ଦୁର୍ବଳ କଂଗ୍ରେସ ଦେଶକୁ ବିପଦ

ରାଜନୀତି ଆଲୋଚନା - ରାଜାରାମ ଶତପଥି

ସ୍ୱାଧୀନତା ଆନ୍ଦୋଳନର ନାଉରି, ବିଗତ ୭୩ ବର୍ଷରୁ ୫୫ ବର୍ଷ ଦେଶର ଶାସକ ଭାରତୀୟ ଜାତୀୟ କଂଗ୍ରେସ ବର୍ତ୍ତମାନ ଉଦ୍‌ବେଗଜନକ ଅବସ୍ଥାରେ। ଯେଉଁ ରାଜନୈତିକ ଦଳ ଦିନେ ନୀତି, ଆଦର୍ଶ, ଦୂରଦୃଷ୍ଟି ପାଇଁ ବିଦେଶରେ ଆଲୋଚିତ ହେଉଥିଲା, ଦଳର ନେତାଙ୍କୁ ଦେଖିବାକୁ ପିଲା ଠାରୁ ବୁଢ଼ା ଚୁଡା ମୁଢି ଗଣ୍ଠିଲିରେ ଧରି ଧାଇଁ ଆସୁଥିଲେ, ସେମାନଙ୍କ ପ୍ରତିଟି ଶବ୍ଦକୁ ବେଦ ବାଣୀର ସମ୍ମାନ ଦେଉଥିଲେ, ସେହି ଦଳ କଥା ପଡ଼ିଲେ ଏବେ ଲୋକେ ମୁହଁ ଫେରାଇ ବାଟ ହୁଡ଼ି ଚାଲିଯାଉଛନ୍ତି। ସେମାନଙ୍କ ଧାରଣା କର୍ପୂର ଉଡ଼ିଯାଇଛି କନା ଖଣ୍ଡକ କେବଳ ନିର୍ଜନ ସମୁଦ୍ର କୂଳରେ ପରିତ୍ୟକ୍ତ ବତି ଘର ଭଳି ଅତୀତକୁ ନିରବରେ ସ୍ମରଣ କରୁଛି। ୧୩୫ କୋଟି ଲୋକଙ୍କ ଦେଶରେ ତୁହାକୁ ତୁହା ଗୋଟିଏ ପରେ ଗୋଟିଏ ସମସ୍ୟା ଭବିଷ୍ୟତ୍‌ର ସ୍ୱପ୍ନକୁ ନିରାଶାର ଲେପରେ ଫିକା କରୁଥାଇପାରେ କିନ୍ତୁ କଂଗ୍ରେସ ଯେ ଅାଶାର ଆଲୋକ ଦେଖାଇବାକୁ ସକ୍ଷମ; ସେ ଭରସା ଲୋକଙ୍କର ରହୁନାହିଁ। ନିର୍ବାଚନ ଆସିଲେ ସ୍ପଷ୍ଟ ବାରି ହୋଇପଡ଼େ ୧୩୫ ବର୍ଷର ଦଳ କଂଗ୍ରେସ ପ୍ରତି ଭୋଟର କେତେ ବିମୁଖ। ଦଳର ବରିଷ୍ଠ ନେତା କପିଲ ଶିବଲଙ୍କ ମତରେ ‘ଜନସାଧାରଣ କଂଗ୍ରେସକୁ ଏକ ଫଳପ୍ରଦ ବିକଳ୍ପ ବୋଲି ଆଉ ଭାବୁନାହାନ୍ତି’।

ସମୟ ଥିଲା କଂଗ୍ରେସ ସହ ହାତ ମିଳାଇ ନିର୍ବାଚନ ନଈ ପାରିହେବାକୁ ଅନ୍ୟ ଦଳମାନେ ବିକଳ ହେଉଥିଲେ। ଚକ ଏବେ ବୁଲିଯାଇଛି। ଯିଏ ଆଶ୍ରା ଦେଉଥିଲା ସିଏ ଏବେ ଆଶ୍ରିତ। ଯେଉଁ ମାନଙ୍କୁ କଂଗ୍ରେସ ଦିନେ ‘ସାମ୍ପ୍ରଦାୟିକ’, ‘ବିଭେଦ ସୃଷ୍ଟିକାରୀ’ର ଆଖ୍ୟା ଦେଇ ଆଡ଼ ଆଖିରେ ଚାହୁଁ ନଥିଲା ଅଗତ୍ୟା ଅସ୍ତିତ୍ବ ବଜାୟ ରଖିବା ପାଇଁ ସେହିମାନଙ୍କ ସହ ହାତ ମିଳାଇବାକୁ ବାଧ୍ୟ ହେଉଛି। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଦଳ ସରକାରରେ ଅଛି କିନ୍ତୁ ନିଜ ବଳରେ ନୁହେଁ ବରଂ ଶିବସେନା ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ‘ଜୁନିଅର ପାର୍ଟନର’ ଭାବରେ। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ସତ୍ତ୍ବେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ଭଳି ତିନିଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଏକ ବଡ଼ ସଫଳତା ମିଳିଥିଲା। ରାଜନୀତି ସହ ସମ୍ପର୍କ ନଥିବା ଅନେକ ଲୋକ କଂଗ୍ରେସର ଏହି ଅପ୍ରତ୍ୟାଶିତ ପ୍ରଦର୍ଶନରେ ବହୁତ ଖୁସି ହୋଇଥିଲେ ଏଇଥି ପାଇଁ ଯେ (ଜାଫ୍ରାନ କେଶର ରଙ୍ଗର ଦଳ ପ୍ରତି କାହାର କିଛି ବିଦ୍ବେଷ ଥିଲା, ତା’ନୁହେଁ) ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେପିର ଚକ୍ରବର୍ତ୍ତୀ ହେବା ନିଶାରେ କିଛିଟା ଭଟ୍ଟା ପଡ଼ିବା ଆବଶ୍ୟକ ବୋଲି ସେମାନେ ଅନୁଭବ କରୁଥିଲେ। ତେବେ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀ ଗଦି ପାଇଁ ପାଗ ବାନ୍ଧିବାକୁ ବିଜେପି କଂଗ୍ରେସକୁ ସୁଯୋଗ ଦେଇନଥିଲା। ପାଞ୍ଚ ମାସ ପରେ ଲୋକସଭା ନିର୍ବାଚନରେ ୩ଟି ଯାକ ରାଜ୍ୟରେ ଦଳ ପୋଛି ହୋଇଗଲା (ମୋଟ ୬୫ ଆସନରୁ ୬୧ ବିଜେପି)। ସେତିକି ନୁହେଁ, ମଧ୍ୟ ପ୍ରଦେଶରେ ମାତ୍ର ୧୫ ମାସରେ କମଲ ନାଥ ସରକାରର ପତନ ସହ ବହୁ ପୁରୁଣା ‘ହେଭି ୱେଟ୍‌’ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିକୁ ଚାଲିଗଲେ। ସବୁଆଡ଼େ ସମାନ କଥା- ଦଳ ନିରନ୍ତର ଅନ୍ତର୍ଦ୍ୱନ୍ଦ୍ବରେ ଅଣନିଃଶ୍ୱାସୀ। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ଏତେ ତୀବ୍ର ଯେ ଉଭୟ, କଥା ହେବା ଦୂରେ ଥାଉ, ପରସ୍ପରକୁ ଭେଟିବାକୁ ବି ଇଛା କରନ୍ତିନି। ଗେହେଲଟଙ୍କ ବିରୋଧରେ ପାଇଲଟଙ୍କ ନେତୃତ୍ୱରେ ଡଜନରୁ ଅଧିକ ବିଧାୟକଙ୍କ ବିଦ୍ରୋହ ପୃଷ୍ଠଭୂମିରେ ସରକାର ଭୁଶୁଡ଼ିବାରୁ ସିନା ଅଳ୍ପକେ ରକ୍ଷା ପାଇଯାଇଛି, ମାତ୍ର ପୁରୁଣା ଓ ନୂଆ ପିଢ଼ିର ଏହି ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସନ୍ଧିର ସ୍ଥାୟିତ୍ୱ ଉପରେ ଦଳର ନେତାମାନେ ଭରସା କରି ପାରୁନାହାନ୍ତି। କୁହାଯାଏ ରାଜସ୍ଥାନରେ ବିଜେପି ପାଇଁ କଂଗ୍ରେସ ସରକାର ବଞ୍ଚିଗଲା କାରଣ ବସୁନ୍ଧରା ରାଜେ ସିନ୍ଧିଆ ପାଇଲଟଙ୍କ ସମ୍ଭାବ୍ୟ ଆଗମନକୁ ବିପଦ ଭାବୁଥିଲେ ଏବଂ ବିଜେପିର କେନ୍ଦ୍ର ନେତୃତ୍ୱ ବସୁନ୍ଧରାଙ୍କ ଇଛା ବିରୋଧରେ ପାଇଲଟଙ୍କୁ ଆଣି ନିଜ ଦଳରେ ଅଯଥା ବିଦ୍ରୋହ ସୃଷ୍ଟି କରିବା ଉଚିତ ହେବ ବୋଲି ଭାବୁନଥିଲେ। ମଧ୍ୟ ପ୍ରଦେଶରେ ଅବଶ୍ୟ ସମସ୍ୟା ନଥିଲା, ସବୁ କିଛି ଶିବରାଜ ସିଂ ଚୌହାନଙ୍କ ସମ୍ମତିରେ ହୋଇଥିଲା।

ନିକଟରେ ବିହାରରେ ବିଧାନସଭା (୨୪୩ ଆସନ) ଏବଂ ୧୧ଟି ରାଜ୍ୟରେ ୫୯ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନର ଫଳ କଂଗ୍ରେସର ନିମ୍ନଗାମୀ ଲୋକପ୍ରିୟତାର ସଦ୍ୟତମ ଉଦାହରଣ। ସେଠାରେ ଦଳ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀଙ୍କ ଆର୍‌ଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ମେଣ୍ଟରେ ଏକ ସହଯୋଗୀ ଅଂଶୀଦାର। କଂଗ୍ରେସ ୭୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୧୯ଟିରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହେଲା। ଅନ୍ୟ ୧୧ଟି ରାଜ୍ୟରେ ଉପନିର୍ବାଚନରେ ଅବସ୍ଥା ଆହୁରି ଶୋଚନୀୟ, ୫୬ରୁ ୧୨। ଭାରତର ରାଜନୀତିରେ ଏକଦା ଅପ୍ରତିଦ୍ବନ୍ଦ୍ବୀ ଶକ୍ତି କଂଗ୍ରେସ ଦଳର ଲୋକପ୍ରିୟତାରେ ମରୁଡ଼ିର କାରଣ କ’ଣ? ଯଦି ୪୦ ବର୍ଷର ବିଜେପି (ଜନ୍ମ- ଏପ୍ରିଲ ୬, ୧୯୮୦) ୧୯୮୪ ମସିହାରେ ପ୍ରଥମ ଥର ନିର୍ବାଚନ ଲଢ଼ି ମାତ୍ର ୨ଟି ଆସନରୁ ଆଜି ୩୦୨ରେ ପହଞ୍ଚିବାକୁ ସମର୍ଥ ହୋଇପାରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସୁଭାଷ ବୋଷ, ଲାଲ ବାହାଦୁର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ ଭଳି ଇତିହାସ ପ୍ରସିଦ୍ଧ ନେତାମାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ କଂଗ୍ରେସର ଅସୁବିଧା କେଉଁଠି? ବିହାର ବିଧାନସଭା ପରିପ୍ରେକ୍ଷୀରେ ଦଳ ଭିତରେ ଦେଖା ଦେଇଥିବା ବିଦ୍ରୋହର ଗୁଞ୍ଜରଣ ଏହାର ଉତ୍ତର। ପ୍ରତିବାଦର ସ୍ୱର ଉଠାଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ପି ଚିଦମ୍ବରମ, କପିଲ ଶିବଲ, ଗୁଲାମ ନବୀ ଆଜାଦ, ତାରିକ ଆନୱାର, କୀର୍ତି ଚିଦମ୍ବରମ ଇତ୍ୟାଦି। ସମସ୍ତଙ୍କର ଦାବି ଦଳର ଆଭିମୁଖ୍ୟ ଓ କାର୍ଯ୍ୟ ଶୈଳୀରେ ତୁରନ୍ତ ପରିବର୍ତ୍ତନ। ଗୁଲାମ ନବୀ ଅତି କଡ଼ା ଭାଷାରେ କଂଗ୍ରେସ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଉଥିବା କଥା କହିଛନ୍ତି। ପରୋକ୍ଷରେ ସେ ଦଳର ନେତୃତ୍ବର ପାରିବାପଣିଆକୁ ମଧ୍ୟ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ବିଜେପିରେ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ ଓ ନରେନ୍ଦ୍ର ମୋଦୀଙ୍କ ଭଳି ପ୍ରଭାବୀ ନେତାଙ୍କ ସଂକଳ୍ପ ଓ ଦୃଢ଼ ସଂଗଠନ ଥିଲା ବେଳେ କଂଗ୍ରେସ ପଞ୍ଚତାରକା ବିଳାସରେ ନିର୍ବାଚନ ଜିତିବାକୁ ଚାହୁଁଛି। ‘ନିର୍ବାଚନ ପଞ୍ଚତାରକା ସଂସ୍କୃତିରେ ସମ୍ଭବ ନୁହେଁ, ଆମ ଲୋକେ କଚ୍ଚା ରାସ୍ତା ମାଡ଼ିବାକୁ ନାରାଜ’। ଶିବଲ କହିଛନ୍ତି ‘କଂଗ୍ରେସ ନେତୃତ୍ୱ ନିର୍ବାଚନ ଫଳକୁ ବୋଧହୁଏ ଏକ ମାମୁଲି ଘଟଣା ଧରିନେଇଛନ୍ତି’। ରାଜସ୍ଥାନରେ କ୍ଷମତା ଲଢ଼େଇ (ଗେହେଲଟ ବନାମ ପାଇଲଟ) ଚାଲିଥିବାବେଳେ ଶିବଲ ଓ ଗୁଲାମ ନବୀଙ୍କ ସମେତ ୨୩ ଜଣ ବରିଷ୍ଠ ନେତା କଂଗ୍ରେସର ପୁନରୁଦ୍ଧାର ପାଇଁ ଏକ ବିସ୍ତୃତ ପ୍ରସ୍ତାବ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦେଇଥିଲେ। ୨୦୧୪ ନିର୍ବାଚନ ପରେ ଏକେ ଆଣ୍ଟୋନୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଧ୍ୟ ଅନୁରୂପ ଏକ ରିପୋର୍ଟ ଦେଇଥିଲା। ରାତ ଗୈ, ବାତ ଗୈ, ସରକାରୀ ଫାଇଲ ଅଳନ୍ଦୁ ଗଦାରେ ହଜିଗଲା ଭଳି କମିଟି ରିପୋର୍ଟ ଆଜି ପର୍ଯ୍ୟନ୍ତ କେହି ଜାଣିଲେନି କି ସେ ବିଷୟରେ ଆଲୋଚନା ହେଲା ନାହିଁ। ୨୦୧୯ରେ ପୁଣି ଶୋଚନୀୟ ପରାଜୟ (୫୧ଟି ଆସନ, ୨୦୧୪ ଅପେକ୍ଷା ୭ ଅଧିକ), ଲୋକସଭାରେ ବିରୋଧୀ ଦଳ ମାନ୍ୟତାରୁ ଦ୍ୱିତୀୟ ବାର ବଞ୍ଚିତ। ସ୍ୱାଧୀନତା ପରେ କଂଗ୍ରେସ ପ୍ରାୟ ସମୟ ଗାନ୍ଧୀ ପରିବାରରେ ବାନ୍ଧି ହୋଇ ରହିଛି। ସେହି ପରିବାରରୁ ଜବାହରଲାଲ, ଇନ୍ଦିରା ଓ ରାଜୀବ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କେବଳ ୧୫ ବର୍ଷର ଅଣଗାନ୍ଧୀ ଶାସନ ବ୍ୟତୀତ ଦେଶ ଓ ଦଳ ସବୁବେଳେ ଗାନ୍ଧୀ ପରିବାରର କଣ୍ଟ୍ରୋଲରେ। ଯଦିଓ ଦଳକୁ ଏଥିପାଇଁ ବରାବର ‘ବଂଶବାଦ’ ଅପବାଦ ଶୁଣିବାକୁ ପଡୁଛି ତେବେ ସ୍ୱୀକାର କରିବାକୁ ହେବ ଯେ ଇନ୍ଦିରା ଓ କିଛି ମାତ୍ରାରେ ରାଜୀବଙ୍କ ପରେ ଗାନ୍ଧୀ ପରିବାରରୁ ଦେଶର ବିଶ୍ୱାସଯୋଗ୍ୟ ନେତା ଆଉ ସୃଷ୍ଟି ହୋଇ ନାହାନ୍ତି। କଂଗ୍ରେସ ଇତିହାସରେ ସୋନିଆ ଗାନ୍ଧୀ ସବୁଠାରୁ ଅଧିକ ସମୟ ଦଳର ସଭାନେତ୍ରୀ (୧୯୯୮-୨୦୧୭, ୨୦୧୭-୨୦୧୯ ରାହୁଲ, ଏବେ ପୁଣି ସୋନିଆ) ରହିଛନ୍ତି। କିନ୍ତୁ ୨୦୦୪ରେ ଯେତେବେଳେ ଦଳ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଅନୁରୋଧ କଲା ସେ ମନା କଲେ। କୁହାଯାଏ ମୂଳ ଭାରତୀୟ ହୋଇନଥିବାରୁ ପ୍ରଧାନମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦରେ ଦେଶବାସୀ ତାଙ୍କୁ ଗ୍ରହଣ କରିବା ନେଇ ସୋନିଆଙ୍କ ମନରେ ଅପ୍ରକାଶିତ ଶଙ୍କା ଥିଲା। କଂଗ୍ରେସରୁ ବହିଷ୍କୃତ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଶରଦ ପାୱାର ତାଙ୍କ ପୁସ୍ତକ (ଅନ୍‌ ମାଇଁ ଟର୍ମସ୍‌ -ଫ୍ରମ୍‌ ଦି ଗ୍ରାସ୍‌ରୁଟ୍‌ସ ଟୁ ଦି କରିଡର୍ସ ଅଫ ପାୱାର)ରେ ଲେଖିଛନ୍ତି ଯେ ସୋନିଆ ଗାନ୍ଧୀ ହଠାତ ଦିନେ (ମେ ୧୫, ୧୯୯୯) କଂଗ୍ରେସ କାର୍ଯ୍ୟକାରୀ କମିଟିର ମିଟିଂ ଡାକି ବିଦେଶରେ ତାଙ୍କ ଜନ୍ମ ନିର୍ବାଚନରେ ପ୍ରସଙ୍ଗ ହେବ କି ବୋଲି ଜାଣିବାକୁ ଚାହିଁଥିଲେ। ପାୱାର ସେହି ମିଟିଂରେ ଥିଲେ। ଏଭଳି ସମ୍ଭାବନାକୁ ଅଣଦେଖା କରିବା ମସ୍ତବଡ଼ ଭୁଲ ହେବ ବୋଲି ସେ କହିଥିଲେ। ପରେ ପି ଏ ସାଙ୍ଗମା ଏବଂ ତାରିକ ଆନୱାର ସମ୍ବିଧାନ ସଂଶୋଧନ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପଦ କେବଳ ଭାରତରେ ଜନ୍ମିତ ନାଗରିକଙ୍କ ପାଇଁ ସଂରକ୍ଷଣ ରଖିବାକୁ ଏକ ପ୍ରସ୍ତାବ ଦେଇଥିଲେ। ବାସ୍ତବିକତାକୁ ଉପସ୍ଥାପନ କରିଥିବା ଏହି ୩ ନେତାଙ୍କୁ ପୁରସ୍କାର ସ୍ୱରୂପ କଂଗ୍ରେସ ଦଳରୁ ବିଦା କରିଦେଲା।

ଦେଶରେ ମୋଗଲଙ୍କ ବଂଶାନୁକ୍ରମିକ ଓ ଇଂରେଜଙ୍କ ସାମ୍ରାଜ୍ୟବାଦୀ ଶାସନ ବହୁ ଦିନରୁ ଲୋପ ପାଇଲାଣି, କିନ୍ତୁ କଂଗ୍ରେସ ନେତାମାନେ ‘ରାଜା ଘର ପୁଅ ଜନ୍ମରୁ ରାଜା’ ଚିନ୍ତାଧାରାରୁ ମୁକୁଳି ପାରି ନାହାନ୍ତି। ସୋନିଆଙ୍କ ପରେ ରାହୁଲଙ୍କୁ ସେମାନେ ଦେଶର ଭାବୀ ସମ୍ରାଟ ସଜାଇବାରେ ପ୍ରବଳ ଉଦ୍ୟମ କରିଛନ୍ତି। ରାହୁଲ କିନ୍ତୁ ଦାୟିତ୍ୱ ମୁଣ୍ଡାଇବାକୁ ନାରାଜ। ମନମୋହନ ସିଂହଙ୍କ ସରକାରରେ ଇଛାନୁସାରେ ପଦ ଓ ବିଭାଗ ଗ୍ରହଣ କରି ଦେଶବାସୀଙ୍କ ଆଗରେ ଶାସନରେ ଦକ୍ଷତା ପ୍ରତିପାଦନ କରିବାରେ ତାଙ୍କର କେହି ପ୍ରତିବାଦୀ ନଥିଲେ। କଂଗ୍ରେସ ନେତାମାନେ ଅସ୍ବୀକାର କରିପାରନ୍ତି, ବିଭିନ୍ନ ଜାତୀୟ ପ୍ରସଙ୍ଗ ଯଥା ସୀମାରେ ଚୀନର ସମର ସଜ୍ଜା, ସମ୍ବିଧାନରୁ ଜାମୁ କାଶ୍ମୀର ସମ୍ପର୍କୀୟ ଧାରା ୩୭୦ର ଉଚ୍ଛେଦ, ନାଗରିକ ଆଇନ ଇତ୍ୟାଦି ଉପରେ ତାଙ୍କର ମତ ସାଧାରଣରେ ଦଳ ପାଇଁ ସକାରାତ୍ମକ ଭାବମୂର୍ତ୍ତି ସୃଷ୍ଟି କରିବାରେ ସହାୟକ ହୋଇନାହିଁ। ଅନେକ ଆଞ୍ଚଳିକ ଦଳ ପାଇଁ କଂଗ୍ରେସ ଏବେ ଅଛୁଆଁ। ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (କେସିଆର) ବିଜେପି ବିରୋଧୀ ଜାତୀୟ ଫ୍ରଣ୍ଟ ଗଢ଼ିବା ପ୍ରସ୍ତାବ ରଖିଛନ୍ତି। ସର୍ତ୍ତ: କଂଗ୍ରେସ ରହିବନି। ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନରେ ଆରଜେଡି ଏତେ କ୍ଷୁବ୍‌ଧ ଯେ ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ରାହୁଲଙ୍କୁ କଟାକ୍ଷ କରି ‘ଦଳ (କଂଗ୍ରେସ) କ’ଣ ଏମିତି ଚାଲେ?’ ବୋଲି ପ୍ରଶ୍ନ କରିଛନ୍ତି। ନିର୍ବାଚନ ବେଳେ ରାହୁଲ ଭଉଣୀ ପ୍ରିୟଙ୍କାଙ୍କ ସହ ସିମଲାରେ ପିକ୍‌ନିକ କରୁଥିବା ସେ ଅଭିଯୋଗ କରିଥିଲେ। କଂଗ୍ରେସର ଦୁର୍ଦଶା ଏହାର ରାଜନୈତିକ ଶତ୍ରୁଙ୍କୁ ସାମୟିକ ଆନନ୍ଦ ଦେଇପାରେ, କିନ୍ତୁ ଦେଶ ପାଇଁ ନିଶ୍ଚୟ ଏକ ଅଶୁଭ ଖବର। ଗଣତନ୍ତ୍ରରେ ବିରୋଧୀ ପକ୍ଷ ସୁସ୍ଥ ଓ ସବଳ ନ ରହିଲେ ଶାସକ ଅସହିଷ୍ଣୁ ଓ ଶାସନ ସ୍ୱେଚ୍ଛାଚାରିତାର ରୂପ ନିଏ। କଂଗ୍ରେସରେ ବର୍ତ୍ତମାନ ଯେଉଁ ରାଜନୈତିକ ସ୍ଥାଣୁତା ସୃଷ୍ଟି ହୋଇଛି ତାହା ବାଞ୍ଛନୀୟ ନୁହେଁ। ବିଶେଷଜ୍ଞଙ୍କ ମତରେ ଦେଶର ସ୍ୱାର୍ଥ ପାଇଁ କଂଗ୍ରେସ ନିଜକୁ ସଜାଡ଼ିବା ଦରକାର।

ମୋ: ୯୮୫୩୨୫୨୬୨୬

ସମ୍ବନ୍ଧିତ ଖବର