ଚୋରାବାଲି

୧୯୩୦ ଦଶକର ଆଦ୍ୟ ଭାଗର ଆମେରିକାରେ ଏଇଭଳି କିଛି ଜୋକ୍‌ ବହୁଳ ପ୍ରସାରିତ ଥିବା ଦେଖା ଯାଇଥିଲା। ଯେମିତି, ‘ତୁମେ ଯଦି ଗୋଲ୍‌ଡ ମ୍ୟାନ୍‌ ସାକ୍‌ସ କମ୍ପାନିର ସେଆର‌୍‌ କିଣିବ, ତୁମକୁ ପ୍ରତି ସେଆର‌୍‌ ସହିତ ଗୋଟିଏ ସୌଜନ୍ୟ ମୂଳକ ରିଭଲ୍‌ଭର‌୍‌ ଫ୍ରି ମିଳିବ’। ଅନ୍ୟ ଏକ ନମୁନା: ‘ତୁମେ କୌଣସି ଏକ ହୋଟେଲ୍‌ରେ ରୁମ୍‌ଟିଏ ବୁକ୍‌ କରିବାକୁ ଯାଇ କାଉଣ୍ଟର‌୍‌ରେ ପହଞ୍ଚିଲେ, ସେଠାରେ ଡ୍ୟୁଟିରେ ଥିବା କ୍ଲର୍କ ତୁମକୁ ପଚାରିବେ- ‘‘ଶୋଇବା ପାଇଁ ନା ଡେଇଁବା ପାଇଁ?’’ ବୁଝିବା କଷ୍ଟ ନୁହେଁ ଯେ ଉଭୟ ବନ୍ଧୁକ ଓ ତଳକୁ ଡେଇଁବା ପାଇଁ ସୁବିଧା ଥିବା ରୁମ୍‌ ଆତ୍ମହତ୍ୟା ସୁଗମ କରିବା ପାଇଁ ଉଦ୍ଦିଷ୍ଟ।

ଏପରି କ୍ରୂର ଥଟ୍ଟା ତାମସାର ପୃଷ୍ଠଭୂମି ହେଲା ୧୯୨୯ ଅକ୍ଟୋବର ଶେଷ ସପ୍ତାହରେ ଆମେରିକାର ସେଆର‌୍‌ ବଜାରରେ ଘଟିଥିବା ଭୟଙ୍କର ଭୂ-ସ୍ଖଳନ, ଯାହା ପରେ ପାଞ୍ଚବର୍ଷ ଧରି ସେ ଦେଶର ଅର୍ଥନୀତି ସହିତ ସମଗ୍ର ବିଶ୍ବ ଅର୍ଥନୀତି ଏକ ଗଭୀର ମହା ଅବପାତରେ ପଡ଼ି ଉବୁଟୁବୁ ହୋଇଥିଲା। ଭୁଶୁଡ଼ିବା ପୂର୍ବରୁ ସେଆର‌୍‌ ବଜାର ଯେଉଁ ଆକାଶଛୁଆଁ ହୋଇଥିଲା, ତାହାର ମୂଳଭିତ୍ତି ଅବାସ୍ତବ ଥିବାରୁ ଅବଶେଷରେ ଭୁଶୁଡ଼ିବା ଅନିବାର୍ଯ୍ୟ ଥିଲା ବୋଲି ପରବର୍ତ୍ତୀ ସମୟରେ ବିଶେଷଜ୍ଞ ଅନୁଶୀଳନକାରୀମାନେ ଏକମତ ହୋଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର‌୍‌ ଶକ୍ତିକାନ୍ତ ଦାସ ଏବେ ଭାରତୀୟ ସେଆର‌୍‌ ବଜାରର ଆଚରଣ ସମ୍ବନ୍ଧରେ ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି, ତା’ପଛରେ ଯଦି ଉପରୋକ୍ତ ଜୋକ୍‌ମାନ ବହନ କରୁଥିବା ସତର୍କବାଣୀ କାର୍ଯ୍ୟ କରୁଥାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଅବାସ୍ତବ ଭାବରେ ଉଚ୍ଚ ହୋଇଥିବା ସେଆର‌୍‌ ବଜାର ଭୁଶୁଡ଼ି ପଡ଼ିବାର ପରିଣାମ ସ୍ବରୂପ ଯେଉଁ ନିବେଶକମାନେ ସର୍ବସ୍ବାନ୍ତ ହୋଇ ଚରମ ହତାଶା ଦ୍ବାରା କବଳିତ ହୋଇଥିଲେ, ସେଇମାନଙ୍କ ପ୍ରତି ହିଁ ଆତ୍ମହତ୍ୟା-ଇଙ୍ଗିତକାରୀ ସେହି ନିଷ୍ଠୁର ପରିହାସ ମାନ ଉଦ୍ଦିଷ୍ଟ ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦ୍ବାରା ସଦ୍ୟ ପ୍ରକାଶିତ ‘ବିତ୍ତୀୟ ସ୍ଥିରତା ରିପୋର୍ଟ’ (ଫାଇନାନ୍‌ସିଆଲ୍‌ ଷ୍ଟାବିଲିଟି ରିପୋର୍ଟ)ର ମୁଖବନ୍ଧରେ ଶକ୍ତିକାନ୍ତ ଦାସ ଲେଖିଛନ୍ତି: ‘‘ଉଭୟ ଭାରତରେ ଓ ପୃଥିବୀରେ ବିତ୍ତୀୟ ବଜାରର କେତେକ ଅ˚ଶ ଏବ˚ ବାସ୍ତବ ଅର୍ଥନୀତି ମଧୢରେ ସମ୍ପର୍କହୀନତା ନିକଟ ଅତୀତରେ ବୃଦ୍ଧି ପାଇ ଚାଲିଛି।’’ ଶକ୍ତିକାନ୍ତଙ୍କର ଏହି ଉଦ୍‌ବେଗ ବୁଝିବା କଷ୍ଟକର ନୁହେଁ, କାରଣ ଏହିପରି ସମ୍ପର୍କହୀନତା ଚରମ ସ୍ତରରେ ପହଞ୍ଚିବା ପରେ ହିଁ ଆମେରିକାରେ ବିତ୍ତୀୟ ବଜାର ସେ ସମୟରେ ଭୁଶୁଡ଼ି ପଡ଼ିଥିଲା।

ଭାରତରେ ଚୀନା କରୋନା ଆକ୍ରମଣ ପରେ ଲକ୍‌ଡାଉନ୍‌କୁ ଆମେ ମୁଖ୍ୟ ମୁକାବିଲା ଅସ୍ତ୍ର ରୂପେ ବ୍ୟବହାର କଲା ପରେ କଳ କାରଖାନା, ବେପାର ବଣିଜ ଆଦି ପ୍ରାୟ ବନ୍ଦ ହୋଇଗଲା। ଏହାର ଫଳ ସ୍ବରୂପ ବମ୍ବେ ସେଆର‌୍‌ ବଜାରର ପ୍ରସିଦ୍ଧ ସୂଚକାଙ୍କ ‘ସେନ୍‌ସେକ୍‌ସ’ରେ ତୀକ୍ଷ୍‌ଣ ସ୍ଖଳନ ଘଟି ଗତ ବର୍ଷ ମାର୍ଚ୍ଚ ଶେଷ ବେଳକୁ ତାହା ପ୍ରାୟ ୨୭,୦୦୦ ପଏଣ୍ଟକୁ ଖସି ଆସିଥିଲା। ବର୍ତ୍ତମାନ ସମସ୍ତଙ୍କୁ ଚମତ୍କୃତ କରି ପୂର୍ବର ସମସ୍ତ ରେକର୍ଡ ଭଙ୍ଗ କରି ‘ସେନ୍‌ସେକ୍‌ସ’ ପହଞ୍ଚି ଗଲାଣି ୫୦,୦୦୦ ପଏଣ୍ଟ୍‌ରେ- ଅର୍ଥାତ୍‌ ବିଗତ ପ୍ରାୟ ନ’ ମାସରେ ‘ସେନ୍‌ସେକ୍‌ସ’ରେ ପ୍ରାୟ ୮୦% ହାରରେ ବୃଦ୍ଧି ଘଟିଛି। ଶକ୍ତିକାନ୍ତ ଦାସଙ୍କୁ ଏହା ଅବାସ୍ତବ ମନେ ହେଉଛି।

‘ସେନ୍‌ସେକ୍‌ସ’ରେ ବୃଦ୍ଧି ଅର୍ଥ ସମ୍ପୃକ୍ତ କମ୍ପାନିମାନଙ୍କର ଅ˚ଶପତ୍ର ମୂଲ୍ୟରେ ଏ ଭଳି ଚମକପ୍ରଦ ବୃଦ୍ଧି ଘଟୁଛି, ଯାହା ସେଗୁଡ଼ିକ ପ୍ରତି ବୃଦ୍ଧି ପାଉଥିବା ଚାହିଦାର ପ୍ରତିଫଳନ। ଏହି ଶିଳ୍ପୋଦ୍ୟୋଗମାନେ ହେଉଛନ୍ତି ଦେଶର ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ ଅ˚ଶ। ଏମାନଙ୍କର ଅ˚ଶପତ୍ର ପ୍ରତି ଚାହିଦା ଏଭଳି ବୃଦ୍ଧି ପାଇବା ସାଧାରଣତଃ ଅର୍ଥନୀତିର ଉତ୍ତମ ସ୍ବାସ୍ଥ୍ୟ ଅବସ୍ଥା ଓ ଅତ୍ୟନ୍ତ ସନ୍ତୋଷଜନକ ଅଭିବୃଦ୍ଧିର ପ୍ରତିଫଳନ ବୋଲି ବିଚାର କରାଯାଇଥାଏ। ଏଠାରେ କିନ୍ତୁ ବିଡ଼ମ୍ବନା ହେଲା, ଅଭିବୃଦ୍ଧି ଦୂରେ ଥାଉ, ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠରେ ‘ଜିଡିପି’ରେ ପ୍ରାୟ ୨୪% ସଙ୍କୋଚନ ଓ ଦ୍ବିତୀୟ ଚଉଠରେ ୭.୫% ସଙ୍କୋଚନ ଘଟି ଭାରତୀୟ ଅର୍ଥନୀତି ବିଧିବଦ୍ଧ ଅପସରଣ ବା ‘ଟେକ୍‌ନିକାଲ୍‌ ରିସେସନ୍‌’ କଳଙ୍କ ମୁଣ୍ତାଇବା ପରେ ସମଗ୍ର ବିତ୍ତବର୍ଷରେ ଅର୍ଥନୀତିରେ ସଙ୍କୋଚନ ଘଟିବାର ସମସ୍ତ ସମ୍ଭାବନା ଦେଖାଯାଉଛି।

ତଥାପି କାହିଁକି ନିବେଶକମାନେ ଆଶାବାଦୀ ହୋଇ ଅଧିକ ଅଧିକ ଦାମ୍‌ ଦେଇ ସେଆର କିଣିବାରେ ଲାଗିଛନ୍ତି? ବିଗତ ବିତ୍ତବର୍ଷର ଶେଷ ଦୁଇ ଚଉଠ କୋଭିଡ୍‌ ପ୍ରଭାବିତ ହୋଇନଥିଲେ ମଧୢ ସେ ସମୟରେ ବି ଅଭିବୃଦ୍ଧି ହାର ବିଶେଷ ଆଶାଜନକ ନ ଥିଲା: ଯଥାକ୍ରମେ ୪% ଓ ୩% ମାତ୍ର। ତେଣୁ ଅତୀତକୁ ଆଧାର କରି ନିବେଶକମାନେ ଯେ ଅର୍ଥନୀତିର ଭବିଷ୍ୟତ ପାଇଁ ସୁନେଲି ସ୍ବପ୍ନ ଦେଖି ସେଆର‌୍‌ ବଜାରରେ ନିଆଁ ଲଗାଇ ଦେଇଛନ୍ତି, ତାହା ମଧୢ ନୁହେଁ। ସେମାନେ ଯଦି କେତେକ କମ୍ପାନିମାନଙ୍କର ଲାଭରେ ଦେଖା ଦେଇଥିବା ଅହେତୁକ ବୃଦ୍ଧି ଦ୍ବାରା ଆକର୍ଷିତ ହୋଇଥାନ୍ତି, ତାହା ଚୋରାବାଲି ସାବ୍ୟସ୍ତ ହେବାର ସମସ୍ତ ସମ୍ଭାବନା ରହିଛି। ଲକ୍‌ଡାଉନ୍‌ ସମୟରେ କମ୍ପାନିମାନେ କଞ୍ଚାମାଲ ଓ ଅନ୍ୟାନ୍ୟ ଉପାଦାନମାନ କ୍ରୟ ହ୍ରାସ କରିଥିବାରୁ ଏବ˚ କର୍ମଚାରୀମାନଙ୍କୁ ଛଟେଇ କରିଥିବାରୁ ଖର୍ଚ୍ଚ ହ୍ରାସ ପାଇ ଲାଭରେ ବୃଦ୍ଧି ଘଟିଛି। କିନ୍ତୁ ସମ୍ପୃକ୍ତ କର୍ମଚାରୀ ଓ ଉପାଦାନ ଯୋଗାଣକାରୀମାନଙ୍କର ଆୟ ଏଥିଯୋଗୁଁ ସଙ୍କୁଚିତ ହେବା ଫଳରେ ସେମାନେ ବଜାରରେ ସୃଷ୍ଟି କରୁଥିବା ବିଭିନ୍ନ ଦ୍ରବ୍ୟ ଓ ସେବା ପ୍ରତି ଚାହିଦାରେ ସଙ୍କୋଚନ ଘଟି ଶେଷରେ ଏହି କମ୍ପାନିମାନଙ୍କର ବିକ୍ରି ଓ ଆୟରେ ସଙ୍କୋଚନ ଘଟାଇବ।

ଶକ୍ତିକାନ୍ତ ଦାସ ନିବେଶକମାନେ ଏହି ଚୋରାବାଲିରେ ପଡ଼ି ଛଟପଟ ହେବା ସମ୍ଭାବନା ନେଇ ଏପରି ଚିନ୍ତା ପ୍ରକଟ କରିଥିଲେ ହେଁ, ସେମାନେ ଏହି ଚୋରାବାଲି ପ୍ରତି ଆକର୍ଷିତ ହେବା ପଛରେ ଖୋଦ୍‌ ରିଜର୍ଭ ବ୍ୟାଙ୍କ୍‌ର ମଧୢ ଯେ ଏକ ଭୂମିକା ରହିଛି, ତାହା ସେ ଅସ୍ବୀକାର କରିପାରିବେ ନାହିଁ। ୨୦୨୦ରେ ରିଜର୍ଭ ବ୍ୟାଙ୍କ୍‌ ଦେଶର ବିତ୍ତୀୟ ବ୍ୟବସ୍ଥାରେ ବିଭିନ୍ନ ଉପାୟରେ ବିପୁଳ ଆକାରର ନଗଦ ଅର୍ଥ ଭର୍ତ୍ତି କରି ସୁଧ ହାରକୁ ଅତ୍ୟନ୍ତ ନୀଚା ରଖିବାରେ ସାହାଯ୍ୟ କରିଛି। କୋଭିଡ୍‌ ଯୋଗୁଁ ଟିକସ ସ˚ଗ୍ରହରେ ହ୍ରାସ ଘଟୁଥିବା ସମୟରେ ସରକାରଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ ହୋଇଛି; ସରକାର କମ୍‌ ସୁଧ ବୋଝ ସୃଷ୍ଟି କରି ଋଣ ଉଠାଇ ପାରୁଛନ୍ତି। ସେହିପରି ଆଶା କରାଯାଉଥିଲା ଯେ ଉଭୟ କମ୍ପାନି ଓ ସାଧାରଣ ନାଗରିକମାନେ ଶସ୍ତାରେ ଋଣ ଆଣି ନିବେଶ ଓ ଖର୍ଚ୍ଚରେ ସମ୍ପ୍ରସାରଣ ଘଟାଇ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ସାଧନ କରିବେ। କିନ୍ତୁ ସୁଧ ଜନିତ ଆୟ ଉପରେ ନିର୍ଭର କରୁଥିବା ଅନେକ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ଘରୋଇ କ୍ଷେତ୍ର କର୍ମଚାରୀ ତଥା ସାଧାରଣ ସଞ୍ଚୟକର୍ତ୍ତାମାନଙ୍କ ପାଇଁ ଏହା ପେଟରେ ଲାତ ସଦୃଶ ହୋଇଛି।

ସେମାନେ ତେଣୁ ଅନେକ ଅଧିକ ଆୟ ଆଶାରେ ନିଜର ସଞ୍ଚିତ ପାଣ୍ଠି ଧରି ସେଆର‌୍‌ ବଜାର ମୁହାଁ ହେବା ଦେଖାଯାଉଛି। ଏହାର ଏକ ପ୍ରମାଣ ସ୍ବରୂପ ୨୦୨୦ରେ ସେଆର କିଣାବିକା ପାଇଁ ଆବଶ୍ୟକ ହେଉଥିବା ‘ଡିମାଟ୍‌ ଆକାଉଣ୍ଟ’ ସ˚ଖ୍ୟାରେ ପ୍ରାୟ ୨୫% ବୃଦ୍ଧି ଘଟିଥିବା ଦେଖାଯାଇଛି। କୋଭିଡ୍‌ ଯୋଗୁଁ ନିଯୁକ୍ତି ହରାଇଥିବା ଅନେକ ବ୍ୟକ୍ତି ବର୍ତ୍ତମାନ ଏକ ଦ୍ରୁତ ରୋଜଗାର ପନ୍ଥା ରୂପେ ସେଆର କିଣା-ବିକାକୁ ଆଦରି ନେବା ଦେଖାଯାଇଛି- ଇଣ୍ଟର‌୍‌ନେଟ୍‌ ଓ ସ୍ମାର୍ଟ ଫୋନ୍‌ ଯୁଗରେ ଏହା ବେଶ୍‌ ସହଜ ହୋଇଯାଇଛି। ନିଆଁରେ ଘିଅ ଢାଳିବା ଭଳି ଏହି ସମୟରେ ମଧୢ ଏକ ରେକର୍ଡ ପରିମାଣର ବିଦେଶୀ ପୁଞ୍ଜି ଭାରତୀୟ ସେଆର‌୍‌ ବଜାରରେ ପ୍ରବେଶ କରିଛି- ଏହି ବିତ୍ତ ବର୍ଷରେ ଏପର୍ଯ୍ୟନ୍ତ ପ୍ରାୟ ୩୨ ବିଲିଅନ୍‌ ଡଲାର‌୍‌। ବିଦେଶରେ ମଧୢ ଅତ୍ୟନ୍ତ ନୀଚା ସୁଧ ହାର ଓ ମାନ୍ଦା ସେଆର‌୍‌ ବଜାର ହେଉଛି ଏହାର କାରଣ।
ଆଶା କରାଯାଏ ଶକ୍ତିକାନ୍ତଙ୍କ ସତର୍କବାଣୀ ଆଉ ଅଧିକ ସ˚ଖ୍ୟକ ନିବେଶକମାନଙ୍କୁ ସେଆର‌୍‌ ବଜାରରେ ପ୍ରବେଶ କରିବାରୁ ନିବୃତ୍ତ କରି ଚୋରାବାଲି ଉପରେ ଚାପ ହ୍ରାସ କରିବ। ଯେମିତି ଏଠାରେ ମଧୢ ସେଆର‌୍‌ ସହିତ ମାଗଣା ବନ୍ଧୁକ ବଣ୍ଟନ ଜୋକ୍‌ ପ୍ରସାର ଲାଭ ନ କରେ!

ସମ୍ବନ୍ଧିତ ଖବର