ଖିଲାଣ ପତନ

‘‘ସେବିତବ୍ୟୋ ମହାବୃକ୍ଷଃ, ଫଳଚ୍ଛାୟା ସମନ୍ବିତଃ। ଯଦି ଦୈବାତ୍‌ ଫଳ˚ ନାସ୍ତି, ଛାୟା କେନ ନିବାର୍ଯ୍ୟତେ।।’’ ଚାଣକ୍ୟ କୌଣସି ଏକ ମହାବୃକ୍ଷର ମହାନ୍‌ ଅବଦାନମାନଙ୍କୁ ମାତ୍ର ଏହି ଦୁଇଟିରେ- ଫଳ ଓ ଛାଇ- ସୀମିତ ରଖିବାର କାରଣ ହେଉଛି ସେ କେବଳ ମନୁଷ୍ୟର ଲାଭ ଏବ˚ ତାହା ପୁଣି ତା’ର ତାତ୍‌କାଳିକ ଲାଭ ଦୃଷ୍ଟିରୁ ଏହାର ମୂଲ୍ୟାୟନ କରିଥିଲେ। ଚାଣକ୍ୟ ଯାହାକୁ ମହାବୃକ୍ଷ ରୂପେ ବିଚାର କରୁଥିଲେ, ତାହାକୁ ଯଦି ଆଜିକାଲିର ଭାଷାରେ ‘ଐତିହ୍ୟ ପାଦପ’ ବା ‘ହେରିଟେଜ୍‌ ଟ୍ରି’ ବୋଲି କୁହାଯାଏ, ଏବ˚ କେବଳ ମନୁଷ୍ୟକୁ ଅତିକ୍ରମ କରି ଏହାର ସାମଗ୍ରିକ ଅବଦାନମାନଙ୍କୁ ମଧୢ ବିଚାରକୁ ନିଆଯାଏ, ତେବେ ଦେଖାଯିବ ଯେ ଚାଣକ୍ୟ ଉଲ୍ଲେଖ୍ୟ କରିଥିବା କାରଣମାନଙ୍କ ଠାରୁ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ କାରଣମାନ ଯୋଗୁଁ ମହୀରୁହମାନେ ଆମର ସେବା ଲାଭ କରିବାକୁ ହକ୍‌ଦାର।

ପ୍ରାଚୀନ ମହୀରୁହମାନଙ୍କୁ ଐତିହ୍ୟ ପାଦପ ରୂପେ ବର୍ଣ୍ଣନା କରାଯିବାର କାରଣ ହେଉଛି ସେମାନେ ବହନ କରୁଥିବା ପ୍ରାକୃତିକ ଓ ସା˚ସ୍କୃତିକ ଗୁରୁତ୍ବ। ବିଶାଳ ପ୍ରାଚୀନ ବୃକ୍ଷରାଜିର ଅବକ୍ଷୟ ଘଟିବା ସହିତ ପରିବେଶ କ୍ଷତିଗ୍ରସ୍ତ ହୋଇଥାଏ ଏବ˚ ତା’ଉପରେ ନିର୍ଭର କରୁଥିବା ବହୁ ସ˚ଖ୍ୟକ ପ୍ରଜାତିମାନ କ୍ଷତିଗ୍ରସ୍ତ ହୋଇଥାନ୍ତି ଯାହା ସେମାନଙ୍କର ସ୍ଥାନୀୟ ବିଲୟରେ ମଧୢ ପରିଣତ ହୋଇଥାଏ। ଏଥିଯୋଗୁଁ ପରିବେଶ ସ˚ହତି ଗୁରୁତର ବାଧାପ୍ରାପ୍ତ ହୋଇଥାଏ। ଆଶ୍ରୟରୁ ଆରମ୍ଭ କରି ଖାଦ୍ୟ ଓ ଛାୟା ପର୍ଯ୍ୟନ୍ତ ପାଇ କୀଟପତଙ୍ଗରୁ ଆରମ୍ଭ କରି, ଜୀବଜନ୍ତୁ, ସରୀସୃପ ଓ ପକ୍ଷୀମାନଙ୍କ ପର୍ଯ୍ୟନ୍ତ ଜୀବନଧାରଣ ପାଇଁ ଏହି ବିଶାଳ ଦ୍ରୁମମାନଙ୍କ ଉପରେ ନିର୍ଭର କରିଥାନ୍ତି। ନିଜର ବିଶାଳ ଆକାର ଏକ ଐତିହ୍ୟ ପାଦପକୁ କୌଣସି ଏକ ନିର୍ଦ୍ଦିଷ୍ଟ ‘ଇକୋସିଷ୍ଟମ୍‌’ ବା ପରସ୍ପର ସହ ସ˚ଶ୍ଳିଷ୍ଟ ଜୈବ ସମାଜର ଏକ ପ୍ରମୁଖ ଅ˚ଶରେ ପରିଣତ କରିଥାଏ ଏବ˚ ସେହି ଇକୋ ସିଷ୍ଟମ୍‌ର ବହୁ ସ˚ଖ୍ୟକ ପ୍ରଜାତିମାନେ ତିଷ୍ଠି ରହିବାକୁ ଆବଶ୍ୟକ କରୁଥିବା ସମ୍ବଳମାନ ଏହି ପ୍ରାଚୀନ ଦ୍ରୁମରୁ ଉପଲବ୍‌ଧ ହେଉଥିବାରୁ, ଏହି ପାଦପମାନଙ୍କୁ ଜୈବବିଜ୍ଞାନୀମାନେ ‘କି-ଷ୍ଟୋନ୍‌ ଷ୍ଟ୍ରକ୍‌ଚର‌୍‌’ ବା ସମ୍ପୃକ୍ତ ଇକୋସିଷ୍ଟମ୍‌ ରୂପକ ଖିଲାଣକୁ ସମ୍ଭାଳି ରଖିଥିବା ଶୀର୍ଷ ପଥର ରୂପେ ବିଚାର କରିଥାନ୍ତି।
ଆଜିକାଲି ବିଶ୍ବତାପନ ସମସ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ସଚେତନାକାରୀ ଜନମାନସରେ ଏହି ‘କି-ଷ୍ଟୋନ୍‌ ଷ୍ଟ୍ରକ୍‌ଚର‌୍‌’ମାନଙ୍କର ଗୁରୁତ୍ବ ବହୁଗୁଣ ବୃଦ୍ଧି ପାଇ ଚାଲିଛି। ଊଣା ଅଧିକେ ସମସ୍ତେ ଜାଣିଲେଣି ଯେ ବାୟୁମଣ୍ତଳରେ ଅଙ୍ଗାରକାମ୍ଳର ମାତ୍ରାରେ ବୃଦ୍ଧି ଯୋଗୁଁ ଉତ୍ତପ୍ତୀକରଣ ଘଟୁଛି ଏବ˚ ମନୁଷ୍ୟର ବିଭିନ୍ନ କାର୍ଯ୍ୟକଳାପ ଯୋଗୁଁ ଅଧିକରୁ ଅଧିକ ଅଙ୍ଗାର ନିର୍ଗମନ ଘଟି ଏହି ସମସ୍ୟାକୁ ଗୁରୁତର କରି ଚାଲିଛି। ଏହା ମଧୢ ସୁବିଦିତ ଯେ ନୀଳକଣ୍ଠ ଗରଳ ପାନ କରି ସ˚ସାରକୁ ରକ୍ଷା କରିଥିବା ଭଳି ସବୁଜ ବୃକ୍ଷଲତାମାନେ ଏହି ଅଙ୍ଗାରକାମ୍ଳକୁ ଖାଦ୍ୟ ରୂପେ ଗ୍ରହଣ କରି, ତାହାକୁ ନିଜର ମେଦରେ ପରିଣତ କରି ଜଗତକୁ ଭସ୍ମୀଭୂତ ହେବାରୁ ରକ୍ଷା କରୁଛନ୍ତି- ଯେଉଁଥିପାଇଁ ସେମାନଙ୍କୁ ‘କାର୍ବନ୍‌ ସିଙ୍କ୍‌’ ବା ‘ଅଙ୍ଗାର ଖାତ’ ରୂପେ ବିଚାର କରାଯାଇଥାଏ। ଏକ ବିଶାଳ ବୃକ୍ଷ ତେଣୁ ହେଉଛି ଏକ ବିଶାଳ ଅଙ୍ଗାର ଖାତ। ଭୂଇଁ ତଳେ ବିସ୍ତାରଲାଭ କରିଥିବା ଏକ ମହୀରୁହର ଚେର ଜାଲ ସେ ଅଞ୍ଚଳର ମୃତ୍ତିକାକୁ ଭିଡ଼ି ଧରି ରଖିଥାଏ, ଯାହା ମୃତ୍ତିକାକ୍ଷୟର ପ୍ରାକୃତିକ ପ୍ରତିରୋଧକ ରୂପେ କାର୍ଯ୍ୟ କରିଥାଏ। ନ ହେଲେ ଆମେ ବଞ୍ଚିରହିବାକୁ ନିର୍ଭର କରୁଥିବା ଅତ୍ୟନ୍ତ ପତଳା ଉପରସ୍ତର ମୃତ୍ତିକା ଧୋଇ ହୋଇଯାଇ କେବଳ ଏକ ମରୁଭୂମି ଅବଶେଷ ରହିଯାଆନ୍ତା।

ଗୋଟିଏ ବୃକ୍ଷର ଅ˚ଶବିଶେଷ ହେଉଛି ପତ୍ର, ଶାଖାପ୍ରଶାଖା, ଗଣ୍ତି ଏବ˚ ଚେର ସମୂହ। ପତ୍ର ସବୁ ଗଛଟିର ପ୍ରାୟ ପାଞ୍ଚ ଶତା˚ଶ ହୋଇଥିବାବେଳେ, ୧୫ ଶତା˚ଶ ହେଉଛି ଶାଖାପ୍ରଶାଖା, ୬୦ ଶତା˚ଶ ହେଉଛି ଗଣ୍ତି ଏବ˚ ୨୦ ଶତା˚ଶ ହେଉଛି ଭୂଇଁ ତଳେ ବିସ୍ତାର ଲାଭ କରିଥିବା ଚେରଜାଲ। ସୂର୍ଯ୍ୟଙ୍କ ସହଯୋଗରେ ପତ୍ରମାନେ ଚଳାଇଥିବା ଅଙ୍ଗାର ଆତ୍ମୀକରଣର ଏକ ପାର୍ଶ୍ବଫଳ ସ୍ବରୂପ ସୃଷ୍ଟି ହୋଇଥାଏ ଆମର ପ୍ରାଣବାୟୁ ରୂପେ ପରିଚିତ ଅମ୍ଳଜାନ। ଆକଳନ କରାଯାଇଛି ଗୋଟିଏ ବଡ଼ଗଛ ଗୋଟିଏ ଦିନରେ ଯେତିକି ପରିମାଣର ଅମ୍ଳଜାନ ଉତ୍ପାଦନ କରିଥାଏ, ତାହା ଚାରିଜଣ ପ୍ରାପ୍ତବୟସ୍କ ଲୋକଙ୍କର ଗୋଟିଏ ଦିନର ଅମ୍ଳଜାନ ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ। ପାକଳ ଗଛଟିଏ ଗୋଟିଏ ବର୍ଷରେ ବାୟୁମଣ୍ତଳରୁ ପ୍ରାୟ ୨୫ କିଲୋଗ୍ରାମ ସରିକି ଅଙ୍ଗାରକାମ୍ଳ ସ˚ଗ୍ରହ କରି ନିଜ ଶରୀରରେ ସାଇତି ରଖିଥାଏ।

ଯଦି ଗୋଟିଏ ବୃକ୍ଷ ତା’ର ଜୀବନକାଳ ସାରା ଆମକୁ ଅନବରତ ଏଇଭଳି ସେବା ଯୋଗାଇ ଚାଲିଥାଏ, ତା’ହେଲେ ଏକ ଐତିହ୍ୟ ପାଦପରେ ପରିଣତ ହେବା ବେଳକୁ ସେ ବୃକ୍ଷଟିର ମୂଲ୍ୟ କେତେ ହେବ? ଏହା ଏଭଳି ଏକ ପ୍ରଶ୍ନ ଯାହା ସ୍ବାଭାବିକ ଭାବରେ ଅର୍ଥଶାସ୍ତ୍ରୀ ଚାଣକ୍ୟଙ୍କ ମସ୍ତିଷ୍କରୁ ବାହାରିବା କଥା। ବୋଧହୁଏ ସେ ସମୟରେ ଉପଲବ୍‌ଧ ସୀମିତ ସଚେତନତା ଚାଣକ୍ୟଙ୍କୁ ମହାବୃକ୍ଷର ଉପରୋକ୍ତ ଦୁଇଟି ମାତ୍ର ଉପକାରିତାରେ ସୀମିତ ରଖିଥିଲା; ହୁଏତ ସେ ଯଦି ବର୍ତ୍ତମାନ ସକ୍ରିୟ ଥାନ୍ତେ, ସେ ନିଶ୍ଚିତ ଭାବରେ ଉପରୋକ୍ତ ସମସ୍ତ ଅବଦାନମାନଙ୍କୁ ବିଚାରକୁ ନେଇ ଏକ ମହାବୃକ୍ଷର ବାସ୍ତବ ମୂଲ୍ୟାୟନ କରି ତାଙ୍କର ନୀତିଶ୍ଳୋକର ଅ˚ଶରେ ପରିଣତ କରନ୍ତେ। ତେବେ ଆଶ୍ବାସନାର କଥା, ଚାଣକ୍ୟଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଏବେ ଆଗେଇ ଆସିଛନ୍ତି ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ।

ଏକ ଐତିହ୍ୟ ପାଦପର ଆର୍ଥିକ ମୂଲ୍ୟାୟନ କରିବା ପାଇଁ ସୁପ୍ରିମ୍‌ କୋର୍ଟ ନିଯୁକ୍ତ କରିଥିବା ଏକ ପାଞ୍ଚଜଣିଆ ବିଶେଷଜ୍ଞ କମିଟି ଗତବର୍ଷ ଫେବ୍ରୁଆରିରେ ଯେଉଁ ରିପୋର୍ଟ ଦାଖଲ କରିଥିଲା, ଗତ ବୁଧବାର ଦିନ ସର୍ବସାଧାରଣଙ୍କ ଅବଗତି ନିମିତ୍ତ ତାହା ପ୍ରକାଶ ପାଇଛି। ଏହା ଅନୁଯାୟୀ, ଏକ ମହୀରୁହର ସମସ୍ତ ଅବଦାନର ମୂଲ୍ୟାୟନ କରାଗଲେ ତା’ର ବାର୍ଷିକ ମୂଲ୍ୟ ହେବ ୭୪,୫୦୦ ଟଙ୍କା; ଯଦି ଏକ ଐତିହ୍ୟ ପାଦପର ବୟସ ଏକଶତ ବର୍ଷ ହୋଇଥାଏ, ତେବେ ତାହାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି କମିଟି କହିଛି।
ପଶ୍ଚିମବଙ୍ଗରେ ପାଞ୍ଚଟି ରେଳ ଓଭରବ୍ରିଜ୍‌ ନିର୍ମାଣ ପାଇଁ ୩୫୬ଟି ଐତିହ୍ୟ ପାଦପ କଟାଯିବା ପ୍ରସ୍ତାବ ବିରୋଧରେ ଆଗତ ଆବେଦନର ବିଚାର ପାଇଁ ସୁପ୍ରିମ୍‌ କୋର୍ଟ ପାଦପମାନଙ୍କର ଉପରୋକ୍ତ ମୂଲ୍ୟାୟନ କରାଇଥିଲେ। ପୂର୍ବରୁ ଚାଲି ଆସୁଥିବା ଭଳି କେବଳ ଗଛରେ ଥିବା କାଠର ମୂଲ୍ୟାୟନ ନ କରି ସାମଗ୍ରିକ ମୂଲ୍ୟାୟନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁସାରେ କମିଟି ନିର୍ଣ୍ଣୟ କରିଥିଲା ଯେ ମହୀରୁହଟିଏ ଯୋଗାଉଥିବା ବାର୍ଷିକ ଅମ୍ଳଜାନର ମୂଲ୍ୟ ହେଉଛି ୪୫,୦୦୦ଟଙ୍କା, ଜୈବ ଖତର ମୂଲ୍ୟ ହେଉଛି ୨୦,୦୦୦ ଟଙ୍କା, ଇତ୍ୟାଦି। କମିଟିର ଆକଳନ ଅନୁସାରେ ପଶ୍ଚିମବଙ୍ଗ ସରକାର କାଟିବାକୁ ଚାହୁଁଥିବା ୩୫୬ଟି ଗଛର ମୂଲ୍ୟ ହେବ ପ୍ରାୟ ୨୨୦ କୋଟି ଟଙ୍କା, ଯାହା ସେ ପ୍ରକଳ୍ପରୁ ମିଳିବାକୁ ଥିବା ଲାଭଠାରୁ ବହୁ ଅଧିକ।

ଗଛ କାଟିବା ପୂର୍ବରୁ ସରକାର ଅନ୍ୟ ସମସ୍ତ ବିକଳ୍ପକୁ ବିଚାରକୁ ନେବା ଏକାନ୍ତ ଆବଶ୍ୟକ ବୋଲି କମିଟି ଦୃଢ଼ମତ ପୋଷଣ କରିଛି- ଯେମିତି ଉପଲବ୍‌ଧ ରେଳପଥ ଓ ଜଳପଥ ଆଦିର ଗମନାଗମନ ଓ ପରିବହନ ପାଇଁ ସମ୍ପୂର୍ଣ୍ଣ ଉପଯୋଗ ଇତ୍ୟାଦି। କମିଟି ମଧୢ ସୂଚାଇ ଦେଇଛି ଯେ ମହୀରୁହଟିଏ କାଟି ଦେବା ବଦଳରେ ଅନ୍ୟ କେଉଁଠି ଚାରା ଗଛଟିଏ ରୋପଣ କରି ଦେବା ଯଥେଷ୍ଟ ନୁହେଁ, ଏବ˚ ଯେତେଦୂର ସମ୍ଭବ ଗଛଟିକୁ କାଟିବା ପରିବର୍ତ୍ତେ ଆଧୁନିକ ପ୍ରବିଧି ପ୍ରୟୋଗ କରି ତାହାକୁ ଯତ୍ନର ସହିତ ଉପାଡ଼ି ନେଇ ଅନ୍ୟ ସ୍ଥାନରେ ରୋପଣ କରାଯିବା ଉଚିତ। ଅଦାଲତ ଏ ପର୍ଯ୍ୟନ୍ତ ରିପୋର୍ଟଟି ଗ୍ରହଣ କରିନାହାନ୍ତି, କିନ୍ତୁ କମିଟିର କାର୍ଯ୍ୟକୁ ପ୍ରଶ˚ସା କରିଛନ୍ତି। ଶେଷ ନିଷ୍ପତ୍ତି ଅଦାଲତଙ୍କର। କିନ୍ତୁ ମନେ ରଖିବା କଥା ଯଦି ଏକ ଖିଲାଣରୁ କି-ଷ୍ଟୋନ୍‌ଟିକୁ କାଢ଼ି ନିଆଯାଏ, ତେବେ ସମଗ୍ର ଖିଲାଣଟି ଭୁଶୁଡ଼ି ପଡ଼ିବା ନିଶ୍ଚିତ।

ସମ୍ବନ୍ଧିତ ଖବର