ଆନ୍ନାଙ୍କ ଆନ୍ଦୋଳନ-୨.୦

ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ ଆନ୍ନା ହଜାରେ ୨୦୧୧ର ଐତିହାସିକ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନକୁ ଯେଉଁଠି ଛାଡ଼ିଥିଲେ, ଛଅ ବର୍ଷ ପରେ ସେଇଠୁ ଆନ୍ଦୋଳନକୁ ସେ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି। ନୂଆଦିଲ୍ଲୀର ଯନ୍ତରମନ୍ତରରେ ଛାଡ଼ିଥିବା ଆନ୍ଦୋଳନର ଖିଅକୁ ଆନ୍ନା ଫେବ୍ରୁଆରିରେ ରାଜଧାନୀର ରାମଲୀଳା ମଇଦାନରେ ଧରିବେ। ଆନ୍ନା ହଜାରେଙ୍କ ଏହି ଦ୍ୱିତୀୟ ପର୍ଯ୍ୟାୟ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରେ ଖଣି-ମହାଦୁର୍ନୀତି, ଚିଟଫଣ୍ଡ ମହାଠକେଇ ପାଇଁ ଚର୍ଚ୍ଚାରେ ରହି ଆସିଥିବା ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଛି, ଏଥିପାଇଁ ଯେ ସାନି ଆନ୍ଦୋଳନ ସପକ୍ଷରେ ଜନ ଜାଗରଣ ସୃଷ୍ଟି ଲାଗି ଆନ୍ନାଙ୍କ ଆଠ ରାଜ୍ୟ ବ୍ୟାପୀ ଅଭିଯାନ ଓଡ଼ିଶା ମାଟିରୁ ଆରମ୍ଭ ହୋଇଛି।

ଛଅ ବର୍ଷର ବ୍ୟବଧାନ ପରେ ଅଶୀବର୍ଷ ବୟସ୍କ ଗାନ୍ଧୀବାଦୀ ପୁଣି ଥରେ ରାସ୍ତାକୁ ଓହ୍ଲାଇବା ଏହାର ଦୁଃଖଦ ସଂକେତ ଯେ, ସରକାର ପରିବର୍ତ୍ତନ ସତ୍ତ୍ୱେ ଦୁର୍ନୀତି ପ୍ରସଙ୍ଗରେ ଅବସ୍ଥାରେ ବିଶେଷ କୌଣସି ସକାରାତ୍ମକ ପରିବର୍ତ୍ତନ ହୋଇ ନାହିଁ। ‘ଲଙ୍କାରେ ସମସ୍ତେ ରାବଣ’ ନୀତିରେ ଦୁର୍ନୀତି ପ୍ରସଙ୍ଗରେ ଦଳ ନିର୍ବିଶେଷରେ ସବୁ ସରକାରଙ୍କ ଆଭିମୁଖ୍ୟ ସମାନ ଭାବେ କୋହଳ ଓ ଉଦାସୀନ। ଅବଶ୍ୟ, ଏହା ଭିନ୍ନ କଥା ଯେ, ସବୁ ଦଳ, ସବୁ ସରକାର ପକ୍ଷରୁ ବଡ଼ ପାଟିରେ ଦୁର୍ନୀତି ବିରୋଧରେ ‘ଜିରୋ ଟଲରେନ୍‌ସ’ର ଆହ୍ଵାନ ଦିଆଯାଇଥାଏ। ଆନ୍ନାଙ୍କ ନେତୃତ୍ୱରେ ଏଗାରର ଜନ ଆନ୍ଦୋଳନର ଚାପ ଆଗରେ ତତ୍କାଳୀନ ୟୁପିଏ ସରକାର ମୁଣ୍ଡ ନୁଆଁଇଲେ। ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲଗାଇବା ସକାଶେ ଏକ ସାମ୍ବିଧାନିକ ସଂସ୍ଥା ଗଠନ ଉଦ୍ଦେଶ୍ୟରେ ଲୋକପାଳ- ଲୋକାୟୁକ୍ତ ଆଇନ ପ୍ରଣୟନ ହେଲା। ୟୁପିଏ ସରକାର କ୍ଷମତାରୁ ଚାଲିଗଲା ପଛେ ଲୋକପାଳ ଗଠନ ପ୍ରକ୍ରିୟା ଆରମ୍ଭ ସୁଦ୍ଧା ହୋଇ ପାରିଲା ନାହିଁ। ଆଇନ ହେଲା, କିନ୍ତୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ଚଉଦ ନିର୍ବାଚନରେ ଦୁର୍ନୀତି ବିରୋଧରେ ଲଢ଼େଇକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଲୋକପାଳ ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନ୍‌ଡିଏ ତିନିବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିଲାଣି। ଅଥଚ ଲୋକପାଳ ଆଇନର କାର୍ଯ୍ୟକାରିତା ନେଇ ସ୍ଥିତି ୟୁପିଏ ଅମଳରେ ଯେଉଁଠି ଥିଲା, ଏବେ ମଧ୍ୟ ସେଇଠି ଅଟକି ରହିଛି। ବରଂ ଅନ୍ୟପକ୍ଷରେ ବିଡ଼ମ୍ବନା ହେଲା, ବିଦେଶରୁ କଳା ଟଙ୍କା ଆଣି ପ୍ରତି ଭାରତୀୟଙ୍କ ବ୍ୟାଙ୍କ୍‌ ଖାତାରେ ୧୫ ଲକ୍ଷ ଟଙ୍କା ଜମା କରିବାର ପ୍ରତିଶ୍ରୁତି ସହ ଦୁର୍ନୀତି ବିରୋଧରେ ‘ଜିରୋ ଟଲରେନ୍‌ସ’ର ରାଣ ଖାଇଥିବା ମୋଦୀ ସରକାର ଭ୍ରଷ୍ଟାଚାର ବିରୋଧୀ ଆଇନକୁ କୋହଳ କରିବା ଲାଗି ଅଲୋଡ଼ା ସଂଶୋଧନ କରିଛନ୍ତି। ଅମଲାତନ୍ତ୍ରର ବାବୁମାନଙ୍କୁ ବାଧ୍ୟତାମୂଳକ ସମ୍ପତ୍ତି ଘୋଷଣା ବ୍ୟବସ୍ଥାରୁ ବାଦ୍‌ ଦିଆଯାଇଛି। ୨୦୧୬ ନଭେମ୍ବରରେ ମାତ୍ର ତିନିଦିନ ମଧ୍ୟରେ ସଂସଦର ଉଭୟ ଗୃହରେ ପାରିତ ଏ ସଂକ୍ରାନ୍ତ ଆଇନ ସଂଶୋଧନ ବିଲ୍‌ ଏହାର ଦୁଃଖଦ ଉଦାହରଣ। ଗୋଟିଏ ପକ୍ଷରେ ପ୍ରଧାନମନ୍ତ୍ରୀ ଓ ବିଜେପି ଦୁର୍ନୀତି ବିରୋଧରେ ଅନର୍ଗଳ ପ୍ରବଚନ ଦେଉଛନ୍ତି, ଅଥଚ ଅନ୍ୟପକ୍ଷରେ ରାଜସ୍ଥାନରେ କ୍ଷମତାରେ ଥିବା ତାଙ୍କ ନିଜ ଦଳର ସରକାର ଭ୍ରଷ୍ଟାଚାର ଅଭିଯୁକ୍ତ ବାବୁ ଓ ବିଚାରପତିମାନଙ୍କୁ ଘଣ୍ଟ ଘୋଡ଼େଇ ସୁରକ୍ଷା ଦେବା ଲାଗି ଅଧ୍ୟାଦେଶ ଜାରି କରିଛନ୍ତି। ଦୁର୍ଭାଗ୍ୟର ବିଷୟ ହେଲା, କେନ୍ଦ୍ର ସରକାର ଏ ପ୍ରକାର ଭ୍ରଷ୍ଟାଚାରକୁ ପ୍ରୋତ୍ସାହିତ କରୁଥିବା ଅଧ୍ୟାଦେଶ ଉପରେ ଆପତ୍ତି ଉଠାଇବା ପରିବର୍ତ୍ତେ ସମର୍ଥନ କରିଛନ୍ତି। ଏହା ଦୁର୍ନୀତି ପ୍ରସଙ୍ଗରେ ଶଠତାପୂର୍ଣ୍ଣ ଦୋମୁହାଁ ନୀତିର ପରିଚାୟକ।

ଭ୍ରଷ୍ଟାଚାର ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ଭାବେ କ୍ଷମତାସୀନ ସରକାର ଏବଂ ସାଧାରଣ ଭାବେ ଦେଶର ରାଜନୈତିକ ବର୍ଗଙ୍କ ଏପ୍ରକାର କପଟାଚାରମୂଳକ ନୀତି ହିଁ ବର୍ଷିଆନ୍‌ ଗାନ୍ଧୀବାଦୀ ଆନ୍ନାଙ୍କୁ ପୁନର୍ବାର ଆନ୍ଦୋଳନର ଧ୍ୱଜା ଧରିବାକୁ ବାଧ୍ୟ କରିଛି। ଅବଶ୍ୟ, ଏଥର ଆନ୍ନାଙ୍କ ଦୁର୍ନୀତି ବିରୋଧୀ ଲଢ଼େଇର ପରିସର ଅଧିକ ବ୍ୟାପକ। ଅମଲାତନ୍ତ୍ର ଓ ଉଚ୍ଚ ରାଜନୈତିକ ସ୍ତରରେ ଦୁର୍ନୀତି ବିରୋଧରେ ଲଢ଼େଇକୁ ସୀମିତ ନ ରଖି, ବହୁ ଦଳୀୟ ବ୍ୟବସ୍ଥାର ଆଢୁଆଳରେ ଦେଶର ରାଜନୈତିକ-ସାମ୍ବିଧାନିକ ଢାଞ୍ଚା ଭିତରେ ଏକ ପ୍ରକାର ଆନୁଷ୍ଠାନିକ ମାନ୍ୟତା ପାଇଥିବା ଭ୍ରଷ୍ଟାଚାର ବିରୋଧରେ ମଧ୍ୟ ଆନ୍ନା ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ଆନ୍ନାଙ୍କ ଯୁକ୍ତି ହେଲା ଭାରତୀୟ ସମ୍ବିଧାନରେ ବ୍ୟକ୍ତିର ସ୍ଥିତିକୁ ସ୍ୱୀକୃତି ଦିଆଯାଇଛି, ରାଜନୈତିକ ଦଳଙ୍କ କୌଣସି ସାମ୍ବିଧାନିକ ମାନ୍ୟତା ନାହିଁ। ଅଥଚ, ବ୍ୟକ୍ତି ନାମରେ ଦଳମାନେ କ୍ଷମତାର ଅପହରଣ କରି ନେଉଛନ୍ତି। ଫଳତଃ ‘ଗଣତନ୍ତ୍ର’ ବସ୍ତୁତଃ ‘ଦଳତନ୍ତ୍ର’ରେ ରୂପାନ୍ତରିତ ହୋଇଯାଇଛି। ‘ଦଳ’ ମୁଖ୍ୟ ଓ ‘ଗଣ’ ଗୌଣ ହୋଇପଡ଼ିଛି।

ଦଳୀୟ ବ୍ୟବସ୍ଥା ହିଁ ସବୁ ପ୍ରକାର ରାଜନୈତିକ ଭ୍ରଷ୍ଟାଚାରର ମଞ୍ଜି। ଏହାକୁ ହିଁ କେନ୍ଦ୍ର କରି ଘୂରୁଛି ଶାସନ ଓ ସରକାରକୁ ଆକ୍ରାନ୍ତ କରିଥିବା ଦୁର୍ନୀତିର ବିଷଚକ୍ର। କ୍ଷମତା ପାଇଁ ଅର୍ଥ ଓ ଅର୍ଥ ପାଇଁ କ୍ଷମତାର ଚକ୍ର ଦ୍ୱାରା ପୂରା ବ୍ୟବସ୍ଥା କବଳିତ। ଆନ୍ନା ଏ ଅବସରରେ ଏକ ଦଳ ବିହୀନ ଗଣତାନ୍ତ୍ରିକ ବ୍ୟବସ୍ଥା ଲାଗି ପ୍ରସ୍ତାବ ଦେଇଛନ୍ତି। ଆନ୍ନାଙ୍କ ଯୁକ୍ତି ଓ ପ୍ରସ୍ତାବ ଉପରେ ଅଧିକ ବିତର୍କର ଅବକାଶ ଥାଇପାରେ। କିନ୍ତୁ ରାଜନୈତିକ ଭ୍ରଷ୍ଟାଚାର ଯେ ଭାରତୀୟ ଗଣତନ୍ତ୍ର ଓ ଏହାର ଶାସନ ବ୍ୟବସ୍ଥା ତଥା ସାଧାରଣ ଜୀବନକୁ କବଳିତ କରିଥିବା ଦୁର୍ନୀତି ବିଷଚକ୍ରର କେନ୍ଦ୍ରବିନ୍ଦୁ, ଏହା ଉପରେ ବିତର୍କର କୌଣସି ଅବକାଶ ନାହିଁ। ରାଜନୈତିକ ଦଳଗୁଡ଼ିକର ପାଣ୍ଠି ସଂଗ୍ରହଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ପରିଚାଳନା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସ୍ୱଚ୍ଛତା ନରହିଲେ, ଶାସନ ବ୍ୟବସ୍ଥା କଦାପି ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ହୋଇ ପାରିବ ନାହିଁ। ଆମ ଗଣତନ୍ତ୍ରରେ ବୋଧହୁଏ ସାଧାରଣ ଜୀବନର ଏମିତି କୌଣସି କ୍ଷେତ୍ର ନାହିଁ, ଯାହା ରାଜନୀତି ଦ୍ୱାରା ପ୍ରଭାବିତ କିମ୍ବା ନିୟନ୍ତ୍ରିତ ନୁହେଁ। ଅଥଚ କାହିଁକି ରାଜନୀତି ଓ ରାଜନୈତିକ ବ୍ୟକ୍ତିଙ୍କ ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ଏତେ ବିମୁଖତା, ଅନାସ୍ଥା ଓ ଅବିଶ୍ୱାସ? ଦେଶର ରାଜନୈତିକ ବର୍ଗ ଏ ପ୍ରଶ୍ନର ଉତ୍ତର ଖୋଜିବା ଉଚିତ ଓ ଆନ୍ନା ସେଥିପାଇଁ ଏକ ଅବସର ସୃଷ୍ଟି କରିଛନ୍ତି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ୨୦୧୧ରେ ଆନ୍ନାଙ୍କ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନକୁ ଦେଶବ୍ୟାପୀ ଯେଉଁ ପ୍ରକାର ଜନ ସମର୍ଥନ ମିଳିଥିଲା, ଏଥର କ’ଣ ସେହି ପ୍ରକାର ବିପୁଳ ଜନସମର୍ଥନ ମିଳିବ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ୨୦୧୧ରେ ଟୁ-ଜି ସ୍ପେକ୍‌ଟ୍ରମ୍‌ ଦୁର୍ନୀତି, କୋଇଲା ଘୋଟାଲା ଆଦି ଅନେକ ଭ୍ରଷ୍ଟାଚାର ମାମଲା ଆନ୍ଦୋଳନ ପାଇଁ ଯେମିତି ଏକ ଅନୁକୂଳ ପାଣିପାଗ ତିଆରି କରିଥିଲା, ଏବେ ସେମିତି କୌଣସି ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଚର୍ଚ୍ଚାରେ ନାହିଁ। ପୁଣି ୨୦୧୧ ଆନ୍ଦୋଳନରେ ଯେଉଁମାନେ-ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ପୁଡୁଚେରୀ ରାଜ୍ୟପାଳ କିରଣ ବେଦୀ ପ୍ରମୁଖ- ସହଯୋଗୀ ଥିଲେ, ସେମାନେ ଏବେ ବ୍ୟବସ୍ଥାର ଅଂଶବିଶେଷ। କିନ୍ତୁ ମହତ ଉଦ୍ଦେଶ୍ୟ ନେଇ ସତ ମାର୍ଗରେ ଚଲେିଲେ ସହଯୋଗ ଓ ସମର୍ଥନ ଆପେ ମିଳିଯାଏ। ଆନ୍ନାଙ୍କୁ ଏଥର ମଧ୍ୟ ସହଯୋଗୀ ମିଳିବେ।, ସମର୍ଥନର ଅଭାବ ରହି ନ ପାରେ। ଏଥର ଦୁର୍ଦଶାଗ୍ରସ୍ତ ଓ ବ୍ୟବସ୍ଥା ଦ୍ୱାରା ଶୋଷିତ ଚାଷୀ ସମାଜର ସମର୍ଥନ ଆନ୍ନାଙ୍କ ସହ ରହିଛିି। କାରଣ ଚାଷୀମାନେ ହିଁ ନ୍ୟସ୍ତ ସ୍ୱାର୍ଥ ଦ୍ୱାରା ପରିଚାଳିତ ଦୁର୍ନୀତି ଗ୍ରସ୍ତ ବ୍ୟବସ୍ଥା ଦ୍ୱାରା ଅଧିକ ପୀଡ଼ିତ। ଚାଷୀଙ୍କ ସମସ୍ୟା ଆନ୍ଦୋଳନର ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଗ୍ରହଣ କରାଯାଇଛି। ତିନିବର୍ଷ ପରେ, ମୋଦୀ ସରକାର ବିରୋଧରେ ଦାନା ବାନ୍ଧୁଥିବା ଜନ ଅସନ୍ତୋଷ, ବିଶେଷ କରି ଚାଷୀଙ୍କ ମଧ୍ୟରେ ଅବହେଳିତ, ଉପେକ୍ଷିତ ହେବାର ଅବସୋସ, ବିଜେପିର କିଛି ତୁଙ୍ଗ ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ସ୍ୱତଃ ଆନ୍ନାଙ୍କ ଆନ୍ଦୋଳନକୁ ଇନ୍ଧନ ଯୋଗାଇବା ସମ୍ଭାବନା ରହିଛି। କ୍ରମଶଃ ଏହା ବ୍ୟାପକ ଜନ ଆନ୍ଦୋଳନର ରୂପ ନେବା ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ।

ରାଜନୈତିକ ଦୃଷ୍ଟିରୁ ଉଣେଇଶ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓ କ୍ଷମତାସୀନ ବିଜେପି ପକ୍ଷରେ ବିରୋଧୀଙ୍କ ମୁକାବିଲା ଅପେକ୍ଷା ଆନ୍ନାଙ୍କ ଅଣ-ରାଜନୈତିକ, ସାମାଜିକ ଆନ୍ଦୋଳନର ମୁକାବିଲା ଅଧିକ ଆହ୍ଵାନ ଭରା ହେବ। ଆନ୍ନାଙ୍କ ଆନ୍ଦୋଳନ ପ୍ରତି ଜନସମର୍ଥନ ଯେତିକି ବଢ଼ିବ, ସରକାର ପାଇଁ ତାହା ସେତିକି ଅଧିକ ଅଡୁଆ ହେବ। କିନ୍ତୁ, ଆନ୍ଦୋଳନର ଲକ୍ଷ୍ୟ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି ନୁହେଁ। ବ୍ୟବସ୍ଥାରେ ସଂସ୍କାର, ଭ୍ରଷ୍ଟାଚାର ରାକ୍ଷସର ନିପାତ ଆନ୍ଦୋଳନର ଲକ୍ଷ୍ୟ। ଏହା ହାସଲ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ବିରାମ ଦେବାର ନାହିଁ।

ସମ୍ବନ୍ଧିତ ଖବର