ବିଭ୍ରାନ୍ତି ବିଳାସ

ଯେଉଁ ଇ˚ରେଜୀ ତ୍ରି-ଅକ୍ଷରୀକୁ ନେଇ ଏବେ ପୁଣି ଏକ ବିବାଦ ମୁଣ୍ତ ଟେକିଛି, ତାହା ହେଉଛି ‘ଏନ୍‌ପିଆର‌୍‌’(ଜାତୀୟ ଜନସ˚ଖ୍ୟା ପଞ୍ଜିକା)। ଏହା ପୂର୍ବରୁ ‘ସିଏଏ’ (ନାଗରିକତା ସ˚ଶୋଧନ ଆଇନ) ଏବ˚ ‘ଏନ୍‌ଆର‌୍‌ସି’ (ଜାତୀୟ ନାଗରିକ ପଞ୍ଜିକା)କୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ବିବାଦ, ବିରୋଧ, ଭଙ୍ଗାରୁଜା ଓ ଜଳାପୋଡ଼ା ଆଦି ଦେଖିବାକୁ ମିଳିଥିଲା। ଯାହା ଫଳରେ ସାରା ଦେଶରେ ବର୍ତ୍ତମାନ ‘ଏନ୍‌ଆର‌୍‌ସି’କୁ ଲାଗୁ କରାଯିବାର କୌଣସି ଯୋଜନା ନାହିଁ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଶ୍ବାସନା ଦେବାକୁ ହୋଇଥିଲା। କିନ୍ତୁ, ଏହାର ପ୍ରାୟ ଅଠଚାଳିଶ ଘଣ୍ଟା ପରେ କ୍ୟାବିନେଟ୍‌ ଦ୍ବାରା ଗୃହୀତ ‘ଏନ୍‌ପିଆର‌୍‌’ର ଆବିର୍ଭାବ ପରେ ପୁଣି ପ୍ରବଳ ବିରୋଧ ପ୍ରକାଶ ପାଇବା ଆରମ୍ଭ ହୋଇଛି। ବର୍ତ୍ତମାନ ବାଚନିକ ସ୍ତରରେ ଥିବା ଏହି ବିରୋଧ ଯେ ଶୀଘ୍ର ସଡ଼କକୁ ଓହ୍ଲାଇପାରେ, ଏହା କେବଳ ଅନୁମାନସାପେକ୍ଷ। ‘ଏନ୍‌ପିଆର‌୍‌’ର ବିରୋଧୀମାନଙ୍କର ବକ୍ତବ୍ୟ ହେଲା, ସରକାରଙ୍କ ସମସ୍ତ ସାନ୍ତ୍ବନା ସତ୍ତ୍ବେ ଏହା ଅସଲରେ ହେଉଛି ‘ଏନ୍‌ଆର୍‌ସି’ ଲାଗି ପ୍ରବେଶର ଦ୍ବାର। ସୁତରା˚, ‘ଏନ୍‌ପିଆର’ର ସପକ୍ଷ ଓ ବିପକ୍ଷରେ ଯେଉଁ ଦୁଇ ଜଣଙ୍କ ସ୍ବର ପ୍ରତିନିଧିମୂଳକ ଭାବେ ଶୁଣିବାକୁ ମିଳୁଛି, ସେମାନେ ହେଉଛନ୍ତି ଯଥାକ୍ରମେ ଗୃହମନ୍ତ୍ରୀ ଅମିତ ଶାହ ଏବ˚ ହାଇଦ୍ରାବାଦର ସା˚ସଦ ଆସାଦୁଦ୍ଦିନ ଓଵାଇସି। ଗୋଟିଏ ପଟେ ଗୃହମନ୍ତ୍ରୀଙ୍କ ଦୃଢ଼ ସ୍ପଷ୍ଟୋକ୍ତି ଯେ ‘ଏନ୍‌ଆର‌୍‌ସି’ ସହିତ ‘ଏନ୍‌ପିଆର‌୍‌’ର ଆଦୌ କୌଣସି ସ˚ପର୍କ ନାହିଁ ଏବ˚ ଉଭୟ ସ˚ପୂର୍ଣ୍ଣ ରୂପେ ଦୁଇଟି ଭିନ୍ନ ଭିନ୍ନ ଆଇନ ଉପରେ ଆଧାରିତ, ଅନ୍ୟ ପଟେ ଓଵାଇସି ମହାଶୟ ସରକାରୀ ଦସ୍ତାବିଜରେ ଥିବା କିଛି ସୂଚନାକୁ ଉଦ୍ଧାର କରି କହିବାରେ ଲାଗିଛନ୍ତି ଯେ ‘ଏନ୍‌ପିଆର‌୍‌’ର ‘ଡାଟା ବେସ୍‌’କୁ ପ୍ରକୃତରେ ‘ଏନ୍‌ଆର‌୍‌ସି’ ଲାଗି ହିଁ ବ୍ୟବହାର କରାଯିବ ଏବ˚ ସ˚ଖ୍ୟାଲଘୁ ମୁସଲମାନମାନଙ୍କୁ ସୀମାନ୍ତରିତ କରିବାର ଏହା ଏକ ଯୋଜନାବଦ୍ଧ ବୁଲାଣି ବାଟ। ଏଭଳି ଆରୋପ ଓ ପ୍ରତ୍ୟାରୋପ ଭିତରେ ବିଭ୍ରାନ୍ତିର ଯେଉଁ ଘନ କୁହୁଡ଼ି ସୃଷ୍ଟି ହୋଇଛି, ତାହା ଆଉ କିଛି କରୁ ବା ନ କରୁ, ଜନସାଧାରଣଙ୍କ ସାମୂହିକ ଦୃଷ୍ଟି ପଟଳକୁ ଧୂମାଭ କରି ପକାଇଛି।

ଏହା ସତ ଯେ ‘ଏନ୍‌ପିଆର‌୍‌’ର ଆବାହକ ଏବର ଏନ୍‌ଡିଏ ସରକାର ନୁହନ୍ତି। ୨୦୧୦ ମସିହାରେ ‘ୟୁପିଏ’ ସରକାରଙ୍କ ଅମଳରେ ‘ଏନ୍‌ପିଆର‌୍‌’ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବ˚ ପ୍ରତି ଦଶ ବର୍ଷରେ ହୋଇ ଆସୁଥିବା ଜନଗଣନା କାର୍ଯ୍ୟକ୍ରମ ସହିତ ଏହା ସମାନ୍ତରାଳ ଭାବେ ଚାଲିଥିଲା। ସେଇ ଦୃଷ୍ଟିରୁ ୨୦୨୦ ମସିହାରେ ପୁଣି ଥରେ ଜନ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ବସିଥିବା ବେଳେ ‘ଏନ୍‌ପିଆର‌୍‌’ ପଞ୍ଜୀକରଣର ପାଳି ସ୍ବାଭାବିକ ଭାବେ ପଡୁଛି। ସରକାର (ଉଭୟ କେନ୍ଦ୍ର ଓ ରାଜ୍ୟ)ଙ୍କ ପକ୍ଷରୁ ୨୦୧୯, ଜୁଲାଇ ମାସରୁ ‘ଏନ୍‌ପିଆର‌୍‌’ ଲାଗି ବିଜ୍ଞପ୍ତି ପ୍ରକାଶ କରାଯାଇସାରିଛି, ଯେତେବେଳକୁ ‘ସିଏଏ’ ପ୍ରସଙ୍ଗ ଉଠି ନ ଥିଲା। ତେଣୁ ‘ସିଏଏ’ ବା ସେଇ କ୍ରମରେ ‘ଏନ୍‌ଆର୍‌ସି’ ସହିତ ଯୋଡ଼ି ‘ଏନ୍‌ପିଆର‌୍‌’କୁ ଦେଖିବା ଅବିମୃଶ୍ୟକାରିତା ମାତ୍ର। କିନ୍ତୁ ସରକାରଙ୍କ ଏହି ଆଶ୍ବାସନା ବିପକ୍ଷରେ ଆସାଦୁଦ୍ଦିନ ଓଵାଇସି ପେସ୍‌ କରିଥିବା ଦୃଷ୍ଟାନ୍ତଗୁଡ଼ିକ ମଧୢ (ତାଙ୍କ ବୟାନାନୁସାରେ) ସରକାରୀ ସୂଚନା ଉପରେ ଆଧାରିତ। କାରଣ ସରକାର ବିଭିନ୍ନ ସମୟରେ ସ˚ସଦରେ କହି ଆସିଛନ୍ତି ଯେ ‘ଏନ୍‌ପିଆର‌୍‌’ ହେବ ‘ଏନ୍‌ଆର‌୍‌ଆଇସି’ (ଭାରତୀୟ ନାଗରିକଙ୍କ ପଞ୍ଜିକା) ଦିଗରେ ପ୍ରଥମ ପଦକ୍ଷେପ।

ତେବେ, ‘ଏନ୍‌ପିଆର‌୍‌’ର ଘୋଷଣା ପର ଠାରୁ ସୃଷ୍ଟି ହୋଇଥିବା ବିଭ୍ରାନ୍ତିର ଘନ କୁହୁଡ଼ିକୁ ଅତିକ୍ରମ କରି ଦୃଷ୍ଟି ପ୍ରସାରିତ କଲେ ଯେଉଁ ଦୁଇଟି କଥା ଦିଶିଥାଏ, ତହିଁରୁ ଗୋଟିଏ ହେଲା ରାଷ୍ଟ୍ରର ନାଗରିକମାନଙ୍କ ସକାଶେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ରୂପରେଖ ପ୍ରସ୍ତୁତି ଏବ˚ ବିଭିନ୍ନ ନୀତି ନିର୍ଦ୍ଧାରଣ ଲାଗି ସମଗ୍ର ଜନ ସ˚ଖ୍ୟାର ଯେଉଁ ‘ଡାଟାବେସ୍‌’ର ଆବଶ୍ୟକତା ରହିଛି ସେଥିଲାଗି ‘ଏନ୍‌ପିଆର‌୍‌’ ଜରୁରୀ। ୨୦୧୦ରେ ଥରେ ଏହା ହୋଇ ସାରିଛି, ଯଦିଓ ‘ଆଧାର’ କାର୍ଡ ଲାଗି ଆରମ୍ଭ ହୋଇଥିବା ଅତ୍ୟନ୍ତ ବିଶାଳ ପ୍ରକରଣ ପରେ ଏହା ସୁପ୍ତ ଅବସ୍ଥାକୁ ଚାଲିଯାଇଥିଲା। ଏବ˚ ଦ୍ବିତୀୟ କଥାଟି ହେଲା ୨୦୧୦ରେ ଏହି ପ୍ରକରଣକୁ ବିରୋଧ କରାଯାଇ ନ ଥିବା ବେଳେ ଏବେ ଏହାର ବିରୋଧ ଉଚ୍ଚାଟ ହେବାର ମୂଳରେ ରହିଛି ସରକାରଙ୍କ ପ୍ରତି କେତେକ ବର୍ଗଙ୍କ ଠାରେ ଆସ୍ଥାର ଅଭାବ। ଏବ˚ ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି, ତାହା ହେଲା ଏହି ‘ନିଅଣ୍ଟ’ର ଗର୍ତ୍ତକୁ ବିଭ୍ରାନ୍ତି, ଅପପ୍ରଚାର ଏବ˚ ଗୁଜବ ଦ୍ବାରା ଭର୍ତ୍ତି କରାଯିବାର ଉଦ୍ୟମ ହେଉଛି। ଏଥିରେ ବିଡ଼ମ୍ବନାଟି ହେଲା, ଏଭଳି ‘ଆସ୍ଥା ଅଭାବ’ ପ୍ରସୂତ ପରିସ୍ଥିତି ଯଦି ବିରୋଧୀମାନଙ୍କୁ ସେମାନଙ୍କ ସ˚କୀର୍ଣ୍ଣ ରାଜନୈତିକ ସ୍ବାର୍ଥ ହାସଲ କରିବାର ଆଶାର ପୁଲକରେ ରୋମା˚ଚିତ କରୁଛି, ନାଗରିକ ସମାଜ ମଧୢରେ ସୃଷ୍ଟି ହୋଇଥିବା ଏହି ବିଭାଜନ ଆମ ଚରମ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଲାଗି ମଧୢ ପରମ ଆତ୍ମସନ୍ତୋଷର କାରଣ ହୋଇଛି। ସେହି ପରିପ୍ରେକ୍ଷୀରେ ଉଭୟ ସରକାର ଏବ˚ ବିରୋଧୀମାନଙ୍କ ଲାଗି ଯାହା ନିତାନ୍ତ ଜରୁରୀ, ତାହା ହେଲା ବିଭ୍ରାନ୍ତିର କୁହୁଡ଼ି ଅପସାରଣ କରି ବାର୍ତ୍ତାଳାପ ଜରିଆରେ ପରସ୍ପରର ବିଶ୍ବାସଭାଜନ ହେବାର ଉଦ୍ୟମ କରିବା। କେବଳ ଏହା ଦ୍ବାରା ହିଁ ରାଷ୍ଟ୍ରକୁ ଦୁର୍ବଳ କରିବାକୁ ଚେଷ୍ଟିତ ଅପତତ୍ତ୍ବମାନେ ଶକ୍ତିହୀନ ହେବେ।

ପରିଶେଷରେ, ଏ ସ˚ଦର୍ଭରେ ନିକଟରେ ଘଟିଥିବା ଦୁଇଟି ଉଦାହରଣ ଉପରେ ଦୃଷ୍ଟି ନିବଦ୍ଧ କରାଯାଇପାରେ। ଗୋଟିଏ ଘଟିଛି ଗଲା ବୁଧବାର ଦିନ, ଯେଉଁଠି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇ ପ୍ରଖ୍ୟାତ ଲେଖିକା ଅରୁନ୍ଧତୀ ରାୟ କହିଛନ୍ତି ଯେ ‘ଏନ୍‌ପିଆର‌୍‌’ ଲାଗି ତଥ୍ୟ ସ˚ଗ୍ରହକାରୀ ସରକାରୀ କର୍ମଚାରୀମାନଙ୍କୁ ସେମାନେ ମିଥ୍ୟା ସୂଚନା ଦେବା ଦରକାର। (ସେ କହିଥିଲେ ‘ନାଁ ପଚାରିଲେ କୁହ ରଙ୍ଗା ବା ବିଲ୍ଲା’- ପ୍ରକାଶ ଥାଉ କି ୧୯୭୮ମସିହାରେ ଚୋପ୍ରା ଭାଇଭଉଣୀଙ୍କ ଧର୍ଷଣ ଓ ହତ୍ୟା ମାମଲାରେ ଫାଶୀ ପାଇଥିବା ଏହି ନାମଧାରୀ ଦୁଇ କୁଖ୍ୟାତ ଅପରାଧୀ ସାରା ଭାରତରେ ଘୋର ନିନ୍ଦିତ ଓ ଚର୍ଚ୍ଚିତ ଚରିତ୍ର)। ଏହାକୁ କେବଳ ମାତ୍ର ସରକାର ବିରୋଧୀ ବକ୍ତବ୍ୟ ରୂପେ ଦେଖା ନ ଯାଇ ରାଷ୍ଟ୍ର ବିରୋଧୀ ବୟାନ ରୂପେ ବିଚାର କରାଯାଇ ଦଣ୍ଡର ବ୍ୟବସ୍ଥା କରିବା ସକାଶେ ଅନେକ ମହଲରେ ଦାବି ହେଉଥିଲେ ମଧୢ ସତ କଥା ହେଉଛି ଜଣେ ବିଖ୍ୟାତ ଲେଖିକା ତାଙ୍କ ପ୍ରଦତ୍ତ ବାଚାଳସୁଲଭ ପ୍ରଳାପଗୁଡ଼ିକ ଦ୍ବାରା ଆପଣା ଛାଏଁ ଉପହସିତ ହେବା କିଛି କମ୍‌ ଦଣ୍ତ ନୁହେଁ।

ଦ୍ବିତୀୟ ଘଟଣାଟି ଘଟିଥିଲା ‘ଏନ୍‌ଆର୍‌ସି’କୁ ନେଇ ପ୍ରଦର୍ଶନ କରାଯାଉଥିବା ତୀବ୍ର ବିରୋଧ ସମୟରେ, ଯେତେବେଳେ ଗୋଟିଏ ଦିନ ଦିଲ୍ଲୀର ଜାମା ମସଜିଦ ସମ୍ମୁଖରେ ଠୁଳ ହଜାରେ ସରିକି ତରୁଣ ଓ ଶିକ୍ଷିତ ମୁସଲମାନ ସେମାନଙ୍କ ପାର˚ପରିକ ପୋଷାକରେ ଅତିକାୟ ଜାତୀୟ ପତାକା ହାତରେ ଧରି, ଜାତୀୟ ସ˚ଗୀତ ଗାନ କରି ଏବ˚ ଭାରତର ଜୟଜୟକାର କରି ଏକ ଭିନ୍ନ ଢଙ୍ଗରେ ବିରୋଧ ପ୍ରକଟ କରିଥିଲେ। ଏହା ଜରିଆରେ ସେମାନେ ଦେଇଥିବା ବାର୍ତ୍ତାଟି ହେଲା ଦେଶପ୍ରେମ କେବଳ ଗୋଟିଏ ବର୍ଗର ଏକଚାଟିଆ ନୁହେଁ। କିନ୍ତୁ ଅବସୋସ, ହି˚ସାତ୍ମକ ବିରୋଧ ପ୍ରଦର୍ଶନ କରୁଥିବା ଅନ୍ୟାନ୍ୟ ଦଳ ତଥା ଦେଶର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏଥିରେ ନିହିତ ସୂକ୍ଷ୍ମ ସକାରାତ୍ମକ ବିଚାରକୁ ଦେଖି ପାରିଲେ ନାହିଁ; ଦେଖିଥିଲେ ବି ନଜରଅନ୍ଦାଜ କଲେ। କାରଣ ସେମାନେ ବୋଧହୁଏ ଚାହାନ୍ତି ଯେ ହିଂସାତ୍ମକ ବିରୋଧର ତାତି ଜାରି ରହୁ। ଯେତେବେଳେ ବିଭ୍ରାନ୍ତି ସୃଷ୍ଟି ଏକ ବିଳାସରେ ପରିଣତ ହେଲାଣି, ସେତେବେଳେ ଆଉ ଅଧିକ ଦୁର୍ଭାଗ୍ୟଜନକ ଆଉ କ’ଣ ହୋଇପାରେ!

ସମ୍ବନ୍ଧିତ ଖବର