‘ଲାଲ୍‌ ରାଣୀ’ର ଦେଶ

ବିଶ୍ବ ପ୍ରସିଦ୍ଧ ପିଲାଙ୍କ କାହାଣୀ ଲିୱିସ୍ କ୍ୟାରଲ୍‌ଙ୍କ ‘ଥ୍ରୁ ଦି ଲୁକିଙ୍ଗ୍ ଗ୍ଲାସ୍’ (‘ଅଇନା ଭିତର ଦେଇ’)ରେ ଠାଏ କୁନିଝିଅ ଆଲିସ୍‌କୁ ‘ଲାଲ୍ ରାଣୀ’ (‘ରେଡ୍ କୁଇନ୍’) ଏକ ଅତ୍ୟନ୍ତ ଉପଯୋଗୀ ଜୀବନ ମନ୍ତ୍ର ଶିଖାଇଛନ୍ତି: ‘‘ଏଠାରେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିବାକୁ ହେଲେ ତୁମକୁ ତୁମର ପାରୁ ପର୍ଯ୍ୟନ୍ତ ଧାଇଁବାକୁ ହେବ। ତୁମେ ଯଦି ଆଉ କେଉଁ ସ୍ଥାନରେ ପହଞ୍ଚିବାକୁ ଚାହଁ, ତୁମକୁ ଅତି କମ୍‌ରେ ତା’ର ଦୁଇଗୁଣ ବେଗରେ ଧାଇଁବାକୁ ହେବ।’’ ଗତ ସପ୍ତାହରେ ପ୍ରକାଶିତ ଭାରତୀୟ ଅର୍ଥନୀତିର ଦ୍ବିତୀୟ ଚଉଠ (ଜୁଲାଇ-‌େ‌ସପ୍ଟେମ୍ବର) ପାଇଁ ଅଭିବୃଦ୍ଧିର ଗତିବେଗ ଦେଖିଲେ ଆମର ସର୍ବ ପ୍ରଥମେ ଯେଉଁ ଅନୁଭବ ହୋଇଥାଏ, ତାହା ହେଲା ‘ରେଡ୍‌ କୁଇନ୍’ଙ୍କର ସେଇ ଉପଦେଶର ସତ୍ୟତା- ସତେ ଯେମିତି ଆମେ ବର୍ତ୍ତମାନ ‘ରେଡ୍‌ କୁଇନ୍’ଙ୍କର ସେଇ ଅଇନା ଭିତରର ଦେଶରେ ବାସ କରୁଛୁ। ଚୀନା କରୋନା ଆମକୁ ସେଠାକୁ ‌େଠଲି ଦେଇଛି।

ଦ୍ବିତୀୟ ଚଉଠରେ ଭାରତୀୟ ଅର୍ଥନୀତିର ବାସ୍ତବ ଅଭିବୃଦ୍ଧି ହାର (‘ଜିଡିପି’ ଅଭିବୃଦ୍ଧି ହାର) ଏକ ଉଲ୍ଲେଖନୀୟ ୮.୪ ଶତାଂଶ ହୋଇଛି। ଏହା ସୂଚାଇଥାଏ ଯେ ଏହାକୁ ମିଶାଇ ଲାଗ ଲାଗ ବିଗତ ଚାରି ଚଉଠ ଧରି ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ଘଟିଚାଲିଛି- କୋଭିଡ୍ ସତ୍ତ୍ବେ। କିନ୍ତୁ ଆମ ଅର୍ଥନୀତି ଏପରି ଅନବରତ ଧାଇଁ ଚାଲିଥିବା ସତ୍ତ୍ବେ ଦୁଇ ବର୍ଷ ତଳର ଏଇ ସମୟ, ଅର୍ଥାତ୍ କୋଭିଡ୍ ପୂର୍ବ ବର୍ଷ ୨୦୧୯-୨୦ର ଏଇ ଦ୍ବିତୀୟ ଚଉଠ ସମୟର ଦେଶର ଅର୍ଥନୀତିର ଅର୍ଥାତ୍ ‘ଜିଡିପି’ର ଆକାର ସହିତ ତୁଳନା କଲେ ଦେଖାଯାଇଥାଏ ଯେ ଆମେ ସେତେବେଳେ ଯେଉଁଠି ଥିଲୁ, ବର୍ତ୍ତମାନ ପ୍ରାୟ ସେଇଠି ଅଛୁ କହିଲେ ଚଳେ- ମାତ୍ର ୪ ଶତାଂଶରୁ ମଧ୍ୟ କମ୍ ବୃହତ୍ତର।

ଏଥି ସହିତ ଚଳିତ ବିତ୍ତ ବର୍ଷର ପ୍ରଥମାର୍ଦ୍ଧ (ପ୍ରଥମ ଓ ଦ୍ବିତୀୟ ଚଉଠ ମିଶି)ରେ ଅର୍ଥନୀତିର ଅଭିବୃଦ୍ଧି ହାର ଏକ ଦୁଇ ଅଙ୍କ ବିଶିଷ୍ଟ ହାର, ୧୩.୭ ଶତାଂଶରେ ପହଞ୍ଚିଛି। ଯଦି ବିତ୍ତ ବର୍ଷର ଦ୍ବିତୀୟାର୍ଦ୍ଧରେ ତେଣୁ ଅଭିବୃଦ୍ଧି ହାର ପ୍ରାୟ ୭ ଶତାଂଶ ହୁଏ, ତେବେ ସମଗ୍ର ଚଳିତ ବିତ୍ତ ବର୍ଷ ପାଇଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଏକ ସମ୍ମାନଜନକ ଦୁଇ ଅଙ୍କ ବିଶିଷ୍ଟ ସ୍ତର ସ୍ପର୍ଶ କରିବାର ଦୃଢ଼ ସମ୍ଭାବନା ରହିଛି। କିନ୍ତୁ ଯେହେତୁ ଆମେ ‘ଲାଲ୍ ରାଣୀ’ଙ୍କ ଦେଶରେ ଅଛୁ, ଏଥି ସତ୍ତ୍ବେ ଚଳିତ ବିତ୍ତ ବର୍ଷ ଶେଷରେ ଆମର ଅର୍ଥନୀତିର ଅର୍ଥାତ୍ ‘ଜିଡିପି’ର ଆକାର ଯାହା ହୋଇଥିବ, ତାହା ଦୁଇ ବର୍ଷ ତଳର- ୨୦୧୯-୨୦ର ଅର୍ଥନୀତିର ଆକାର ସହିତ ପ୍ରାୟ ସମାନ ହୋଇଥିବ କହିଲେ ଚଳେ; ଆଲିସ୍ ଓ ରେଡ୍ କୁଇନ୍ ଦୌଡ଼ିବା ବନ୍ଦ କରିବା ପରେ ଯେଉଁ ଗଛ ମୂଳରୁ ଧାଇଁବା ଆରମ୍ଭ କରିଥିଲେ, ପୁଣି ସେଇ ଗଛ ମୂଳେ ନିଜକୁ ଆବିଷ୍କାର କରିବା ଭଳି।

ଏହାର କାରଣ ଅବଶ୍ୟ କାହାରିକୁ ଅଛପା ନୁହେଁ। ଚୀନା କରୋନା ଜନିତ କୋଭିଡ୍-୧୯ ପାଣ୍ଡେମିକ୍ ଆଘାତରେ ଅର୍ଥନୀତି ଏତେ ତଳକୁ ଖସି ପଡ଼ିଥିଲା ଯେ ବର୍ତ୍ତମାନ ସମସ୍ତ ବଳ ଖର୍ଚ୍ଚ କରି ଧାଇଁବା ପରେ କେବଳ ସେଇ କ୍ଷତି ଭରଣା ହେବା ଯାହା ସମ୍ଭବ ହୋଇଛି। ତେବେ ବର୍ତ୍ତମାନ ଏ ଯେଉଁ ଅଭିବୃଦ୍ଧି ଦେଖାଯାଇଛି, ସେଥିରେ ଏପରି କେତେକ ଲକ୍ଷଣ ଅନ୍ତର୍ନିହିତ ଅଛି, ଯାହା ଏକ ଆଶା ଜନ୍ମାଇ ଥାଏ ଯେ ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ଆଗାମୀ ସମୟରେ ଭାରତୀୟ ଅର୍ଥନୀତି ‘ଲାଲ୍ ରାଣୀ’ର ଉଦ୍ଭଟ ଦେଶରୁ ମୁକୁଳି ପୁଣି ବାସ୍ତବ ପରିଚିତ ଦୁନିଆକୁ ଫେରି ଆସିବାର ଦୃଢ଼ ସମ୍ଭାବନା ରହିଛି। ଗତ ବିତ୍ତ ବର୍ଷର ଦ୍ବିତୀୟ ଚଉଠର ଚିତ୍ର ସହିତ ବର୍ତ୍ତମାନର ଏହି ଦ୍ବିତୀୟ ଚଉଠର ଚିତ୍ରକୁ ତୁଳନା କଲେ କେତେକ ସକାରାତ୍ମକ ପାର୍ଥକ୍ୟ ଦୃଷ୍ଟିଗୋଚର ହୋଇଥାଏ, ଯାହା ଏଭଳି ଆଶାକୁ ଦୃଢ଼ୀଭୂତ କରିଥାଏ।

ବର୍ଷକ ତଳର ଏଇ ସମୟରେ କେବଳ କୃଷି ଓ ବିଦ୍ୟୁତ୍ ଶକ୍ତି କ୍ଷେତ୍ର ଦ୍ବୟକୁ ଛାଡ଼ିଦେଲେ ଅର୍ଥନୀତିର ଅନ୍ୟ ସମସ୍ତ କ୍ଷେତ୍ରରେ ସଂକୋଚନ ଘଟିବା ଦେଖାଯାଇଥିଲା। ଏଥର କିନ୍ତୁ ପ୍ରାୟ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ସେଥି ମଧ୍ୟରୁ ଦୁଇଟିରେ ମଧ୍ୟ କ୍ରମାଗତ ଅଭିବୃଦ୍ଧି ଦେଖାଯାଇଛି, ଯାହା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଗୋଟିଏ ହେଉଛି ବିତ୍ତୀୟ ସେବା ଓ ଅନ୍ୟଟି ହେଉଛି ସାଧାରଣ ପ୍ରଶାସନ। ଏଥି ମଧ୍ୟରୁ ସାଧାରଣ ପ୍ରଶାସନ କ୍ଷେତ୍ରରେ ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠରେ ୫.୮ ଶତାଂଶ ହାରରେ ଅଭିବୃଦ୍ଧି ଘଟିଥିବା ବେଳେ ଦ୍ବିତୀୟ ଚଉଠରେ ଏଠାରେ ଅଭିବୃଦ୍ଧିର ହାର ଏକ ବେଶ୍ ଉଚ୍ଚା ୧୭.୪ ଶତାଂଶ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ବିଗତ ବିତ୍ତ ବର୍ଷର ଏଇ ଦ୍ବିତୀୟ ଚଉଠରେ ଏଇ କ୍ଷେତ୍ରରେ କୌଣସି ଅଭିବୃଦ୍ଧି ଘଟିବା ପରିବର୍ତ୍ତେ ବିଷାଦଜନକ ଭାବରେ ୯.୨ ଶତାଂଶ ହାରରେ ସଂକୋଚନ ଘଟିଥିଲା।

ଚଳିତ ବିତ୍ତ ବର୍ଷର ଏଇ ଦ୍ବିତୀୟ ଚଉଠରେ ଶିଳ୍ପ କ୍ଷେତ୍ରରେ ୭ ଶତାଂଶ ହାରରେ ଅଭିବୃଦ୍ଧି ଘଟିଥିବା ବେଳେ ଆଠଟି ଶିଳ୍ପକୁ ନେଇ ମଞ୍ଜି କ୍ଷେତ୍ର ବା ‘କୋର୍ ସେକ୍‌ଟର୍’ ରୂପେ ବିବେଚିତ କ୍ଷେତ୍ର (କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ବିଶୋଧନ, ସାର, ଇସ୍ପାତ, ସିମେଣ୍ଟ୍ ଓ ବିଦ୍ୟୁତ୍ ଶକ୍ତି)ରେ ୭.୫ ଶତାଂଶ ହାରରେ ଅଭିବୃଦ୍ଧି ଘଟିଛି। ଏହି ସମୟରେ ହୋଇଥିବା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିବେଚିତ ମୋଟ ପୁଞ୍ଜି ନିବେଶ ‘ଜିଡିପି’ର ୨୮ ଶତାଂଶ ଅନୁପାତ ଅତିକ୍ରମ କରିଛି। ସବୁଠାରୁ ଯାହା ସନ୍ତୋଷଜନକ, କୃଷି କ୍ଷେତ୍ରରେ ଅଭିବୃଦ୍ଧି ଏହି ବିଷାଦଜନକ ସମୟରେ ପ୍ରଦର୍ଶନ କରି ଆସିଥିବା ଚମତ୍କାର ରେକର୍ଡ ବଜାୟ ରଖି ଦ୍ବିତୀୟ ଚଉଠରେ ମଧ୍ୟ ପୂର୍ବ ବର୍ଷର ଏଇ ସମୟ ତୁଳନାରେ ୪.୫ ଶତାଂଶ ବୃଦ୍ଧି ହାର ହାସଲ କରିଛି। ଉଭୟ ପ୍ରଥମ ଚଉଠ ଓ ଦ୍ବିତୀୟ ଚଉଠରେ ସେବା କ୍ଷେତ୍ରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ ହୋଇଛି।

ଅର୍ଥନୀତିରେ ଦେଖା ଦେଇଥିବା ଏହି ସୁଧାର ପଛରେ ରହିଥିବାର ଯାହା ହେଉଛି ନିଶ୍ଚିତ ରୂପେ ମୁଖ୍ୟ କାରଣ, ତାହା ହେଲା ଦ୍ରୁତ ଟିକାକରଣ ଏବଂ ଏକ ନୀଚା ଭୂତାଣୁ ଆକ୍ରାନ୍ତ ସଂଖ୍ୟା, ଯାହା ଦ୍ବିତୀୟ ଚଉଠରେ ଅର୍ଥନୈତିକ କାର୍ଯ୍ୟକଳାପର ପରିଧିକୁ ସମ୍ପ୍ରସାରିତ କରିବାରେ ଲାଗିଲା। ବିଶେଷକରି ସ୍ପର୍ଶ-ସଘନ ସେବା କ୍ଷେତ୍ର, ଯେଉଁଠି କୋଭିଡ୍ ଯୋଗୁଁ ପ୍ରାୟ ଏକ ସମ୍ପୂର୍ଣ୍ଣ ସ୍ଥାଣୁ ଅବସ୍ଥା ସୃଷ୍ଟି ହୋଇ ଯାଇଥିଲା, ତାହା କ୍ରମେ ଉନ୍ମୁକ୍ତ ହେବାକୁ ଲାଗିଲା। ଯଦି ବା ଆଗାମୀ ସମୟରେ ଭାରତୀୟ ଅର୍ଥନୀତିର ଏହି ଅଭିବୃଦ୍ଧି ଧାରା ଅବ୍ୟାହତ ରହିବାର ଏକ ଦୃଢ଼ ସମ୍ଭାବନା ରହିଛି, ତଥାପି ଏହା ଯେଉଁ ଦୁଇଟି ନୂତନ ପ୍ରତିବନ୍ଧର ସମ୍ମୁଖୀନ ହେବାର ଆଶଙ୍କା ରହିଛି, ତାହା ହେଲା- ରୂପାନ୍ତରିତ କରୋନା ଭୂତାଣୁ ‘ଓମିକ୍ରନ୍’ ଏବଂ ଏକ ମୁଦ୍ରାସ୍ଫୀତି ସମ୍ଭାବନାର ଆବିର୍ଭାବ।

ତେବେ ଏ ପର୍ଯ୍ୟନ୍ତ ଯାହା ସୂଚନା ମିଳୁଛି, ‘ଓମିକ୍ରନ୍’ର ଅନୁପ୍ରବେଶ ଯୋଗୁଁ ପୁଣି ଦେଶବ୍ୟାପୀ ଲକ୍‌ଡାଉନ୍ ଲାଗୁ ହେବାର ସମ୍ଭାବନା କ୍ଷୀଣ। ମୁଦ୍ରାସ୍ଫୀତି କଥା କିନ୍ତୁ ଭିନ୍ନ। ଖାଉଟି ମୁଦ୍ରାସ୍ଫୀତି ହାର ଏବେ ୪.୫ ଶତାଂଶ ହୋଇଥିଲେ ହେଁ ପାଇକାରୀ ମୁଦ୍ରାସ୍ଫୀତି ହାର ହେଉଛି ବିଗତ ପାଞ୍ଚମାସ ମଧ୍ୟରେ ସର୍ବୋଚ୍ଚ, ୧୨.୫୪ ଶତାଂଶ, ଯାହା ଅବିଳମ୍ବେ ଖାଉଟି ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିପାରେ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଯଦି ସୁଧ ହାରରେ ବୃଦ୍ଧି ଘଟାଏ, ତାହା ଅଭିବୃଦ୍ଧିକୁ ବ୍ୟାହତ କରିବ। ଏଣୁ ରିଜର୍ଭ ବ୍ୟାଙ୍କ୍‌କୁ ଏକ ସୂକ୍ଷ୍ମ ସନ୍ତୁଳନ ରକ୍ଷା କରି ଏପରି ପଦକ୍ଷେପ ନେବାକୁ ହେବ ଯେପରି ଆମ ଅର୍ଥନୀତି ଏଥର ‘ଲାଲ୍ ରାଣୀ’ର ଦେଶରୁ ବାହାରି ଆସିବ ଏବଂ ମୁଦ୍ରାସ୍ଫୀତି ରାକ୍ଷସ ତାକୁ ଅଟକାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର