ଜରାଥୁଷ୍ଟ୍ର

ସୋମବାର ଦିନ ସ୍ବର୍ଗର ନାଟ୍ୟ ମଣ୍ଡପକୁ ପ୍ରସ୍ଥାନ କରିଥିବା ବ୍ରିଜ୍‌ମୋହନ ନାଥ ମିଶ୍ର ଓ ୧୯୦୦ ସାଲରେ ଇହଧାମ ତ୍ୟାଗ କରିଥିବା ଫେଡେରିକ୍ ନିଚାଙ୍କ ମଧ୍ୟରେ ସାଧାରଣ କ’ଣ? ଭାରତୀୟ ଶାସ୍ତ୍ରୀୟ ନୃତ୍ୟ କଳା କଥକର ରକ୍ତମାଂସଧାରୀ ରୂପ ବ୍ରିଜମୋହନ ମିଶ୍ର ଓରଫ୍ ବିର୍‌ଜୁ ମହାରାଜ ଏବଂ ପୃଥିବୀ ପୃଷ୍ଠରେ ନିଜର ଭାଗ୍ୟ ନିୟନ୍ତ୍ରଣକାରୀ ଅତିମାନବ ବା ‘ସୁପର୍ ମ୍ୟାନ୍’ର ଆବିର୍ଭାବ ଧାରଣାର ଜନ୍ମଦାତା ଜର୍ମାନ୍ ଦାର୍ଶନିକ ନିଚାଙ୍କ ମଧ୍ୟରେ କୌଣସି ସାଦୃଶ୍ୟ ସନ୍ଧାନ ଉଦ୍ୟମ ସ୍ବାଭାବିକ ଭାବରେ ଏକ ଉଦ୍ଭଟ ପରିକଳ୍ପନା ରୂପେ ବିବେଚିତ ହୁଅନ୍ତା। କିନ୍ତୁ ଦୁହିଙ୍କ ବ୍ୟକ୍ତି ସତ୍ତାର ଗୋଟିଏ ଏପରି ମୁଖ୍ୟ ଅଂଶ ଏକା ଭଳି ଥିଲା ଯେ ଯଦି କେହି କଳ୍ପନା କରେ ଯେ ସ୍ବର୍ଗର ନାଟ୍ୟମଣ୍ଡପରେ ଏବେ ଉଭୟଙ୍କ ମଧ୍ୟରେ ଭେଟ ହେଉଥିବ, ତାହା ଆଦୌ ଉଦ୍ଭଟ ବିବେଚିତ ହେବ ନାହିଁ। ନିଚାଙ୍କ ଭାଷା ବ୍ୟବହାର କରି କୁହାଯାଇପାରେ- ଏ ଦୁଇ ଅତିମାନବଙ୍କ ମଧ୍ୟରେ ସାଧାରଣ ଭୂମି ହେଉଛି: ନୃତ୍ୟ।

ନର୍ତ୍ତକ ବିର୍‌ଜୁ ମହାରାଜଙ୍କ ପାଇଁ ସ୍ବାଭାବିକ ଭାବରେ ନୃତ୍ୟ ହିଁ ଥିଲା ଜୀବନ; କିନ୍ତୁ ଜୀବିକା ଅର୍ଜନର ଉପାୟ ଭାବରେ ନୁହେଁ, ତାଙ୍କ ଜୀବନ ଦର୍ଶନର କେନ୍ଦ୍ର ବିନ୍ଦୁ ଥିଲା ନୃତ୍ୟ। ଆଶ୍ଚର୍ଯ୍ୟଜନକ ଭାବରେ ଠିକ୍ ଯେମିତି ଥିଲା ନିଚାଙ୍କ ପାଇଁ। କେହି କେହି ଆଶ୍ଚର୍ଯ୍ୟ ହୋଇ ପାରନ୍ତି ଯେ ‘ୱିଲ୍ ଟୁ ପାୱାର୍’ ଦର୍ଶନର ପ୍ରବକ୍ତା ବା ଶକ୍ତିଶାଳୀ ହେବା ପାଇଁ ଇଚ୍ଛାଶକ୍ତି ଆହରଣ ପାଇଁ ଆହ୍ବାନ ଦେଇଥିବା ଏହି ପ୍ରଭାବଶାଳୀ ଦାର୍ଶନିକଙ୍କ ପାଇଁ ନୃତ୍ୟ କିପରି ପ୍ରାସଙ୍ଗିକ ଥିଲା! ନିଜ ଚତୁଃପାର୍ଶ୍ବର ସୃଷ୍ଟିର ପ୍ରତ୍ୟେକ ପରିସ୍ଫୁଟନରେ ବିର୍‌ଜୁ ମହାରାଜ ନୃତ୍ୟର ବିଭିନ୍ନ ବିଭାବ ଆବିଷ୍କାର କରି ତାହାକୁ ନିଜର ନୃତ୍ୟକଳାର ଅଂଶରେ ପରିଣତ କରୁଥିଲେ- ପିମ୍ପୁଡ଼ିଟିଏର ଚାଲିବାରୁ ଆରମ୍ଭ କରି ଉଚ୍ଛୁଳା ନଈର ସୁଅ ପର୍ଯ୍ୟନ୍ତ। ଶରୀରର ଅଙ୍ଗ ଚାଳନାରେ ସେ ଆବିଷ୍କାର କରିଥିବା ଅସୁମାରି ସମ୍ଭାବନା ଉଭୟ ବିଦଗ୍‌ଧ ସମାଲୋଚକମାନଙ୍କୁ ଯେଉଁଭଳି ମନ୍ତ୍ରମୁଗ୍‌ଧ କରୁଥିଲା, ସାଧାରଣ ଦର୍ଶକମାନଙ୍କୁ ମଧ୍ୟ ସେଇଭଳି ମୋହାବିଷ୍ଟ କରି ଦେଉଥିଲା।

ନିଚାଙ୍କର ବୌଦ୍ଧିକ ଧ୍ୟାନ ସେଇଭଳି ମାନବ ଶରୀର ଉପରେ କେନ୍ଦ୍ରୀଭୂତ ଥିଲା। ପୃଥିବୀ ପୃଷ୍ଠରେ ମନୁଷ୍ୟ ତା’ର ଶରୀର ମାଧ୍ୟମରେ ହିଁ ଜୀବନ ଧାରଣ କରିଥାଏ ଓ ଶରୀର ମାଧ୍ୟମରେ ହିଁ ସମସ୍ତ ଅନୁଭୂତି ସଂଗ୍ରହ କରିଥାଏ। ଶରୀରର ଏହି ଶକ୍ତିକୁ ଶାଣିତ କରିବାର ଉପାୟ ନିଚାଙ୍କ ବିଚାରରେ ହେଉଛି- ନୃତ୍ୟ। ତାଙ୍କର ପ୍ରାୟ ପ୍ରତ୍ୟେକ ରଚନାରେ- ପ୍ରଥମ ପୁସ୍ତକ ‘ଦି ବାର୍ଥ‌୍ ଅଫ୍ ଟ୍ରାଜେଡି’ରୁ ମରଣୋତ୍ତର ପ୍ରକାଶିତ ଶେଷ ପୁସ୍ତକ ‘ଏକେ୍‌କେ ହୋମୋ’ ପର୍ଯ୍ୟନ୍ତ- ନୃତ୍ୟ ସମ୍ବନ୍ଧରେ ଉଲ୍ଲେଖ ଦେଖିବାକୁ ମିଳିଥାଏ। ଏଭଳି ନୃତ୍ୟମୁଖୀ ଦର୍ଶନ ସୃଷ୍ଟି କରିବା ପଛରେ ନିହିତ ଥିବା ନିଚାଙ୍କର ଉଦ୍ଦେଶ୍ୟ: ଶରୀରଧାରୀ ସତ୍ତା ରୂପେ ଏହି ପୃଥିବୀରେ ବଞ୍ଚି ରହିଥିବା ବେଳେ ଜୀବନର ଅସ୍ତିତ୍ବ ସାବ୍ୟସ୍ତ କିପରି କରାଯାଇ ପାରିବ, ତାହା ତାଙ୍କର ପାଠକପାଠିକାମାନଙ୍କୁ ଶିଖାଇବା। ନୃତ୍ୟ ହେଉଛି ମନୁଷ୍ୟର ଦୈହିକ ସତ୍ତାର ଚଳନ। ମନୁଷ୍ୟ ଯେତେବେଳେ ଏହି ଶାରୀରିକ ଚଳନ କୌଶଳ ଶିକ୍ଷା କରେ ନାହିଁ, ସେତେବେଳେ ତା’ର ଇନ୍ଦ୍ରିୟମାନଙ୍କର ତୀକ୍ଷ୍‌ଣତା ହ୍ରାସ ପାଏ ଓ କେଉଁଥିରେ ତା’ର ମଙ୍ଗଳ ହେବ ବା ଅମଙ୍ଗଳ ହେବ, ତାହା ଆକଳନ କରିବାର କ୍ଷମତା ସେ ହରାଇ ବସେ।

ନିଚାଙ୍କର ଏହି ନୃତ୍ୟ-କୈନ୍ଦ୍ରିକ ଦର୍ଶନ ତାଙ୍କର ଯେଉଁ ରଚନାରେ ସର୍ବୋଚ୍ଚ ସ୍ଥାନ ଦଖଲ କରିଥିଲା, ତାହା ମଧ୍ୟ ହେଉଛି ଅନେକଙ୍କ ମତରେ ତାଙ୍କର ସର୍ବଶ୍ରେଷ୍ଠ: ୧୮୮୩ରେ ପ୍ରକାଶିତ ‘ଦସ୍ ସ୍ପୋକ୍ ଜରାଥୁଷ୍ଟ୍ର’ (‘ଏହିପରି କହିଥିଲେ ଜରାଥୁଷ୍ଟ୍ର’)। ଏହି କାହାଣୀରେ ଜରାଥୁଷ୍ଟ୍ର ନାମକ ବ୍ୟକ୍ତି ଦୀର୍ଘ ଦଶ ବର୍ଷ କାଳ ଏକ ପର୍ବତ ଶିଖରରେ ଏକାନ୍ତ ବାସ କଲା ପରେ ତଳକୁ ଓହ୍ଲାଇଛନ୍ତି; ଓହ୍ଲାଇବାର ଉଦ୍ଦେଶ୍ୟ- ଲୋକମାନଙ୍କୁ ଶିଖାଇବା ସେମାନେ କିପରି ନିଜକୁ ଭଲ ପାଇବେ ଓ ନିଜର ମାନବତ୍ବକୁ ଭଲ ପାଇବେ। ଚାରି ଭାଗରେ ପ୍ରକାଶିତ ଏହି ପୁସ୍ତକର ପ୍ରତ୍ୟେକ ଭାଗ ଛତ୍ରେ ଛତ୍ରେ ନୃତ୍ୟର ଅବତାରଣାରେ ଭରପୂର। ଜରାଥୁଷ୍ଟ୍ର ନିଜେ ହେଉଛନ୍ତି ଜଣେ ନିପୁଣ ନର୍ତ୍ତକ। ସେ ସମସ୍ତଙ୍କୁ ମଧ୍ୟ ତାଙ୍କ ଭଳି ନୃତ୍ୟ କରିବାକୁ ଆହ୍ବାନ ଦିଅନ୍ତି। ସେ ସେମାନଙ୍କୁ ଅନୁଶାସନ କଲା ଭଳି କହନ୍ତି ଯେ ସେମାନେ ସମସ୍ତେ ହେଉଛନ୍ତି ଉଚ୍ଚାଙ୍ଗ ମନୁଷ୍ୟ; ସେମାନଙ୍କର କିନ୍ତୁ ଦୋଷ ହେଲା ଏହା ଯେ ସେମାନେ ଠିକ୍ ଭାବରେ ନୃତ୍ୟ କରି ଜାଣି ନାହାନ୍ତି- ନିଜ ଉପରେ ନିଜେ ନାଚି ଜାଣି ନାହାନ୍ତି। ନୃତ୍ୟ ମାଧ୍ୟମରେ ବ୍ୟକ୍ତି ନିଜ ଉପରେ ନିଜର ନିୟନ୍ତ୍ରଣ ସାବ୍ୟସ୍ତ କରିଥାଏ- ଏହା ହିଁ ହେଉଛି ଏ ଉକ୍ତିର ଅର୍ଥ। ନିଜ ଉପରେ ନିଜର ନିୟନ୍ତ୍ରଣ ଅର୍ଥ ନିଜକୁ କ୍ରୋଧ, ହତାଶା, ତିକ୍ତତା ଆଦିରୁ ମୁକ୍ତ କରିବା। ଜୀବନକୁ ‘ହଁ!’ କହିବା।

ନୃତ୍ୟ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଜରାଥୁଷ୍ଟ୍ର ରୂପରେ ନିଚା ଆହ୍ବାନ ଦେଇ ଯାହା ସାବ୍ୟସ୍ତ କରିବାକୁ ଚାହିଁଥିଲେ ତାହା ହେଲା- ଏ କାର୍ଯ୍ୟ କେବଳ ଏକ ବୌଦ୍ଧିକ କାର୍ଯ୍ୟ ନୁହେଁ। ଜୀବନର ଜୟଗାନ କରିବାର କ୍ଷମତା ହାସଲ ପାଇଁ ନୃତ୍ୟ ଭଳି ଶୃଙ୍ଖଳିତ ଶାରୀରିକ କସରତର ଆବଶ୍ୟକତା ରହିଛି, ଯାହା ନୈସର୍ଗିକ ତାଳ ସହିତ ଖାପ ଖାଇବା ପାଇଁ ମସ୍ତିଷ୍କକୁ ଶୃଙ୍ଖଳିତ କରିଥାଏ; ଆମର ଇନ୍ଦ୍ରିୟମାନଙ୍କର ସୃଜନଶୀଳତା ସହିତ ଏବଂ ସର୍ବୋପରି ଆମର ଶରୀର ସହିତ ଖାପ ଖାଇବା ପାଇଁ ମଧ୍ୟ ମସ୍ତିଷ୍କକୁ ଶୃଙ୍ଖଳିତ କରିଥାଏ। ଆମେ ଯେତେବେଳେ କେବଳ ଏଇ ଭଳି ନୃତ୍ୟରେ ମଗ୍ନ ହୋଇ ଯିବା, ସେତେବେଳେ ଯାଇ ଆମେ ସୃଷ୍ଟି କରୁଥିବା ମୂଲ୍ୟବୋଧ ଓ କରୁଥିବା କାର୍ଯ୍ୟ ଆମ ନିଜ ପ୍ରତି ଭଲ ପାଇବା ସହିତ ଏ ପୃଥିବୀ ପ୍ରତି ଭଲ ପାଇବା ପ୍ରକାଶ କରୁଛି କି ନାହିଁ ତାହା ଅନୁଭବ କରିପାରିବା ନିମିତ୍ତ ଆମ ଠାରେ ଆବଶ୍ୟକ ଇନ୍ଦ୍ରିୟାଶ୍ରୟୀ ଚେତନା ସୃଷ୍ଟି କରିବ।
ଜରାଥୁଷ୍ଟ୍ରଙ୍କର ଏହି ଆହ୍ବାନ ସହିତ ସମ୍ପୂର୍ଣ୍ଣ ଖାପ ଖାଇବା ଭଳି କାହାକୁ ନିଚା ତାଙ୍କର ଜୀବଦ୍ଦଶାରେ ଖୋଜି ପାଇଥିଲେ କି ନାହିଁ, ଜଣା ନାହିଁ; କିନ୍ତୁ ବିର୍‌ଜୁ ମହାରାଜ ନିଚାଙ୍କର ଏହି ପରିକଳ୍ପନା ସହିତ ଏ ପରି ଖାପ ଖାଇ ଯାଆନ୍ତି ଯେ, ତାଙ୍କୁ ଖୋଦ୍ ନର୍ତ୍ତକ ଜରାଥୁଷ୍ଟ୍ର ବୋଲି କହିଲେ କିଛି ଭୁଲ୍ ହେବ ନାହିଁ। କେବଳ କଥକ ନୃତ୍ୟ ନୁହେଁ, କଥକକୁ କେନ୍ଦ୍ର କରି ସମୟକ୍ରମେ ସୃଷ୍ଟି ହୋଇଥିବା ସମଗ୍ର ସଂସ୍କୃତି ସହିତ ବିର୍‌ଜୁ ମହାରାଜ ଏପରି ଅବିଚ୍ଛେଦ୍ୟ ଭାବରେ ଜଡ଼ିତ ହୋଇ ଯାଇଥିଲେ ଯେ ତାଙ୍କ ବିନା ଏହାର କଳ୍ପନା କରି ହେଉନଥିଲା। ଏହି ନୃତ୍ୟ ଶୈଳୀ ଆବଶ୍ୟକ କରୁଥିବା ଅଙ୍ଗଚାଳନା ଓ ଗତି ବେଗର ତୀବ୍ରତା (ଯେମିତି ‘ଚକ୍‌କର’ ବା ଚକାଭଉଁରି ସମୟରେ) ଉପରେ ତାଙ୍କର ନିୟନ୍ତ୍ରଣ ଯେଉଁଭଳି ସମ୍ପୂର୍ଣ୍ଣ ଓ ସାବଲୀଳ ଥିଲା, ତାହା ନିଚା ନିର୍ଦ୍ଦେଶିତ ନିଜ ଉପରେ ନିଜେ ନୃତ୍ୟ କରିବାର ନିକଟତମ ସମ୍ଭବ ପ୍ରଦର୍ଶନ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଜରାଥୁଷ୍ଟ୍ର ବର୍ଣ୍ଣିତ ନୃତ୍ୟ ମାଧ୍ୟମରେ ନିଜ ଉପରେ ନିଜର ନିୟନ୍ତ୍ରଣ ବିର୍‌ଜୁ ମହାରାଜଙ୍କୁ ପ୍ରକୃତରେ ଜଣେ ପ୍ରଶସ୍ତ ହୃଦୟ ଦରଦୀ ମନୁଷ୍ୟରେ ପରିଣତ କରିଥିଲା। ତାଙ୍କର ‘କଳାଶ୍ରମ’ ନୃତ୍ୟ ଶିକ୍ଷା କେନ୍ଦ୍ରରୁ ତାଲିମ ପାଇଥିବା ବହୁ ସଂଖ୍ୟକ ଶିଷ୍ୟ-ଶିଷ୍ୟାମାନେ ହେଉଛନ୍ତି ଏହାର ସାକ୍ଷୀ। ସେ ତାରକା ଶିଷ୍ୟମାନଙ୍କର ଯେତିକି ଯତ୍ନ ନେଉଥିଲେ, ସାଧାରଣ ଭାବରେ ପେଟ ପୋଷିବା ପାଇଁ ନୃତ୍ୟ ଶିକ୍ଷା କରୁଥିବା ଶିଷ୍ୟମାନଙ୍କ ପ୍ରତି ମଧ୍ୟ ସେତିକି ଧ୍ୟାନ ଦେଉଥିଲେ। କଥକ ନର୍ତ୍ତକନର୍ତ୍ତକୀମାନଙ୍କୁ ସେ କଥାକାର ରୂପେ ବିବେଚନା କରୁଥିଲେ। ସେମାନେ ସମସାମୟିକ ଦୁନିଆର କାହାଣୀକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିବାକୁ ସେ ଉତ୍ସାହିତ କରୁଥିଲେ। କିନ୍ତୁ ତାଙ୍କର ଜରାଥୁଷ୍ଟ୍ରୀୟ ହୃଦୟକୁ ଯାହା ଦଖଲ କରି ରହିଥିଲା, ତାହା ହେଉଛି କଥକର ପ୍ରାଣ- ରାଧାକୃଷ୍ଣ ପ୍ରେମ। ନିଜର ସୃଜନାତ୍ମକ ଶୃଙ୍ଖଳିତ ଅଙ୍ଗ ଚାଳନାରେ ଓ ଅନନୁକରଣୀୟ ମୁଖଭଙ୍ଗୀ ମାଧ୍ୟମରେ ସେ ମଞ୍ଚ ଉପରେ ଏହି ପ୍ରେମର ଯେଉଁ ଚିତ୍ର ଆଙ୍କି ଦେଉଥିଲେ, ତାହା ସତେ ଯେମିତି କେତେ କ୍ଷଣ ପାଇଁ ପବନରେ ଝୁଲି ରହୁଥିଲା। ଉତ୍ତର ବୟସରେ ସେ ରଚନା କରୁଥିବା କବିତାମାନ ମଞ୍ଚରେ ଏହି ଚିତ୍ର ଆଙ୍କିବା ପାଇଁ ତାଙ୍କୁ ରୂପକଳ୍ପ ଯୋଗାଉଥିଲା ବୋଲି ବିର୍‌ଜୁ ମହାରାଜ କହୁଥିଲେ।

ସେ ପହଞ୍ଚିବା ପରେ ସ୍ବର୍ଗପୁରୀ ନିଃସନ୍ଦେହରେ ସଂଗୀତ ଓ ନୃତ୍ୟମୁଖର ହୋଇ ପଡ଼ିଥିବ।

ସମ୍ବନ୍ଧିତ ଖବର