ସମ୍ଭାବ୍ୟ ମରୁଡ଼ି ମୁକାବିଲା

ବିଧାନସଭାରେ ମାନ୍ୟବର ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ତି ରାଜ୍ୟରେ ନିଅଣ୍ଟିଆ ବର୍ଷାର ଯେଉଁ ତଥ୍ୟ ରଖିଛନ୍ତି, ସେଥିରେ ଆଉ ଏକ ମରୁଡ଼ିର ପଦଧ୍ବନି ଶୁଣାଯାଉଛି। ବର୍ଷାଋତୁର ଅବଶିଷ୍ଟ ସମୟରେ ମୌସୁମୀର ଆଚରଣ ବଦଳି ଅନୁକୂଳ ହେଲେ ହୁଏତ ବୃଷ୍ଟିପାତରେ ନିଅଣ୍ଟିଆ କିଛି ମାତ୍ରାରେ ଭରଣା ହୋଇପାରେ। କିନ୍ତୁ ବିଗିଡ଼ି ଯାଇଥିବା ଚାଷର ଅବସ୍ଥାରେ ସ୍ବାଭାବିକତା ଫେରିବା ଆଶା କ୍ଷୀଣ। ବର୍ଷା ପାଣି ଉପରେ ନିର୍ଭରଶୀଳ ରାଜ୍ୟର ଦୁଇ ତୃତୀୟା˚ଶ ଜମିରେ ଚାଷ ମରୁଡି କବଳିତ ହେବା ଆଶଙ୍କାରେ ଚାଷୀ କୁଳ ଏବେ ଭାଳେଣିରେ। କେବଳ ବର୍ଷା ଉପରେ ନିର୍ଭରଶୀଳ ଚାଷ ଜମି ନୁହେଁ, ବୃହତ୍‌ରୁ କ୍ଷୁଦ୍ର ପର୍ଯ୍ୟନ୍ତ ସବୁ ଆକାରର ଜଳଭଣ୍ତାର ଗୁଡ଼ିକରେ ଜଳପତ୍ତନ ସ୍ବାଭାବିକଠାରୁ କମ୍‌ ରହୁଥିବାରୁ ଜଳସେଚିତ ଜମିରେ ମଧୢ ଫସଲ ବିପଦମୁକ୍ତ ନୁହେଁ। ବୃଷ୍ଟିପାତର ଧାରାରେ ପରିବର୍ତ୍ତନ ହେଲେ ସୁଦ୍ଧା ଏ ବର୍ଷ କୃଷି ଉତ୍ପାଦନ ହ୍ରାସ ପାଇବା ଜଳ ଜଳ ଦିଶୁଛି।

ରାଜସ୍ବ ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲା ମଧୢରୁ କେବଳ ୫ଟିକୁ ଛାଡ଼ିଦେଲେ, ଅବଶିଷ୍ଟ ୨୫ ଜିଲ୍ଲା ନିଅଣ୍ଟିଆ ବର୍ଷାର ଶିକାର ହୋଇଛି। ମୋଟ ୩୧୪ ବ୍ଲକ୍‌ ମଧୢରୁ ୨୩୫ ବ୍ଲକ୍‌ରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ୫୯% କମ୍‌ ବର୍ଷା ହୋଇଥିବା ୨୧ ବ୍ଲକ୍‌ରେ ସ୍ଥିତି ଗମ୍ଭୀର। ପ୍ରଥମେ ଏଥର ମୌସୁମୀ ବିଳମ୍ବରେ ଆସିଲା ଓ ପରେ ଗତ ସାତ ସପ୍ତାହରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି। ରୁଆ ଓ ବେଉଷଣ ପାଇଁ ଜମିରେ ପାଣି ନାହିଁ। କେତେକ ଅଞ୍ଚଳରେ ପାନୀୟ ଜଳର ଅଭାବ ମଧୢ ଲାଗି ରହିଛି। ଜଳଭଣ୍ତାରଗୁଡ଼ିକରେ ମଧୢ ବର୍ତ୍ତମାନ ସୁଦ୍ଧା କ୍ଷମତାର ଏକ ପଞ୍ଚମା˚ଶ ବି ଭର୍ତ୍ତି ହୋଇନାହିଁ। ବର୍ଷର ଏହି ସମୟ ସୁଦ୍ଧା ଜଳଭଣ୍ତାରଗୁଡ଼ିକରେ କ୍ଷମତାର ହାରାହାରି ୨୮.୮% ଜଳ ମହଜୁଦ ରହିବା କଥା। କିନ୍ତୁ ଜଳଭଣ୍ତାର ଗୁଡ଼ିକରେ ଥିବା ଜଳର ପରିମାଣ ୧୫.୬୬%ରୁ ଉପରକୁ ଉଠିନାହିଁ। ଏହା ସୂଚାଉଛି ଯେ, ରାଜ୍ୟର ଜଳସେଚିତ ଅଞ୍ଚଳରେ ମଧୢ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଫଳରେ ଖରିଫରେ ଯେତିକି ପରିମାଣ ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ସେଥିରୁ ମାତ୍ର ୪୦% ଜମିରେ ଚାଷ କାର୍ଯ୍ୟ ହୋଇଛି। ବର୍ଷାର ଏହି ନିଅଣ୍ଟିଆ ଧାରା ଲାଗି ରହିଲେ ଚାଷ ହୋଇଥିବା ଜମିରେ ଫସଲ ପ୍ରଭାବିତ ହେବା ସହ ଚାଷ ହୋଇ ନପାରି ବ୍ୟାପକ ଜମି ପଡ଼ିଆ ପଡ଼ିବା ଆଶଙ୍କାକୁ ଏଡ଼ାଯାଇ ନପାରେ।

ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ତି ମହୋଦୟ ବିଧାନସଭାରେ ଆସନ୍ନ ମରୁଡ଼ିର ସତର୍କ ସଙ୍କେତ ଦେଇଛନ୍ତି। ଅଥଚ, ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା ଲାଗି ସରକାରଙ୍କ ଯୋଜନା କିମ୍ବା ପ୍ରସ୍ତୁତି ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। କୌଣସି ବି ପ୍ରାକୃତିକ ଦୁର୍ବିପାକର ମୁକାବିଲା ଲାଗି ଶ୍ରେଷ୍ଠ ଅସ୍ତ୍ର ହେଉଛି ଆଗୁଆ ପ୍ରସ୍ତୁତି। ପ୍ରାକୃତିକ ଦୁର୍ବିପାକକୁ ସମ୍ପୂର୍ଣ୍ଣ ଟାଳିବା ସମ୍ଭବ ନୁହେଁ। କିନ୍ତୁ ଆଗୁଆ ପ୍ରସ୍ତୁତି ଦ୍ବାରା ଏହାର ପ୍ରାଦୁର୍ଭାବକୁ ଯଥାସମ୍ଭବ କମ୍‌ କରାଯାଇପାରେ। ବିପର୍ଯ୍ୟୟପ୍ରବଣ ଓଡ଼ିଶା ବର୍ଷେ-ଦୁଇ ବର୍ଷରେ ଥରେ ନିଶ୍ଚୟ ମରୁଡ଼ି ସହି ଆସୁଛି। କୃଷି ବିଭାଗର ଏକ ରିପୋର୍ଟ ଅନୁଯାୟୀ ୧୯୬୧ରୁ ୨୦୧୩ ପର୍ଯ୍ୟନ୍ତ ୫୩ ବର୍ଷରୁ ମାତ୍ର ୧୩ ବର୍ଷ ସ୍ବାଭାବିକ ବର୍ଷା ହୋଇଥିଲା। ପରିଣତି, ଏହି ୫୩ ବର୍ଷରୁ ୪୦ ବର୍ଷ ତିରୋଟ ଓ ମରୁଡ଼ି। ଓଡ଼ିଶାର ଦୁର୍ଭାଗ୍ୟ ଯେ, ଅନେକ ବର୍ଷ ରାଜ୍ୟର ଗୋଟିଏ ଅଞ୍ଚଳରେ ଉତ୍କଟ ମରୁଡ଼ି ଓ ଆଉ ଗୋଟିଏ ଅଞ୍ଚଳରେ ବନ୍ୟା ବିତ୍ପାତର ତିକ୍ତ ଅଭିଜ୍ଞତା ଅଛି। ବେଶି ଅତୀତକୁ ଫେରିିବାକୁ ପଡ଼ିବ ନାହିଁ। ଏ ସନ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ିର ଆଶଙ୍କାରେ ଥିବା ଓଡ଼ିଶା ଗତ ୨୦୧୮ରେ ମଧୢ ମରୁଡ଼ିର ମାଡ଼ ଖାଇଥିଲା। ରାଜ୍ୟର ୯ଟି ଜିଲ୍ଲାକୁ ମରୁଡ଼ିଗ୍ରସ୍ତ ଘୋଷଣା କରାଯାଇଥିଲା। ୨୩,୩୧୭୩ ହେକ୍ଟର ଜମିରେ ଫସଲ ପ୍ରଭାବିତ ହୋଇଥିଲା। ମୌସୁମୀର ଖେଳ ଓଡ଼ିଶା ପାଇଁ କେମିତି କାଳ, ନିମ୍ନୋକ୍ତ ତଥ୍ୟ ତାର ସୂଚକ। ଗତ ବର୍ଷ ଜୁଲାଇ ୨୩ ସୁଦ୍ଧା ୨୨ ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦୦ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ଅଥଚ, ୯ଟି ଜିଲ୍ଲା ସ୍ବଳ୍ପ ବର୍ଷା ଯୋଗୁଁ ମରୁଡ଼ି କବଳକୁ ଠେଲି ହୋଇଗଲା। ୨୦୧୫-୧୬ରେ ମଧୢ ରାଜ୍ୟକୁ ଏକ ଭୟାନକ ମରୁଡ଼ି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ୩୦ ଜିଲ୍ଲା ମଧୢରୁ ୨୭ ଜିଲ୍ଲା ମରୁଡ଼ି କବଳିତ ହୋଇଥିଲା। ପ୍ରାୟ ୨୧ ଲକ୍ଷ ହେକ୍ଟର ଜମିରେ ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲା।

ରାଜ୍ୟ ବାରମ୍ବାର ମରୁଡ଼ିର ସମ୍ମୁଖୀନ ହୋଇଆସୁଛି। କେତେକ ଅଞ୍ଚଳ ଅତି ମାତ୍ରାରେ ମରୁଡ଼ି ପ୍ରବଣ। ବାତ୍ୟା ଓ ବନ୍ୟାର ପ୍ରକୋପ ଏବ˚ ତଦ୍‌ଜନିତ କ୍ଷୟକ୍ଷତି ଆଖିକୁ ଦେଖାଯାଏ। କିନ୍ତୁ ମରୁଡ଼ିର ପ୍ରକୋପ ଓ କ୍ଷୟକ୍ଷତି ହଠାତ୍‌ ଦେଖାଯାଏ ନାହିଁ। ଏହାର ତ୍ବରିତ୍‌ ଆକଳନ ମଧୢ ସହଜ ନୁହେଁ। କିନ୍ତୁ ବାତ୍ୟା ଓ ବନ୍ୟା ତୁଳନାରେ ଜୀବନ ଜୀବିକା ଉପରେ ମରୁଡ଼ିର ପ୍ରଭାବ କିଛି କମ୍‌ ନୁହେଁ। ଏହାର ପ୍ରାଦୁର୍ଭାବ ବେଶ୍‌ ଦୀର୍ଘମିଆଦୀ ମଧୢ। ଅଥଚ ଏହାର ମୁକାବିଲା ପାଇଁ ଯେଉଁ ପ୍ରକାର ଆଗୁଆ ଯୋଜନା ଓ ପ୍ରସ୍ତୁତି ଆବଶ୍ୟକ, ସେଥିରେ ଘୋର ଅଭାବ ପ୍ରାଦୁର୍ଭାବର ମାତ୍ରାକୁ ବହୁଗୁଣିତ କରି ଦେଇଥାଏ। ଅନେକ ସମୟରେ ମରୁଡ଼ି ପ୍ରଭାବର ଆକଳନ କରି ତାର ମୁକାବିଲାରେ ବିଳମ୍ବ ଫଳରେ ପରିସ୍ଥିତି ଲେଡ଼ିଗୁଡ଼ କହୁଣିକୁ ବୋହିଗଲା ଭଳି ଅବସ୍ଥା ସୃଷ୍ଟି କରିଥାଏ। ଏହାସତ୍ତ୍ବେ ମରୁଡ଼ି ମୁକାବିଲା ପ୍ରସଙ୍ଗରେ ସରକାରୀ ଆଭିମୁଖ୍ୟରେ ବିଶେଷ କୌଣସି ପରିବର୍ତ୍ତନ ଅନୁଭୂତ ହେଉନାହିଁ। ସେହି ଚିରାଚରିତ ଅମଲାତାନ୍ତ୍ରିକ ଧାରାରେ ମାନ୍‌ଧାତିଆ ‘ରିଲିଫ କୋଡ୍‌’କୁ ମାର୍ଗଦର୍ଶକ ଭାବେ ଧରାଯିବାରୁ ମରୁଡ଼ି ମୁକାବିଲା ଅକୁଳାଣ ପଡୁଛି। ଏ କ୍ଷେତ୍ରରେ ଆହୁରି ଅଧିକ ରାଜନୈତିକ ସମ୍ବେଦନଶୀଳତା ଓ ଅମଲାତାନ୍ତ୍ରିକ ନିଷ୍ଠାର ଆବଶ୍ୟକତା ରହିଛି। ଅନେକ ସମୟରେ ଦେଖାଯାଇଛି ଯେ, ‘‘ଛାମୁ ଯାହା ଦେଲେ ହରଷେ……’’ ଭଳି ଯତ୍‌କିଞ୍ଚିତ ସରକାରୀ ସହାୟତା ମରୁଡ଼ି ବିପନ୍ନଙ୍କ ପାଖରେ ପହଞ୍ଚିଲା ବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ ଓ ତାହା ବିପନ୍ନଙ୍କ ଦୁଃଖ ଲାଘବ କରିପାରେ ନାହିଁ। ଦୁର୍ବିପାକ ଜନିତ ଦୁର୍ଦ୍ଦିନରେ ପ୍ରକୃତିର ଦାଉ ଠାରୁ ସରକାରୀ ଉଦାସୀନତାର ଦାଉ ବଳିଯିବାର ଅନେକ ଦୁଃଖଦ ନଜିର ରହିଛି।

ଏ ସ୍ଥିତିରେ କ’ଣ ପରିବର୍ତ୍ତନ ହୋଇ ପାରିବ ନାହିଁ? ଅବଶ୍ୟ, କୌଣସି ପରିବର୍ତ୍ତନ ପାଇଁ ପ୍ରଥମେ ସରକାରୀ କଳର ଗତାନୁଗତିକ ଆଭିମୁଖ୍ୟରେ ପରିବର୍ତ୍ତନ ଏକ ପ୍ରାକ୍‌-ଆବଶ୍ୟକତା। ରାଜସ୍ବ ମନ୍ତ୍ରୀ ନିଅଣ୍ଟିଆ ବର୍ଷାର ତଥ୍ୟରେ ଯେମିତି ମରୁଡ଼ିର ଆଗୁଆ ସତର୍କ ସ˚କେତ ଦେଲେ, ସେମିତି ସମ୍ଭାବ୍ୟ ମରୁଡ଼ିର ମୁକାବିଲା ଲାଗି ସରକାରଙ୍କ ଯୋଜନା ଓ ପ୍ରସ୍ତୁତି ସମ୍ପର୍କରେ ମଧୢ ସୂଚନା ଦେବା ଉଚିତ ଥିଲା। ତାହା ମରୁଡ଼ି ଆଶଙ୍କାରେ ଥିବା ଅଞ୍ଚଳର ଲୋକ, ବିଶେଷ କରି କୃଷି ଉପରେ ନିର୍ଭରଶୀଳ ଚାଷୀ ଓ କୃଷି ଶ୍ରମିକଙ୍କୁ ଆଶ୍ବସ୍ତ କରିଥାନ୍ତା। କେବଳ ‘ପରିସ୍ଥିତି ଉପରେ ନଜର ରଖାଯାଇଛି’ ବୋଲି ମନ୍ତ୍ରୀ ମହାଶୟଙ୍କ ଆଶ୍ବାସନା ଯଥେଷ୍ଟ ନୁହେଁ। ଯଦି ମରୁଡ଼ି ହୁଏ, କେମିତି ତେବେ ତାର ମୁକାବିଲା କରାଯିବ? ଏ ପ୍ରଶ୍ନର ନିଦ୍ଦିର୍ଷ୍ଟ ଉତ୍ତର ଆଶା କରାଯାଏ। ସମ୍ଭାବ୍ୟ ମରୁଡ଼ିର ମୁକାବିଲା ପାଇଁ ଏଠାରେ କିଛି ପ୍ର୍ରସ୍ତାବ ଉଲ୍ଲେଖ କରୁଛୁ। ତିରୋଟ ସମୟରେ କାମଧନ୍ଦା ଯୋଗାଇ ଦେବା ଲାଗି ‘ମନରେଗା’ ସହ ଅତିରିକ୍ତ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ ଚାଲୁ କରିବା ଲାଗି ପଦକ୍ଷେପ ନିଆଯିବା ଉଚିତ। କାମଧନ୍ଦା ସହ ସେମାନଙ୍କୁ ପାଉଣା ଯେମିତି ଠିକଣା ସମୟରେ ମିଳେ ତାହା ମଧୢ ନିଶ୍ଚିତ କରାଯିବା ଉଚିତ। ଆବଶ୍ୟକ ସ୍ଥଳେ ଅଭାବୀ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ଯୋଜନାର ସ˚ପ୍ରସାରଣ ଓ ମାଗଣା କାର୍ଯ୍ୟକ୍ରମ ବିଷୟ ଚିନ୍ତା କରାଯାଇପାରେ। ସ୍ବଳ୍ପ ପାଣିରେ ଫସଲର ଯତ୍ନ ଓ ପରବର୍ତ୍ତୀ ଚାଷ ପାଇଁ ଫସଲ ଖସଡ଼ା ସମ୍ପର୍କରେ ଚାଷୀଙ୍କୁ ଆଗୁଆ ସୂଚନା ଦେଇ ବିହନ ଆଦି ଯୋଗାଣର ବ୍ୟବସ୍ଥା କରାଯାଉ। କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପରବର୍ତ୍ତୀ ଫସଲ ସକାଶେ ମଧ୍ୟ ଋଣର ବ୍ୟବସ୍ଥା କରାଯିବା ଦରକାର। ମରୁଡ଼ିର ମୁକାବିଲା ପାଇଁ ଏମିତି କିଛି ସ୍ବଳ୍ପମିଆଦୀ ପଦକ୍ଷେପ ସହ ଦୀର୍ଘମିଆଦୀ ସୂତ୍ରରେ ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ଜଳସେଚନ, ଜଳ ସ˚ରକ୍ଷଣ, ଜମିରେ ଆର୍ଦ୍ରତା ରକ୍ଷା ପାଇଁ ମୃତ୍ତିକା ସ˚ରକ୍ଷଣ ଇତ୍ୟାଦି ଲାଗି ଉଦ୍ଦିଷ୍ଟ ଯୋଜନା ଗୁଡ଼ିକରେ ତ୍ବରାନ୍ବିତ କାର୍ଯ୍ୟକାରିତା ପ୍ରାଥମିକତାର ଅପେକ୍ଷା ରଖୁଛି।

ଆଶା, ବିଧାନସଭାର ଚଳିତ ଅଧିବେଶନ ଶେଷ ହେବା ପୂର୍ବରୁ ସରକାର ସମ୍ଭାବ୍ୟ ମରୁଡ଼ିର ମୁକାବିଲା ପାଇଁ ଏକ ଦୋରସ୍ତ ଯୋଜନା ଓ ତାର କ୍ରିୟାନ୍ବୟନର ଏକ ନକ୍ସା ଉପସ୍ଥାପନ କରିବେ। କୃଷି କ୍ୟାବିନେଟ୍‌ ମଧୢ ନିଅଣ୍ଟିଆ ବର୍ଷା ଜନିତ ଚାଷ ଅବସ୍ଥାର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବେ। ଗୋଟିଏ ଜନମଙ୍ଗଳକାରୀ ରାଷ୍ଟ୍ରରେ ସ୍ବାଭାବିକ ସମୟରେ ଲୋକଙ୍କ ପ୍ରତି ସରକାରଙ୍କର ଯେତିକି ଦାୟିତ୍ବ ରହିଥାଏ, ପ୍ରାକୃତିିକ ଦୁର୍ବିପାକ ସମୟରେ ପୀଡ଼ିତଙ୍କ ପ୍ରତି ଦାୟିତ୍ବ ତା ଠାରୁ ବହୁଗୁଣ ଅଧିକ ହୋଇଯାଏ। ଅବଶ୍ୟ, ଯାହା ଏହା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଉଛି ସରକାରୀ କଳର ସମ୍ବେଦନଶୀଳତା।

ସମ୍ବନ୍ଧିତ ଖବର