ବାସ୍ତବ ‘ମିର୍ଜାପୁର’

ହାଥରସ ଠାରେ ଦଳିତ ଯୁବତୀ ଗଣଦୁଷ୍କର୍ମ ଓ ହତ୍ୟା ଏବ˚ ତା’ ପରବର୍ତ୍ତୀ କାଳରେ ଏହାକୁ ନେଇ ପ୍ରଶାସନର ଦୁର୍ଭାଗ୍ୟଜନକ ଆଭିମୁଖ୍ୟ ସ˚ଦର୍ଭରେ ନିକଟରେ ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା ତାଙ୍କ ୱେବ୍‌ ପତ୍ରିକା ‘ଦ ପ୍ରିଣ୍ଟ’ର ଲୋକପ୍ରିୟ ବିଭାଗ ‘କଟ୍‌ ଦ କ୍ଲଟର‌୍‌’ରେ ଯାହା କହିଥିଲେ, ତାହା ହେଲା ଉତ୍ତରପ୍ରଦେଶର କାନୁନ ବ୍ୟବସ୍ଥା, ଅପରାଧୀ-ରାଜନେତା ମେଣ୍ଟ ଇତ୍ୟାଦିକୁ କେନ୍ଦ୍ର କରି ପ୍ରସ୍ତୁତ ‘ୱେବ୍‌’ ସିରିଜ୍‌ ‘ମିର୍ଜାପୁର’କୁ ଯେଉଁ କୋମଳ ହୃଦୟଧାରୀମାନେ ମାତ୍ରାଧିକ ହି˚ସା ସମ୍ବଳିତ ଦୃଶ୍ୟ କାରଣରୁ ଦେଖିବା ବନ୍ଦ କରି ଦେଇଛନ୍ତି ବା ଏକ ଧାରଣା ପୋଷଣ କରିଛନ୍ତି ଯେ ତହିଁରେ ଯାହା ପ୍ରଦର୍ଶିତ ହେଉଛି ତାହା ବାସ୍ତବତାକୁ ଦର୍ଶାଉଥିବାର ଛଳନା କରୁଥିବା କଳ୍ପନାପ୍ରସୂତ ଅତିର˚ଜନ ମାତ୍ର, ସେମାନେ ଏବେ ସେ ଧାରଣା ବଦଳାଇ ହୃଦୟଙ୍ଗମ କଲେଣି ଯେ ଭାରତର ହୃଦ୍‌ସ୍ଥଳ ଭାବେ ପରିଚିତ ଉତ୍ତରପ୍ରଦେଶରେ ପ୍ରକୃତରେ ତାହା ହିଁ ଘଟୁଛି; ଯେଉଁଠାରେ ‘ରିଲ୍‌’ ଜୀବନ ଓ ‘ରିଏଲ୍‌ ଜୀବନ’ ଯେମିତି ଏକାକାର ହୋଇଯାଇଛନ୍ତି। ‘ମିର୍ଜାପୁର’ରେ ଅଭିନୟ କରିଥିବା ପଙ୍କଜ ତ୍ରିପାଠୀ ଏହା ଦାବି କରିଥାଆନ୍ତି ଯେ ଉତ୍ତରପ୍ରଦେଶର ଅଭ୍ୟନ୍ତରର ଆଦିମ ଅନ୍ଧକାର ଭିତରେ ଯେଉଁଭଳି ଘଟଣାମାନ ଘଟିଥାଏ, ତାହାକୁ ଅନୁଭବୀମାନଙ୍କ ବ୍ୟତୀତ ଅନ୍ୟ କେହି ବୁଝି ହିଁ ପାରିବେ ନାହିଁ। ହାଥରସରେ ଘଟିଥିବା ଏହି ଅତ୍ୟନ୍ତ କରୁଣ ଘଟଣାରେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ପଙ୍କଜ ତ୍ରିପାଠୀ ବର୍ଣ୍ଣିତ ସେହି ଆଦିମ ଅନ୍ଧକାର ଯହିଁରେ ରହିଛି ତୀବ୍ର ଜାତିଆଣବାଦ, କଠୋର ପୁରୁଷ ତାନ୍ତ୍ରିକତା, ଅପରାଧୀ ସହିତ ପୁଲିସ ବା ପ୍ରଶାସନର ଗଠବନ୍ଧନ ଏବ˚ ଆଇନ ବ୍ୟବସ୍ଥା ପ୍ରତି ସ˚ପୂର୍ଣ୍ଣ ବେଖାତିର ମନୋଭାବ। ସ˚ପ୍ରତି ଗଣମାଧୢମ ଓ ବିଶେଷ ରୂପେ ସାମାଜିକ ଗଣମାଧୢମରେ ଏହାକୁ ନେଇ ତୁମୁଳ ଆଲୋଡ଼ନ ପ୍ରକାଶ ପାଇଛି। ଅତ୍ୟନ୍ତ ସ୍ବାଭାବିକ ଭାବେ ଏହାର ରାଜନୀତୀକରଣ ମଧୢ ଆରମ୍ଭ ହୋଇ ସାରିଛି। ତାହା ସହିତ ‘ତର୍କପ୍ରିୟ ଭାରତୀୟ’ମାନେ ଏହାକୁ କେନ୍ଦ୍ର କରି ସାମାଜିକ ଗଣମାଧୢମର ମଞ୍ଚରେ ବିଚିତ୍ର ଏପରିକି ଉଦ୍ଭଟ ଧାରଣା ଓ ମତ ପ୍ରକାଶ କରିବା ଆରମ୍ଭ କରି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଏ ସମ୍ବନ୍ଧରେ ଏକ ସ˚କ୍ଷିପ୍ତ ଆଲୋଚନା ପ୍ରାସଙ୍ଗିକ ମନେ ହୋଇଥାଏ।

ପ୍ରଥମେ ଘଟଣାର ପୃଷ୍ଠଭୂମି ସ˚ପର୍କରେ ଚୁମ୍ବକରେ କୁହାଯିବା ଆବଶ୍ୟକ ବୋଲି ମନେ ହୁଏ। ଏହି ଘଟଣାରେ ଅଭିଯୁକ୍ତମାନେ ହେଉଛନ୍ତି ଠାକୁର ସ˚ପ୍ରଦାୟର। ଜଣାପଡ଼ିଛି ଯେ ଦୁଷ୍କର୍ମ ଓ ହତ୍ୟାର ଶିକାର ଯୁବତୀଙ୍କ ପରିବାର ସହିତ ଠାକୁର ପରିବାରର ପୁରୁଣା ମନୋମାଳିନ୍ୟ ଥିଲା। ସେହି କାରଣରୁ ଠାକୁର ପରିବାର ପକ୍ଷରୁ ଦଳିତ ପରିବାରକୁ ବାରମ୍ବାର ଧମକଚମକ ଦିଆଯାଉଥିଲା। ଅନେକ ବର୍ଷ ତଳେ ଠାକୁର ପରିବାରର ମଇଁଷିଗୁଡ଼ିକୁ ଦଳିତ ପରିବାର ସେମାନଙ୍କ ବିଲରେ ଚରିବାକୁ ନ ଦେବା ଜନିତ ‘ଆସ୍ପର୍ଦ୍ଧା’କୁ ଠାକୁର ପରିବାର ସହ୍ୟ କରିପାରୁ ନ ଥିଲା। ଅଭିଯୋଗ ହେଉଛି ଯେ ଏହାର ଦଣ୍ତ ସ୍ବରୂପ ଦଳିତ ଯୁବତୀଙ୍କ ଉପରେ ଏଭଳି ଅତ୍ୟନ୍ତ ଜଘନ୍ୟ ଆକ୍ରମଣ କରାଗଲା। ଏଥିରେ ଗୁରୁତର ଭାବେ ଆହତ ଯୁବତୀ ଦିଲ୍ଲୀର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତା’ପରେ ଯାହା ଘଟିଥିଲା ତାହା ଆହୁରି ବିବାଦୀୟ ହୋଇ ଉଠିଛି; କାରଣ ଅଭିଯୋଗ ଅନୁସାରେ ଏହା ପରେ ପୁଲିସ ଏବ˚ ପ୍ରଶାସନ ଶୋଷଣର ଶିକାର ପରିବାରକୁ ନିରବ ରହିବାକୁ ବାଧୢ କରିବା ସହିତ ଯୁବତୀଙ୍କ େଶଷକୃତ୍ୟ ସ˚ପନ୍ନ କରିବାର ସୁଯୋଗ ପରିବାରକୁ ନ ଦେଇ ଖୋଦ୍‌ ଶବଦାହ କରି ଦେଇଛି। ଅଭିଯୋଗ ହେଉଛି ଯେ କୁଆଡ଼େ ସେହି ସମୟରେ ପରିବାର ସଦସ୍ୟମାନଙ୍କୁ ଜୋରଜବରଦସ୍ତ ସେମାନଙ୍କ ଘରେ ବନ୍ଦ କରି ରଖାଯାଇଥିଲା।

ହାଥରସ ଘଟଣାକୁ ନେଇ ସାମାଜିକ ଗଣମାଧୢମରେ ସୃଷ୍ଟି ହୋଇଥିବା ମତ, ମନ୍ତବ୍ୟ ଓ ପ୍ରତିକ୍ରିୟାର ପ୍ଳାବନ ମଧୢରୁ ଜଣେ ମହିଳା ସାମ୍ବାଦିକଙ୍କ ମନ୍ତବ୍ୟ ବିଶେଷ ଭାବେ ଆଲୋଚିତ ହେଉଛି, ଯାହା କହିଥାଏ ଯେ ଦୁଷ୍କର୍ମ ମାତ୍ରକେ ତାହା ନାରୀ ଜାତି ପ୍ରତି କରାଯାଉଥିବା ଘୃଣ୍ୟତମ ହି˚ସା। ତେଣୁ, ହାଥରସ ଘଟଣାରେ ‘ଦଳିତ’ ଶବ୍ଦକୁ ଯୋଡ଼ି ଦୁଷ୍କର୍ମର ଅବର୍ଣ୍ଣନୀୟ ଜଘନ୍ୟତାକୁ ହ୍ରାସ କରି ଦିଆ ନ ଯାଉ ବା ପ୍ରକୃତ ପ୍ରସଙ୍ଗ (ବଳାତ୍କାର) ଉପରୁ ଧୢାନ ହଟେଇ ଦିଆ ନ ଯାଉ। ଏହି ମର୍ମରେ ଜାତିଆଣ ହି˚ସା ଉପରେ ଦୀର୍ଘ କାଳ ଧରି କାର୍ଯ୍ୟ କରିଥିବା ଲକ୍ଷ୍ନୗ ନିବାସୀ ରାମ କୁମାରଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ସେ କହିଥାଆନ୍ତି ଯେ କୌଣସି ଦଳିତ ଯଦି ସବର୍ଣ୍ଣଙ୍କ ପ୍ରଭାବ ଉପରେ ପ୍ରଶ୍ନ ଉଠାଏ, ତେବେ ସେହି ପରିବାରର କୌଣସି ମହିଳା ସଦସ୍ୟଙ୍କ ସହିତ ଦୁଷ୍କର୍ମ କରାଯିବା ଏକ ଦେହସୁହା ଘଟଣାରେ ପରିଣତ ହୋଇଛି; ଯାହାକୁ ସବର୍ଣ୍ଣମାନଙ୍କ ଭାଷାରେ ଦଳିତଙ୍କୁ ସେମାନଙ୍କ ‘ଔକାତ୍‌’ ବା ମୂଲ୍ୟ ବାବଦରେ ସଚେତନ କରାଇବା ଲାଗି ଉଦ୍ଦିଷ୍ଟ। ରାମ କୁମାର କହିଥାଆନ୍ତି ଯେ ଉତ୍ତରପ୍ରଦେଶର ଗ୍ରାମାଞ୍ଚଳର ଅନେକ ସବର୍ଣ୍ଣ ଯୁବକ ଏହି ଧାରଣା ପୋଷଣ କରି ବଢ଼ନ୍ତି ଯେ ଦଳିତ ନାରୀମାନଙ୍କ ଉପରେ ସେମାନଙ୍କ ଯେମିତି ଏକ ଜନ୍ମଗତ ଅଧିକାର ରହିଛି। ‘ଜାତୀୟ ଅପରାଧ ପଞ୍ଜୀକରଣ ବ୍ୟୁରୋ’ ବା ‘ଏନ୍‌ସିଆର‌୍‌ବି’ର ତଥ୍ୟରୁ ଜଣାପଡ଼େ ଯେ ଆମ ଦେଶରେ ପ୍ରତିଦିନ ୪ ଜଣ ଦଳିତ ମହିଳା ଦୁଷ୍କର୍ମର ଶିକାର ହୁଅନ୍ତି। କିନ୍ତୁ ସତ କଥା ହେଲା, ପାରିବାରିକ ଲଜ୍ଜା ଏବ˚ ତା’ ସହିତ ଦଳିତ ଭାବେ ଜନ୍ମ ହେବାରେ ଈଶ୍ବରଙ୍କ ଏକ ଅଭିଶାପ ନିହିତ ବୋଲି ଧାରଣାରୁ ଭାଗ୍ୟକୁ ଆଦରି ନେବାର ମନୋଭାବ ଅନେକ ଦଳିତ ପରିବାରକୁ ଏଭଳି ଘଟଣାକୁ ପୁଲିସ ଥାନାକୁ ନେବାରୁ ବିରତ କରିଥାଏ। ତଥାପି ଯେଉଁମାନେ ଏଭଳି ଅଭିଯୋଗ ନେଇ ଥାନାକୁ ଯାଆନ୍ତି, ସେମାନଙ୍କୁ ବିଭିନ୍ନ ଉପାୟରେ ହତୋତ୍ସାହିତ କରିବା ଲାଗି ଉପସ୍ଥିତ ରହିଥାଏ ଏକ ସବର୍ଣ୍ଣ ପ୍ରଧାନ ପ୍ରଶାସନ। ରାମ କୁମାରଙ୍କ ମତରେ ‘ବହୁଜନ ସମାଜ ପାର୍ଟି’ର ଉଦ୍‌ଭବ ଓ ଉପସ୍ଥିତି ଉତ୍ତରପ୍ରଦେଶରେ ଦଳିତମାନଙ୍କ ପରିସ୍ଥିତିରେ କିଛିଟା ପରିବର୍ତ୍ତନ ସମ୍ଭବ କରିଛି, କିନ୍ତୁ ଉତ୍ତରପ୍ରଦେଶର ପ୍ରଶାସନକୁ ସବର୍ଣ୍ଣ ପ୍ରାଧାନ୍ୟରୁ ମୁକ୍ତ କରିପାରିନାହିଁ। ତେଣୁ ଏହା ସ୍ପଷ୍ଟ ହେବା ଉଚିତ ଯେ ଦଳିତ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଅନ୍ୟାନ୍ୟ ଦୁଷ୍କର୍ମ ଠାରୁ ଭିନ୍ନ; କାରଣ ଏହା ପଛରେ ଯୌନ କ୍ଷୁଧାର ତାଡ଼ନା ଯେତିକି ନ ଥାଏ, ତା’ ଠାରୁ ଅଧିକ ଥାଏ ପ୍ରତିଶୋଧପରାୟଣ ପୂର୍ବକ ‘ପାନେ’ ଚଖାଇବାର ଭାବନା, ଯାହାକୁ ବିକୃତତମ ବିଚାରଧାରାର ନିଦର୍ଶନ ବୋଲି କହିଲେଭୁଲ ହେବନାହିଁ।

ସେହି ଭଳି ଏ ସ˚ଦର୍ଭରେ ସର୍ବୋଚ୍ଚ ଅଦାଲତର ପୂର୍ବତନ ବିଚାରପତି ମାର୍କଣ୍ତେୟ କାଟ୍‌ଜୁ ଫେସବୁକ୍‌ରେ ପୋଷ୍ଟ କରିଥିବା ଏକ ମନ୍ତବ୍ୟ ମଧୢ ବିଶେଷ ଭାବେ ଆଲୋଚିତ ହେଉଛି। ସେ କହିଛନ୍ତି ଯେ ଯୁବକମାନଙ୍କ ମଧ୍ୟରେ ‘ବେକାରି’ ଓ ‘ଅବିବାହିତ ଅବସ୍ଥା’ ଏଭଳି ଅପରାଧ ବୃଦ୍ଧିର ଏକ କାରଣ। ତେବେ କାଟ୍‌ଜୁଙ୍କ ମନ୍ତବ୍ୟ ଦୁଷ୍କର୍ମକାରୀମାନଙ୍କୁ ଯେଉଁ ଦୁଇଟି ବର୍ଗରେ ସ୍ଥାନିତ କରିଛି, ଅଧିକା˚ଶ ଦୁଷ୍କର୍ମକାରୀ ସେହି ବର୍ଗର ହୋଇ ନ ଥାଆନ୍ତି। ସେହି ଦୃଷ୍ଟିରୁ କାଟ୍‌ଜୁଙ୍କ ମନ୍ତବ୍ୟ ଅତ୍ୟନ୍ତ ଅସାର ମନେ ହୁଏ। ବର˚ କୁହାଯାଇପାରେ କି ଏହା ପଛରେ ରହିଛି ଏକ ଉତ୍କଟ ପୁରୁଷ-ତାନ୍ତ୍ରିକ ମାନସିକତା ଯାହା ଜାତି, ବର୍ଣ୍ଣ, ଧର୍ମ ଓ ଅଞ୍ଚଳ ନିର୍ବିଶେଷରେ ପରିଦୃଷ୍ଟ ହୋଇଥାଏ; ଯେଉଁଥି ଲାଗି ଭାରତୀୟ ମହିଳା ‘ଷ୍ଟାଣ୍ତ ଅପ୍‌ କମେଡିଆନ୍‌’ ଜୋସୁଆଙ୍କ କିଛି ମନ୍ତବ୍ୟରେ କ୍ଷୁବ୍‌ଧ ଯୁବକ ସାମାଜିକ ଗଣମାଧୢମରେ ଖୋଲାଖୋଲି ତାଙ୍କୁ ଧର୍ଷଣ କରିବାର ଧମକ ଦିଅନ୍ତି। କେବଳ ଜୋସୁଆ ନୁହନ୍ତି, ଅନେକ ଯୁବତୀ ବିଭିନ୍ନ କାରଣରୁ ଏଭଳି ଧମକମାନ ପାଆନ୍ତି। ଯେତେବେଳେ ଏଭଳି ଉତ୍କଟ ପୁରୁଷ-ତାନ୍ତ୍ରିକ ମନୋଭାବ ସହିତ ଆଦିମ ଜାତିଆଣ ଭାବର ସ˚ଗମ ଘଟେ, ଯେମିତି ଉତ୍ତରପ୍ରଦେଶରେ ହୋଇଛି, ସେତିକିବେଳେ ହାଥରସ ଭଳି ଘଟଣା ‘ମିର୍ଜାପୁର’ ଭଳି ସିରିଆଲ ବା ସିନେମାରେ ସ˚ଘଟିତ ନ ହୋଇ ବାସ୍ତବ ଜୀବନରେ ଘଟିଥାଏ।

ସମ୍ବନ୍ଧିତ ଖବର