ଟିକା ବୈଷମ୍ୟ

କୋଭିଡ୍-୧୯ର ଆବିର୍ଭାବର ଅଳ୍ପ କେତେ ମାସ ପରେ ପରେ ଏହି ଚୀନା କରୋନାଜନିତ ପ୍ୟାଣ୍ଡେମିକ୍ କବଳରୁ ସାରା ପୃଥିବୀବାସୀଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’)ର ଉଦ୍ୟମରେ ୨୦୨୦ ଏପ୍ରିଲ୍‌ରେ ‘ଦି କୋଭିଡ୍-୧୯ ଭ୍ୟାକ୍‌ସିନ୍‌ସ ଗ୍ଲୋବାଲ୍ ଆକ୍‌ସେସ୍’ (‘କୋଭାକ୍‌ସ’) ନାମକ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପୃଥିବୀର ପ୍ରତ୍ୟେକ ଦେଶର ଅଧିବାସୀଙ୍କ ପାଇଁ ସମାନ ଟିକାକରଣ ସୁଯୋଗ ଉପଲବ୍‌ଧ କରାଇବା। ଗତ ବର୍ଷାଧିକ କାଳ ଧରି ଉଭୟ ଧନୀ ଓ ଦରିଦ୍ର ଦେଶମାନଙ୍କ ମଧ୍ୟରେ ଟିକାର ସୁଷମ ବଣ୍ଟନ ନିଶ୍ଚିତ କରିବା ପାଇଁ ‘କୋଭାକ୍‌ସ’ ଉଦ୍ୟମ ଜାରି ରଖି ଆସିଛି। କିନ୍ତୁ ଏଥି ସତ୍ତ୍ବେ ବର୍ତ୍ତମାନ ଏ ସମ୍ପର୍କରେ ଯେଉଁ ଚିତ୍ର ଦେଖିବାକୁ ମିଳୁଛି, ତାହା ଅ‌ାଦୌ ଉତ୍ସାହଜନକ ନୁହେଁ ବୋଲି କହିବା ଅତିରଞ୍ଜନ ହେବ ନାହିଁ।

ଟିକା ଯୋଗାଣରେ ରହିଥିବା ଅଭାବ ଯୋଗୁଁ ବିଭିନ୍ନ ଦେଶରେ ସମ୍ଭବ ହୋଇପାରିଥିବା ଟିକାକରଣରେ ଘୋର ତାରତମ୍ୟ ରହିଛି ବୋଲି ଖୋଦ୍ ଜାତିସଂଘ କରିଥିବା ସର୍ବେକ୍ଷଣରୁ ଜଣାପଡ଼ିଥାଏ। କେତେକ ଉନ୍ନତ ଦେଶ ସେମାନଙ୍କ ଜନସଂଖ୍ୟାର ୬୦ ଶତାଂଶରୁ ଅଧିକଙ୍କର ଟିକାକରଣ ସମାପ୍ତ କରିସାରିଥିବା ବେଳେ ଅନ୍ୟ ପଟେ ଏପରି ଅନେକ ଦେଶ ଅଛନ୍ତି ଯେଉଁଠି ଜନସଂଖ୍ୟାର ଏକଶତାଂଶର ମଧ୍ୟ ଟିକାକରଣ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ। ପୃଥିବୀରେ ଟିକାକରଣର ଅଗ୍ରଗତି ଉପରେ ନଜର ରଖିଥିବା ‘ବ୍ଲୁମ୍‌ବର୍ଗ ଭ୍ୟାକ୍‌ସିନ୍ ଟ୍ରାକର୍’ ସଂଗ୍ରହ କରିଥିବା ତଥ୍ୟ ଅନୁସାରେ ଜୁଲାଇ ୪ ତାରିଖ ସୁଦ୍ଧା ପୃଥିବୀରେ ମୋଟ ପ୍ରାୟ ୩୨୦ କୋଟି ପାନ ଟିକାଦାନ ସମ୍ପୂର୍ଣ୍ଣ ହୋଇଥିଲା। ଏହି ଟିକା କିନ୍ତୁ ସମଗ୍ର ପୃଥିବୀବାସୀଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ହୋଇ ଦିଆଯାଇ ନ ଥିଲା। ଏହି ସନ୍ଧାନୀ ସଂସ୍ଥା ଅନୁସାରେ ଧନୀ ଦେଶମାନଙ୍କରେ ଟିକା ଦାନର ଅଗ୍ରଗତି ଗରିବ ଦେଶମାନଙ୍କ ତୁଳନାରେ ୩୦ ଗୁଣରୁ ଅଧିକ ଦ୍ରୁତତର ଥିଲା। ଏହାକୁ ଘୃଣ୍ୟ ବର୍ଣ୍ଣ ବୈଷମ୍ୟ ଆଚରଣ ଭଳି ଟିକା ବୈଷମ୍ୟ ରୂପେ ଅଭିହିତ କରାଯାଇ ପାରେ।

ଉଦାହରଣ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟା ହେଉଛି ପୃଥିବୀ ଜନସଂଖ୍ୟାର ମାତ୍ର ୪.୩ ଶତାଂଶ; କିନ୍ତୁ ପୃଥିବୀରେ ସମ୍ପନ୍ନ ହୋଇଥିବା ମୋଟ ଟିକାକରଣରେ ଆମେରିକାର ଅଂଶ ହେଉଛି ୧୦.୯ ଶତାଂଶ- ଅର୍ଥାତ୍ ତା’ର ଜନସଂଖ୍ୟା ଅନୁସାରେ ଏକ ସମାନ ବଣ୍ଟନ ବ୍ୟବସ୍ଥାରେ ଆମେରିକା ଭାଗରେ ଯେତିକି ଟିକା ପଡ଼ିବା କଥା, ତାହାର ପ୍ରାୟ ଅଢ଼େଇ ଗୁଣ। ସେହିପରି ଜର୍ମାନିର ଲୋକସଂଖ୍ୟା ପୃଥିବୀ ଲୋକସଂଖ୍ୟାର ମାତ୍ର ୧.୧ ଶତାଂଶ ହୋଇଥିବା ବେଳେ ଟିକାଦାନରେ ଜର୍ମାନିର ଭାଗ ହେଉଛି ଏହାର ଦୁଇ ଗୁଣରୁ ଅଧିକ, ୨.୪ ଶତାଂଶ। ଜର୍ମାନିର ପଡ଼ୋଶୀ ଫ୍ରାନ୍‌ସରେ ଚିତ୍ର ମଧ୍ୟ ଅନୁରୂପ- ବିଶ୍ବ ଜନସଂଖ୍ୟାରେ ଭାଗ ୦.୮ ଶତାଂଶ ହୋଇଥିବା ବେଳେ, ଟିକାଦାନରେ ଭାଗ ଏହାର ଦୁଇଗୁଣରୁ ଅଧିକ, ୧.୮ ଶତାଂଶ। ବ୍ରିଟେନ୍‌ରେ ମଧ୍ୟ ଅନୁରୂପ ଚିତ୍ର: ଜନସଂଖ୍ୟାର ୦.୯ ଶତାଂଶ ମାତ୍ର ରହୁଥିବା ଏହି ଦେଶ ଟିକାଦାନର ୨.୫ ଶତାଂଶ ଭାଗ ପାଇ ସାରିଛି।

ଚିନ୍ତାର ବିଷୟ, ଗରିବ ଦେଶମାନଙ୍କରୁ ମିଳିଥିବା ଚିତ୍ର ହେଉଛି ଏହାର ଠିକ୍ ବିପରୀତ। ଉଦାହରଣ ସ୍ବରୂପ ନାଇଜେରିଆର ଲୋକସଂଖ୍ୟା ପୃଥିବୀର ଲୋକସଂଖ୍ୟାର ୨.୬ ଶତାଂଶ ହୋଇଥିବା ବେଳେ ଏ ଦେଶରେ ଏଯାବତ୍ ସମ୍ପନ୍ନ ହୋଇଥିବା ମୋଟ ଟିକାଦାନ ହେଉଛି ପୃଥିିବୀରେ ହୋଇଥିବା ମୋଟ ଟିକାଦାନର ମାତ୍ର ୦.୧ ଶତାଂଶ। ସେହିପରି ବାଂଲାଦେଶରେ ପୃଥିବୀ ଲୋକସଂଖ୍ୟାର ୨.୨ ଶତାଂଶ ବାସ କରୁଥିବା ବେଳେ ଟିକାଦାନରେ ଏହାର ଭାଗ ହେଉଛି ୦.୩ ଶତାଂଶ ମାତ୍ର।

ଯଦି ଜନସଂଖ୍ୟାର ତିନି-ଚତୁର୍ଥାଂଶ (୭୫ ଶତାଂଶ)କୁ ଟିକାଦାନର ଲକ୍ଷ୍ୟ ରୂପେ ଗ୍ରହଣ କରାଯାଏ (ଏହି ଅନୁପାତ ‘ଗୋଠ ପ୍ରତିରୋଧିନୀ’ ବା ‘ହର୍ଡ ଇମ୍ୟୁନିଟି’ ନିଶ୍ଚିତ କରିଥାଏ ବୋଲି ବିଶ୍ବାସ କରାଯାଏ), ତେବେ ସାରା ପୃଥିବୀ ପାଇଁ ଏହି ଲକ୍ଷ୍ୟ ହାସଲ ହେବା ଲାଗି ବର୍ତ୍ତମାନ ଦେଖାଯାଉଥିବା ଦୈନିକ ଟିକାଦାନ ହାର ଅନୁସାରେ ସାତ ମାସ ଲାଗିବ ବୋଲି ଆକଳନ କରାଯାଉଛି। ଏହାର ଅର୍ଥ ଅବଶ୍ୟ ନୁହେଁ ଯେ ଆଉ ସାତ ମାସରେ ପୃଥିବୀର ପ୍ରତ୍ୟେକ ଦେଶର ୭୫ ଶତାଂଶ ଲୋକ ଟିକା ନେଇ ସାରିଥିବେ। ଏହା ହେଉଛି ସାରା ପୃଥିବୀ ପାଇଁ ଅନୁମାନ କରାଯାଉଥିବା ଏକ ହାରାହାରି ପରିସଂଖ୍ୟାନ। ବାସ୍ତବରେ କିନ୍ତୁ ଦେଶ ଦେଶ ତଥା ଅଞ୍ଚଳ ଅଞ୍ଚଳ ମଧ୍ୟରେ ଏ ବାବଦରେ ଘୋର ତାରତମ୍ୟ ଦେଖା ଦେବା ନିଶ୍ଚିତ। ଯେମିତି ଯଦି ବର୍ତ୍ତମାନର ଧାରା ଅପରିବର୍ତ୍ତିତ ରହେ, ଉପରୋକ୍ତ ଲକ୍ଷ୍ୟ ହାସଲ କରିବା ପାଇଁ ଇଉରୋପିଆନ୍ ୟୁନିଅନ୍ ଅଞ୍ଚଳକୁ ଆଉ ମାତ୍ର ଦୁଇମାସ ସମୟ ଲାଗିବ, ଯେଉଁ ସ୍ଥଳେ ଅନେକ ଆଫ୍ରିକୀୟ ଦେଶମାନଙ୍କୁ ସେଇ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାକୁ ଲାଗିବ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ! ଭାରତକୁ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଲାଗିବ ଆଉ ଏକ ବର୍ଷ।

ଯଦିବା ଗରିବ ଦେଶରେ ଅଦକ୍ଷ ଟିକାଦାନ ପରିଚାଳନାକୁ ଏହି ବିଳମ୍ବ ପାଇଁ କେତେକ ଦାୟୀ କରୁଛନ୍ତି, ଏହାର ପ୍ରକୃତ ତଥା ମୁଖ୍ୟ କାରଣ ହେଉଛି ଟିକାର ଯୋଗାଣରେ ଦେଖାଯାଉଥିବା ଅଭାବ। ଏ ପର୍ଯ୍ୟନ୍ତ ଦେଖାଯାଇଛି ପୃଥିବୀର ହାତଗଣତି କେତୋଟି କମ୍ପାନି ସମସ୍ତ ଟିକା ଉତ୍ପାଦନକୁ ନିୟନ୍ତ୍ରଣ କରୁଛନ୍ତି। ସେମାନେ ଯେଉଁ ଦେଶରେ ଟିକା ଉତ୍ପାଦନ କରୁଛନ୍ତି, ସେ ଦେଶମାନେ ନିଜର ଆବଶ୍ୟକତା ପୂରଣ ନ ହେବା ପର୍ଯ୍ୟନ୍ତ ଟିକାର ଯଥେଷ୍ଟ ରପ୍ତାନି ପାଇଁ ଅନୁମତି ଦେଉ ନାହାନ୍ତି। ଟିକାର ଏଭଳି ସଂକୁଚିତ ଯୋଗାଣରେ ଉନ୍ନତି ଆଣିବା ପାଇଁ କେତେ ମାସ ତଳେ ଭାରତ ଓ ଦକ୍ଷିଣ ଆଫ୍ରିକା ‘ବିଶ୍ବ ବାଣିଜ୍ୟ ସଂଗଠନ’ ଅନ୍ତର୍ଗତ କଠୋର ପେଟେଣ୍ଟ ନିୟମକୁ ସାମୟିକ ଭାବେ ନିଷ୍କ୍ରିୟ କରି ପୃଥିବୀର ଅନ୍ୟ ଦେଶମାନଙ୍କରେ ଥିବା ଉତ୍ପାଦନକ୍ଷମ କମ୍ପାନିମାନଙ୍କୁ ସମ୍ପୃକ୍ତ ବ୍ରାଣ୍ଡ୍‌ର ଟିକା ମାନ ଉତ୍ପାଦନ କରିବାକୁ ଅନୁମତି ପ୍ରଦାନ କରାଯାଉ ବୋଲି ଆହ୍ବାନ ଦେଇଥିଲେ। ଏହି ପ୍ରସ୍ତାବକୁ ଆଗେଇ ନେଇ ଆମେରିକା ମଧ୍ୟ ସାମୟିକ ପେଟେଣ୍ଟ୍‌ ଉ‌ଚ୍ଛେଦ ପ୍ରତି ସମର୍ଥନ ଘୋଷଣା କରିବା ଦେଖାଯାଇଥିଲା। ଗତ ମାସରେ ଅନୁଷ୍ଠିତ ଜି-୭ ଶୀର୍ଷ ସମ୍ମିଳନୀରେ ଯେତେବେଳେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରସ୍ତାବ ସପକ୍ଷରେ ମତ ପ୍ରକାଶ ପାଇଲା, ଏକ ଆଶା ଉଦ୍ରେକ ହୋଇଥିଲା ଯେ ହୁଏ’ତ ଅବିଳମ୍ବେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି।

ବର୍ତ୍ତମାନ କିନ୍ତୁ ଦେଖାଗଲାଣି ଯେ ଇଉରୋପିଆନ୍ ୟୁନିଅନ୍ ଓ ବିଶେଷତଃ ଏହାର ମୁଖ୍ୟ ଟିକା ଉତ୍ପାଦନକାରୀ ଦେଶ ଜର୍ମାନି ପେଟେଣ୍ଟ୍ ଉଚ୍ଛେଦ ପାଇଁ କୁଣ୍ଠା ପ୍ରକାଶ କରି ଏହା ବଦଳରେ ରପ୍ତାନି କଟକଣା କୋହଳ କରିବା ସପକ୍ଷରେ ମତ ପ୍ରକାଶ କରୁଛନ୍ତି। କହିବା ବାହୁଲ୍ୟ, ଏହା ପେଟେଣ୍ଟ୍ ମୁକ୍ତ ଟିକା ଉତ୍ପାଦନ ବୃଦ୍ଧି ସହିତ ସମାନ ନୁହେଁ। ତେଣୁ ନିକଟ ଭବିଷ୍ୟତ୍‌ରେ ବିଶ୍ବ ଟିକା ଯୋଗାଣରେ କୌଣସି ଚମକପ୍ରଦ ବୃଦ୍ଧି ଘଟିବାର ସମ୍ଭାବନା କ୍ଷୀଣ ମନେ ହେଉଛି। ତଥାପି, ଯଦି ରପ୍ତାନି କଟକଣା ହୁଗୁଳା ହୁଏ ‘କୋଭାକ୍‌ସ’ ମାଧ୍ୟମରେ ସଂଗ୍ରହ କରି ‘ହୁ’ ଯେତେ ଶୀଘ୍ର ସମ୍ଭବ ଗରିବ ଦେଶମାନଙ୍କରେ ଟିକା ପହଞ୍ଚାଇବା ଜରୁରୀ।

ସମ୍ବନ୍ଧିତ ଖବର