ଚାଷୀଙ୍କ ଟ୍ରାଜେଡି

୨୦୧୦ରେ ମୁକ୍ତିଲାଭ କରିଥିବା ବ୍ୟଙ୍ଗାତ୍ମକ ଚଳଚ୍ଚିତ୍ର ‘ପିପଲି ଲାଇଭ୍‌’, ଯାହାର କାହାଣୀ ଜଣେ ଅତ୍ୟନ୍ତ ଦରିଦ୍ର ଭାରତୀୟ ଚାଷୀଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି, ପ୍ରକୃତରେ ସା˚ପ୍ରତିକ ସମୟ ଓ ସମାଜ ଲାଗି ଏକ ଦର୍ପଣ ତୁଲ୍ୟ, ଯହିଁରେ ଦେଖିବାକୁ ମିଳେ (କାଳ୍ପନିକ କାହାଣୀରେ ରହୁଥିବା କିଞ୍ଚିତ ଅତିର˚ଜନ ସହିତ) କିଭଳି ରାଜନୀତି, ଗଣମାଧୢମ ଓ ପ୍ରଶାସନର ଖେଳ ଜଣେ ଚାଷୀ ଓ ତାର ସମସ୍ୟାକୁ ଏକ ବଡ଼ ନାଟକ ବା ତାମସାରେ ପରିଣତ କରେ ସିନା, ତଦ୍ଦ୍ବାରା ଚାଷୀଟିର ଅସଲ ସମସ୍ୟାର କୌଣସି ସମାଧାନ ହୁଏନା। ଏହି ପରିପ୍ରେକ୍ଷୀରେ ଯଦି ଦିଲ୍ଲୀ ଉପକଣ୍ଠରେ ଗଲା ଅଣାଅଶୀ ଦିନ ଧରି ଚାଲି ଆସିଥିବା କୃଷକ ଆନ୍ଦୋଳନକୁ କେନ୍ଦ୍ର କରି ଗଢ଼ି ଉଠୁଥିବା ବହୁ ସ୍ତରୀୟ ନାଟକୀୟ ଦୃଶ୍ୟପଟଗୁଡ଼ିକର ବିଚାର କରାଯାଏ, ତେବେ ହୁଏ’ତ ଦିଶିପାରେ ଯେ ନୂତନ କୃଷି ଆଇନ ଦ୍ବାରା କୃଷକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରି ଆନ୍ଦୋଳନର ପ୍ରାରମ୍ଭ କରିଥିଲେ, ସେହି ସମସ୍ୟାଗୁଡ଼ିକ ଠାରୁ ଦୃଷ୍ଟି ହଟିଯାଇ ତାହା ଏଭଳି କେତେକ ଅସ˚ଲଗ୍ନ ପ୍ରସଙ୍ଗ ଉପରେ ନିବଦ୍ଧ ହେବାରେ ଲାଗିଛି ଯହିଁରେ ଅଛି ସରକାର ବନାମ ଟ୍ବିଟର ବା ବିଦେଶୀ ସେଲିବ୍ରିଟି ବନାମ ଦେଶୀ ସେଲିବ୍ରିଟି ଅଥବା ଅଭିବ୍ୟକ୍ତିର ସ୍ବାଧୀନତା ବନାମ ସାର୍ବଭୌମତ୍ବ କିମ୍ବା ଆନ୍ଦୋଳନକାରୀ ବନାମ ଆନ୍ଦୋଳନଜୀବୀ ଭଳି ସ˚ଦର୍ଭ। ଏହି କ୍ରମରେ ଯଦିଓ ଆନ୍ଦୋଳନଟିର ପ୍ରଭାବ ପରିସର ବ୍ୟାପକତର ହୋଇଛି, କିନ୍ତୁ ତାହା ଦ୍ବାରା ଯେ ଆନ୍ଦୋଳନକାରୀ ଚାଷୀମାନଙ୍କ ପ୍ରକୃତ ସମସ୍ୟାକୁ କେନ୍ଦ୍ର କରି ଆଲୋଚନା ବା ବିତର୍କ ବା ଉଦ୍‌ବେଗ ବିରତି ନେଇଛି; ତାହା ଅନେକ ସ୍ବୀକାର କରିବେ।

କହିବା ବାହୁଲ୍ୟ ଯେ ପଞ୍ଜାବର ଚାଷୀମାନଙ୍କ ଦ୍ବାରା ସୃଷ୍ଟ ଏହି ଅଣରାଜନୈତିକ, ଶାନ୍ତିପୂର୍ଣ୍ଣ ତଥା ପରିପକ୍ବ ଆନ୍ଦୋଳନ ପରବର୍ତ୍ତୀ ସମୟରେ ରାଜନୈତିକ ହସ୍ତକ୍ଷେପ, ଆକ୍ରାମକ ଆଭିମୁଖ୍ୟ ଏବ˚ ବିବେଚନାହୀନତାର ଶରବ୍ୟ ହୋଇ ଭୁଲ ବୁଝାମଣାର ଶିକାର ମଧୢ ହୋଇଛି। ଏଥିରେ ସାମାଜିକ ଗଣମାଧୢମର ଯେ ଏକ ବିରାଟ ଭୂମିକା ରହିଛି, ତାହା କହିବା ଅନାବଶ୍ୟକ। ଏହି ସୂତ୍ରରେ ଗୋଟିଏ ପକ୍ଷରେ ଆନ୍ଦୋଳନକାରୀମାନଙ୍କୁ ‘ଖଲିସ୍ତାନୀ’ ବା ଆତଙ୍କବାଦୀ ବୋଲି ଅଭିହିତ କରାଯିବା ଠାରୁ ଆରମ୍ଭ କରି ଅପର ପକ୍ଷରେ ଭାରତରେ କୃଷକମାନଙ୍କ ଗଣହତ୍ୟା କରାଯାଉଥିବା ଭଳି ମିଥ୍ୟା ଆରୋପ ପର୍ଯ୍ୟନ୍ତରେ ଯେଉଁ ସବୁ ବାର୍ତ୍ତା ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକରେ ଦେଖିବାକୁ ମିଳୁଛି, ସେ ସବୁ ଯେ ଆନ୍ଦୋଳନଟିର ଗୁରୁତ୍ବ ଓ ପ୍ରାସଙ୍ଗିକତାକୁ ହନନ କରୁଛି, ତାହା ନିଃସନ୍ଦେହ। ସେହିଭଳି ଏହି ଆନ୍ଦୋଳନକୁ ନେଇ ଯେଉଁ ଦୁଇ ଭାରତୀୟ ସେଲିବ୍ରିଟିଙ୍କ ମଧୢରେ ଚାଲି ଆସିଥିବା ଟ୍ବିଟର ଲଢ଼େଇ ଅସ˚ଖ୍ୟଙ୍କ ମନୋର˚ଜନର ଖାଦ୍ୟ ହୋଇଛି, ସେ ଦୁହେଁ (ଆନ୍ଦୋଳନର ସମର୍ଥକ ଗାୟକ ଦିଲଜିତ ଦୋସା˚ଜ ଏବ˚ ବିରୋଧୀ ଅଭିନେତ୍ରୀ କଙ୍ଗନା ରଣାଵତ) ଏହା ପୂର୍ବରୁ କେବେ ହେଲେ କୃଷକମାନଙ୍କ ସମସ୍ୟାକୁ ନେଇ ଉଦ୍‌ବିଗ୍ନ ଥିବା ଜଣା ନାହିଁ। ଅବଶ୍ୟ, ସେମାନଙ୍କ ଦ୍ବାରା ଆକର୍ଷିତ ହୋଇ ଏଭଳି ଅସ˚ଖ୍ୟ ବ୍ୟକ୍ତିବିଶେଷ କୃଷକ ଆନ୍ଦୋଳନ ସ˚ପର୍କରେ ଖବର ରଖିଛନ୍ତି, ଯେଉଁମାନେ ଅନ୍ୟଥା କୌଣସି ଚାଷୀ ଆନ୍ଦୋଳନ ବା ସମସ୍ୟା ପ୍ରତି ବୀତସ୍ପୃହ ରହନ୍ତେ। ତେବେ ପ୍ରଶ୍ନ ହେଉଛି କୃଷକ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିବା ଏଭଳି ଜନସ˚ଖ୍ୟା ଆନ୍ଦୋଳନକୁ ବଳ ପ୍ରଦାନ କରିଥାଆନ୍ତି କି?

ଏହି କ୍ରମରେ ଏହି କୃଷକ ଆନ୍ଦୋଳନକୁ ସମର୍ଥନ ପ୍ରଦାନ କରିଥିବା କିଛି ବିଦେଶୀ ସେଲିବ୍ରିଟିଙ୍କ ଭୂମିକା ଓ ତଜ୍ଜନିତ ବିବାଦ ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। ଏହି ସେଲିବ୍ରିଟିମାନେ ହେଉଛନ୍ତି ପ୍ରସିଦ୍ଧ ପପ୍‌ ଗାୟିକା ରିହାନା, ଅନ୍ତର୍ଜାତୀୟ ଖ୍ୟାତି ସ˚ପନ୍ନ ତରୁଣ ପରିବେଶବିତ୍‌ ଗ୍ରେଟା ଥନବର୍ଗ, ଲେଖିକା ତଥା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କ ଝିଆରୀ ମୀରା ହାରିସ୍‌ ଏବ˚ ଅଶ୍ଳୀଳ ଚଳଚ୍ଚିତ୍ର ଦୁନିଆର ସୁପର ତାରକା ମିଆଁ ଖଲିଫା। ଦେଶ, ସମାଜ ଓ ପେସା ନେଇ ସେମାନଙ୍କ ମଧୢରେ ଅସାମଞ୍ଜସ୍ୟ ଥିବା ସତ୍ତ୍ବେ ଆଦର୍ଶଗତ ଭାବେ ସେମାନେ ନିଶ୍ଚିତ ଭାବେ କେଉଁ ଏକ ବିନ୍ଦୁରେ ମିଳିତ ବୋଲି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଟ୍ବିଟ୍‌ କରିଛନ୍ତି; ଯହିଁରେ ଭାରତ ସରକାରଙ୍କ ପ୍ରତି ସମାଲୋଚନା ନିହିତ। ତେବେ ଏହାର ପ୍ରତିବାଦ ଜଣାଇ ଭାରତୀୟ କ୍ରୀଡ଼ା ଓ ଚଳଚ୍ଚିତ୍ର ଜଗତ୍‌ର ସେଲିବ୍ରିଟିମାନେ ମଧୢ ସରକାରଙ୍କ ସପକ୍ଷରେ ଟ୍ବିଟ୍‌ମାନ କରିବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ, ଇତି ମଧୢରେ ଏକ କଠୋର ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ପକ୍ଷରୁ ଟ୍ବିଟରକୁ କୁହାଯାଇସାରିଛି ଯେ ଭାରତ ବିରୋଧୀ ପ୍ରଚାର କରୁଥିବା ପ୍ରାୟ ୧୪୦୦ ସରିକି ‘ଟ୍ବିଟର ହ୍ୟାଣ୍ତଲ’କୁ ସ˚ପୃକ୍ତ କ˚ପାନି ହଟାଇ ଦେଉ। କିନ୍ତୁ କ˚ପାନି ପକ୍ଷରୁ ଭାରତୀୟ ସ˚ବିଧାନର ଧାରା ୧୯(କ)କୁ ଭିତ୍ତି କରି ଅଭିବ୍ୟକ୍ତିର ସ୍ବାଧୀନତା ଦୃଷ୍ଟିରୁ ଟ୍ବିଟର ହ୍ୟାଣ୍ତଲ ହଟାଇବାକୁ ଅସମ୍ମତି ପ୍ରକାଶ କରାଯାଇଛି। ତେବେ ନଛୋଡ଼ବନ୍ଦା ସରକାରଙ୍କ ପକ୍ଷରୁ ମଧ୍ୟ ସ˚ବିଧାନର ଧାରା ୧୯(ଖ)ର ଦୃଷ୍ଟାନ୍ତ ପ୍ରଦାନ କରି ଅଭିବ୍ୟକ୍ତିର ସ୍ବାଧୀନତାରେ ନିହିତ ଥିବା ସର୍ତ୍ତଗୁଡ଼ିକ ଦର୍ଶାଯାଇ ସରକାରୀ ଆ‌େଦଶର ଅନୁପାଳନ କରିବାକୁ ଟ୍ବିଟର ବାଧୢ ବୋଲି ଦୃଢ଼ୋକ୍ତି କରାଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଅଭିବ୍ୟକ୍ତିର ସ୍ବାଧୀନତା ସମ୍ବନ୍ଧୀୟ ସା˚ବିଧାନିକ ତର୍ଜମା ହେଉ ବା ରାଷ୍ଟ୍ରର ସାର୍ବଭୌମତ୍ବ ପ୍ରତି ଆକ୍ରମଣର ସ˚ଜ୍ଞା ନିର୍ଦ୍ଧାରଣ ହେଉ ଅଥବା ଭାରତକୁ ବଦନାମ କରିବାକୁ ବଦ୍ଧପରିକର ବିଦେଶୀ କୁଚକ୍ରୀ ଗୋଷ୍ଠୀର ଅଭିସନ୍ଧି ବିଷୟ ହେଉ; ଏଭଳି ଅନେକ ଆନ୍ଦୋଳନ ଅସଂଲଗ୍ନ ପ୍ରସଙ୍ଗ ତୁମୁଳ ଚର୍ଚ୍ଚାର ବିଷୟ ହୋଇ ଚାଷୀମାନଙ୍କ ସମସ୍ୟାକୁ ନେଇ ରହିଥିବା ଉଦ୍‌ବେଗକୁ କ୍ରମେ ନିଷ୍ପ୍ରଭ କରି ପକାଉଥିବା ଭଳି ବୋଧ ‌େହଉଛି। ଚାଷୀ ଆନ୍ଦୋଳନର ଫୁଲ୍‌କା ବା ଆଖଡ଼ା ମଧୢକୁ ଏବେ ଅନେକ ମଲ୍ଲଯୋଦ୍ଧା ଲ˚ଫ ପ୍ରଦାନ କରି ସାରିଛନ୍ତି, ଯାହା ଏହାକୁ ଟେଲିଭିଜନରେ ପ୍ରଦର୍ଶିତ ହେଉଥିବା ‘ଡବ୍ଲୁ.ଡବ୍ଲୁ.ଏଫ୍‌.’ ମଲ୍ଲ ଯୁଦ୍ଧ ଭଳି ଏକ ନିୟମ ବହିର୍ଭୂତ ପ୍ରତିଦ୍ବନ୍ଦ୍ବିତାରେ ପରିଣତ କରିବାକୁ ବସିଲାଣି, ଯହିଁରେ ପ୍ରକୃତ ପ୍ରତିଦ୍ବନ୍ଦ୍ବୀ କିଏ ବା ପ୍ରକୃତ ବିଜେତା କିଏ ତାହା ଠଉରାଇବା ମଧୢ କଷ୍ଟକର ହୋଇ ଯାଇପାରେ।

ଶୁଣାଯାଏ ଯେ ଜାର‌୍‌ ଶାସିତ ରୁଷିଆରେ ରକ୍ତକୁ ଜମାଟ କରି ପକାଉଥିବା ଭଳି ଶୀତ ରାତିରେ ଆରାମଦାୟକ ଥିଏଟର ମଧୢରେ ବସି ଟ୍ରାଜେଡିମାନ ଦେଖିବା ପରେ କ୍ରନ୍ଦନରତା ସ˚ଭ୍ରାନ୍ତ ଶ୍ରେଣୀଜ ମହିଳା ନାକ ସୁଁ ସୁଁ କରି ପଦାକୁ ବାହାରିଲା ବେଳକୁ ତାଙ୍କ ଘୋଡ଼ା ଗାଡ଼ିରେ ତାଙ୍କୁ ଅପେକ୍ଷା କରି ବସି ରହିଥିବା କଚୁଅାନର ପ୍ରାଣ ଅସହ୍ୟ ଥଣ୍ତାରେ ଚାଲି ଯାଇଥାଏ। କିନ୍ତୁ ନାଟକର ବିମର୍ଷକର ଦୃଶ୍ୟ ସେହି ମହିଳାଙ୍କ ହୃଦୟର ଯେଉଁ ସ୍ଥଳକୁ ଭେଦ କରି ପାରିଥାଏ, ତାହାକୁ କଚୁଆନର ମୃତ୍ୟୁ ସ୍ପର୍ଶ କରିପାରେ ନାହିଁ। ସେହିଭଳି ଏକ ସ୍ଥିତି ଏଠାରେ ଦୃଶ୍ୟମାନ ହେଉଥିବା ଭଳି ଲାଗେ। କାରଣ କୃଷକମାନଙ୍କ କଷଣ ସେମାନଙ୍କ ଆନ୍ଦୋଳନର ଆବେଦନକୁ ପରିବର୍ଦ୍ଧନ କରୁଥିବା ବିଦେଶୀ ସେଲିବ୍ରିଟିମାନଙ୍କ ହୃଦୟକୁ ପ୍ରକୃତରେ ସ୍ପର୍ଶ କରିଥାଏ କି ନାହିଁ ତାହା ପ୍ରଶ୍ନ ସାପେକ୍ଷ। କହିବା ଅନାବଶ୍ୟକ ଯେ ଆନ୍ଦୋଳନଟି ଉଚ୍ଚ ନାଟକୀୟତା ସ୍ପର୍ଶ କରିବାକୁ ସେମାନେ ଉପଭୋଗ କରନ୍ତି। ଟ୍ରାଜେଡି ଦେଖି ଘରକୁ ଫେରିଥିବା ସ˚ଭ୍ରାନ୍ତ ରୁଷୀୟ ମହିଳା ତା’ ପର ଦିନ ସକାଳ ବେଳକୁ ତାଙ୍କ ବିଷର୍ଣ୍ଣତାରୁ ଉତ୍ତୀର୍ଣ୍ଣ ହୋଇ ସାରିଥାଆନ୍ତି। କିନ୍ତୁ କଚୁଆନର ପତ୍ନୀର ଲୋତକ ଧାର ଅବଶିଷ୍ଟ ଜୀବନ ବହି ଚାଲିଥାଏ। ସତ କହିଲେ ରୁଷୀୟ କଚୁଆନ ଭଳି ଭାରତୀୟ କୃଷକଙ୍କ ଲାଗି ତାହା ହିଁ ଟ୍ରାଜେଡି।

ସମ୍ବନ୍ଧିତ ଖବର