ୱାକ୍‌ ଓଭର!

ଏ ପର୍ଯ୍ୟନ୍ତ ‘ଏମ୍‌.ବି.ବି.ଏସ୍‌’ ପାଠ୍ୟକ୍ରମରେ ରହିଥିବା ‘ଏସ୍‌.ପି.ଏମ୍‌’ (ସୋସିଆଲ୍‌ ଏଣ୍ତ୍‌ ପ୍ରିଭେନ୍‌ଟିଭ୍‌ ମେଡିସିନ୍‌’) ବିଷୟର ପୁସ୍ତକଗୁଡ଼ିକରେ ‘ପାନ୍‌ଡେମିକ୍‌’ ବା ମହାମାରୀ ମାତ୍ର ଗୋଟିଏ ବା ଦୁଇଟି ପାରାଗ୍ରାଫ୍‌ ବା ଅତି ଅଧିକରେ ଗୋଟିଏ ପୃଷ୍ଠା ଅଧିକାର କରି ଆସିଛିି; କାରଣ ୨୦୨୦ ପୂର୍ବରୁ ଏକ ନିଶ୍ଚିତ ଧାରଣା ସୃଷ୍ଟି ହୋଇଥିଲା ଯେ ବର୍ତ୍ତମାନ ଭଳି ଏକ ଅତ୍ୟନ୍ତ ବିକଶିତ ବିଜ୍ଞାନ ଓ ପ୍ରବିଧି (ଚିକିତ୍ସା ବିଜ୍ଞାନ ସମେତ)ର ଯୁଗରେ ‘ପାନ୍‌ଡେମିକ୍‌’ଟିଏର ଆଶଙ୍କା ଅତ୍ୟନ୍ତ ନଗଣ୍ୟ। କହିବା ବାହୁଲ୍ୟ ଯେ କରୋନା ‘ପାନ୍‌ଡେମିକ୍‌’ ପରେ ଏହି ଧାରଣା ସ˚ପୂର୍ଣ୍ଣ ଭାବେ ବଦଳି ଯିବା ସହିତ ଏହା ନିଶ୍ଚିତ ଯେ ଆଗାମୀ ଦିନରେ ମେଡିକାଲ ପାଠ୍ୟକ୍ରମରେ ‘ପାନ୍‌ଡେମିକ୍‌’ ସ˚ପର୍କରେ ଏକ ପୂର୍ଣ୍ଣାଙ୍ଗ ଓ ପୃଥୁଳକାୟ ପୁସ୍ତକଟିଏ ଚଳିବ। ଏହା ସତ ଯେ ମାନବ ଇତିହାସରେ ଅନେକ ‘ପାନ୍‌ଡେମିକ୍‌’ ଦେଖା ଦେଇ ଯେତିକି ସ˚ଖ୍ୟକ ମାନବ ଜୀବନ ହାନିର କାରଣ ହୋଇଛି, ତାହା ଅନ୍ୟ କୌଣସି ମଣିଷକୃତ ବା ପ୍ରାକୃତିକ ବିଭୀଷିକା ଦ୍ବାରା ସମ୍ଭବ ହୋଇନାହିଁ। ଚତୁର୍ଦ୍ଦଶ ଶତାବ୍ଦୀରେ ପୃଥିବୀକୁ କଲବଲ କରିଥିବା ‘ବ୍ୟୁବୋନିକ୍‌ ପ୍ଲେଗ୍‌’ରେ ପୃଥିବୀର ସମଗ୍ର ଜନସ˚ଖ୍ୟାର ପ୍ରାୟ ଏକ ତୃତୀୟା˚ଶ ନିଶ୍ଚିହ୍ନ ହୋଇଯାଇଥିଲେ। ତେବେ ସେହି ସମୟରେ ବିଭିନ୍ନ ଭୂୂତାଣୁ ବା ବୀଜାଣୁ ଯାହାକୁ ମୂଳ ଉପଜୀବ୍ୟ କରି ସ˚କ୍ରମଣକୁ ଭୟାବହ କରିପାରୁଥିଲେ, ସେଗୁଡ଼ିକ ଥିଲା ମଣିଷର ଅଜ୍ଞତା, ଅବୈଜ୍ଞାନିକତା ଏବ˚ ଅନ୍ଧବିଶ୍ବାସ। ତେଣୁ ସ୍ବାଭାବିକ ଭାବେ ଜ୍ଞାନ-ବିଜ୍ଞାନ ଓ ସଚେତନତାର ଆଲୋକ ଦ୍ବାରା ‘ଅଜ୍ଞତା ଓ ଅବୈଜ୍ଞାନିକତା’ରୁ ସୃଷ୍ଟ ଅନ୍ଧକାର ଦୂରୀଭୂତ ହେବା ପରେ ଆଶା ପୋଷଣ କରାଯାଉଥିଲା ଯେ ଏଣିକି ‘ପାନ୍‌ଡେମିକ୍‌’ ଦେଖା ଦେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବା ନା’ ବରାବର।

ସୁତରା˚, ଆଜିକୁ ପ୍ରାୟ ଶହେ ବର୍ଷ ତଳେ ପୃଥିବୀ ସର୍ବଶେଷ ପାନ୍‌ଡେମିକ୍‌’ (୧୯୧୮ ମସିହାର ‘ସ୍ପାନିସ୍‌ ଫ୍ଲୁ’) ଦେଖି ସାରିଛି ବୋଲି ସମସ୍ତେ ଧରି ନେଇଥିଲେ। ଏହି ଧାରଣା ସେତିକି ବେଳେ ଦୃଢ଼ୀଭୂତ ହୋଇଥିଲା, ଯେତେବେଳେ ଦେଖିବାକୁ ମିଳିଥିଲା ଯେ ୨୦୧୩ ମସିହାରେ ହୋଇଥିବା ‘ଇବୋଲା’ ବା ୨୦୧୨ ମସିହାରେ ହୋଇଥିବା ‘ମର୍ସ’ ବା ୨୦୦୨ ମସିହାର ଦେଖା ଦେଇଥିବା ‘ସାର୍ସ‌୍‌’ ସ˚କ୍ରମଣ ମୁଖ୍ୟତଃ ଆଫ୍ରିକା, ମଧୢ-ପ୍ରାଚ୍ୟ ଓ ଚୀନ ଭିତରେ ପ୍ରାୟତଃ ସୀମିତ ହୋଇ ରହି ଯାଇଥିଲା; ଯଦିଓ ‘ସାର୍ସ‌୍‌’ ମଧୢ ଥିଲା ଏକ କରୋନା ଭାଇରସ; ‘କୋଭିଡ୍‌-୧୯’ ଭଳି ସ˚କ୍ରାମକ କିନ୍ତୁ ତା ତୁଳନାରେ ଅନେକ ଗୁଣରେ ଅଧିକ ଘାତକ। ତେବେ, ତତ୍କାଳୀନ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ମୁଖ୍ୟ ଗ୍ରୋ ହାର୍ଲେମ ବ୍ରନ୍‌ଟଲାଣ୍ତଙ୍କ ତାଗିଦା ହେତୁ ଚୀନ୍‌ ସମୁଚିତ ପଦକ୍ଷେପ ନେଇଥିବାରୁ ‘ସାର୍ସ‌୍‌’ ଏକ ‘ପାନ୍‌ଡେମିକ୍‌’ରେ ପରିଣତ ହୋଇ ପାରି ନ ଥିଲା। ସେହିଭଳି ‘ସ୍ବାଇନ୍‌ ଫ୍ଲୁ’(୨୦୦୯) ଏକ ‘ପାନ୍‌ଡେମିକ୍‌’ରେ ପରିଣତ ହେବା ପୂର୍ବରୁ ଏକ ପ୍ରତିଷେଧକର ଆବିର୍ଭାବ ଘଟି ଏହାକୁ ନିୟନ୍ତ୍ରଣ କରିଥିଲା। ତେବେ, ‘କୋଭିଡ୍‌-୧୯’ ତାର ଦିଗ୍‌ବିଜୟ ପଥରେ ବାହାରି ଏକ ଭୟାବହ ‘ପାନ୍‌ଡେମିକ୍‌’ ସୃଷ୍ଟି କରି ସାରା ବିଶ୍ବକୁ ଅଧିକାର କଲା କେମିତି? ଏବେ ତ ଏହି ଭାଇରସର ତୀବ୍ର ପ୍ରସାର ଲାଗି ମଣିଷର ଅଜ୍ଞତା ବା ଅବୈଜ୍ଞାନିକତା ବା ଅନ୍ଧବିଶ୍ବାସ ନାହିଁ?

ଏହାର ଉତ୍ତରଟି ବିଡ଼ମ୍ବନାପୂର୍ଣ୍ଣ; ଯାହା କହିଥାଏ ଯେ ବର˚ ଏବେ ଏହାର ଓଲଟାଟି ସତ୍ୟ, ଅର୍ଥାତ୍‌ ପ୍ରଗତି, ପ୍ରାବିଧିକ ବିକାଶ, ଗଣତନ୍ତ୍ର, ଉଦାରବାଦ, ମୁକ୍ତ ବଜାର ଆଦି ଦ୍ବାରା ଆଲୋକିତ ପୃଥିବୀଟି କୋଭିଡ୍‌-୧୯ ଭୂତାଣୁ ଲାଗି ଅତ୍ୟନ୍ତ ରୁଚିକର ହୋଇଛି। ମୁକ୍ତ ବାଣିଜ୍ୟ ଏହି ପୃଥିବୀକୁ ଗୋଟିଏ ବଜାର ପ୍ରାଙ୍ଗଣରେ ପରିଣତ କରିଛି। ପ୍ରାବିଧିକ ବିକାଶ ହେତୁ ଗମନାଗମନ ଖୁବ୍‌ ସହଜ ହୋଇ ମାନବ ସମାଜକୁ ଅତ୍ୟନ୍ତ ମୁକ୍ତ ଓ ବ୍ୟାପକ ଭାବେ ବିଚରଣଶୀଳ କରି ପକାଇଛି। ଏଥି ଲାଗି ବଜାର ଠାରୁ ଆରମ୍ଭ କରି ଧର୍ମୀୟ ପୀଠ ପର୍ଯ୍ୟନ୍ତରେ ମଣିଷର କୋଳାହଳ ତୀବ୍ର ଭାବେ ବୃଦ୍ଧି ପାଇବାରେ ଲାଗିଛି। ସ୍ମରଣ ଯୋଗ୍ୟ ଯେ କୋଭିଡ୍‌-୧୯ ଏକ ‘ପାନ୍‌ଡେମିକ୍‌’ରେ ପରିଣତ ହେବା ପଛରେ ଯାହା ଏକ ମୁଖ୍ୟ କାରଣ ତାହା ହେଲା ଚୀନର ପାର˚ପରିକ ‘ଡ୍ରାଗନ୍‌ ଉତ୍ସବ’ ଲାଗି ହଜାର ହଜାର ସ˚ଖ୍ୟକ ଘର ଫେରନ୍ତା ଚୀନା ନାଗରିକମାନଙ୍କ ବିଶ୍ବର କୋଣ ଅନୁକୋଣରେ ବିଛାଡ଼ି ହୋଇ ରହିଥିବା ନିଜ କାର୍ଯ୍ୟକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ। ‘ବଜାର’ର ଦାବି ଓ ପର˚ପରାର ଦାୟ; ଏ ଦୁଇଟିର ଯେଉଁ କକ୍‌ଟେଲ୍‌, ତାହା କେଭିଡ୍‌ ସ˚କ୍ରମଣକୁ ଅକଳ୍ପନୀୟ ବଳ ଯୋଗାଇ ଥିଲା। କହିବା ନିଷ୍ପ୍ରୟୋଜନ ଯେ ‘ଧର୍ମ’ ହେଉ ବା ‘ବଜାର’; ତାହା ସମ୍ମେଳନ ଏବ˚ ମନୁଷ୍ୟ ଗହଳି ଲୋଡ଼ିଥାଏ; ଯାହା ସ˚ପ୍ରତି ଅତି ସହଜସାଧୢ ହୋଇ କୋଭିଡ୍‌ ଭୂତାଣୁକୁ ପରାହତ କରିବା ଲାଗି ଆବଶ୍ୟକ ‘ସାମାଜିକ ଦୂରତା’ ବା ‘ଏକାନ୍ତ ବାସ’କୁ ମୂଲ୍ୟହୀନ କରି ପକାଉଛି; ସୁତରା˚ କୋଭିଡ୍‌ ଭୂତାଣୁର ସାମ୍ରାଜ୍ୟ ବିସ୍ତାର ଲାଗି ଏକ ଉର୍ବର କ୍ଷେତ୍ର ପ୍ରସ୍ତୁତ ହୋଇଯାଇଛି। କୁମ୍ଭ ମେଳାରେ ୩୫ ଲକ୍ଷ ଶ୍ରଦ୍ଧାଳୁଙ୍କ ଗଙ୍ଗା ସ୍ନାନ ଏହାର ଏକ ସଦ୍ୟତମ ଉଦାହରଣ; ଯେଉଁଠି ବିଶ୍ବର କୋଣ ଅନୁକୋଣରୁ ଅସଂଖ୍ୟ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

କେବଳ ସେତିକି ନୁହେଁ, ଗଣତନ୍ତ୍ରର ରାଜନୀତି ମଧୢ କୋଭିଡ୍‌ ଭୂତାଣୁର ଦିଗ୍‌ବିଜୟରେ ଅତ୍ୟନ୍ତ ସହାୟକ ହୋଇଛି। ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ଭୋଟ ଦାନ ପର୍ଯ୍ୟନ୍ତରେ ଗଣତାନ୍ତ୍ରିକ ପ୍ରକ୍ରିୟାର ବିଭିନ୍ନ ଚରଣରେ ପରିଦୃଷ୍ଟ ତୀବ୍ର ଉତ୍ସାହ ଓ ତଜ୍ଜନିତ ବିପୁଳ ଜନ ସମାଗମ କୋଭିଡ୍‌ ସ˚କ୍ରମଣକୁ ଭୟାବହ ରୂପ ଦେବା ଲାଗି ଏକ ଉତ୍କୃଷ୍ଟ କ୍ଷେତ୍ର ପସ୍ତୁତ କରିଥାଏ। ଗଲା ବର୍ଷ ଅନୁଷ୍ଠିତ ହୋଇଥିବା ଆମେରିକା ନିର୍ବାଚନ ଠାରୁ ଆରମ୍ଭ କରି ଭାରତରେ ବର୍ତ୍ତମାନ ଚାଲିଥିବା ପଶ୍ଚିମବଙ୍ଗ ନିର୍ବାଚନ ପର୍ଯ୍ୟନ୍ତରେ ଏହାର ଉଦାହରଣ ଅତ୍ୟନ୍ତ ସ୍ପଷ୍ଟ। ତେବେ, କେବଳ ରାଜନୈତିକ ସମାବେଶ ବା କେଳାହଳ ନୁହେଁ, ‘କୋଭିଡ୍‌-୧୯’ ଭୂତାଣୁର ରାଜନୀତୀକରଣ, ଯାହା ଏକ ଯୁକ୍ତିପ୍ରବଣ ଗଣତାନ୍ତ୍ରିକ ମାନସିକତାର ଉପଜ, ମଧ୍ୟ କୋଭିଡ୍‌ ସଂକ୍ରମଣକୁ ଅତ୍ୟନ୍ତ ଉତ୍କଟ କରିଛି। ଉଦାହରଣ ସ୍ବରୂପ ଯୁକ୍ତରାଷ୍ଟ୍ର ଆାମେରିକାରେ ଏବେ ମଧୢ ପ୍ରାୟ ୨୦% ନାଗରିକ (ଡୋନାଲଡ୍‌ ଟ୍ର˚ପ୍‌ଙ୍କ ସମର୍ଥକ) ମାସ୍କ ପିନ୍ଧିବା ଲାଗି ବା ଭ୍ୟାକସିନ ନେବା ଲାଗି ପ୍ରସ୍ତୁତ ନୁହନ୍ତି। ସେମାନେ ଟ୍ର˚ପ୍‌ଙ୍କ ସେହି ଯୁକ୍ତିକୁ ଅନ୍ଧ ଭାବେ ଗ୍ରହଣ କରିଥାଆନ୍ତି, ଯହିଁରେ ଏହି ଭୂତାଣୁକୁ ହେୟ ମଣିବା ଠାରୁ ଆରମ୍ଭ କରି ବୈଜ୍ଞାନିକ ଓ ଗବେଷକମାନଙ୍କ ପ୍ରତି ତାଚ୍ଛଲ୍ୟ ପ୍ରଦର୍ଶନର ଆଭିମୁଖ୍ୟ ଦେଖିବାକୁ ମିଳିଥାଏ। ତେବେ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ନୁହେଁ, ପୃଥିବୀର ପ୍ରାୟ ସମସ୍ତ ଗଣତନ୍ତ୍ରରେ ରାଜନୈତିକ ବିରୋଧ କିଭଳି ‘କୋଭିଡ୍‌ ସତର୍କତା’ (ଦେଶର ସରକାରଗୁଡ଼ିକ ଦ୍ବାରା ପ୍ରବର୍ତ୍ତିତ)କୁ ଅମାନ୍ୟ କରିବାରେ ପ୍ରତିଫଳିତ ହୋଇଛି, ତାହା ଦେଖିବାକୁ ମିଳିଛି।

ଏ କଥା ସତ ଯେ ମଣିଷ ପ୍ରକୃତିଗତ ଭାବେ ବନ୍ଧୁପ୍ରିୟ; ଯାହା ମଣିଷକୁ ସ୍ବାଭାବିକ ଭାବେ କରୋନାର ସହଜ ଶିକାର ହେବା ଲାଗି ପୃଷ୍ଠଭୂମି ପ୍ରସ୍ତୁତ କରିଥାଏ। ତା ସହିତ ବର୍ତ୍ତମାନର ବଜାର, ଧର୍ମ ଓ ରାଜନୀତିର କୋଳାହଳ ଆଦି ମିଶିଯାଇ ଏହାକୁ ଏଭଳି ବ୍ୟାପକ କରିଛି ଯେ କୋଭିଡ୍‌ ଭୂତାଣୁ ଲାଗି ଏ ବିଶ୍ବ ବିଜୟ ଏକ ‘ଵାକ୍‌ ଓଭର’ରେ ପରିଣତ ହୋଇଛି; ଯହିଁରେ ଭାଇରସ୍‌ଟି ତାର କୌଣସି ପ୍ରତିଦ୍ବନ୍ଦ୍ବୀ ନ ଥିବା କାରଣରୁ ଆଦୌ ନ ଖେଳି ବିଜୟ ଲାଭ କରିବାରେ ଲାଗିଛି। ଏବେ ଅବଶ୍ୟ ‘ଭ୍ୟାକସିନ’ ଏକ ପ୍ରତିପକ୍ଷ ଖେଳାଳି ଭାବେ ବିଦ୍ୟମାନ ହେଲାଣି। କିନ୍ତୁ ତା’ ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, କରୋନାକୁ ‘ୱାକ୍‌ ଓଭର୍‌’ର ସୁଯୋଗ ନ ଦେବା ଲାଗି ଏ କୋଳାହଳ ମଧ୍ୟରେ ବି ମନୁଷ୍ୟ ସମାଜ ଜାଗ୍ରତ ରହିବା ଉଚିତ।

ସମ୍ବନ୍ଧିତ ଖବର