ନିର୍ବାଚନରେ ନିଜ ଦଳର ଅଧିକ ପ୍ରାର୍ଥୀଙ୍କୁ ଜିଣାଇ କ୍ଷମତା ବଳବତ୍ତର ରଖିବା। ତେଣୁ ଭୋଟ ପାଇଁ ସେ ଓ ତାଙ୍କ ସମର୍ଥକମାନେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। ସ˚ସଦୀୟ ଗଣତନ୍ତ୍ରକୁ ବ୍ରିଟିସ ବ୍ୟବସ୍ଥା ସ˚ଖ୍ୟାର ଖେଳରେ ପରିଣତ କରିଛି, ଯେଉଁଥିରେ ଭିନ୍ନ ମତ ପୋଷଣ କରୁଥିବା ଅଳ୍ପ ସ˚ଖ୍ୟକଙ୍କର ପ୍ରାୟତଃ ସ୍ଥାନ ନ ଥାଏ। ଗାନ୍ଧୀଜୀଙ୍କ ଦୃଷ୍ଟିରେ ଏଭଳି ବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ। ବ୍ରିଟିସ ପାର୍ଲାମେଣ୍ଟ ସମ୍ପର୍କରେ ସେତେବେଳେ ଗାନ୍ଧୀଜୀ ଯେଉଁ ବକ୍ତବ୍ୟ ରଖିଥିଲେ ତାହା ଆମର ସ˚ସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଯେ ଆଜିର ଦିନରେ ପ୍ରଯୁଜ୍ୟ, ତାହା ସ୍ବୀକାର କରିବାକୁ ହେବ। ଚର୍ଚ୍ଚିଲଙ୍କ ଭଳି ନେତା ଏକଦା ଗାନ୍ଧୀଜୀଙ୍କୁ ଅଧା ଲଙ୍ଗଳା ଫକିର ବୋଲି ବ୍ୟଙ୍ଗୋକ୍ତି କରିଥିଲେ। ତେବେ ସମୟ ସୁଅର ପ୍ରତିକୂଳ ଦିଗରେ ସତ୍ୟାଗ୍ରହ ବଳରେ ପହଁରି ଗାନ୍ଧୀଜୀ ପରାଧୀନତାର ବନ୍ଧନକୁ ଛିନ୍ନ କରି ଭାରତ ପାଇଁ ସ୍ବାଧୀନତା ଆଣିଲେ। ଯେଉଁ ବ୍ରିଟିସ ପାର୍ଲାମେଣ୍ଟକୁ ସେ ଏତେ କଡ଼ା ଶବ୍ଦରେ ସମାଲୋଚନା କରୁଥିଲେ, ସେହି ପାର୍ଲାମେଣ୍ଟ ସମ୍ମୁଖରେ ବ୍ରିଟିସ ସରକାର ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ଏବ˚ ସତ୍ୟ, ଅହି˚ସାର ପୂଜାରୀଙ୍କ ନିକଟ‌େର ବ୍ରିଟିସ ଜାତି ଆଜି ମଥା ନତ କରୁଛି। ସମଗ୍ର ବିଶ୍ବ ତ ତାଙ୍କ ଜନ୍ମ ଦିନକୁ ଆନ୍ତର୍ଜାତିକ ଅହି˚ସା ଦିବସ ଭାବେ ପାଳନ କରୁଛି।

ସ୍ବାଧୀନତାର ୭୩ ବର୍ଷରେ ଆଜି ଭାରତ କେଉଁଠି? ଗୋଟିଏ ଇଷ୍ଟ ଇଣ୍ତିଆ କମ୍ପାନି ଯୋଗୁ ପ୍ରାୟ ୩୦୦ ବର୍ଷ ଧରି ଆମେ ପରାଧୀନ ରହିିଲୁ। ଏବେ ତ ଶହ ଶହ ବହୁ ଦେଶୀୟ କମ୍ପାନିଙ୍କ ରାଜତ୍ବ ଚାଲିଛି। ଦେଶର ଋଣ ବୋଝ ଶହେ ଲକ୍ଷ କୋଟି ଟଙ୍କା ଆଡ଼କୁ ମୁହାଁଇଥିବା ବେଳେ ଅବମୂଲ୍ୟାୟନ ଯୋଗୁ ଗୋଟିଏ ଡଲାରର ମୂଲ୍ୟ ୭୫ ଟଙ୍କା ଟପିଲାଣି। ତେଣେ ଦେଶର ବାଣିଜ୍ୟିକ ନିଅଣ୍ଟ ବଢ଼ିବା ସଙ୍ଗେ ସଙ୍ଗେ ତ୍ରୁଟିପୂର୍ଣ୍ଣ କେନ୍ଦ୍ରୀୟ ନୀତି ଯୋଗୁ ବେକାରି, ବେରୋଜଗାରି, ଦରଦାମ ବୃଦ୍ଧି, ଆର୍ଥିକ ବିଷମତା, ସାମ୍ପ୍ରଦାୟିକ ଓ ଜାତିଗତ ତିକ୍ତତା, ଅସହିଷ୍ଣୁତା, ସ˚ଗଠିତ ହି˚ସା, ଦୁର୍ନୀତି, ଭ୍ରଷ୍ଟାଚାର ଆଦି ଆମକୁ ଯେମିତି ସମସ୍ୟାର ବୁଢ଼ୀଆଣି ଜାଲରେ ଛନ୍ଦି ଦେଇଛି। ଆମ ସ୍ବଦେଶୀ, ସ୍ବାଭିମାନ, ସ୍ବାବଲମ୍ବନ ଉପରେ ପ୍ରଶ୍ନବାଚୀ ଉଠିଥିବା ବେଳେ ଏ ସବୁ ସମସ୍ୟାର ସମାଧାନ ପାଇଁ ଗାନ୍ଧୀଜୀଙ୍କ ‘ହିନ୍ଦ ସ୍ୱରାଜ’ରେ ଯେଉଁ ମାର୍ଗଦର୍ଶନ ରହିଛି, ତାହାର ସଫଳ ପ୍ରୟୋଗ ଆବଶ୍ୟକ। ଏ ପ୍ରସଙ୍ଗରେ ଗାନ୍ଧୀଜୀ ଏକ ମଞ୍ଜ କଥା ଉକ୍ତ ପୁସ୍ତକରେ ଲେଖିଛନ୍ତି। ତାହା ହେଲା, ‘ମଞ୍ଜିଟି ସବୁବେଳେ ଦେଖାଯାଏ ନାହିଁ। ମାଟି ତଳେ ଥାଇ ତାହା କାମ କରିଯାଏ ଏବ˚ ମଞ୍ଜିଟି ନିଜେ ଯେତେବେଳେ ଲୋପ ପାଇଯାଏ ସେତେବେଳେ ଯାଇ ଚାରା ଗଛଟି ମାଟି ଉପରକୁ ଦେଖାଯାଏ।’ ସାମ୍ପ୍ରତିକ ପରିସ୍ଥିତିରେ କ୍ଷମତା ପାଗଳ ରାଜନୈତିକ ନେତା, ଲଗାମଛଡ଼ା ଅମଲାତନ୍ତ୍ରୀ ଓ ପୁଞ୍ଜିପତି ଗୋଷ୍ଠୀ ରାତାରାତି ବଡ଼ଗଛ ହେବାକୁ ଚାହାନ୍ତି, ଅଥଚ କେହି ମଞ୍ଜି ହେବାକୁ ପ୍ରସ୍ତୁତ ନୁହଁ। କାରଣ ମଞ୍ଜିର ବଳିଦାନରେ ହିଁ ଗଛ ହୋଇଥାଏ। କରୋନା ଆମ କରୁଣ ଚିତ୍ର ପଦାରେ ପକାଇଥିବା ବେଳେ ‘ହିନ୍ଦ ସ୍ୱରାଜ’ରେ ଗାନ୍ଧୀଜୀ ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି ଓ ଗ୍ରାମ-ସ୍ବରାଜରେ ଯେଉଁ ଦିଗ୍‌ଦର୍ଶନ ଦେଇଛନ୍ତି ତାହାର ସମୟ ଉପଯୋଗୀ ସ˚ଶୋଧିତ ପ୍ରୟୋଗ କଲେ ବହୁ ସମସ୍ୟାର ସମାଧାନ ହୋଇଯିବ। ତେବେ ଏହାର ସଫଳ ପ୍ରୟୋଗ ପାଇଁ ଗାନ୍ଧୀ ଆଦର୍ଶର ସମର୍ପିତ ସାଧକମାନଙ୍କ ଆବଶ୍ୟକତା ପଡ଼ୁଛି, ଯେଉଁମାନେ ଗୀତାର ସେହି ଅମର ପ˚କ୍ତିକୁ କଥା, କାମ ଓ ଚିନ୍ତାରେ ଅନୁପାଳନ କରି ଅନ୍ତରରୁ କହୁଥିବେ ‘ନତ୍ବହ˚ କାମୟେ ରାଜ୍ୟମ୍‌/ ନ ସ୍ବର୍ଗମ୍‌ ନ ପୁନର୍ଭବମ୍‌/ କାମୟେ ଦୁଃଖତପ୍ତାନାମ୍‌/ପ୍ରାଣୀନାମ୍‌ ଆର୍ତ୍ତିନାଶନମ୍‍।’

ମୋ- ୯୪୩୭୦୧୭୩୯୫
[email protected]

ସମ୍ବନ୍ଧିତ ଖବର