‘ଓସିଏ’ ଘରୋଇ ପ୍ରତିଯୋଗିତା ୨୫ରୁ

କଟକ: କରୋନା ଯୋଗୁଁ ବନ୍ଦ ରହିଥିବା ଓସିଏ (ଓଡ଼ିଶା କ୍ରିକେଟ୍‌ ସଂଘ)ର ଘରୋଇ ପ୍ରତିଯୋଗିତା ପୁଣି ଥରେ ଆରମ୍ଭ ହେବ। ବିସିସିଆଇ ପକ୍ଷରୁ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହେବାନେଇ ଘୋଷଣା ପରେ ଓସିଏ ରାଜ୍ୟ ଦଳ ଗଠନ ପାଇଁ ଅନ୍ତଃଜିଲ୍ଲା ପ୍ରତିଯୋଗିତାଗୁଡ଼ିକୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଜୁଲାଇ ୨୫ ତାରିଖରୁ ଅନ୍ତଃଜିଲ୍ଲା ପୁରୁଷ ଓ ମହିଳା କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହେବ। ବୁଧବାର ଓସିଏର ପ୍ରତିଯୋଗିତା ସମିତି ଓ ବରିଷ୍ଠ ଚୟନ ସମିତିକୁ ନେଇ ଏକ ବୈଠକ ବସିଥିଲା। ବିସିସିଆଇକୁ ଅନୁସରଣ କରି ଓଡ଼ିଶା ଏହାର ଘରୋଇ ପ୍ରତିଯୋଗିତା ଆୟୋଜନ ପାଇଁ ଏବଂ ରାଜ୍ୟ ଦଳର ପ୍ରସ୍ତୁତି ପାଇଁ ବିଭିନ୍ନ ଶିବିର ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କଠୁ ଅନୁମତି ମାଗିଛି। ଜୈବ ବଳୟ ମଧ୍ୟରେ ଓସିଏ ଏହାର ସମସ୍ତ କ୍ରିକେଟ୍‌ କାର୍ଯ୍ୟକଳାପ ଆୟୋଜନ କରିବ ବୋଲି ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି।

ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାର ବରିଷ୍ଠ ପୁରୁଷ ବିଭାଗ ମ୍ୟାଚ୍‌ଗୁଡ଼ିକ ଉଭୟ କଟକ ଓ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଏଥିପାଇଁ ୩୭ ଦଳକୁ ୬ଟି ଗ୍ରୁପରେ ବାଣ୍ଟିଦିଆଯାଇଛି। ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଦିନିକିଆ, ସୁପରଲିଗ୍‌ ମ୍ୟାଚ୍‌ଗୁଡ଼ିକ ଦିନିକିଆ, ଟ୍ବେଣ୍ଟି-୨୦ ଓ ଦୁଇ ଦିନିଆ ବିଶିଷ୍ଟ ରହିବ। ସୁପରଲିଗ୍‌ରେ ମୋଟ ୮ ଦଳ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଗ୍ରୁପ୍‌ର ‌ଶ୍ରେଷ୍ଠ ଦଳ ସହିତ ଅବଶିଷ୍ଟ ଓଡ଼ିଶା ‘ଏ’ ଓ ‘ବି’ ନାମରେ ଦୁଇଟି ଦଳ ଭାଗ ନେବେ। ଏହି ଦୁଇ ଦଳର ଖେଳାଳିମାନଙ୍କୁ ସୁପରଲିଗ୍‌କୁ ଯୋଗ୍ୟତା ଅର୍ଜନ କରିପାରିନଥିବା ୩୧ ଦଳଗୁଡ଼ିକର ଖେଳାଳିଙ୍କ ପ୍ରଦର୍ଶନକୁ ଆଧାର କରି ଓସିଏ ଚୟନକର୍ତ୍ତାମାନେ ଚୟନ କରିବେ। ଯାହାଫଳରେ ଯେଉଁ ପ୍ରତିଭାବାନ ଖେଳାଳି ଭଲ ପ୍ରଦର୍ଶନ କରିଥିବା ‌ସତ୍ତ୍ବେ ସେମାନଙ୍କ ଦଳ ସୁପରଲିଗ୍‌ ଯୋଗ୍ୟତା ହାସଲ କରିପାରିନଥିବାରୁ ପୂର୍ବରୁ ରାଜ୍ୟଦଳ ପାଇଁ ଚୟନ ହୋଇପାରୁନଥିଲେ, ସେମାନଙ୍କ କ୍ଷେତ୍ରରେ ଏହା ଦ୍ବିତୀୟ ସୁଯୋଗ ରହିବ।

ସେହିପରି ୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା ପ୍ରତିଯୋଗିତା ‌୨୫ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହା କେବଳ ଭୁବନେଶ୍ବରରେ ଆୟୋଜିତ ହେବ। ୩୬ ଦଳକୁ ନେଇ ୬ଟି ଗ୍ରୁପ୍‌ କରାଯିବା ସହ ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଦିନିକିଆ ଏବଂ ସୁପରଲିଗ୍‌ ପର୍ଯ୍ୟାୟ ୨ଦିନିଆ ବିଶିଷ୍ଟ ଖେଳାଯିବ। ଏଥିସହିତ ଅନ୍ତଃଜିଲ୍ଲା ମହିଳା କ୍ରିକେଟ ପ୍ରତିଯୋଗିତା ମଧ୍ୟ ସମାନ ତାରିଖରୁ ଭୁବନେଶ୍ବରରେ ଖେଳାଯିବ। ମହିଳା ପ୍ରତିଯୋଗିତାରେ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ଏସବୁ ପ୍ରତିଯୋଗିତାରୁ ଓସିଏ ଚୟନ ସମିତି ବିସିସିଆଇ ଘରୋଇ ପ୍ରତିଯୋଗିତା ପାଇଁ ରାଜ୍ୟ ଦଳ ଚୟନ କରିବେ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ଜଣାଇଛନ୍ତି।

ସମ୍ବନ୍ଧିତ ଖବର