ବାକ୍‌ସରେ ଗାନ୍ଧୀ

ଆତତାୟୀ ଗୁଳିରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ପର ଦିନ ଲଣ୍ତନ୍‌ର ଏକ ପ୍ରମୁଖ ସମ୍ବାଦପତ୍ର ତା’ର ସମ୍ପାଦକୀୟ ସ୍ତମ୍ଭରେ ଏକ ସ˚କ୍ଷିପ୍ତ ମନ୍ତବ୍ୟ ପ୍ରକାଶ କରିଥିଲା: ‘‘ଗାନ୍ଧୀ ମୃତ। ଯେଉଁ ହାତ ତାଙ୍କୁ ହତ୍ୟା କରିଛି, ସେ ହାତ ହେଉଛି ତୁମର ଏବ˚ ମୋ’ର।’’ ବର୍ତ୍ତମାନ କିନ୍ତୁ ଵାସିଙ୍ଗ୍‌ଟନ୍‌ ଡିସିରୁ ଲଣ୍ତନ୍‌ ପର୍ଯ୍ୟନ୍ତ ଯେଉଁ ହାତମାନ ମୃତ ମହାତ୍ମାଙ୍କୁ ପୁଣି ଥରେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି, ସେ ହାତ ଉପରୋକ୍ତ ସମ୍ପାଦକୀୟ ମନ୍ତବ୍ୟର ତୁମର ମୋର ହାତ ପରି ଅନିର୍ଦ୍ଦିଷ୍ଟ ନୁହେଁ, ସେ ହାତ ହେଉଛି ନିର୍ଦ୍ଦିଷ୍ଟ ଭାବରେ ସେଇମାନଙ୍କର, ଯେଉଁମାନେ ନିଜକୁ ମାର୍ଟିନ୍‌ ଲୁଥର‌୍‌ କିଙ୍ଗ୍‌ କିମ୍ବା ନେଲ୍‌ସନ୍‌ ମାଣ୍ତେଲାଙ୍କ ଭଳି ଗାନ୍ଧୀଙ୍କର ଅନୁଗାମୀଙ୍କ ଅନୁଗାମୀ ବୋଲି ଦାବି କରନ୍ତି।

ଆମେରିକାରେ ମିନିଆପଲିସ୍‌ରେ ଶ୍ବେତକାୟ ପୁଲିସ୍‌ ହାତରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କର ଅମାନୁଷିକ ମୃତ୍ୟୁ ଘଟିବା ପରେ ସେଠାରେ ଆରମ୍ଭ ହୋଇଥିବା ବର୍ଣ୍ଣବୈଷମ୍ୟ ବା ଜାତିବାଦ ବିରୋଧୀ ଆନ୍ଦୋଳନର ହି˚ସାତ୍ମକ ରୂପ ପୃଥିବୀସାରା ଟେଲିଭିଜନ୍‌ ପରଦା, ଖବରକାଗଜ ପୃଷ୍ଠା ଓ ସାମାଜିକ ଗଣମାଧୢମ ଦେଇ କୋଣ ଅନୁକୋଣରେ ସୁପରିଚିତ। ଏହି ଆନ୍ଦୋଳନକାରୀମାନଙ୍କର ରୋଷର ଶିକାର ହେବା ଦେଖାଯାଇଛି ଵାସିଙ୍ଗ୍‌ଟନ୍‌ ଡିସିସ୍ଥିତ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି। ୨୦୦୦ ସାଲରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ଓ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମରେ ସ୍ଥାପିତ ମହାତ୍ମାଙ୍କର ଏହି ପ୍ରତିମୂର୍ତ୍ତି ଉପରେ ଆନ୍ଦୋଳନକାରୀମାନେ ରଙ୍ଗ ସ୍ପ୍ରେ କରି ଅସଭ୍ୟ ଗାଳି ଲେଖିଦେବା ପରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏଥିପାଇଁ ଗଭୀର କ୍ଷୋଭ ଓ ନିନ୍ଦା ପ୍ରକାଶ କରିଛନ୍ତି ଏବ˚ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାରତ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

ଆନ୍ଦୋଳନ ବ୍ରିଟେନ୍‌କୁ ବ୍ୟାପିବା ପରେ ଏବ˚ ସେଠାରେ ମଧୢ ଗାନ୍ଧୀଙ୍କ ବିରୋଧରେ ବିଷୋଦ୍‌ଗାର ଆରମ୍ଭ ହେବା ପରେ ଲଣ୍ତନ୍‌ର ପାର୍ଲିଆମେଣ୍ଟ୍‌ ସ୍କୋୟାର‌୍‌ରେ ଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତିକୁ ସୁରକ୍ଷା କବଚ ସ୍ବରୂପ ଚାରିପଟେ କାଠ ପଟା ଦେଇ ଏକ ବାକ୍‌ସରେ ପୂରାଇ ଦିଆଯିବା ଭଳି ବନ୍ଦ କରି ରଖିଦିଆଯାଇଛି। ୨୦୧୫ରେ ସ୍ବର୍ଗତ ଅରୁଣ ଜେଟ୍‌ଲି ଏହାର ଉଦ୍‌ଘାଟନ କରିଥିଲେ। ଇ˚ଲାଣ୍ତ୍‌ର ଅନ୍ୟ ଏକ ସହର ଲିସେଷ୍ଟର‌୍‌୍‌ଠାରେ ଥିବା ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତିକୁ ହଟାଇବା ଦାବି କରି ସେଠାରେ ଆରମ୍ଭ ହୋଇଥିବା ଏକ ଦସ୍ତଖତ ଅଭିଯାନରେ ହଜାର ହଜାର ଆନ୍ଦୋଳନକାରୀ ସ୍ବାକ୍ଷର ମଧୢ କରିସାରିଲେଣି। ସେମାନେ ଗାନ୍ଧୀଙ୍କୁ ଜଣେ ‘ଜାତିବାଦୀ ଓ ଫାସିବାଦୀ’ ରୂପେ ଅଭିହିତ କରି ତାଙ୍କ ପ୍ରତିମୂର୍ତ୍ତି ହଟାଇବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।

ଆଶ୍ଚର୍ଯ୍ୟର କଥା ଏମାନେ ସମସ୍ତେ କୃଷ୍ଣକାୟମାନଙ୍କ ପାଇଁ ଯୁଗାନ୍ତକାରୀ ଆନ୍ଦୋଳନର ନେତୃତ୍ବ ନେଇଥିବା ମାର୍ଟିନ୍‌ ଲୁଥର‌୍‌ କିଙ୍ଗ୍‌ ଏବ˚ ନେଲ୍‌ସନ୍‌ ମାଣ୍ତେଲାଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିବା ଦାବି କରନ୍ତି। ବିଡ଼ମ୍ବନା ହେଲା, ଏ ଉଭୟ ଐତିହାସିକ ଚରିତ୍ର ଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ ବୋଲି ସର୍ବଦା ଘୋଷଣା କରୁଥିଲେ ଏବ˚ ସମସ୍ତେ ଜାଣନ୍ତି। ସେମାନଙ୍କ ଅନୁଗାମୀମାନଙ୍କର ତା’ହେଲେ ଗାନ୍ଧୀଙ୍କ ପ୍ରତି ଏଭଳି ଅସୂୟା ଓ ଆକ୍ରୋଶ କାହିଁକି? ଏହାର କାରଣ ହେଉଛି ସେମାନଙ୍କର ଏକ ବଦ୍ଧମୂଳ ଧାରଣା ଯେ ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ଆଫ୍ରିକୀୟ ଅର୍ଥାତ୍‌ ନିଗ୍ରୋମାନଙ୍କ ଠାରୁ ଉଚ୍ଚତର ଶ୍ରେଣୀର ମନୁଷ୍ୟ ବୋଲି ବିଚାର କରୁଥିଲେ।

ଗାନ୍ଧୀଙ୍କ ସମ୍ବନ୍ଧରେ ଏଭଳି ଏକ ଧାରଣାର ଉନ୍ମେଷ ଓ ପ୍ରସାର ମୂଳରେ ମୁଖ୍ୟତଃ ଯାହା ରହିଛି, ତାହା ହେଉଛି ସାଉଥ୍‌ ଆଫ୍ରିକାନ୍‌ ବିଶ୍ବବିଦ୍ୟାଳୟର ଦୁଇଜଣ ପ୍ରଫେସର‌୍‌, ଅଶ୍ବିନ ଦେଶାଇ ଓ ଗୁଲାମ୍‌ ବାହେଦ୍‌ଙ୍କ ଦ୍ବାରା ଲିଖିତ, ୨୦୧୫ରେ ପ୍ରକାଶିତ ପୁସ୍ତକ: ‘ଦି ସାଉଥ୍‌ ଆଫ୍ରିକାନ୍‌ ଗାନ୍ଧୀ, ଷ୍ଟ୍ରେଚର‌୍‌-ବେଅରର‌୍‌ ଅଫ୍‌ ଏମ୍ପାୟାର‌୍‌’। ଏଥିରେ ଲେଖକ ଦ୍ବୟ ଗାନ୍ଧୀଙ୍କୁ ଜଣେ ନିଗ୍ରୋବିଦ୍ବେଷୀ ଭାରତୀୟ ରୂପେ ଚିତ୍ରଣ କରିଛନ୍ତି, ଯିଏ କୃଷ୍ଣକାୟ ଦକ୍ଷିଣ ଆଫ୍ରିକୀୟମାନଙ୍କୁ ବିଭିନ୍ନ ସମୟରେ ‘କାଫିର‌୍‌’, ‘ବର୍ବର’ (‘ସାଭେଜ୍‌’), ‘ଏକ ଆଳସ୍ୟପୂର୍ଣ୍ଣ ଉଲଗ୍ନ ଜୀବନ ଯାପନ କରୁଥିବା ଜାତି’ ରୂପେ ବର୍ଣ୍ଣନା କରିଥିଲେ। ଏହି ପୁସ୍ତକର ସିଧାସଳଖ ପ୍ରଭାବ ସ୍ବରୂପ ଦକ୍ଷିଣ ଆଫ୍ରିକାରେ ସାମାଜିକ ଗଣମାଧୢମରେ ‘# ଗାନ୍ଧୀ ମଷ୍ଟ୍ ଫଲ୍‌’ ହାସ୍‌ଟ୍ୟାଗ୍‌ (‘ଗାନ୍ଧୀଙ୍କ ପତନ ଘଟାଇବାକୁ ହେବ’) ପ୍ରସାର ଲାଭ କରିଥିଲା ଏବ˚ ସେଇବର୍ଷ ଘାନା ବିଶ୍ବବିଦ୍ୟାଳୟର ଛାତ୍ର ଓ ଅଧୢାପକମାନଙ୍କ ଦାବି ଆଗରେ ମୁଣ୍ତ ନୁଆଁଇ କର୍ତ୍ତୃପକ୍ଷ ଅଳ୍ପ ଦିନ ତଳେ ଭାରତର ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିଶ୍ବବିଦ୍ୟାଳୟ ପରିସରରୁ ହଟାଇବାକୁ ବାଧୢ ହୋଇଥିଲେ।

ଗାନ୍ଧୀ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବିଦ୍ବେଷୀ ସରକାରର ଗଣ୍ତି ଭିତରେ ରହି ସେଠାରେ ଥିବା ଭାରତୀୟମାନଙ୍କ ସ୍ବାର୍ଥରକ୍ଷା ପାଇଁ କାର୍ଯ୍ୟ କରୁଥିଲେ ବୋଲି ପୁସ୍ତକରେ ଲେଖକମାନେ କହିଛନ୍ତି। ଏହା ସତ, କିନ୍ତୁ ଆ˚ଶିକ ସତ। ଗାନ୍ଧୀଙ୍କ ବ୍ୟକ୍ତିତ୍ବର ବିବର୍ତ୍ତନ ପ୍ରକ୍ରିୟାରେ ସେ ତାଙ୍କର ଉପରବର୍ଣ୍ଣିତ ଆଭିମୁଖ୍ୟ ପରିତ୍ୟାଗ କରି ଅଚିରେ ସେଠାରେ କୃଷ୍ଣକାୟଙ୍କ ସ୍ବାର୍ଥରକ୍ଷା ପାଇଁ ମଧୢ ସ୍ବର ଉତ୍ତୋଳନ କରିଥିଲେ। ୧୯୧୦ ବେଳକୁ ଗାନ୍ଧୀ ସେଠାକାର ଅନେକ କୃଷ୍ଣକାୟ ନେତାମାନଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା କରି ସାରିଥିଲେ, ଯେଉଁମାନେ ପରବର୍ତ୍ତୀ ସମୟରେ ‘ଆଫ୍ରିକାନ୍‌ ନେସନାଲ୍‌ କ˚ଗ୍ରେସ୍‌’ର ଆଦ୍ୟ ସମୟର ନେତୃତ୍ବ ଗ୍ରହଣ କରିଥିଲେ। କେବଳ ଦକ୍ଷିଣ ଆଫ୍ରିକା ନୁହେଁ, ଘାନାର କ୍ବାମେ ଏନ୍‌କ୍ରୁମା, ଜାମ୍ବିଆର କେନେଥ୍‌ କାଉଣ୍ତାଙ୍କ ପର୍ଯ୍ୟନ୍ତ ମହାତ୍ମାଙ୍କ ସତ୍ୟାଗ୍ରହ ଦ୍ବାରା ଅନୁପ୍ରାଣିତ ହୋଇ ନିଜ ନିଜ ଦେଶରେ ମୁକ୍ତି ଆନ୍ଦୋଳନ ଚଳାଇଥିବା ସ୍ବୀକାର କରିଥିଲେ।

୨୦୧୯ରେ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଅଭିଭାଷଣ ଦେବା ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସାଇରିଲ୍‌ ରାମାଫୋସା ଉଭୟ ଗାନ୍ଧୀ ଓ ମାଣ୍ତେଲା ଦକ୍ଷିଣ ଆଫ୍ରିକାର ଗର୍ବ ଓ ଗୌରବ ବୋଲି ସଗର୍ବରେ ଘୋଷଣା କରି କହିଥିଲେ ଦୁନିଆରେ ସବୁ ପ୍ରକାରର ଅନ୍ୟାୟ ଅତ୍ୟାଚାର ବିରୋଧରେ ସ˚ଗ୍ରାମ ପାଇଁ ଏ ଦୁଇ ମହାପୁରୁଷ ପ୍ରେରଣା ଯୋଗାଇଥାନ୍ତି। ସେ ମଧୢ କହିଥିଲେ ଯେ ମାଣ୍ତେଲା ଗାନ୍ଧୀଙ୍କ ଚିନ୍ତାଧାରା ଦ୍ବାରା ହିଁ ନିଜର ଆନ୍ଦୋଳନକୁ ପରିଚାଳିତ କରିଥିଲେ। ଖୋଦ୍‌ ମାଣ୍ତେଲା ମଧୢ ଏହା ସର୍ବଦା ସ୍ବୀକାର କରିଥିଲେ। ଆଉ ମାର୍ଟିନ୍‌ ଲୁଥର‌୍‌ କିଙ୍ଗ୍‌ଙ୍କୁ ତ ସିଧାସଳଖ ଗାନ୍ଧୀଙ୍କ ଆଦର୍ଶର ଶ୍ରେଷ୍ଠତମ ବାହକ ରୂପେ ବିଚାର କରାଯାଏ।

କିନ୍ତୁ ଯେଉଁମାନେ କିଙ୍ଗ୍‌ ଓ ମାଣ୍ତେଲାଙ୍କୁ ନିଜର ଆଦର୍ଶ ରୂପେ ଘୋଷଣା କରନ୍ତି ଅଥଚ ସେମାନଙ୍କର ଅହି˚ସ ଅସହଯୋଗ ପନ୍ଥା ପରିତ୍ୟାଗ କରି ହି˚ସାର ଆଶ୍ରୟ ନେଉଛନ୍ତି, ସେମାନେ ଯେ ଗାନ୍ଧୀଙ୍କୁ ନିଜର ଶତ୍ରୁ ରୂପେ ବିଚାର କରୁଛନ୍ତି, ତାହା ନୁହେଁ, ଏହା ଦ୍ବାରା ସେମାନେ ମାଣ୍ତେଲା ଓ କିଙ୍ଗ୍‌ଙ୍କୁ ମଧୢ ପରିତ୍ୟାଗ କରି ସେମାନଙ୍କୁ ଓ ସେମାନଙ୍କ ଚିନ୍ତାଧାରାକୁ ଗାନ୍ଧୀଙ୍କ ସହିତ ବାକ୍‌ସରେ ପୂରାଇ ବନ୍ଦ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର