ଆତ୍ମଘାତ

ଏହା କହିବାରେ ଦ୍ବିଧା ନାହିଁ ଯେ ପାକିସ୍ତାନ ହେଉଛି ଭାରତର ସେହି ଭଳି ଏକ ପଡ଼ୋଶୀ, ଯିଏ ପ୍ରଖ୍ୟାତ ଇ˚ରେଜୀ ନାଟ୍ୟକାର ଜର୍ଜ ବର୍ନାର୍ଡ ସ’ କହିଥିବା ଭଳି, ନିଜ ଛିଦ୍ର ସ˚ପର୍କରେ କିଛି ଜାଣି ନ ଥାଏ ସିନା, ଜଣେ ପ୍ରକୃତ ପଡ଼ୋଶୀ ଭାବେ ପଡ଼ିଶା ଘରର ସବୁ ଛିଦ୍ରର ଟିକିନିଖି ବିବରଣୀ ରଖିଥାଏ। ଏଠାରେ ଏଭଳି କୁହାଯିବାର ତାତ୍ପର୍ଯ୍ୟ ହେଲା ସ˚ପ୍ରତି ଚାଲିଥିବା କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ପାକିସ୍ତାନ ଦ୍ବାରା ପ୍ରଦର୍ଶନ କରାଯାଉଥିବା ଆଭିମୁଖ୍ୟ। ନୂତନ କୃଷି ଆଇନ ବିରୋଧରେ ଚାଲିଥିବା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନରେ ମଧୢ ପାକିସ୍ତାନ ତାର ସ୍ବାର୍ଥର ରୁଟି ସେକିବାର ସୁଯୋଗଟିଏ ଖୋଜି ପାଇଛି। ଏହି ସମଗ୍ର ଘଟଣାକ୍ରମକୁ ଭାରତର ଏକ ଛିଦ୍ର ରୂପେ ଚିତ୍ରଣ କରି ସରକାରଙ୍କ ଶିଖ ବିରୋଧୀ ମନୋଭାବର ଏହା ଏକ ପ୍ରମାଣ ଓ ପରିଣାମ ବୋଲି ପ୍ରଚାର କରିବାରେ ଲାଗିଛି। ଏହା ପଛରେ ପାକିସ୍ତାନର ଯେଉଁ ଜଘନ୍ୟ ଉଦ୍ଦେଶ୍ୟ ନିହିତ ରହିଛି, ତାହା ହେଲା ପ୍ରାୟ ତିନି ଦଶନ୍ଧି ଧରି କବର ଲାଭ କରି ସାରିଥିବା ଖଲିସ୍ତାନ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ପୁନର୍ବାର କବରରୁ ବାହାର କରି ତହିଁରେ ଜୀବନ୍ୟାସ ଦେବାର ପ୍ରୟାସ କରିବା। କୁହାଯାଇପାରେ ଯେ ଭାରତରୁ କାଶ୍ମୀରକୁ ବିଚ୍ଛିନ୍ନ କରିବାର ଅଭିସନ୍ଧି ଅପାତତଃ ବ୍ୟର୍ଥ ହୋଇ ଯାଇଥିବା ବେଳେ ପାକିସ୍ତାନ ଦ୍ବାରା ଖଲିସ୍ତାନ ସୃଷ୍ଟିର ଚକ୍ରାନ୍ତରେ ପୁନଃ ମନୋନିବେଶ କରାଯାଉଛି।

କହିବା ଅନାବଶ୍ୟକ ଯେ ୧୯୪୭ ମସିହାରେ ସ୍ବାଧୀନ ପାକିସ୍ତାନର ଉଦ୍ଭବ ହେବା ପର ଠାରୁ ଯାହା ସେହି ରାଷ୍ଟ୍ରର ଏକମାତ୍ର ଏଜେଣ୍ତା ରୂପେ ରହି ଆସିଛି, ତାହା ହେଲା ଭାରତକୁ ସର୍ବଦା ଅସ୍ଥିର କରି ରଖିବା। ସ୍ବାଧୀନତାର ଠିକ୍‌ ପରେ ପରେ ପାକିସ୍ତାନ ପକ୍ଷରୁ କାଶ୍ମୀର ଦଖଲ ଅଭିଯାନ ପ୍ରାରମ୍ଭ କରାଯାଇଥିଲା, ଯାହା ଦୁଇଟି ରକ୍ତାକ୍ତ ସ˚ଘର୍ଷ ଓ ଗୋଟିଏ ଯୁଦ୍ଧ ସହିତ ଦୀର୍ଘ ସାତ ଦଶାବ୍ଦୀ ଧରି ଅବ୍ୟାହତ ରହିଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ପରିଲକ୍ଷିତ ହୋଇଥିଲା। ଉଲ୍ଲେଖନୀୟ ଭାବେ ସେଠାରେ ଶାସନ କ୍ଷମତାକୁ ଆସିଥିବା ଉଭୟ ଗଣତାନ୍ତ୍ରିକ ଏବ˚ ସାମରିକ ସରକାରଗୁଡ଼ିକ ସେହି ଦେଶର ‘କାଶ୍ମୀର ପ୍ରକଳ୍ପ’କୁ ରୂପ ଦେବାରେ ଲାଗି ପଡ଼ିଥିଲେ, ଯାହାର ବିଲୟ ଅଚାନକ ଗଲା ବର୍ଷ ହିଁ ଘଟିଲା, ଯେତେବେଳେ ଧାରା ୩୭୦ର ଉଚ୍ଛେଦନ ସହିତ ଆପଣା ‘ସ୍ବତନ୍ତ୍ର-ମାନ୍ୟତା’ ହରାଇଥିବା କାଶ୍ମୀର ଭାରତୀୟ ରାଷ୍ଟ୍ରରେ ଏକୀଭୂତ ହୋଇଗଲା। ଉଲ୍ଲେଖ ଥାଉ କି ଧାରା ୩୭୦ର ଉଚ୍ଛେଦନ ପରେ ଏହା ବିରୋଧରେ ବିଶ୍ବ ସମୁଦାୟର ସମର୍ଥନ ଏକତ୍ର କରିବା ଲାଗି ପାକିସ୍ତାନର ପ୍ରାଣମୂର୍ଚ୍ଛା ଉଦ୍ୟମ ସ˚ପୂର୍ଣ୍ଣ ବିଫଳ ହୋଇ ସାରିଛି। ସୁତରା˚, ଏଭଳି ଏକ ସ୍ଥିତିରେ ମୁହ୍ୟମାନ ପାକିସ୍ତାନ ‘ଖଲିସ୍ତାନ ପ୍ରକଳ୍ପ’ର କାର୍ଯ୍ୟ ପୁନର୍ବାର ହାତକୁ ନେଇଛି।

ସ୍ମରଣ ଯୋଗ୍ୟ ଯେ ଗଲା ଶତାବ୍ଦୀର ସପ୍ତମ ଦଶକରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋ ଓ ସେନା ମୁଖ୍ୟ ୟାହ୍ୟା ଖାଁଙ୍କ ନିମନ୍ତ୍ରଣ ଓ ପ୍ରରୋଚନାରେ ଇ˚ଲଣ୍ତରେ ରହୁଥିବା ଶିଖ ବିଚ୍ଛିନ୍ନତାବାଦୀ ଜଗଜ୍ଜିତ ସି˚ହ ଚୌହାନ ପାକିସ୍ତାନରେ ସ୍ବାଧୀନ ଖଲିସ୍ତାନ ରାଷ୍ଟ୍ରର ଦପ୍ତର ପ୍ରତିଷ୍ଠା କରିଥିଲେ। ଏହା ଥିଲା ଶିଖମାନଙ୍କ ସକାଶେ ଏକ ସ୍ବତନ୍ତ୍ର ଭୂଖଣ୍ତ ରୂପେ ଖଲିସ୍ତାନ ଲାଗି ଆନ୍ଦୋଳନର ମୂଳଭିତ୍ତି। ଏହି ଆନ୍ଦୋଳନ ଗଲା ଅଷ୍ଟମ ଓ ନବମ ଦଶକରେ ତୀବ୍ରତାର ଶିଖର ସ୍ପର୍ଶ କରି ପଞ୍ଜାବକୁ ରକ୍ତାକ୍ତ କରି ପକାଇଥିଲା, ଯାହାର ଅନ୍ତ ପି.ଭି. ନରସି˚ହ ରାଓଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ହୋଇଥିଲା। ସେହି ସମୟରେ ଅତ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଆନ୍ଦୋଳନ ପ୍ରତି ଶିଖ ସ˚ପ୍ରଦାୟର ସମର୍ଥନର ଧାରା ଶୁଷ୍କ ହୋଇଯିବା କାରଣରୁ ଆନ୍ଦୋଳନଟି ଅନ୍ତିମ ଶ୍ବାସ ନେଇଥିଲା। କିନ୍ତୁ ଭାରତରେ ଅସ୍ଥିରତା ସୃଷ୍ଟି ଲାଗି ପାକିସ୍ତାନର ଖଲିସ୍ତାନ ପ୍ରକଳ୍ପର ସ୍ବପ୍ନ ସମ୍ଭବତଃ ମଉଳି ନାହିଁ, ଯାହା ସା˚ପ୍ରତିକ କୃଷକ ଆନ୍ଦୋଳନ ବେଳେ ପୁଣି ମୁହଁ ଦେଖାଇବା ଆରମ୍ଭ କରିଛି।

ଗଲା ଅଗଷ୍ଟ ମାସରେ ପଞ୍ଜାବରେ ବିଚ୍ଛିନ୍ନତାବାଦୀ ଗତିବିଧି ସକ୍ରିୟ ହୋଇଥିବା ଦେଖିବାକୁ ମିଳିଥିଲା। ସେଥିଲାଗି ପୁଲିସ ତିନି ଜଣ ସନ୍ଦିଗ୍‌ଧଙ୍କୁ ଗିରଫ କରିଥିଲା, ଯାହାଙ୍କ କାର୍ଯ୍ୟକଳାପ ପଛରେ ପାକିସ୍ତାନର ଗୁଇନ୍ଦା ସ˚ସ୍ଥା ଆଇ.ଏସ.ଆଇ.ର ସ˚ପୃକ୍ତି ରହିଛି ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ‌େଟନ ଅମରିନ୍ଦର ସି˚ହ କହିଛନ୍ତି। ଏହା ବ୍ୟତୀତ ପାକିସ୍ତାନ ଆଉ ଏକ ଚତୁରତା ଅବଲମ୍ବନ କରି ଭାରତରେ ବସବାସ କରୁଥିବା ଶିଖ ସ˚ପ୍ରଦାୟଙ୍କ ପରମ ହିତୈଷୀ ଭାବେ ଆବିର୍ଭୂତ ହେବାର ଉଦ୍ୟମ ଆରମ୍ଭ କରିଛି। ସେଥି ଲାଗି ପାକିସ୍ତାନ ଦେଶ ବିଭାଜନ ବେଳେ ତା’ ପଟକୁ ରହିଯାଇଥିବା ‘ଦରବାରା ସାହିବ’ ଗୁରୁଦ୍ବାରାକୁ ଦର୍ଶନ କରିବା ଲାଗି ଇଚ୍ଛୁକ ଭାରତୀୟ ଶିଖମାନଙ୍କୁ ବିନା ଭିସାରେ ଅନୁମତି ପ୍ରଦାନ କରି ତାର ବିଶାଳ ହୃଦୟବତ୍ତାର ପ୍ରଦର୍ଶନ କରିଛି; ଯାହା ‘କର୍ତ୍ତାରପୁର କରିଡର’ ରୂପେ ବହୁଳ ପ୍ରଚାରିତ ମଧୢ ହୋଇଛି। ଅପର ପକ୍ଷରେ ଭାରତ ପଟକୁ ରହିଥିବା ଶିଖମାନଙ୍କର ଏକ ପରମ ତୀର୍ଥ ସ୍ଥାନ ‘ଡେରା ବାବା ନାନକ’କୁ ଆସିବାକୁ ହେଲେ ପାକିସ୍ତାନୀ ଶିଖମାନଙ୍କୁ ଭିସାର ଆବଶ୍ୟକତା ପଡୁଥିବାରୁ ପାକିସ୍ତାନ ଦ୍ବାରା ତାକୁ ଭାରତର ଶିଖ ବିରୋଧୀ ମନୋଭାବ ରୂପେ ପ୍ରଚାର କରାଯାଉଛି। କିନ୍ତୁ ଭାରତର ଏଭଳି ଛିଦ୍ରମାନ ଖୋଜୁଥିବା ବେଳେ ପାକିସ୍ତାନ ଅତ୍ୟନ୍ତ ସହଜରେ ଯାହା ପାଶୋରି ଯାଇଥାଏ, ତାହା ହେଲା ତା’ ନିଜ ଠାରେ ଥିବା ଅସଂଖ୍ୟ ଛିଦ୍ରର ଉପସ୍ଥିତି; ଯାହା ବିଶେଷ ଭାବେ ପ୍ରଣିଧାନଯୋଗ୍ୟ।

୨୦୧୯ରେ ପାକିସ୍ତାନରେ ହୋଇଥିବା ଜନଗଣନାରେ ସେଠାକାର ସ˚ଖ୍ୟାଲଘୁ ଶିଖ ଧର୍ମାବଲମ୍ବୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଓ ଭିନ୍ନ ବର୍ଗରେ ଦର୍ଶା ନ ଯାଇ ସେମାନଙ୍କୁ ସେଠାକାର ହିନ୍ଦୁ ସ˚ପ୍ରଦାୟ ସହିତ ସମ୍ମିଳିତ କରି ଦିଆଯାଇଛି; ଯାହାର ଅର୍ଥ ହେଲା ଶିଖମାନେ ହିନ୍ଦୁ ସ˚ପ୍ରଦାୟର ଏକ ଅ˚ଶ ବା ପାକିସ୍ତାନରେ ଶିଖ ସ˚ପ୍ରଦାୟର ଅସ୍ତିତ୍ବ ହିଁ ନାହିଁ। ପୁନଶ୍ଚ ଯାହା ଆହୁରି ଉଦ୍‌ବେଗଜନକ, ତାହା ହେଲା ୨୦୦୨ ମସିହାରେ ପାକିସ୍ତାନରେ ଅନୁଷ୍ଠିତ ଏହାର ପୂର୍ବ ଜନଗଣନାରେ ଶିଖମାନଙ୍କ ସ˚ଖ୍ୟା ଥିଲା ୪୦,୦୦୦, ଯାହା ବର୍ତ୍ତମାନର ଜନଗଣନା ଅନୁସାରେ ତୀବ୍ରତାର ସହିତ ହ୍ରାସ ପାଇ ପହଞ୍ଚିଛି ମାତ୍ର ୮୦୦୦ରେ। ସୁତରା˚, ନିର୍ଦ୍ବନ୍ଦ୍ବରେ କୁହାଯାଇ ପାରେ ଯେ ପାକିସ୍ତାନରେ ଶିଖ ସ˚ପ୍ରଦାୟ ଏକ ବିଲୁପ୍ତପ୍ରାୟ ସ୍ଥିତିରେ ଏବ˚ ଏହି ବିିଲୁପ୍ତି ପଛରେ ରହିଥିବା କାରଣ ହେଉଛି ବଳପୂର୍ବକ ଧର୍ମାନ୍ତରୀକରଣ ଏବ˚ ଏହାର ବିରୋଧ କରୁଥିବା ଲୋକଙ୍କ ହତ୍ୟା। ସଂପ୍ରତି ପାକିସ୍ତାନ ଦ୍ବାରା ପ୍ରଦର୍ଶିତ କପଟାଚାରକୁ ପ୍ରମାଣିତ କରିବାକୁ ଏହା ଯଥେଷ୍ଟ। ଆଉ ଏକ ପ୍ରସଙ୍ଗରେ ମଧୢ ପାକିସ୍ତାନର ଏକ ଛିଦ୍ର ଦେଖିବାକୁ ମିଳିଥାଏ, ଯାହାକୁ ପାକିସ୍ତାନ ସମ୍ଭବତଃ ନଜରଅନ୍ଦାଜ କରିଯାଇଛି। ତାହା ହେଲା କଳ୍ପିତ ଖଲିସ୍ତାନ ରାଷ୍ଟ୍ରର ମାନଚିତ୍ର; ଯହିଁରେ ପାକିସ୍ତାନରେ ଅନ୍ତର୍ଭୁକ୍ତ ପଶ୍ଚିମ ପଞ୍ଜାବ ମଧୢ ରହିଛି ଏବ˚ ଏହି କଳ୍ପିତ ଖଲିସ୍ତାନର ରାଜଧାନୀ ଭାବେ ଲାହୋରକୁ ଚିହ୍ନିତ କରାଯାଇଛି। ସୁତରା˚, ‘ଖଲିସ୍ତାନ ପ୍ରକଳ୍ପ’ ପାକିସ୍ତାନ ଲାଗି ଯେ ଏକ ଆତ୍ମଘାତ ତାହା ଯେ କେହି କହିବ।

ଲେଖକ ଓ ଦାର୍ଶନିକ ଜି.କେ.ଚେଷ୍ଟରଟନ ଠାଏ କହିଥିଲେ: ‘ବାଇବେଲ କହେ ଶତ୍ରୁକୁ ଭଲ ପାଅ ଏବ˚ ପଡ଼ୋଶୀଙ୍କୁ ମଧୢ। ତେବେ ଏଥିରୁ ଏମିତି ଲାଗେ ସତେ ଯେମିତି ଏହି ଉଭୟ ହେଉଛନ୍ତି ସେହି ଗୋଟିଏ ଲୋକ।’ ପାକିସ୍ତାନ ପରିପ୍ରେକ୍ଷୀରେ ତାହା ହିଁ ସତ୍ୟ। କିନ୍ତୁ ପଡ଼ୋଶୀ ଯଦି ଶତ୍ରୁ ହୁଏ, ତେବେ ପ୍ରସ୍ତୁତି ସ୍ବରୂପ ନିଜ ଗୃହକୁ ମଜଭୁତ କରିବା ଏକ ପ୍ରାଥମିକତା ହୋଇପଡ଼େ; ଯେଉଁ କ୍ଷେତ୍ରରେ ଗୃହର ସବୁ ସଦସ୍ୟଙ୍କୁ ବିଶ୍ବାସକୁ ନେବା, ସେମାନଙ୍କୁ ଶୁଣିବା ଏବ˚ ସେମାନଙ୍କ ମନୋଭାବକୁ ହୃଦୟଙ୍ଗମ କରିବା ଏକ ସର୍ବନିମ୍ନ ଆବଶ୍ୟକତା ହୋଇଥାଏ। ସା˚ପ୍ରତିକ ସ୍ଥିତିରେ ଏବଂ ପାକିସ୍ତାନ ଭଳି ଆତ୍ମଘାତ ଜନିତ କ୍ଷତି ସହିବାକୁ ପଶ୍ଚାତ୍‌ପଦ ହେଉ ନ ଥିବା ଶତ୍ରୁ ସମ୍ମୁଖରେ ଭାରତ ସରକାରଙ୍କ ଲାଗି ଉପରେ ବର୍ଣ୍ଣନା କରାଯାଇଥିବା ଭଳି ପ୍ରସ୍ତୁତି ସର୍ବାଧିକ ଗୁରୁତ୍ବ ବହନ କରିଥାଏ।

ସମ୍ବନ୍ଧିତ ଖବର