ଶନିବାର ଦିନ ବିଶ୍ୱ ଯୁଦ୍ଧ ପରର ପୃଥିବୀରେ ଘଟିଥିବା ସବୁଠାରୁ ବଡ଼ ବିତ୍ତୀୟ ଭୂମିକମ୍ପର ଦଶ ବର୍ଷ ପୂରିବାକୁ ଯାଉଛି। ୨୦୦୮ ସେପ୍ଟେମ୍ବର ୧୫ ତାରିଖ ଦିନ ଲେହ୍ମ୍ୟାନ୍ ବ୍ରଦର୍ସ ବିଧିବଦ୍ଧ ଭାବରେ ନିଜକୁ ଦେବାଳିଆ ଘୋଷଣା କରି ଏହି ଭୂମିକମ୍ପର ସୂତ୍ରପାତ କରିଥିଲା। ଆମେରିକାର ଏହି ନିବେଶ ବ୍ୟାଙ୍କ୍ ଆକାର ଅନୁସାରେ ଦେବାଳିଆ ହେବାରେ ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା। ଭୂତାତ୍ତ୍ୱିକ ଭୂମିକମ୍ପର ବିଧ୍ୱଂସକ ତରଙ୍ଗମାନ ପରି ଏହି ବିତ୍ତୀୟ ଭୂମିକମ୍ପର ତରଙ୍ଗ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଥିଲା ଯାହାର ସୁଦୂର ପ୍ରସାରୀ ପ୍ରଭାବ ସମାଜରୁ ରାଜନୀତି ପର୍ଯ୍ୟନ୍ତର ଚରିତ୍ରରେ ଆଣିଥିବା ପରିବର୍ତ୍ତନମାନ ଏବେ ବି ଅନୁଭୂତ ହେବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ ଏହି ଆନ୍ତର୍ଜାତିକ ବିତ୍ତୀୟ ସଂକଟ ଅପ୍ରତ୍ୟାଶିତ ଭାବରେ ଅଧିକାଂଶ ଦେଶର ଅର୍ଥନୀତିକୁ ଟଳମଳ କରି ଦେବା ପରେ ବର୍ତ୍ତମାନ ଆମେରିକାରୁ ଚୀନ୍ ପର୍ଯ୍ୟନ୍ତ, ବ୍ରିଟେନ୍ରୁ ଭାରତ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ଦେଶ ପୁଣି ଅର୍ଥନୈତିକ ଅଭିବୃଦ୍ଧି ପଥରେ ଅଗ୍ରସର ହେବାକୁ ଲାଗିଲେଣି। ଏଥିରୁ ହଠାତ୍ ଏକ ଧାରଣା ସୃଷ୍ଟି ହୋଇପାରେ ଯେ ଆନ୍ତର୍ଜାତିକ ଅର୍ଥନୀତି ଲେହ୍ମ୍ୟାନ୍ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତିଲାଭ କରି ସାରିଲାଣି। ସତ୍ୟ କିନ୍ତୁ ଭିନ୍ନ। ପ୍ରାୟ ପ୍ରତ୍ୟେକ ଆକ୍ରାନ୍ତ ଦେଶ ବିତ୍ତୀୟ ବିପର୍ଯ୍ୟୟରୁ ମୁକୁଳିବା ପାଇଁ ଏକ ତ୍ରିବିଧି କୌଶଳ ଆପଣାଇ ଥିଲେ। ତାହା ହେଲା: ବ୍ୟାଙ୍କ୍ମାନଙ୍କୁ ଉଦ୍ଧାର- ସହାୟତା ପ୍ରଦାନ (ବେଲ୍-ଆଉଟ୍); ରାଜକୋଷୀୟ ପ୍ରୋତ୍ସାହନ ପ୍ରଦାନ (‘ଫିସ୍କାଲ୍ ଷ୍ଟିମୁଲସ୍’) ଏବଂ ମୁଦ୍ରା ଯୋଗାଣରେ ବୃଦ୍ଧି ଘଟାଇ ସୁଧ ହାରକୁ ନୀଚା ରଖିବାର ପ୍ରୟାସ (‘କ୍ୱାଣ୍ଟିଟେଟିଭ୍ ଇଜିଙ୍ଗ୍’ ବା ‘କ୍ୟୁଇ’)।
ଏ ତ୍ରି-ବିଧ କୌଶଳ ପ୍ରଭାବରେ ବିଭିନ୍ନ ଦେଶରେ ମାନ୍ଦା ଅବସ୍ଥା ଦୂର ହୋଇ ଅର୍ଥନୈତିକ ଅଭିବୃଦ୍ଧି ଫେରି ଆସିଛି ସତ, କିନ୍ତୁ ଏହାର ପାର୍ଶ୍ୱ ପ୍ରଭାବ ସଦୃଶ ଏକ ବିଶାଳ ଆନ୍ତର୍ଜାତିକ ଋଣର ପାହାଡ଼ ସୃଷ୍ଟି ହୋଇଛି, ଯାହା ଯେ କୌଣସି ସମୟରେ ପୁଣି ଏକ ବିତ୍ତୀୟ ସଂକଟ ସୃଷ୍ଟି କରିପାରେ। ଉଦାହରଣ ସ୍ୱରୂପ ୨୦୦୮ରେ ପୃଥିବୀର ସମସ୍ତ ଦେଶର ଋଣ ବୋଝ ମିଶି ଥିଲା ସେମାନଙ୍କର ମିଳିତ ‘ଜିଡିପି’ (ମୋଟ ବାର୍ଷିକ ଜାତୀୟ ଉତ୍ପାଦ)ର ୨୦୦%। ୨୦୧୭ରେ ସେଥିରେ ବୃଦ୍ଧି ଘଟି ହୋଇଥିଲା ୨୪୪%। ‘ବ୍ୟାଙ୍କ୍ ଅଫ୍ ଇଣ୍ଟରନେସ୍ନାଲ୍ ସେଟ୍ଲମେଣ୍ଟ’ ସୂତ୍ରରୁ ଉପଲବ୍ଧ ଏହି ତଥ୍ୟର ତାତ୍ପର୍ଯ୍ୟ ହେଲା, ଯଦି ୨୦୦୮ ପରି ଆଉ ଏକ ବିତ୍ତୀୟ ସଂକଟ ସୃଷ୍ଟି ହୁଏ, ତେବେ ସମ୍ପୃକ୍ତ ଦେଶମାନେ ଆଉ ପୂର୍ବଭଳି ମୁକ୍ତ ହସ୍ତରେ ଋଣ ସମ୍ପ୍ରସାରଣ ଘଟାଇ ତାହାର ମୁକାବିଲା କରିପାରିବେ ନାହିଁ।
ଏହି ଋଣ ପାହାଡ଼ ତଳେ ଯେଉଁ ଦେଶ ସବୁଠାରୁ ଅଧିକ ଚାପି ହୋଇ ରହିଛି, ସେ ହେଉଛି ଚୀନ୍। ୨୦୦୮ ସଂକଟ ପରେ ଯେତେବେଳେ ଆନ୍ତର୍ଜାତିକ ଚାହିଦାରେ ସଂକୋଚନ ଘଟିବାକୁ ଲାଗିଲା, ରପ୍ତାନି ଉପରେ ମୁଖ୍ୟତଃ ନିର୍ଭର କରୁଥିବା ଚୀନ୍ ତାହାର ଭରଣା କରିବା ପାଇଁ ୨୦୦୮ରେ ଯେଉଁ ବିଶାଳ ରାଜକୋଷୀୟ ପ୍ରୋତ୍ସାହନ ଘୋଷଣା କରିଥିଲା, ତାହା ଥିଲା ସେ ଦେଶର ‘ଜିଡିପି’ର ୧୪% ସହ ସମାନ! ଏହି ପ୍ରୋତ୍ସାହନ ମୁଖ୍ୟତଃ ବ୍ୟାଙ୍କ୍ ଋଣ ମାଧ୍ୟମରେ ପ୍ରଦାନ କରାଯାଇଥିଲା (ଭାରତରେ ବର୍ତ୍ତମାନ ଦେଖା ଦେଇଥିବା ଗୁରୁତର ‘ଏନ୍ପିଏ’ ବୋଝର ଏହା ମଧ୍ୟ ହେଉଛି ଅନ୍ୟତମ କାରଣ), ଯାହା ସେଠାରେ ଏକ ବିଶାଳ ଋଣ ବୋଝ ସୃଷ୍ଟି କରିଛି। ଅଭିବୃଦ୍ଧିକୁ ଅବ୍ୟାହତ ରଖିବା ପାଇଁ ସେଠାରେ ଏହି ଋଣକୁ ନିବେଶ କରି ବ୍ୟାପକ ଭିତ୍ତିଭୂମିମାନ ସୃଷ୍ଟି କରାଗଲା ଏବଂ ଉତ୍ପାଦନ ବୃଦ୍ଧି କରାଗଲା। ନିଜ ଦେଶରେ ଯଥେଷ୍ଟ ଚାହିଦା ନଥିବାରୁ ଚୀନ୍ ଏ ସମସ୍ତ ଉତ୍ପାଦିତ ଦ୍ରବ୍ୟକୁ କୃତ୍ରିମ ଭାବରେ ଶସ୍ତା ଦରରେ ବିଦେଶ ବଜାରରେ ବିକ୍ରି କରିବାକୁ ଲାଗିଲା। ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ ବିରୁଦ୍ଧରେ ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧର ଏହା ହେଉଛି ଅନ୍ୟତମ କାରଣ।
ବିତ୍ତୀୟ ସଙ୍କଟର ଆଉ ଏକ ବଡ଼ ଶିକାରରେ ପରିଣତ ହୋଇଛି ‘କମୋଡିଟି’ ନାମରେ ପରିଚିତ ଖଣିଜଦ୍ରବ୍ୟ ଓ ଶସ୍ୟ ଆଦି ପଦାର୍ଥମାନଙ୍କର ଆନ୍ତର୍ଜାତିକ ରପ୍ତାନି। ୨୦୦୮ ପୂର୍ବରୁ ଚୀନ୍ ପୃଥିବୀର ବୃହତ୍ତମ ‘କମୋଡିଟି’ ଆମଦାନିକାରୀ ଦେଶରେ ପରିଣତ ହୋଇଥିଲା। ୨୦୦୮ ସଙ୍କଟ ପରେ ଚୀନ୍ ଏହି ଆମଦାନିରେ ଘଟାଇଥିବା ଅନିବାର୍ଯ୍ୟ ସଂକୋଚନ ସେଗୁଡ଼ିକର ରପ୍ତାନିକାରୀ ଦେଶମାନଙ୍କର ଅର୍ଥନୀତିକୁ ଏପରି ବିପର୍ଯ୍ୟସ୍ତ କରି ଦେଇଥିଲା, ଯେଉଁଥିରୁ ବ୍ରାଜିଲ୍, ରୁଷିଆ, ଇଣ୍ଡୋନେସିଆ ଭଳି ଦେଶ ଏପର୍ଯ୍ୟନ୍ତ ମୁକୁଳି ପାରିନାହାନ୍ତି (ଓଡ଼ିଶାର ଖଣି ମାଲିକମାନେ ଏହା ଭଲ ରୂପେ ଅନୁଭବ କରିଛନ୍ତି)।
୨୦୦୮ରେ ଲେହ୍ମ୍ୟାନ୍ ଭୁଶୁଡ଼ିବା ବେଳେ ସାଙ୍ଗରେ ପ୍ରାୟ ୨୫,୦୦୦ କର୍ମଚାରୀ ୬୩୯ ବିଲିଅନ୍ ଡଲାର୍ର ପରିସମ୍ପତ୍ତି ଓ ୬୧୯ ବିଲିଅନ୍ ଡଲାର୍ ଋଣ ଧରି ଡୁବି ଯାଇଥିଲା। ଏହା କିପରି ସାମାଜିକ ତଥା ଅର୍ଥନୈତିକ ଆତଙ୍କ ସୃଷ୍ଟି କରିଥିଲା, ତାହା ଏବେ ମଧ୍ୟ ଜନମାନସରେ ତାଜା ଅଛି। ଲେହ୍ମ୍ୟାନ୍ର ପତନ ପରେ ଆମେରିକା ସରକାର ଆଉ ସେଭଳି କୌଣସି ବଡ଼ ବିତ୍ତୀୟ ଅନୁଷ୍ଠାନର ଯେପରି ପତନ ନ ଘଟେ ତାହା ନିଶ୍ଚିତ କରିବା ପାଇଁ ସରକାରୀ ରାଜକୋଷରୁ କରଦାତାଙ୍କଠାରୁ ସଂଗୃହୀତ ଅର୍ଥ ବ୍ୟବହାର କରି ସେମାନଙ୍କ ସାହାଯ୍ୟ କଲେ ବା ‘ବେଲ୍ଆଉଟ୍’ କଲେ। ଏହି ପୃଷ୍ଠଭୂମିରେ ଏକ ନୂତନ ଅଭିବ୍ୟକ୍ତିର ଆବିର୍ଭାବ ଘଟିଲା: ‘‘ଏତେ ବିଶାଳ ଯେ ତାକୁ ପଡ଼ିବାକୁ ଦିଆଯିବ ନାହିଁ’’ (‘ଟୁ ବିଗ୍ ଟୁ ଫଲ୍’)। ସରକାରଙ୍କର ଏହି ଉଦ୍ଧାର କାର୍ଯ୍ୟ କିନ୍ତୁ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବାକୁ ଆରମ୍ଭ କଲା। ବିତ୍ତୀୟ ଅନୁଷ୍ଠାନର ପଦାଧିକାରୀମାନେ ଅତ୍ୟନ୍ତ ବିଶାଳ ଦରମା, ଭତ୍ତା, ବୋନସ୍ ଆଦି ପାଇ ସମାଜର ଧନିକ ଶ୍ରେଣୀର ଅଂଶ ରୂପେ ପରିଗଣିତ ହୋଇଥାନ୍ତି। କୁହାଯାଏ ସେମାନେ ହେଉଛନ୍ତି ଜନସଂଖ୍ୟାର ୧% ମାତ୍ର। ସାଧାରଣ କରଦାତା ନାଗରିକମାନେ ହେଉଛନ୍ତି ଜନସଂଖ୍ୟାର ୯୯%। ଏଣୁ ୯୯% ଲୋକଙ୍କଠାରୁ କର ଆଦାୟ କରି ୧% ଲୋକଙ୍କୁ ସୁରକ୍ଷିତ ରଖିବା ଝିଣ୍ଟିକା ମାରି ବଣି ପୋଷିବା ଭଳି ବୋଲି ଅସନ୍ତୁଷ୍ଟ ବର୍ଗମାନେ ଅସନ୍ତୋଷ ପ୍ରକାଶ କଲେ। ୨୦୧୧ରେ ଏହି ଅସନ୍ତୋଷ ‘ଓ୍ଵାଲ୍ ଷ୍ଟ୍ରିଟ୍ ଦଖଲ କର’ ଆନ୍ଦୋଳନ ରୂପ ନେଇଥିଲା ଯାହା ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କୁ ବ୍ୟାପିବା ଦେଖା ଯାଇଥିଲା। ସମାଜରେ ଆୟ ଓ ସମ୍ପଦର ଅସମତୁଲ ବଣ୍ଟନ ‘୧% ବନାମ ୯୯%’ ନାମ ଧାରଣ କରି ଯେଉଁ ଚାପା ଜନଅସନ୍ତୋଷରେ ପରିଣତ ହେଲା ତାହା ଆମେରିକାର ରାଜନୈତିକ ଦୃଶ୍ୟପଟରେ ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଚରିତ୍ରଙ୍କର ଆବିର୍ଭାବ ଘଟାଇଲା: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ତାଙ୍କର ସମର୍ଥକମାନେ ହେଉଛନ୍ତି ମୁଖ୍ୟତଃ ଶ୍ୱେତକାୟ ଶ୍ରମିକ ଶ୍ରେଣୀର ସଦସ୍ୟ ଯେଉଁମାନେ ନିଜକୁ ସେଇ ୯୯%ର ଅଂଶ ରୂପେ ବିଚାର କରନ୍ତି। ଆଉ ଟ୍ରମ୍ପ୍ ବର୍ତ୍ତମାନ କିପରି ସାରା ପୃଥିବୀର ରାଜନୀତି ଓ ଅର୍ଥନୀତିକୁ ଓଲଟ ପାଲଟ କରୁଛନ୍ତି ତାହା ଆମେ ନିତିଦିନ ଅଙ୍ଗେ ନିଭାଉଛୁ। ଦଶ ବର୍ଷ ତଳେ ଲେହ୍ମ୍ୟାନ୍ ବ୍ରଦର୍ସ ଡୁବି ନ ଥିଲେ ଆମେମାନେ ବର୍ତ୍ତମାନ ଏକ ଭିନ୍ନ ପୃଥିବୀରେ ବାସ କରୁଥାଆନ୍ତେ।