ଅଙ୍ଗନବାଡ଼ିରେ ପିଲା ଖାଇବେ ତଟକା ପରିବା, ନିଜସ୍ୱ କୋଠାଥିବା କେନ୍ଦ୍ରରେ ହେବ ପୁଷ୍ଟିକର ବଗିଚା

ଭୁବନେଶ୍ବର : ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କୁ ତଟକା ପରିବା ଖାଇବାକୁ ଦିଆଯିବ। ଏଥିପାଇଁ ନିଜସ୍ବ କୋଠା ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ନ୍ୟୁଟ୍ରି ଗା‌ର୍ଡେନ୍ (ପୁଷ୍ଟିକର ବଗିଚା) କରାଯିବ। ବର୍ଷା ଋତୁରେ ଏହି ଯୋଜନା ଆରମ୍ଭ ହେବ। ଏଥିରେ ଅଙ୍ଗନବାଡ଼ି ଚାରିକଡ଼େ ଥିବା ଖୋଲା ସ୍ଥାନରେ ଅମୃତଭଣ୍ଡା, କଦଳୀ, ସଜନା ଗଛ ଓ ବିଭିନ୍ନ ପନିପରିବା ଚାରା ଲାଗିବ। ଏହା ସହ ପିଜୁଳି ଗଛ ବି ଲାଗିବ। ଗଛରୁ ପରିବା ତୋଳି ରାନ୍ଧି ପିଲାଙ୍କୁ ଖାଇବାକୁ ଦିଆଯିବ।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୬ ବର୍ଷରୁ କମ୍‌ ଶିଶୁ, ଗର୍ଭବତୀ, ପ୍ରସୂତି ମହିଳାଙ୍କ ସ୍ବାସ୍ଥ୍ୟ ଓ ପୁଷ୍ଟି ସାଧନକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି। ଅଙ୍ଗନବାଡ଼ିରେ ପୁଷ୍ଟିକର ବଗିଚା ପାଇଁ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଦ୍ବାରା ମ‌ନରେଗା ଯୋଜନାରେ ଅର୍ଥ ବ୍ୟୟ କରି ଏହି କାର୍ଯ୍ୟ ଆରମ୍ଭ କରାଯିବ। ଏହା ଯେପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ସେନେଇ ବିଭାଗୀୟ ସଚିବ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ସେହିପରି ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ପିଲାମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ଏହି ଅନୁଷ୍ଠାନଗୁଡ଼ିକରେ ମଧ୍ୟ ପୁଷ୍ଟିକର ବଗିଚା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଥିବା ଗୁରୁତର ପୁଷ୍ଟିହୀନ ଶିଶୁ (ସାମ୍‌) ଏବଂ ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁମାନଙ୍କ (ମାମ୍‌) ପୁଷ୍ଟି ସାଧନକୁ ଅଧିକ ଗୁରୁତ୍ବ ପ୍ରଦାନ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ମଧ୍ୟ କୁହାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ଜୀବିକା ମିସନ ସହାୟତାରେ ରାୟଗଡ଼ା ଜିଲ୍ଲାରେ ବାଡ଼ି ଅଗଣାରେ କୁକୁଡ଼ା ପାଳନ ସହ ପୁଷ୍ଟିକର ବଗିଚାରୁ ସାମ୍‌ ଓ ମାମ୍‌ ପିଲାମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ଯୋଗାଇ ଦିଆଯାଉଛି। ଜିଲ୍ଲାର ୯୪୧ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟିକର ବଗିଚା ହୋଇଛି। ସମନ୍ବିତ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ଖାଦ୍ୟ ସାମଗ୍ରୀ ସହ ଅତିରିକ୍ତ ଏକ ପରିବା ତରକାରି ରନ୍ଧା ଖାଦ୍ୟ ଭାବେ ପିଲାମାନଙ୍କୁ ଯୋଗାଇ ଦିଆଯାଉଛି। ତେଣୁ ଜିଲ୍ଲାପାଳମାନେ ତ୍ବରିତ ପଦକ୍ଷେପ ନେଇ ପ୍ରତ୍ୟେକ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଏହି ପୁଷ୍ଟିକର ବଗିଚା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କୁହାଯାଇଛି।

ଭୁବନେଶ୍ବର,୨୪/୬(ଇମିସ): ଆସନ୍ତା ସେପ୍ଟେମ୍ବର ମାସରୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ହାତରେ ଆଉ ମାତ୍ର ଦୁଇ ମାସ ବାକି ଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଧାନ୍ୟ ଦିଆଯାଇଛି। ଦୁଇ ଦିନ ତଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଦାୟିତ୍ବ ଦିଆଯାଇଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦଚନ୍ଦ୍ର ପାଣିଙ୍କୁ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି କରାଯାଇଛି। ବାକି ପ୍ରମୁଖ ପଦବି ଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଆସନ୍ତା ୩୦ ତାରିଖରେ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ।

ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ମୁଖ୍ୟତଃ ୩ଟି ବିଷୟ ଉପରେ ଆଲୋଚନା କରାଯିବ। ଉକ୍ତ ଦୁଇ ବିଶ୍ବବିଦ୍ୟାଳୟର କୁଳସଚିବ, ବିତ୍ତ ନିୟନ୍ତ୍ରକ, ପରୀକ୍ଷା ନିୟନ୍ତ୍ରକ ନିଯୁକ୍ତି ଉପରେ ଆଲୋଚନା କରାଯିବ। ଏଥିସହ ଟିଚିଂ ଓ ନନ୍‌-ଟିଚିଂ ଷ୍ଟାଫ୍‌ ନିୟୋଜନ, ଏକାଡେମିକ କାର୍ଯ୍ୟକଳାପ ଆରମ୍ଭ କରିବା ଉପରେ ଏହି ବୈଠକରେ ଆଲୋଚନା ହେବ। ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମେତ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଏହି ବୈଠକରେ ସାମିଲ ହେବେ। ନିଜ ନିଜ ଜିଲ୍ଲାରେ ଥିବା ଓସ୍ବାନ ଭବନରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର