ଖାକିରେ କୁନ୍ଦୁଲି ଦାଗ

ଗୋଟିଏ ବିଶେଷଜ୍ଞ ତଦନ୍ତକାରୀ ସଂସ୍ଥା- କ୍ରାଇମ୍‌ ବ୍ରାଞ୍ଚ୍‌ ସମେତ ଓଡ଼ିଶା ପୁଲିସ୍‌ର ତିନି ତିନିଟି ଶାଖା କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗର ତଦନ୍ତ କଲେ। ପାଖାପାଖି ମାସେ କାଳ ଧରି ତନାଘନା ପରେ ସୁଦ୍ଧା ସତ କ’ଣ, ତାହା ତଥାପି ଅନ୍ଧାରରେ। ଗୋଟିଏ ପକ୍ଷରେ ପୀଡ଼ିତାଙ୍କ ଅଭିଯୋଗ ଯେ ସେ ଗଣବଳାତ୍କାରର ଶିକାର ହୋଇଛନ୍ତି। ଅଥଚ, ଅନ୍ୟପକ୍ଷରେ ତିନି ସପ୍ତାହ ବ୍ୟାପୀ ତଦନ୍ତ କସରତରୁ ନିର୍ଯାସ ବାହାରିଛି ଯେ, ଅଭିଯୋଗକାରିଣୀଙ୍କ ପ୍ରତି ଆଦୌ ବଳାତ୍କାର ହୋଇ ନାହିଁ। ତେବେ କୁନ୍ଦୁଲି ଘଟଣାର ସତ କ’ଣ?ଏହି ପ୍ରଶ୍ନର ଉତ୍ତର ଖୋଜିବା ଲାଗି ଏବେ ବିଚାର ବିଭାଗୀୟ ତଦନ୍ତ ଲାଗି ନିର୍ଦେଶ ଦିଆଯାଇଛି।

ବିଚାର ବିଭାଗୀୟ ତଦନ୍ତ ଯେ ସତ୍ୟ ପର୍ଯ୍ୟନ୍ତ ପହଞ୍ଚି କୁନ୍ଦୁଲି ଘଟଣା ଉପରୁ ରହସ୍ୟର ପରଦା ଉଠାଇବ, ତାହା ନିଶ୍ଚିତ ନୁହେଁ। କିନ୍ତୁ ଏ ପ୍ରକ୍ରିୟାରେ ଗୋଟିଏ ବିଷୟ ନିଶ୍ଚିତ ଯେ, ସମୁଦାୟ ପ୍ରକରଣ ଅପରାଧ ତଦନ୍ତ କ୍ଷେତ୍ରରେ ପୁଲିସ୍‌ର ସାମର୍ଥ୍ୟ ଓ ବିଶ୍ୱସନୀୟତା ଉପରେ ବିରାଟ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଗୋଟିଏ ଅତ୍ୟନ୍ତ ସ୍ପର୍ଶକାତର ଓ ଖୋଦ୍‌ ପୁଲିସ୍‌ ମୁଖ୍ୟଙ୍କ ଦ୍ୱାରା ‘ରେଡ୍‌ ଫ୍ଲାଗ୍‌’ର ମାନ୍ୟତା ଦିଆଯାଇଥିବା ଅପରାଧର ତଦନ୍ତର ଚରିତ୍ର ଯଦି ଏୟା, ତେବେ ସାଧାରଣ ଭାବେ ଅନ୍ୟ ଆପରାଧିକ ଘଟଣାର ଅନୁସନ୍ଧାନ କିପରି ହେଉଥିବ? ଅପରାଧ ଆକ୍ରାନ୍ତ ପୀଡ଼ିତ ଓ ପୀଡ଼ିତାଙ୍କୁ କ’ଣ ନ୍ୟାୟ ମିଳୁଥିବ? ସେଥିପାଇଁ ବୋଧହୁଏ ମହିଳାଙ୍କ ବିରୋଧରେ ସବୁଠାରୁ ଜଘନ୍ୟ ଅପରାଧ ଦୁଷ୍କର୍ମ ସମେତ ଅନ୍ୟ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହାର ଅତ୍ୟନ୍ତ ନିରାଶାଜନକ। କୁନ୍ଦୁଲି ଘଟଣାର ସତ ଯାହାବି ହେଉ, ଏହା ଖାକି ଦେହରେ ଯେଉଁ ଦାଗ ଲଗାଇଛି, ତାହା ଛାଡ଼ିବ ନାହିଁ।

ପୁଲିସ୍‌ର ତଦନ୍ତ କୁନ୍ଦୁଲି ଘଟଣାର ରହସ୍ୟ ଉନ୍ମୋଚନ କରିପାରିନାହିଁ, ବରଂ ରହସ୍ୟକୁ ଆହୁରି ଅଧିକ ଘନୀଭୂତ କରିଛି। ପୀଡ଼ିତାଙ୍କ ପ୍ରତି କୌଣସି ବଳାତ୍କାର ହୋଇନାହିଁ। ପୁଲିସ୍‌ ତଦନ୍ତର ଏହି ନିର୍ଯାସକୁ ବି ଯଦି ଗ୍ରହଣ କରି ନିଆଯାଏ, ତେବେ ପ୍ରଶ୍ନ ଉଠୁଛି ନାବାଳିକା ପୀଡ଼ିତା ଏଭଳି ଅଭିଯୋଗ ଆଣିଥିଲେ କାହିଁକି? ମାଓବାଦୀ ଉପଦ୍ରୁତ ଅଞ୍ଚଳର ସୁରକ୍ଷା କର୍ମୀଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ ଏପରି ସଙ୍ଗିନ ଅଭିଯୋଗ ଅଣାଯିବା ପଛରେ ଅଭିସନ୍ଧି କ’ଣ? କିଏ କେଉଁ ସ୍ୱାର୍ଥ ପାଇଁ ଜଣେ ନୀରିହା ନବମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କୁ ମୋହରା କଲା? ପରଦା ପଛର ଖଳନାୟକ କିଏ? ଯେହେତୁ ପାଖାପାଖି ମାସେ କାଳ ଧରି ତଦନ୍ତ ପରେ ବି ପୁଲିସ୍‌ର ତଦନ୍ତ ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ପାରୁନାହିଁ, ସ୍ୱତଃ ତାହା ତଦନ୍ତରେ ନିର୍ଯାସ- ‘ବଳାତ୍କାର ହେଇ ନାହିଁ’-କୁ ସନ୍ଦିଗ୍ଧ କରି ଦେଉଛି। ଯୌନ ଅତ୍ୟାଚାର ହୋଇ ନାହିଁ କହିବା ସହ ମିଥ୍ୟା ଅଭିଯୋଗ ପଛର ଷଡ୍‌ଯନ୍ତ୍ରର ଯଦି ପର୍ଦାଫାସ ହୋଇଥାଆନ୍ତା, ତେବେ ତାହା ତଦନ୍ତର ବିଶ୍ୱସନୀୟତା ନେଇ ପ୍ରଶ୍ନର ଅବକାଶ ରହି ନ ଥାଆନ୍ତା। ପୁଣି, ତଦନ୍ତର ମନ୍ଥର ଗତି ମଧ୍ୟ ତଦନ୍ତର ବିଶ୍ୱସନୀୟତା ନେଇ ସନ୍ଦେହକୁ ଅଧିକ ଘନୀଭୂତ କରୁଛି।

ଯଦି ଡାକ୍ତରୀ ରିପୋର୍ଟ ଅନୁଯାୟୀ ଦୁଷ୍କର୍ମର କୌଣସି ପ୍ରମାଣ ନଥିଲା, ତେବେ ରିପୋର୍ଟକୁ କାହିଁକି ପ୍ରକାଶ କରା ନ ଯାଇ ଚପାଇ ରଖାଗଲା? ଏହା ପଛରେ ଉଦ୍ଦେଶ୍ୟ କ’ଣ? ଆହୁରି ମଧ୍ୟ ଯଦି ବଳାତ୍କାର ହେଇ ନଥିଲା ତେବେ ପୀଡ଼ିତାଙ୍କ କେଉଁ ଅସୁସ୍ଥତାର ଚିକିତ୍ସା ହେଉଥିଲା? ଆଜି ଯଦି ତଦନ୍ତ ଓ ପୁଲିସ୍‌ ଉଭୟଙ୍କ ବିଶ୍ୱସନୀୟତା କାଠଗଡ଼ାରେ, ତେବେ ସେଥିପାଇଁ ଖାକି ବାବୁମାନେ ନିଜ ଛଡ଼ା ଅନ୍ୟ କାହାକୁ ଦାୟୀ କରି ପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ନିଜ କୃତକର୍ମର ଫଳ। ଯଦି କୌଣସି କାର୍ଯ୍ୟରେ ସ୍ୱଚ୍ଛତା ନ ରହେ ଏବଂ ଅଯଥାରେ କାର୍ଯ୍ୟ ବିଳମ୍ବିତ ହୁଏ, ତେବେ ସେ କ୍ଷେତ୍ରରେ ଆପେ ସନ୍ଦେହ ସୃଷ୍ଟି ହୁଏ। ପୁଲିସ୍‌ର କୁନ୍ଦୁଲି ତଦନ୍ତ କ୍ଷେତ୍ରରେ ଏହାହିଁ ଘଟିଛି। ଅଯଥା ଗୋପନୀୟତା ଓ ଅହେତୁକ ବିଳମ୍ବ କେବଳ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିନାହିଁ, ପୁଲିସ୍‌ର ଉଦ୍ଦେଶ୍ୟକୁ ମଧ୍ୟ ସନ୍ଦିଗ୍‌ଧ କରି ଦେଇଛି। ସତ୍ୟର ଉଦ୍‌ଘାଟନ ପରିବର୍ତ୍ତେ, ସତ୍ୟକୁ ଲୁଚାଇବା ପାଇଁ ଏ କସରତର ଉଦ୍ଦେଶ୍ୟ ଥିଲା ବୋଲି ସନ୍ଦେହକୁ ଖୋରାକ ଯୋଗାଉଛି। ଏଭଳି ଏକ ସ୍ପର୍ଶକାତର ଅପରାଧରେ ଯେଭଳି ତଦନ୍ତର ଅପେକ୍ଷା କରାଯାଏ, ପ୍ରଥମରୁ ହିଁ ତଦନ୍ତର ଚରିତ୍ରରେ ତା’ର ଘୋର ଅଭାବ ପରିଲକ୍ଷିତ ହୋଇ ଆସିଛି।

ପରିଣତି ଅଯଥାରେ ଏହା ସାଧାରଣ ଜନତାଙ୍କ ମଧ୍ୟରେ ସନ୍ଦେହକୁ ବଢ଼ାଇ ରାଜନୈତିକ ବୟାନବାଜି ପାଇଁ ଅବକାଶ ସୃଷ୍ଟି କରିଥିଲା। ଫଳତଃ, ଚାପରେ ତଦନ୍ତ ବାଟବଣା ହୋଇଗଲା। ପୁଲିସ୍‌ର ପ୍ରଥମ ଭୁଲ୍‌ ଥିଲା ଯେ, ଏକ ପ୍ରାକ୍‌-ଧାରଣା ନେଇ ତଦନ୍ତ ଆରମ୍ଭ କଲେ। ପ୍ରଥମରୁ ପୁଲିସ୍‌ ଧରିନେଲେ ଯେ ଅପରାଧରେ ସୁରକ୍ଷା-କର୍ମୀଙ୍କ ସମ୍ପୃକ୍ତି ନାହିଁ। ଯଦିଓ, ପୀଡ଼ିତା ସିଧାସଳଖ ସୁରକ୍ଷା କର୍ମୀଙ୍କ ସମ୍ପୃକ୍ତି ପ୍ରତି ସ୍ପଷ୍ଟ ଇଙ୍ଗିତ କରିଥିଲେ। କୌଣସି ବି ଅନୁସନ୍ଧାନ ସବୁ ଦିଗରୁ ନଜରରେ ରଖି ଆଗେଇବା କଥା। କୌଣସି ସମ୍ଭାବନାକୁ ବାଦ୍‌ ଦେଲେ ତାହା ତଦନ୍ତର ସ୍ୱାଭାବିକ ଧାରାରେ ବାଧା ସୃଷ୍ଟି କରେ। ପୁଣି ଭାରତୀୟ ଦଣ୍ଡବିଧି ଆଇନର ୧୬୧ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବାରେ ସତର ଦିନର ବିଳମ୍ବ କାହିଁକି ହୋଇଥିଲା? ଡାକ୍ତରୀ ମାଇନା ରିପୋର୍ଟକୁ ସାର୍ବଜନିକ କରିବାରେ ଏତେ ବିଳମ୍ବ ହେଲା କାହିଁକି? ମାନବାଧିକାର କମିସନଙ୍କ ତଲବ ପର୍ଯ୍ୟନ୍ତ ଅପେକ୍ଷା କରାଗଲା କାହିଁକି? ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ବାରମ୍ବାର ଥାନାକୁ ଡାକି ଆଣି ପଚରା ଯାଉଥିଲା କାହିଁକି? ସେମାନେ ପୁଲିସ୍‌ ବିରୋଧରେ ଧମକ ଚମକର ଅଭିଯୋଗ ଆଣିଥିଲେ କେଉଁ ପରିସ୍ଥିତିରେ?

ମୋଟାମୋଟି ପୁଲିସ୍‌ ତଦନ୍ତର ଚରିତ୍ର ଓ ଗତିରୁ ଗୋଟିଏ ନିର୍ଯାସ ବାହାରୁଛି ଯେ, ଜଣେ ଆଦିବାସୀ ନାବାଳିକା ପୀଡ଼ିତା ଥିବା ଗୋଟିଏ ଅତ୍ୟନ୍ତ ର୍ସ୍ପକାତର ଅପରାଧର ତଦନ୍ତରେ ଯେତିକି ତତ୍ପରତା ତଥା ସମ୍ବେଦନଶୀଳତା ପ୍ରକାଶ ପାଇବା କଥା, କୁନ୍ଦୁଲି ଅନୁସନ୍ଧାନରେ ତା’ର ଘୋର ଅଭାବ ଘଟିଛି। ପୁଲିସ୍‌ ବାବୁମାନେ ସୁରକ୍ଷା ବାହିନୀର ନୈତିକ ମନୋବଳ ଉପରେ ତଦନ୍ତର ପ୍ରଭାବ ନେଇ ବିଶେଷ ଚିନ୍ତିତ ଥିଲେ। ଅଥଚ, ଭୁଲିଗଲେ ଯେ, ଏହି ଘଟଣା ସହ ଖାଲି ଜଣେ ନିରୀହା ଆଦିବାସୀ ନାବାଳିକାର ଇଜ୍ଜତ ଯୋଡ଼ି ହୋଇ ନାହିଁ, ସମାଜର ଦୁର୍ବଳତମ ବର୍ଗର ସାମୂହିକ ସମ୍ମାନ ଓ ସ୍ୱାଭିମାନ ମଧ୍ୟ ଯୋଡ଼ି ହୋଇଛି। ପୁଲିସ୍‌ର ଏହି ସମ୍ବେଦନଶୀଳତା କାରଣରୁ ହିଁ ଆଜି ସମାଜର ଦୁର୍ବଳ ବର୍ଗଙ୍କ ମଧ୍ୟରେ ପୁଲିସ୍‌ ପ୍ରତି ଆସ୍ଥା ଓ ବିଶ୍ୱାସର ସଂକଟ।

ଏ ପ୍ରସଙ୍ଗରେ, ମହିଳାଙ୍କ ସମେତ ସମାଜର ଦୁର୍ବଳ ବର୍ଗଙ୍କ ପ୍ରତି ପୁଲିସ୍‌ର ଆଭିମୁଖ୍ୟ ଓ ଆଚରଣ ସମ୍ପର୍କରେ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ (ଟିସ୍‌) ପକ୍ଷରୁ ହୋଇଥିବା ଏକ ଅନୁଧ୍ୟାନ ରିପୋର୍ଟକୁ ଉଦ୍ଧାର କରାଯାଇପାରେ। ‘ଟିସ୍‌’ ରିପୋର୍ଟ ଅନୁଯାୟୀ ସମାଜର ଦୁର୍ବଳ ବର୍ଗର ୭୫ ପ୍ରତିଶତ ଲୋକ ପୁଲିସ୍‌ଠାରୁ ନ୍ୟାୟର ଆଶା ରଖନ୍ତି ନାହିଁ ଏବଂ ସେଥିପାଇଁ ସେମାନଙ୍କ ବିରୋଧରେ ଅପରାଧ ନେଇ ଥାନାର ଦ୍ୱାରସ୍ଥ ହେବାକୁ କୁଣ୍ଠାବୋଧ କରନ୍ତି। ଅନେକ ସମୟରେ ଏହି ବର୍ଗର ଲୋକଙ୍କ ଅଭିଯୋଗ ପଞ୍ଜିକରଣ ସୁଦ୍ଧା ହୁଏ ନାହିଁ, ଯଦିବା ପଞ୍ଜିକୃତ ହେଲା, ତା’ର ଠିକଣା ତଦନ୍ତ ହୁଏ ନାହିଁ। କୁନ୍ଦୁଲି ଘଟଣା ଏହାର ଆଉ ଏକ ଦୁଃଖଦ ଉଦାହରଣ। ନ୍ୟାୟ ପ୍ରଦାନ ଯେତିକି ଗୁରୁତ୍ୱପୂର୍ଣ୍ଣ, ନ୍ୟାୟାଧୀଶ ଯେ ନ୍ୟାୟ କରନ୍ତି ସେ ନେଇ ନ୍ୟାୟାଶ୍ରୟୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ଧାରାରେ ପୁଲିସ୍‌ ମଧ୍ୟ କେବଳ ଆଇନ ଅନୁଯାୟୀ କର୍ତ୍ତବ୍ୟ କରୁଛୁ ବୋଲି କହିବା ଯଥେଷ୍ଟ ନୁହେଁ, ଲୋକଙ୍କୁ ଏହାର ବିଶ୍ୱାସ ଦେବା ପାଇଁ ପୁଲିସ୍‌ର ଆଭିମୁଖ୍ୟ ଓ ଆଚରଣରେ ଏହା ପ୍ରତିଫଳିତ ହେବା ଉଚିତ।

କୁନ୍ଦୁଲିର ଶିକ୍ଷା ହେଲା, ଦଳିତ ବର୍ଗଙ୍କ ଆସ୍ଥା ଓ ବିଶ୍ୱାସ ହାସଲ ପାଇଁ ପୁଲିସ୍‌କୁ ତଦନ୍ତର ଚରିତ୍ର ସହ ନିଜର ଚରିତ୍ର ମଧ୍ୟ ବଦଳେଇବାକୁ ପଡ଼ିବ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଆନ୍ତିଆ, ଉପନିବେଶବାଦୀ ମନୋଭାବରୁ ଖାକିବାବୁ ମାନଙ୍କୁ ମୁକୁଳିବାକୁ ପଡ଼ିବ।

ସମ୍ବନ୍ଧିତ ଖବର